STORYMIRROR

Ranjit Sahu

Romance Tragedy Action

4  

Ranjit Sahu

Romance Tragedy Action

ପ୍ରେମ ନୁହେଁ ପାପ

ପ୍ରେମ ନୁହେଁ ପାପ

6 mins
216

"ମେଘ ଢାଙ୍କି ଆସିଲାଣି I କିନ୍ତୁ ଆମର ଏବେ ବ୍ୟାଟିଂ ପାଳି I ଏତେ କମ ସ୍କୋର ତ କୋଡିଏ ଓଭରରେ ହେଇଯିବ I ଆଉ ମିଡିଲ ଅର୍ଡରରେ ଅଭିଷେକ ଅଛି ଯଦି କିଛି ଗଡ଼ବଡ଼ ହୁଏ ସିଏ ସମ୍ଭାଳି ନେବ, ତେଣୁ ଡରିବାର କିଛି ନାହିଁ, ବିନ୍ଦାସ ଖେଳ, " ସାର୍ଥକ କହିଲା I "କିନ୍ତୁ ସାରୁ ମୋତେ କାହିଁକି ଗୋଟିଏ ଅଜଣା ଭୟ ଘାରିବାକୁ ଲାଗିଛିରେ, " ଅଭିଷେକ କହିଲା, କାହିଁକି କେଜାଣି ଅଦିନିଆ ମେଘଟା ମନରେ ପାପ ସୃଷ୍ଟି କରୁଛି," ଅଭିଷେକ କହିଲା I "ଅଦିନିଆ ମେଘ ନୁହେଁ ଗତ ତିନି ସପ୍ତାହ ହେଲା ତୋ ଗାର୍ଲଫ୍ରେଣ୍ଡ ରୂପାଲି ତୋର ଖେଳ ଦେଖିବାକୁ ଆସିନି ନି ସେଥି ପାଇଁ ତୋ ମନରେ ପାପ ଛୁଇଁଛି, ତାକୁ ଝୁରି ହେଉଛୁ, ମେଘକୁ କାହିଁକି ବାହାନା କରୁଛୁ? ଏତେ କମ ସ୍କୋର ମୁଁ ଵଉଳେର ହେଇକି ମଧ୍ୟ କରିଦେବି, " ସତ୍ୟଜିତ କହିଲା I " ହଁ ତାକୁ ମୁଁ ବହୁତ ଭଲ ପାଏ, ସିଏ ମୋର ଜୀବନର ସବୁ କିଛି," ଅଭିଷେକ କହିଲା I "ମାନେ କଣ ତାକୁ ବାହା ହେବୁ ଭାବୁଛୁ କି?" ସତ୍ୟଜିତ ପଚାରିଲା I "କାହିଁକି ନୁହେଁ? ପ୍ରେମ କରିବା କଣ ପାପ ?ଆଉ ପ୍ରେମିକା କୁ ବାହା ହେବ କଣ ଅପରାଧ ?" ଓଲଟି ପ୍ରଶ୍ନ କଲା ଅଭିଷେକ I "ବୁଝିଲୁ ସାଙ୍ଗ ତୁ ଭଲ ଖେଳୁଛୁ ସତ କିନ୍ତୁ ପ୍ରକୃତରେ ତୁ ପାଠ ପଢିଲୁନି, ଟଙ୍କା ପଇସା ଵାଲା ଘରର ହେଇଥିବାରୁ ଗେଲ ବସରରେ ବଢିଛୁ , ତେଣୁ ଜୀବନର ସଂଘର୍ଷ ବିଷୟରେ କିଛି ଜାଣିନୁ I ତୁ ଯାହାକୁ ପ୍ରେମ କହୁଛୁ ତାହା ସମାଜ ଆଖିରେ ପାପ, ଯଦି ତାହା ବେରୋଜଗାର ଟୋକାଟିଏ କରେ, ଯେତେ ପଇସା ଵାଲା ହେଲେ ମଧ୍ୟ ,ବୁଝିଲୁ ?,ବେରୋଜଗାର ଟୋକାର ପ୍ରେମ ପ୍ରେମ ନୁହେଁ ପାପ" ସତ୍ୟଜିତ କହିଲା I ଚୁପ ହୋଇଗଲା ଅଭିଷେକ I ସତ୍ୟଜିତ ତାକୁ ଈର୍ଷ୍ୟା କରେ ସମସ୍ତେ ଜାଣନ୍ତି କାରଣ ସତ୍ୟଜିତ ଆଜି ଯାଏଁ ତାକୁ କେବେ ବୋଲଡ଼ କରି ପାରିନି !"କଣ କ୍ଲିନ ବୋଲଡ଼ କରିଦେଲି କି? ସତ୍ୟଜିତ ପୁଣି ଚିଡ଼େଇବାସ୍ଵରରେ କହିଲା I "ତାକୁ କାହିଁକି ଚିଡ଼େଇକି ବସିଛୁ? ଯାଇକି ଶୀଘ୍ର ଖାଇକି ଆସ, ଆମ ବ୍ୟାଟିଂ ଆରମ୍ଭ ହେବ," ସାର୍ଥକ କହିଲା I "ତୁମକୁ ସେ ଆଜ୍ଞା ଡାକୁଛନ୍ତି କଣ ପାଇଁ, "ଦିପ୍ତୀଶ ଆସିକି ବାର୍ତ୍ତାଟିଏ ଦେଲା, ଅଭିଷେକକୁ ଆଉ ଦୂରରେ ଠିଆ ହୋଇଥିବା ଜଣେ ଭଦ୍ର ବ୍ୟକ୍ତିଙ୍କ ଆଡକୁ ଇଙ୍ଗିତ କଲା I "କିଏ ସିଏ? ମୋତେ କଣ ପାଇଁ ଡାକୁଛନ୍ତି?" ଅଭିଷେକ ପଚାରିଲା I "ମୁଁ ଜାଣିନି ଖାଲି କହିଲେ ତୁମକୁ ଡାକି ଦେବାକୁ, ମୁଁ ଯାଉଛି ଖାଇବାକୁ, ଆସିଲେ ବ୍ୟାଟିଂ ଓପେନ କରିବି," ଦିପ୍ତୀଶ କହି ଚାଲି ଗଲା I ତାହାର ମନରେ ଅନେକ ପ୍ରଶ୍ନ ଭରିଗଲା I ତାକୁ କାହିଁକି କିଏ ଡାକୁଛି? କିଛି ଭାବୁ ଭାବୁ ଅଭିଷେକ ପହଞ୍ଚି ଯାଇଥିଲା ଭଦ୍ରବ୍ୟକ୍ତିଙ୍କ ନିକଟରେ ରେ I "ତାହା ହେଲେ ତୁମେ ହେଲେ ସେହି ଅଭିଷେକ ଯାହାକୁ ଏହି ଟିମର ବେଷ୍ଟ ବ୍ୟାଟ୍ସମ୍ୟାନ କୁହା ଯାଉଛି ଆଉ ମିଡିଲ ଅର୍ଡରରେ ରଖା ଯାଇଛି?" ଦାସ ବାବୁ ପଚାରିଲେ"ଆଜ୍ଞା ହଁ , ଆପଣ କିଏ ଚିହ୍ନି ପାରିଲିନି I କେବେ ଆଗରୁ ଦେଖିନି," ଅଭିଷେକ କହିଲା I ରବିବାର ଦିନ ଖେଳ ପଡିଆରେ ମ୍ୟାଚରେ ଵ୍ୟସ୍ତ ଥାଏ ଅଭିଷେକ I କଣ ଆଉ କରିବ ? ଏତେ ଦିନ ହେଲା ବେକାର ହେଇ ରହିଛି ଚାକିରୀଟିଏ କରି ନ ପାରି I ଯାହା ହେଉ ବଡ ଭାଇ ତିନି ଜଣ ଘର ବାଡ଼ି ଆଉ ବ୍ୟବସାୟ ସମ୍ଭାଳି ଦେଉଛନ୍ତି ନ ହେଲେ ଅବସ୍ଥା ବାର ବାଜି ଯାଇ ଥାଆନ୍ତା I ବଡ ଭାଇ ବହୁତ ଭଲ, ବାପା ଭଳି ତାହାର ଯତ୍ନ ନେଉଛନ୍ତି I କେତେ ଥର ଆଶ୍ଵାସନ ଦେଇ କହିଛନ୍ତି, ତୁ ଯାହା ଖୁସି ଲାଗେ କରେ, ତୋ ପଛରେ ମୁଁ ଅଛି I ଖେଳାଖେଳିରେ ଯଦି ମନ ହେଉଛି ତାହା ଠିକ ମଧ୍ୟ I କିଛି ନ ହେଲେ ଖେଳ ଯୋଗୁଁ ସ୍ଵାସ୍ଥ୍ୟ ଠିକ ରୁହେ !

କିନ୍ତୁ ଖେଳ ଯୋଗୁଁ ହିଁ ତାସବୁ କିଛି ପାଇଛି ଅଭିଷେକ ! ତାହାର ଖେଳ ଦେଖି ହିଁ ତ ତାହା ଆଡକୁ ଆକର୍ଷିତ ହେଇଯାଇଛି ରୂପାଲି ! ଆଉ ତାହାର ଜୀବନର ଅନ୍ଧାର ଦୁରେଇ ଦେଇଛି ତାହାର ହସର ଜ୍ୟୋତ୍ସ୍ନାରେ ! "ମୁଁ ପ୍ରଥମ ଥର ତୁମକୁ ଭେଟ କରୁଛି ତେଣୁନିଶ୍ଚୟ ଚିନ୍ହି ପାରିବନି," ଆଗନ୍ତୁକ ଜଣକ କହିଲେ, "ମୁଁ ରୂପାଲିର ବାପା, ନରୋତ୍ତମ ଦାସ I ତାହାର ମୋବାଇଲରେ ତୁମର ନମ୍ବର ଦେଖିଲି ଏବଂ ରୂପାଲି ମୋତେ ତୁମ ବିଷୟରେ ସବୁ କହି ସାରିଛି," ଦାସ ବାବୁ କହିଲେ I "ମାନେ ଆପଣ ମୋ ବିଷୟରେ ସବୁ ଜାଣିଛନ୍ତି," ଲାଜରେ ମମୁଣ୍ଡ ତଳକୁ କରି ଅଭିଷେକ କହିଲା, " ହଁ ଆଜ୍ଞା ମୁଁ ଆଉ ରୂପାଲି ପରସ୍ପର କୁ ବହୁତ ଭଲ ପାଉ I " "ତୁମ କଥା ମୁଁ ଜାଣିନି କିନ୍ତୁ ରୂପାଲି ଆଉ ଏ ପ୍ରେମ ଫ୍ରେମ କରିବନି," ଦାସ ବାବୁ କହିଲେ I "କାହିଁକି ଆଜ୍ଞା ପ୍ରେମ କଣ ପାପ?" ଅଭିଷେକ ପଚାରିଲା I"ପ୍ରେମ ପାପ ନୁହେଁ ସତ, କିନ୍ତୁ ପ୍ରେମ ପାଇଁ ବିବାହର ଆବଶ୍ୟକତା କାହିଁକି?" ଦାସ ବାବୁଙ୍କ ପ୍ରଶ୍ନରେ ବିସ୍ମିତ ହୋଇଗଲା ଅଭିଷେକ Iକଣ କହିବ କିଛି ଭାବି ପାରିଲାନି I କିଛି ସମୟ ନିରବ ରହିବା ପରେ କହିଲା "ନିଜର ପ୍ରେମିକାକୁ ସବୁ ପ୍ରେମିକ ନିଜର ଅର୍ଦ୍ଧାଙ୍ଗିନି ରୂପରେ ପାଇବାର ସ୍ଵପ୍ନ ଦେଖିଥାନ୍ତି ଆଜ୍ଞା, ଆଜିର କଥା ନୁହେଁ ଯୁଗ ଯୁଗରୁ ଚାଲି ଆସିଛି ! ମୁଁ ଯଦି ଏଭଳି ସ୍ଵପ୍ନ ଦେଖିଛି କଣ ପାପ କରିଛି ପାପ ଆଉ ପୁଣ୍ୟର ପ୍ରଶ୍ନ ପଡିନି ଏଠାରେ ଅଭିଷେକ ବାବୁ, ଏଇଟା ଜୀବନର ପ୍ରଶ୍ନ, ଭବିଷ୍ୟତର ପ୍ରଶ୍ନ ଆଉ ପରିବାରର ପ୍ରଶ୍ନ I ତୁମର ଯେପରି ସ୍ଵପ୍ନ ଦେଖିବାର ଅଧିକାର ଅଛି, ସମସ୍ତଙ୍କର ଅଛି I ମୋର ମଧ୍ୟ ସ୍ବପ୍ନଟିଏ ଅଛି ମୋ ଝିଅ ଜୀବନରେ କିଛି କରୁ, କେବଳ ସ୍ତ୍ରୀ ଏବଂ ମାଆ ହେବା ବ୍ୟତୀତ I ମୁଁ ଖବର ପାଇଛି ତୁମେ ପ୍ରତିଦିନ ସନ୍ଧ୍ୟାରେ ଆସି ତାହା ସହ ଅନେକ ସମୟ ବ୍ୟତୀତ କରୁଛ ଆଉ ତାହାର ପଢ଼ା ପଢ଼ିରେ ବ୍ୟାଘାତ ହେଉଛି I ସେଇଟା ମୋତେ ପସନ୍ଦ ନୁହେଁ, ସେ ଯାହା ହେଉ କୌଣସି ମତରେ ସିଏ ପାସ କରିଗଲା ତୁମର ପ୍ରେମରେ ପଡିବ ପରେ ବି, " ଦାଶ ବାବୁ ରୁକ୍ଷ କଣ୍ଠରେ କହିଲେ I"ନା ଅଜ୍ଞା ଆପଣ ଭୁଲ ବୁଝୁଛନ୍ତି, ପରୀକ୍ଷା ସମୟରେ ମୁଁ ତାହା ସହ ସାକ୍ଷାତ କରେ ନାହିଁ, ମୋର ପ୍ରେମ ଏତେ ସ୍ଵାର୍ଥପର ନୁହେଁ I ତାହା ଲାଗି ମୋ ମନରେ ପ୍ରେମ ସବୁଦିନ ରହିଛି ଆଉ ରହିଥିବ I ମୁଁ ଜାଣେ ଆପଣ ମୋତେ ଏଥି ପାଇଁ ପସନ୍ଦ କରୁ ନାହାନ୍ତି ଯେ ମୁଁ ଏବେ ଯାଏଁ ବେକାର ଅଛି I କିନ୍ତୁ ଉପାର୍ଜନ ତ କରୁଛି? ଏଠି ସେଠି ଟିକିଏ ମନୋରଞ୍ଜନ କାର୍ଯ୍ୟକ୍ରମ କରି କିଛି ଉପାର୍ଜନ କରୁଛି I ଘରେ ବହୁତ ସମ୍ପତ୍ତି ଅଛି ଆଉ ଭାଇ ମାନେ ମଧ୍ୟ ମୋର ସବୁ ବେଳେ ସହ ହେଉଛନ୍ତି I ଅବଶ୍ୟ ଘରର ଛୋଟ ହୋଇଥିବାରୁ ମୋ ବଡ ଭାଇ ମାନେ ମୋର ଯତ୍ନ ନେଉଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ମୁଁ କେବେ ଚାକିରିଟିଏ ପାଇବିନି I ଛୋଟୋ ହେଉ କି ବଡ ହେଉ ଚାକିରିଟିଏ କରିବି ଆଉ ଜୀବନରେ ଯାହା ଥିବ ହେବ I ଯାହାର ପଇସା ଥାଏ ସିଏ କଣ କେବଳ ସୁଖରେ ଥାଏ? ମୁଁ ଜୀବନ ସାରା ଭଲ ପାଇବି ଆଉ କୌଣସି ନାରୀ ପ୍ରତି କେବେ ଦୃଷ୍ଟି ମଧ୍ୟ କରିବିନି ଏତିକି କଥା ଦେଇ ପାରିବି, ମୋର ପ୍ରେମ ଶାଶ୍ୱତ ପ୍ରେମ ଆଜ୍ଞା, ରାଧା କୃଷ୍ଣଙ୍କ ପ୍ରେମ ଭଳି," ଆଖି ଛଳ ଛଳ କରି କହିଲା ଅଭିଷେକ I "ବୟସର ପ୍ରବାହରେ ବହି ଯାଇ ଅନେକ ଟୋକା ଆଉ ଟୋକି ଆଜିର ସମାଜରେ ନିଜର କର୍ତ୍ତବ୍ୟକୁ ଅଦେଖା କରି, ପରିବାର ଆଉ ଦେଶର ଦାୟିତ୍ଵକୁ ମାନ୍ୟତା ନ ଦେଇ, ଏମିତି ପ୍ରେମ କରିବାରେ ହିଁ ଜୀବନର ସାର୍ଥକତା ବୋଲି ଭାବି ନେଉଛନ୍ତି, ସାଙ୍ଗ ସାଥୀଙ୍କ ପ୍ରହସନ ପାଇଁ I ମତେ କିଛି ଉଦାହରଣ ଦିଅ ତୁମର ବନ୍ଧୁ ମାନଙ୍କର ଯିଏ ପ୍ରେମ ବିବାହ କରିଛି ଆଉ ଝଗଡା କରିନି ନିଜ ସ୍ତ୍ରୀ ସହିତ," ଆହ୍ଵାନ ଭରା ସ୍ଵରେ କହିଲେ ଦାସ ବାବୁ I ପୁଣି ନିରବ ହୋଇଗଲା ଅଭିଷେକ I "କିନ୍ତୁ ଆଜ୍ଞା ଦାମ୍ପତ୍ୟ ଜୀବନର ଝଗଡା ତ ହୁଏ," ଅଭିଷେକ କହିଲା I "ସେ ଯାହା ହେଉ ମୁଁ ମୋର ନିର୍ଣ୍ଣୟ ନେଇ ସାରିଛି I ତୁମକୁ କେବଳ ଏତିକି କହିବାକୁ ଆସିଥିଲି, କାଲି ରୂପାଲି ଚାଲି ଯାଇଛି ବିଦେଶକୁ ସବୁ ଦିନ ପାଇଁ ତାହାର ନବ ବିବାହିତ ସ୍ଵାମୀ ସହିତ I ତେଣୁ ତୁମର କୌଣସି ଯୁକ୍ତିର ଆଉ ମୂଲ୍ୟ ନାହିଁ I ନିଜର ନୂଆ ଜୀବନଟିଏ ଆରମ୍ଭ କରିବ ବୋଲି ଆଶା କରୁଛି ଏହି ଭଳି ଅତୀତକୁ ଭୁଲି I ପରିବାର ଗଠନ ପାଇଁ ପ୍ରେମିକାଟିଏ ପୂର୍ବରୁ ନିଜ ଗୋଡ଼ରେ ଠିଆ ହେବାର ସକ୍ଷମତା ରହିବା ଆବଶ୍ୟ, ତାହା ପ୍ରଥମ ଆବଶ୍ୟକତା I ହଁ ଆଉ ନିଜର ପ୍ରେମକୁ ରାଧା କୃଷ୍ଣ ପ୍ରେମ ସହିତ ତୁଳନା କର ନାହିଁ, ରାଧା କିମ୍ବା କୃଷ୍ଣ ସେମାନଙ୍କର ପ୍ରେମ ପାଇଁ ନିଜର କର୍ତ୍ତବ୍ୟକୁ ଅବହେଳା କରି ନଥିଲ I ଯଦି ନିଜକୁ କୃଷ୍ଣ ଭାବୁଛ ତୁମେ ଲୀଳା କରୁଥାଅ, ତୁମ ଜୀବନରେ ଆଉ ରାଧା ନାହିଁ," ଦାସ ବାବୁ କହି ଚାଲି ଗଲେ I ତାଙ୍କର ଯିବା ପଥକୁ ଚାହିଁକି ରହିଗଲା ଅଭିଷେକ I ଦୁଃଖ, କ୍ରୋଧ, ଅଭିମାନ ରେ ଭାରି ମ୍ରିୟମାଣ ହେବାକୁ ଲାଗିଲା I ସତରେ କଣ ସିଏ ପ୍ରେମ କରିକି କିଛି ବୁଲ କରିଥିଲା? ରୂପାଲି ଏମିତି କାହିଁକି କଲା? ତାକୁ ନ ଜଣେଇ ଏମିତି ଲୁଚିକି ବାହା କେମିତି ହେଇ ପାରିଲା I ସାର୍ଥକ ଆସି ପିଠିରେ ଥାପୁଡ଼େଇ ଦେଲାରୁ ନିଜର ଭାବନା ରାଜ୍ୟରୁ ବାହାରିଲା ଅଭିଷେକ I "କାହା ସହିତ କଥା ହେଉଥିଲୁ କିରେ? ତୋର ବ୍ୟାଟିଙ୍ଗ ଆସିଗଲା ରେ ଭାଇ, ଆଜି ଯାଇକି ଆଉ ଥରେ ଜଳସା ଦେଖେଇଦେ I ୟୁ ଆର ଆଲୱଏସ ଦି ଶୋମ୍ୟନ ," ସାର୍ଥକ କହିଲା I "ମୁଁ ଆଉ ଖେଳି ପାରିବିନିରେ ସାରୁ , ଭୁଲ କରିଛି କି ପାପ କରିଛି ଜାଣିନି କିନ୍ତୁ ମୁଁ ଜୀବନର ଗେମ ହାରିଯାଇଛି I ମୁଁ ଆହତ ହେଇଯାଇଛି କହିକି ଖେଳକୁ ଆଗେଇ ନେ," ଅଭିଷେକ କହି ଚାଲିଗଲା ଖେଳ ପଡ଼ିଆରୁ I ପ୍ରେମ ପାପ କି ପୁଣ୍ୟ ଆଉ ଜାଣିବାର ନଥିଲା ତାହାର କାରଣ ସିଏ ଜାଣି ସାରିଥିଲା ପ୍ରେମ ପାପ ଆଉ ପୁଣ୍ୟ ନ ହେଲେ ମଧ୍ୟ ଅନୁତାପର କାରଣ ନିଶ୍ଚୟ ହୋଇ ପାରେ, ଆଉ ପଶ୍ଚାତାପ କରିବାକୁ ବାଧ୍ୟ କରିଥାଏ ! ହୁଏତ ଯଦି କେବେ ଆଗରୁ ତାହାର ବଡ ଭାଇ ଏମିତି ତାଗିଦ କରିଥିଲେ ତାକୁ ଆଜି ଏହି ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡି ନଥାଆନ୍ତ ? ବାରମ୍ବାର ଦିପ୍ତୀଶ ର କଥା ଟି ତାହାର ମାନରେ ପ୍ରତିଧ୍ବନିତ ହେବାକୁ ଲାଗିଲା I "ବେରୋଜଗାର ଟୋକାର ପ୍ରେମ, ପ୍ରେମ ନୁହେଁ ପାପ !"


Rate this content
Log in

Similar oriya story from Romance