ପ୍ରେମ
ପ୍ରେମ
କଫି କପ ଟାକୁ ହାତରେ ଧରିଛି।ଖବର କାଗଜକୁ ଆଙ୍ଗୁଳିରେ ମଳୁଛି।ଦେହ ଜଳା ଖରା ଦେହରେ ପଡି ପୋଡି ଦଉଛି।କିନ୍ତୁ ଏ ନିଆଁ ଲଗା ମନରେ ଅନ୍ୟ ଚିନ୍ତା ଧାରା।ଗୋଟେ ଦିନ କଣ ଛାତକୁ ଯାଇଥିଲି,ସବୁଦିନ ଯିବାର ଅଭ୍ୟାସ ହୋଇଗଲା।ଦେହର ଜୈବିକ ଘଡି ଆପେ ଆପେ ସେ ସମୟର ସୂଚନା ଦେଇଦିଏ।ପ୍ରଥମେ ଉଭୟ ଉଭୟଙ୍କୁ ଦେଖି ହସିଲୁ।ପରେ ଜାଣିଲି ସେ ଆମ କଲେଜରେ ପଢ଼େ। ସାଇକଲରେ କଲେଜ ଯିବା ବେଳେ କେବେ ସିଏ ମୋତେ ଅନୁକରଣ କରେ ତ କେବେ ମୁଁ ତାକୁ। ଦିନେ ସେ ମୋତେ ଚିଠିଟା ଧରେଇଦେଲା।ଉପରେ ଥିଲା ମୋ ନାଆ ତଳେ ଥିଲା ତା ନାଆ ମଝି ପୁରା ଫାଙ୍କା ଥିଲା।ଅଳ୍ପ ହସି କହିଲା ମଝିରେ ଅନେକ କିଛି ଲେଖାଅଛି।ମଝି ପଢିକି ଦେଖ ତମେ ଯାହା ବି ଉତ୍ତର ଦବ ମୁଁ ସ୍ବୀକାର କରିବି।ଆଉ ଉତ୍ତର ନଦେଲେ ମୁଁ କହିଲି।ଲାଜୁଆ ଆଖି ,ଥରିଲା ଓଠ,ଆଉ ଲୁକ୍କାୟିତ ହସର ଅର୍ଥଯେ ପ୍ରେମ ସେ ଜାଣି ସାରିଥିଲା।ଅଳ୍ପ ହସି ସାଇକେଲଟା ଧରି ଚାଲି ଆସିଲି।ସେ ପଛରେ ଆସିଲା।ଆସି ହାତଟା ଧରିନେଲା।ସେଇ ହାତ ଧରି ମା ଚାଲିବା,ଜେଜେମା ଜହ୍ନ ମାମୁଁ କୁ ଦେଖେଇଛି।କିନ୍ତୁ ସେ ଯିବେ ଛୁଁଇଲା ଅଲଗା ଏକ ଭାବନା ଥିଲା।ଆଉ କହିଲା ଉତ୍ତର ପାଇଲିନି। ତା ହାତରୁ ହାତଟା ଖୋଲିବାକୁ ଚାହୁଁନଥିଲି।କିନ୍ତୁ ଡରରେ ହାତଟା ଟାଣି ଆଣିଲି ଯଦି କିଏ ଦେଖିନବ।ଆଉ କହିଲି ତମ ପ୍ରଶ୍ନ ପରି ମୋ ଉତ୍ତର । ଦେଇସାରିଛି ଉତ୍ତର ବୁଝିବାର ଥିଲେ ବୁଝିନବ।କାଲି ଅପେକ୍ଷା କରିବ ମନ୍ଦିର ପାଖରେ।କଲେଜ ଯିବା ବାଟରେ ମନ୍ଦିରଟିଏ ପଡ଼େ।ଏଥର ସବୁଦିନ ମନ୍ଦିରକୁ ଗଲୁ ଦିନେ ସେ ପଚାରିଲା କଣ ମାଗିଲ ଉତ୍ତର ଦେଲି ଗୋଟେ ସୁନ୍ଦର୍ ସ୍ବାମୀ।
ଏଥର ଅଭିଜିତ ଡାକିଲା ଗୁଡ୍ଡି।ସ୍କୁଲ ଯିବନିକି ସମୟ ହେଲାଣି। ଉତ୍ତର ଦବାକୁ ଇଚ୍ଛା ନଥିଲା ଧୀରେ କହିଲି ହଁ।ସ୍କୁଲ ଯିବା ସମୟରେ ଖାଲି ଗୋଟେ କଥା ଘାରୁଥିଲା।ଖାଲି ପ୍ରେମରେ ସଂସାର ଚଳେ ନାହିଁ ବାପା କହିଥିଲେ।ରାତିରେ ଚେୟାରରେ
ବସି ଭାବୁଛି।ସେ ତ ମୋତେ ସେମିତି ଭଲପାଏ ଯେମିତି ଆଗରୁ,ମୁଁ କଣ ପାଇଁ ବଦଳି ଯାଉଛି।ପରିସ୍ଥିତି କଣ ତାକୁ ବଦଳି ପାରୁନି।
ଆରେ ତମେ କଣ ପାଇଁ ସବୁ ଆଲୁଅ ଲିଭେଇ ଦେଇ ଏମିତି ବସିଛ କହି ଆଲୁଅ ସବୁ ଜାଳି ଦେଲା ଅଭିଜିତ।ଆଉ ପୁଣି ଆଲୁଅ ଲିଭେଇ କିଛି ମହମବତୀ ଜାଳିଦେଲା। ତା ମୋବାଇଲରେ ମୋ ପସନ୍ଦର ଗୀତଟା ଲଗେଇଦେଇ କହିଲା" Happy anniversary" ଆଜି ଆମ ବାହାଘରକୁ ବର୍ଷେ ପୁରିଲା।ସେ କହିଲା ଆଜି ମୁଁ ତମ ପାଇଁ ଖିରୀ ବନେଇଦେବି କହିଲି ଚାଉଳ ନାହିଁ,ହଉ କଫି ବନେଇଦେବି କହିଲି କଫି ପାଉଡର ନାହିଁ।କହିଲା ଚାହା କ୍ଷୀର ନାହିଁ ବୋଲି ଆଉ କହି ପାରିଲିନି।ସେ ଦିନ ବାପାଙ୍କ କଥା ନମାନି ବାହା ହୋଇଗଲି ଅଭିଜିତକୁ ।ସେ କିଛି କାମ କରୁନଥିଲା ଏବେ ବି ଚାକିରି ଆସେ ହେଲେ ସେ କମ୍ ଦରମାରେ ଚାକିରୀ କରିବନି ବୋଲି ମନା କରେ।ହାତରେ ଦୁଇ କପ୍ ର ଚାହା ଧରି ଅଭିଜିତ ଆସିଲା।ଅଣ୍ଟାରେ ହାତ ଦେଇ ବାଲକୋନୀକୁ ଟାଣିନେଲା।ସେ ହସୁଥିଲା ମୁଁ କିନ୍ତୁ ଅନ୍ଧାର ଭିତରେ ଅନେକ ପ୍ରଶ୍ନ ସହ ଲଢେଇ କରୁଥିଲି।ବାପା ସତ କହୁଥିଲେ ଖାଲି ପ୍ରେମରେ ଦୁନିଆ ଚାଲେନି। ଟଙ୍କା ମଧ୍ୟ ଦରକାର ମୋର ସେଇ ଛୋଟ ପ୍ରାଇଭେଟ୍ ସ୍କୁଲ ଦରମାରେ ଏଠି ଭଡ଼ା ଘର,ମୋବାଇଲ ରିଚାର୍ଜ,କ୍ଷୀର ବିଲ ଦବାକୁ ପଡ଼େ ।ତାର କିନ୍ତୁ ଏସବୁକୁ ଖାତିର ନାହିଁ ।ସେ ଚାକିରି ପରେ ଚାକିରି ଛାଡ଼ି ଚାଲିଛି।ସେ ରାତିରେ ଜହ୍ନଟା ମୋତେ ଚାହିଁ ଉପହାସ କରୁଥିଲା।ପଚାରିଲି ତମେ ସେ ଚାକିରି ଟା କରିନିଅ ଅଭି।ଉତ୍ତର ଦେଲାନି ରାଗିକି କହିଲି ୟାପରେ ଆମର ପିଲାପିଲି ହେବେ ତାଙ୍କ ଭବିଷ୍ୟତ କଥାଟା ଭାବ।ଆଉ କାନ୍ଦିଲି କିଛି ଉତ୍ତର ଦେଲାନି।ଏମିତି ଚାରି ଦିନ ଚାଲି ଗଲା।ସେ ଦିନ ରାତିରେ ମୁଁ ଠିକ୍ ସେମିତି ବସିଛି।ସବୁ ଆଲୁଅ ଜାଳି ପଚାରିଲା କଣ ତମେ ମୋ ଉପରେ ରାଗିଛ।ଆଉ ହାତରେ ଗୋଟେ କାଗଜ ଧରେଇଦେଲା।କାଗଜଟା ଥିଲା ଜୋଇନିଂ ଲେଟର ତମେ ସେ ଚାକିରିଟା କରିବ ଭାରି ଉତ୍ଫୁଲିତ ହୋଇପଡ଼ିଲି ମୁଁ।ହଁ କହିଲା ।ଆଜି ତ ତମେ ଖୁସି ସେ ଦିନର ସେଇ ଅଧୁରା anniversary ଟାକୁ ଆଜି ପାଳନ କରିନେବା କହି ଚାଲିଗଲା ଚାହା ତିଆରି କରିବାକୁ।ଖୁସିଟା ଆଉ ବେଶୀ ସମୟ ରହିଲାନି ତା ଯୋଇନିଂ ଥିଲା ଆନ୍ଧ୍ରରେ ମୋ ଛାତି ଥରି ଉଠିଲା।ହେଲେ କଣ ପାଇଁ ମୁଁ ତ ଚାହୁଁଥିଲି
ସେ ଚାକିରି କରୁ କିନ୍ତୁ ମୋ ପାଖରେ ରହି ମୋ ଠାରୁ ଦୂରରେ ନୁହଁ।ସେ ବୋଧେ ଏଥି ପାଇଁ ଏ ଚାକିରି ଟା କରୁନଥିଲା।ମୋ ଠୁଁ ଦୂରେଇ ରହି ପାରିବନି ବୋଲି ହେଲେ ମୁଁ ତାକୁ ଦୁରେଇଦେଲି।ଦଉଡ଼ି ଗଲି ରୋଷେଇ ଘରକୁ ଆଉ କହିଲି ଏ ଚାକିରିଟା ନ କଲେ ହବନି।କହିଲା ନା ତମେ ଠିକ୍ କହିଥିଲ ଆମକୁ ଭବିଷ୍ୟତ କଥା ଭାବିବାର ଅଛି ମୁଁ ବାରମ୍ବାର ମନା କଲି କିନ୍ତୁ ସେ ଆଉ ଶୁଣୁନଥିଲା।ଏଥର ତା ଓଠରେ ମୋ ଓଠକୁ ଛନ୍ଦେଇ ଦେଲି ତାକୁ ଚୁପ୍ କରିବା ପାଇଁ । ତାପରେ ପଚାରିଲି ତମେ କଣ ମୋତେ ଭଲପାଅନି।ତା ଉଷ୍ମ ଆଖିର ଲୁହ ମୋ ଗାଲରେ ଆସି ପଡ଼ିଲା ଆଉ ସବୁ ପ୍ରଶ୍ନର ଉତ୍ତର ଦେଇଦେଲା।

