ଅଧୁରା ସମ୍ପର୍କ
ଅଧୁରା ସମ୍ପର୍କ
ତୁ ପୁଣି କେବେ ବାହା ହେବୁରେ ।ବୟସ ଆସି ୩୦ହେଲାଣି ଏବେ ବି ତତେ କେଉଁ ଝିଅ ପସନ୍ଦ ଆସୁନି। ଝିଅ ବାଦ୍ ଦେଇ ଦେଇ ଡୋଜନେ ଝିଅ ବାଦ୍ ଦେଲୁନି।ଆହୁରି କେତେ ଝିଅ ବାଦ୍ ଦବୁ। ଝିଅଙ୍କର ଗର୍ବ ଥାଏ ଦେଖିବାକୁ ସୁନ୍ଦର ବୋଲି ତୁ ପୁଅ ହେଇ କଣ ଟିକେ ଦେଖିବାକୁ ସୁନ୍ଦର ହେଲୁ ବୋଲି ଏତେ ଗର୍ବ।ଏବେ ଯେମିତି ସାଙ୍ଗ ମାନଙ୍କ ସହ ହସ ଖେଳରେ ବିତେଇ ଦେଉଛୁ ଆଉ କେତେ ଦିନ ଏଇ ପାଲା ସବୁ ଚାଲିବ।ବୟସ ବଢିଲେ ଏକା ଏକା ଲାଗିବ କେହି ଆଉ ସାଥିରେ ରହିବେ ନାହିଁ। ଦେଖ ଦେବୁ ଏଥର ମାନିଯାଆ ବୟସ ଗଡିଲାଣି,ପରେ ଭାବିବୁ ବାହା ନ ହେଇ କେତେ ଭୁଲ କରିଛୁ। ତୋର କେତେ ସାଙ୍ଗ ବାହାହେଇ ତାଙ୍କ ଝିଅ ପୁଅ ବାହା ହେବାର ବୟସ ହେଲାଣି ଆଉ ବଦମାସ୍ ତୋର ଚେତା ପଶୁନି।
ଆମ ବୁଢ଼ା ବୁଢ଼ୀ ତିନିଟାଙ୍କୁ ନାତି ନାତୁଣୀ ଖେଳିବାର ସୌଭାଗ୍ୟ ମିଳିବ ନା ନାହିଁ। ଅଫିସ୍ ଛୁଟି ହେଲେ ସେଇ ବିଶୁ ସାଙ୍ଗରେ ବୁଲୁଥା ସେ ନାହିଁ ସେ ମିଶ୍ର ଘର ଝିଅ ସାଙ୍ଗରେ ପାଲା ଚଲେଉଛି ଆଉ ତୁ ଖାଲି ଦର୍ଶକ ସଜିଥାଆ। କଣ ଟିକେ ଦେଖିବାକୁ ଗୋରା ବୋଲି ଯେତେ ଫିକା ରଙ୍ଗର ଝିଅ ଦେଖିଲେ ମନା କରିଦେଉଛୁ।
ସକାଳୁ ସକାଳୁ ଏମିତି ଟେପ୍ ରେକର୍ଡ ଭଳି ବାଜି ଚାଲିଥିଲେ ମୋ ପିଉସୀ। ବୟସ ଅନୁମାନ ୬୨ , ବାଲ୍ୟ ବିଧବା ।ଏବେ କଟକର ଇସ୍କନ ଆଶ୍ରମରେ ଦୀକ୍ଷା ନେଇ ସେଠି ରହନ୍ତି। ଏମିତି ବେଳେବେଳେ ଘରକୁ ଆସନ୍ତି ।ଆଉ କାଲି ମୁଁ ଆସିବାର ଶୁଣି ଆସିଛନ୍ତି ବୁଲିବାକୁ।
କପାଳରେ ବଡ଼ ତିଲକ, କେଶ କେତେଦିନ ରୁ କୁଣ୍ଡା ହେଇନାହିଁ। ଗେରୁଆ ବସ୍ତ୍ର । ଗାଲ ଗୁଡା ଭିତରକୁ ପଶିଯାଇଛି। ଅଣ୍ଟା ଅଳ୍ପ ବଙ୍କା ।ଆଉ ହାତରେ ସେ ମାଳଟାକୁ ଧରି ଭଗବାନଙ୍କ ନାଆ ଧରି ଧରି ମୋତେ ଗାଳି ଦେଇଚାଲିଛନ୍ତି।
ତାଙ୍କୁ ଖୁସିରେ କେବେ କେବେ ମୁଁ ରାଧା ବୋଲି ଡାକେ କୃଷ୍ଣ ପ୍ରେମରେ ବିରତି କାହିଁ ତାଙ୍କର। ବାପାଙ୍କ ଠୁ ବଡ଼ ସିଏ ।ମୋ ବାପାଙ୍କର ବଡ଼ ଭଉଣୀ।
ଠାକୁର ଘରୁ ମାଆର ଗୀତା ପଢ଼ିବାର ଶବ୍ଦ ଆସୁଛି।ଆଉ ଧୂପ , ଝୁଣାର ବାସ୍ନା।
ବାପା ଚାହା କପ୍ ନେଇ ସକାଳର ନ୍ୟୁଜ୍ ଦେଖିବାରେ ବ୍ୟସ୍ତ।
ଖବର କାଗଜ ବାଲା ଖବର କାଗଜ ଟାକୁ ଗେଟ ଆରପଟୁ ଜୋରରେ ଫିଙ୍ଗିଦେଲା । କାଗଜଟା ଆସି ସାମ୍ନା କବାଟରେ ଜୋରରେ ବାଜିଲା ଆଉ ସମସ୍ତଙ୍କ ନଜର କବାଟ ଆଡ଼କୁ ଗଲା। ପରେ ମୁଁ ଯାଇ ମୁଁହ ଧୋଇ ସାରି ବ୍ରଶ୍ ନେଇ ବାହାରୁ ଥିଲି ଛାତ ଆଡ଼କୁ ମନେ ପଡ଼ିଲା ପେପର୍ କଥା। ସାମ୍ନା କବାଟ ଆଡ଼କୁ ଯାଇ ପେପର୍ ଟାକୁ ଉଠାଇ ଆଣିଲି। ବଡ଼ ବଡ଼ ଅକ୍ଷରରେ ଲେଖା ଥିଲା ସମଲିଙ୍ଗି ସମ୍ପର୍କ ଅପରାଧ ନୁହଁ।ତାପରେ ରାଜନୀତି କଥା,ନୀତି ଶିକ୍ଷା,ଗଳ୍ପ ଆଉ ଶେଷରେ ଖେଳ ବିଷୟରେ ଲେଖା ଥିଲା।
ମୋ ପଛେ ପଛେ ପିଉସୀ ଚାଲିଲେ ଛାତକୁ ତାଙ୍କର ପ୍ରବଚନ ଦେଇ ଦେଇ ମୁଁ କିନ୍ତୁ ପେପର୍ ପଢ଼ିବାରେ ବ୍ୟସ୍ତ ଆଉ ବ୍ରସ୍ ଟାକୁ ବେଳେ ବେଳେ ଦାନ୍ତରେ ଖେଂଚି ହେଉଥିଲି।
ପେପର୍ ର ଗୋଟେ ଲାଇନ ମୋତେ ବହୁତ୍ ଆକର୍ଷିତ କରିଥିଲା।ବାରମ୍ବାର ପଢ଼ୁଥିଲି ସେଇ କେତେ ପଦ କୁ।
ସେ କେଇ ପଦ ମୁଖ୍ୟ ଭାଗ ଥିଲା ଖବର କାଗଜର ତା ତଳେ ସେ ବିଷୟରେ ବିସ୍ତୃତ ଭାବରେ ଲେଖା ଥିଲା। ଏଥର ମୋ ନଜର ସେଇ ପେପର୍ ଉପରୁ ହଟୁନଥିଲା।
ପୁଣି ପିଉସୀଙ୍କ ପାଟି ଶୁଭିଲା ଖେଂଚି ହଉଥାଆ ସେଇ ବ୍ରଶ ଟାକୁ।ଏମିତି ତାଗିଦ୍ କରି କେତେ କଥା ଶୁଣେଇ ଯାଉଥିଲେ ସେ।
ସେ ଆଜି ନିଜ ଇଚ୍ଛାରେ ଆସିନଥିଲେ ଆମ ଘରକୁ ବାପା ମା ଜୋର୍ କରି ଡାକିଥିବେ ଯେମିତି ମୁଁ କୌଣସି ଏକ ପ୍ରସ୍ତାବରେ ରାଜି ହେଇଯାଏ। ହଁ, ପିଉସୀଙ୍କୁ ଟିକେ ଟିକେ ଡରୁଥିଲି ମୁଁ।ଆଉ ମୋ ବାପା ବି ତାଙ୍କୁ ଡରନ୍ତି।
ପୁଣି ପେପର୍ ଉପରେ ନଜର ପଡ଼ିଲା । ଶାହରୁଖ ଖାନ୍ ର ବଡ଼ ଗୋଟେ ଫୋଟ ବାହାରିଛି।
ଶାହାରୁଖ ମୋର ସବୁଠାରୁ ମନ ପସନ୍ଦର ନାୟକ।
ଏକା ଥରକେ ମନେ ପକେଇ ଦେଲି ତାର ସବୁ ଫ୍ଲିମ୍ କୁ।ଆଉ କିଛି କିଛି ଦୃଶ୍ୟ ବି ମନେ ପଡ଼ିଲା।
ତାର କଥା କହିବାର ଶୈଳୀ ତାର ଚାଲିବାର ଶୈଳୀ କୁ କେମିତି ମୋ ସାଙ୍ଗ ବିଶ୍ୱଜିତ୍ ନକଲ କରୁଥିଲା ସେଇ କଥା ଭାବି ହସ ବି ମାଡ଼ିଲା।
ଆଉ ମନେ ପଡ଼ିଲା କେମିତି ଆମେ ଲୁଚେଇ ଛପେଇ ସିନେମା ହଲ୍ ଯାଇଥିଲୁ। ସବୁ ଦୃଶ୍ୟ ଗୋଟେ ଗୋଟେ କରି ମନେ ପଡିଗଲା।
ଏତିକି ବେଳେ ପୁଣି ପିଉସୀ ଡ଼ାକ ଛାଡ଼ିଲେ ଖାଇବୁ ଆସେ ଏତେ କଣ ଦାନ୍ତରେ ଖେଞ୍ଚୁଛୁ ମ।
ବାସ୍ ମୁଁହ ଧୋଇ ଚାଲିଲି ଖାଇବାକୁ ।ସକାଳ ହେଲେବି କଣ ହେଲା ସବୁ ମୋର ମନ ପସନ୍ଦର ହେଇଥିଲା। ଗାଜର ହାଲୁଆ,ଅଣ୍ଡା ଟୋଷ୍ଟ ଏମିତି ତମାମ ଜିନିଷ।
ଖାଇ ସାରି ବାହାରି ଗଲି ସାଙ୍ଗମାନଙ୍କ ସହ ତାସ ଖେଳିବାକୁ ମନ୍ଦିର ପାଖକୁ।
ଦିନଟା ବହୁତ୍ ଭଲରେ ଭଲରେ କଟିଗଲା।କେତେ ସାଙ୍ଗ ମାନଙ୍କ ସହ ପୁଣି ଦେଖା ହେଲା। ଆଉ ଆଜି ମୋ ମନ ବହୁତ୍ ଆନନ୍ଦିତ ଥିଲା ସକାଳର ଗୋଟେ ନ୍ୟୁଜ୍ ପଢ଼ି।
ଭୁବନେଶ୍ୱରର CET କଲେଜ ରୁ ଟେଲିକମ୍ୟୁନିକେସନରେ ଡିଗ୍ରୀ ସାରି କାନପୁରର ଏକ BPO କଲ ସେଣ୍ଟର୍ ରେ ଇଞ୍ଜିନିୟର ଭାବେ ଯୋଗ ଦେଇଥିଲି।
ପାଞ୍ଚ ବର୍ଷ ହେଲା ସେଠି ରହୁଛି ଘରକୁ ଆସିବାର ସୁଯୋଗ ପାଇଲେ ମଧ୍ୟ ଘରକୁ ଆସୁନଥିଲି। ଏଥର ଦଶହରାରେ ଘରକୁ ଆସିଥିଲି। ଘରକୁ ଆସିଲେ ସବୁବେଳେ ବାହାଘର କଥା ଚର୍ଚ୍ଚା ଚାଲେ।ମୁଁ ପ୍ରତ୍ୟେକ ଥର କିଛି ନା କିଛି ବାହାନା କରି ଖସି ଯାଉଥିଲି । ବାହା ହେବାକୁ କହିଲେ କହିଦିଏ ନରେନ୍ଦ୍ର ମୋଦି, ମମତା ବାନାର୍ଜୀ,ଅବଦୁଲ କଲାମ ବାହା ହେଇନାହାନ୍ତି ବୋଲି ଏତେ ବଡ଼ ବଡ଼ ଜାଗାରେ ପହଞ୍ଚିଛନ୍ତି।ପୁଣି ଆମ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବାହା ହେଇ ନାହାନ୍ତି ବୋଲି ତ ଏତେ ଥର ମୁଖ୍ୟମନ୍ତ୍ରୀ ହେଲେ।
ସନ୍ଧ୍ୟାରେ ଜଣେ ଜ୍ୟୋତିଷ ସୋଫା ଉପରେ ବସି ଗଣନା କରୁଥିଲେ ।ମୋ ବାପା,ମା ଆଉ ପିଉସୀ ବସି ସେସବୁ ଦେଖୁଥିଲେ।ମୁଁ ସବୁ ଦେଖି ଚୁପ୍ ଚାପ୍ ଚାଲିଗଲି ମୋ ଶୋଇବା ଘରକୁ।
ଆଉ ସବୁଦିନ ଭଳି ନିଲେଶ ମିଶ୍ର ଙ୍କ ଗପ ଶୁଣିବାକୁ ଲାଗିଲି।କେତେ ସୁନ୍ଦର ତାଙ୍କ ସ୍ୱର । ତାଙ୍କ ଗପ ଶୁଣିଲେ ହସ ଓଠରୁ ବାହାରି ଆଖି ଯାଏ ପହଞ୍ଚି ଯାଉଥିଲା। କେତେ ଭାରି ଭାରି କିନ୍ତୁ ବୁଝିପାରିଲା ଭଳିଆ ଶବ୍ଦରେ ସେ କହୁଥିଲେ।ଆଉ ଦୀକ୍ଷା ଚୌଧୁରୀ ଙ୍କ ଗପରେ ଏକ ଅପୂର୍ବ ମହକ ଥିଲା।
ପୁରୀ ଜଗନ୍ନାଥ ମନ୍ଦିର ଆମ ଘର ପାଖରୁ ୫୦୦ମିଟର ଦୂରତା ଥିଲା।ତାର ନେତ ମୋ ଶୋଇବା ଘରୁ ସୁନ୍ଦର ଦେଖା ଯାଉଥିଲା। ଆଉ ସନ୍ଧ୍ୟାର ସେଇ ଅସ୍ତମିତ ସୂର୍ଯ୍ୟ କୁ ଦେଖୁଥିଲି। ଏମିତି କେତେ ଦିନ ଯାଇ ସନ୍ଧ୍ୟା ହେବାର ଅପେକ୍ଷାରେ ମୁଁ ଥିଲି ଆଜି ଏକ ଅଭୂତ ପୂର୍ବ ଆନନ୍ଦ ଥିଲା ମୋ ଭିତରେ।ଯେମିତି କେତେଦିନର ସ୍ବପ୍ନ ଗୋଟେ ପୁରା ହେଲା।
କେତେ ଦିନର ଇଚ୍ଛାରେ କିଏ ଯେମିତି ଆଶା ଟିଏ ସଂଚାର କଲା।
ପୁରୁଣା ବହି ଥାକ ଆଡ଼କୁ ଯାଇ କୃଷ୍ଣ ଚନ୍ଦ୍ର ପାଣିଗ୍ରାହୀ,ଫକିର ମୋହନ ସେନାପତିଙ୍କ ବହି ସବୁ ଖୋଜିବାକୁ ଲାଗିଲି।
ଏଇ ସମୟରେ ପିଉସୀ ଆସି ଗୋଟେ ସୁନ୍ଦର ଝିଅର ଫୋଟ ଦେଖେଇଲେ ।ଖୁବ୍ ସୁନ୍ଦର ଥିଲା ଝିଅଟା ।କୌଣସି ବାହାନା ପାଇଲିନି ବାଦ୍ ଦେବାକୁ ଆଗରୁ ଅନେକ ବାହାନା କରିସାରିଥିଲି।କାଲି ସକାଳେ ଝିଅ ଘର ଲୋକେ ଆସୁଛନ୍ତି। ଆମ ପୁରୀର ଝିଅଟିଏ। ଏତିକି କହି ହସି ହସି ଚାଲିଗଲେ ସେ ।କିନ୍ତୁ ମୋ ଦେହରେ ଯେମିତି କିଏ ନିଆଁ ଲଗେଇ ଦେଲା।
ତାଙ୍କର ସେ ଖୁସିର ହସ ମୋତେ ତାତ୍ସଲ୍ୟର ହସ ଭଳି ଲାଗୁଥିଲା। ସେ ତିର୍ଯକ୍ ଚାହାଣି ଯେମିତି ମୋତେ ଉପହାସ କରୁଥିଲା।
ଫକିର ମୋହନଙ୍କ ଉପନ୍ୟାସ ବହିଟାକୁ ହାତରେ ଧରି ଉପର ମଲାଟ ଟିକୁ ରାଗରେ ଦଳୁଥିଲି।
କେମିତି କହିବି ଯେ ମୁଁ ଜଣେ "ଗେ"।
ଅର୍ଥ ବୁଝିବା ଭାରି ଜଟିଳ।ଯେଉଁ ମାନେ ସମଲିଙ୍ଗ ଆଡ଼କୁ ଆକର୍ଷିତ ହୁଅନ୍ତି।
୧୦ମ ଶ୍ରେଣୀରେ ପଢ଼ୁଥିବା ବେଳେ ମୋର ସାଙ୍ଗ ଥିଲା ମୋନଜ। ମୁଁ ସବୁବେଳେ ତା ଆଡକୁ ଆକର୍ଷିତ ହୋଇଯାଉଥିଲି।
ସ୍କୁଲ୍ ସମୟରେ ସାଧାରଣତଃ ପୁଅମାନେ ଝିଅମାନଙ୍କ ବିଷୟରେ ଭାବୁଥିବା ବେଳେ ଆଉ କହୁଥିବା ବେଳେ ମୁଁ କୌଣସି ଆକର୍ଷଣ ଅନୁଭବ କରୁନଥିଲି।
ନା ମୋର ଏତେ ଆଗ୍ରହ ଥିଲା ଝିଅ ମାନଙ୍କ ବିଷୟରେ ଜାଣିବାକୁ। କେତେ ଜଣ ସାଙ୍ଗ ତେଣୁ ମାଇଚିଆ, ହିଞ୍ଜଡ଼ା, ଛକା ଏମିତି କେତେ ନାଆ ରେ ଡାକୁଥିଲେ।
ପରୀକ୍ଷା ଆସିବାରୁ ସେ ବିଷୟରେ ବେଶି ଧ୍ୟାନ ନଦେଇ ପଢ଼ାରେ ଧ୍ୟାନ ଦେଲି। କିନ୍ତୁ ସବୁବେଳେ ମୁଁ ଭାବୁଥିଲି ମୁଁ କାହିଁକି କୌଣସି ଝିଅ ପ୍ରତି ଆକର୍ଷିତ ହୋଇପାରୁନାହିଁ।
ନା ମୋ ଶରୀରରେ କୌଣସି ପ୍ରତିକ୍ରିୟା ଆସେନି ଝିଅ ମାନଂକୁ ଦେଖିଲେ।ଭାବୁଥିଲି ହୁଏତ ବଡ଼ ହେଲେ ସବୁ ଠିକ୍ ହେଇଯିବ ଏଇ ଆଶାରେ କାହାକୁ କିଛି କହୁନଥିଲି ।ଆଉ କଣ କୁହନ୍ତି ଘରେ ଦଶମ ଶ୍ରେଣୀର ପୁଅ ଘରେ ଆସି ଏଇୟା କୁହନ୍ତି କି ମାଆ ମୋତେ ଝିଅ ମାନଙ୍କ ପ୍ରତି ଆକର୍ଷଣ ଆସୁନି । ଛି.......
ଆଉ କଣ କହିଥାନ୍ତି ଘରେ ତେଣୁ ଚୁପ୍ ରହିବା ହିଁ ଠିକ୍ ଭାବିଲି।
ଆଉ ଭାବୁଥିଲି ଯଦି ମୁଁ ୨ରେ ବାୟୋଲଜି ନେଇ ପଢ଼ି ଥାଆନ୍ତି। ତାହାଲେ ହୁଏତ ଆଗରୁ ହିଁ ଜାଣି ପାରନ୍ତି ମୋ ସମସ୍ୟା ବିଷୟରେ।
ଏମିତି ହିଁ ମୋ ଇଞ୍ଜିନିୟରିଙ୍ଗ ପାଠ ସମାପ୍ତ କଲି।ଆଉ କ୍ୟାମ୍ପୋସରେ ଯାଇ କାନପୁର ରେ ଚାକିରି କଲି।
ପିଲା ବେଳୁ କବିତା ଲେଖିବାକୁ ଆଉ ଚିତ୍ର କରିବାକୁ ଭଲ ଲାଗେ ମୋତେ।
ସାଧାରଣତଃ ଯିଏ କବିତା ଲେଖିବାକୁ ଭଲପାଏ ଯୌବନ ଅବସ୍ଥାରେ ପ୍ରେମ କବିତା ହିଁ ବେଶୀ ଲେଖନ୍ତି। ପୁଅ ହେଇଥିଲେ ପ୍ରେମିକା ଝିଅ ହୋଇଥିଲେ ପ୍ରେମିକ ଲେଖନ୍ତି।
ମୁଁ କବିତା ଲେଖିଲେ ପ୍ରେମିକା ଲେଖି ଲିଭେଇଦେଉଥିଲି।ଆଉ ତାକୁ ପୋଛି ପ୍ରେମିକ ହିଁ ଲେଖୁଥିଲି।
ପେଣ୍ଟିଂ କରିବାକୁ ଲାଗିଲେ ଝିଅ ଛାଡ଼ି ପୁଅ ପେଣ୍ଟିଂ ହିଁ କରୁଥିଲି।
ଜାଣି ପାରୁନଥିଲି ମୋତେ କଣ ପାଇଁ ଅଭିନେତ୍ରୀଙ୍କ ଅପେକ୍ଷା ଅଭିନେତା ହିଁ ଭଲ ଲାଗୁଥିଲେ।
ଏମିତି ଭାବି ଭାବି ଭାବୁଥିଲି ଛି ଜଣେ ପୁଅ ହେଇ ପୁଅଙ୍କ ପ୍ରତି କି ଆକର୍ଷଣ।
ନିଜର ଅସ୍ତିତ୍ଵ କୁ ଧିକ୍କାର କରୁଥିଲି ମୁଁ। ସବୁବେଳେ ଯେମିତି କିଏ ମୋ ଗଳା ଦବେଇ ଧରିଛି। ମୋ ନିଜକୁ ଶେଷ କରିଦେବାକୁ ଇଚ୍ଛା ହେଉଥିଲା ହେଲେ ଘର କଥା ଭାବି ଭାବି ସବୁ ସହି ଯାଉଥିଲି।
ଝିଅଙ୍କ ପ୍ରତି ଆକର୍ଷଣ ଆଣିବା ପାଇଁ ମୋ ଅଫିସ ଭଡ଼ା ଘର କାନ୍ଥରେ କବାଟରେ ଅଭିନେତ୍ରୀ ମାନଙ୍କର ଫୋଟ ଲଗେଇଲି।ହେଲେ ମଧ୍ୟ କିଛି ସମ୍ଭବ ହେଲାନି। ନଗ୍ନ ଭିଡିଓ ଆଉ କେତେ କଣ ଉପାୟ ଭାବିଲେବି କିଛି ସମ୍ଭବ ହେଲା ନାହିଁ।ସେସବୁ ଉପାୟ କଥା ଭାବିଲେ ନିଜ ଉପରେ ଘୃଣା ଲାଗେ।
ଶେଷରେ ଉପାୟ ନ ପାଇ ଜଣେ ଡକ୍ଟର ଙ୍କ ସହ ପରାମର୍ଶ କଲି।
ମୋର ସମସ୍ୟା ଜାଣି ସାରି ସେ କହିଲେ ।ତୁମେ ସମଲିଙ୍ଗୀ ସମ୍ପ୍ରଦାୟର। ଆଉ ବିନା ଦ୍ବିଧାରେ କହିଲେ "ଗେ"।
ଛି ଛି........
ସେଦିନ ପ୍ରଥମେ ହିଁ ଏଇ ବିଷୟରେ ଜାଣିଲି। ଗେ ଗୋଟେ ଅଭଦ୍ର ଭାଷା ଭଳି ଲାଗୁଛି। କଣ ପାଇଁ କେଜାଣି ଏମିତି ସବୁ ନାଆ ଦିଅନ୍ତି।
ତାପରେ ଡକ୍ଟର ବିସୃତ ଭାବରେ ବୁଝାଇ କହିଲେ ।ଏମିତି ଅନେକ ଲୋକ ଅଛନ୍ତି ।ଏହା କୌଣସି ସମସ୍ୟା ନୁହଁ । ସାଧାରଣତଃ ଆମେ ଲିଙ୍ଗ କହିଲେ ଦୁଇ ପ୍ରକାରର ଲିଙ୍ଗରେ ବାଣ୍ଟିଦେଇଛୁ। ପୁଲିଙ୍ଗ ସ୍ତ୍ରୀ ଲିଙ୍ଗ। କିନ୍ତୁ ସମ ଲିଙ୍ଗୀ ମଧ୍ୟ ଅଛନ୍ତି।ପୁଅ ମାନଙ୍କ ଭିତରେ ଦେଖା ଗଲେ ଗେ ଆଉ ଝିଅ ମାନଂକ ଭିତରେ ଦେଖା ଗଲେ ଲାସ୍ବିଆନ୍ ବୋଲି କୁହା ଯାଏ। ଅନେକ ଲୋକ ଭାବି ବସନ୍ତି ନପୁଂସକ କିମ୍ବା ହିଞ୍ଜଡ଼ା ବୋଧେ।କିନ୍ତୁ ଏମାନେ ଠିକ୍ ପୁଅ କିମ୍ବା ଝିଅ ହିଁ ହେଇଥାନ୍ତି କେବଳ ଆକର୍ଷଣ ସମାନ ଲିଙ୍ଗ ଆଡ଼କୁ ଦେଖାଯାଏ। ପିଲା ଜନ୍ମ କରିବାରେ ସକ୍ଷମ ଥାଇ ମଧ୍ୟ ସେମାନେ ବିପରୀତ ଲିଙ୍ଗ ଆଡ଼କୁ ଆକର୍ଷିତ ହୁଅନ୍ତି ନାହିଁ। ଭଗବାନ ଯେମିତି ପୁଅ,ଝିଅ ତିଆରି କରିଛନ୍ତି ସେମିତି ତୁମକୁ ବି ଗଢ଼ିଛନ୍ତି।
ମୁଁ ପ୍ରଥମେ ଭାବୁଥିଲି କିଛି ରୋଗ ବୋଧେ ପରେ କିନ୍ତୁ ଡାକ୍ତର କହିଲେ ଏହା ରୋଗ ନୁହଁ। ପ୍ରକୃତି ତୁମକୁ ସେମିତି ହିଁ ଗଢିଛି।
ଏସବୁ ଶୁଣି ସରିଲା ପରେ ଭାବିଲି ଭଗବାନଙ୍କୁ କଣ ମୁଁ ହିଁ ମିଳିଲି ଏମିତି କରିବାକୁ। ବହୁତ୍ କାନ୍ଦିଲି ସେଦିନ।
ନିଜକୁ ନିଜେ ସେମିତି ରୂପରେ ମାନିବାକୁ ପ୍ରସ୍ତୁତ ନଥିଲି ମୁଁ।ରାତିର ନିଦ ହଜି ଯାଇଥିଲା।କଣ ଜବାବ୍ ଦେବି ମୋ ବାପା ମାଆଙ୍କୁ ??
ସେମାନେ କଣ ପ୍ରତିକ୍ରିୟା ଦେବେ ଏସବୁ ଜାଣିଲା ପରେ??
ସମାଜ କୁ କି ଉତ୍ତର ଦେବି ମୁଁ??
ସେମାନେ ମୁଣ୍ଡ ଟେକି ବାଟ ଚାଲି ପାରିବେ ତ।
ଆହୁରି କେତେ କଣ ପ୍ରଶ୍ନ ମୋତେ ମନ ଭିତରଟା ଆନ୍ଦଳିତ କରୁଥିଲା।
ଆତ୍ମହତ୍ୟା କରିବାକୁ ଇଚ୍ଛା ହେଉଥିଲା।
କିନ୍ତୁ କଣ ଠିକ୍ ହବ ସେମିତି କଲେ।
ନା ମୋତେ ସଂଗ୍ରାମ କରିବାକୁ ହେବ। ନହେଲେ ମୁର୍ଖ କର୍ଣ୍ଣ ଭଳି ମୋର ସବୁ ପ୍ରଶ୍ନ ପ୍ରଶ୍ନରେ ହିଁ ରହିଯିବ।
ଏଇ ସବୁ ସମସ୍ୟାର ସମାଧାନ ନିଜକୁ ହିଁ କରିବାକୁ ହେବ।
ତାପରେ ଲାପଟପ୍ ଧରି ସର୍ଚ୍ଚ କରିବାକୁ ଲାଗିଲି।
ବୋଧେ ବିଶ୍ଵର ମୁଁ ହିଁ ପ୍ରଥମ ବ୍ୟକ୍ତି ହେଇ ଥିବି ଯିଏ ନିଜ ବିଷୟରେ ଜାଣିବା ପାଇଁ ଗୁଗଲ ରେ ସର୍ଚ୍ଚ କରୁଥିଲି।
ଜାଣିବାକୁ ପାଇଲି ମୁ ଏକା ନୁହଁ ମୋ ଭଳି ଆହୁରି ଅନେକ ଲୋକ ଅଛନ୍ତି।
ମୋଗଲ ସାମ୍ରାଜ୍ୟର ବିଶାଳ ରାଜା ବାବର୍ ଙ୍କ ମଧ୍ୟ ଜଣେ ଗେ ସମ୍ପର୍କୀୟ ଥିଲେ। ଉତ୍ତରପ୍ରଦେଶର ବାବ୍ରି ମସଜିଦ ତାଙ୍କର ସେଇ ପ୍ରେମିକ ନାଆ ରେ ନାମିତ ଥିଲା।
ଖିଲଜି ସାମ୍ରାଜ୍ୟର ଆଲାଉଦ୍ଦିନ ଖିଲିଜୀ ଙ୍କର ମଧ୍ୟ ଜଣେ ସେମିତି ପ୍ରେମିକ ଥିଲେ ମାଲିକଫୁର।
ଏକ ସାକ୍ଷାତକାରରେ ଯେତେବେଳେ ମଦର ଟେରେସା ଙ୍କୁ ପ୍ରଶ୍ନ କରାଗଲା ଗେ ବିଷୟରେ ଆପଣଙ୍କ ଧାରଣା କଣ??
ମାଆ ହସି ଦେଇ ଉତ୍ତର ଦେଲେ ସମସ୍ତେ ଈଶ୍ବରଙ୍କ ସନ୍ତାନ ଶରୀର, ମନଭାବ ସବୁ ଭଗବାନ ଦେଇଛନ୍ତି।ସେମାନଙ୍କୁ ବଞ୍ଚିବାକୁ ଦିଆଯାଉ ଖୁସିରେ ସେମାନେ ଯେମିତି ଚାହୁଁଛନ୍ତି।
ଏମିତି କେତେ କଣ ମନ୍ତବ୍ୟ।
ମନକୁ ଆସିଲା ହିଞ୍ଜଡ଼ା ମାନେ ଯଦି ତାଙ୍କର ଅସିତ୍ୱକୁ ନେଇ ସଂଗ୍ରାମ କରି ବଞ୍ଚିପାରୁଛନ୍ତି ତାହାଲେ ମୁଁ କାହିଁକି ନୁହେଁ।
ଏଇ ସବୁ ପଢ଼ି ସରିଲା ପରେ ପୁଣି ଆଶାର ସଂଚାର ହେଲା ନୂଆ କରି ଜୀବନ ଆରମ୍ଭ କରିବାକୁ।
କେତେ କେତେ ବହି ମଧ୍ୟ ଲେଖା ହୋଇଛି ଏ ବିଷୟରେ।ଶକୁନ୍ତଳା ଦେବୀଙ୍କ ନୋବେଲ ଆଣି ପଢିଲି ଆହୁରି ଅନେକ ପୁସ୍ତକ।
ସର୍ଚ୍ଚ କରୁ କରୁ ଗୋଟେ ୱେବ୍ ସାଇଟ୍ ବିଷୟରେ ଜାଣିଲି।ଯେମିତି ମାଟ୍ରିମନିଆଲ ଆପ ସେମିତି ହିଁ ସେ ୱେବସାଇଟ ଯେଉଁଥିରେ ଆପଣଙ୍କ ବୟସ,ଫଟୋ,ଉଚ୍ଚତା,ଶିକ୍ଷାଗତ ଯୋଗ୍ୟତା,କଣ କରନ୍ତି ସବୁ ଦେବାକୁ ପଡ଼ିବ।
ଦେଲେ ମୋତେ ମୋର ଜଣେ ମନମୁତାବକ ପାଟନର୍ ମିଳିବେ।
କିଛି ଦିନର ଖୋଜ ପରେ ମିଳିଲେ ଶ୍ରେୟସ। ଉତ୍ତରପ୍ରଦେଶର ଗୋରଖପୁରରେ ତାଙ୍କ ଘର।
ସେ ବି ମୋତେ ପସନ୍ଦ କରିଥିଲେ।
ମେସେଜ ବକ୍ସ ରେ "ହାଇ"ଲେଖି ପଠେଇ ଦେଲି ।କିଛି ଘଣ୍ଟା ସମୟ ଅତିବାହିତ ହେଲା ପରେ ସେ ରେପ୍ଲାୟ ଦେଲେ।
ତାପରେ ନମ୍ୱର୍ ଦିଆ ନିଆ।ପ୍ରଥମ ଥରରେ ଘଣ୍ଟା ଘଣ୍ଟା କଥା ହେଲୁ ଯେମିତି ମୁଁ ତାଙ୍କୁ ଆଗରୁ ଜାଣିଛି ଆଉ ସେ ମୋତେ।
କଥା ଶେଷ ହେବାର ନାମ ଧରୁନଥିଲା ଅଚାନକ ଡାଲି ପୋଡ଼ିବାର ବାସ୍ନା ଆସିଲା।
ଓଃ ମୁଁ କେତେବେଳ ଠୁ ଡାଲି କୁକର୍ ରେ ବସେଇଥିଲି ମୋର କିଛି ମନେ ନଥିଲା।
ମୁଁ ଜଲଦି ଜଲଦି କହିଦେଲି "ok ଶ୍ରେୟସ୍ ପରେ କଥା ହେବା"।
ସେ ସାଙ୍ଗେ ସଙ୍ଗେ କହିଲା କାଲି ତୁମେ ମୋତେ ଦେଖା କରିପାରିବ କି ??
ଟିକେ ଭାବି ମୁଁ କହିଲି ନାଇ କାଲି ତ ଅଫିସ ରେ ବହୁତ୍ କାମ ଅଛି।
ଏବେ ତାଙ୍କ ଶବ୍ଦ ଗମ୍ଭୀର ହେଇ ଉଠିଲା ।ଆଉ ଶୁଭ ରାତ୍ରୀ କହିବାକୁ ଇଚ୍ଛା ହିଁ ନଥିଲା।ଲାଗୁ ଥିଲା ଗପି ଚାଲିବି ତାଙ୍କ ସହ ଅବିରତ,ନା ସମୟ ନା ଦାୟିତ୍ଵ କିଛି ବି ଖାତିର ନକରି।
ହେଲେ ଇଚ୍ଛା ଗୁଡାକ ଯଦି ଘୋଡା ହୁଅନ୍ତେ ଭିକରିବି ଘୋଡା ଚଢ଼ି ବୁଲନ୍ତେ।
ସେଦିନ ଗୋଟେ ଅସାଧାରଣ ଖୁସି ମନରେ ଜାଗ୍ରତ ହେଲା।କେବେ କାହା ପ୍ରତି ଆସିନଥିବା ସେ ଦୁର୍ବଳତା ତାଙ୍କ ପ୍ରତି ଆସି ସାରିଥିଲା।
ଏଥର ନା ନିଜ ପ୍ରତି ଘୃଣା ଆସୁଥିଲା।ନା ଏକା ରହିବାର ଡର।ବହୁଦିନ ପୂର୍ବରୁ ଯେଉଁ ସ୍ଥାନ ଫାଙ୍କା ଥିଲା ସେଇ ଶୂନ୍ୟ ସ୍ଥାନ ଶ୍ରେୟସ୍ ଆସି ପୂରଣ କରିଦେଲେ।
ଅଫିସ୍ କାମ ତ ପରେ ବି ହେଇ ପାରିବ ହେଲେ ଏତେ ଦିନର ପ୍ରଶ୍ନ ର ଉତ୍ତର ମିଳିଛି କି ମୁଁ କିଏ।
ଆଉ ସେ ଉତ୍ତର ଦେଇଥିବା ମନର ମଣିଷ ଟିଏ ବି ମିଳିଛି।ତେଣୁ କାଲିର ସୁଯୋଗ ହାତ ଛଡା କରିବା ଠିକ୍ ହବନି।ଲାପଟପ୍ କାଢି ଅଫିସ୍ କୁ ମେଲ୍ ରେ ଦରଖାସ୍ତ ଟିଏ ଲେଖିଦେଲି।
ସେଦିନ ରାତିରେ ନିଦ ହେବାର ନାଆ ହିଁ ଧରୁନଥିଲା।ବୋଧେ ଏମିତି ହିଁ ହୁଅ ଗୋଟେ ଝିଅ ଗୋଟେ ପୁଅ କୁ ପ୍ରେମ କଲେ।ହେଲେ ଆମ କ୍ଷେତ୍ରରେ ତ ପୁରା ଭିନ୍ନ।ପୁଣି ଭାବିଲି କିଏ ପ୍ରେମିକ ଆଉ କିଏ ପ୍ରେମିକା ବହୁତ୍ ହସ ମାଡ଼ିଲା।
ସକାଳୁ ଉଠି ଶ୍ରେୟସ୍ କୁ କଲ୍ କଲି । ମୁଁ ଆସୁଛି ଶ୍ରେୟସ୍।
ମୁଁ ବାଇକ ନେଇ ବାହାରି ଗଲି।ପ୍ରଥମେ ତାକୁ ବାଇକ୍ ରେ ବସେଇ ଗୋରଖପୁର ଧାମ ବୁଲିଲୁ।
ମାଆ କୁହନ୍ତି କୌଣସି ଶୁଭ କାମ ପୂର୍ବରୁ ଠାକୁରଙ୍କୁ ମୁଣ୍ଡିଆ ମାରିବା କଥା।
ଏବେ ତା ଆଙ୍ଗୁଳି ସବୁ ମୋ ଆଙ୍ଗୁଳି ଫାଙ୍କରେ ନିଶ୍ୱାସ ନେଉଥିଲା। ଛାତିର ସ୍ପନ୍ଦନ ତୀବ୍ର ହୋଇ ନୂଆ ଏକ ଜୀବନ ପାଇବାର ଆଭାସ ଦେଲା।
ପରେ ଆମେ ଚାଲିଗଲୁ ଏକ ଶୁନଶାନ୍ ପାହାଡ଼ ପାଖକୁ ନିଜ ବିଷୟରେ କିଛି କହିବାକୁ ଆଉ ଜାଣିବାକୁ ଆଉ ଜଣେଇବାକୁ।
ମୋତେ କିଛି ଇଚ୍ଛା ନଥିଲା ତାଙ୍କ ବିଷୟରେ ଜାଣିବାକୁ ।ବାସ ଏତେ ଦିନ ଛାତି ତଳେ ଲୁଚେଇ ଥିବା ପ୍ରଶ୍ନର ଉତ୍ତର ମିଳିଥିଲା ସେତିକି ହିଁ ଯଥେଷ୍ଟ ଥିଲା ମୋ ପାଇଁ।
ପ୍ରଥମେ ନିଜ ବିଷୟରେ କଥା ହେଲୁ।ତାପରେ ପରିବାର ବିଷୟରେ।ତାପରେ କେବେଠୁ ଜାଣିଲୁ କି ଆମେ ଏମିତି ସେ ବିଷୟରେ କଥା ହେଲୁ।
ଶ୍ରେୟସ୍ ଏଥର ତାଙ୍କ କାହାଣୀ କହିବାକୁ ଲାଗିଲେ।
ଶ୍ରେୟସ୍ ର ତିନି ଭାଇ , ସେ ସବୁଠୁ ସାନ।
ଡିଗ୍ରୀ କରି ସାରିବା ପରେ ଜାଣି ପାରିଲେ ନିଜ ବିଷୟରେ , ଯାଇ ଘରେ କହିଲେ। ବାପା ମା ପ୍ରଥମେ କାନ୍ଦିବାକୁ ଲାଗିଲେ ।ତାପରେ କେତେ ପୂଜା ଅର୍ଚ୍ଚନା ହେଲା ।
ଠାକୁରଙ୍କ ପାଖରେ ଭୋଗ ଚଢ଼େଇବା ପାଇଁ ବି ଠାକୁରଙ୍କୁ ପ୍ରାର୍ଥନା କଲେ।କେତେ ମାନସିକ ହେଲା।
ଗୋରଖପୁରର ଆଶ୍ରମର ବାବା ଗୋପାଳ କ୍ରୀଷ୍ଣା ବ୍ରହ୍ମଚାରୀ ଙ୍କୁ ଯାଇ ନିଜର ସମସ୍ୟା ବିଷୟରେ ଜଣାଇଲେ।
ସେ ନାନା ଉପାୟ ଦେଲେ ସବୁ ଉପାୟ ଅବଲମ୍ବନ କରା ଗଲା ହେଲେ ମଧ୍ୟ କିଛି ଲାଭ ହେଲାନି ,ଜଣେ ମଣିଷର ଭାବ କେମିତି ବଦଳି ଯିବ ଯେ।
ପରେ ଲୋକ ଲଜ୍ୟା ରେ ଭାଇ ମାନେ ତାକୁ ଘରୁ ବାହାର କରିଦେଲେ ଆଉ କହିଲେ ଯେବେ ଠିକ୍ ହେବୁ ଘରକୁ ଆସିବୁ।
ବାସ୍ ଆଉ କିଛି କହିପାରୁ ନଥିଲେ ସେ ।
ଦେହ ଥରୁ ଥିଲା,ଆଖିରୁ ଲୁହ ଅବିରତ ବହିଚାଲିଥିଲା।ତାଙ୍କର ସେଇ କମ୍ପିତ ହାତକୁ ଜୋର୍ କରି ଭିଡ଼ି ନେଲି ଆଉ ମୁଣ୍ଡକୁ ଆଣି ନିଜ ଛାତି ଉପରେ ଲଗେଇ ଦେଲି ।
ମୋର ଭରସା ପାଇ ସେ ଟିକେ ପ୍ରକୃତିସ୍ଥ ହେଲେ। ଆଉ କାନ୍ଦି କାନ୍ଦି କହିଲେ ମୋତେ ଅଧାରେ ଛାଡ଼ିବନି ନା ତୁମେ ।
ମୁଁ ତା ହାତ କୁ ଆହୁରି ଜୋରରେ ଭିଡ଼ି ନେଲି।ଆଉ ବିଶ୍ୱାସ ଭରା ଆୱାଜ ରେ କହିଲି କେବେ ନୁହେଁ।
ମନ ଭୁଲେଇବା ପାଇଁ ପଚାରି ଦେଲି ଶ୍ରେୟସ୍ ତୁମକୁ କାହା ଗୀତ ଭଲ ଲାଗେ ।
ବାଷ୍ପରୁଦ୍ଧ କଣ୍ଠରେ କହିଲା ଜଗଜିତ୍ ସିଂ ର ଗଜଲ୍।
ମୋର ସେଇ ଫଟା ବାଉଁଶ ଭଳି ସ୍ଵରରେ ତାକୁ ଦୁଇ ଚାରି ଟା ଗଜଲ୍ ଶୁଣେଇ ଦେଲି।
ଜାଣେ ଏତେ ବି ଭଲ ଗାଇନଥିଲି ତଥାପି ପଚାରି ଦେଲି କେମିତି ଲାଗିଲ??
ମିଛ ପ୍ରଶଂସାଟେ କରି କହିଲେ ବହୁତ୍ ସୁନ୍ଦର ଗୀତ ଗାଉଛ ତମେ, ଆଉ ହସି ଦେଲା।
ଏବେ ତାଙ୍କ ସ୍ୱର ରେ ସେ ଯନ୍ତ୍ରଣା ନଥିଲା । ଥିଲା ଏକ ହାସ୍ୟାସ୍ପଦ ଭଙ୍ଗୀ।
ସେ ଚାକିରି ଖୋଜି ବୁଲୁଥିଲା । ମୁଁ ମୋ ବସ୍ ଙ୍କୁ କହି ମୋ ଅଫିସ୍ ରେ ହିଁ ତାକୁ ଗୋଟେ ଚାକିରି ଦେଲି।
ଆଉ ମୋ ରୁମ୍ ରେ ଜାଗା ଦେଲି ରହିବାକୁ।
ସମସ୍ତଙ୍କୁ ଜଣେ ଜଣେ ଭରସା ଦରକାର ବଞ୍ଚିବାର।ସ୍ତ୍ରୀ ଯେମିତି ସ୍ୱାମୀ ଅଫିସ୍ ରୁ ଆସିଲେ ଦୁଇ ପଦ ମିଠା ମିଠା କଥା କହିବ।ମୁଣ୍ଡ ବିନ୍ଧୁଥିଲେ କଡ଼ା କଫି ଟିଏ ବନେଇ ଦେବ ,ଠିକ୍ ସେମିତି ଆମେ ମଧ୍ୟ ଥିଲୁ।କେବେ ସେ ମୋର ଥକା ମେଣ୍ଟାଇବା ପାଇଁ ନାନା ଉପାୟ ଅବଲମ୍ବନ କରୁଥିଲା। କେବେ ମୁଁ ନାନାଦି ଉପାୟ ଅବଲମ୍ବନ କରୁଥିଲି।
ଆଉ ଛୁଟି ଦିନରେ ବିଭିନ୍ନ ଜାଗା ବୁଲି ଦେଖୁଥିଲୁ। ବାଇକ୍ ର ପୁରା ପାଖକୁ ବସି ଜୋର୍ ରେ ଦେହ କୁ ଭିଡ଼ି ଧରୁ ଥିଲା ସେ।
ତାଙ୍କ ସହ ରହି ମୁଁ ଘର କଥା ପୁରାପୁରି ଭୁଲି ଯାଇଥିଲି।କିନ୍ତୁ ସେ ବେଳେ ବେଳେ ମନେ ପକେଇ ବହୁତ୍ କାନ୍ଦୁଥିଲା।
ଆଉ ତାଙ୍କୁ ମନେଇ ବାର ଉପାୟ ମୋ ପାଖରେ ଥିଲା ଜଗଜିତ ର ସେଇ ପୁରୁଣା ଗଜଲ୍।
ଏଇ ଭିତରେ ଶାରୀରିକ ସଂପର୍କ ବି ଗଢି ଉଠିଥିଲା।ଶାରୀରିକ ସଂପର୍କ ହେଲା ପରେ ସମ୍ପର୍କର ମୂଳ ଦୁଆ ପୁରା ପକ୍କା ହୋଇଯାଇଥିଲା। ସ୍ତ୍ରୀ ତ ସ୍ୱାମୀର ଅର୍ଦ୍ଧାଙ୍ଗିନୀ ,କିନ୍ତୁ ସେ ମୋର ସର୍ବାଙ୍ଗିନୀ ଥିଲେ । ମୋର ପ୍ରତ୍ୟେକ ଅଙ୍ଗରେ ତାଙ୍କୁ ଅନୁଭବ କରି ପାରୁଥିଲି ମୁଁ।
ମୁଁ ବି କହିଲି ଯେ ଆମ ଘରେ ମୋର ବାହାଘର ଠିକ୍ କରୁଛନ୍ତି। ଏଇ କଥା ଶୁଣି ଟିକେ ହଡ଼ବଡ଼େଇ ଯାଉଥିଲେ ସେ ।
କାଳେ ମୁଁ ତାଙ୍କୁ ଭୁଲିଯିବି ଏଇ ଭୟ ସବୁ ବେଳେ ଲାଗିଥିଲା ତାଙ୍କ ଭିତରେ ।ଆଉ ମୁଁ ଘରକୁ ଯିବା କଥା ଶୁଣିଲେ ମନକୁ ଶୁଖିଲା କରିନେଉଥିଲେ।
ଛୁଟି ଦିନରେ ସାଙ୍ଗରେ ସିନେମା ଦେଖିବାକୁ ଯାଉଥିଲୁ।
କିନ୍ତୁ ଦଶହରା ଛୁଟି ପୂର୍ବରୁ ଥିବା ରବିବାର ଦିନ ,ମୁଁ ଯେତେ ଡାକିଲେ ମଧ୍ୟ ବୁଲିବାକୁ ଯିବନି ମନା କଲେ ସେ ।
ଭାରି ଉଦାସପଣ ଭରି ଥିଲା ତାଙ୍କ ଭିତରେ।ଆଉ ମୁଁ ବି ଡରି ଯାଇଥିଲି ମୋତେ ପୁଣି ମୋ ବାପା ମାଆ ସମାଜ ଭୟରେ ଘରୁ ବାହାର କରି ଦେବନି ତ।
ଆଉ ଜଣା ଥିଲା ସମଲୀଙ୍ଗି ସମ୍ପର୍କ ଉପରେ ଉଚ୍ଚ ନ୍ୟାୟାଳୟ ରେ ସେତେବେଳେ କେସ୍ ଚାଲିଥିଲା। କିନ୍ତୁ ବାହାର ଦେଶ ରେ ଏସବୁକୁ ମାନ୍ୟତା ମିଳି ସାରିଥିଲା।
ଦଶହରା ଛୁଟି ପଡ଼ିଲା।ସେ ମୋତେ ଷ୍ଟେସନ କୁ ଛାଡ଼ି ବାକୁ ଆସିଲା।ଯେମିତି ସେ ଦୁରେଇବାକୁ ଚାହୁଁ ନଥିଲା ମୋ ଠୁ।
ହାତ ରେ ଧରି ଥିବା ବ୍ୟାଗ ଟାକୁ ଛାଡ଼ୁ ନଥିଲା। ଟ୍ରେନ ହର୍ନ ମାରିଲା କିନ୍ତୁ ସେ ଆଉ ମୁଁ ଆଉ ଷ୍ଟେସନ ର ଗହଳି ଭିତରେ ପୁରା ଚୁପ୍ ଚାପ୍ ଛିଡ଼ା ହୋଇଥିଲୁ।
ସେ ଭାବୁଥିଲା ମୁଁ ଆଉ ଫେରିବି କି ନ ଫେରିବି ଆଉ ମୁଁ ଭାବୁଥିଲି ଘରେ ଏସବୁ ସାହସ କରି ମୁଁ କହି ପାରିବି ତ??
ଯାତ୍ରୀ ମାନେ ଦୟାକରି ଧ୍ୟାନ ଦିଅନ୍ତୁ.............
ଯିବାକୁ ହେବ ଶ୍ରେୟସ୍ ଏତିକି କହି ଚୁପ୍ ରହିବା ହିଁ ଠିକ୍ ଭାବିଲି।
ଅନ୍ୟମନସ୍କ ଥିଲା ସେ ଖାଲି ହଁ ହିଁ କହିଲା।
ଜୀବନ କେତେ ଅଜିବ ଖେଳ ଖେଳେ। ଦୁଇ ଅଚିହ୍ନା ହୃଦୟକୁ ମିଶେଇ ଦିଏ ପୁଣି ଅଲଗା କରି ଦିଏ।
ଏତିକି ବେଳେ ହିଁ ପ୍ରଶ୍ନ ଆସେ ଜୀବନ ମାନେ କଣ?
ହେଲେ ବୋଧେ କାହାରି ଭିତରେ ଉତ୍ତର ନଥାଏ। ଏ ଭଳି ପ୍ରଶ୍ନର ଉତ୍ତର ଦେବାକୁ।
ଟ୍ରେନ ରେ ସବୁ ଲୋକ ଚଢ଼ି ସାରିଥିଲେ।ସେ ଆଉ ମୁଁ ସମାଧି ପରି ଚୁପ୍ ଚାପ୍ ଛିଡ଼ା ହୋଇଥିଲୁ।
ଆତ୍ମାର ଅନ୍ତ ସ୍ୱରରୁ କେହି ଜଣେ କହୁଥିଲା ଆମେ କଣ ଏତେ ଅଲଗା। ସମାଜ କଣ ପାଇଁ ଆମ ସମ୍ପର୍କକୁ ଅଲଗା ଦୃଷ୍ଟି ରେ ଦେଖେ। ପାଗଳ ବୋଲି ଭାବି ବସେ ।
ଭଗବାନଙ୍କ ସୃଷ୍ଟିରେ ଆମେ ବି ତ ମଣିଷ।ଆମର କଣ ବଞ୍ଚିବାର ଟିକେ ବି ଅଧିକାର ନାହିଁ ।ନିଜ ଇଚ୍ଛା ରେ କାମ କଲେ ସମାଜ ଆପଣେଇ ପାରେନି।ଆଉ ନିଜ ଇଚ୍ଛା ବିରୁଦ୍ଧରେ ଯାଇ କେଉଁ ଝିଅ କୁ ବାହା କଲେ ଯେ ତାର ଜୀବନ ନଷ୍ଟ ହେଇଯିବ ଏଇ କଥା ବୁଝିବାକୁ ନାରାଜ ସମସ୍ତେ।
ଏଇ ଚିକ୍ନା ଦେନା , ଏଇ ହିରୋ ଦେନା ଏମିତି କହି ମାଡ଼ି ଆସୁଥିଲା ଗୋଟେ କିନ୍ନର ଆମ ଆଡ଼କୁ।
ଏଇ କିନ୍ନର ତ ଦିନେ ରାଜା ଥିଲା ଶ୍ରିଖଣ୍ଡି ବେଶରେ । ଏତେ ବଡ ମହାଭାରତ ଯୁଦ୍ଧର ଶେଷ ଫଳାଫଳ ତାଙ୍କ ଉପରେ ହିଁ ନିର୍ଭର କରୁଥିଲା।
ନା ସେଦିନ ଶ୍ରିଖଣ୍ଡି ଭିଷ୍ମଙ୍କୁ ଘାଇଲା କରିଥାନ୍ତା ନା କୁରୁ ଭାଇ ମାନେ ଯୁଦ୍ଧ ହାରନ୍ତେ।କିନ୍ତୁ ଆଜି ତାଙ୍କ ଅବସ୍ଥା ଦେଖ ,ନା ତାଙ୍କୁ ଚାକିରି ମିଳୁଛି ନା କେହି ଭିକ ଦେଉଛି ଭଲରେ ସେଥିପାଇଁ ତ ଟ୍ରେନ ରେ ଅଭଦ୍ରାମି କରନ୍ତି ସେମାନେ।
ଜାତି ,ଧର୍ମ ,ବର୍ଣ୍ଣ ,ଲିଙ୍ଗ ଏଇ ସବୁ କହି କହି ହିଁ ଭୂଲୁଣ୍ଠିତ ହେଇ ସାରିଛି ଆମ ସମାଜ।
ଯେଉଁ ସମାଜ ସମାଜର ମୁଖ୍ୟ ସ୍ରୋତ ଆଉ ଅଭିନ୍ୟ ଏକ ଅଙ୍ଗ ନାରୀ କୁ ସମ୍ମାନ ଦେଇ ପାରୁନି ।
ତାଙ୍କ ପାଖରୁ ଏତେ ଆଶା କରିବା ମଧ୍ୟ ଠିକ୍ ନଥିଲା।l
ପ୍ରତି ଦିନ ନ୍ୟୁଜ୍ ର ମୁଖ୍ୟ ଖବର ଥିବ କେଉଁ ଏକ ମହିଳା ର ବଳାତ୍କାର।
ସେ କଥା ଭାବି ହିଁ ନିଜକୁ ବହୁତ୍ ଭଲ ମନେ ହେଉଥିଲା।ଭଗବାନ ଠିକ୍ କରିଛନ୍ତି ଆମ ଭିତରେ ନାରୀ ପ୍ରତି ଆକର୍ଷଣ ନଦେଇ। କମ୍ ସେ କମ୍ ବଳାତ୍କାରୀ ଆଖ୍ୟା ତ ଆମକୁ ମିଳିବନି।
ଏଥର ଟ୍ରେନ ଉପରେ ଚଢ଼ିଲି ମୁଁ। ଟ୍ରେନ ଧୀରେ ଧୀରେ ଗତି ତୀବ୍ର କଲା ଆଉ ସେ ସେମିତି ପ୍ଲାଟଫର୍ମରେ ଛିଡ଼ା ହୋଇଥିଲା।ସେ ମୋତେ ଆଉ ମୁଁ ତାକୁ ଦୁହେଁ ଦୁହିଁକୁ ଦେଖୁଥିଲି ଚେହେରା ଅସ୍ପଷ୍ଟ ନ ହେବା ପର୍ଯ୍ୟନ୍ତ।
କିଛି ସମୟ ପରେ ତାର ଚେହେରା ଅସ୍ପଷ୍ଟ ହେଇ ଗଲା।
ଆଉ ମୁଁ ଏତେ ସମୟ ଧରି ଲୁଚେଇ ରଖି ଥିବା କୋହକୁ ଆଉ ସମ୍ଭାଳି ନ ପାରି କାନ୍ଦି ପକେଇଲି।
ପାଖ ବର୍ତ୍ ରେ ବସି ଥିବା ଲୋକ ମାନେ ଚାହିଁଲେ ।ଆଉ ପ୍ରଶ୍ନ କଲେ ଭାଇ ସବୁ ଠିକ୍ ଠାକ୍ ନା।
କାରଣ ଜଣେ ପୁରୁଷ କାନ୍ଦିବା ବି ଆମ ସମାଜ ସହଜରେ ଗ୍ରହଣ କରି ପାରେନି।
କିଛି ଉତ୍ତର ନ ଦେଇ ଖାଲି ମୁଣ୍ଡ ହଲେଇ ଦେଲି।
ସବୁ କଥା ମନେ ପଡ଼ୁଥିଲା ଗୋଟେ ଗୋଟେ କରି।
ତା ଆଖିରେ ପ୍ରଥମ ଦିନ ଯେମିତି ବେସାହାରାପଣ ଦେଖିଥିଲି ଆଜି ବି ଠିକ୍ ସେମିତି ଦେଖା ଯାଉଥିଲା।
ଫରକ୍ ଏତିକି ଥିଲା ସେଦିନ ମୁଁ ତାକୁ ସାନ୍ତ୍ଵନା ଦେଇଥିଲି ଆଉ ଆଜି ମୁଁ ହିଁ ଛାଡ଼ି ଚାଲି ଆସିଲି।
ସେଦିନ ତା ଘର ଲୋକେ ତାକୁ ଗ୍ରହଣ କରିନଥିଲେ ଆଉ ଆଜି ମୁଁ ତାକୁ ଗ୍ରହଣ କରିବି ଭରସା ଦେଇ ପାରିନଥିଲି।ମୁଁ ଘରେ ଯାଇ କହି ପାରିବି ତ ଏସବୁ।
ତା ସହ ବିତେଇ ଥିବା ପ୍ରତ୍ୟେକ ମୁହୂର୍ତ୍ତ ମୋ ଜୀବନର ସବୁଠାରୁ ଖୁସିର ମୁହୂର୍ତ୍ତ ଥିଲା।
ଜୋରରେ କାଶ ହେଲା ମୋ ପାଖରେ ବସି ଥିବା ଜଣେ ବୁଢ଼ାର ପାଣି ବୋଟଲ ଟା ତାଙ୍କ ଆଡ଼କୁ ବଢାଇ ଦେବା ସମୟରେ ଦେଖିଲି ତାଙ୍କ ହାତରେ ଗୋଟେ ସୁନ୍ଦର ଟାଟୁ।ଏଥିରୁ ହିଁ ମନେ ପଡ଼ିଲା।
ଆମ ଭିତରେ ବେଳେ ବେଳେ କଳି ହେଉଥିଲା।ଆଉ ଯେବେ ବି ମୋ ବାହାଘରକୁ ନେଇ ଘରେ କେତେ ବ୍ୟସ୍ତ ହେଉଛନ୍ତି ବୋଲି କହୁଥିଲି ଶ୍ରେୟସ୍ ଆଖି ଭରି ଆସୁଥିଲା।
ମୁଁ ମଝିରେ ତିନିଦିନ ମାତ୍ର ସିମଲା ଟ୍ରେନିଂ ପାଇଁ ଯାଇଥିଲି ।ସେ ବହୁତ୍ ବ୍ୟସ୍ତ ହେଇ ପଡ଼ିଥିଲା।ବାରମ୍ବାର କଲ୍ କରି ବୁଝୁଥିଲା।ଆଉ ଅଫିସ୍ ର ଜଣେ କର୍ମଚାରୀ ଗୀତାଙ୍କ ସହ ମୁଁ ଯାଇଥିଲି। କାମ ଭିତରେ ଯେବେ ବି ସୁଯୋଗ ମିଳୁଥିଲା ଆମେ ସୁନ୍ଦର ସୁନ୍ଦର ଜାଗା କୁ ଯାଇ ଫଟୋ ଉଠାଉ ଥିଲୁ। ଆଉ ସବୁ ଫୋଟ ମୁଁ ଶ୍ରେୟସ କୁ ପଠାଇ ଦେଉଥିଲି ହ୍ଵାଟସ୍ ଆପ ଯୋଗେ।
ମୁଁ ଜାଣି ନଥିଲି ମୋତେ ଗୀତା ସହ ଦେଖି ସେ ଏତେ ଚିଡି ହେଉଥିଲା।
ଯେତେବେଳେ ଆସିଲି ଗୀତା ବିଷୟରେ ହିଁ ପଚାରୁଥିଲା।ଆଉ ଅଜବ ଅଜବ ପ୍ରଶ୍ନ ସବୁ କଲା। କମେଣ୍ଟ୍ କଲା ମୋ ଚରିତ୍ର କୁ ନେଇ।
ଭାବିଲା ମୁଁ ତାକୁ ଧୋକା ଦେଉଛି।
ଦୁଇ ତିନି ଦିନ ସାନ ପିଲାଙ୍କ ଭଳିଆ ମୁଁହ ଫୁଲେଇ ବସିଲା ରାଗରେ।
ରବିବାର ଦିନ ମୁଁ ଯାଇ ମୋ ଛାତିରେ ତା ନାଆ ର ଗୋଟେ ଟାଟୁ କରି ଆସିଲି ।
ଆଉ ତାକୁ ଆସି କହିଲି ଦେଖ ମୁଁ ସବୁବେଳେ ଶ୍ରେୟସ୍ ର।ମୋ ଛାତିରେ ତୁମ ନାଆ ଲେଖି ଦେଇଛି।
ଆଉ ହୃଦୟ ଭିତରେ ତ କେବେ ଠୁ ଲେଖା।
ଏତିକି ଶୁଣି ଖୁବ୍ ଖୁସି ହୋଇଯାଇଥିଲା ସେ। ଜୋରରେ ଆଲିଙ୍ଗନ କଲା ସେ ମୋତେ।
ନିଶ୍ୱାସ ତୀବ୍ର ରୂପ ଧରି ଝଡ଼ ଭଳି ମାଡ଼ି ଚାଲିଥିଲା ଆଗକୁ ଆଗକୁ।ହୃଦୟର ସ୍ପନ୍ଦନ ସମୁଦ୍ର ଯେମିତି ଦରିଆରେ ଆଘାତ ଦିଏ, ଠିକ୍ ସେମିତି ହିଁ ଆଘାତ ଦେଉଥିଲା ବାରମ୍ବାର।
କଣ୍ଠ ଶୁଖି ଯାଉଥିଲା। ଦେହର ଲୋମ ସବୁ ଟାଙ୍କୁରି ଉଠୁଥିଲା।
ଆଉ ସମ୍ବେଦନଶୀଳତାର ଚରମ ସୀମା ରେ ଥିଲୁ ଦୁଇଜଣ।କିନ୍ତୁ ଗେ ମାନେ ଯେ କେମିତି ସମ୍ପର୍କ ସ୍ଥାପନ କରନ୍ତି ତାହା ଆମକୁ ଜଣା ନଥିଲା।
ସାଙ୍ଗେ ସାଙ୍ଗେ ମୋବାଇଲ କାଢି ସର୍ଚ୍ଚ କରି କିଛି ବ୍ଲୁଫିଲ୍ମ୍ ଦେଖିନେଇଥିଲୁ ଗେ ମାନଙ୍କର।
ତାପରେ ଆମେ ବି ଠିକ୍ ସେମିତି ହିଁ ଶାରୀରିକ ଚରିତାର୍ଥ ପୁରେଇ ଦେଲୁ।
କେତେ ସୁନ୍ଦର ଅନୁଭୂତି ଛାଡ଼ି ଥିଲା ସେ ରାତି।
ଟ୍ରେନ ଅଟକିବାର ଶବ୍ଦରେ ପୁଣି ବାସ୍ତବତା ରେ ପାଦ ଦେଲି।
କିଛି ସମୟ ପରେ ବହୁତ୍ ଭୋକ ଲାଗିଲା ବ୍ୟାଗ ଖୋଲି ଦେଖିଲି ତ ମୋ ପସନ୍ଦର ସବୁ ଜିନିଷ ସକାଳୁ ଉଠି ତିଆରି କରି ଦେଇ ଥିଲା ଶ୍ରେୟସ ।ଆଉ ଟିଫିନ୍ ଡବା ତଳେ ଗୋଟେ ଗ୍ରୀଟିଂ କାର୍ଡ ଥିଲା।
ଖାଇବା ପୂର୍ବରୁ ଗ୍ରିଟିଂ କାର୍ଡ ଟିକୁ ଖୋଲି ଦେଖିଲି କାଲିଗ୍ରାଫି ର ବଡ଼ ବଡ଼ ବଙ୍କା ବଙ୍କା ଅକ୍ଷରରେ ଲେଖା ଥିଲା ।
ଦେବାଶିଷ ଶ୍ରେୟସ୍।
ମୁଁହରେ ଗୋଟେ ହସ ଖେଳି ଗଲା। ଆଉ ତଳେ ତାର ନିଜ ଅକ୍ଷରରେ ଲେଖିଥିଲା।
ତୁମ ଅପେକ୍ଷାରେ............................
(ପ୍ରଥମରୁ ଯାଉଥିଲା ପିଉସୀ ଆସି କହି ଯାଇଥିଲେ ଝିଅ କଥା)
ଝିଅ ଘର ଲୋକେ ସବୁ କଲିକତାରେ ରହନ୍ତି ଏଇ ପୁରୀର ବାସିନ୍ଦା।ସେମିତି କିଛି ରୀତି ନୀତି ଏତେ ମାନୁ ନଥିଲେ ଆମ ଘରେ କି ପୁଅ ଘରେ ପ୍ରଥମେ ଦେଖିବାକୁ ଯିବେ। ଏଠି କଥା ଓଲଟା ହେଲା।
କାଲି ସେମାନେ ଆସିବେ ପୁରୀକୁ କେତେ ଦିନ ହେଲା ଆସିନଥିଲେ। ସେଇ ବାହାନାରେ ଆମ ଘର ବି ବୁଲିବେ ଆଉ ପୁରୀ ବି ବୁଲିବେ।ସେମାନେ ପୁରୀର ବାସିନ୍ଦା କିନ୍ତୁ କଲିକତାରେ ରୁହନ୍ତି ସେଠି ଚାକିରି କରନ୍ତି ।
ଏଇ ସବୁ ଶୁଣି ମୋ ମୁଣ୍ଡ ରାଗରେ ନିଆଁ ହୋଇ ଯାଇଥିଲା ଇଚ୍ଛା ତ ହେଉଥିଲା ମୋ ପିଉସୀ ର ତଣ୍ଟି ଚିପି ମାରି ଦେବି।
ସେଦିନ ରାତିରେ ଏପଟ ସେପଟ ହୋଇ ରାତି ସାରା ବିତେଇ ଦେଲି ସତରେ ମୁଁ କଣ କହି ପାରିବିନି ମୋ ସତ୍ୟତା।
ବାପା ମାଆଙ୍କ ଅପେକ୍ଷା ମୁଁ ମୋ ପିଉସୀ ଙ୍କୁ ବେଶୀ ଡରୁଥିଲି।ଡରି ନଥାନ୍ତି କେମିତି ମୋ ବାପା ବି ତ ତାଙ୍କୁ ଅନେକ ଡରନ୍ତି।ସେ ଯାହା କହିବେ ଏଇ ଘରେ ତାହା ହିଁ ଚାଲେ। କେବେ କେବେ ଚାଲି ଆସନ୍ତି ଆଉ ନାନାଦି ହୁକୁମ ଦେଇ ଚାଲିଯାଆନ୍ତି।ତାଙ୍କରି ପାଇଁ ଆମେ ପୁରୁଣା ଘର ଛାଡ଼ି ଆସିଥିଲୁ।ସେ କହିଲେ ସେଠି କଣ ଶନି ଙ୍କର ଚଳ ପ୍ରଚଳ ସେଠି ରହିବା ଠିକ୍ ହବନି।ଏବେ ଏତେ ଅନ୍ଧ ବିଶ୍ବାସ ରେ ବଞ୍ଚିଥିବା ଲୋକଙ୍କୁ ମୁଁ କେମିତି ବୁଝେଇବି ଯେ।
ସକାଳୁ ଉଠିଲା ବେଳକୁ ଘରକୁ ସଜେଇକି ପୁରା ଚକାଚକ୍ କରି ଦେଇଥିଲେ ମାଆ।
ସବୁ ଜିନିଷ ନିଜ ନିଜ ଜାଗାରେ ଥିଲା।ବାପା ସକାଳୁ ଉଠି ମାର୍କେଟ ଚାଲି ଯାଇଥିଲେ।
ପିଉସୀ କହିଲେ ଯା ବାବା ଶୀଘ୍ର ଗାଧେଇ ପଡ଼।ମୋତେ କିଛି ବି ଇଚ୍ଛା ହେଉନଥିଲା କିନ୍ତୁ ବାଧ୍ୟ ହୋଇ ସବୁ କରିବାକୁ ପଡିଲା। ପୁର୍ଫ୍ୟୁମ୍ ଲଗେଇ ବାକୁ ମୋତେ କେବେ ବି ଭଲ ଲାଗୁ ନଥିଲା କିନ୍ତୁ ସେ ଦିନ ବାଧ୍ୟାରେ ଲଗେଇ ବାକୁ ପଡ଼ିଲା।ଆଉ କାର୍ ନେଇ ଷ୍ଟେସନ ଯିବାକୁ ହେଲା ତାଙ୍କୁ ଘରକୁ ଆଣିବାକୁ।ତାଙ୍କୁ ଘରେ ଛାଡ଼ି ମୁଁ ସିଧା ଛାତ ଉପରକୁ ଚାଲି ଗଲି ଆଉ ଚୁପ୍ ଚାପ୍ ବସିଲି ସେଠି।କିଛି ସମୟ ପରେ ସେ ଝିଅଟା ଉପରକୁ ଆସିଲା ।
ମୁଁ ଅଚିହ୍ନା ଥିଲି ହେଲେ ବି କଥା ହେବାକୁ ଲାଜ ଲାଗୁ ନଥିଲା ତାକୁ। ସହରରେ ରହି ଲାଜ ସରମ ସବୁ ଭୁଲି ଯାଇଛି ବୋଧେ।
ମୋତେ ପଚାରିଲା ଆପଣଙ୍କ ଫେଭରାଇଟ ରଙ୍ଗ କଣ??
କଥା ହେବାକୁ ଇଚ୍ଛା ନ ଥିଲା ଖାଲି ବାଧ୍ୟ ହୋଇ ଦୁଇ ଚାରି ପଦ କଥା ହେଲି।
ଛାତରୁ ଦୁଇ ଜଣ ଆସିଲୁ।ପିଉସୀ ପଚାରିଲେ କଣ ବାବା ଝିଅ ପସନ୍ଦ ହେଲା ତ। ସବୁ ଥର ଭଳି ଏଥର ମଧ୍ୟ ମୁଁ କିଛି କହିବା ପୂର୍ବରୁ ମା କହିଦେଲା ଏତେ ସୁନ୍ଦର ଝିଅ ଏତେ ସୁନ୍ଦର ଘର ପସନ୍ଦ ହେବନି କଣ ପାଇଁ ନିଶ୍ଚୟ ପସନ୍ଦ ହୋଇଛି।
ମୁଁ ଜାଣିଛି ମୋ ପୁଅର ପସନ୍ଦ ନାପସନ୍ଦ।ଆଉ ମୋର ମିଛ ପ୍ରଶଂସା ଆରମ୍ଭ ହୋଇଗଲା।
ସେ ଝିଅ ଘର ଲୋକେ ବି ଝିଅ ବିଷୟରେ ମିଛ ପ୍ରଶଂସା ଟିକେ କରିଦେଲେ।
ଦିନ ତମାମ ସେମାନେ ଆମ ଘରେ ରହିଲେ ଆଉ ସନ୍ଧ୍ୟାରେ ସାଥିରେ ସମସ୍ତେ ପୁରୀ ବୁଲିଲେ ଅନିଚ୍ଛା ସତ୍ତ୍ବେ ବି ତାଙ୍କ ସହ ବୁଲିବାକୁ ପଡ଼ିଲା।
ସେମାନେ ତା ପର ଦିନ ପୁଣି କଲିକତା ବାହାରିଲେ ଆଉ ମୋ ପିଉସୀ କଟକ ପଳେଇଲେ।
କଥା ବାର୍ତ୍ତା ସବୁ ସରି ଯାଇଥିଲା । ଆଗ ସୋମବାର ଆମେ ଯିବୁ କଲିକତା ତାଙ୍କ ଘର ବୁଲି ଦେଖିବାକୁ।
ସମସ୍ତଙ୍କୁ ଷ୍ଟେସନ ରେ ଛାଡି ଦେଇ ଆସି । ମୁଁ ଚାଲିଗଲି ତାସ୍ ଖେଳିବାକୁ ମନେ ମନେ ଭାବୁଥିଲି ଆଜି ହିଁ କହିବାକୁ ପଡ଼ିବ ଯେମିତି ହେଲେ।
ସାଙ୍ଗ ମାନଙ୍କ ସହ ଖଟିରେ ବସି ବେଳେ ବେଳେ ଅନ୍ୟ ମନସ୍କ ହୋଇ ଯାଉଥିଲି।ଜଣେ ସାଙ୍ଗ କମେଣ୍ଟ କରି କହିଲା କଣ ସାଙ୍ଗ ବାହାଘର ହେବ ବୋଲି ସେ ଝିଅ କଥା ଏବେ ଠୁ ଭାବି ବସିଲୁ କି।
ଆହୁରି କେତେ କଣ କହି ଯାଉଥିଲେ।
କିଏ କେମିତି ନାଚିବ ବାହା ଘରରେ ସବୁ କିଛି।
ବିଶୁ କିନ୍ତୁ ଜାଣି ପାରିଥିଲା ଯେ ମୋର କଣ ଗୋଟେ ହୋଇଛି।ଭାବୁଥିଲି କାହାକୁ କହିବିନି ହେଲେ ବିଶୁ ଅନେକ ଜିଦ୍ କଲା ।ଖଟି ସରିଲା ପରେ ସମସ୍ତେ ଚାଲିଗଲେ ।ବିଶୁ ଏକାକୀ ପୁଣି ପଚାରିଲା କଣ ହେଇଛି କହ??
କହିଲା କଣ ଝିଅ ପସନ୍ଦ ନୁହେଁ କି??
ମୁଁ କହିଲି ନାଇଁ ସେମିତି କିଛି ନୁହଁ ।
ଆହୁରି ଅନେକ ପ୍ରଶ୍ନ ।କହିବାକୁ ଚାହୁଁ ନଥିଲି ହେଲେ ପୁଣି ଭାବିଲି ବିଶୁ ଯାଇ ଯଦି ଘର ଲୋକଙ୍କୁ ଟିକେ ବୁଝେଇ ଦିଅନ୍ତା ବହୁତ୍ ଭଲ ହୁଅନ୍ତା।ବିଶୁ ଫାର୍ମାସି ଛାତ୍ର ତେଣୁ ମୋ ସମସ୍ୟା ବିଷୟରେ ତାକୁ ହିଁ କହିବା ଠିକ୍ ହେବ।ଆଉ ସେ ମୋର ପିଲା ବେଳର ବିଶ୍ଵସ୍ତ ସାଙ୍ଗ ବି।
ପ୍ରଥମେ ଧୀରେ ଧୀରେ ପାଟିରୁ କଥା ବାହାରୁ ନଥିବା ଭଳି ସ୍ଵରରେ କହିଲି ମୋର ଝିଅ ମାନଙ୍କ ଆଡ଼କୁ ଆକର୍ଷଣ ନଥାଇ ପୁଅ ମାନଙ୍କ ଆଡ଼କୁ ଆକର୍ଷଣ ଅଛି।
ସେ ଶୁଣି ପାରିଲାନି ପୁଣି ପଚାରିଲା କଣ ହେଇଛି ଭଲସେ କହ।
ପୁଣି ସାହସ ଜନ୍ମାଇ କହିଲି ସେଇ କଥା।
ସେ ଭାବିଲା ମୁଁ ଥଟ୍ଟା କରୁଛି ବୋଧେ ।ହସିଦେଇ କହିଲା ଚାଲ ମିଛୁଆ ବେଶୀ ଅଭିନୟ ଠିକ୍ ନୁହେଁ।
ମୁଁ ଯେବେ ଜଗନ୍ନାଥଙ୍କ ରାଣ ନେଇ କହିଲି ସେତେବେଳେ ବିଶ୍ୱାସ କରିଗଲା।
ମୁଁ ଅଚାନକ କାନ୍ଦିବାକୁ ଲାଗିଲି ଆଉ ଘଟିଥିବା ସବୁ ଘଟଣାକୁ ଗୋଟି ଗୋଟି କରି ଜଣେଇ ଦେଲି।
ଏବେ ସେ ସାନ୍ତ୍ଵନା ଦେଇ କହିଲା ଠିକ୍ ଅଛି ତୁ ଘରକୁ ଯାଆ ମୁଁ କାଲି ସକାଳେ ଆସି କହିବି ତୋ ବାପା ମାଆଙ୍କୁ।
ମୋ ସତ ଟାକୁ ଯେମିତି ଏବେବି ବିଶ୍ୱାସ କରିପାରିନଥିଲା ସେ।
ଘରେ ଆସି ପହଁଚିଲି ମାଆ ସାଙ୍ଗେ ସାଙ୍ଗେ ପୁଣି ସେଇ ପ୍ରଶ୍ନ କଲା କଣ ଝିଅ ପସନ୍ଦ ହେଲା ନା???
ବିଶୁ ସହ କଥା ହେଇ ମନ ଠିକ୍ ନଥିଲା।
ରାଗରେ ଜୋରରେ କହିଲି ନାଇଁ ମୁଁ ବାହା ହେବିନି।
ମାଆ ପୁଣି ପଚାରିଲା ହେଲେ କଣ ପାଇଁ??
ଉତ୍ତର ନଥିଲା ମୋ ପାଖରେ କିଛି।
ମାଆ ଏଥର କହିଲେ ଦେଖ ଦେବୁ ଏଥର ମାନି ଯାଆ ନହଲେ ମୁଁ ଆତ୍ମହତ୍ୟା କରିଦେବି।
ଏଇ ଶବ୍ଦ ଟା ମୋର ସତ କୁ ଚାପି ଦେଲା ମୁଁ ସିଧା ସିଧା ଚାଲିଗଲି ଶୋଇବା ଘରକୁ।
ନିଜକୁ ଅନେକ ଅସହାୟ ମନେ କଲି।
ଆଉ ମୁଁହ ରେ ହାତ ଦେଇ କାନ୍ଦିବାକୁ ଲାଗିଲି।
କାରଣ ପୁଅଙ୍କର କାନ୍ଦ କାନ୍ଥ ବି ଦେଖିପାରେ।ପୁଅମାନେ କାନ୍ଦିବାଟା କେତେ ଅଜବ ସମାଜ ପାଇଁ।
ଟିକେ ରାତି ହେବାରୁ ବାପା ଆସି ଡାକିଲେ ଖାଇବାକୁ ହେଲେ ମୁଁ ରାଗରେ ମନା କରିଦେଲି।
ମାଆ ବି ରାଗରେ ମୋତେ ଗାଳି ଦେଇ ଦେଇ ନଖାଇ ଶୋଇଗଲେ ।
ରାଗ ନଥିଲା ତାଙ୍କର ଏଇଟା ଅଭିମାନ ଥିଲା।କେତେ ଆଶା ରଖିଥିବେ ସେମାନେ ମୋ ଉପରେ ମୁଁ ତାଙ୍କ ବଂଶ ଆଗକୁ ନେବି ହେଲେ ମୁଁ ..........................
ନିଜକୁ ନିଜେ ପୁଣି ଧିକ୍କାର କରୁଥିଲି ମୁଁ।
ହେଲେ ସତ ସବୁବେଳେ ସତ ।କିନ୍ତୁ ସତ ଜାଣିଲେ କଣ ଭାବିବେ ସେମାନେ।
ଏମିତି ଭାବୁ ଭାବୁ କେତେବେଳେ ନିଦ ଲାଗି ଯାଇଥିଲା ଜାଣିନି।
ଅନେକ ରାତିରେ ବାପା ଆସି କବାଟ ଠକ୍ ଠକ୍ କଲେ ଆଉ କାନ୍ଦୁ ଥିଲେ।
ଯେତେ ପଚାରିଲେ ବି କିଛି କହି ପାରୁ ନଥିଲେ। ଖାଲି ତାଙ୍କ ଶୋଇବା ଘର ଆଡ଼କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଥିଲେ।
ଯାଇ ଦେଖିଲି ତ ମାଆଙ୍କର ଚେତା ନଥିଲା।ସାଙ୍ଗେ ସାଙ୍ଗେ କାର ରେ ପାଖ ହସ୍ପିଟାଲ କୁ ନେଇ ଗଲେ।
ଡାକ୍ତର ଦେଖି ସାରି କହିଲେ ଉଚ୍ଚ ରକ୍ତ ଚାପ ଯୋଗୁ ଏମିତି ହୋଇଛି ଔଷଧ ଲେଖି ଦେଉଛି ସବୁ ଠିକ୍ ହେଇଯିବ।
ଜାଣିପାରୁଥିଲି ମାଆ ରାତି ସାରା କାନ୍ଦୁଥିଲେ ସେଥିପାଇଁ ଏଇ ଅବସ୍ଥା।
ସକାଳେ ତାଙ୍କୁ ଘରକୁ ନେଇ ଆସିଲୁ।କିଛି ସମୟ ପରେ ବିଶୁ ଆସିଲା।ଆଉ ଜାଣି ପାରିଲା କଣ ଘଟିଛି।ମୋତେ ଏକା ଡ଼ାକିନେଇ କହିଲା ଦେଖ ଏବେ ଏସବୁ କହିବା ଠିକ୍ ହେବନି ।ମୁଁ ଏବେ ଏସବୁ କହିପାରିବିନି।
ସମୟ ବି ତ ନଥିଲା ହାତରେ ଆଉ ଦୁଇ ଦିନ ପରେ ଝିଅ ଘରକୁ ଯିବା ର ଥିଲା।ହେଲେ ବିଶୁ ଠିକ୍ କଥା କହୁଛି ଏବେ ଏଇ ସବୁ କଥା କହି ମାଆ ଙ୍କୁ ପୁଣି ଆଘାତ ଦେବା ଠିକ୍ ହେବନି।
ମାଆ ଏଥର ମୋତେ ପାଖକୁ ଡାକିଲେ ଆଉ ସ୍ନେହରେ ମୋ ମୁଣ୍ଡ ଆଉଁଶି ଦେଇ କହିଲେ ମାନି ଯାଆ ରେ ବାବା।
ଆଉ କଣ କହିପାରନ୍ତି ମୁଁ ଖାଲି ହଁ କହିଦେଲି।
ଏବେ ବି ମାଆ କାନ୍ଦୁଥିଲେ ହେଲେ ଏବେ ଗୋଟେ ଖୁସିର ଚମକ୍ ଥିଲା ତାଙ୍କ ଆଖିରେ।
ଏମିତି ହିଁ ଦୁଇ ଦିନ ବିତିଗଲା।ଯେତେ ବିଶୁ କୁ କହିଲି କି ଆସି ଘରେ ଟିକେ କହିଯାଆ ହେଲେ ସେ ମାଆଙ୍କ ପରିସ୍ଥିତି କଥା ଭାବି ସବୁବେଳେ ମନା କରୁଥିଲା।
କଲିକତା ଯିବା ଦିନ ଆସିଗଲା।ଆମେ ଏପଟୁ ଯିବୁ ଆଉ ପିଉସୀ କଟକରୁ ଟ୍ରେନରେ ଚଢ଼ିବେ।
ସନ୍ଧ୍ୟା ସମୟରେ ବାହାରିଲୁ।
ଷ୍ଟେସନରେ ଟ୍ରେନ ଆସୁନଥିଲା। ମାଆ ସିମେଣ୍ଟ ଚେୟାର ଉପରେ ବସିଥିଲେ।ବାପା ବି ସେଠି ପାଖରେ ମେଗାଜିନ ଟିଏ କିଣି ପଢୁଥିଲେ।
ସମସ୍ତେ ଚଳପ୍ରଚଳ,ଅସବ୍ୟସ୍ତ ମୁଁ କିନ୍ତୁ ଚୁପଚାପ୍ ଠିଆ ହୋଇଛି।ଯେମିତି ମୋ ପାଦରେ କଳଙ୍କି ଲାଗିଯାଇଛି।ବାପା ମେଗାଜିନ ଟା କିଣି ସାରି ମାଆଙ୍କ ପାଖରେ ବସିଲେ।ତିନି ଦିନ ହେଲା ବାପା ମାଆଙ୍କ ପାଖରେ ସବୁବେଳେ ରହୁଥିଲେ।
ମାଆଙ୍କ ଆଖିରେ ଗୋଟେ ଅଜବ ଚମକ୍ ଥିଲା।
ବହୁଦିନରୁ ପ୍ରତୀକ୍ଷା ଥିଲା ବୋଧେ ମୁଁ କେବେ ହଁ କହିବି।
ବାପା ମେଗାଜିନ ଧରି ବସିଥିଲେ କିନ୍ତୁ ବେଳେ ବେଳେ ମୋ ଆଡେ ଚାହିଁ ଚଷମା ଠିକ୍ କରି ହସି ଦେଉଥିଲେ।
ଟ୍ରେନ ଆସିଲା।ଏମିତି ଲାଗିଲା ଯେମିତି ମୋତେ ଦୁଇ ଫାଳ କରିଦେଇ ଟ୍ରେନ ଆଗକୁ ବଢିଲା।
ଏ.ସି ବଗିର ୧୩,୧୪,୧୫,୧୬ଆମର ସିଟ ଥିଲା। ସବୁ ଜିନିଷ ପତ୍ର ରଖି।ପୁଣି ଚାଲି ଆସିଲି ପ୍ଲାଟଫର୍ମ କୁ ।ଭଲ ଲାଗୁନଥିଲା ସେ ଟ୍ରେନ ଭିତରେ।
ମୋ ଆଗ ଦେଇ ରକେଟ୍ ବେଗରେ ପିଲା ଟିଏ ଦୌଡ଼ି ଗଲା ।ପଛରେ କିଛି ଭିଡ଼" ଧର ଧର ଧର"
ଚିତ୍କାର କରି ଦୌଡ଼ି ଚାଲିଛନ୍ତି। ବୋଧେ ଚୋରି କରିଛି ସେ।
ମୋ ଅବସ୍ଥା ବି ଠିକ୍ ସେଇ ପିଲା ପରି ଥିଲା ମୋ ପଛରେ ପୁରା ସମାଜ ଦୌଡୁ ଥିଲା।
ଟ୍ରେନ ଡ଼ାକ ଛାଡ଼ିଲା ପ୍ଲାଟ ଫର୍ମ ଛାଡ଼ିବ।ବାଧ୍ୟ ହୋଇ ମୁଁ ଟ୍ରେନରେ ଚଢିଲି।
ମାଆ ପାଖ ସିଟ ରେ ବସିଥିଲେ ବାପା ଡ୍ରପର କାଢି ଆଖିରେ ଡ୍ରପ ପକାଉଥିଲେ।ଟ୍ରେନ ହଲୁଥିଲା ପୁଣି ତାଙ୍କର ଥରିଲା ହାତ କିଛି ଡ୍ରପ୍ ତଳେ ପଡ଼ିଗଲା।
ବାପାଙ୍କ ହାତରୁ ଡ୍ରପର୍ ଟି ଆଣି ତାଙ୍କ ଆଖିରେ ପକେଇ ଦେଲି। ପାଖ ବର୍ତ ରେ ଗୋଟେ ସାନ ପିଲା ତା ପରିବାର ସହ ଥିଲା। ଖେଳି ଖେଳି ଆମ ପାଖକୁ ଆସିଲା ।
ଖୁବ୍ ଚଗଲା ଥିଲା ପିଲାଟା।
ହଁ,ପିଲା ବେଳେ ତ ସମସ୍ତେ ସେମିତି ଚଗଲା ଥାଆନ୍ତି। ସିଟ୍ ଧରି ଉପର ସିଟ୍ କୁ ଚଢ଼ିବାକୁ ଚାହୁଁ ଥିଲା।
ପଡିଯାଇଥିଲା ମୁଁ ଧରି ନେଲି। ଖୁସିରେ ସୁନ୍ଦର ହସଟେ ଦେଲା। ତାର ସେ ଗୋଲ୍ ଗୋଲ୍ ଆଖି ଆଉ ଗାଲ ହସକୁ ଆହୁରି ସୁନ୍ଦର କରି ଗଢ଼ିଦେଲା।
ପିଲାବେଳ କେତେ ସୁନ୍ଦର କିଛି ଚିନ୍ତା ନାହିଁ।
ମାଆ ଅଚାନକ କହିଲେ ଏବେ ତ ତୁ ପିଲାଙ୍କର ବାପା ହେଇଥାନ୍ତୁ ଯେବେ ଠୁ ବାହା ହେବାକୁ କହିଲି। ଆଜି ଦେଖ ପର ପିଲାକୁ କାଖରେ ଧରି ଗେଲ କରୁଛୁ। ଏତିକି କହି ଅଭ୍ୟାସ ଅନୁସାରେ ମାଆ ମୁଁହ ଟାକୁ ଅଧା ମୋଡ଼ା କରି ଫେରାଇ ନେଲେ।
ଏ କଣ ହେଉଛି ମୋ ମାଆଙ୍କର ଏତେ କଟୁ କଥା ମୋତେ ଆଗରୁ କେବେ କହି ନଥିଲେ।
ମନକୁ ଦୃଢ଼ କରି ଭାବିଲି ଏବେ ହିଁ କହିଦେବି ସବୁ ସତ କଥା।
ଡରି ଡରି ମାଆଙ୍କର ହାତ ତାକୁ ଟାଣି ଆଣିଲି।ଆଉ କହିଲି ମାଆ ଗୋଟେ କଥା ଅଛି।
ଏତିକି ସମୟରେ ସେ ଝିଅ ଘରୁ କଲ୍ ଆସିଲା ।ବାପା କଲ୍ ଉଠେଇ କହିଲେ ହଁ ଆମେ ଯାଉଛୁ।
ଝିଅର କେଉଁ ସମ୍ପର୍କୀୟ ଜଣେ ମୋ ସହ କଥା ହେବାକୁ ଚାହୁଁ ଥିଲେ।
ବାପା ମୋ ଆଡ଼କୁ ମୋବାଇଲ ଟି ଦେଲେ ମୁ ହେଲୋ ହେଲୋ କହି ଜାଣି ଜାଣି କାଟିଦେଲି।
ମାଆ କିନ୍ତୁ ମୋ ବାହାନା ଜାଣି ସାରିଥିଲେ।
ରାଗିକି କହିଲେ ଆଉ କେତେ ବାହାନା କରିବୁ ଆଉ ଏ ବାହାନା ସବୁ କଣ ପାଇଁ କେଉଁ ଝିଅକୁ ଯଦି ଭଲ ପାଉ ଏବେ ବି ସମୟ ଅଛି କହିଦେ।
ମୁଁ ମାଆଙ୍କର ହାତକୁ ଦୃଢ଼ ଭାବେ ଧରିଲି।ଆଉ କହିଲି ହଁ ମା ମୁଁ ଏଇ ବାହା ଘରରେ ରାଜି ନୁହେଁ। ମୁଁ ଜଣକୁ ଭଲପାଏ।
ଖାଲି ସେ ଝିଅ ନୁହେଁ ମୁଁ କେଉଁ ଝିଅକୁ ବି ବାହା ହେଇ ପାରିବିନି। ମୋତେ ଝିଅ ପସନ୍ଦ ନୁହେଁ।
ମାଆ ରାଗିକି କହିଲେ ଆଉ କଣ ପୁଅ ପସନ୍ଦ ।
ମୁଁ କହିଲି ହଁ ମା ମୋର ପୁଅ ପସନ୍ଦ।
ମାଆ ସ୍କୁଲରେ ବିଜ୍ଞାନ ବିଭାଗର ଶିକ୍ଷୟିତ୍ରୀ ଥିଲେ।ଜଣେ ପୁଅ ଯେ ପୁଅ କୁ ପସନ୍ଦ କରିବା ଅର୍ଥ କଣ ସେ ଜାଣି ସାରିଥିଲେ।
ଥଙ୍ଗେଇ ଥଙ୍ଗେଇ କହିଲେ ମାନେ ତୁ ..............
ମାଆ ରହିଗଲେ ଶବ୍ଦ ଟା କହି ପାରିଲେ ନାହିଁ।କିନ୍ତୁ ଯେଉଁ ଶବ୍ଦ କହିବାକୁ ଚାହୁଁ ଥିଲେ ସେଇଟା ହିଁ ମୋର ସତ୍ୟତା।
ହଁ ମା ମୁଁ ଜଣେ "ଗେ"।
ମାଆ ସିଧା ଦୌଡ଼ି ଦୌଡ଼ି ଗଲେ ଲାଟିନ ଆଡ଼କୁ ମୁଁ ତାଙ୍କ ପଛେ ପଛେ ଦୌଡିଲି।
ଯେତେ କବାଟ ବାଡେଇଲେ ମଧ୍ୟ ଖୋଲିଲେ ନାହିଁ। କିଛି ସମୟ ପରେ ବାହାରକୁ ବାହାରିଲେ ଚେହେରା ପୁରା ନାଲି ଥିଲା । ସେଥିରୁ ଜାଣି ହେଉଥିଲା ସେ ଭିତରେ କେତେ କାନ୍ଦୁଥିଲେ।
ଧୀରେ ଧୀରେ ଆସି ପୁଣି ବସିଲେ ସିଟ୍ ଉପରେ।କହିଲେ ଦେବୁ ଆମର କଣ ଭୁଲ ରହିଲା ତତେ ତ ଆମେ ଭଲ ସଂସ୍କାର ଦେଇ ବଢେଇ ଥିଲୁ ।ତୁ ଶେଷରେ ଏଇୟା କଲୁ।
ସେମାନେ ମୋ ସତ୍ୟକୁ ମାନିବାକୁ ନାରାଜ ଥିଲେ ।ହେଲେ ସତ ତ ସବୁବେଳେ ସତ।
ମାଆ ଙ୍କୁ ଦେଖିବା ଭିତରେ ମୁଁ ବାପାଙ୍କ କଥା ପୁରା ପୁରି ଭୁଲି ଯାଇଥିଲି। ସେ ସେମିତି ପଥର ଭଳି ବସିଥିଲେ ଆଉ ଲୁହ ଗଡ଼େଇ ଚାଲିଥିଲେ।
ପାଖ ପିଲାଟା ଭାରି ଆଶ୍ଚର୍ଯ୍ୟର ସହିତ ଦେଖୁଥିଲା ସବୁ ବୋଧେ ଭାବୁଥିଲା ଆରେ ବଡ଼ ମାନେ ବି କଣ କାନ୍ଦନ୍ତି।
ତା ପରିବାର ଲୋକେ କହି ଉଠିଲେ କଣ ହେଲା ଆପଣ ମାନଙ୍କର ହଠାତ୍ ଏମିତି ।କେହି କିଛି କହୁ ନଥିଲେ।
ମୁଁ ଆଗଭର ହେଇ କହିଲି ପାରିବାରିକ ମାମଲା।
ସେମାନେ ଆଉ କିଛି କହିଲେ ନାହିଁ। ବାପା ମା କେହି କଥା ହେଉ ନଥିଲେ ମୋ ସହ।ଦେଖୁ ଦେଖୁ ଭୁବନେଶ୍ୱର ପାରିହେଲୁ।
ମୁଁ ଭୁବନେଶ୍ୱର ହିଁ +୨ ପଢ଼ୁଥିଲି ଏଇଠି ହିଁ ପ୍ରଥମେ ନିଜକୁ ଚିହ୍ନି ଥିଲି ଏମିତି କେତେ କଥା।
ଟ୍ରେନ କେତେବେଳେ କଟକ ଆସି ପହଁଚିଲା ମୁଁ ଜାଣି ନଥିଲି।
ମାଆ ଖାଲି ଏତିକି କହିଲେ ଯାଆ ପିଉସୀ ଙ୍କ ଜିନିଷ ସବୁ ନେଇ ଆସିବୁ।
ମୁଁ ବାହାରକୁ ଗଲି ପିଉସୀ ଗୋଟେ କୁଲି ସହ କଳି କରୁଥିଲେ, ଟଙ୍କା କମ୍ ଦେବେ ବୋଲି।
ଜିନିଷ ପତ୍ର ସବୁ ଟ୍ରେନ କୁ ଉଠେଇ ନେଲି।
ପିଉସୀ ଆସି ଦେଖିଲେ ମାଆ ବାପା କାନ୍ଦୁଛନ୍ତି।କହିଲେ ପୁଅ ବାହା ଘର ହେବ କାନ୍ଦୁଛ କଣ??
ମାଆ କହିଲେ କଣ ପାଇଁ କାନ୍ଦୁଛୁ ଦେବୁ କୁ ହିଁ ପଚାରି ନିଅ।
ମୁଁ ପିଉସୀ ଙ୍କୁ ବାପା ମାଆ ସମସ୍ତଙ୍କୁ ପ୍ରଣାମ କଲି।
ପାଖ ବର୍ତ୍ ରେ ଥିବା ପିଲାଟା ହଠାତ୍ କାନ୍ଦିଲା।ମୋ ପିଉସୀ ପିଲା ର ମାଆ କୁ କହିଲେ ପିଲା ପାଳିବା ଶିଖ ।ପାଟିରେ ପାନକୁ ଚୋବେଇ ଚବେଇ ପୁଣି ମୋ ଆଡ଼କୁ ଚାହିଁଲେ।
ଏବେ ମୋର ପିଉସୀ ସହ ସାମ୍ନା ହେବାର ଥିଲା।
କେମିତି କହିବି ଯେ ମୁଁ ତୁମ ବଂଶକୁ ଆଉ ଆଗକୁ ବଢେଇ ପାରିବି ନାହିଁ।
ମାଆ ବାପାଙ୍କର ପ୍ରତିକ୍ରିୟା ଦେଖି ମୁଁ ପୁରା ଭାଙ୍ଗି ଯାଇଥିଲି ତଥାପି ସାହସ ଭରି କହିଲି ।
ପିଉସୀ ମୁଁ ସେ ଝିଅକୁ ବାହା ହେଇପାରିବି ନାହିଁ ।କାରଣ ତାକୁ ବାହା ହେଲେ ମୋର ଆଉ ତାର ଦୁହିଁଙ୍କ ଜୀବନ ନଷ୍ଟ ହେବ।
ମୋର ଝିଅ ନୁହେଁ ପୁଅ ପସନ୍ଦ ।ଆଉ ଶ୍ରେୟସ ସହ ମୋର ସମ୍ପର୍କ ବିଷୟରେ କହିଲି।
ପିଉସୀ ରାଗିକି କହିଲେ ଦେବୁ କଣ ଟିକେ ବଡ଼ ହେଇଗଲୁ ଯାହା ମନକୁ ଆସୁଛି କହୁଛୁ।
ଚାରି ଆଡେ଼ ଚାହିଁଲେ ଆଉ କେହି ଦେଖୁ ନାହାନ୍ତି ତ।
ଆଉ କହିଲେ ତତେ ଟିକେ ଲାଜ ଲାଗୁନି।
ଲୁହକୁ ରୋକି ମୁଁ ଉତ୍ତର ଦେଲି କଣ ଲାଜ ମୁଁ ପୁଅ ମାନଙ୍କ ଠାରୁ ଅଲଗା ସତ ହେଲେ କିଛି ପାପ କରି ନାହିଁ।
ପିଉସୀ ରାଗି ଯାଇ ହାତରେ ଥିବା ମାଳ ଟାକୁ ଜୋରରେ ଗଡ଼େଇ ଚାଲିଲେ।କିଛି ସମୟ ପରେ କଲିକତା ମୁଁ କଣ କରିବି ଭାବୁଥିଲି।
ଭାବୁଥିଲି ଟ୍ରେନ ରୁ ଡେଇଁ ଜୀବନ ଦେଇ ଦେବି।
ଭାବିଥିଲି କେହି ତ ବୁଝିବେ ମୋ କଥା କିନ୍ତୁ କେହି ବୁଝିବାକୁ ନାରାଜ।
ଟ୍ରେନ କୌଣସି କାରଣ ଯୋଗୁ ଗୋଟେ ଛୋଟ ଷ୍ଟେସନ ରେ କିଛି ସମୟ ପାଇଁ ରହିଲା।
ପିଉସୀ ମୋ ହାତ ଧରି ଟ୍ରେନ ବାହାରକୁ ନେଇ ଗଲେ।ଆଉ ଛୋଟ ଷ୍ଟେସନ ରେ କେହି ନଥିଲେ କହିଲେ ଚଳେ।
କହିଲେ କଣ ତୁ କହୁଛୁ ଦେବୁ ??
ଏସବୁ କେବେ ଠୁ ହେଉଛି ତୋ ସହ ।
ସେ ମୋ ସତକୁ ବୋଧେ ରୋଗ ଭାବି ବସିଥିଲେ।
କହିଲେ ଦେଖ ଦେବୁ ତୋ ମାଆ ବାପା ଙ୍କୁ ,କଣ ହେଇଛି ତାଙ୍କ ଅବସ୍ଥା ଏସବୁ ଛାଡ଼ି ବାହା ହେଇ ଯାଆ ସେ ଝିଅକୁ ଧୀରେ ଧୀରେ ସବୁ ଠିକ୍ ହେଇଯିବ।
ଏବେ ମୁଁ ରାଗି ଯାଇ କହିଲି କଣ ଠିକ୍ ହେଇଯିବ।
ସେ ପୁଣି କହିଲେ ଧୀରେ ଧୀରେ ସବୁ ପରିବର୍ତ୍ତନ ହେଇଯିବ ସେ ଝିଅ ତତେ ନିଶ୍ଚୟ ପସନ୍ଦ ହେବ।
ମୁଁ ପୁଣି ରାଗିକି କହିଲି କଣ ମୁଁ ବି ତମ ଭଳି ପରିବର୍ତ୍ତନ କୁ ମାନି ନେବି।ମୁଁ ସେମିତି ରହି ପାରିବିନି।
ଏଥର ସେ କହିଲେ ମୋର ପରିବର୍ତ୍ତନ ମାନେ କଣ ଦେବୁ????
ପିଉସୀ ବାଲ୍ୟ ବିଧବା ।୧୭ବର୍ଷ ବୟସରେ ସ୍ବାମୀ ମରିଗଲେ ପରେ ଆଶ୍ରମ ରେ ରୁହନ୍ତି।
ମୁଁ ତାଙ୍କୁ କହିଲି କଣ ତମକୁ ଏଇ ଆଶ୍ରମ ଜୀବନ ପସନ୍ଦ ଥିଲା।
କହିଲେ ନା ବିଧବା ଙ୍କୁ ଏଇ ସମାଜ କେମିତି ହତାଦର କରେ ତୁ ଜାଣିଛୁ ତେଣୁ ବାଧ୍ୟ ହୋଇ ମୋତେ ଆଶ୍ରମ ଯିବାକୁ ହେଲା।ଇଚ୍ଛା ବିରୁଦ୍ଧରେ ହିଁ ଜୀବନ ବଞ୍ଚିବାକୁ ହେଲା।ମୋ ବାହାଘର ୪୦ଦିନ ପରେ ହିଁ ମୋ ସ୍ଵାମୀ ଚାଲିଗଲେ।୧୭ବର୍ଷ ବୟସରେ କଣ ବା ବୁଝିଥିଲି ଜୀବନ କୁ ।ହେଲେ ସେତେବେଳେ ବାଲ୍ୟ ବିଧବାକୁ ସମାଜ ଅନେକ ଭ୍ରୁକ୍ଷେପ କରୁଥିଲା।
ଆଉ ଜଣେ ଝିଅ ହେଇ ନିଜ ମନ ମୁତାବକ ବଞ୍ଚିବା ଭାରି କଷ୍ଟ ।ସମସ୍ତଙ୍କ କଥା ମାନି ଚାଲିବାକୁ ହେବ।ତେଣୁ ସମାଜ ଛାଡ଼ି ଚାଲି ଆସିଲି ଆଶ୍ରମ କୁ।
ମୁଁ କାନ୍ଦି କାନ୍ଦି କହିଲି ଦେଖ ମୋ ସହ ବି ତ ଠିକ୍ ସେମିତି ହେଉଛି ମୋ ଇଚ୍ଛା ବିରୁଦ୍ଧରେ ମୋ ବାହା ଘର କରା ଯାଉଛି।
ପିଉସୀ କିଛି ସମୟ ଭାବିଲା ପରେ ବୁଝି ପାରିଲେ ସବୁ କଥା ।ଟ୍ରେନରେ ଚଢିଲେ ଆଉ ବାପା ମାଙ୍କୁ କହିଲେ ସେ ଠିକ୍ କହୁଛି ସେମିତି ତା ସହ କରିବା ଠିକ୍ ହେବନି।
ତାକୁ ତା ଇଚ୍ଛା ଅନୁସାରେ ବଞ୍ଚିବାକୁ ଦିଅ।
ମାଆ କାନ୍ଦିବାକୁ ଲାଗିଲେ ବୋଧେ ଭାବିଥିଲେ ପିଉସୀ ମୋତେ ବୁଝେଇ ବାହା ଘର ପାଇଁ ରାଜି କରିଦେବେ କିନ୍ତୁ ତାର ବିପରୀତ ହେଲା।
ମାଆ ଏବେ ବହୁତ୍ ଜୋର୍ ରେ କାନ୍ଦିବାକୁ ଲାଗିଲେ।
ମୁଁ ମାଆଙ୍କ ଗୋଡ଼ ଧରିନେଲି ଆଉ କାନ୍ଦି କାନ୍ଦି ସାନ ପିଲା ଭଳି କହିଲି ଏବେ ତ କିଛି କୁହ ମା ମୁଁ ହାରି ଯାଉଛି।
ମାଆ ଏଥର ମୋ ପିଠି ଉପରେ ହାତ ରଖି କହିଲେ ନାଇ ବାବା ମୁଁ ତୋତେ ହରିବାକୁ ଦେବିନି। ଯାହା କାଳିଆର ଇଚ୍ଛା ।
ତୁ ତୋ ନିଜେ କିଛି କରିନୁ।ଭଗବାନ ଯେମିତି ଗଢ଼ିଛନ୍ତି।
ଏତିକି କହି କୁଣ୍ଢେଇ ପକାଇଲେ।
ଆଉ କହିଲେ କଲିକତା ରୁ ଟିକେଟ କର ଆମେ ଉତ୍ତର ପ୍ରଦେଶ ଯିବା ଶ୍ରେୟସ୍ ପାଖକୁ।
ବାପାଙ୍କୁ କହିଲେ ଝିଅ ଘରକୁ ବୁଝେଇ ଦିଅ ଆମେ କ୍ଷମା ମାଗି ନେବା ତାଙ୍କୁ।
ସମ ଲିଙ୍ଗି ସମ୍ପର୍କ ଅପରାଧ ନୁହେଁ । ଧାରା ୩୭୭ଲାଗୁ ହେବା ପରେ ତାଙ୍କୁ ତାଙ୍କର ଅଧିକାର ମିଳିଲା ।
ହେଲେ ମଧ୍ୟ ପୂର୍ଣ୍ଣ ଅଧିକାର ମିଳି ନାହିଁ।
ବର୍ତମାନ ମଧ୍ୟ ତାଙ୍କ ଆଧାର କାର୍ଡ ଆଉ ଅନ୍ୟାନ୍ୟ ପ୍ରମାଣ ପତ୍ରରେ ପୁରୁଷ ହିଁ ଲେଖା ଅଛି। ଆଉ ତାଙ୍କୁ ପିଲା ପୌଷ୍ୟ ଭାବରେ ଗ୍ରହଣ କରିବାର ଅଧିକାର ଦିଆ ଯାଇ ନାହିଁ।
ସମାଜ ଏବେ ମଧ୍ୟ ତାଙ୍କୁ ଗ୍ରହଣ କରୁନାହିଁ।
କିନ୍ତୁ ତାଙ୍କୁ ତାଙ୍କ ଅଧିକାର ଦେଇ ସମ୍ମାନ ସହ ବଞ୍ଚି ବାକୁ ଦେବା ଉଚିତ୍।