ପ୍ରେମ ନୀଡ
ପ୍ରେମ ନୀଡ


ଜୀବନ ଆସି ଅଧା ହେଲାଣି, ସମସ୍ତଂକ ପ୍ରେମ ପ୍ଯାଚ୍ ପକେଇ ପକେଇ। କି ପ୍ରେମ ସବୁ କରନ୍ତି କେଜାଣି? ଦିନେ କଥା ହେଲେ ଛଅ ଦିନ କଳି। କ’ଣ ଲାଭ ମିଳୁଚି? ଯାହା ତ’ କରୁଛନ୍ତି ସବୁ କଥାରେ ମୋରି ଉପରେ ଆଂକର୍ ପକୋଛନ୍ତି। ମୁଁ ଏଠି ପାଠ ପଢିବି ନା ତମର ସବୁ ପ୍ରେମ ଫଇସଲା କରିବି? ଏମତି ଖାଲି ମନ ଭିତରେ ମେଘ ଉଠାଏ। ବର୍ଷା ହୁଏନି କେବେ। କାହାକୁ ବା କ’ଣ କହିବି ଯେ। ବିଚାରି ମାନେ ଲୁହ ଗରା ଗରା ଢାଳୁ ଥିବେ ସବୁ। କେବଳ ସେଇ କାରଣରୁ କିଛି କହିପାରେନି କାହାକୁ। ନିଜର କାମ ସରିଗଲେ ଆଉ କିଏ ପଚାରେ? ରଜନୀ ନାଁ ବି କେହି ଧରନ୍ତିନି। ମୁଁ ଯୋଉ ଥୁଣ୍ଟା ବର ଗଛ କୁ ସେଇ ଥୁଣ୍ଟା। ହେଲେ ମତେ କାଇଁ କେବେ ପ୍ରେମ ହଉନି ତ’। ଭଲ ହେଇଚି ମୁଁ କାହା ମୁହଁ ଚାହେଁନି। ନହେଲେ ଏ ଦୁର୍ଦଶା କିଏ ଭୋଗନ୍ତା। ଛିଃ.... ଖିଆ, ପିଆ, ଶୁଆ, ପାଠ ଛାଡି ସବୁ ଗୋଟେ ଫାର୍ସ ଖାଲି। କ୍ଯାରିୟର୍ ସଜାଡିବା କେତେ important ଏ ମୂର୍ଖ ମାନେ ବୁଝନ୍ତିନି।
ଚାରି ବର୍ଷର ଡିଗ୍ରୀ ଭିତରେ ଥରେ ହେଲେ କୋଉ ପୁଅ ସହ ଅଯଥା କଥା ହେଇନି। ପାଠ, ପ୍ରୋଜେକ୍ଟ୍ ବ୍ଯତୀତ କାହା ସହ ଅନ୍ଯ କଥା ହବା ପାଇଁ ମୋ ପାଟି ଖୋଲେନି। ପୁଅ ସାଂଗ ବି ଅଛନ୍ତି ମାତ୍ର ଦିଇ ତିନିଟା। ସେମାନେ ପୁଣି ମୋ ବେଷ୍ଟ୍ ଫ୍ରେଣ୍ଡ୍। କଲେଜ୍ ପରେ ସମସ୍ତେ ଅଲଗା ହେଇଗଲେ। masters course କରିବା ପାଇଁ କିଏ କୁଆଡେ ପଳେଇଲେ। ମୁଁ ହାଇଦ୍ରାବାଦ ରେ। ଅବସ୍ଯ ଏଠି କାହା ପ୍ରେମ ପ୍ଯାଚ୍ ପକେଇବା କୁ ପଡେନି ମତେ। ହେଲେ ସେଇ ପୁରୁଣା ଇତିହାସ ମନେ ପକେଇ ପ୍ରବଳ ହସେ। ଏଇ ମାସେ ହବ management skill development course ଯାଉଚି। କଲେଜ୍ କ୍ଲାସ୍ ପରେ ସଂଧ୍ଯା ରେ। ମୋ ସହ ବେସି କେହି କଥା ହଉ ନାହାନ୍ତି। ଯିଏ କଥା ଆରମ୍ଭ କରୁଚି ମୁଁ ସ୍ୱଳ୍ପ କଥା କହି ଚୁପ୍ ରହୁଚି। ଏଠି ଖାଲି ହାଏ ବାଏ ଚାଲେ। ଭାବ ର ଆଦାନ ପ୍ରଦାନ ନଥାଏ। ଭାବ କହିଲେ କେବଳ computer. ମୁଁ evening ରେ ଯାଏ। ତେଣୁ morning class ର କୌଣସି ପିଲା ସହ ମୁଁ ପରିଚିତ ନୁହେଁ। ପରିଚିତ ଅପରିଚିତ ସବୁ ସମାନ ମୋ ପାଇଁ। ସେଦିନ ଗୋଟେ ଅପରିଚିତ ମୁହଁ ଉଭା ହେଲା କ୍ଲାସ୍ ରୁମ୍ ରେ। ତା ମୁହଁ ରେ ମୋ ଆଖି ପଡିଚି କି ନାଁ ସେ ଚାହିଁଦେଲା ମତେ। ଆଖିରେ ଆଖି ମିଶିଗଲା। କହିଲେ ଅବିଶ୍ୱାସ ହବ ବୋଧେ। ସେଇ ଚେୟାର ଉପରେ ବିନା ବିଦ୍ଯୁତ୍ ରେ ମତେ ବିଜୁଳି ମାରିଲା। କାହିଁକି କେଜାଣି? ମତେ କ’ଣ ଗୋଟେ ହେଲା ବୋଧେ। ତା’ ପରେ ପରେ ମୁଁ ଲଗାତର ଚାରି ପାଂଚ ଥର ତା’ ମୁହଁ କୁ ଦେଖିଥିବି। ସବୁ ଥର ମୁଁ ଝାଳେଇ ଯାଉଥାଏ। ପେଟରେ ମୋର କି ଗୋଟାଏ ଅଜଣା ଯନ୍ତ୍ରଣା ଖେଳେଇ ହଉଥାଏ। ନିଜକୁ ନିଜେ ଅଡୁଆ ତଡୁଆ ହେଇ କ’ଣ ଭାବି ଯାଉଥାଏ ଠିକଣା ନାହିଁ। ଇଚ୍ଛା ହଉଥାଏ ଆଉ ଥରେ ମାତ୍ର ସେ ଚାହିଁ ଦେଲେ ମତେ ମୁଁ ଆଉ ଦ୍ୱିତୀୟ ଥର ତାକୁ ଦେଖନ୍ତିନି। ହେଲେ ହେଲାନି। ମୋ ଜୀବନରେ ଏମିତି କେବେ ଘଟିନି, ଶିକ୍ଷକ ଶ୍ରେଣୀରେ ଥିବେ ଆଉ ମୁଁ ଅନ୍ଯମନଷ୍କ ଥିବି। ସେ ଅନୁଭବ ସହ ଏ କାମ ଟା ବିଲ୍କୁଲ୍ ନୂଆ। ସେ ତିରିଶି computer, students ଆଉ ଜଣେ ସାର୍। ମତେ କେହି ଦେଖାଯାଉ ନଥିଲେ ତା ବ୍ଯତୀତ। ସିନେମା ର ସ୍ଲୋ ମୋସନ୍ ଦୃଶ୍ଯ ପରି ଅନୁଭବ ହଉଚି। ସାର୍ ଦିଇ ଥର ମୋ ନା ଡାକି ଦେଲେଣି। “Rajani attention” କହି। ମୁଁ ଅଲକ୍ଷରେ ତାକୁ ପୁଣି ଚାହିଁ ଦଉଚି।
ସେ ଦିନର ହିନସ୍ତା ସେଠି ପୂର୍ଣ୍ଣଚ୍ଛେଦ ପକେଇ ନଥିଲା। ମୁଁ ରୁମ୍ କୁ ଫେରି ଅଜବ ଅନୁଭବ କରୁଥିଲି। ଗୀତ ଗୁଣୁ ଗୁଣୋଉଥିଲି, ନାଚି ଯାଉଥିଲି ଆଉ ତା’ ଆଖି ଦିଇଟା କଥା ଭାବୁଥିଲି। ଆଉ କହୁଥିଲି “why I’m behaving so strange? Is it me? Like seriously! You are that Rajani who was not entering the perimeter of boys and today you are tracing so many radius within a circle! How?” ମୋ ରୁମ୍ ର ଚାରି କାନ୍ଥ, ଟେବୁଲ୍, ବହି ସବୁ, କାନ୍ଥ ର ପେଣ୍ଟିଂ ଆଉ ମୋ ଥାଳିରେ ଥିବା ଦିଇ ପଟ ରୁଟି ଓ ଗିନାଏ ତରକାରୀ ସମସ୍ତେ ମିଶି ଏକା ସମୟରେ ହସୁ ଥାଆନ୍ତି। ଇଏ ପାଗଳ ହେଲା କହି ଅଟ୍ଟହାସ୍ଯ କରୁଥାଆନ୍ତି। ମୁଁ ବିବସ, ଆଉ ଶବ୍ଦ ହୀନ ହୋଇ ମୋରି କଥା ର ପ୍ରତିଧ୍ୱନି କୁ ମୋ କର୍ଣ୍ଣ ପଟହ ରେ ଘସି ହଉ ଥିବାର ଅନୁଭବ କରୁଥାଏ। ଆଉ ବେଶି ଭାବିବା ଭଲ ନୁହେଁ ଭାବି ଶୋଇ ପଡିଲି।
ପରଦିନ ସେଇ ସବୁ ପୁନରାବୃତ୍ତି ହେଲା। ସେ ମତେ ଚାହେଁ ନି। ମୁଁ ତାକୁ ଚାହିଁ ହଜି ଯାଉଥାଏ। ପୁଣି ନିଜକୁ ବୋଧ ଦେଉ ଥାଏ। ରଜନୀ concentrate କହି। ସାର୍ କାଳେ ମତେ ଦେଖିଦେବେ ଭାବି ଚଂଗ ଚଂଗ ହଉଥାଏ। ଏମିତି ପ୍ରାୟ ସବୁଦିନ ଚାଲିଲା। ରଜନୀ ନିଜର ସତ୍ତା ହରେଇ ବସୁଚି। ସେ ଦମ୍ଭିଲା, ଟାଣୁଆ, ପଥର, ଜଟିଳ ହୃଦୟ ମଣିଷ ଟା କୋମଳ, ତରଳ ଓ ସରଳ ହବାକୁ ଲାଗୁଚି। ଏ ପରିବର୍ତ୍ତନ ର କାରଣ କ’ଣ ସେ ଆଖି? ନୁହେଁ ତ’ ଆଉ କ’ଣ? ସେ ନ ଆସିଥିଲେ କି ଡେରି ରେ ଆସିଲେ ମୁଁ କାହିଁକି ତାକୁ ଖୋଜୁଚି? ଦିନକୁ ଦିନ ତା’ କଥା ବେଶି ଭାବିବାରେ ଲାଗିଚି କାହିଁକି? ଆରେ ହେଇରେ.... ଏମିତି ହେଲେ କୁଆଡେ ପ୍ରେମ ହେଇ ଯାଏ! ମତେ ଆଉ ପ୍ରେମ ହଉନି ତ’! ଏମିତି କଥା ହଉଥାଏ ନିଜେ ନିଜେ। ଧେତ୍... ପ୍ରେମ ନାଁ ଗୁଡ। ମତେ କାଇଁ ପ୍ରେମ ହବ? ଅଜଥାଟା ରେ ଏତେ ଭାବୁଚି। ଭାବିବା ବନ୍ଦ କରିଦେବି ଆଉ କ୍ଲାସ୍ ରେ ତାକୁ ମୋଟେ ଦେଖିବିନି ବାସ୍। ସବୁ ଠିକ୍ ହେଇ ଯିବ।
ଏଇ ପ୍ରତିସ୍ରୁତି ନିଜେ ନିଜକୁ କରି କ୍ଲାସ୍ ଗଲି। ହେଲେ ଇଏ କ’ଣ? ମୁଁ ତାକୁ ଦେଖୁଚି ବୋଲି ସେ ଜାଣି ଦେଲା ନାଁ କ’ଣ? ସେ ତ’ ଆସିନି ଆଜି। କ’ଣ କିଛି ହେଲା କି? ସେ ଠିକ୍ ଅଛି ତ’? ଏମିତି କେତେ ପ୍ରଶ୍ନ ଢାଳି ହେଲେ ମୋ ମନ ରେ। ମୋ ପ୍ରତିସ୍ରୁତି ସବୁ ପାଣି ଫାଟି ଗଲା। ମୁଁ ତାକୁ ଅଧିକ ଖୋଜିଲି। ମନ ବିଚଳିତ। ଗୋଟେ ବିରକ୍ତି ଭାବ ମତେ ଚାପି ପକୋଉଚି। ସାର୍ଂକ କଥା ଫଟା ରେଡିଓ ଭଳି ସୁଭୁଚି। ମୁଁ ତା’ ଆଖି ଦିଇଟା କୁ କଳ୍ପନା କରି ଚାଲିଚି। ସବୁ ଓଲଟା ହେଲା।ଏ ପର୍ଯ୍ଯନ୍ତ ମୁଁ ତା ନା ମଧ୍ଯ ଜାଣିନି। ପର ଦିନ ପ୍ରଥମେ କ୍ଲାସ୍ ଯାଇ ତା ରୋଲ୍ ନମ୍ୱର କହି ନା ଟା ଆବିଷ୍କାର କରି ଆସିଲି ରିସେପ୍ସନ୍ ରୁ। ଫେସ୍ବୁକ୍ ରୁ ଖୋଜି ବାହାର କଲି। ପି. ରାଜୁ ରେଡ୍ଡି। ହାଏ କ’ଣ କହିବି ତା ବିଷୟରେ। ମୁଁ ତା’ ମୁହଁ କୁ କେବେ ଭଲ ଭାବରେ ଦେଖିନଥିଲି। ଫଟୋ ସବୁ ଆଡେଇ ଆଡେଇ ଦେଖି ଚାଲିଲି। ଏତେ innocent, descent, simple ପିଲା ଟା! ରାତି ଅଧ ହେଇଗଲା ଫୋନ୍ ରେ। ପରଦିନ ଯେମିତି ହେଲେ ତାକୁ ହାଏ କି ହାଲୋ କହିବି ମନେ ମନେ ସ୍ଥିର କରିବସିଲି। ମୋ ଭିତର ଏତେ ସବୁ ପରିବର୍ତ୍ତନ ମତେ ଅଜଣା ଥିଲା। ମତେ ସବୁ ନୂଆ ଲାଗୁଥିଲା। ସେଇଆ କଲି? ନାଁ ମ ସାହସ ହେଲାନି। ହେଲେ ତାକୁ ଦେଖି ହସି ଦେଲି। ବଦଳରେ ସେ ମଧ୍ଯ ହସିଲା। ଓଃ.... କି ହସ ଟେ ତା’ର! ସବୁ ଦୁଃଖ ଭୁଲି ହେଇଯିବ ସେଇ ସଜଳ ଚଂଚଳ ଆଖି ଆଉ ହସକୁ ଦେଖି। ଏଥର ସବୁଦିନ ତାକୁ ଦେଖି ସେମିତି ହସି ଦେଲି। ମୁହଁ ଖୋଲିବାର ସାହାସ ଏବେବି ନାହିଁ। ଦିନେ ନୋଟ୍ ବାହାନାରେ କଥା କହଦେଲି। ତା’ ଶ୍ୱର କି ମନ ମୁଗ୍ଧକର! ଟୋଟାଲ୍ ଉପରେ କହିବାକୁ ଗଲେ ପିଲାଟା ପୁରା ପୁରି ଏକ ନମ୍ୱର। ମୁହାଁ ମୁହିଁ କଥା ନହେଲେ କ’ଣ ହେଲା? ମେସେଂଜର୍ ରେ ତ ହେଇପାରିବ! ଫ୍ରେଣ୍ଡ୍ ରିକୁଏଷ୍ଟ ପଠେଇ ଦେଲି। ହାଲୋ ହାଏ କଥା ମଧ୍ଯ ଆରମ୍ଭ ହେଲା। ତାକୁ ମୋ ଭିତର ଭାବନା କିଛି ନକହି ଖାଲି ଟିକେ କଥା ହବାର ଇଚ୍ଛା ମୋର।
ଆମ କଥା ବାର୍ତ୍ତା ସେମିତି ଚାଲିଲା। କିନ୍ତୁ ତାକୁ ସାମ୍ନାରେ ମୁଁ କିଛି କହିପାରେନି। ମାଲିକ ପାଖରେ ପୋଶା କୁକୁରଟେ ଲାଂଗୁଡ ଜାକି ଶୋଇଗଲା ପରି ମୁଁ ମୁହଁ ପୋତି ଚାଲିଯାଏ। ତା ହାତରେ ନୋଟ୍ ଟେ ଧରେଇ ଦେଲେ ମୁଁ କେମିତି ଝାଳେଇ ଯାଏ। ସେ ମୋ ପାଖଦେଇ ଚାଲିଗଲେ ମୋର ହୃଦ୍ ସ୍ପନ୍ଦନ ବଢିଯାଏ। ତା କୁ ସାମ୍ନାରେ କିଛି କଥା କହିଲେ ମୋ ତଣ୍ଟି ସୁଖିଯାଏ। ଏ ଗୁଡା ଅଜବ ଲକ୍ଷଣ ନୁହେଁ? ଦିନ କୁ ଦିନ ମୋ ରୁମ୍ ର ପ୍ରତିଟି ବାଲି ଗରଡା ମତେ ଅନେକ ଥଟ୍ଟା ମଜା କରି ଚାଲିଲେ। ମୁଁ ମଧ୍ଯ ସେ ଥଟ୍ଟା ଭିତରେ ବାଲି ପକେଇ ଇଟା ସଜାଡୁ ଥାଏ। ବାଲି ଘର ନୁହେଁ ବାସ୍ତବ ଅଟାଳିକା ତିଆରି କରିବାର ସ୍ୱପ୍ନରେ ଦ୍ରବିଭୁତ ହଉଥାଏ ମୋ ଭିତରେ। ମୋ ପଢା ଟେବୁଲ୍ ରେ ସେ ଡାଏରୀ ଟା ମୋର ସହଚରୀ। ତାକୁ ଆସି ସବୁ ବଖାଣି ଦିଏ। ସେ ମଧ୍ଯ ବିନା ପ୍ରତିବାଦରେ ସବୁ ଲିପି ଚାଲେ ତା ଦେହ ସାରା।
ମୁଁ ପୁରୀ ଯାଇଥିଲି। ଭୋଗ ଆଣିଚି। ତାକୁ ଦବା ବାହାନା ରେ ଟିକେ ଦେଖା କରିଦେବି ନିରୋଳାରେ! ହେଲେ ଆଜି ମଧ୍ଯ ସେ ଆସିନି। ରାତିରେ ମେସେଜ୍ କରିଦେଲି ମୋ ଆଡୁ।
-Are you fine? Why didn’t you come today?
କିଛି ସମୟ ପରେ ସେ ଉତ୍ତର ଦେଲା।
-I’m okay. Hence forth I won’t go at the evening.
ମୁଁ ଏକ୍ ଦମ୍ ନିସ୍ତେଜ ହେଇଗଲି ତା କଥା ଶୁଣି।
-Why? What happened?
-Actually I had doubts that’s why I was going at the evening. Class is over and I’ll go on my previous class time. Morning time. Any issues?
-No no... nothing... I had to give you something. It’s okay.
-No no. You can give me out side.Tomorrow evening I’ll be there at the bus stop. After your class you can give.
କଥା ତ’ ସରିଗଲା ମାତ୍ର ମୁଁ ଭିତରେ ଏମିତି ଗୁମୁରି ହଉଥିଲି କାହିଁକି? ସେ କାଲି ଦେଖା କରିବ ହେଲେ ପ୍ରତିଦିନ ଆଉ ତାକୁ ଦେଖିହବନି। ବୋଧେ ସେଇ ଦୁଃଖ ରେ।
ଅପେକ୍ଷା କରିବା ମୋ ଲାଗି କଷ୍ଟକର ବିଷୟ। ମାତ୍ର ସେଦିନ ମୁଁ ତାକୁ ବସ୍ ଷ୍ଟପ୍ ରେ ଦେଢ ଘଣ୍ଟା ଅପେକ୍ଷା କରିଥିଲି। ତା କଥା ଭାବି ଚାଲିଥିଲି। ଯେମିତି ରହୁ ମାତ୍ର ସେ ମୋ ସହ ସବୁବେଳେ ରହୁ। ଭଲ ସାଂଗ ଟେ ହଉ କି ଆଉ ଯାହା ହଉ ମାତ୍ର ସବୁ ବେଳେ ଥାଉ। ସେ ଆସିବା ପୂର୍ବରୁ ରାଗରେ ଜଳି ଯାଉଥିଲି। ତାକୁ ଦେଖିବା ପରେ ଧୂଆଁ ହୋଇ ପବନରେ ଗୋଳେଇ ହେଇଗଲି। କୁଆଡେ ମୋ ରାଗ ବାଷ୍ପ ହେଇଗଲା କେଜାଣି? କ୍ଯାଡବରୀ ଚକୋଲେଟ୍ ଗୋଟେ ଆଉ ପୁରୀ ଭୋଗ ତା ହାତରେ ଧରେଇ ଦେଲି। ତା ସ୍ମିତହାସ୍ଯ ଭରା ମୁହଁ ଆଉ ସେ ଆଖି! ପୁଣି ଥରେ ଅଜଣା ଯନ୍ତ୍ରଣା ଟେ ମୋ ପେଟରେ ଖେଳେଇ ହଉଚି। ଗୋଡ ଦିଇ ଟା ଥରି ଯାଉଚି କୋଉ ଗାଁ ପୋଡିଯିବା ଭୟରେ କେଜାଣି! ପ୍ରଶ୍ୱାସ ର ବେଗ ବୋଧେ ଘୋଡା ଦଉଡିବା ସଦୃଶ। ସେ ଧନ୍ଯବାଦ ଦେଇ ଫେରିଗଲା। ମାତ୍ର ମୁଁ ସେଠାର ପ୍ରତିଟି ବାୟୁ କଣିକା କୁ ଆଘ୍ରାଣ କରିଚାଲିଥିଲି। ପ୍ରତିଟି ଆଲୋକ ବିନ୍ଦୁ କୁ ତୋଳି ନଉଥିଲି ମୋ ଆଖିର କାନ୍ଭାସ୍ ରେ। ତାର ପ୍ରତିଛବି ଓ ସେଇ ଆଖି କୁ ଅପଲକେ ଭାବି ଚାଲିଥିଲି। ତା ମନ ଟା କେମିତି ହେଇଥିବ? କୋମଳ ଶିଶୁ ଟେ ପରି ନିର୍ମଳ ନା ମୋ କାନ୍ଥର ପେଣ୍ଟିଂ ପରି ରଂଗ ଦାଉ ଦାଉ। କେତେ ଜାଗା ଥିବ ତା’ ହୃଦୟ ରେ! ସେଠି ମୁଁ ରହିପାରିବି! କଣ୍ଟା କର ଜାଗା ମଧ୍ଯ ମତେ ଯଥେଷ୍ଟ ହବ। ହେଲେ ସିଏ ମତେ ସେ କଣ୍ଟା ମୁନ ର ଜାଗା ଦେଲେ ତ’! ଏମିତି ଭାବନାରେ ବୁଡି ହଠାତ୍ ମୋବାଇଲ୍ ଦେଖିଲା ବେଳକୁ ସମୟ ଆଠ ବାଜି ଗଲାଣି। ତରବର ରେ ହସ ହସ ମୁହଁରେ ରୁମ୍ କୁ ଫେରିଗଲି। ଏ ଦିନଟାର ଭାବନ ଲେଖି ରଖିବି ଭାବି ଡାଏରୀ ଫର୍ଦ ଉପରେ କଲମ ରଖୁ ରଖୁ ଡାଏରୀ ହସି ଚାଲିଲା। ଇଏ ମୋ ଉପରେ କେବେ ହସେନି। ଆଜି କ’ଣ ହେଲା? ମୁଁ ରାଗି ଯାଇ ବନ୍ଦ କଲା ବେଳକୁ ହସି କହିଲା “ଏତେ ସ୍ୱପ୍ନ ଦେଖିବା ପୂର୍ବରୁ ଥରେ ତାକୁ ପଚାରି ଦବା ଭଲ।” ସତ କହିଲା ତ’। ମୁଁ ଏତେ ଭାବନାରେ ବୁଡି ସାରିଚି ଅଥଚ ଜାଣିନି ତାର କିଏ ମନର ମଣିଷ ଥାଇପାରେ।
ଏମିତି କଥାବାର୍ତ୍ତା ମେସେଜ୍ ଚାଲିଲା। ଲାଜ ଆଉ ସଂକୋଚରେ ମୁଁ ପଚାରି ଦେଲି କିଏ ପ୍ରତିକ୍ଷିତ ଅଛି କି ତା’ର! ସେ ମୋ ହୃଦୟ ଆଉ ଦମ୍ଭର ପରୀକ୍ଷା ନନେଇ ଶୀଘ୍ର ନାଁ କହିଦେଲା। ଓଃ... କି ଆଶ୍ୱସ୍ତ। କି ଶାନ୍ତି! ଆଉ କଥା ନହେଇ ଶାନ୍ତ ନିଦ୍ରା ଗଲି ସ୍ମିତ ହାସ୍ଯ ସହ। ତାକୁ କିଛି ନଜଣେଇ ମୁଁ କଷ୍ଟ ପାଇ ଚାଲିଛି। ତା’ର କଟୁ କଥା କେତେବେଳେ ଯନ୍ତ୍ରଣା ଦିଏ ତ’ ତାର ନିହାତି ସାଧାରଣ କଥା କେତେବେଳେ ସେ ଯନ୍ତ୍ରଣା କୁ ଅପସରି ଦିଏ। କେତେବେଳେ ମୂଲ୍ଯହୀନ କଥାରେ ହସେଇ ଦିଏ, ପୁଣି ଜୀବନ ଶିକ୍ଷା କେବେ ସିଖେଇ ଦିଏ। ତାକୁ ରାସ୍ତା ପାଖରେ ଅପେକ୍ଷା କରିବା ପାଇଁ ଏବେ ବିରକ୍ତି ନାହିଁ। ତା ମେସେଜ୍ କୁ ମଧ୍ଯ ଘଣ୍ଟା ଘଣ୍ଟା ଧରି ଅପଲକେ ଅପେକ୍ଷା କରୁଚି। ଏ ସବୁ କ’ଣ ମୋ ପ୍ରେମର ପାର୍ଶ୍ୱ! ସେ ମୋ ପାଇଁ କ’ଣ ରଖିଚି ସାଇତି ତା’ ମନ ଭିତରେ! ଜାଣିବାକୁ ଇଚ୍ଛା ନାହିଁ? ଅଛି ତ ଶତ ପ୍ରତିଶତ ମାତ୍ର ମୁହଁ ଖୋଲେନି ପଚାରିବାକୁ। ସେ ଯାହା ଭାବୁଚି ଭାବୁ। ତାକୁ ମୁଁ କିଛି ପଚାରିଲେ, କି କିଛି କହିଦେଲେ ସେ ଯଦି ରାଗି ଯିବ। ଅଯଥାରେ ଗୋଟେ ମଧୁର ସମ୍ପର୍କ ଧୂଳୀସାତ୍ ହବ। ଥାଉ, ଯାହା ହବ ଦେଖା ଯିବ। ଆମେ ଭଲ ସାଂଗ ରେ ପରିଣତ ହେଇ ସାରିଲୁଣି। ସୁଖ ଦୁଃଖ, ପାଠ ପଢା, ଘର କଥା ସବୁ ଆଲୋଚନା ର ବିଷୟ ବସ୍ତୁ ହୁଏ। କଥା ହବା ପାଇଁ ଆଉ ବାହାନା ଲୋଡା ନାହିଁ। ନିର୍ଦ୍ୱନ୍ଦରେ ମୁଁ ତାକୁ ସବୁ କହିଦିଏ। ସେ ମତେ ସବୁ କହିଦିଏ। comfort zone ଯାହାକୁ କୁହନ୍ତି। ମାତ୍ର କେବେ ହେଲେ ସେଇ ଅଦୃଶ୍ଯ ପାର୍ଶ୍ୱକୁ ଖୋଲି ପାରେନି ତା ଆଗରେ। କହି ପାରେନି ମୋ ହୃଦୟ ପୂର୍ଣ୍ଣ ହୋଇ ସାରିଚି ତା ନା ର ପ୍ରେମ ଅମୃତରେ। ପ୍ରତି ଦିନ ମୁଁ ବୁଡି ମରୁଚି ଅତାଳ ସମୁଦ୍ର ରେ। ପୁଣି କେବେ ଭାସି ଆସୁଚି ଅଜଣା ଲହରୀ ରେ। କୂଳରେ ଲାଗିଲେ ସେଇ ହିଁ ଦିଶୁଚି, ବୁଡିଗଲେ ତା ଛବି ପ୍ରତିଫଳନ ର ଆଭା ରେ ଡୁବି ରହୁଚି। ଏ ହୁଏତ ମୋ ମନର ଅଜଥା ପାଗଳାମି। ତା’ ମନରେ ଯଦି କିଛି ଥାଆନ୍ତା ସେ କହି ସାରନ୍ତାଣି। ଆମେ କ’ଣ କମ୍ କଥା ହେଲୁଣି କି? ଯଦି କିଛି ଭାବୁଚି କହୁନି କାହିଁକି? ନାଁ ନାଁ ତା’ ମନରେ କିଛି ନାହିଁ। ମୁଁ ଏ କୁହୁଡି ପହଁରିବା କେତେ ଯଥାର୍ଥ? ଏମିତି ଅନେକ ପ୍ରଶ୍ନରେ ମୁଁ ସନ୍ତୁଳି ହଉଚି।
ସେ ଦିନ ସେ ମତେ ଡାକିଲା। ଘରୁ ମୋ ପାଇଁ ଆଚାର ଆଣିଥିଲା। ମୁଁ ସେମିତି ଘଣ୍ଟାଏ ଅପେକ୍ଷା କରିଚି। ବନ୍ୟା ମାଡି ଆସିଲା ପରି ସେ ମାଡିଆସିଲା। ସତରେ ବନ୍ଯା ଟେ ଥିଲା। ନଚେତ୍ ମୋ ମନର ଏତେ ବଡ ସେତୁ କୁ କ୍ଷଣକରେ ଭସେଇ ଲେଉଟି ପାରି ନଥାଆନ୍ତା। ମୁଁ ତ’ ଭାବିଥିଲି ଆଜି ତାକୁ ମୋ ମନ ର ପ୍ଳାବିତ ସ୍ରୋତ ରୁ ଧାରେ ଧେଖେଇ ଦେବି। ସେ କୁଳୁ କୁଳୁ ଗୁଂଜରଣ ରୁ ପଦେ ଶୁଣେଇ ଦେବି। ହେଲେ ସେ ଦୁଇ ମିନିଟ୍ ରେ ଚାଲିଗଲା ମୋ ହାତରେ ପଲିଥିନ୍ ଟେ ଧରେଇ। ଆଚାର ଆଉ ଦିଇଟା ଡେରି ମିଲ୍କ୍ ଚକୋଲେଟ୍ ଧରି ମୁଁ ସ୍ଥାଣୁ ହୋଇ ରହିଗଲି। ଆଚାର ମୋ ପାଇଁ ଆଉ ଚକୋଲେଟ୍ ମୋ ପାଖ ରୁମ୍ ର ସୀମା ପାଇଁ। ସୀମା! ତା’ର କି ଭାବ ୟା ସହ। ମୁଁ ଇର୍ଷା ରେ କୁହୁଳୁ ଥିଲି। ଭିତରେ ସାନ୍ଦି ହଉଥିଲି। ଅଜଶ୍ର କୋହ ଭିତରେ ବାନ୍ଧି ହଉଥିଲି। ଇଏ ବି ଗୋଟେ ଅଜବ ଭାବନା। ଅଚିହ୍ନା ଯନ୍ତ୍ରଣା ଟେ। ହୃଦୟ ଭିତର ଟା କେମିତି ଦଳି ଚକଟି ହୋଇ ଅଣନିଶ୍ୱସୀ ଲାଗୁଚି। ମୁଁ କାନ୍ଦୁଚି! ଧେତ୍..... ମୁଁ ବି ଗୋଟେ ପାଗଳ। ହେଇ ଥିବ ତା’ ସାଂଗ। ମୁଁ ଏତେ ପୋଡି ଯାଉଚି କ’ଣ ପାଇଁ? ଡାଏରୀ ଆଜି ହସିଲାନି ମୋ କଥାରେ। ସେ ବି କେମିତି ଉଦାସିଆ ଦେଖା ଯାଉଚି। ମୋ ସହ ମୋ ରୁମ୍ ର ସମସ୍ତ ସଦସ୍ଯ ମୋ ପାଇଁ ସମ୍ୱେଦନଶୀଳ। ଯାଃ.... ଏମିତି ସବୁ କ’ଣ ହଉଚ ଯେ। ଆଚାର ଡବା ଖୋଲି ଦେଖିଲି। ତା ଭିତରେ ପ୍ରେମ ନଥିଲା। ଥିଲା ଖାଲି ଲୁଣ ସୁଡୁବୁଡୁ ଆମ୍ବ ଟାକୁଆ। ମୋ ଆଖି ରୁ ଧାରୁଆ ଖଣ୍ଡା ଭଳି ଏ ତୀକ୍ଷ୍ନ ଲୁହ ଧାର ଗୁଡା ଗଡି ଯାଉଚି କାହିଁକି? ଯେମିତି ଗଡି ଯାଇ ତା ମୁନିଆ ଧାରଟା ଦବେଇ ଦଉଚି ମୋ ଛାତିରେ। ହୃଦୟ ସଂକୁଚିତ ହଉଚି ସେ ଯନ୍ତ୍ରଣା ରେ।
ଧିରେ ଧିରେ ଗୁଜବ୍ ସୁଣିଲି। ସୀମା ଆଉ ତା’ ନା ରେ। ହୁଏତ ଗୁଜବ। ସତ ନୁହେଁ। ମାତ୍ର ନିଜ ଆଖିକୁ ଅବିଶ୍ୱାସ କିଏ କରିପାରେ! ଦିଇ ଜଣକୁ ପାର୍କ ରେ ଦେଖିଲି। ସେଇଠୁ ଲୁଚି ଚାଲିଗଲି। ରାତି ସାରା ମୋ ତକିଆ ମତେ ଆଲିଂଗନ କରି କହୁଥାଏ। “ତୁ ବିଳମ୍ୱ କରିଦେଲୁ।” ମୁଁ ବିଳମ୍ୱ କଲି? କେତେବେଳେ? ମୁଁ ତା’ ସହ ଚିରଦିନର ସମ୍ପର୍କ ଟେ ବାନ୍ଧି ରଖିବାର ସୁତା ବାନ୍ଧୁଥିଲି। ହେଲେ ସେ ଏମିତି କଲା? ତଥାପି ଏ କଥା ପ୍ରମାଣିତ ନୁହେଁ। ତା’ ସହ ସୀମାର କିଛି special connection ଥିବ? ନୁହେଁ। ଲୁହ ଯନ୍ତ୍ରଣା କୁ ମୁଠେଇ ଧରି ତାକୁ ପଚାରି ଦେଲି। ତା’ର କିଏ crush ଅଛି କି? ସେ ଅବିଳମ୍ୱେ ହଁ ମାରିଦେଲା।
ସେଇ କ୍ଷଣକରେ ମତେ ବୁଡେଇ ଦେଲା। ନଦୀ ମଝିର ଗଭୀର କଳା ଭଉଁରୀ ଭିତରେ ପଡିଗଲି ଆଉ ମୋ ସତ୍ତା ଭୁଲିଗଲି। ଆଗକୁ କିଛି ପଚାରିବା କୁ ଜୀଭ ଲେଉଟିନି। ନା ପଚାରିବା ପାଇଁ ମଧ୍ଯ ଇଚ୍ଛା କଲିନି। ମୁଁ ବାନ୍ଧିଥିବା ସୁତା ସବୁ ଫର ଫର ଉଡୁଥିଲେ। କହୁଥିଲେ ଆମେ ଏବେ ମୁକ୍ତ। ମାତ୍ର ମୁଁ ମୁକ୍ତି ପାଇନି। ତା’ ଆଖି ଦିଇଟା ମୋ ସହ ସବୁଦିନ କଥା ହୁଅନ୍ତି। ମୁଁ ଭାବନା ରେ ବୁଡି ତା’ ପ୍ରେମ ରେ ହଜିଯାଏ। ହଁ ମତେ ପ୍ରେମ ହେଇଚି। ମୁଁ ପ୍ରେମ କରେ ତାକୁ। ତା ଅଜାଣତ ରେ ତାକୁ ଚାହେଁ। ତା’ ହସ କୁ ଦେଖି ଖୁସି ହୁଏ। ତା’ ଦୁଃଖ ରେ ମ୍ରିୟମାଣ ହୁଏ। ତା’ ପାଇଁ ଚକୋଲେଟ୍ ନେଇ ଦିଏ। ତା’ ଠୁ ଆଚାର ଡବା ଆଣେ। ସେ ମଧ୍ଯ ଆଜି ସୀମା ପ୍ରେମରେ। ମତେ ଏଠି ବି ଗୋଟେ କେସ୍ ମିଳିଗଲା। ଜଜ୍ ହବାର ସୌଭାଗ୍ଯ ଏଠି ମଧ୍ଯ ପାଇଲି। ସୀମା ଆଉ ତା’ର ଗଣ୍ଡଗୋଳ ମୁଁ ହିଁ ସମାଧାନ କରୁଚି। ମୋ ଡାଏରୀ ଏବେ ମୋ ଭଳି ଏକ ତରଫା ପ୍ରେମ ରେ। ମତେ ସବୁଦିନ ପ୍ରେମ ଭିକ୍ଷା କରୁଚି। ମାତ୍ର ମୋ ପ୍ରେମ ତା’ ପାଇଁ କହି ମୁଁ ତାକୁ ସବୁ ଦିନ ଚୁପ୍ କରୋଉଚି। ହାରିଲି କେତେ ଜିତିଲି କେତେ ଜାଣିନି। ପ୍ରେମ କ’ଣ ପ୍ରତାରଣା କ’ଣ ବୁଝିନି। ଗୋଟି ଗୋଟି ସ୍ମୃତି କାଠି କୁଟା ଗଦେଇ ଛୋଟିଆ ନୀଡ ଟେ କରିଚି। ଦୁଇ ଆଖିରୁ ଦିଇ ଧାର ବୁହାଇ ସେ ନୀଡ ଭିତରେ ସୋଇ ପଡୁଚି। ସ୍ୱପ୍ନରେ ସେ ସବୁ ଦିନ ଆସି କହୁଚି ତୁ ବିଳମ୍ୱ କରିଦେଲୁ।