ନୂଆ ଉପନ୍ୟାସ
ନୂଆ ଉପନ୍ୟାସ


ସକାଳ ଆଯାନର ଆୟାତରେ ନିଦ ଭଙ୍ଗିଯାଏ ପ୍ରତିଦିନ ଆଉ ଆଲାରମ୍ ଲଗାଇବାକୁ ପଡ଼େ ନାହିଁ । ଯଦିଓ ମୁଁ ମୁସଲିମ ନୁହେଁ ପ୍ରତିଦିନ ଦୁଇ ଥର ଶୁଣି ଶୁଣି ମନେ ରଖିଦେଇଛି ।
ଠିକ୍ ୫ଟା ହେଲେ ଘର ପାଖ ମସଜିଦରୁ ସୁନ୍ଦର ସ୍ଵରରେ ଖଇରୁଲ୍ ଚାଚା ପଢନ୍ତି ଆୟାତ ।
ଏମିତିରେ ମୋତେ ଗୀତ ଗାଇବାକୁ ବହୁତ୍ ଭଲ ଲାଗେ ପିଲା ବେଳଠୁ, ଉପରେ ପୁଣି ସକାଳୁ ଏତେ ସୁନ୍ଦର ମୁହୂର୍ତ୍ତ ।
ମୁଁ ବୁଝିପାରେନି ଆୟାତର ଗୋଟେ ବି ଶବ୍ଦ । ହେଲେ ବି ଗୀତ ଶୁଣିଲେ ଯେମିତି ଆପେ ଆପେ ଗାଇବାକୁ ଲାଗନ୍ତି ସମସ୍ତେ ,ମୁଁ ବି ଠିକ୍ ସେମିତି ଧୀରେ ଧୀରେ ଗାଇବାକୁ ଲାଗିଲା ।
""ଆଲ୍ଲା ହୁ ଆକବର୍
ଆଲ୍ଲା ହୁ ଆକବର୍
ଅସହଦ୍ଦୁ ଅଲ୍ଲା ଇଲା- ହ – ଇଲ୍ଲାଲାହା...""
କେତେବେଳୁ କେଜାଣି ଜେଜେମାଆ ଆସି ଶୁଣୁଛି ସେ ସବୁ, ଜୋରରେ ପାଟି କରି କହିଲା "ପୋଡାମୁହିଁ ସକାଳୁ ସକାଳୁ କିଛି କାମଧନ୍ଦା ନାହିଁ ସେ ପଠାଣ ଗୀତ ଆରମ୍ଭ କରିଦେଲୁ ।"
ଆଗ କାଳର ଲୋକ ସିଏ ଭାଷା ଯେତେ ଖରାପ ତାଠାରୁ ବେଶୀ ନୀଚ ତାର ଚିନ୍ତାଧାରା ।
କାମ ମୋର ବେଶୀ କିଛି ନାହିଁ । ତେଣୁ ଯାହା ସବୁ କାହା ପାଇଁ କାମ ନୁହେଁ ମୋ ପାଇଁ ସେ ସବୁ କାମ । ଯେମିତି ସକାଳୁ ଉଠି ବ୍ରସ ନେଇ ଛାତ ଉପରେ ଉଠୁଥିବା ସୂର୍ଯ୍ୟ ଦେଖିବା । ତାର ନାଲି କିରଣ କେମିତି କାନ୍ଥ ଉପରେ ଧୀରେ ଧୀରେ ପିମ୍ପୁଡ଼ି ଭଳି ଚଢ଼େ,ଚଢ଼େଇ କେମିତି ଆଉ କୁଆଡେ ଯାଉଛି, ମଲ୍ଲି ଫୁଲ କେତେଟା ଗଛରେ ଫୁଟିଛି,ଲମେଘ ସବୁ କେମିତି ଧକ୍କା ଖାଉଛନ୍ତି ଏ ସବୁରେ ବ୍ୟସ୍ତ ରଖେ ନିଜକୁ ।
ନାଆଁ ମୋର ସ୍ନେହା । ହେଲେ ସେଇ ସ୍ନେହ ଜିନିଷଟା ହିଁ ଅଭାବ ମୋ ପାଇଁ ।
ବାବା ସ୍କୁଲରେ ଶିକ୍ଷକ । ସ୍କୁଲ ପାଖରେ ହିଁ କଲେଜ । ତେଣୁ ପ୍ରତିଦିନ ୧୦ଟା ବେଳେ କ୍ଲାସ୍ ନଥିଲେ ବି କଲେଜ ଯାଏ । ଗାର୍ଲ୍ସ କମନ୍ ରୁମ୍ ନହେଲେ ଲାଇବ୍ରେରୀରେ ବସି ପଢେ । ଆଉ ଉପରଓଳି ବାବା ଆଣି ଛାଡ଼ି ଦେଇଯାନ୍ତି, କାମ ଥିଲେ ଅଟୋ ଭଡ଼ା କରିଦିଅନ୍ତି ।
ବାବା ପ୍ରଥମରୁ ଭାରି ଶୃଙ୍ଖଳିତ ହସ ବି ମାପି ଚୁପି ଦିଅନ୍ତି । ଯେଉଁଠି ଯେତିକି ହସିବା କଥା ସେତିକି । କାମ କଥା ଛଡ଼ା ଏମିତି ବେକାର କଥା କେବେ କୁହନ୍ତି ନାହିଁ । କେହି ତାଙ୍କର ସାଙ୍ଗ ଅଛନ୍ତି ବୋଲି ମୁଁ କେବେ ଦେଖିନି ।
ବଡ଼ି ଭୋରରୁ ବ୍ରହ୍ମ ସମୟରେ ଉଠି ଭାଗବତ ପଢ଼ିବା । ପ୍ରାଣାୟମ, ଯୋଗ ଏସବୁ ସରିଲା ପରେ ସ୍କୁଲ ପାଇଁ ପ୍ରସ୍ତୁତ ହୁଅନ୍ତି । ରବିବାର ଦିନ ବି ସମାନ ପରିସ୍ଥିତି ସ୍କୁଲ ନଥାଏ ହେଲେ ସେଦିନ ନିଜର ଭଲ ଛାତ୍ର ଛାତ୍ରୀମାନଙ୍କୁ ଘରକୁ ଡାକି ପଢାନ୍ତି ।
ସନ୍ଧ୍ୟା ବେଳେ ଚୁପ୍ ଚାପ୍ ଯାଇ ଛାତ ଉପରେ ଆକାଶକୁ ଦେଖି କଣ ଭାବନ୍ତି କେଜାଣି ।
ଯେମିତି ଜଣେ ଯାତ୍ରୀ ବସର ଅପେକ୍ଷାରେ ଥାଏ ସେମିତି ଠିଆ ହେଇ ରହିଥାନ୍ତି ।
ବେଳେ ବେଳେ ଚଷମା ହଟେଇ ପୋଛି ଦେଇ ପୁଣି ଚାହିଁ ରୁହନ୍ତି ।
ଏବେ ତ ଉଚ୍ଚରକ୍ତଚାପ ଯୋଗୁ ବେଳେ ବେଳେ ଅନେକ କଥା ଭୁଲି ଯାନ୍ତି । ହେଲେ ଯାହା ଯୋଗୁ ଏସବୁ ସେଇ କଥାଟା ହିଁ ଭୁଲି ପାରୁନାହାନ୍ତି ।
କେମିତି ଭୁଲିବେ ଯେ ସ୍ମୃତି ଆଉ ସ୍ମୃତି ଦେଇଥିବା ମଣିଷ କଣ ଚକ୍ ଖଡିର ଲେଖା ଯେ ଡଷ୍ଟର ନେଇ ଲିଭେଇ ଦେବେ ।
ସେମିତି ହେଇଥିଲେ ବାବା ପ୍ରତ୍ୟେକ ଦିନ କଳା ପଟା ପୋଛିଲା ଭଳି ସବୁ ପଛର ସ୍ମୃତିକୁ ପୋଛି ଦେଇଥାନ୍ତେ ।
ଅନେକ କଥାରେ ନିଜକୁ ବ୍ୟସ୍ତ ରଖିବାକୁ ଚେଷ୍ଟା କରିବି ବ୍ୟସ୍ତ ରଖି ପାରନ୍ତି ନାହିଁ ।
ସନ୍ଧ୍ୟା ହେଲେ ଆପେ ଆପେ ଚାଲି ଯାଆନ୍ତି ସେ ଛାତର ଅନ୍ଧାର ଜାଗାକୁ ଆଉ କାନ୍ଦନ୍ତି କି କଣ କରନ୍ତି କେହି ଜାଣି ନାହାଁନ୍ତି । ଖାଲି ଫେରିଲା ବେଳେ ଗୋଟେ ଜୀବନ ଯୁଦ୍ଧରେ ହାରି ଯାଇଥିବା ଭୀଷ୍ମ ଭଳି ଫେରନ୍ତି ।
କିଏ ହାରିଲା କିଏ ଜିତିଲା ସେଇଟା ମୁଁ ଜାଣେନି । ବାବାଙ୍କୁ କିଏ ହରେଇଛି କିନ୍ତୁ ଜାଣେ ।
ଆମେ ତିନି ଭଉଣୀ । ତିନିଟା ଝିଅ ବୋଲି କେବେ ଅବଶୋଶ କରିନାହାନ୍ତି ସେ । ମାଆ ତ କୁହନ୍ତି ବାବା ଅନେକ ଖୁସି ଥିଲେ ଯେତେବେଳେ ବଡ଼ ଦିଦି ଜନ୍ମ ନେଲା ।
ଡାକ୍ତର ପାଖରୁ ଝିଅ ହେବାର ଖବର ଶୁଣି ହିଁ ସାଙ୍ଗେ ସାଙ୍ଗେ ମିଠା ବାଣ୍ଟିବା ଆରମ୍ଭ କଲେ ।
ନର୍ସ ବାବାଙ୍କୁ ଡାକି ଚାରି ପାଞ୍ଚ ଥର କହିଲା ଆପଣଙ୍କର ପୁଅ ନୁହେଁ ଝିଅ ହେଇଛି ।
କାରଣ ପ୍ରଥମ ଥର ପାଇଁ ସିଏ ଜଣଙ୍କୁ ଦେଖିଛି ଯିଏ ଝିଅ ହେବା ଖୁସିରେ ଏତେ ଖୁସି ହେଇ ମିଠା ବାଣ୍ଟୁଛି ।
ଜେଜେମାଆ କହୁଥିଲେ ଦୁଇଟା ଝିଅ ହେବା ପରେ ବାବାଙ୍କର ପରିବାର ଆଉ ଆଗକୁ ନେବାକୁ ଇଚ୍ଛା ନଥିଲା । ହେଲେ ଜେଜେମାଆ ବାରମ୍ବାର ନାତି ଖୋଜିବାରୁ ମୁଁ ହେଲି ।
ଆଉ ଝିଅ ହେଇଥିବାରୁ ଜେଜେମାଆ ମୋତେ ଏତେ ଭଲ ପାଉନଥିଲେ ।
ବଡ଼ ଦିଦିଙ୍କୁ ବାବା ବହୁତ୍ ଭଲପାଉଥିଲେ । କଥାରେ ଅଛି ଝିଅମାନଙ୍କୁ ବାବା ଆଉ ପୁଅଙ୍କୁ ମାଆମାନେ ବେଶୀ ଭଲ ପାଆନ୍ତି ।
ହଁ ବାବା ଶୃଙ୍ଖଳିତ, ଆଉ କଠୋର ହେଲେ ମଧ୍ୟ ଆମମାନଙ୍କ ପାଇଁ କେବେ ବି କିଛି କମ୍ ଅନୁଭବ ଦେଇନାହାନ୍ତି ।
ନା ପୁଅ ଝିଅର ପ୍ରଭେଦ ଦେଖାଇଛନ୍ତି ।
କିନ୍ତୁ ସେଦିନ ପାଖରୁ ବାବା ପୁରା ବଦଳି ଗଲେ ।
ବଡ଼ ଦିଦି ସେଦିନ କଲେଜ ଯିବା ବାହାନାରେ କୁଆଡେ ଗଲା କେଜାଣି । ବହୁତ୍ ଖୋଜ ଖବର ପରେ ଜଣା ପଡିଲା ସେ ଫେରାର ହେଇ ବାହା ହେଇସାରିଛି ।
ସାହି ପଡିଶା, ବନ୍ଧୁ ବର୍ଗ ସମସ୍ତେ ଅନେକ ନିନ୍ଦା ଆଉ ଅପବାଦ ଦେଲେ ତେଣୁ ବାବା ଗାଆଁ ଛାଡ଼ି ସହରକୁ ପଳେଇ ଆସିଲେ ।
କେମିତି ଭଲପାଇ ପଳେଇଯାଆନ୍ତି କେଜାଣି । ବାବା ମାଆଙ୍କ ସ୍ନେହ ଆଉ ଭଲ ପାଇବାର ମୂଲ୍ୟ କଣ କିଛି ବି ନାହିଁ । ସେ ଅଜଣା ବ୍ୟକ୍ତି ଏତେ ନିଜର ହେଇଯାଏ ଯେ ତା ଆଗରେ ସବୁ ଫିକା ପଡ଼ିଯାଏ । ବଡ଼ ଦିଦି ଯିବା ସହିତ ଆମ ଦୁଇ ଭଉଣୀଙ୍କର ସ୍ଵାଧୀନତା ନେଇଗଲା । ଆଉ ବାବାଙ୍କର ବିଶ୍ୱାସ ଯାହା ଆମ ଉପରେ ଥିଲା ।
ସେଇଦିନଠୁ ଲାଗିଲା ଡ୍ରେସ ପିନ୍ଧିବା, କୁଆଡେ ଯିବା, ସାଙ୍ଗ ସହ ମିଶିବା, କାହା ସହ କଥା ହେବା ସବୁଥିରେ ନିୟମ ।
ଝିଅ ହଉ କି ପୁଅ କାହା ସହ ହସି କି ବେଶୀ କଥା ହେଇ ପାରିବ ନାହିଁ । ମୋବାଇଲ ବେଶୀ ସମୟ ଧରିପାରିବ ନାହିଁ । ସୋସିଆଲ ମିଡିଆ ବ୍ୟବହାର କରିପାରିବ ନାହିଁ ।
ସବୁଥିରେ ଲାଗୁଥିଲା ବାବାଙ୍କ ନିୟମ ।
ସାନଦିଦି ଏତେ ଭଲ ପଢ଼ୁନଥିଲା କିନ୍ତୁ ବଡ଼ ଦିଦି ପଳେଇବା ଘଟଣା ବାବାଙ୍କୁ ଅନେକ ଆଘାତ ଦେଇଥିଲା । ସେଥିପାଇଁ ମଝିଆ ଦିଦିର ବାହାଘର ବହୁତ୍ ଶୀଘ୍ର କରିଦେଲେ ।
ଆଉ କିଛି ଦିନ ପରେ ଅତ୍ୟାଚାର ଆରମ୍ଭ ହେଲା ତା ଉପରେ ସେଥିପାଇଁ ମଧ୍ୟ ବାବା ନିଜକୁ ଦାୟୀ ବୋଲି ଭାବନ୍ତି ।
ମୋର +୩ ସାରିବା ପରେ ପିଜିର ପରୀକ୍ଷାରେ ଖୁବ୍ ଭଲ ନମ୍ବର ଥିଲା । ଅନେକ ସ୍ୱପ୍ନ ଥିଲା ବଡ଼ କଲେଜରେ ପିଜି ଆଉ ପିଏଚଡ଼ି କରି ପ୍ରଫେସର ହେବି ।
ବାଣୀବିହାର ୟୁନିଭର୍ସିଟିରେ ସିଟ୍ ବି ମିଳିଗଲା ।
ବାବା ଠିକ୍ ସମୟର କହିଲେ ପାଠ ଚାରିଆଡେ଼ ସମାନ ପଢାଯିବ ଏଇ ପାଖ କଲେଜରେ ପଢ଼ିନେ । ନହେଲେ ପଢ଼ିବା ଦରକାର ନାହିଁ ।
ଅସଲ କାରଣ ବାବାଙ୍କ ଡର, କାଳେ ମୁଁ ଦୂରରେ ରହିଲେ ଦିଦି ଭଳି ଭୁଲ କରିଦେବି ।
ସେଦିନ କଲେଜ ସରିଲା ବାବା କହିଲେ ଆଜି ମୋର କାମ ଅଛି ତୁ ଅଟୋରେ ଘରକୁ ଯାଆ ।
ଅଟୋର ଅପେକ୍ଷାରେ ହିଁ ଥିଲି ।
କିରଣ ଆସିଲା । କିରଣ ଆଉ ମୁଁ +୨ ରୁ ସାଙ୍ଗରେ ପଢ଼ୁଛୁ ହେଲେ କେବେ ସେ ଆମ ଘରକୁ ଆସିନି କି ମୁଁ ତାଙ୍କ ଘରକୁ ଯାଇ ନାହିଁ ।
ବାବାଙ୍କର କଡ଼ା ନିୟମ କେହି ସାଙ୍ଗ ଘରକୁ ଆସିବେନି କି ତୁ ମଧ୍ୟ ତାଙ୍କ ଘରକୁ ଯିବୁନି ।
କାରଣ ଦିଦି ପଲେଇବାରେ ତାର କିଛି ସାଙ୍ଗମାନେ ହିଁ ତାକୁ ସାହାଯ୍ୟ କରିଥିଲେ ।
କିରଣ ଡାକିଲା
- ଆସ ମୁଁ ତୋତେ ଘରେ ଛାଡ଼ିଦେବି ।
- ନାଇ ମୁଁ ଚାଲିଯିବି ।
କିନ୍ତୁ ସାଙ୍ଗମାନେ କଣ ଛାଡ଼ିବା ଲୋକ । ବାଧ୍ୟ ହେଇ ତା ସ୍କୁଟିରେ ବସିଲି ଆଉ ସେ ସ୍କୁଟି ମୋ ଘର ପରିବର୍ତ୍ତେ ତା ଘର ଆଡ଼କୁ ନେଲା ।
ମୁଁ ଯେତେ ମନା କଲେ ବି ତା ଘରକୁ ନେଇଗଲା ।
ସେଠି ହିଁ ପ୍ରଥମ ଥର ମୋତେ ଘର ଭଳି ଲାଗିଲା । ସମସ୍ତେ ଅନେକ ଖୁସି ଥିଲେ ।
ସେ କେତେ ଜଣଙ୍କୁ ସେଠି ଭେଟ କରେଇଲା । ମଧ୍ୟାହ୍ନ ଭୋଜନ ଖାଇସାରି ଏମିତି ଟିକେ ବେଡରେ ଗଡୁ ଗଡୁ ନିଦ ହେଇଯାଇଥିଲା ।
ସମୟ ୫ଟା ହେଇଗଲା ବାବା ସ୍କୁଲରୁ ଫେରିବାର ସମୟ ପାହାରି ଯାଇଛି । ମୁଁ ଜାଣି ସାରିଥିଲି ଆଜି ନିଶ୍ଚୟ କିଛି ଗୋଟେ ଘଟିବ ।
ବ୍ୟାଗ୍ ଖୋଲି ମୋବାଇଲ ଚେକ୍ କଲି ୧୦ଟା ମିସ୍ କଲ୍ । କଲେଜରେ ଥିଲି ବୋଲି ମୋବାଇଲ ସାଇଲେଣ୍ଟ ମୋଡରେ ଥିଲା ତେଣୁ କଲ୍ ଆସି ମିସ୍ କଲ୍ ହେଇ ଯାଇଛି ।
ପୁଣି କଲ୍ ଆସିଲା ।
ସେପଟୁ ଭାରି ଗମ୍ଭୀର ଆଉ ରୁକ୍ଷ କଣ୍ଠରେ ବାବା କହିଲେ
- କେଉଁଠି ଅଛୁ?
- ବାବା... (କଣ୍ଠ ଥରୁଥିଲା) କିରଣ ଘରେ ଏବେ ହିଁ ଯାଉଛି ।
ସାଙ୍ଗେ ସଙ୍ଗେ ଘରକୁ ଯାଇ ପହଞ୍ଚିଲି । କିଛି ଆଉ ନ ବୁଝି ବାବା ହାତ ଉଠେଇ ଦେଲେ ।
ଆଗରୁ କେବଳ ଗାଳି ଦେଉଥିଲେ ଆଜି କିନ୍ତୁ ପ୍ରଥମ ଥର ପାଇଁ ହାତ ଉଠେଇ ଦେଲେ ।
ରାତି ହେଇନଥିଲା ହେଲେ ବି ଘଣ୍ଟାର ଟିକ୍ ଟିକ୍ ଶବ୍ଦ ସ୍ପଷ୍ଟ ଶୁଣା ଯାଉଥିଲା । ଏଥିରୁ ନିରବତା ସ୍ୱର ଅନୁମାନ କରିହେଉଛି ।
ସେଦିନ ମୁଁ ନଖାଇ ଚୁପଚାପ୍ ବସିଥିଲି । ମାଆ ବାରମ୍ବାର ଡାକିଲେ ହେଲେ ମଧ୍ୟ ମୁଁ ଖାଇଲି ନାହିଁ ।
ରାତି ତିନି ପାଖାପାଖି ହଠାତ୍ ମଝିଆ ଦିଦିର କଲ୍ ଆସିଲା ।
କାନ୍ଦି କାନ୍ଦି କହିଲା ମୁଁ ଘରୁ ପଳେଇ ଆସିଛି ବହୁତ୍ କଷ୍ଟରେ, ଆଜି ମୋତେ ପୋଡ଼ି ଦେବାର ଯୋଜନା କରିଥିଲେ ସେମାନେ ।
ଆଉ କିଛି ନ ଭାବି ସିଧା ବଡ଼ ଦିଦିର ପୁରୁଣା ସ୍କୁଟି ଧରି ଚାଲିଗଲି ସାନ ଦିଦିଙ୍କୁ ଆଣିବା ପାଇଁ ।
ବାବା ରାତି ଚାରିରୁ ଉଠି ଯାଆନ୍ତି । ଉଠି ଦେଖିଛନ୍ତି ମୁଁ ନାହିଁ ତେଣୁ ଭାବିଲେ ବୋଧହୁଏ ମୁଁ ବି ବଡ଼ ଦିଦି ଭଳି କିଛି ଭୁଲ କରିପକେଇଲି ।
ତେଣୁ ମୋତେ ବାରମ୍ବାର କଲ୍ କରୁଥିଲେ ଆଉ ଘରେ ସମସ୍ତେ ବ୍ୟସ୍ତ ଥିଲେ ।
କିଛି ସମୟ ପରେ ଆମେ ଯାଇ ପହଞ୍ଚିଲୁ । ସବୁ କଥା ଜାଣି ସାରିବା ପରେ ବାବାଙ୍କ ଆଖିରୁ ଲୁହ ବୋହି ଆସିଲା ।
ସେ କାନ୍ଦି କାନ୍ଦି ସାନ ଦିଦିଙ୍କୁ କୁଣ୍ଢେଇ ଧରି କହିଲେ ମୁଁ ହିଁ ଏସବୁ ପାଇଁ ଦାୟୀ ।
ମୋର ସାମାନ୍ୟ ଭୁଲ ଯୋଗୁଁ ତୋ ଜୀବନଟା ନଷ୍ଟ ହେଇଗଲା ।
ବାବା ସାନ ଦିଦି ପାଇଁ ନିଜକୁ ହିଁ ଦାୟୀ ମାନୁଥିଲେ ।
କିନ୍ତୁ କେଉଁ ବାପା କଣ ଜାଣି ଜାଣି ତା ଝିଅକୁ କଷ୍ଟ ଦେବ ।
ଏମିତି ହିଁ କାନ୍ଦି କାନ୍ଦି କେତେବେଳେ ଉପର ଓଳି ହେଇଗଲା ଜାଣି ହେଲା ନାହିଁ ।
ମୁଁ ସାନ ଦିଦି ସହ ରୁମରେ ଥିଲି ବାବା ଆସି କହିଲେ ମୁଁ ଓକିଲ ବ୍ୟବସ୍ଥା କରିଦେଇଛି ଡିଭୋର୍ସ ହେଇଯିବ ।
ଆଉ ମାଆ ସ୍ନେହା ପି.ଏଚ୍.ଡି.ର ଫର୍ମ ବାହାରିଛି ସାଇବର୍ କେଫ ଯାଇ ଫର୍ମ ଭରିଦେବୁ । ତୋର ଯେଉଁଠି ଇଚ୍ଛା ତୁ ପଢ଼ । ଯେତେ ଇଚ୍ଛା ପଢ଼ ।
ସେଦିନ ବାବାଙ୍କ ଆଖିରେ ମୁଁ ଆଉ ସେ ପୁରୁଣା ପ୍ରଭୂତ୍ୱର ସ୍ୱର ଦେଖିବାକୁ ପାଇ ନଥିଲି ।
ଏକ ନୂଆ ବାବାଙ୍କୁ ଦେଖୁଥିଲି ଯିଏ ମୋତେ କେବେ ବି ଏକୁଟିଆ କୁଆଡେ ଛାଡ଼ି ନାହାନ୍ତି ଆଜି କହିଲେ ସାଇବର କେଫକୁ ଏକୁଟିଆ ଯିବା ପାଇଁ ।
ପୁଣି ପି.ଏଚ୍.ଡି. ପଢିବାକୁ ଛାଡ଼ିବେ ବୋଲି କହିଲେ ।
ବାବା ପଛକୁ ଫେରି ଚଷମା ପୋଛି ପୋଛି ଚାଲି ଗଲେ ମୁଁ ଜାଣି ସାରି ଥିଲି ବାବା କାନ୍ଦୁଥିଲେ ।
ଇଚ୍ଛା ହେଉଥିଲା ଛୋଟ ବେଳେ ଯେମିତି ଜେଜେମାଆ ରାଗିଲେ ବାବାଙ୍କୁ କୁଣ୍ଢାଇ ପକାଉଥିଲି ସେମିତି ଯାଇ ତାଙ୍କୁ କୁଣ୍ଢାଇ ପକେଇବି ।
ଆଉ ତାଙ୍କ ଗାଲରେ ସେଇ ସାନ ସ୍ନେହାର ଓଠ ଥାପି ଦେବି । ଆଉ କହିବି ତମେ ଯାହା ବି କରିଛ ସବୁ ଠିକ୍ କରିଛ ।
କିଏ କଣ ତା ଝିଅ ପାଇଁ କେବେ ଅମଙ୍ଗଳ କରିଥାଏ କି?
ସବୁ ସମୟର ଖେଳ ।
ହେଲେ ଏତେ ସାହସ ମୋ ପାଖରେ ଏବେ ବି ନଥିଲା ।
କିଛି ଦିନ ପରେ ସାନ ଦିଦି ବି ଆଉ ଜଣକୁ ବାହା ହେଇ ନୂଆ ସଂସାର କଲା । ପୂର୍ବ ବାହାଘର ମାତ୍ର ଛଅ ମାସରେ ଭାଙ୍ଗି ଯାଇଥିବାରୁ ନୂଆ ବାହାଘରରେ ଏତେ ଅସୁବିଧା ହେଲା ନାହିଁ ।
ସେଇ ଦିନଠୁ ଆଉ କେବେ ବାବାଙ୍କୁ ଦେଖିନି ସନ୍ଧ୍ୟା ହେଲେ ଛାତକୁ ଯିବାର କି ଉଦାସ ହେବାର ।
ସେଦିନର ସେ ରାତି ଦୁଇଟା ସ୍ଵାଧୀନତା ଆଣି ଦେଇଥିଲା ।
ମୋତେ ଝିଅର ସବୁ ସ୍ଵାଧୀନତା ଆଉ ବାବାଙ୍କୁ ପୁରୁଣା ସବୁ ଜଞ୍ଜାଳରୁ ମୁକ୍ତି ।
ଏଇଠୁ ହିଁ ଆରମ୍ଭ ହେଇଥିଲା ଦୁଇ ଦୁଇଟା ସ୍ଵାଧୀନ ଜୀବନର ନୂଆ ଏକ ଉପନ୍ୟାସ ।