STORYMIRROR

ଦୀପଙ୍କର ଦାସ

Romance Tragedy

4  

ଦୀପଙ୍କର ଦାସ

Romance Tragedy

ଲଭ ଲାଉଙ୍ଗୁଏଜ

ଲଭ ଲାଉଙ୍ଗୁଏଜ

5 mins
272

କାମାଗ୍ନିରେ ଜଳ ଢାଳି ତନୁଲତା ପଚାରିବସେ- "ବାବୁ ଏଇ ପ୍ରେମର ମାନେ କି କହତ??"

ଉତ୍ତର ଦେବା ପରିସ୍ଥିତିରେ ନ ଥାଏ ମୁଁ। ଆହୁରି ଭିଡ଼ିଧରି ଚେଷ୍ଟା କରେ କାମଭୋଗର ପ୍ରଥମ ପର୍ଯ୍ୟାୟ ରେ ଅବତୀର୍ଣ୍ଣ ହେବାକୁ। ତନୁ ଏଇ ପ୍ରଶ୍ନ ବାରମ୍ବାର ପଚାରେ, କେବେ ଉତ୍ତର ଦେଇ ନାହିଁ ମୁଁ। ଆଜି ପୁଣି ସେଇ ପ୍ରଶ୍ନ କିନ୍ତୁ ଏବେ ତନୁ ତାର ସ୍ଵରରେ ଆହୁରି ନିଜର ପଣିଆ ସାମିଲ କରି ପଚାରିଲା।ମୁଁ ଅଟକି ଯାଇ ତା ମୁହଁର ଜ୍ୟାମିତିକୁ ଭଲ ଭାବେ ଦେଖିଲି।ମାନଚିତ୍ର କିଛି ବଦଳିଲା ଭଳି ଲାଗିଲା। ଭ୍ରୁଲତା ଦୁଇ ପାଖକୁ ପାଖକୁ ଭିଡ଼ି ଈଷତ୍ ଉପରକୁ ଉଠି ଯାଇଛନ୍ତି। ନାକ ଅଗ ନାଲି ଦିଶୁଛି।ସାନ ପିଲା ଯେମିତି ଅଜବ ଗଜବ ପ୍ରଶ୍ନ କରି ଉତ୍ତର ମାଗିଥାଏ ଆଉ ମାଆ ଏଣୁ ତେଣୁ କହି ଭଣ୍ଡେଇ ଦିଅନ୍ତି ,ମୁଁ ବି ଭାବୁଥିଲି ସବୁଥର ଭଳି ଏଥର ବି କିଛି ଗୋଟେ କହି ଫାଙ୍କି ଦେବି। କିନ୍ତୁ ତାର ଆଖି ଦୁଇଟିକୁ ଅନେଇଲି ଅସ୍ତମିତ ସୂର୍ଯ୍ୟ ସମ, ଉତ୍ତର ଭିକ୍ଷା କରୁଥିଲା ଦିଗବଳୟକୁ .....କାହିଁ ଲୁଚେଇ ଦେଉଛି ତାର ଅସ୍ତିତ୍ଵକୁ।

ମୁଁହରେ ଈଷତ୍ ଅଭିମାନର ଛାପ।ମୁଁ କଥାକୁ ଏଡାଇବାକୁ ଯାଇ, ତାର ସୁନ୍ଦର କବରୀକୁ ମୁକ୍ତ କରିଦେଲି ଆଉ କହିବସିଲି- "ଏଇ ଅଭିମାନ ଦେଖିବା ବାକି ଥିଲା। କିନ୍ତୁ ସତ ତନୁ ଅଭିମାନରେ ବି ତୁ ଏତେ ସୁନ୍ଦର ଦେଖାଯାଅ ଜାଣିନଥିଲି।"

ବାହାରେ ବର୍ଷା, ବର୍ଷାରେ ତନୁର ମାଟିଘର ଛପର ପୁରା ତିନ୍ତି ଯାଇଛି। ମୁଁ ହିଁ ହରିଆ ପ୍ରଧାନକୁ କହି ଛାଉଣି ଦେଇ ଥିଲି ଆରବର୍ଷ, ଭୁଲି ଯାଇଥିଲି ବର୍ଷା ଦିନରେ ପୁଣି ସଜେଇବାକୁ ପଡ଼େ ଛପର ଘରକୁ। ଟିକେ ଲଜ୍ୟା ବୋଧ ହେଲା ଏପରି ଦାୟିତ୍ଵହୀନାତା ଯୋଗୁ.... ସାମ୍ନା ପଟ ପିଣ୍ଡାରୁ ଠପ୍ ଠପ୍ ପାଣି ପଡୁଛି। ଏଇ ଶୁନଶାନ୍ ରାତି ସେଇ ଠପ୍ ଠପ୍ ପାଣି, ତନୁର ନିଶ୍ୱାସ ଏଇ ଦୁଇ ଶବ୍ଦ ଛଡା ମୁଁ କିଛି ଶୁଣିପାରୁନି।

ଭଙ୍ଗା ବାକ୍ସଟା ଉପରେ ଶସ୍ତା ଆଉ ଦୁର୍ବଳ ମହମବତୀ ଟିଏ ଜାଳିଛି ତନୁ, ଯାହା ହୁଏତ ଆଉ ଦୁଇ ଘଡ଼ି ପରେ ଲିଭି ଯାଇ ପାରେ। ପାଖ ବବେଇ ଛାଉଣି ଖଟରେ ଶୋଇଛି ତନୁର ଝିଅ। କୋଣ ପ୍ଲାଷ୍ଟିକ ଚେୟାର ଉପରେ ସବୁବେଳେ ରଖିଥାଏ ଛୋଟ ଛୁଆ ଟିର ଖାଦ୍ୟ, ଡାଇପର। ଆଜି କିଛି ନଥିଲା ସେଠି। ତନୁ ପିଲାକୁ ତା କ୍ଷୀର ପିଇବାକୁ ଦିଏନି, ଛାତିର ଯୌବନ ଚାଲିଯିବ ଆଉ କିଏ ପଚାରିବ ତନୁକୁ । ଗୋଟେ ଦେହଜୀବୀ ପାଇଁ ତ ତାର ଯୌବନ ହିଁ ସବୁକିଛି।

ଜୀବନ ବି କି ସତରଞ୍ଜ ଖେଳ ଖେଳେ ସବୁ ମୁହୂର୍ତ୍ତରେ ଚେକ୍ ପଡ଼ିଯାଏ। ଲୋଗାମ୍ ଛଡ଼ା ଘୋଡାଠୁ ବଞ୍ଚାଇବାକୁ ଗଲେ ମନ୍ତ୍ରୀ ମାଡି ଆସେ । ମନ୍ତ୍ରୀ ଜଗିଲେ ପୁଣି ଆଉ କିଏ....?

ସେମିତି ତନୁ ଯୌବନ ବଞ୍ଚାଇବାକୁ ଯାଇ ମାତୃତ୍ୱର ଏକ ଶ୍ରେଷ୍ଠ ଅନୁଭବ ହରେଇ ବସିଛି। ଛୋଟ ପିଲାଟା କାନ୍ଦିଲା ଜୋରରେ ତନୁ ଦୌଡ଼ି ଯାଇ ଆଉଜି ନେଲା ଛାତିକୁ , ମାଆ ହିଁ କେବଳ ବୁଝିପାରେ ଛୁଆ କାନ୍ଦିବାର କାରଣ।ତନୁ ବୁଝିଗଲା , ବ୍ଲାଉଜ୍ ହୁକ୍ ଖୋଲି ପିଲାଟିର ମୁହଁରେ ଲଗେଇ ଦେଲା । ଆଗରୁ କେବେ ମାଆ କ୍ଷୀର ପିଇ ନଥିଲେ ବି ଟିକେ ସଂଘର୍ଷ ପରେ ସର୍ ସର୍ କରି ଟାଣି ନେଲା ତନୁର ଛାତିରୁ କିଛି ବୁନ୍ଦା ଯୌବନ ,ଯାହା ସେ ଏତେ ଦିନ ଯାଏଁ ସାଇତି ରଖିଥିଲା ମୋ ଭଳି ଗ୍ରାହକ ମାନଙ୍କ ପାଇଁ।

ଭୋକ ମଣିଷକୁ ସବୁ ଶିଖେଇଦିଏ ତାର ସରଳ ଦୃଷ୍ଟାନ୍ତ ଟିଏ ମୁଁ ନିଜ ଆଖିରେ ଦେଖିଲି,କେବେ ମାଆ କ୍ଷୀର ପାଇନଥିବା ଛୋଟ ଛୁଆଟା କେମିତି ସଙ୍ଗେ ସଙ୍ଗେ ଶିଖିଗଲା।

ଖାଦ୍ୟ, ଡ଼ାଇପର୍,ଦୁର୍ବଳ ମହମବତୀ ସବୁ ଦେଖି ବୁଝିହେଉଥିଲା ତନୁର ଅବସ୍ଥା। ବେପାର ହେବ କେମିତି କୋରନା ତ ସବୁ ଠପ୍ କରି ଦେଇଛି। ମୁଁ ବାରମ୍ବାର ଭାବେ ଆସିବିନି ଆସିବିନି କିନ୍ତୁ ପୁଣି ଚାଲିଆସେ ଏଇ ଦେହଜୀବୀର ସୂକ୍ଷ୍ମ କୋଠରୀ ଭିତରକୁ।

ତନୁ ବାରମ୍ବାର କହେ ତତେ ଟଙ୍କା ଦେବାକୁ ହେବନି ବାବୁ, ତୁ ଏମିତି ଆସିବୁ ତୋର ଇଚ୍ଛା ହେଲେ। କିନ୍ତୁ ଜୋର୍ କରି ମୁଁ ତାକୁ ଟଙ୍କା ଦେଇ ଆସେ। ଅନ୍ୟ ମାନଙ୍କ ଆଗରେ ରୁକ୍ଷ ତନୁଲତା ମୋ ଆଗରେ କେମିତି ସରଳ ଆଉ ସ୍ନେହୀ ପାଲଟି ଯାଏ, କଣ ପାଇଁ ମୁଁ ଜାଣିପାରେନି।

ଏତେ ଦେହଜୀବୀ ଭିତରେ ତନୁଲତା ପାଖକୁ ମୁଁ କଣ ପାଇଁ ଚାଲି ଆସେ ତା ବି ଜାଣେନି। ଏଇ ସବୁ ଦ୍ୱନ୍ଦର ସମାଧାନ ତନୁ ପଚାରିଥିବା ପ୍ରଶ୍ନ ଭିତରେ ନାହିଁ ତ ....

ସେ କାହିଁକି ପଚାରେ ଏଇ ପ୍ରଶ୍ନ ବାରମ୍ବାର। ତନୁ କୁହେ ବାବୁ ଟଙ୍କା ଦେଇ ହିଂସ୍ର ପାଲଟି ଯାଆନ୍ତି ଗୋରଖ ଗୁଡାକ, ସବୁ ଅଙ୍ଗକୁ ତିଳ ତିଳ କରି ଅନୁଭବ କରିଚାଲନ୍ତି। ମୋର ଇଚ୍ଛା ଅନିଚ୍ଛା କିଛି ଫରକ୍ ପଡେନା । ତୁ କିନ୍ତୁ କେବେ ସେମିତି କରିନୁ। ସେଥିପାଇଁ ତୋ ଠୁ ଟଙ୍କା ନେବାକୁ ମୋତେ ଭଲ ଲାଗେନା। ଗୋରାଖ ହେଲେ ବି ତୋ ପାଖରେ ମଣିଷ ପଣିଆ ଅଛି।

ବାବୁ...(ଖୁବ୍ ଧିରେ ଡାକିଲା ତନୁଲତା ,ଧୀରେ ଜାଣି ଜାଣି ଡାକିଲା କି ଧୀରେ ହିଁ କଣ୍ଠରୁ ଆସିଲା ଜାଣି ପାରିଲି ନାହିଁ)

ସେ ଦୁର୍ବଳ ମହମବତୀ ଟା ଏବେ ବି ଜୀବିତ ଥିଲା । ଝାପ୍ସା ଝାପ୍ସା ପ୍ରକାଶ ଭିତରେ ତନୁ ମୁଁହଟା ଫର୍ଚ୍ଚା ଆକାଶ ଭଳି ଦିଶୁଥିଲା। ଆଉ କିଛି ଖଣ୍ଡ କଳାବାଦଲ ସେଇ ଆକାଶରେ ଉଦାସ ସାଜି ବୁଲୁଥିଲେ , ବର୍ଷିବେ କି ସେମିତି ଭାସିବେ ତାର ସମୀକ୍ଷା କରି କରି।

ସେ ଉଦାସ ପଣରୁ ସ୍ପଷ୍ଟ ଜାଣି ହେଉଥିଲା ତନୁ ଉତ୍ତର ମାଗୁଥିଲା।

ପୁଣି ଉତ୍ତରକୁ ଏଡାଇ ଦେଇ କହିଦେଲି -"ଛୁଆ ବିଷୟରେ କଣ କିଛି ଭାବିଛୁ?ସେ କଣ ଏମିତି ପରିସ୍ଥିତିରେ ବଞ୍ଚିପାରିବ?

କଣ ଚିନ୍ତା କଲୁ?"

ସେ ଉତ୍ତର ବଦଳରେ ପ୍ରଶ୍ନ ଆଶା କରି ନଥିଲା ବୋଧେ ରାଗିଯାଇ କହିଲା କଣ ହେବ ମୋ ଭଳିଆ ବାର ଘଇତାଖୋର୍ ବେଶ୍ୟା ହେବ।

ଗୋଟେ ଛୁଆ ପାଇଁ ମାଆର ଏତେ କଠୋର ଶବ୍ଦ ଶୁଣି, ଜାଣି ହେଉଥିଲା ତାର ଅସହାୟତା ।

- ବେଶ୍ୟା ନୁହେଁ ତନୁ। ମୁଁ ତାକୁ ନେଇଯିବି ଏଇ ନାଳରୁ । ପଢେଇବି ବଡ଼ ମଣିଷ କରିବି।

ମୋର ଏଇ ଶବ୍ଦ ସବୁ ତାକୁ ସ୍ୱାନ୍ତନା ଦେବାକୁ ଥିଲା କି ସ୍ୱତସ୍ପୃତ ହୃଦୟରୁ ଥିଲା ମୁଁ ଜାଣି ପାରିଲି ନାହିଁ। କାରଣ ସେ ପିଲାକୁ ଏଇଠୁ ନେଇ ପାଠ ପଢେଇବାର କଥା ମୁଁ ଆଗରୁ କେବେ ବି ଭାବିନଥିଲି ।

ବୋଧେ ହୃଦୟରୁ ଆସିଥିଲା କଥାଟା କାରଣ ମନରେ ଗ୍ଲାନିର ଛାୟା ଟିକେ ଖେଳିଗଲା। ଯାହା ବି ହେଉ..

ଏତିକି ଶୁଣି ବଳପୂର୍ବକ କୁଣ୍ଢେଇ ଘଡ଼ିଏ କାନ୍ଦିଲା ତନୁଲତା।

ସତେ କି କାଚକୁ କିଏ କାଞ୍ଚନର ମୂଲ୍ୟ ଯାଚି ଦେଲା।

ପୁଣି ଧୀରେ ଧୀରେ କାନ୍ଦି କାନ୍ଦି ମୋର ନିରବତା ଭିତରେ ତାର ଅସହାୟତାକୁ ଛନ୍ଦେଇ ପଚାରି ଦେଲା ସେଇ ପ୍ରଶ୍ନଟି - "ବାବୁ ପ୍ରେମର ମାନେକି?"

ଏଥର କୌଣସି ଚାଟୁତା ନଦେଖାଇ କହିଦେଲି ପ୍ରେମ ଏକ ଅନୁଭବ ତନୁ ,ପ୍ରଶ୍ନ ନୁହେଁ କି ଉତ୍ତର ନୁହେଁ।

- ତୋର ମୋଟା ମୋଟା ବହିରେ କି ତାର ଉତ୍ତର ମିଳେନାହିଁ ବାବୁ

- ନାରେ ଅନୁଭବକୁ ବାଖ୍ୟା କରିବାର ଶକ୍ତି କାହା ପାଖରେ ନାହିଁ। ମୁଁ ଯଦି ପଚାରେ ହସ କଣ କହ? ଲୁହ କଣ କହ?

ତୁ କି ଉତ୍ତର ଦବୁ ତନୁ??

- ପ୍ରଶ୍ନ ଆଉ ଉତ୍ତର ତ ତୋ ଭଳି ପଠୁଆଙ୍କ ପାଇଁ ମୋ ପାଇଁ ନୁହେଁ ବାବୁ।

ସବୁ ପ୍ରଶ୍ନର ଉତ୍ତର ଯେ ବହିରେ ପାଠରେ ନ ଥାଏ। ଏତେ ସବୁ ବୁଝେଇ ବାକୁ ମୋର ବି ବଳ ନଥିଲା।

ତନୁ ମୁଠାକୁ ହୁଗୁଳା କଲା । ଏତେ ସବୁ ନିରବତା ଭିତରେ ନିଶ୍ୱାସ କେମିତି ତୀବ୍ର ରୂପ ଧାରଣ କଲା,ତନୁ ଛାତିର ଧଡ଼ ଧଡ଼ ଶବ୍ଦ ମୋ ଛାତିରେ ସଂଚାରି କାନକୁ ଆନ୍ଦଳିତ କରୁ ଥିଲା।

ସେଇ ପ୍ରଶ୍ନ ବୋଧେ ତନୁର ହୃଦୟ କାନ୍ଥକୁ ଧସେଇ ମୁହଁରେ ଭାସି ଆସୁଥିଲା। ଆଉ ଆଖି ଦେଇ ଚରି ଆସୁଥିଲା କିଛି ବୁନ୍ଦା କୋହ ଲୁହର ରୂପ ନେଇ।

କିଛି ଘଡିର ନିରବତା ଯେ ଭାରି ବଡ଼ ବଡ଼ ସନ୍ତ୍ରାସ ଆଣି ଦିଏ ତାହା ମୋତେ ଜଣାଥିଲା। ସେଇ ସନ୍ତ୍ରାସକୁ ଜୀବନ୍ତ କରିବାକୁ ଯାଇ ତନୁ ପୁଣି ପଚାରି ଦେଲା।

- ଆମର ଏଇ ସବୁ ଅନୁଭବର ଅର୍ଥ ତାହାଲେ କି ??

ଏଟା କଣ ପ୍ରେମ ନୁହେଁ।

ମୋର ହୃଦୟରେ ଏଇ ଶେଷ ବାକ୍ୟଟା କେବେ ଠୁ ବୋଧେ ଘର କରି ରହିଥିଲା। ଏକ ଅଶେଷ ରାହା ମିଳିଗଲା ବଞ୍ଚିବାର। ପତ୍ରଝୋଡ ର ଏଇ ଯନ୍ତ୍ରଣା ଭିତରେ ଏକ ମଧୁ ମାସର ଭାବନା ଏଇ ଯୋଡେ ଶବ୍ଦ ପ୍ରେମ।

- ବାବୁ ମୁଁ ତୋତେ କେବେ କିଛି ଅଧିକାର ମାଗିବିନି।ହେଲେ ଏଇ ଅନୁଭବ ଟିକିଏ ପାରୁପର୍ଯ୍ୟନ୍ତ ମାଗି ନେବି ତୋ ଠାରୁ। ନା ତ କହିବୁନି ନା?

- କଣ ଶୁଣିବୁ ମୋ ଠାରୁ । ମୁଁ ତ କେବେ ଠୁ ଆତ୍ମସାତ କରିସାରିଛି ତୋର ଏଇ ଅନୁଭବକୁ।

ତୋ ପାଖକୁ ବାରମ୍ବାର ଦୌଡ଼ି ଆସିବା । ଏତେ ଆବେଗରେ ଛୁଇଁବା ତୁ କଣ ଜାଣି ପାରୁନା ଏ ପ୍ରେମ କି ଆଉ କିଛି।

ମୁଁ ଉତ୍ତର ଦେଇ ନଥିଲେ ବି ସେ ବୋଧେ ପାଇଗଲା ତାର ଉତ୍ତର । ଆଉ କିଛି ପ୍ରଶ୍ନ ନ କରି ଚୁପଚାପ୍ ଆଉଜି ରହିଲା ଛାତିରେ। ହୁଗୁଳା କରିଥିଲା ଆଙ୍ଗୁଳି ଗୁଡ଼ିକୁ ଆହୁରି ଜୋର୍ ରେ ଚାପିଧରିଲା, ବାହୁ ବଂଧନରେ ନ ଛାଡିବାର ଏକ ବାହାନା ନେଇ। ସକାଳ ହେଇ ଆସୁଛି ଏବେ ଫେରିବାକୁ ହେବ ତନୁ।ତୁ ତୋ ଜାଣିଛୁ ସହରରେ ଭାରି ଚର୍ଚ୍ଚା ତନୁଲତା କେବଳ ରାତିର ନାୟିକା।



Rate this content
Log in

Similar oriya story from Romance