KRUTIBAS NAYAK

Romance Others

3  

KRUTIBAS NAYAK

Romance Others

ପ୍ରେମ ପୂର୍ଣ୍ଣିମା

ପ୍ରେମ ପୂର୍ଣ୍ଣିମା

15 mins
298



ନନ୍ଦିନୀ ସହିତ ମୋର ଦେଖା ହେଇଥିଲା ଗୋଟାଏ ସାହିତ୍ୟ ସଭାରେ । ତା'ର ଉଚ୍ଚମାନର କବିତା-ପାଠ ମୋତେ ମୁଗ୍ଧ କରିଦେଇଥିଲା । ସେଥିରେ ସେ ନୂଆ ଢଙ୍ଗର କବିତାଟିଏ ଲେଖିଥିଲା । ସେଥିରେ ଭାରି ରହିଥିଲା, ପୁରୁଷର ପୌରୁଷତ୍ୱ ଉପରେ ଅଜସ୍ର ପ୍ରଶଂସା । ଆଉ ମୁଁ ସେଦିନ ଯେଉଁ କବିତା-ପାଠ କରିଥିଲି, ସେଥିରେ ଥିଲା, ନାରୀ ମନସ୍ତତ୍ଵ ଏବଂ ନାରୀ ମନର ଅକୁହା ଭାଷା ।


କବିତା-ପାଠ ଉତ୍ସବ ଶେଷରେ ନନ୍ଦିନୀ ସିଧା ମୋ ପାଖକୁ ଆସି କହିଲା-"ଆଜ୍ଞା ନମସ୍କାର ! ଆଜି ଆପଣଙ୍କର କବିତାଟି ମୋତେ ବହୁତ ଭଲ ଲାଗିଲା, କଗ୍ରାଚ୍ୟୁଲେସନ । ଆପଣ ଜଣେ ଯୁବକହେଇ ନାରୀର ଗୋପନ କଥାକୁ ଏତେ ଚମତ୍କାର ଭାବରେ କେମିତି ଫୁଟାଇ ପାରିଲେ ? ଆପଣଙ୍କ କବିତାରୁ ଜଣାପଡୁଛି- ଆପଣ କୌଣସି ଝିଅକୁ ନିଶ୍ଚୟ କେବେ ଭଲ ପାଇଛନ୍ତି । ସତ କହିଲି ନା ସାର !"

ନନ୍ଦିନୀର ପ୍ରଶଂସା ସେତେବେଳେ ମୋତେ ବହୁତ ଭଲ ଲାଗିଥିଲା ସତ, କିନ୍ତୁ ତା' ପ୍ରଶ୍ନର ଉତ୍ତର ଦେଇ ନ ପାରି କହିଥିଲି-"ତମେ ତ ଜଣେ ଝିଅହେଇ ପୁରୁଷର ପୁରୁଷତ୍ୱ ଉପରେ ଏତେ ଗହନ କଥାକୁ କବିତାରେ ଫୁଟେଇ ଦେଇପାରିଲ,। ତାହା ପୁଣି ଏତେ ସୁନ୍ଦର ଛନ୍ଦରେ, ସରଳ ଭାଷାରେ । ମୁଁ କାହିଁକି ପାରିବି ନାହିଁ ? ମୁଁ ତ ଅନୁଭବ କରୁଛି-ତମେ ନିଶ୍ଚୟ କାହାକୁ ଭଲପାଇ ତା' ପ୍ରେରଣାରୁ ଏହି କବିତା ଲେଖିଛ ।"


ଫିକକରି ହସିଦେଲା ନନ୍ଦିନୀ । ତା'ର ମୁକ୍ତାପରି ଦନ୍ତଫକ୍ତି ଝଟକି ଉଠିଲା । ସୁନ୍ଦରୀ ଝିଅମାନେ ହସିଦେଲେ, ଏତେ ସୁନ୍ଦର ଦେଖାଯାଆନ୍ତି, ମୁଁ ସେଦିନ ନିଜେ ଅନୁଭବ କଲି । ତା' ମୁହଁକୁ ଆଉ ଚାହିଁ ପାରିଲି ନାହିଁ । ଟିକେ ସିରିୟସ ହେଇ ପଚାରିଦେଲି-"ତମ ନାଆଁଟା ତ କବିତା ପାଠରୁ ଜାଣିଲି । ଏବେ ତମେ କରୁଛ କ'ଣ ? ରହୁଛ କେଉଁଠି ?"


ମୋ ପାଖକୁ ଲାଗିଆସି ସେ ଧୀର ଗଳାରେ କହିଲା- "ମୋ ବାପା ଜୟପୁର କୋର୍ଟରେ ଜଜ ଅଛନ୍ତି । ଏବେ ମୁଁ ବିକ୍ରମଦେବ କଲେଜରେ ଓଡ଼ିଆ ଅଧ୍ୟାପିକା ଭାବରେ ମାସେହେଲା ଜଏନ କରିଛି । ବାପାଙ୍କ ପାଖରେ ଜଜ କଲୋନୀରେ ରହୁଛି ।"

ଦୀର୍ଘଶ୍ୱାସଟିଏ ମୋ ଦେହରୁ ଅଜାଣତରେ ବାହାରିଗଲା, ସତରେ ବଢିଆ ନାଆଁଟିଏ-ନନ୍ଦିନୀ । କଲେଜର ଲେକଅଧ୍ୟାପିକା ଚାକିରିଟା ବି ବଢିଆ । ବାପା କୋର୍ଟରେ ଜଜ ଅଛନ୍ତି । ତାଙ୍କ ଷ୍ଟାଟସ ବି ବଢିଆ । ତମର କବିତାରେ ଭାଷା ଆଉ ଭାବ ବଢିଆ । ଆଉ ଦେଖିବାକୁ ତ ଏ' ଝିଅ ସବୁଠୁ ବଢିଆ ।"


ଅଳ୍ପ କେଇଟା ମୁହୂର୍ତ୍ତ ଭିତରେ ମୁଁ ନନ୍ଦିନୀର ଆଉ ଯେତେସବୁ ବଢିଆ କଥାକୁ ଚିନ୍ତା କରିନେଲି । ଭାବୁଥିଲି- "ସବୁଯାକ ବଢିଆ ଆଉ ସୁନ୍ଦରକୁ ଗୋଟେଇ ଆଣି ଭଗବାନ କେମିତି ଏଇ ଗୋଟାଏ ଜାଗାରେ ଢ଼ାଳିଦେଲେ ?"

ତା'ର ବୀଣାଜିଣା କଣ୍ଠ, ପରକୁ ଆପଣାର କରିନେବାର ଆଚରଣ ମୋତେ ଅନ୍ୟମନସ୍କ କରିପକାଇଲା । ପୁଣି ମୋ ପାଟିରୁ ବାହାରି ପଡ଼ିଲା-"ତମେ ତ ନିଶ୍ଚୟ ସୁନ୍ଦର ଭାବରେ ଗୀତ ବି ଗାଇ ପାରୁଥିବ ?"


-"ଆପଣ କେମିତି ଜାଣିଲେ ସାର ! ହଁ, ମୁଁ ଭୁବନେଶ୍ୱରରେ ଥିବା ସମୟରେ କିଛିଦିନ ଗୀତ ଶିଖୁଥିଲି । ଏଠି ତ ସେ ସୁଯୋଗ ନାହିଁ । ଏମିତି କେବେ ସୁଯୋଗ ପାଇଲେ, ଘରେ ଗୀତଗାଏ । ନିଜେ ହାର୍ମୋନିୟମ ବଜାଏ ।"


 -"ତମେ ନିଶ୍ଚୟ ବଢିଆ ଗୀତ ଗାଉଥିବ ବୋଲି ମୋର ବିଶ୍ୱାସ । କେବେ ସୁଯୋଗ ମିଳିଲେ, ମୁଁ ତମ କଣ୍ଠରୁ ଗୋଟିଏ ଗୀତ ଶୁଣିବି ।"

 -"କାହିଁକି ? ଆପଣ ତ ଆମ ଓଡ଼ିଶାର ଜଣେ ବେଶ ପ୍ରତିଷ୍ଠିତ କବି । ଆପଣଙ୍କ ନାଆଁ ମୁଁ ବିଭିନ୍ନ ପତ୍ର ପତ୍ରିକାରେ ପଢେ । ଆପଣ କେବେ ଆମ ଘରକୁ ଆସନ୍ତୁ, ଗୋଟାଏ କ'ଣ ତିନି ଚାରିଟା ଗୀତଗାଇ ଆପଣଙ୍କୁ ଶୁଣେଇଦେବି ।"

-"କିନ୍ତୁ ଆପଣ ଏବେ ରହୁଛନ୍ତି କେଉଁଠି ? ଭୁବନେଶ୍ୱରରୁ ଆସିଛନ୍ତି ନା' ଏଇଠି କୋଉଠି ?"


-"ନାଇଁ ନାଇଁ, ତମେ ଯେମିତି କହିଲା, ମୁଁ ସେତେବଡ଼ କବି ନୁହଁ । କେବଳ ସାହିତ୍ୟରେ ମୋର ଟିକେ ରୁଚିଅଛି । କେବେ କେମିତି କବିତାଟିଏ ଲେଖିଦିଏ । ବଦଳିହେଇ ଏବେ ମୁଁ ଜୟପୁର ତହସିଲକୁ ତହସିଲଦାର ଭାବରେ ଆସିଛି । ତିନିମାସ ହେଲାଣି, ଗେଷ୍ଟ ହାଉସରେ ରହୁଛି । କ୍ୱାର୍ଟର ରିପାରିଙ୍ଗ ଚାଲିଛି ତ ।"

ତା'ହେଲେ ଫେମିଲି ସିଆଡ଼େ ?"


-"ନାଇଁ ମୁଁ ଏକା, ବାପା-ମାଆ ସେଇ ପୁରୁଣା ଜାଗା ଭୁବନେଶ୍ୱରରେ ରହୁଛନ୍ତି ।"

-"ଓ ହୋ ! ତେବେ ତ ଆପଣ ହଇରାଣ ହେଉଥିବେ, ଏବେ ତ ଆପଣଙ୍କ ସହିତ ମୋର ଚିହ୍ନା-ପରିଚୟ ହେଇଗଲାଣି, ପୁଣି ଆମ ସହରରେ ରହୁଛନ୍ତି । ଏ'କଥା ମୁଁ ଜାଣି ନ ଥିଲି । ଆପଣ ନିଶ୍ଚୟ ଆମ ଘରକୁ ଆସିବେ ସାର ।"


-"ଠିକ ଅଛି, ସୁବିଧା ଦେଖି ଆସିବି । ତାମଜହରେ ଅଳ୍ପ ସାହିତ୍ୟ ଚର୍ଚ୍ଚା ଆଉ ଗୀତର ଆସର ଜମିବ । ତା' ଆଗରୁ ଫୋନକରି ଜଣେଇବି ।"

-"ହଁ ସାର ! ଆଉ ଗୋଟିଏ କଥା, ଆମଘରକୁ ଆସିବାବେଳେ ଆପଣ କେତୋଟି ଭଲ କବିତା ବି ସାଙ୍ଗରେ ଆଣିଥିବେ । ତାକୁ ପଢି ମୋତେ ଶୁଣେଇବେ । ମୁଁ ଭାବୁଛି-ଆଜି ଯେତେ ସବୁ କବିତା ପଢାଗଲା, ସେଥିମଧ୍ୟରୁ ଆପଣଙ୍କ କବିତାଟି ସବୁଠାରୁ ଭଲ ହେଇଥିଲା । ଆପଣଙ୍କର ଅନ୍ୟ କବିତାଗୁଡ଼ିକ ମଧ୍ୟ ସେଇମିତି ଭଲ ହେଇଥିବ ।"

-"କେତୋଟି କବିତା କାହିଁକି ? କହିବ ଯଦି ମୋର କବିତା ଡ଼ାଇରିଟା ତମକୁ ଦେଇଦେବି । ମନଇଚ୍ଛା ଯେତେ ପଢ଼ିବାର ପଢ଼ିନେବ ।"

-"ସତରେ ସାର, ଆପଣ ନିଶ୍ଚୟ ଆସିବେ । ଆଜି ମୁଁ ଘରେ ବାପା-ବୋଉଙ୍କୁ ଆପଣଙ୍କ କଥା ସବୁ କହିବି । ଆଓ ଆପଣଙ୍କ ଫୋନକୁ ଅପେକ୍ଷା କରି ରହିଥିବି ।"


-"ତା'ହେଲେ ତମର ଫୋନ ନମ୍ବରଟା ଦିଅ, ଆଉ-କେତେବେଳେ ଫୋନ କରିବି କହିଦିଅ । ଏବେ ମୋ ଫୋନ ନମ୍ବରଟା ବି ସେଭ କରିନିଏ । ମୋତେ ଟିକେ ତମେ ମନେ ପକେଇଦେବ ।"

ଫୋନ ନମ୍ବର ଦିଆନିଆ ଭିତରେ ନନ୍ଦିନୀର ହାତରେ ମୋ ହାତଟା କେମିତି ଛୁଇଁ ହେଇଯାଇଥିଲା । ସେ କିଛି ଜାଣି ପାରିଲା କି ନାହିଁ, ମୁଁ ଜାଣେନା; କିନ୍ତୁ ମୋ ଦେହରେ ବିଜୁଳିର ମଧୁର ଆଘାତ ଲାଗିଯାଇ ଥିଲା । ତା'ପରେ ନନ୍ଦିନୀ ମୋଠାରୁ ବିଦାୟ ମାଗି ତା' ସ୍କୁଟିରେ ବସି ଚାଲିଗଲା । ସେ ସିନା ଚାଲିଗଲା, କିନ୍ତୁ ମୁଁ ଯାଗାଛାଡ଼ି ଅନେକ ସମୟ ପର୍ଯ୍ୟନ୍ତ ଆସିପାରୁ ନ ଥିଲି । ସମ୍ପୂର୍ଣ୍ଣ ଅନ୍ୟମନସ୍କ ହେଇ କେତେବେଳେ ବାଇକ ଧରି ରୁମରେ ପହଞ୍ଚିଗଲି ନିଜେ ଜାଣିପାରିଲି ନାହିଁ ।

ନନ୍ଦିନୀର ରୂପ ଲାବଣ୍ୟ, ତା'ର ଢଳଢଳ ଚାହାଣି, କବିତା ପାଠର ଶୈଳୀ, ମୋ ସହିତ କଥା ହେବାବେଳେ ପ୍ରଗଳଭତା ଆଉ ଲାଜୁଆ ଲାଜୁଆ ମିଠାହସ ମୋର ତନୁମନକୁ ଆଚ୍ଛନ୍ନ କରି ରଖିଥିଲା । ଗେଷ୍ଟହାଉସର ରୁମ ଭିତରକୁ ପଶିଯାଇ ଖଟ ଉପରେ ଗଡ଼ି ପଡ଼ିଲି, ବହୁତ କ୍ଲାନ୍ତ ଲାଗୁଥିଲା । ଛାତରେ ଗୋଟାଏ ନିର୍ଦ୍ଦିଷ୍ଟ ସ୍ଥାନକୁ ଚାହିଁରହି ମୁଁ ନନ୍ଦିନୀର କଥା ହିଁ ଭାବି ହେଉଥିଲି । ସେହି ସ୍ଥାନରେ ନନ୍ଦିନୀର ରୂପ ଝଲମଲ ହେଉଥିଲା । ତା'ର ମିଠା କଥାଗୁଡ଼ାକ କାନରେ ପ୍ରତିଧ୍ଵନିତ ହେଉଥିଲା । ଆଉକିଛି ସମୟ ତା'ସହିତ କଥା ହେଇଥିଲେ, କେତେ ନୂଆ ସ୍ମୃତି ବାନ୍ଧିହେଇ ଯାଇଥା'ନ୍ତା । ଓଃ -ହଉ ସାର ! ମୁଁ ଏବେ ଯାଉଛି, କହି ସେ ଚାଲିଗଲା ।


ଟେଲିଫୋନ ରିଂ ଶୁଣି ମୁଁ ଚମକି ପଡ଼ିଲି । ଦେଖିଲି, ଭୁବନେଶ୍ୱରରୁ ବୋଉ ଫୋନ କରିଛି । ଏଭଳି ସୁଖକର ମୁହୂର୍ତ୍ତରେ କ'ଣ ବୋଉ ସହିତ କଥାବାର୍ତ୍ତା କରିହେବ ? କହିଦେଲି-"ହ୍ୟାଲୋ ବୋଉ, ମୁଁ ଏବେ ଟିକେ ଵ୍ୟସ୍ତରେ ଅଛି । ସଞ୍ଜବେଳକୁ ମୁଁ ଫୋନ କରିବି । ଏବେ ରଖୁଛି ।"

ଏତିକିରେ ଫୋନ କାଟିଦେଲି । ପୁଣି ନନ୍ଦିନୀ ମୋ ମନ ଭିତରକୁ ଆସିଗଲା, ତା'ର ନୀଳରଙ୍ଗର ସାଲୁଆରଟା ଖସି ପଡୁଥିବାର ଦୃଶ୍ୟ । ହସିବାବେଳେ ତା'ର ଧଳା ଫରଫର ଦାନ୍ତ, ଆଉ ଫୋନ ନମ୍ବର ଦିଆନିଆ ବେଳର ମଧୁର ଅନୁଭୂତି । ଗୋଟାଏ ଦୀର୍ଘଶ୍ୱାସ ନେଇ କିଛି ସମୟ ଆଖିବୁଜି ରହିଲି । ପୁଣି ମୋ କାନରେ ଶୁଣାଗଲା -"ଆପଣ ଆମ ଘରକୁ ନିଶ୍ଚୟ ଆସିବେ । ଗୋଟାଏ କାହିଁକି ? ତିନି ଚାରିଟା ଗୀତଗାଇ ଶୁଣେଇଦେବି ।"


କଡ଼ ଲେଉଟାଇ ତକିଆଟାକୁ ନିଜଆଡ଼କୁ ଟାଣିଆଣି କାନେଇଲି । ପୁଣି ଶୁଣାଗଲା- ନନ୍ଦିନୀ କହୁଛି- "ଆଜି ମୋ ବାପା-ବୋଉଙ୍କୁ ଆପଣଙ୍କ କଥାକହି ଦେଇଥିବି । ଆପାଣଙ୍କ ଫୋନକୁ ମୁଁ ଅପେକ୍ଷାକରି ରହିଥିବି ।"

ଅଜାଣତରେ ମୋ ହାତଟା ଫୋନଆଡ଼କୁ ଚାଲିଗଲା । ଆଜି ଥରେ ଫୋନଟା କରିଦେଲେ ଭଲ ହୁଅନ୍ତା । ନାଇଁ, ସେ କାଳେ କିଛି ଖରାପ ଭାବିବ । ଥାଉ, ବରଂ କାଲି ସକାଳେ ଫୋନ କରିଦେବି । ତା' ନମ୍ବରଟାକୁ ମୁଁ ଠିକ ଭାବରେ ସେଭ କରିଛି ତ ? ହଁ ଠିକ ଥିବ । ମନଟା ଅସ୍ଥିର ହେଇ ଯାଉଥିଲା । ଏବେ ଥରେ ଖାଲି ଟେଷ୍ଟ କରିଦେଲେ, କେମିତି ହୁଅନ୍ତା ? ଏମିତି ଭାବୁଭାବୁ କଲଟା ହେଇଗଲା । 

-"ହ୍ୟାଲୋ ସାର ! ମୁଁ ନନ୍ଦିନୀ କହୁଛି, ଆଜି ଆସୁଛନ୍ତି ତ ? ଆମଘର ଆଗରେ ଦୁଇଟା ଦେବଦାରୁ ଗଛ ଅଛି, ମନେ ରଖିଥିବେ । ଚିହ୍ନି ପାରିବେ ତ ? ହଁ, ମୁଁ ଦାଣ୍ଡ ଦୁଆରେ ଠିଆ ହେଇଥିବି । ଆପଣ ଆସନ୍ତୁ । ମୁଁ ଆପଣଙ୍କ କଥା ବୋଉକୁ ସବୁ କହିଦେଇଛି । ରଖୁଛି ସାର ।"

ମୁଁ କିଛି କହିବା ପୂର୍ବରୁ ସେ ଫୋନଟାକୁ କାଟିଦେଲା । ଆଉଥରେ ଫୋନ ଲଗେଇ ତାକୁ ମନା କରିବାକୁ ମନ ବଳିଲା ନାହିଁ । ସେ ଫୋନକରି ଡକେଇଛି । ଏଇଟା ମୋ ପାଇଁ ଗୋଟାଏ ସୁଯୋଗ । ତାକୁ ହାତଛଡ଼ା କରିବା କଥାନୁହଁ । କିଛି ନ ହେଲେ ବି ତାକୁ ଆଉଥରେ ଆଖି ପୂରେଇ ଦେଖିନେଇ ପାରିବି, ଆଉ ଦୁଇପଦ କଥା ତା' ସହିତ ହେଇପାରିବି ତ, ମନଟା ଉଚ୍ଛନ୍ନ ହେଲା । ତରବରହେଇ ଗେଷ୍ଟହାଉସ ବାହାରକୁ ଚାଲିଆସି ଦେଖେ ତ ବାଇକଟା ସେଇମିତି ପଦାରେ ପଡ଼ିଛି । ସେଥିରେ ଚାବିଟା ବି ଝୁଲୁଛି । ବାଇକ ପାଖରେ ଠିଆହେଇ ଭାବିଲି- "ଏବେ ସଙ୍ଗେ ସଙ୍ଗେ ଯାଇ ତାଙ୍କ ଘରେ ପହଞ୍ଚିଗଲେ, ସେ ଅନ୍ୟକିଛି ଭାବିପାରେ । ଏମିତି ଲୋକଟା ବିକଳିଆହେଇ ରହିଥିଲା ଯେ, କହୁକହୁ ଆସି ଦୁଆରେ ହାଜର । ଆଉ ଟିକେ ରହିଗଲେ ଭଲହେବ ।

ଏଣେ ମନଟା ଥୟ ଧରୁନାହିଁ । କେତେବେଳେ ବାଇକରେ ବସିପଡ଼ି କିକ ମାରିଦେଇଛି । ଅଧାବାଟରେ ହେଇଛି, କୁଣ୍ଡାଝରା ବର୍ଷା ଅସରାଏ ହେଇଗଲା । ମୁଁ ଓଦା ହେଉଛି କି ନାହିଁ ଜାଣିପାରୁ ନଥିଲି । ତାଙ୍କଘର ପାଖରେ ପହଞ୍ଚି ଦେଖିଲି- ନନ୍ଦିନୀ ଛତାଟିଏ ଧରି ଗେଟ ପାଖରେ ମୋତେ ଅପେକ୍ଷା କରିଛି । ଗେଟ ବାହାରେ ବାଇକର ଷ୍ଟାଣ୍ଡ ମାରିବା ଭିତରେ ସେ ମୋ ପାଖକୁ ଆସି ମୁଣ୍ଡ ଉପରକୁ ଛତା ଦେଖେଇଦେଇ କହିଲା-"ମୋର ଏଇ ଓଢଣିରେ ମୁଣ୍ଡଟାକୁ ପୋଛି ପକାନ୍ତୁ ।"

ତାଗିଦ କରି ପୁଣି କହିଲା-"ବାଟରେ ଟିକେ ଅଟକି ଯାଇଥିଲେ ହେଇ ନଥା'ନ୍ତା ? ଓଦା ହେଇଗଲେ ।"


ସେ ସେଇମିତି ତା' ଓଢଣୀ କାନିଟାକୁ ମୋ ଆଡ଼କୁ ବଢ଼େଇ ରଖିଥାଏ । ତାକୁ ଛୁଇଁବାକୁ ମୋର ସାହସ ପାଇଲା ନାହିଁ । ସେ ନିଜେ ମୋ ମୁହଁ, କାନ, ନାକ ଆଉ ମୁଣ୍ଡକୁ ତା' ଓଢଣୀ କାନିରେ ପୋଛି ଚାଲିଲା । ତା' ଛୁଆଁରେ ମୋ ଦେହ ଶୀତେଇ ପଡୁଥିଲା । ମୁଁ ସୁନାପିଲା ପରି ଠିଆହେଇ ରହିଥିଲି, ତା' ସହିତ ତାଙ୍କ ଘର ଭିତରକୁ ଗଲି । ସେ ମୋତେ ସୋଫାରେ ବସିବାକୁ କହି ଭିତର ଘରକୁ ଚାଲିଗଲା । ଚାକର ପିଲାଟା ଗରମ ଚା' ଆଣି ଟି' ପଏ ଉପରେ ରଖିଦେଇ ଚାଲିଗଲା । ତାପରେ ନନ୍ଦିନୀର ବୋଉ ଆସି ମୋ ସହିତ ପରିଚିତ ହେଇ ଆଗରେ ପଡ଼ିଥିବା ସୋଫାରେ ବସିଲେ । ମୋ କବିତା ନ ଶୁଣି ମଧ୍ୟ ମୋ କବିତାକୁ ବହୁତ ପ୍ରଶଂସା କରି ଚାଲିଲେ । ତ'ପରେ ସେ କହିଲେ-"ବାପରେ ! ଏ' ଜୀବନରେ ଆଉ କ'ଣ ଅଛି ? ଏଇମିତି ହସଖୁସିରେ ଜୀବନଟାକୁ ବିତେଇଦେଲେ ଗଲା । ଏଇ ମୋ ଝିଅ ନନ୍ଦିନୀ ହେଉଛି -ମୋର ଏକମାତ୍ର ସନ୍ତାନ । ପିଲାବେଳେ ତ ଭାରି ଦୁଷ୍ଟଥିଲା । ଏମିତିକି ସେ କଲେଜରେ ପଢ଼ୁଥିବା ପୁଅପିଲାଙ୍କୁ ହାତ ପୂରେଇ ମାରେ । ତା' ଇଚ୍ଛା ଯାହା ତାହାକରେ । ଖାଲି ଟିକେ ଭଲ ପଢ଼େ, ଆଉ ନାଚଗୀତ, ଲେଖାପଢାରେ ଟିକେ ଭଲକି ମନଦିଏ ବୋଲି ମୁଁ ତାକୁ କିଛି କହେନାହିଁ । ତା' ବାପାର ସେ ଭାରି ଗେହ୍ଲା । ସେଇଥିପାଇଁ ସେ ଏମିତି ହେଇଯାଇଛି । ତାକୁ ହାତକୁ ଦି'ହାତ କରିଦେଲେ ମୋ ଦାୟିତ୍ୱ ସରିବ । ଏବେ ସେ କଲେଜରେ ନୂଆ କି ଚାକିରି କରିଛି । ସେଇଥିପାଇଁ ତା' ମନଟା ଟିକେ ଖୁସି ଅଛି ।"


ମାଉସୀଙ୍କର କଥାଶୁଣି ମୁଁ ବୁଝି ପାରିଲି ନାହିଁ ଯେ, ସେ ନନ୍ଦିନୀର ପ୍ରଶଂସା କରୁଛନ୍ତି ନା' ତା'ର ନିନ୍ଦା କରୁଛନ୍ତି ? ଶୁଣିଲି ମଉସା ଜଜସାହେବ କୁଆଡ଼େ ଟୁରରେ ଯାଇଛନ୍ତି । ମୋ ମନଟା ଚଞ୍ଚଳ ହେଇ ଉଠୁଥାଏ । ଏଠିକି ଆସିଥିଲି, ମୁଁ କେଉଁ ଉଦ୍ଦେଶ୍ୟରେ ? ଆଉ ମାଉସୀ ତାଙ୍କର ଜୀବନ ଦର୍ଶନ, ଅନୁଭବ ଅନୁଭୂତିକୁ ବର୍ଣ୍ଣନା କରି ମୋତେ ବଡ଼ ବିରକ୍ତ କରୁଛନ୍ତି । ତଥାପି ଧୈର୍ଯ୍ୟ ଧରି ମୁଁ ନନ୍ଦିନୀକୁ ଅପେକ୍ଷା କରି ବସିଥାଏ । ମାଉସୀଙ୍କ କଥାଗୁଡ଼ାକ ମୋ ବାଁ' କାନରେ ପଶି ଡାହାଣ କାନରେ ବାହାରି ଯାଉଥାଏ ।

ମୋର ପ୍ରତିକ୍ଷାର ଅନ୍ତ ଘଟାଇ ନନ୍ଦିନୀ ହାତରେ ଗୋଟାଏ ଗୀତଖାତା ଧରି ଆସି ମୋ ଆଗରେ ତଳେ ପଡ଼ିଥିବା କାର୍ପେଟ ଉପରେ ବସିପଡ଼ିଲା । ସୋଫା ପାଖକୁ ଥୁଆ ହେଇଥିବା ହାରମୋନିୟମକୁ ପାଖକୁ ନେଇ ଗୀତ ଗାଇବାକୁ ପ୍ରସ୍ତୁତ ହେଇପଡ଼ିଲା । ମୁଁ ବଡ଼ ଅଡୁଆରେ ପଡ଼ିଗଲି । ମୋ ହୃଦୟରେ ଯାହାକୁ ମୁଁ ଏତେ ବଡ଼ ଆସନ ଦେଇସାରିଛି, ସେ ତଳେ ବସି ଗୀତ ଗାଇବ, ଆଉ ମୁଁ ସୋଫାରେ ବସି ରହି ତା' ଗୀତକୁ କେମିତି ଉପଭୋଗ କରିବି ? ମୁଁ ତଳକୁ ଓହ୍ଲେଇ ପଡ଼ିଲି । ନନ୍ଦିନୀ ଉଠିପଡ଼ି କହିଲା- "ନାଇଁ ସାର, ଆପଣ ଉପରେ ବସନ୍ତୁ ।"


କିନ୍ତୁ ମୋ ମନ ମାନୁ ନ ଥିଲା । ସେ ମୋ ହାତକୁ ତା' କଅଁଳ ହାତରେ ଏକ ପ୍ରକାର ଟାଣିନେଇ ସୋଫାରେ ବସେଇଦେଇ, ଚୁଲବୁଲି ଝିଅଟା ପରି ସେ ଗୀତ ଗାଇବା ଆରମ୍ଭ କରିଦେଲା । ମୁଁ ତନ୍ମୟହେଇ ତା' ଗୀତକୁ ଉପଭୋଗ କରିବାର ଅଭିନୟ କରୁଥିଲି ସିନା, କିନ୍ତୁ ମୋ ଆଖି ଦୁଇଟା କେବଳ ତା'ର ରୂପ ଲାବଣ୍ୟକୁ ଆଉ ତା'ର ଅଙ୍ଗଭଙ୍ଗୀକୁ ନିରୀକ୍ଷଣ କରୁଥିଲା । ସତ କହିବାକୁ ଗଲେ, ମୁଁ ଗୀତ ଶୁଣୁଥିଲି କମ ଆଉ ତାକୁ ଦେଖୁଥିଲି ବେଶି । କାହ୍ନା ପାଖରେ ଶ୍ରୀରାଧାଙ୍କ ପ୍ରେମ ନିବେଦନ ଉପରେ ଆଧାରିତ ଓଡ଼ିଶୀ ଗୀତରେ ସେ ଏଭଳି ଭାବଦେଇ ଗାଉଥିଲା, ମୋତେ ଲାଗୁଥିଲା, ନନ୍ଦିନୀ ନିଜେ ଶ୍ରୀରାଧା ହେଇଯାଇଛନ୍ତି, ମୁଁ କଦମ୍ବ ମୂଳରେ ଛନ୍ଦତୋଳି ଦଣ୍ଡାୟମାନ ହେଇଛି । ସେତେବେଳକୁ ମୁଁ ନିଜେ ତରଳି ଯାଇଥିଲି ।

ଗୋଟିଏ ପରେ ଗୋଟିଏ ସେ ଗୀତ ଗାଇ ଚାଲୁଥାଏ । ଏତେବଡ଼ ଘରର ଝିଅ, ତଳେ ବସି ଏତେ ସମୟ ଗୀତଗାଇ ଚାଲିଛି, ସେ ନିଶ୍ଚୟ ଥକି ପଡୁଥିବ, ଏ'କଥା ଜାଣିପାରି ମଧ୍ୟ ସେତିକି ଥାଉ ବୋଲି ମୋର କହିବାକୁ ମନ ବଳୁ ନ ଥାଏ । ସେ ଗୀତ ବନ୍ଦ କରିଦେଲେ, ଆଉ କିଛି କଥା ବି ହେବାର ଅଛି । ତଥାପି ଯେତେ ସମୟ ଚାଲୁଛି ଚାଲୁ, ଫୋନର ସୁଇଚ ତ ଅଫ କରିଦେଇଛି । କେହି ମୋତେ ଏବେ ଡିଷ୍ଟର୍ବ କରିପାରିବେ ନାହିଁ ।


ପିଅନ ଗରମ ଗରମ ପକୁଡ଼ି ଧରି ଆସି ଠିଆହେଲା । ମାଉସୀ କହିଲେ- "ଆଗ ତମେ ଦି'ଜଣ ପକୁଡ଼ି ଖାଇଦିଅ । ତା'ପରେ ଆଉ ଗୀତ ଗାଇଲେ ଗାଇବୁ, ପୁଅଟା କେତେବେଳୁ ଆସିଲାଣି । କିଛି ଜଳଖିଆ କରିନାହିଁ ।"


ମାଉସୀଙ୍କ କଥାରେ ଗୀତ ବନ୍ଦ ହେଇଗଲା । ଗୋଟିଏ ବଡ଼ପ୍ଲେଟରେ ଆମେ ଦୁଇଜଣ ମିଶି ପକୁଡ଼ି ଖାଇଲୁ । ମାଉସୀ ଆମ ଆଗରେ ବସି ତାଙ୍କର ଅନୁଭବ, ଅଭିଜ୍ଞତା କଥା ପୁଣି ଗପି ଚାଲିଲେ । ସେଥିରେ କ'ଣ ମୋର ମନଥାଏ ? ମୁଁ କେବଳ ହୁଁ-ହୁଁ ମାରି ନନ୍ଦିନୀ ମୁହଁକୁ ଚାହିଁ ରହିଥାଏ । ମଝିରେ ମଝିରେ ନନ୍ଦିନୀର ଚମ୍ପାକଢ଼ି ଆଙ୍ଗୁଳିରେ ମୋ ଆଙ୍ଗୁଳିକୁ ଜାଣିଜାଣି ଛନ୍ଦି ପକାଉଥିଲି । ନନ୍ଦିନୀ କିଛି ବୁଝି ପାରୁଥିଲା କି ନାହିଁ କେଜାଣି ? ସେ ଖାଲି ଟିକେ ମୁରୁକି ହସି ଦେଉଥିଲା । ସେତିକିରେ ମୋ ଦେହ-ମନ ପୁଲକିତ ହେଉଥିଲା । ଭାବୁଥିଲି, ମୋ ଜୀବନର ଏଇଟା ହେଉଛି-ସବୁଠାରୁ ସୁଖକର ମୁହୂର୍ତ୍ତ । ଏଭଳି ସୁଯୋଗ ଜୀବନରେ ପୁଣି ଥରେ ମିଳିବ କି ନାହିଁ, କେ ଜାଣେ ?

ନନ୍ଦିନୀର ଅନୁରୋଧରେ ମୁଁ କେତୋଟି ପ୍ରେମିକବିତା ବାଛିବାଛି ପଢ଼ିଲି । ନନ୍ଦିନୀ ପୁଲକିତ ହେଲା । ମୋ ଉପରେ ଅଜସ୍ର ପ୍ରଶଂସା ଢାଳିଦେଲା । ଏଇ କବିତାଟିକୁ ଶୁଣେଇବା ପାଇଁ କେତେ ଅରସିକ, ବେରସିକ ଅଫିସ କର୍ମଚାରୀଙ୍କୁ ମୁଁ ଚା' ଜଳଖିଆଦେଇ ବସେଇଛି, ସେମାନେ ମୁହଁରେ ସିନା ବଢିଆ ହୋଇଛି ବୋଲି କହନ୍ତି, କିନ୍ତୁ ପଛରେ ମୋତେ ବାଇଆଟା ବୋଲି କହି ସମାଲୋଚନା କରିଥିବାର ମୁଁ ଶୁଣିଛି । କିନ୍ତୁ ଆଜି ମୁଁ ପ୍ରକୃତରେ ଖାଣ୍ଟି ଗରାଖଟିଏ ପାଇଛି । ଯିଏ ତା'ର ମର୍ମକୁ ବୁଝି ପାରୁଛି, ହୃଦୟଙ୍ଗମ କରିପାରୁଛି । ସତରେ ଆଜି ମୋ କବି ଜୀବନର ସାର୍ଥକତା ମୁଁ ପାଇଗଲି ।


ଅନେକ ନୂଆ ଅନୁଭୂତି ଅଭୁଲା ସ୍ମୃତିକୁ ଧରି, ମାଉସୀଙ୍କୁ ଭୂମିଷ୍ଟ ପ୍ରଣାମ ଜଣାଇ; ନନ୍ଦିନୀ ପାଖରୁ ସେଦିନ ରାତିରେ ବିଦାୟ ନେଇ ଆସିଲି । ରାତିରେ ଆଉ ଭୋକ କି ଶୋଷ ଲାଗିଲା ନାହିଁ । ସିଧାଯାଇ ବିଛଣାରେ ଉପର ମୁହାଁହେଇ ପଡ଼ିରହିଲି । ସମଗ୍ର ରୁମଟା କେବଳ ନନ୍ଦିନୀମୟ ହେଇଗଲା ।


ଦୁଇଘଣ୍ଟାରୁ ଅଧିକା ସମୟ ମୁଁ ନନ୍ଦିନୀର ସାନିଧ୍ୟ ପାଇଥିଲି ସିନା, କିନ୍ତୁ ସେ ଦୁଇଘଣ୍ଟା ମୋତେ ମାତ୍ର ଦୁଇମିନିଟ ପରି ଲାଗିଲା । ସବୁ ସୁଖକର ସମୟଗୁଡ଼ାକ ଏମିତି ବୋଧହୁଏ ଲାଗେ । ଭାରି ଶୀଘ୍ର ଚାଲିଯାଏ । ତାଙ୍କଘରେ ଆଉ କିଛି ସମୟ ମିଳିଥିଲେ, ମନଖୋଲି ଆଉ ଟିକେ କଥାବାର୍ତ୍ତା ହେଇ ପାରିଥା'ନ୍ତି । ଏଣେ ମାଉସୀ ତ ଆଗରେ ବସି ରହି ଏଣୁତେଣୁ ଗପି ସବୁ ମୂଲ୍ୟବାନ ସମୟକୁ ସିଏ ହିଁ ନଷ୍ଟ କରିଦେଲେ ।

ବୁଢ଼ୀ ଉପରେ ଭାରି ରାଗହେଲା । ଟିକିଏ ନିରୋଳା ସମୟ ପାଇଥିଲେ, ମୁଁ ନନ୍ଦିନୀକୁ ମୋର ମନର କଥାଟା କହିଦେଇ ପାରିଥା'ନ୍ତି । କେବଳ ସେଇ ପଦେକଥା ରହିଗଲା-"ମୁଁ ତମକୁ ଭଲପାଏ ।" ନାଇଁ ମ ମୁଁ ବୋଧେ ସେମିତି କହି ପାରି ନ ଥା'ନ୍ତି । ଗୋଟିଏ ଦିନରେ କ'ଣ ଏ'କଥା କହିହୁଏ ? ମୁଁ ସିନା ତାକୁ ମନେମନେ ପ୍ରେମକରି ସାରିଥିଲି, କିନ୍ତୁ ସିଏ ତ ମୋ ପ୍ରେମକୁ ବିଶ୍ୱାସ କରିଥା'ନ୍ତା କେମିତି ?

ପ୍ରେମର ଅନ୍ୟନାମ ହେଉଛି-ବିଶ୍ୱାସ । ମୋତେ କ'ଣ ନନ୍ଦିନୀ ତା' ବିଶ୍ୱାସକୁ ଆଣି ପାରିଛି ? ଆଉଥରେ ଦେଖାହେଲେ, ମୁଁ କଥାରେ କଥାରେ ବୁଲେଇ ବଙ୍କେଇ ଏ'କଥାଟା କହିବି । ଦେଖାଯାଉ କ'ଣ ହେଉଛି ?


ଓଏଏସ ଭଳି ସମ୍ମାନଜନକ ପଦବୀ ପୁଣି ତହସିଲଦାର ଭଳି ଦାୟିତ୍ୱ ସମ୍ପନ୍ନ ଚାକିରିରେ ଥାଇ ଏଭଳି ନିଜ ଦୁର୍ବଳତାକୁ ହାଟରେ ବିକ୍ରି କରିଦେଲେ ନନ୍ଦିନୀ କ'ଣ ଭାବିବ ? ଅନ୍ୟମାନଙ୍କ କାନକୁ କଥାଟା ଚାଲିଗଲେ, ମୋ ମାନ-ସମ୍ମାନ ରହିବ ତ ? ଏମିତି ଦ୍ଵନ୍ଦରେ ପଡ଼ି ଛଟପଟ ହେଲି । ଦେହଟା ଗରମ ହେଇଗଲା, ଝରକା ଖୋଲିଦେଇ ପଦାକୁ ଚାହିଁଲି । ଆକାଶରେ ଖଣ୍ଡିଆ ଜହ୍ନଟା ଅସ୍ତ ହେଇଯାଉଥିଲା । ତାରାଗୁଡ଼ିକ ଉଜ୍ଜଳହେଇ ଆସୁଥିଲେ ।


 ଏଇ ଜହ୍ନ କେତେ ପ୍ରେମିକ ପ୍ରେମିକାଙ୍କୁ ପ୍ରେମ ଦିଆନିଆ ଶିଖେଇଛି । କବିମାନେ ତ ଜହ୍ନକୁ ଛାଡ଼ି କବିତା କି ଗୀତ ଲେଖିପାରନ୍ତି ନାହିଁ । ଆଜିର ଖଣ୍ଡିଆ ଜହ୍ନ କାଲିକୁ ପୁଣି ଆଉ ଟିକେ ବଡ଼ ହେଇ ଉଇଁବ । ସିଏ ପୁଣି ବଢିବଢି ରୂପାଥାଳି ପରି ଗୋଲ ହେଇଯିବ । ଠିକ ସେଇମିତି ପ୍ରେମ ବଢେ । ପୂର୍ଣ୍ଣିମା ଜହ୍ନପରି ପ୍ରେମ ପାକଳ ହେଇଗଲେ, ପ୍ରଣୟରେ ପରିଣତ ହେଇଯାଏ । ଆମର ପ୍ରେମ ଏଇ ଦ୍ୱିତୀୟା ଜହ୍ନ ହେଇଛି । ଦ୍ଵିତୀୟା ଜହ୍ନ କ'ଣ ଗୋଟିଏ ଦିନରେ ବଡ଼ ହେଇଯାଏ ? ସେ ନିଶ୍ଚୟ ଜହ୍ନପରି ଧୀରେଧୀରେ ବଢିବ । ପୂର୍ଣ୍ଣିମା ପର୍ଯ୍ୟନ୍ତ ମୋତେ ଅପେକ୍ଷା କରିବାକୁ ପଡ଼ିବ ।


ଆକାଶର ତାରାଗୁଡ଼ିକ ଇର୍ଷା ପରାୟଣ ପଡୋଶୀ ଭଳି ତେଜି ଉଠନ୍ତି-ଜହ୍ନ ବୁଡ଼ିଗଲାପରେ । ଆଉ ପୂର୍ଣ୍ଣିମା ଜହ୍ନକୁ ଦେଖି ସେମାନେ ମୁହଁ ଲୁଚାନ୍ତି । ମୋର ପ୍ରେମ ତ ଏବେ କଷି ହେଇଛି । ତାକୁ ସମ୍ଭାଳି ରଖିପାରିଲେ ହିଁ ନିନ୍ଦୁକମାନେ ମଳିନ ପଡ଼ିଯିବେ । ମୋତେ ଅପେକ୍ଷା କରିବାକୁ ପଡ଼ିବ । ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପାଦ ପକେଇଲେ ସିନା, ମୁଁ ପର୍ବତର ଶିଖରକୁ ଛୁଇଁ ପାରିବି ।

ରାତି ପାହି ଆସୁଥିଲା । ସୂର୍ଯ୍ୟଙ୍କର ଆଗମନିରେ ପୂର୍ବ ଆକାଶଟା ଉଜ୍ଜଳହେଇ ଆସିଲା । ଠିକ ଏଇମିତି ସମୟ ଆସିବ, ଦିନେ ମୁଁ ନନ୍ଦିନୀର ପ୍ରେମାଲୋକରେ ଉଦଭାସିତ ହୋଇଉଠିବି ।

ସକାଳର ନିତ୍ୟକର୍ମ ଶେଷକରି ଦେଖିଲି, କାଲି ରାତିରେ ପିଅନ ଯେଉଁ ରୋଟି ସନ୍ତୁଳା ଟେବୁଲ ଉପରେ ଥୋଇଦେଇ ଯାଇଥିଲା, ସେ ସେଇମିତି ଥୁଆ ହୋଇଛି । ନନ୍ଦିନୀ ତ ମୋର ସବୁ ଭୋକ ଶୋଷକୁ ନେଇଯାଇଛି ।


ମୁଁ କ'ଣ କରିବି ? ଛାଡ଼, ଆଜି ଯେମିତି ହେଲେ, ନନ୍ଦିନୀ ସହିତ ଫୋନରେ ଦୁଇପଦ କଥାହେବି । କେବେ କେଉଁଠି ତା' ସହିତ ଆଉଥରେ ଦେଖାହେଇ ପାରିବ, ପଚାରି ବୁଝିଦେବି ।

ପିଅନଟା ଚା' କପ ଧରି ମୋ ପାଖରେ ଠିଆ ହେଇଗଲା । କାଲିର ଖାଇବା ଜିନିଷକୁ ଦେଖି କହିଲା-"କ'ଣ କାଲି ଆପଣ କିଛି ଖାଇ ନାହାନ୍ତି କି ? ଯେମିତି ଦେଇଯାଇଥିଲି, ସେଇମିତି ଥୁଆ ହେଇଛି ।"

-"ନାଇଁ, କାଲିରାତିରେ ଦେହଟା ମୋର ଭଲ ନ ଥିଲା । ଖାଇବାକୁ ଇଚ୍ଛା ହେଲାନାହିଁ । ଶୁଣ, ଚା'କପଟାକୁ ଥୋଇଦେଇ ତୁ ସେ ପ୍ରେମାନନ୍ଦକୁ ଟିକେ ଡାକି ଆଣିବୁ ଯା' - । ଯଦି ସେ ଆସି ନ ପାରେ, ତେବେ ତା'ର ଫୋନ ନମ୍ବରଟା ଲେଖି ଆଣିବୁ ।"

-"ସାର, ସେ ଓକିଲ ବାବୁ ପ୍ରେମାନନ୍ଦ ତ ?"

-"ହଁ ମ ! ସେଇ ଟୋକା ଓକିଲ, ଯିଏ କାଲି ସାହିତ୍ୟ ସଭାର ନିମନ୍ତ୍ରଣପତ୍ର ତୋତେ ଦେଇକି ଯାଇଥିଲେ, ସେଇ ପ୍ରେମାନନ୍ଦବାବୁ । କହିବୁ-ଅର୍ଜେଣ୍ଟ ଖବର ଅଛି । ସାର ଅପେକ୍ଷା କରି ବସିଛନ୍ତି । ହେଲା ? ଯା'-

ପିଅନ ପ୍ରେମାନନ୍ଦକୁ ଡାକିବାକୁ ଚାଲିଗଲା । ମୁଁ ଚା' କପରେ ଓଠ ଲଗେଇଲି । ବୋଧ ହୁଏ, ମିଠା ଠିକ ଭାବରେ ପଡ଼ିନାହିଁ, ଚା' ପାଣିଚିଆ ଲାଗିଲା । ପୁଣି ଭାବନା ରାଜ୍ୟରେ ମୁଁ ହଜିଗଲି । ଏଇ ଚା' କପଟାକୁ ଧରି ଯଦି ନନ୍ଦିନୀ ଆସିଥା'ନ୍ତା, ତେବେ କ'ଣ ଏମିତି ଲାଗିଥା'ନ୍ତା କି ? ଚିନି ନ ପକେଇଥିଲେ ବି ମିଠା ଲାଗିଥା'ନ୍ତା ନିଶ୍ଚୟ । ଚା' ବାମ୍ଫରୁ ନନ୍ଦିନୀର ବାସ୍ନା ବାହାରୁ ଥା'ନ୍ତା ।

ନମସ୍କାର ଶବ୍ଦରେ ମୋ ଭାବନାର ପୂର୍ଣ୍ଣଚ୍ଛେଦ ପଡ଼ିଗଲା । ପିଅନ ପଛେପଛେ ପ୍ରେମାନନ୍ଦ ରୁମ ଭିତରକୁ ପଶି ଆସିଲା ।

ତାକୁ ବସିବାକୁ କହି ପଚାରିଲି-"କାଲିର କବିତାପାଠ ଉତ୍ସବ କେମିତି ଲାଗିଲା ? ମୋ କବିତା ଶୁଣିଥିଲ ତ ?" 


-"ବହୁତ ଭଲହେଲା ସାର ! ଆପଣ ଆଉ ନନ୍ଦିନୀ ତ ଆମ କବିତାପାଠ ଉତ୍ସବଟିକୁ ଚମକେଇଦେଲେ । ପ୍ରେମାନନ୍ଦ ମୁହଁରୁ ନନ୍ଦିନୀର ନାଆଁଟା ଶୁଣି ମୋ ଅନ୍ତର ଭିତରଟା କେମିତି କେମିତି ହେଇଗଲା । ମନର କଥାକୁ ଚାପିରଖି କହିଲି_ହଁ, ସେ ଝିଅଟା ବଢିଆ ଲେଖୁଛି, ତାକୁ ଲିଫଟ ଦରକାର । ଆଉ କେବେ ପୁଣି କବିତାପାଠ ଉତ୍ସବି ରଖୁଛ ?"


-"ସାର ! ଏବେ ତ ସରିଛି । ଆସନ୍ତା ମାସ ଶେଷ ରବିବାର ପୁଣି -

-"ନାଇଁ ମ, ବହୁତ ବଡ଼ ଗ୍ୟାପ ହେଇଯାଉଛି । ମଝିରେ ମଝିରେ ସ୍ପେଶାଲ କବିତା-ପାଠର ବ୍ୟବସ୍ଥା କର ।"

-"ସାର ଏଥିପାଇଁ ଗୁଡ଼ାଏ ଟଙ୍କା ଖର୍ଚ୍ଚ ହେଉଛି । ଆମ ମେମ୍ବରମାନେ ତ ଠିକ ଭାବରେ ଚାନ୍ଦା ଦେଉ ନାହାନ୍ତି । ପୁଣି...."

-"ଛାଡ଼, ସେ ଚାନ୍ଦାକଥା, ଗୋଟାଏ କାମକର । ଆଗାମୀ ରବିବାର ଦିନ ଗୋଟାଏ ସ୍ପେଶାଲ କବିତା-ପାଠ ଉତ୍ସବ କର । ସେଥିପାଇଁ ଯାହା ଖର୍ଚ୍ଚ ହେବ, ତାକୁ ସବୁ ମୁଁ ବହନ କରିବି ।"


-"ଠିକଅଛି ସାର ! ଆପଣଙ୍କ ତରଫରୁ ଖାଇବା ପିଇବା ବ୍ୟବସ୍ଥା ଆଉ ହଲ ବୁକିଙ୍ଗ ପାଇଁ ଆଜି ହିଁ ଆଡ଼ଭାନସ ଦେଇଦେଉଛି ।"

-ହଁ ଶୁଣ । ଏଥର ସ୍ପେଶାଲ କରି ଫୋର କଲର କାର୍ଡ଼ ଛାପିବ । ସମସ୍ତଙ୍କୁ ଲଫାପା ଭିତରେ ପୂରେଇକି ବାଣ୍ଟିବ । ତମର ସେ ଧତରା ସିଙ୍ଗିଲ କଲର ପୋଷ୍ଟକାର୍ଡ଼ ନିମନ୍ତ୍ରଣ ଚଳିବ ନାହିଁ । ଆଉ ଗୋଟାଏ କାମ କରିବ, ଦୁଇଟା କାର ମଧ୍ୟ ବୁକ କରିଦେଇଥିବ । ନାରୀ-କବିମାନଙ୍କୁ ତାଙ୍କଘରୁ ନେବା ଆଣିବାରେ ସୁବିଧା ହେବ । ରୁହ, ଏଇ ପାଞ୍ଚ ହଜାର ଟଙ୍କା ଆଗୁଆ ନେଇଥାଅ । ହିସାବ କରି ମୋତେ କହିବ, ଯେତେ ଟଙ୍କା ଦରକାର ମୋଠାରୁ ନେଇଯିବ, ହେଲା ?"

-ସାର, ମୁଁ ଏବେ ଚାଲିଲି ପ୍ରେସକୁ । ସବୁକାମ ଠିକ ସମୟରେ ହେଇଯିବ । କାର୍ଡ଼ରେ ଆପଣଙ୍କ ନାମକୁ ମୁଖ୍ୟ ଅତିଥି ଭାବରେ ଛାପିଦେବି ସାର ।"


ପ୍ରେମାନନ୍ଦ ଚାଲିଗଲା । ଭାରି ଯୋଗାଡ଼ିଆ ଏଇ ଯୁବ ଓକିଲ ପ୍ରେମାନନ୍ଦ । ସିଏ ସମସ୍ତ କବି ଲେଖକଙ୍କୁ ଚିହ୍ନେ । ନନ୍ଦିନୀ ଘରକୁ ଯାଇ ନିଶ୍ଚୟ କାର୍ଡ଼ ଦେଇଦେବ । ଟଙ୍କା ଯେତେଖର୍ଚ୍ଚ ହେଲେ ହେଉ । ଆଉଥରେ ସୁବିଧାରେ ନନ୍ଦିନୀ ସହିତ ଟିକେ ମିଶିବାର ସୁଯୋଗ ତ ମିଳିଯିବ । ଆସନ୍ତା ରବିବାର ଦିନ ଆକାଶରେ ପୂର୍ଣ୍ଣିମା ଜହ୍ନ ଉଇଁବ, ଆଉ ମୋ ମନ ଆକାଶର ପ୍ରେମଚାନ୍ଦ ବି ଉଇଁଥିବ । ସେଇଦିନ ତାକୁ ସବୁକଥା ଖୋଲି କହି ଦେଇପାରିବି । ଆହୁରି ପାଞ୍ଚଦିନ କେମିତି କଟିବ କେଜାଣି ? ମଝିରେ ମଝିରେ ଭାରି ମନହୁଏ, ଥରେ ଫୋନ କରିଦେବାକୁ । ପୁଣି ଭାବେ, ଥାଉ ଅପେକ୍ଷା କରିବାଟା ଭଲହେବ । ଡର ଲାଗେ-ପ୍ରେମଟା କାଳେ ପାଣିଚିଆ ହେଇଯିବ ।

ମୋପାଇଁ ରାତିଗୁଡ଼ାକ ସରେନାହିଁ । ଦିନଗୁଡ଼ାକ ବି ଶୀଘ୍ର ସରୁ ନ ଥାଏ । ନନ୍ଦିନୀ ଘର ବାଟଦେଇ ଯିବା ଆସିବା କଲେ, ଆଖି ଦୁଇଟା ଅମାନିଆହେଇ କନକନ ହୁଏ ।


ଦୀର୍ଘଦିନର ପ୍ରତିକ୍ଷିତ ରବିବାର ଆସିଗଲା । ରାତି ପହିବା ବେଳକୁ ମୋର ସବୁ ନିତ୍ୟକର୍ମ ସରିଯାଇଥିଲା । ଦାଢିକଟା ବି ହେଇ ଯାଇଥିଲା । ପିଅନ ଦେଇଥିବା ଚା' ଆଜି ଭାରି ବଢିଆ ଲାଗିଲା । ସେଥିରୁ ନନ୍ଦିନୀର ବାସ୍ନା ବାହାରୁଥିଲା । ଭଲ ସାର୍ଟ ପ୍ୟାଣ୍ଟ ହଳେ କାଲିଠୁ ବାହାର କରି ରଖିଥିଲି । ତାକୁ ମ୍ୟାଚ କଲାଭଳି ଟାଏ ବି ବାଛି ବାହାର କରିଛି । ବାରମ୍ବାର ଘଡ଼ିକୁ ଦେଖୁଥାଏ ।


ଓହୋ, ସମୟଟା ପୁଣି ଧୀରେ ଚଲିବାରେ ଲାଗିଛି । ଆହୁରି ଦୁଇଘଣ୍ଟା ଅପେକ୍ଷା କରିବାକୁ ପଡ଼ିବ ? ଏଇ ଅପେକ୍ଷା କରିବା କଷ୍ଟ-ଯନ୍ତ୍ରଣାକୁ କେବଳ ଅନୁଭବୀ ହିଁ ବୁଝିପାରେ । ନାଇଁ, ଘଣ୍ଟାଏ ଆଗରୁ ମୋତେ ଯିବାକୁ ପଡ଼ିବ । କାରଟା ନନ୍ଦିନୀ ଘରକୁ ଯାଇଛି କି ନାହିଁ ବୁଝିବାକୁ ପଡ଼ିବ । ଘରୁ ବାହାରିବା ପୂର୍ବରୁ ରୁମରେ ଝୁଲୁଥିବା ଗଣେଶ ଫଟୋ କ୍ୟାଲଣ୍ଡରକୁ ଗଭୀର ଭକ୍ତିରେ ପ୍ରାଣାମ କରି କହିଲି-"ହେ ପ୍ରଭୁ ବିଘ୍ନ ବିନାଶକ ! ଆଜି ଯେମିତି ନନ୍ଦିନୀ ସହିତ ଅଧିକ ସମୟ ନିରୋଳାରେ କଥାହେଇ ପାରିବି, ସେଇଭଳି ପରିସ୍ଥିତି ସୃଷ୍ଟି କରିଦିଅ ।"

ଘଣ୍ଟାଏ ଆଗରୁ ମୁଁ ଯାଇ ହଲରେ ପହଞ୍ଚିଲି । ପ୍ରେମାନନ୍ଦ ସବୁ ବ୍ୟବସ୍ଥା ଠିକ ଭାବରେ କରିସାରିଛି । ଦୁଇଟା କାର ଯାଇଛି ନାରୀକବିମାନଙ୍କୁ ଘରୁ ନେଇଆସିବ । ତା'ର ରୁଚିବୋଧକୁ ପ୍ରଶଂସା ନ କରି ମୁଁ ରହିପାରିଲି ନାହିଁ । ଜଣକ ପରେ ଜଣେ କବି ଆସି ନିଜ ଆସନରେ ବସୁଥା'ନ୍ତି । ମୋର ଆଖି ଦୁଇଟା କିନ୍ତୁ କେବଳ ନନ୍ଦିନୀକୁ ଖୋଜି ବୁଲୁଥାଏ ।


ପ୍ରେମନନ୍ଦକୁ ଡାକି ଧୀରେ ପଚାରିଦେଲି-"ନନ୍ଦିନୀ ନିମନ୍ତ୍ରଣପତ୍ର ପାଇଛି ତ ? କାହିଁ ସେ ଏତେବେଳଯାଏ ତ ଆସିନାହିଁ ।

-'ହଁ,ସାର ! ମୁଁ ନିଜେଯାଇ ତାଙ୍କଘରେ ଦେଇଆସିଥିଲି, କିନ୍ତୁ ସେ ଆଜି ସକାଳୁ ଫୋନକରି କହିଲା-"ଆଜିର କବିତା-ପାଠ ଉତ୍ସବକୁ ଆସି ପାରିବ ନାହିଁ । ତା'ର ଆଜି ଏନଗେଜମେଣ୍ଟ ଅଛି । ବର ଘରଲୋକ ସବୁ ଆସି ଗଲେଣି ।

-ମାନେ, ତା'ର ବାହାଘର କ'ଣ କେଉଁଠି ଠିକ ହେଇଯାଇଛି ?"

-ହଁ,ସାର, ଲଭ ମ୍ୟାରେଜ । ଖାଲି ନାମକୁ ମାତ୍ର କନ୍ୟାଦେଖା ହେବ । ସେ ତା'ର କ୍ଳାସମେଣ୍ଟକୁ ଭଲ ପାଉଥିଲା । ସେ ଟୋକା ତିନିଦିନ ହେଲା ଆସି ତାଙ୍କଘରେ ରହିଛି ।"


 ପ୍ରେମାନନ୍ଦର କଥାଗୁଡ଼ାକ ମୋ ଦେହରେ କଣ୍ଟା ଫୋଡ଼ିଦେବା ପରି ଲାଗୁଥିଲା । ପାଦର ମାଟିଟା ଯେମିତି ଖସି ଖସି ଯାଉଥିଲା । ମୁଣ୍ଡଟା କେମିତି ଘୂରେଇଦେବା ଭଳି ଲାଗୁଥିଲା । ମୋ ପାଟିରୁ ବାହାରି ପଡ଼ିଲା- "ସେ ଟୋକାଟା କୋଉଠିକାର ?"

ପ୍ରେମାନନ୍ଦ କହିଲା-"ସାର ! ସିଏ ପରା ଆମ ତହସିଲର ଟୋକା ରେଭେନ୍ୟୁ ଇନିସ୍ପେକ୍ଟର ଚନ୍ଦ୍ରମଣି । ଭୁବନେଶ୍ୱରରେ ଥାଇ ତାକୁ ସେ ପ୍ରେମ କରୁଥିଲା । ଏଠି ଚାକିରି ପାଇଗଲା ପରେ ତ ବେଶ ଜମିଯାଇଛି । ନନ୍ଦିନୀର ବାପା ଜଜସାହେବ ବି ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି । ଆସନ୍ତା ରବିବାର ଦିନ ତାଙ୍କର ବାହାଘର ହେବ । ଆପଣ ଠିକ ସମୟରେ ନିମନ୍ତ୍ରଣ ପତ୍ର ପାଇବେ ଯେ ।"


-ସେ ଆର.ଆଇ ଚନ୍ଦ୍ରମଣି ? ଶଃ- ସେଇଟା ପୁଣି କେବେ ପ୍ରେମିକ ହେଇଗଲାଣି ? ପୋତାମୁହାଁ ଟୋକା ଗତବର୍ଷ ପରା ଲାଞ୍ଚନେଇ ଧରା ପଡ଼ିଥିଲା । ତା' କେସ ଫାଇଲଟା ମୋ ପାଖରେ ଅଛି । ସିଏ ପୁଣି... "

-ହଁ,ସାର ! ସେମିତିକା ଫ୍ଲଟ କେସ ଗୁଡାକ ଆର ଆଇମାନଙ୍କ ନାମରେ ହୁଏ, ପୁଣି ସେ ସବୁ ବାଏଁ-ବାଏଁ ଉଡ଼ିଯାଏ । ଏବେ ତା' ପାଖରେ କୋଟି କୋଟି ଟଙ୍କା ଅଛି, ସାର !। ଏଣେ ଜଜ ସାହେବ ତାଙ୍କର ଶ୍ୱଶୁର ହେବାକୁ ଯାଉଛନ୍ତି ।"

ପ୍ରେମାନନ୍ଦର କଥାଗୁଡ଼ାକ ଶୁଣିସାରିଲା ପରେ, ମୋ ଦେହ ଭିତରୁ କଲିଜାଟାକୁ କିଏ ଯେମିତି ଓଟାରି ନେଇଗଲା ଭଳି ଲାଗୁଥିଲା, କ୍ରୋଧରେ ଜଳି ଯାଉଥିଲି ।


ମୋର କ୍ରୋଧ ଏବଂ ଦୁଃଖକୁ ହାଲୁକା କରିଦେବାକୁ ମୁଁ ନିଜକଥାର ମୋଡ଼ ବଦଳେଇବା ପାଇଁ ମୁଁ ପ୍ରେମାନନ୍ଦକୁ କହିଲି-"ଛାଡ଼ ସେ କଥା, ତମେ କବିତା ଆଣିଛ ତ ? ମୁଁ ଆଜି ବେଶି ସମୟ କବିତା-ପାଠ ଉତ୍ସବରେ ରହିପାରିବି ନାହିଁ । ଅଫିସରେ ଟିକେ ଅର୍ଜେଣ୍ଟ କାମଅଛି, ମୁଁ ଯାଉଛି । ତମେ ସଭା କାମଟାକୁ ସମ୍ଭାଳି ନେବ ।"

ପ୍ରେମାନନ୍ଦକୁ ସିନା ଦାୟିତ୍ୱ ଦେଇ ମୁଁ ସେଇଠୁ ଚାଲି ଆସିଲି- କିନ୍ତୁ ମନଟା ମୋର ଜଳୁଥିଲା । ଭାବୁଥିଲି-"ନନ୍ଦିନୀ ଆଜି ମୋ ଆତ୍ମାରେ, ମନରେ, ମସ୍ତିଷ୍କରେ, ପ୍ରାଣରେ ପୁଣି ଦେହରେ ଦାରୁଣ ଆଘାତ ଲଗେଇ ଦେଲା । ସେ ଆଘାତର ଦାଗ ମୋ ହୃଦୟରେ ସବୁଦିନ ପାଇଁ ଅଲିଭା ଦାଗହୋଇ ରହିଯିବ ।"



Rate this content
Log in

Similar oriya story from Romance