ଚିତାକଟା ଭଦ୍ରଲୋକ
ଚିତାକଟା ଭଦ୍ରଲୋକ


ମେସଟା ସବୁବେଳେ ଭାରି ଶାନ୍ତ ପୁରା ଶୋଇଥିବା କୁମ୍ଭୀର ଭଳି । ବେଶୀ ନିୟମ କାନୁନ୍ ନାହିଁ ଏଠି ୩୦ ବର୍ଷର ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ଘୋଷି ଘୋଷି ଅପେକ୍ଷାରେ ଥିବା ଛାତ୍ରଠୁ ଆରମ୍ଭ କରି ଯୁକ୍ତ ଦୁଇର କମ୍ ଜ୍ଞାନରେ ନିଜକୁ ଜ୍ଞାନୀ ଭାବୁଥିବା ଛାତ୍ର ବି ଅଛନ୍ତି । ହେଲେ କେହି କେବେ ବଡ଼ ସାନର ଫରକ୍ ଜାଣିବାକୁ ଦିଅନ୍ତି ନାହିଁ ।
କିଛି ଦିନ ନିଶା ଖାଇ ଅବାଟରେ ଯାଉଥିବା ପିଲା ବି ଥିଲେ ହେଲେ ପରେ ବିତାଡିତ ହେଲେ । କିନ୍ତୁ ସବୁ ମେସ, ହଷ୍ଟେଲ ଭଳି ଏଠି ବି କିଛି ହତାସିଆ ପ୍ରେମିକ ଅଛନ୍ତି ।
ଯେଉଁମାନଙ୍କର କାମ ହେଲା ସକାଳୁ ସକାଳୁ ଉଠି ବିଭିନ୍ନ ଆପ୍ ଭ୍ରମଣ କରି ମରୁ ମରୀଚିକା ଷ୍ଟାଟସ୍ ଦେବା ।
ତାଙ୍କର ଷ୍ଟାଟସ୍ ଦେଖିଲେ ଯାହାର ବି ହେଲେ ପ୍ରେମ ଉପରୁ ଆସ୍ଥା ତୁଟିଯିବ ।
କିଛି ଅଛନ୍ତି ଫ୍ରି ଫାୟାର ଆଉ ପବ୍ ଜି ପାଗଳ ।
ଏଇ ଶଙ୍କରା ବନ୍ଧୁମାନଙ୍କର କାମ ହେଲା ସକାଳୁ ଉଠି ଖାଲି ଗେମ୍ ଖେଳିବା ।
ଏମାନେ କେତେବେଳେ ଶୁଅନ୍ତି କେତେ ବେଳେ ଉଠନ୍ତି ସ୍ଵୟଂ ବିଶ୍ଵନାଥ ବି ଜାଣି ନଥିବେ ।
କିଛି ଅଛନ୍ତି ୱେବ ସିରିଜ ଆଉ ଟ୍ରାନଜିକ୍ସନ ପାଇଁ ସବୁବେଳେ ବ୍ୟସ୍ତ ।
କିନ୍ତୁ ନାନା ଭିନ୍ନତା ଭିତରେ ଏକତା ଦେଖିବାକୁ ମିଳେ ।
କ୍ରିକେଟ୍ ଖେଳ ହେଲେ, ସମସ୍ତେ ସବୁ ଛାଡ଼ି ସାଥିରେ ଖେଳ ଦେଖୁ ।
ଖେଳରେ କେହି ଟିକେ ଭୁଲ କଲେ ନୂଆ ନୂଆ ଶବ୍ଦ ସବୁ ଆବିଷ୍କାର ହୁଏ ଗାଳି ଦେବା ପାଇଁ,ସେ ଭାରତ ହେଉ କି ଆଉ କେଉଁ ଦେଶ ।
ଅନେକ ପିଲା ପାଠରେ ବି ଭାରି ବ୍ୟସ୍ତ ।
ସେ ଭିତରୁ ଆମେ ହେଲୁ ଚିତାକଟା ଭଦ୍ରଲୋକ ।
ଭଦ୍ରଲୋକଙ୍କ ଶ୍ରେଣୀ ବିଭାଗ ହେଲେ ଆମେ ପୁରା ଶ୍ରେଷ୍ଠତ୍ୱର ଚରମ ସୀମାରେ । ଖାଲି ଦେଖେଣାହାରି ଭଦ୍ରଲୋକ ।
ମୁଁ ଭାବେ ହଷ୍ଟେଲରେ ରହୁଥିବା ପିଲା ହିଁ ସବୁଠାରୁ ବେଶୀ ବୁଦ୍ଧିମାନ । କାରଣ ନାନା ପ୍ରକାରର ଉଦ୍ଭାବନ ଆମ ଦ୍ଵାରା ହୁଏ । ଅବଶ୍ୟ ତାହା ମଣିଷ ସମାଜ ପାଇଁ କାର୍ଯ୍ୟକାରୀ ନହେଇ କେବଳ ବ୍ୟଙ୍ଗ ପାଇଁ ଉଦ୍ଦିଷ୍ଟ ।
ବହୁତ୍ ଜିନିଷ ଆମେ ନିଜେ ନାଆଁ ଦେଇଦେଉ । ଯେମିତି ଗୋଟେ ତରକାରୀ ଅଛି" ଅଜ୍ଞାନ ଘଣ୍ଟ" ନାଆର ଗଭୀର ଅର୍ଥ ଆଉ ତାତ୍ପର୍ଯ୍ୟ ଅଛି ।
ଦୂରଦୃଷ୍ଟି ଦେଇ ଅବଲୋକନ କଲେ ଜଣା ପଡେ ଯେ ଇତିହାସ ପୃଷ୍ଠାରେ ଏହି ତରକାରୀ ସ୍ଥାନ ପାଇଛି ।
ସବୁ ପରିବା ମିଶି ତିଆରି ହୁଏ ଏଇ ତରକାରୀ । ଏମିତି ଘଣ୍ଟା ଯାଇଥାଏ କଣ କଣ ପରିବା ପଡ଼ିଛି କେହି ଜାଣି ପାରନ୍ତି ନାହିଁ । ତେଣୁ ଯଥାର୍ଥରେ ଏହାର ନାଆ ରଖାଗଲା ଅଜ୍ଞାନ ଘଣ୍ଟ ।
ରୋଷେଇ କରୁଥିବା ନନାଙ୍କ କହିବା ଅନୁଯାୟୀ ଦୀର୍ଘବର୍ଷ ହେଲା ଉପୋରକ୍ତ ତରକାରୀ ହେଉଛି । ଆଉ ସବୁ ଖାଇବା ବହୁତ୍ ଦିନରୁ ପ୍ରଚଳିତ ।
ସିଏ ବିଶେଷ ଟିପ୍ପଣୀ ପ୍ରଦାନ କରି ନିଜର ଗାରିମା ବୃଦ୍ଧି କରିବାକୁ ଯାଇ ଛାତିକୁ ଈଷତ୍ ଫୁଲାଇ, କଣ୍ଠକୁ ଉଚ୍ଚ ରାଗରେ ରଖି କୁହନ୍ତି ଏଇ ଖାଇବା ଖାଇ ଏଇଠୁ କେତେ ପିଲା ଆଇଏଏସ, ଓଏଏସ୍, ଡକ୍ଟର, ଇଂଜିନିୟର, ରେଲୱେ, ବ୍ୟାଙ୍କିଙ୍ଗ ଇତ୍ୟାଦି ମୁଖ୍ୟସ୍ରୋତରେ ସାମିଲ ଅଛନ୍ତି ।
ରୋଷଇୟା ନନାଙ୍କ ବିଶେଷ ଟିପ୍ପଣୀକୁ ଯଦି ଆମେ ଦାର୍ଶନିକ ଦୃଷ୍ଟିରୁ ଦେଖିବା ସେ ସିଧାସଳଖ ଭାବେ ଏହା କହିବାକୁ ଚାହାନ୍ତି କି ଏଇ ଖାଇବା ହିଁ ସେମାନଙ୍କୁ ଏତେ ବଡ଼ ବଡ଼ ଆସନରେ ବସେଇଛି ।
ତେଣୁ ସେ ଆଉ ତାଙ୍କ ରୋଷେଇ ଯେ ସର୍ବଶ୍ରେଷ୍ଠ ଏଥିରେ କୌଣସି ସନ୍ଦେହର ଚିହ୍ନ ବର୍ଣ୍ଣ ନାହିଁ ।
କିନ୍ତୁ ବିଶେଷ ସୂତ୍ରରୁ ଜଣା ଯାଏ ଯେ ନନା ହେଲେ ଜଣେ ବାହାପିଆ ଲୋକ ।
ଆମ ରୁମରେ ଥିବା ଜଣେ ବନ୍ଧୁ ନିତ୍ୟ । ବନ୍ଧୁ ଜଣକ ଆଇଆଇଟି ଜାମ୍ ପ୍ରସ୍ତୁତିରେ ବ୍ୟସ୍ତ । କ୍ଵଚିତ ତାଙ୍କୁ କେହି କଲ୍ କରନ୍ତି ।
ଏହି ଦୂରଦୃଷ୍ଟି ଥିବା ବନ୍ଧୁ ଜଣକ ଜଣେ ଝିଅକୁ ଭଲ ପାଆନ୍ତି । ତେଣୁ ଆଇଆଇଟି ଜାମ ଦେଇ ସାରିଲେ ଦୁଇ ବର୍ଷ ପଢ଼ି କ୍ୟାମ୍ପସ ପାଇବା ତାଙ୍କର ଲକ୍ଷ୍ୟ କାରଣ ଝିଅଟି ଆମ ଠାରୁ ମାତ୍ର ବର୍ଷେ ସାନ ।
ତେଣୁ ଯେତେ ଜଲଦି ଚାକିରି କରିବେ ସେତେ ଜଲ୍ଦି ବାହା ହେବେ ।
ରାତି ୯ ପାଖାପାଖି ତାଙ୍କ ମୋବାଇଲରେ ହଠାତ୍ କଲ୍ ଆସିଲା । ସେପଟୁ କେହି କଥା ହେଲେନି ।
ପୁଣି ଏମିତି ହେଇ ହେଇ ଚାରି ପାଞ୍ଚ ଥର ହେଲା ।
ତାପରେ ସେ ବ୍ୟସ୍ତ ହେଇ ଯାଇ ଟ୍ରୁ କଲର ରେ ଦେଖିଲେ " ମଧୁ" ।
ସଙ୍ଗେ ସଙ୍ଗେ ସମସ୍ତଙ୍କ ନଜର ତା ଉପରେ ।
ମୁଁ କହିଲି ମଧୁ ମାନେ ମଧୁସ୍ମିତା ହେଇଥିବ
ଆଉ ଜଣେ ନା ମଧୁମିତା
ଆଉ ଜଣେ ନା ମଧୁବାଳା ବି ହେଇଥାଇ ପାରେ ।
ଏମିତି ମଧୁ ନେଇକି ଯେତେ ହେଇପାରିବ ଝିଅଙ୍କ ନାଆ କହି ଚାଲିଲେ ।
ତାପରେ ଚୂନ ମାରିଲା ଭଳି କମେଣ୍ଟ ମାରି ସମସ୍ତେ କହିଲେ ଆମ ନିତ୍ୟ ତ ପୁରା ହିରୋ ନିଶ୍ଚୟ କେହି ଜଣେ ଝିଅ କଲ୍ କରିଛି ।
ମୋର ବି ପ୍ରତିଲିପି କେତେବେଳେ ଦେଖିଲେ ସେମାନେ ମୋତେ ରିଭ୍ୟୁ ଆଉ କମେଣ୍ଟ୍ ଦେଇଥିବା ଝିଅଙ୍କୁ ଦେଖି କୁହନ୍ତି ଭାଇତ ଆମର ପୁରା ହିରୋ ।
ତେଣୁ ମୁଁ ବି ଛାଡ଼ୁ ନଥିଲି ତିନି ଚାରି ଜଣ ମିଶି ଦୁନିଆ କଥା ହେଲୁ ।
ଖାଲି ଖାଲି ଦୁନିଆ କାହାଣୀ ତିଆରି ହେଲା ।
କିଏ କହିଲା ମୁଁ ଦେଖିଛି ପରା ନିତ୍ୟ କଲେଜରେ ଝିଅଙ୍କ ସହ କଥା ହୁଏ ।
ଏଇଟା ନିଶ୍ଚୟ କେଉଁ କଲେଜ ଝିଅ ଗ୍ରୁପରୁ ନମ୍ୱର୍ ପାଇ କରିଛି, କଥା ହେବାକୁ ଟିକେ ଲାଜ କରୁଛି ଆଉ ।
ସେଦିନ ରାତି ଏମିତି ନାନା ଅନିଶ୍ଚିତତା ଭିତରେ କଟିଲା ପରେ ତାପର ଦିନ ସକାଳେ ଅନେକ ଥର ନିତ୍ୟ ସେ ନମ୍ୱରରେ କଲ୍ କଲା ।
ଆଉ ଖୁସିର କଥା ଏବେ କିନ୍ତୁ ମଧୁ କଥା ହେଲେ ।
କିନ୍ତୁ ଏଇ ମଧୁ ନା ଥିଲେ ମଧୁସ୍ମିତା,ନା ମଧୁମିତା,ନା ମଧୁବାଳା ।
ସେପଟୁ ସିଏ କହିଲେ ସରି କାଲି ଭୁଲ ନମ୍ୱରରେ ଲାଗିଯାଇଥିଲା । ମୁଁ ମଧୁସୁଦନ କହୁଥିଲି ।
ଆମେ କେବେ ବି ଭାବିନଥିଲୁ କି ମଧୁ ପରେ ସୁଦନ ବି ହେଇପାରେ ।