ପ୍ରେମବିବାହ
ପ୍ରେମବିବାହ
ପ୍ରେମ ବିନା ପ୍ରକୃତି ନାହିଁ. ଗଛରେ ପକ୍ଷୀ, ନଈରେ ମାଛ, ବିଲରେ କଙ୍କଡା, ସମୁଦ୍ରରେ ଢେଉ, ଆକାଶରେ ବଉଦ. ସବୁଠି ପ୍ରେମର ଭାଷା. ବାହାର ପରି ଭିତରେ ପରିବାରର ପ୍ରେମ କେଡେ ନିର୍ମଳ, ସତେ ଝରଣା ଜଳ,ବହୁଥାଏ କଳ କଳ. ବର୍ଣ୍ଣନା ନାହିଁ ଯାହାର. ବାପାଙ୍କ ଫେରନ୍ତି ବାଟକୁ ଚାହିଁଥାନ୍ତି ପୁଅ, ଝିଅ, ସ୍ତ୍ରୀ ଏବଂ ବୃଦ୍ଧ ବାପା ମାଆ. ଆସିଲେ ପାଣି ଗ୍ଲାସ ବଢ଼େଇ ଦିଏ ସ୍ତ୍ରୀ, ପିଲାଏ ପିଠିରେ ଝୁଲି ପଡନ୍ତି, ବୋଉ ପଚାରେ କୁଆଡେ ଥିଲୁ ଏଯାଏଁ ରାତି ଦଶ ହେଲାଣି ଯଦିଓ ଘଣ୍ଟାରେ ବାଜିଥାଏ ରାତି ଆଠ ମାତ୍ର. ବାପା କହନ୍ତି ଆରେ ପୁଅ ଦେଖିଲୁ ଏ ଗଞ୍ଜିଟି ତତେ ହେବକି? ପୁଣି ବୋଉ କହୁଥାଏ ବୋହୁକୁ ମୋ ମାଆ ପରା ମୋ ପୁଅ ପାଦରେ ଉଷୁମ ସୋରିଷ ତେଲ ରସୁଣ ଫୁଟେଇ ଟିକେ ଘଷିଦେବୁ. ମତେ କଣ ସେ ଆଉ ଦେଖେଇବ! ତୁ ପାରିବୁ ନିଶ୍ଚୟ.ଏଇ ସବୁ ଜୀଵନ ଭିତରେ ଥାଏ ବଞ୍ଚିବାର ମାଦକତା. ବାପା ଥିବା ପୁଅ ସଭାରେ ହାରେନା କି ଉପରେ ପଥର ପଡ଼େନା. ପଡିବା ପୂର୍ବରୁ ବାପା ନିଜ ପିଠି ଦେଖାଇ ଦେଇଥାନ୍ତି. ବୋଉ କଥା ବର୍ଣ୍ଣନା କରିବା ଶକ୍ତି କାହିଁ!ଯାହାର ବୋଉଟିଏ ଅଛି ତାହା ଭଗବାନଙ୍କ ବରଦାନ. ସବୁ ଦୁଃଖ କଷ୍ଟ ଯନ୍ତ୍ରଣାକୁ ନିଜେ ଢ଼ୋକି ଦେଇ ସଂସାରକୁ ଆଗକୁ ବଢେଇବା କଳା ତାକୁ ଜଣା. ବୋଉ ହେଲା ପରେ ପ୍ରତ୍ୟେକ ନାରୀ ଭିତରେ ସ୍ନେହ, ମମତା, ପ୍ରୀତି, ମୈତ୍ରୀ, ପରକୁ ଆପଣାର କରିବା କଳା ସବୁ ଭରି ଦେଇଥାନ୍ତି ଭଗବାନ ତା ପଣତ ରୂପୀ ଅଞ୍ଚଳରେ. ମଧୁ ମହାପାତ୍ରଙ୍କ ଘରେ ସେମିତି ସୁଖ ଦୁଃଖର ଡ଼ଙ୍ଗାଟିଏ ବହୁଥିଲା ଆଗକୁ ଯେତେବେଳେ ନାତି ନାତୁଣୀ କାଗଜ ଡ଼ଙ୍ଗା ଭସେଇବା ଅବସ୍ଥାରେ ଥିଲେ. ଏବେ ମଧୁ ମହାପାତ୍ର ବୃଦ୍ଧ. ପୁଅର ପୁଅ ନାତି ପଢି ବଢ଼ି ହାତକୁ ଦି ହାତ ହେବାକୁ ଅଡ଼ି ବସିଛି ସୁଜାତାକୁ ବିବାହ କରିବ. ଭଉଣୀ ବାହା ହୋଇସାରିଥିଲେ ମଧ୍ୟ ପ୍ରତିବର୍ଷ ରାକ୍ଷୀ ପୁନେଇଁକୁ ଆସୁଥିଲା ଭାଇ ହାତରେ ରାକ୍ଷୀ ବାନ୍ଧିବାକୁ ଓ ଭଉଣୀକୁ ମନେଇ ଭାଇ ପ୍ରଶାନ୍ତ ତାରି ଦ୍ୱାରା କଥାଟା ପକେଇ ଦେଇଥିଲା ଘରେ ଯେ ସେ ସୁଜାତାକୁ ବାହା ହେବାକୁ ଚାହେଁ.
ମଧୁ ମହାପାତ୍ର ଜେଜେଙ୍କ ପାଟିରେ ବଚନ ନଥିଲା. ତାଙ୍କ ଘରେ କାମ କରୁଥିବା ହଳିଆ ରାଜୁ ପ୍ରଧାନ ଝିଅ ସୁଜାତା ଏ ଘରକୁ ବୋହୁ ହୋଇ ଆସିବ! ପିତୃପୁରୁଷଙ୍କୁ ପାଣି ଦେବ କଥାଟା ହଜମ ନକରି ସେ ପାଳଭୂତ ସାଜିଲେ. ଜେକେମା ମଧ୍ୟ ପାଳ ଭୁତୁଣୀ ଆଉ ବାପା ଖନା ବଚନ କହି କହି ଥକି ପଡ଼ିଥିଲେ କାରଣ ସ୍ତ୍ରୀ ଚାହୁଁଥିଲେ ଗୋଟିଏ ବୋଲି ପୁଅର ମନ ରଖିବାକୁ. ପୁଅ ପ୍ରଶାନ୍ତର ବାହାଘର ହୋଇଗଲା. ଜେଜେ,ଜେଜେମା, ଶଶୁର ଥିଲେ ଛୋଟ ବଡ଼ ଲିଙ୍ଗ ଅନୁଯାୟୀ ପାଳ ଭୂତ ଓ ଭତୁଣୀ. ବୟସ ହେଲେ ସମସ୍ତେ ଏମିତି ହୋଇଯାଆନ୍ତି କି କଣ କେଜାଣି କିନ୍ତୁ ସୁଜାତାର କର୍ତ୍ତବ୍ୟପରାୟଣତା, ସାମାଜିକତା, ସ୍ନେହ, ଆଦର ଓ ପରମ୍ପରା ଭିତରେ ଶାଶୁ ଥିଲେ ମୁଗ୍ଧ ଓ ଚକିତ. କହୁଥିଲେ ପ୍ରଧାନ ଘର ଝିଅ କରଣଘରେ ବୋହୁ ହେବା କିଛି ନୂଆ କଥା ନୁହେଁ. ପ୍ରଧାନ ବଢ଼ି ବଢ଼ି କରଣ ଅର୍ଥାତ ସେ କହିବାକୁ ଚାଁହୁଥିଲେ ଜାତି ଗୋଟେ କଣ? ନାମକୁ ମାତ୍ର ଜାତି ଗୋତ୍ର ବରଂ ଝିଅର ଯଦି ସଂସ୍କାର ଅଛି, ରୂପ ଗୁଣ ତଥା ଯୋଗ୍ୟତା ସହିତ ପରିବାର ପ୍ରତି ମର୍ଯ୍ୟାଦା ଅଛି ଓ ପରିବାର ଲୋକଙ୍କ ପ୍ରତି ଆନୁଗତ୍ୟ ଅଛି ତେବେ ସବୁ ଠିକ ଅଛି. ସେଦିନ ଗଣେଷ ପୂଜା ପାଇଁ ସ୍କୁଲ, କଲେଜ, ଅନୁଷ୍ଠାନ ଓ ଘର, ଗାଁ, ସହର ସବୁଠି ଚଳଚଞ୍ଚଳ ଥିଲାବେଳେ ସୁଜାତା ଘରର ସବୁ ଗଣେଷ ମୂର୍ତ୍ତି, କ୍ୟାଲେଣ୍ଡର, ବନ୍ଧେଇ ଫୋଟୋ ସବୁକୁ ଏକାଠି କରି ପଞ୍ଚାମୃତ ଜଳରେ ଶୋଧନ କରି, ଫୁଲ, ଚନ୍ଦନ, କସ୍ତୁରୀ, ଅଗରୁ ଧୁପ, ଦୀପ ଯୋଗାଡିବା ସହ ବଳିପଡିଥିବା ଫୁଲକୁ ହୃଦୟ ପରି ସଜାଡି ଦୀପ ବସେଇଥିଲା ଧାଡି ଧାଡି ତ ଜେଜେ, ଜେଜେମା, ଶଶୁର, ଶାଶୁ, ନଣନ୍ଦ, ନଣନ୍ଦେଇ ସମସ୍ତେ ଯୋଡ ହସ୍ତରେ ପୁଷ୍ପାଞ୍ଜଳି ଦେଇ କହୁଥିଲେ ଜୟ ଗଣେଷ ଜୟ ଗଣେଷ ରକ୍ଷମାଂ.. ଜୟ ଗଣେଷ ପାହିମାଂ. ଶାଶୁ କହିଲେ ଏଭଳି ସୁନା ବୋହୁ ଯାହାର ତା ଘର ସ୍ୱର୍ଗ. ନଣନ୍ଦ କୁନି କହୁଥିଲା ଏମିତି ଭାଉଜ ମିଳିଲେ ଘର ସ୍ୱର୍ଗ ହୁଏ ପ୍ରେମରେ. ଆମେ ପଢୁନଥିଲେ ଭାଇ ପ୍ରେମ ହିଁ ଗୋଟିଏ ଶବ୍ଦ ଯାହା ଦ୍ୱାରା ଘର ସ୍ୱର୍ଗ ପାଲଟିଯାଏ. ନହେଲେ ପରା ଘର କଥା ଦାଣ୍ଡରେ ଗଡ଼ି କୋର୍ଟ କଚେରୀ ଦୌଡ଼ି ଦୌଡ଼ି ମାନ ମହତ ସାରିବାକୁ ହୁଏ. ସୁଜାତା କହୁଥିଲା ଆପଣମାନେ ସମସ୍ତେ ଭଲ ବୋଲି ମୁଁ ଭଲ ହୋଇପାରିଛି. ମତେ ଆଶୀର୍ବାଦ ଦିଅନ୍ତୁ. କୁନି କହୁଥିଲା ମୁଁ ସାନ ଭାଉଜ ଠିକ ତୁମ ସାନ ଭଉଣୀ ଥିଲେ ଯେମିତି ସେମିତି କହି ପରସ୍ପର ପରସ୍ପରକୁ ସ୍ନେହ ଆଦର କରୁଥିବା ଦେଖି ଜେଜେ, ଜେଜେମା ଓ ବାପା ସମସ୍ତେ ପାଳଭୂତରୁ ଜୀବନ୍ତ ମଣିଷ ପରି ପୁଣି ଚଳଚଞ୍ଚଳ ହୋଇଯାଇଥିଲେ. ସତରେ ନୂଆବୋହୁଟି ଭଲ ହେବା ପାଇଁ ଶାଶୁ ଘର ପରିବାରର ଲୋକ ମଧ୍ୟ ଭଲ ହେବା ଜରୁରୀ ନିଶ୍ଚୟ.

