Minata Barad

Inspirational

5.0  

Minata Barad

Inspirational

ଆଜୀବନ ସଂଚୟ

ଆଜୀବନ ସଂଚୟ

13 mins
233


ସେ ରାଧା ପ୍ରାଣ ଧନ। ସେ ମୀରା ର ଜୀବନ। ସେ କ’ଣ ଆଉ କାହାର କିଛି ନୁହେଁ। ସେଇ କହ୍ନେଇ କଥା କହୁଚି। ସେ କୁଆଡେ ଭାବଗ୍ରାହୀ, ଦୟାମୟ, ଦୀନବନ୍ଧୁ ଆହୁରି କେତେ କ’ଣ! ମାତ୍ର ତା’ ବେଳ କୁ ସେ କେଉଁ ଅଦୃଶ୍ଯ କୋଣରେ ଅନ୍ତର୍ଧ୍ଯାନ ହୋଇଯାଏ। କେବେ ତ’ ଆସି କାନ ପାତି ଦିଏନି? କେବେ ତ’ ଆସି ପିଠି ଦେଖେଇ ଦିଏନି? କେବେ ତ’ ଆସି ଲୁହ ପୋଛି ଦିଏନି? କେବେ ତ’ ମୁଠାଏ ଖୋଇ ଦିଏନି? ସତରେ କେବେ ଦେଖା ହେଲେ ମୁଁ ତାକୁ ପଚାରନ୍ତି। ଏ ମାୟା କାହିଁକି କରେ ସେ? ଯିଏ ତାକୁଇ ଚାହିଁ ବସେ, ସେ ସେଇ ଲୋକଟି ସହ ଲୁଚକାଳି ଖେଳେ। ଏମିତି କାହିଁକି କରେ କେଜାଣି ସେ? ମୋର ତା’ ଉପରେ ଭାରି ରାଗ। ସେଥି ପାଇଁ ତ କେବେ ମାଡେନି ତା’ ଦୁଆର। ଆଜି କିନ୍ତୁ ଲହୁ ଲୁହ ବୁହାଇ ଯାଉଚି ଦେଖିବାକୁ। ନାଁ ମୋ ମନରେ ତା ପାଇଁ କିଛି ନାହିଁ। ନାଁ ଭାବ ଭକ୍ତି ନା ସ୍ନେହ ଶ୍ରଦ୍ଧା। କିନ୍ତୁ ଆଜି କୁଆଡୁ ଗୋଟେ ଅଚିହ୍ନା ଭାବ ଜାଗ୍ରତ ମୋ ମନରେ। ଜନ ସମୂଦ୍ର ରେ କାନ୍ଦି କାନ୍ଦି ହଜି ଯାଇଚି। ତା ମୁହଁ କୁ ଚାହିଁ ଆରମ୍ଭ ରୁ ଶେଷ ସବୁ ମନେ ପଡି ଯାଉଚି।


ବୟସ ପାଖା ପାଖି ଷାଠିଏ ଛୁଇଁବ। ଆମ ପଡିଶା ଘର ବଡ ମା’। ଗତ ବର୍ଷ ତାଂକର ଗୋଟେ ଗୁପ୍ତ କାମ କରିଦବା ପାଇଁ ମତେ ଅନୁରୋଧ କଲେ। ଗୁପ୍ତ କାମ ତେଣୁ କାହା ଆଗେ ପ୍ରକାଶ ନକରିବା ପାଇଁ ଆଉ ଏକ ଅନୁରୋଧ ରଖିଲେ। କାର୍ଯ୍ଯ ବ୍ଯସ୍ତତା ରେ ମୁଁ ହଁ ନାଁ କରି ଦିନ ଗଡେଇ ଚାଲିଥାଏ। ସେ କିନ୍ତୁ ପ୍ରତି ଛୁଟି ରେ ମତେ ମନେପକେଇ ଦିଅନ୍ତି “ଝିଅ ଏଇ ଛୁଟିରେ କରି ଦବୁ?” କହି। ଏତେ ଅଣ ଦେଖା କରି ଆଉ ରହି ପାରିଲିନି। କାମ ଟା କ’ଣ ଆଉ କୋଉଠି ହବ ପଚାରି ବୁଝିଲି। ତାଂକ କଥା ଶୁଣି ମୁଁ ମୁଣ୍ଡ ରେ ହାତ ଦେଲି। ସେ ଯୋଉ କାମ! ଆଉ ମୋ ଭଳିଆ ଦାୟୀତ୍ୱ ହୀନ ମଣିଷ କୁ ଏତେବଡ ଦାୟୀତ୍ୱଭାର କେମିତି ଦଉଛନ୍ତି? ମୁଁ କୋଉ ସାହାସରେ ହଁ କରିବି ସେ କାମ କରିଦବା ପାଇଁ! ତଥାପି ଅନିଚ୍ଛା ସତ୍ୱେ ହଁ ମାରିଲି। କାମ ଟା ଏଠି କୋଉଠି ନୁହେଁ। ରାଜସ୍ତାନ୍ କି ରାୟପୁର ଯିବାକୁ ହେବ। ରାଜସ୍ତାନ୍ ଦୂର ପଡିବ ତେଣୁ ରାୟପୁର ପ୍ରଥମେ ଯାଇ ଦେଖେ ଭାବିଲି। ମୁଁ ଘରୁ ଫେରିଲା ବେଳେ ତାଂକୁ ଦେଖା କରି କଥାଟା କହି ଦେଇ ଆସିଲି। “ବଡ ମା’ ଆସନ୍ତା ଛୁଟିରେ ମୁଁ ଯିବି। ହେଲେ ପ୍ରଥମେ ଟିକେ ଫୋନ୍ କରି ସବୁ ତଥ୍ଯ ସଂଗ୍ରହ କରିଦିଏ। ନୂଆ ଜାଗା ନୂଆ ଲୋକ ହଇରାଣ ହେବି ନହେଲେ। କିନ୍ତୁ ଏଇ ଥର ନିଶ୍ଚେ ଯିବି। ବ୍ଯସ୍ତ ହବନି।” ସେ ମୋ ହାତରେ ଲୁଚେଇ ଚାରି ହଜାର ଟଂକା ଗୁଂଜି ଦେଲେ। ବାଟ ଖର୍ଚ ଲାଗି।


 ତାଂକର ସମସ୍ତେ ଅଛନ୍ତି। ପୁଅ, ବୋହୁ, ଝିଅ, ନାତୀ, ନାତୁଣୀ, ସ୍ୱାମୀ। ସେ ଲକ୍ଷ୍ମୀ ସ୍ୱରୂପିଣୀ, ସୌଭାଗ୍ଯବତୀ, ସମ୍ପୂର୍ଣ୍ଣା। ମାତ୍ର ତାଂକ ନିଜ ଘରେ ସେ କାହାକୁ କିଛି କୁହନ୍ତିନି। ତା’ର ଅନେକ କାରଣ ଅଛି। ପୁଅ କୁ କେତେ ଥର କହିଥିଲେ ଆଗରୁ, ସେ କାମ କରିଦବା ପାଇଁ। ମାତ୍ର ପୁଅ ଶୁଣିନଥିଲେ। ଝିଅ ଜ୍ୱାଇଁ ଆଗେ ମଧ୍ଯ ପ୍ରସ୍ତାବ ରଖିଥିଲେ। କିଛି ଆଖି ଦୃଷ୍ଟିଆ ପ୍ରଭାବସାଳୀ ଉତ୍ତର ପାଇନଥିଲେ। ସ୍ୱାମୀ ଜୀବନ ସାରା ତାଂକୁ ସନ୍ଦେହ ଦୃଷ୍ଟିରେ ଦେଖିଲେ। ଧର୍ମ, କର୍ମ, ଚରିତ୍ର, ଆଚାର, ବ୍ଯବହାର ସବୁଥିରେ ନାଲି ଆଖି ଦେଖାନ୍ତି। ତେଣୁ ତାଂକ ଆଗରେ ଏ ବୃଥା ଆସ୍ପର୍ଦ୍ଧା ଦେଖେଇବା ସେ ଉଚିତ୍ ମନେ କରନ୍ତିନି। ମୁଁ ତାଂକର ଟିକେ ନିକଟତର। ଆଗରୁ ନଥିଲି। ପାଂଚ ବର୍ଷ ତଳେ ଗାଁ ଗଣ୍ଡଗୋଳ ହୋଇ ମନ୍ଦିର ବେଢାର ସବୁ ଗଛ କାଟି ଦେଇଥିଲେ। ପନ୍ଦରଟା ଦିନ ଯାଇଚି ବଡ ମାଁ ନିଜେ ତାଂକ ବାଡିପଟୁ ଚାରା ଗଛ ନେଇ ମନ୍ଦିର ବେଢାରେ ପୋତି ଦେଲେ। କାହାର କିଛି ଆପତ୍ତି ନଥିଲା। ପୋଖରି କୁ ଯିବା ଆସିବା ରାସ୍ତାରେ ସକାଳେ ସଂଧ୍ଯାରେ ପାଣିଦେଇ ଗଛ ବଢୋଉ ଥାଆନ୍ତି। ଥରେ ଅପରାହ୍ନରେ କିଏ ଜଣେ ବେଢା ଭିତରକୁ ଛେଳି ଗାଇ ନେଇ ସବୁ ଗଛ ସଫା କରିଦେଇଚି। ସଂଧ୍ଯାରେ ମନ୍ଦିର ଯାଇ ଦେଖନ୍ତି କିଛି ଗଛ ନାହିଁ। ମନ୍ଦିର ପୂଜାରୀଂକୁ କହିଲେ “ଯିଏ ଏ କାମଟି କଲା କ’ଣ ଭଲ କଲା? ଗଛଟେ ଲଗେଇବନି, ଆଉ ଯିଏ ଲଗେଇବ ତାକୁ ରଖେଇ ଦବନି। ଗୋପିନାଥ ତା’ ଉପରେ ଭାରି ଖୁସି ହେଇଥିବେ।” ଏତିକି କଥା ମାଇକ୍ ରେ କୁହନ୍ତୁ। ପୁଜାରୀ ଆଉଟିକେ କଡା କରି କଥାଟା ମାଇକ୍ ରେ କହିଲେ। ସେ କଥା ବଡ ବାପା ଘରେ ଥାଇ ଶୁଣିଲେ। ପରଦିନ ଛେଳି ମାଲିକ ବଡ ମାଂକ ଘରେ ହାଜର। ଗୋଟେ ତୁମୁଳ କାଣ୍ଡ ଘଟିଗଲା। ବଡ ବାପା ରାଗରେ ପଂଚମ। ବଡ ମା ଆଉ ମନ୍ଦିର ଯିବେନି ବୋଲି କଡା ତାଗିଦ୍ କଲେ। ଶୂନ୍ଯ କଥାରୁ କି କାଣ୍ଡ ହେଲା! ସେ କେତେ କାନ୍ଦିଲେ। କହ୍ନେଇ କ’ଣ ଦେଖି ପାରିଲାନି? କାହା ମୁହଁ ବନ୍ଦ କରି ପାରିଲାନି ତ? ବଡ ମାଂକ କାନ ବନ୍ଦ କରିଲାନି ତ? ତାଂକ ଆଖିର ଲୁହ ପୋଛିଲାନି ତ? ସେ ଘଟଣା ପରେ ବଡ ମାଂକ ପ୍ରତି ମୋର ଗୋଟେ ପ୍ରଗାଢ ଭକ୍ତି। କେତେ ନିରିହ ନିଶ୍ୱାର୍ଥପର ସେ! କେହି ତାଂକୁ ବୁଝନ୍ତିନି। 


 ବଡ ମା’ଂକ ପାଇଁ ମୋ ମନରେ ଅନାବିଳ ଶ୍ରଦ୍ଧା ଆଉ ସମ୍ମାନ। ଭାବେ ତାଂକ ଭଳିଆ ମୋର ଗୋଟେ ଝିଅ ନଥାଆନ୍ତା! ଆଉ ଏମିତି ସରଳ ନିଷ୍କପଟ ମଣିଷ କୁ ଭଗବାନ ଏତେ ଦଣ୍ଡ କାହିଁକି ଦିଅନ୍ତି? ତା’ର କାରଣ ମୁଁ ତାଂକୁ ଅନେକ ଥର ପଚାରେ। ସେ କୁହନ୍ତି “ଯା କାମ ଯାହା ସେ ସେଇଆ କରିବ ରେ ମା’। କଂଶେଇ କ’ଣ ଖାଲି ଗୋରୁ ହାଣେ? ପାଳେ ମଧ୍ଯ। ସେ ଗାଇ କୁ ହାଣେ ବୋଲି କ’ଣ ଗାଇ ରାଗରେ ତାକୁ କ୍ଷୀର ଦିଏନି?” ଇଏ କି କଥା! ସେ ନିଜକୁ କୋତେ ନିଷ୍କପଟ ରଖିଛନ୍ତି। କିଏ ବୁଝେ ତାଂକ ଅନ୍ତର କଥା? “ କହିବା ଲୋକ ବଡ ନୁହେଁ। ସହିବା ଲୋକ ବଡ। “ ଏମିତି ଅନେକ କଥା ଆଉ ପୁରାଣ ସାସ୍ତ୍ର କହିପକାନ୍ତି କଥାରେ କଥାରେ। 


ବେଢାରେ ପ୍ରବଚନ ହଉଥାଏ। ଆମେ ସମସ୍ତେ ଶୁଣିବାକୁ ଯାଇଥିଲୁ। ନିଦ ଲାଗିବାରୁ ମୁଁ ଆଉ ମୋ ମା’ ଚାଲି ଆସିଲୁ। ବଡ ବାପା ଆମକୁ ଦେଖି ପଚାରିଲେ ବଡ ମା’ କାଇଁ? ସେ ଦିନ ଭଲ ବକ୍ତା ଜଣେ ଆସି ଥାଆନ୍ତି। ବଡ ମା’ ଶୁଣି ସାରି ଆସିବେ ବୋଲି କହି ମୁଁ ଚାଲିଗଲି। ପର ଦିନ ଆଉ ବଡ ମା’ ପ୍ରବଚନ ଶୁଣି ଗଲେନି। ମା’ ଯେତେ ପଚାରିଲା କାରଣ କହିଲେନି। ସେ ରାତିରେ ଡେରି ହେଇ ଥିବାରୁ ଜଣେ କକା ତାଂକୁ ଆଣି ଘରେ ଛାଡିଯିବାର ଦୃଶ୍ଯ ବଡ ବାପା ଦେଖିଲେ। ଆଉ ଅନେକ ଗୁଡେ ଅଶ୍ଲୀଳ ଇଂଗିତ ଝାଡିଲେ ତାଂକ ଉପରେ। କୁଆଡେ ଗଲା କାହ୍ନୁ? ଆସି ଥରେ ହେଲେ ସେ ନିର୍ଦୋଶୀ ର ଆଖି ପୋଛି ଦେଇ ଥାଆନ୍ତା! ଏମିତି ଅନେକ କଥା ସେ ଶୁଣନ୍ତି କେବଳ ତା’ରି ପାଇଁ। ଆଉ ଥରେ ଭାଗବତ ଲାଗି ଥାଏ। ବଇଠା ଜଳିବା ପାଇଁ ବଡ ମା ଲୁଚେଇ ରାଶି ତେଲ ଦିଇ କେଜି ଦେଇ ଥିଲେ। କୋଉ ଚୁଗୁଲିଆ ସେ କଥା କୁ ପ୍ରଘଟ କରିଦେଲା। ବଡ ବାପା ପୁଣି ଗାଳି ବର୍ଷେଇ ଦେଲେ। କାଇଁ କାହ୍ନୁ କାନ ଦେଖେଇଲାନି ତ? ଦଶ ପନ୍ଦର ବର୍ଷ ତଳେ ବଡ ବାପା ମା’ ତାର୍ଥ ଯାତ୍ରା ରେ ଯାଇଥିଲେ। ହରିଦ୍ୱାର ରେ କୁମ୍ଭ ମେଳା ଚାଲିଥିଲା। ସେଠି ରହିବା ସମୟ ରେ ଜଣେ ସାଧୁ ପଡି ଯିବାର ବଡ ମା’ ଦେଖିଲେ। ସମସ୍ତେ ତାଂକୁ ଉଠେଇ ନେଇ ବସେଇଲେ। ବଡ ମା’ ବ୍ଯାଗ୍ ରୁ ମୁଭ୍ ଆଉ ତେଲ ଟିକେ ନେଇ ଗଲେ ସାଧୁଂକ ପାଖକୁ। ଏ କଥାରେ ବଡ ବାପା ତାଂକୁ ଚରିତ୍ର ହୀନତାର କଳଂକ ଲଗେଇଥିଲେ। କାହ୍ନୁ କୋଉଠି ରହିଲା? ଏମିତି ଅନେକ କଥା ବଡ ମା’ ମୁଣ୍ଡ ପାତି ସହି ଯାଆନ୍ତି। ନିର୍ଦୋଶରେ ଦଣ୍ଡ ପାଆନ୍ତି। ଅତିଶୟ ଅବସ୍ଥା ହେଲେ ବିରକ୍ତରେ ଆତ୍ମହତ୍ଯା କରିଦେବେ କୁହନ୍ତି। ମତେ ତାଂକ ଅବସ୍ଥା ଦେଖି ଭାରି କାନ୍ଦ ଲୀଗେ। 


ପ୍ରତି ବର୍ଷ ଆମ ଗାଁ ରେ ବିଶ୍ୱ ଶାନ୍ତି ଯଜ୍ଞ ହୁଏ। ପ୍ରଥମ ଦିନର ସମସ୍ତ କାମ ଓ ପ୍ରସାଦ ସେବନ ର ଦାୟିତ୍ୱ ଭାର କୁହା ପୋଛା କରି ପୁଅ ଦ୍ୱାରା କରୋଉଛନ୍ତି। ବଡ ବାପା ମଧ୍ଯ ଧଡ ପଡ ହୋଇ କାମରେ ଲାଗୁଛନ୍ତି। ତା ବ୍ଯତୀତ ବଡ ମା ତାଂକ ଗୁପ୍ତ ସଂଚୟ ଲୁଚେଇ ନେଇ ବେଢାରେ ଦେଇ ଆସନ୍ତି। ଲୁଚେଇ ଦଉଚନ୍ତି କାହିଁକି ପଚାରିଲି। ତାଂକ ଉତ୍ତର ଶୁଣି ମୁଁ କାବା। “୫୦ ହଜାର ଟଂକା ସଂଚୟ କରିଥିଲି। ବଡ ବାପା ତ ମୋ କଥା କୁ ଭୃକ୍ଷେପ କରନ୍ତିନି, ତେଣୁ ପୁଅ କୁ କହିଲି ମନ୍ଦିର ରେ ରାଧା ଶ୍ଯାମଂକ ପିତ୍ତଳ ମୂର୍ତ୍ତୀ ପାଖରେ ବଡ ବଡ ପଥର ମୂର୍ତ୍ତୀ ଆଣି ଦିଅନ୍ତୁନି। ମଥୁରା ବୃନ୍ଦାବନରେ ଦେଖିଥିଲି। ଭାରି ସୁନ୍ଦର ଦିଶନ୍ତି। ଆଉ ଆମର ଏତେ ବଡ ମନ୍ଦିର ଭିତରେ ଛୋଟ ମୂର୍ତ୍ତୀ। ଭାରି ଭଲ ଲାଗନ୍ତେ ଯଦି ଚାରି ପାଂଚ ଫୁଟ୍ ଉଚ୍ଚତା ର ମୂର୍ତ୍ତୀ ହୁଅନ୍ତେ। ଏଥିରେ ବେଶି ଟଂକା ଦରକାର ହବ କହି ପୁଅ ଶୁଣିଲାନି। ଟଂକାର ଯୋଗାଡ ମୁଁ କରିବି କହିଲାରୁ ସେ ପଚାରି ବସିଲା କେମିତି କୁଆଡୁ ଯୋଗାଡ କରିବି? ମୋର କିଛି ସଂଚୟ ଅଛି । ଆଉ ତା’ କାମ, ହାତ ବଢେଇଲେ ଟଂକା ଅଜାଡି ହେଇ ଯିବ। ପୁଅ କହିଲା ହଉ ଦେଖିବା। ଗାଡି କିଣିବ ବୋଲି ବାହାରିଲା। ମତେ କିଛି ଟଂକା ମାଗିଲା। ସେଇ ସଂଚୟ ଟଂକା। ଜମାରୁ କୋଡିଏ ରଖିଚି କହିଲି। ଏବେ ନେଇ ପରେ ଦେଇ ଦେବି କହି ଦୃଢ ପ୍ରତିଶ୍ରୁତି ଦେଲା। ଗାଡି ତାର ପୁରୁଣା ହେଲାଣି ପଛକେ ପୁଅ ମୋର ଟଂକା ଫେରେଇଲାନି। ବାକି ତିରିଶି ହଜାର ସୁଧ ଲଗେଇ ଦେଇଚି। ଆଉ ମୋ ନା କହି ଟଂକା ଦେବି! ତୋ ବଡ ବାପା ଭାଇ ମତେ ଗାଁ ରେ ରଖିବେ? ମୁଁ ମରି ସାରନ୍ତିଣି ଅନେକ ଦିନରୁ। ଗୋପିଆ ମତେ ଗୋଟେ ଉଦ୍ଦେଶ୍ଯ ରେ ବଂଚେଇ ରଖିଚି। ସେଇ କାମ ଟା ସରିଲେ ଯାଇ ମରିବି। ମୁଁ ପଥର ତିଆରି ରାଧା କୃଷ୍ଣ ଦେଖି ସାରି ମରିବି। ମୋ ପୁଅ କରିଦବ ବୋଲି ମତେ ଲାଗୁନି। ତୁ ତ’ ସବୁଆଡେ ଯାଉଚୁ। କୋଉଠି କେମିତି ବୁଝନ୍ତୁନି। ମୋ ପୁଅ ହେଇ ତୁ ଏ କାମଟା କରନ୍ତୁନି ମା’। ମାଧବ ତୋର ମଂଗଳ କରିବେ। ଏ ବୁଢି ମା’ ର କଥା ରଖି ଟିକେ ବୁଝା ବୁଝି କରେ ମା’। ଯଦି ମରି ଯିବି ମୋ ଆତ୍ମା ଅସନ୍ତୋଷ ହବ। ଏ କଥା କାହା ଆଗେ କହିବୁନି। ତୁ ତ’ ବାହାରେ ରହୁଚୁ। କେବେ ଛୁଟି ରେ ଯାଇ ମୋ କାମ ଟା କରି ଦେ। ତୋ ମୋ ଭିତର ଏ କଥା ଝିଅ। ଆଉ ତୃତୀୟ ଲୋକ ର କର୍ଣ୍ଣ ଗୋଚର ଯେମିତି ନ ହୁଏ।” ତାଂକ ଆଖି ଦିଇଟା ରକ୍ତିମ ହେଇ ଆସୁଥିଲା। ମୁଁ ଆଉ ସମ୍ଭାଳି ପାରିଲିନି। ତାଂକ ସହ ମୁଁ ବି କାନ୍ଦି ଦେଲି। ଆମ ଗାଁ ଗଣ୍ତା ରେ ଏମିତି ମହାନ ଉଦ୍ଦେଶ୍ଯ ଆଉ କାହାର ଥିବ ମୁଁ ଚିନ୍ତା ବି କରିପାରୁନି। ବଡ ମା’ ଏତେ ଉଦାର! ଏବେ ତାଂକ ପାଖେ ପୁଣି ୭୦ ହଜାର ଅଛି। ଗାଁଉଲି ସୁଧରେ ଟଂକା ବଢି ବଢି ଚାଲିଚି ଏତେ ବର୍ଷ ହେଲା। ବୁଝା ବୁଝି କଲା ପରେ ଜଣା ପଡିଯିବ ଖର୍ଚ କେତେ କ’ଣ ହବ। ମୁଁ ଆଉ ନାହିଁ କରି ପାରିଲିନି। ହେଲେ ଗାଲେଇ ଗାଲେଇ ବର୍ଷେ ବିତି ଗଲାଣି। ବଡ ମା’ ଭାରି ବ୍ଯସ୍ତ। ମତେ ବି ଆଉ ଭଲ ଲାଗୁନି ତାଂକ କଥାକୁ ଏଡେଇ ଦବାକୁ। ଏଥର ଯିବି କହିଦେଲି। 


 ଗୁଗଲ୍ ରୁ ଅନେକ stone craving shop ର ନମ୍ୱର ଯୋଗାଡ କଲି। ରାଜସ୍ତାନ୍, ରାୟପୁର, ଓଡିଶା ର ପ୍ରାୟ ପଚାଶ ଟା ଦୋକାନ କୁ ଫୋନ୍ କରିଥିବି। ସମସ୍ତଂକ ଦର ଏକା ପ୍ରକାର। ଲକ୍ଷେ କୋଡିଏ ରୁ ଦେଢ ଲକ୍ଷ ଟଂକା ଦରକାର। ଏତେ ଟଂକା କୁଆଡୁ ଆସିବ? ଶେଷରେ ରାୟପୁର ର ଗୋଟେ ଦୋକାନି ଏକ ଲକ୍ଷ ରେ ରାଜି ହେଲା। ତାଂକ ଚାରି ହଜାର ଟଂକା ଧରି ମୁଁ ବାହାରିଲି ରାୟପୁର। ବଡ ମା’ ରଖିଥିବା ଟଂକାରେ ମୁଁ କିଛି ମିଶେଇବି ଆଉ ଯାହା ହବ ଦେଖାଯିବ। ସକାଳୁ ରାୟପୁର ରେ ଓଲ୍ହେଇ କେତେଗୁଡେ ଦୋକାନ ବୁଲିଲି। କିଛି ଦୋକାନିଂକୁ ମୋର ପୂର୍ବ ପରିଚୟ ଦେଲି। ଫୋନ୍ ରେ କଥା ହେଇଥିଲି କହିଲା ପରେ ସେମାନେ ଜାଣି ପାରିଲେ। ସବୁ ଦୋକାନ ର କାମ ବୁଲି ଦେଖିବା ଗୋଟେ ବାହାନା ଥିଲା। ଅସଲ କଥା ଦାମ୍ ରେ ଥିଲା। ପାଂଚଟା ଦୋକାନ ଦେଖିଲା ପରେ ଦର ଦାମ୍ ର ତାରତମ୍ଯ ଟା ଠିକ୍ ଜଣାପଡିବ। ଶେଷ ରେ ଦାମ୍ ଠିକ୍ ହେଇଥିବା ଦୋକାନ କୁ ଗଲି। ତା କଥା ଶୁଣି ମୋ ମୁଣ୍ଡ ଘୁରିଲା। ମୁଁ କୁଆଡେ ତାକୁ ତିନି ଫୁଟ ର ମୂର୍ତ୍ତୀ କଥା କହିଥିଲି। ଚାରି ଫୁଟ ମୂର୍ତ୍ତୀ ସେଇ ଦେଢ ଲକ୍ଷ। ମୁଁ ଆଉ କ’ଣ କରିବି? ମିଛ ରେ ନାଟକ ଟେ କଲି ଘରକୁ ଫେରି କଥା ହେଇ ବହିନା ଦେବି। ଆଉ ସଂଧ୍ଯାରେ ଫେରି ଆସିଲି। ବଡ ମା’ ଏ କଥା ଜାଣି ମନ ଦୁଃଖ କରିବେ ବୋଲି କିଛି ନକହି ମୋର ସନ୍ଧାନ ଜାରି ରଖିଲି। 


ମୟୂରଭଂଜ ର ଖିଚିଂ, ବାଲେଶ୍ୱର ର ନୀଳଗିରୀ, ଭୂବନେଶ୍ୱର ର କେତେ ଦୋକାନ ବୁଝା ବୁଝି ପରେ ମଧ୍ଯ ସୁହାଇଲା ଭଳି ଦାମ୍ କୋଉଠି ହେଲାନି। ବଡ ମା’ଂକ ଭଉଣୀ ଜ୍ୱାଇଁ ମାନେ ସାନ ଭଉଣୀର ସ୍ୱାମୀ। ତାଂକ କାନରେ କଥାଟା ପକେଇଲି। ସେ ମଧ୍ଯ ଯଥେଷ୍ଟ ଚେଷ୍ଟା କଲେ। ନିରାଶ ହେଇ ରହିଲି। ଦିନେ ସେ ମଉସା ମତେ ଫୋନ୍ କରି ଡାକିଲେ। ପିପିଲି ରେ ଜଣେ କାରିଗର ଅଛନ୍ତି। ଥରେ ଯାଇ ବୁଝି ଆସିଲେ ହୁଅନ୍ତା। ମୋର ଛୁଟି ନଥିଲା। ସେ ଯାଇ ବୁଲି ଆସନ୍ତୁ ବୋଲି କହିଲି। ପରଦିନ ମଉସା କଲ୍ କରି କହିଲେ ସେ କାରିଗର ରାଜି ହେଲେ ୯୦ ହଜାର ଟଂକାରେ କରିବେ। ମୋ ଆଖିରୁ ଆନନ୍ଦାଶ୍ରୁ ଝରି ଗଲା। ସେ ଏଇ ପାଖରେ ଅଛି ଆଉ ଛଅ ମାସ ହେଲା ବ୍ରହ୍ମାଣ୍ଡ ବୁଲେଇଲା କାହିଁକି? ଇଏ ତାର କି ପରୀକ୍ଷା କେଜାଣି? 


ଗ୍ରାନାଇଟ୍ ର କୃଷ୍ଣ୍ ଓ ମାର୍ବଲ ର ରାଧା। କଳା ଧଳା ଯୁଗଳ ମୂର୍ତ୍ତୀ। ଆହାଃ... କି ସୁନ୍ଦର ଦିଶିବେ ସତେ! ବଡ ମା ଭାରି ଖୁସି ହେଲେ। ଏବେ ତୃତୀୟ ବ୍ଯକ୍ତି ମଉସା ଜାଣିଲେ। ବଡ ମା’ ତାଂକ ପୁଅକୁ ମଧ୍ଯ କହିଲେ। ଟଂକାର ବ୍ଯବସ୍ଥା କରିବା ପାଇଁ କହିଲେ। ଆମେ ଚାରିଜଣ ଲାଗି ଗଲୁ କାମରେ। ଦାତା ମଧ୍ଯ ଠିକ୍ ହେଲେ। କିଛି ଟଂକା ଭାଇ ଦେଲେ। ମାତ୍ର ବଡ ମା’ ଭାଇଂକ ଦ୍ୱାରା ଗୋଟେ ମିଛ କୁହାଇଲେ। ଏତେ ସବୁ ଟଂକାର ଯୋଗାଡ ଭାଇ ଆଉ ତାଂକ ସାଂଗମାନେ କରିଛନ୍ତି ବୋଲି ବଡ ବାପାଂକୁ ବୁଝେଇବାକୁ ପଡିବ। ବସନ୍ତ ପଂଚମୀ ପରେ ଚତୁର୍ଥ ଦିନରୁ ଯଜ୍ଞାରମ୍ଭ ହେବ। ଏକାଦଶୀ ଦିନ ମୂର୍ତ୍ତୀ ପ୍ରତିଷ୍ଠା ହେବେ। ସେତେବେଳକୁ ମାତ୍ର ଦୁଇ ମାସ ସମୟ ଅଛି। ଏତେ ଶିଘ୍ର ଦୁଇଟା ମୂର୍ତ୍ତୀ କରିପାରିବେନି ସେ କହିଲେ। ମଉସା କାକୁତି ମିନତୀ ହେଇ ବହିନା ଦେଇ ଆସିଲେ। ସେ କାମ ଆରମ୍ଭ କଲେ। କୃଷ୍ଣ ମୂର୍ତ୍ତୀ ର କାମ ଅଧା କରି ଫଟୋ ପଠେଇଲେ। ମନ ଆନନ୍ଦରେ ଗଦ୍ ଗଦ୍ ହଉଥିଲା । କିନ୍ତୁ ବେଶି ସମୟ ନୁହେଁ। ସେ ଏମିତି କାହିଁକି କରେ? ପର ଦିନ ସେ ପୁଣି କଲ୍ କଲେ। ସେ ଖବର ଅତ୍ଯନ୍ତ ଦୁଃଖଦ ଥିଲା। ମୁଖ୍ଯ କାରିଗରଂକ ମୃତ୍ଯୁ ଖବର। ଇଏ କ’ଣ କଲୁ କାହ୍ନୁ? ଏଇଟା ତୋର କି ନ୍ଯାୟ କିରେ? ସେ ନିରିହ ର ସମୟ କ’ଣ ସେତିକି ଥିଲା? ଆମ ସମସ୍ତଂକ ମନରେ ବିଶାଦର ଛାୟା ଖେଳିଗଲା। 


ସେ କଥା ଦେଇଛନ୍ତି ଓ ସମୟରେ କାମ ସାରିବେ ବୋଲି ପ୍ରତିଶ୍ରୁତି ଦେଲେ। ରାଧା ମୂର୍ତ୍ତୀ କାମ କରି ଫଟୋ ପଠେଇଲେ। ମଉସା ପୁଣି ଥରେ ମତେ ଫୋନ୍ କରି ଡାକିଲେ। “ଝିଅ ଥରେ ଯାଇ କାମ ଦେଖି ଆସିଲେ ହୁଅନ୍ତା। ସେମାନେ ଭଂଗା ଭଂଗି କରି ଯୋଡି ଦିଅନ୍ତି। ମଝିରେ ଥରେ ପରୀକ୍ଷା କରିଆସିବା ଭଲ।” ମଉସାଂକ କଥା ତ’ ଠିକ୍ ଥିଲା। ମାତ୍ର ମୋ ପାଖରେ ସମୟ ନଥିଲା। ସେପଟେ ମଉସାଂକ ପୁଅ ର ଦେହ ବହୁତ ଖରାପ। ସେ ତାକୁ ବାରମ୍ୱାର ଡାକ୍ତର ପାଖକୁ ଧରି ଦୌଡୁଛନ୍ତି। ଇଏ ପୁଣି ତା’ର କିଛି ଗୋଟେ ନାଟ ହିଁ ହେଇଥିବ। ସେ ଛୁଆଟାର ଦେହ ପୁରା ଠିକ୍ ଥିଲା ହଠାତ୍ କେମିତି ଶୂନ୍ଯରେ ପେଟ ମାରୁଚି। ସେ କାନ୍ଦି କାନ୍ଦି ଗଡୁଚି। ଏମିତି ଗଡିଗଲା ଦେଢ ମାସ। ଆମେ କେହି ଯାଇ ପାରିଲୁନି। ନଗଲେ ନଚଳେ କହି ମଉସା ଥରେ ଭାଇଂକୁ ଧରି ଗଲେ ପିପିଲି। ମୂର୍ତ୍ତୀ ଦେଖି ଫେରିବା ସମୟ। ହଠାତ୍ ନଜର ପଡିଗଲା ଗୋଟେ ଅଠା ମରା ଯାଗାରେ। ମଉସା ନିରିଖି ଦେଖନ୍ତି ତ’ ରାଧାଂକ ମୂର୍ତ୍ତୀ ର ଗୋଟେ ଗୋଡ ଯୋଡେଇ ହେଇଚି ଅଠାରେ। ମଉସା ପ୍ରଥମରୁ ଠିକ୍ କହୁଥିଲେ। ସେଇଆ ହିଁ ହେଇଚି। ଇଏ ବି ତା’ର ହିଁ କାମ। କିନ୍ତୁ କାରିଗରଂକ ମା’ ର ମୁହଁ ରେ ବୋଧେ ସରସ୍ୱତି ପ୍ରଶନ୍ନ ହେଲେ। ସେ ମାଡି ଆସି କହିଲେ “ହଁ ପରା ସେ ଦିନ ଗାଡିରୁ ପଥର ବାହାର କଲା ବେଳେ ଭାଂଗିଗଲା।” ଏଇଟା ମଧ୍ଯ ତା’ର କାମ। ନଚେତ୍ ସେ ନିଜେ କାହିଁକି ଏମିତି କହିଥାନ୍ତେ? ଗୁଡାଏ ଯୁକ୍ତି ତର୍କ ପରେ ସେ ମାନିଲେ। ନୂଆ ମୂର୍ତ୍ତୀ ତିଆରି କରିବେ ମଧ୍ଯ । 


ଏତେ ବିଘ୍ନ କାହିଁକି? ଏ ମାୟା କ’ଣ ପାଇଁ ରଚୁଚୁ ରେ? ସେ ଦିନ ଠୁ ବଡ ମା ଠାକୁର ଘରେ ଅଖଣ୍ଡ ଦୀପ ଜାଳିଲେ। ମାନସିକ ଥିଲା ‘ଠାକୁର ପ୍ରତିଷ୍ଠା ପର୍ଯ୍ଯନ୍ତ ଆଉ କିଛି ନହଉ।’ କେତେ କାଣ୍ଡ ହେଇଗଲା! ଜଣେ କାରିଗର ର ପ୍ରାଣ ଗଲା। ମଉସାଂକ ପୁଅ ଦେହ ଅତ୍ଯନ୍ତ ଖରାପ। ପଥର ଭାଂଗିଗଲା। ସମୟ ଜମାରୁ ଦଶ ଦିନ ଅଛି। କେମିତି ସରିବ କାମ? ତା’ ଲୀଳା ନୁହେଁ ଇଏ? ଏତେ ବର୍ଷ ଖେଳିଲା ଆଉ ମାସେ ପନ୍ଦର ଦିନରେ କାମ ହେଇଗଲା। ଅବଶ୍ଯ ୯୦ ହଜାର ଟା ଲକ୍ଷେ କୋଡିଏ ହେଲା। କମ୍ ସମୟ ଲାଗି ଅଧିକ କାରିଗର ଲାଗିଲେ। ଆଉ ପଥର ମଧ୍ଯ ଦିଇ ଥର ଆସିଲା। କ୍ଷତି କୁ ଉଭୟ ପଟ ବୋହିଲେ।


ଯଜ୍ଞ ପୂର୍ବ ରାତି ପ୍ରାୟ ଦିଇଟା ହେବ। ମଉସା, ଭାଇ ମନ୍ଦିର ବେଢା ପାଖରେ ହାଜର ହେଲେ। ଦୁଇ ମୂର୍ତ୍ତୀଂକୁ ନେଇ ବେଢାରେ ରଖିଲେ। ସେ କି ପ୍ରକାର ଅନୁଭୂତୀ, ଅନୁଭବ! ଅବର୍ଣ୍ଣୀୟ। ପରଦିନ ଯଜ୍ଞାରମ୍ଭ ହେଲା। ପ୍ରଥମ ଦିବସରେ ପୂଜା ବିଧୀ ସାରି ବିଗ୍ରହଂକୁ ଧାନରେ ପୋତି ରଖିଲେ। ଦ୍ୱିତୀୟ ଦିବସରେ ଜୀବନ୍ଯାସ। ବ୍ରାହ୍ମଣ ମହାଶୟ ମାଇକ୍ ରେ ଡାକିଲେ। ଭାଗ୍ୟରେ ଥିଲେ ଜୀବନରେ ଠାକୁରଂକ ପ୍ରାଣ ପ୍ରତିଷ୍ଠା ଦେଖିବାର ସୁଯୋଗ ମିଳେ। ଆଖ ପାଖ ଦିଇ ତିନି ଖଣ୍ଡ ଗାଁ ଆଉ ଆମ ଗାଁ ର ଲୋକ ସମୁଦ୍ର ମନ୍ଦିର ପାଖରେ। ବେଦ ଧ୍ୱନୀ, ସଂକୀର୍ତ୍ତନ, ଖୋଳ, ଗିନି, ଘଣ୍ଟ ଘଣ୍ଟା ରେ ଗଗନ ପବନ ପ୍ରକମ୍ପିତ। ଜୀବ ଜନ୍ତୁ, ପାଣି ପବନ, ନଦୀ ପାହାଡ ସମସ୍ତେ ଯେମିତି ଏକ ହୋଇ ରହିଛନ୍ତି। ମୁଁ ଘର ଭିତରେ ମୋ ଉପନ୍ଯାସ ବହିଟା ଧରି ବସିଚି। ମତେ ଯେମିତି କିଏ ଧକ୍କା ମାରିଦେଲା ଏମିତି ଲାଗିଲା। ହୃଦୟ ଭିତରୁ କୁଆଡୁ ମାଡିଆସିଲା ଗୋଟେ କୋହର ସମୁଦ୍ର! ମୁଁ ହଠାତ୍ କାନ୍ଦି ଉଠିଲି କାହିଁକି? ଆଉ ଉଠି ପଡି ଭୋ ଭୋ କାନ୍ଦି ମନ୍ଦିର ଆଡେ ଦୌଡିଲି କାହିଁକି? ମତେ କ’ଣ ଅନୁଭବ ହଉଥିଲା ମୁଁ ଜାଣିନି। କାନ୍ଦୁଥିଲି କାହିଁକି ଜାଣିନି। ଏ ଲୁହ ତା’ ପାଇଁ? ଏ ଯନ୍ତ୍ରଣା ତା ପାଇଁ? କ’ଣ ପାଇଁ? ମୁଁ ତ କେବେ ତାକୁ ଡାକେନି, କିଛି ମାଗେନି, ଦୁଃଖ ଜଣାଏନି। ଆଉ ମତେ ଏ ଅନୁବଭ କାହିଁକି? ସେଇ ଜନ ସମୂଦ୍ରର ଲହରୀ ଭିତରେ ମୋ ଭଂଗା ବିଶ୍ୱାସ ଏକ ଶକ୍ତ କୋଠାଘର ର ରୂପ ନେଇଥିଲା। ମୋ ଲୁହ ବୁନ୍ଦା ସବୁ ମତେ କହୁଥିଲେ। “ଦେଖିଲୁ ତ! ସେ କେମିତି ଭାବଗ୍ରାହୀ! ଦୀନବନ୍ଧୁ! ଦୟାମୟ! ଅନ୍ତର୍ଯ୍ଯାମୀ ଅଉ କେତେ କ’ଣ! ଦିଇ ମାସରେ ଆସି ନିଜେ ହାଜର ହେଇଗଲା।” ବଡ ମା’ଂକ କଥା ମୁଁ ଭୁଲିଯାଇଚି। ସେ କଳା ମସ ମସ ଗ୍ରାନାଇଟି ମୁହଁ ରୁ ଯେମିତି ଜ୍ଯୋତି ନିର୍ଗତ ହଉଚି। ସେଇ ଜୀବନ୍ଯାସ ସମୟରେ ତାକୁ ଚାହିଁ ରହିଚି। କାନ୍ଦି ଚାଲିଚି। ବଡ ମାଂକ ଉପରେ ନଜର ପଡିଲା। ଗୋଟେ ଖୁଣ୍ଟ କୁ ଆଉଜି ଏକା ବସି ଲୁହ ଗଡୋଉଛନ୍ତି। ଇଚ୍ଛା ହଉଚି ତାଂକୁ ଧରି ଯୋର କରି କାନ୍ଦନ୍ତି। ପରଦିନ ମନ୍ଦିର ରେ ମୂର୍ତ୍ତୀ ପ୍ରତିଷ୍ଠା ହେବେ। ବଡ ମା’ଂକ ସହ ଆଗୁଆ ହାଜର ହେଇଯାଇଚି ମୁଁ। 


କେତେ ଲୋକ କେତେ କଥା ହଉଛନ୍ତି। “ କେତେ ବଡ ମୂର୍ତ୍ତୀ, କେତେ ଟଂକା ଲାଗିଥିବ, କିଏ ସବୁ ଦେଲା, କିଏ ସେ କାରୀଗର ଏତେ ସୁନ୍ଦର ମୂର୍ତ୍ତୀ ଗଢିଲା! ଠାକୁର ଯେମିତି ଚାଲି ଆସୁଛନ୍ତି। ଜୀବନ୍ତ ଦେଖାଯାଉଛନ୍ତି। ଧନ୍ଯ ସେ ଦାତା, କର୍ତ୍ତା। ଧନ୍ଯ ଗୋପୀନାଥେ। ଧନ୍ଯ ରାଧା ମା’।” ଏମିତି ଅନେକ କଥା। ଆମ ଗୁପ୍ତ ଗ୍ଯାଂଗ୍ କୁ ଛାଡିଲେ ଆଉ କେହି ଜାଣି ନାହାନ୍ତି ଏ ସମ୍ପୂର୍ଣ୍ଣ ଯାତ୍ରା ଆଉ ଭିତରର କାହାଣୀ ବିଷୟରେ। ଗାଁ ଲୋକ ଭାବନ୍ତି କୁଆଡୁ ରାତି ରାତି ଠାକୁର ଆସିଲେ! ମୁଁ ଦୌଡି ପଳେଇଚି। ଚଷମା ଟା ନବା ପାଇଁ ଭୁଲି ଯାଇଚି। ସେଠୁ ଘରକୁ ଫେରିବାର ଇଚ୍ଛା ହଉନି। ଆଉ ତା ମୁହଁ ଟା ଭଲ ଭାବେ ଦେଖି ପାରୁନି। ତଥାପି ଘରକୁ ଚାରିଥର ଆସିଲି। ଚଷମା କୁଆଡେ ଅନ୍ତର୍ଦ୍ଧାନ ହେଲା କେଜାଣି? ପୁଣି ଫେରିଯାଇ ତା’ ମୁହଁ କୁ ଚାହିଁ ବସିଲି। ମତେ ରାତି ଆଠଟାରେ ଗାଡି ଧରିବାର ଅଛି। ତେଣୁ ଘରକୁ ଫେରିଗଲି। ଯାଇ ଦେଖେ ଚଷମା ଟା ସାମ୍ନା ରେ ଅଛି। ଏଇଟା ତା’ର ଗୋଟେ ମାୟା। ଆରଥରକୁ ଆସିଲେ ତାକୁ ପ୍ରଥମେ ଦେଖିଆସିବି ବୋଲି ସେ ଏମିତି କଲା ବୋଧେ।


ସବୁ ସରିବା ପରେ ଦିନେ ବଡ ମା’ ଛାତ ଉପରେ ଲୁଗା ସୁଖୋଉ ଥିଲେ ଦେଖିଲି। ପାଖକୁ ଯାଇ କିଛି ଦୁଃଖ ସୁଖ କରିଲି। ପଚାରି ଦେଲି ଏତେ ଟଂକା ବଡ ମା’ କୁଆଡୁ ଆଣିଲେ? ବଡ ବାପା ଯେମିତି ଲୋକ ଟଂକାଟେ ବି ଦେଇନଥିବେ। ତେବେ ଏ ଟଂକାର ରହସ୍ଯ ଜାଣିବା ପାଇଁ ଭାରି ଇଚ୍ଛା ମୋର। ତାଂକ ଉତ୍ତର ଥିଲା ଆଶ୍ଚର୍ଯ୍ଯ ଜନକ। 


ଯେତେବେଳେ ଅଣା, ଦିଇ ଅଣା, ପାଂଚ ପଇସା, ଦଶ ପଇସା ଚଳୁ ଥିଲା। ସେତେବେଳୁ ସେ ସଂଚୟ କରି ଚାଲିଛନ୍ତି। ପଇସା ପରେ ଟଂକା ଦିଇ ଟଂକା ଯୋଡି ଯୋଡି ଚାଲିଛନ୍ତି। ସବୁ ସଂଚୟ ଯେବେ ପାଂଚ ହଜାର ହେଲା ତା’ ପରେ ମୋଟା ଭାବରେ କରଜ ଲଗେଇଛନ୍ତି। ସୁଧକୁ ମୂଳ ରେ ମିଶେଇ ମିଶେଇ ବଢେଇ ଚାଲିଛନ୍ତି। ସେ ଟଂକାରେ ମନ୍ଦିର ପ୍ରାଚିର କରିବାର ଆସାଥିଲା। କିନ୍ତୁ ବୃନ୍ଦାବନ ବିହାରୀଂକୁ ଦେଖି ଆସିଲା ପରେ ସେମିତି ରାଧା ମାଧବ ଦେଖିବାର ଇଚ୍ଛା ମନରେ ସ୍ରୋତ ଆଣିଥିଲା। ରାଧା ମାଧବଂକୁ ଦେଖି ସେ ଆଜି ଭାରି ଖୁସି। 


- ଆଉ ଜୀବନରେ କିଛି ଆସା ନାହିଁ। ସେ ସବୁ ଦେଲା, ସବୁ କଲା, ମୁଁ ସବୁ ପାଇଲି। ଏବେ ଶାନ୍ତି ରେ ଆଖି ବୁଜି ପାରିବି। ମୋ ପୁଅ କୁ ସେ କି ମାୟା କରିଦେଲା? ପୁଅ ମତେ ପରେ ଆଉ ଥରେ ବି ପ୍ରଶ୍ନ କଲାନି ମୁଁ ଏ ଟଂକା ସବୁ କୋଉଠୁ ଆଣିଲି? ଆଉ ନିଜେ ନିଜେ ସବୁ କାମ କରିଲା। ମିଛ କହିଲା। ତା’ ବାପାଂକୁ ସେ କେବେ କିଛି ଲୁଚାଏନି। ଏଇ କାହ୍ନୁ ସେତକ କରିଚି। ତୁ ମତେ କାହିଁକି ପଚାରିଲୁ? ତତେ କ’ଣ ସେ ମାୟାରେ ବାନ୍ଧିନି? 

-ନାଁ ବଡ ମା’। ମତେ ସେ ବାନ୍ଧିନି। ମତେ ସେ କୋଳେଇ ନେଇଚି। ମୁଁ ବି ପାଗଳ ପ୍ରାୟ ହଉଚି। ତା କଥା ଭାବୁଚି। ତୁମ କଥା ଆଉ ଭକ୍ତି କୁ ଭାବୁଚି। ତୁମେ ଜୀବନ ସାରା କେତେ ସହିଚ, ସେ କାହିଁକି ତୁମ ପାଇଁ ତୁମ ପକ୍ଷରେ ନାହିଁ ଭାବୁଚି।

- ଆରେ ପାଗେଳି ଟା ତୁ। ସେ ମୋ ପକ୍ଷରେ ନଥିଲେ ମୁଁ ଆଜି ଜୀବନ ଧରି ଥାଆନ୍ତି? ମୋ ଶାଶୁ, ଶ୍ୱଶୁର, ଯାଆ, ଦେଢଶୁର ସମସ୍ତେ ମତେ ଘରୁ ବିଦା କରିବାକୁ ଉଦ୍ଯତ ଥିଲେ। ତୋ ବଡ ବାପାଂକ ଗଂଜଣା କହିଲେ ନସରେ। ସବୁ ସହିବାର ଅଦୃଶ୍ଯ ଶକ୍ତି ସେ ହିଁ ତ ଦେଇଛି। ବେଶି କାନ୍ଦିଲେ ସେ ମୋ ଆଖିର ଲୁହ ପୋଛିଚି। ଖାଇ ନଥିଲେ କୌଣସି ଉପାୟରେ ଖୁଆଇ ଦେଇଚି। ସବୁ ବେଳେ ମୋ ସ୍ୱପ୍ନ ରେ ଆସି ମତେ ଆଶ୍ୱାସନା ଦେଇଚି। ସବୁ ସହିଯିବାକୁ ସାହାସ ଯୋଗେଇଚି। ମୋ ପକ୍ଷ ରେ ଆଉ କେମିତି ଥାଆନ୍ତା। ତାକୁ ମୋ ଧର୍ମ ମାନି ଆଜୀବନ ମୋ କର୍ମ କରି ଚାଲିଚି। ଧନ୍ଯ ସେ ଗୋପୀନାଥ।


ବଡ ମା’ କାନ୍ଦିବା ଆରମ୍ଭ କଲେ। ତାଂକ ସହ ମୁଁ ମଧ୍ଯ କାନ୍ଦୁଚି। ମୋର ସବୁ ଭାବନା ଭୁଲ୍ ଥିଲା। ଓଲଟା ଥିଲା। ସେ ବଡ ମା’ଂକ ବଂଚିବାର ପଥ, ଆଶ୍ରୟ। କାଳିଆ ପାଇଁ ମୋ ମନରେ ମଧ୍ଯ ଗୋଟେ ଜାଗା ଶୃଷ୍ଟି ହେଇଚି। ତା’ କଥା ବାରମ୍ୱାର ଭାବୁଚି। ବଡ ମା’ଂକ ଆଜୀବନ ସଂଚୟ କଥା ଭାବୁଚି। ତାଂକର ଭକ୍ତି ଆଉ ତ୍ଯାଗ କଥା ଭାବୁଚି। ସେ ଗୋଟେ ଅଜବ ବନ୍ଧନ, ଅନାବିଳ ଭାବ, ଭକ୍ତି ରେ ବନ୍ଧା। 


Rate this content
Log in

Similar oriya story from Inspirational