Minata Barad

Tragedy Classics Children

3  

Minata Barad

Tragedy Classics Children

ବେଣୀ

ବେଣୀ

4 mins
103


ଗପ କାହାକୁ ବା ପସନ୍ଦ ନୁହେଁ! କିଏ ପଢିବାକୁ ଭଲପାଏ କିଏ ଶୁଣିବାକୁ। ପରୀ ର କିନ୍ତୁ ଦୁଇଟା ପସନ୍ଦ। ବହି ଭିତରେ ଲୁଚେଇ ଗପ ବହି ରଖିବା ଆଉ ଧରା ପଡି ଗଳି ଶୁଣିବା ଅଭ୍ଯାସ ରେ ପରିଣତ ହେଲାଣି। ମା’ ହଉ କି ଆଈ ଯାହା ପାଖରେ ଶୋଇଲେ ସେ ଗପ ଶୁଣିବାର ଜିଦ୍ ନିହାତି କରେ। ସେଦିନ ମା ଆଣ୍ଠୁରେ ମୁଣ୍ଡ ଥୋଇ ତଳ ପାହାଚରେ ବସିଥାଏ ପରି। ମା’ ଉଠେଇ ଦେଲା ତାକୁ। ମୁଣ୍ଡ ବାନ୍ଧି ଗାଇ ଗୁହାଳକୁ ଯିବ ସେ। ପାନିଆ ଧରି ମୁଣ୍ଡ ରାମ୍ପିବା ଆରମ୍ଭ କଲାରୁ ପରୀର ଗପ ଟିଏ ମନେ ପଡିଲା।


-ମା’ ତୋ ଚୁଟି ଦେଖି ମୋର ଗପଟେ ମନେ ପଡୁଚି କହିବି! ରାଗିବୁନି ତ’!

-ମୋର ସମୟ ନାହିଁ ତୋ ଗପ ଫଫ ଶୁଣିବାକୁ। ମୋ ବାଳ ଦେଖି ତୁ ଥଟ୍ଟା କରୁଚୁ ନାଇଁ!

- ନାଁ ନାଁ.... ଥଟ୍ଟା ନୁହେଁ। ସେ ଗପରେ ଗୋଟେ ପିଲା ଥିଲା। ତା’ ମା’ ର ବହୁତ ଲମ୍ୱା ବାଳ ଥାଏ। ମା’ ତା’ର ମୁଣ୍ଡ କୁଣ୍ଡେଇଲା ବେଳେ ପିଲାଟି ଦଉଡି ଯାଇ ମା’ ବେଣୀ ରେ ଝୁଲେ। ବେଣୀ ଚୁଳ କୁ ତା’ ମୁହଁ ରେ କାନରେ ସଲ ସଲ କରେ। ବାଳ ଖୋଲା ଥିଲେ ତା ଭିତରେ ସେ ଲୁଚେ। ମା’ ବେଣୀ ତା’ର ସମ୍ପତି। ପିଲା ବଡ ହେଲା ପରେ ଦିନେ ତା’ ମା’ କୁ ହସି ହସି କହିଲା “ ମା’ ଏବେ ତୁ ବାଳ କୁ ବେଣୀ କଲେ ସେ ସଜନା ଛୁଇଁ ଆଉ ଖୋସା ବାନ୍ଧିଲେ ବର କୋଳି ପରି ଦିଶୁଚି। ତୋ ବାଳ କାଟି ଦବା କି?” ମା’ କୁ ତା’ର ରାଗ ଲାଗିଲା। ରାଗି ଯାଇ ସେ ସତ ସତିକା ବାଳ କାଟି ଦେଲା। 

- ହଁ ହେଲା କ’ଣ ହେଲା ସେଠୁ?

ପରୀ ହସି ହସି ଅଧା କଥା କହୁଥାଏ ଅଧା ଖାଉ ଥାଏ। 

- ନାଁ ମ, ତୋ ବେଣୀ ଏବେ କସି ସଜନା ଛୁଇଁ ଆଉ ଖୋସା ଆମ ବାଡି ପଟ ବରକୋଳି ପରି ଦିଶୁଚି। ତୋ ବାଳ ବି କାଟି ଦବା କି? 

ପରୀ ର ହସ ବନ୍ଦ ହବାର ନାହିଁ। ହସି ହସି ପାହାଚ ତଳକୁ ଗଡି ପଡିଲାଣି ପରୀ। ମା’ ତା’ର ଢିମା ଆଖି କରି ଚାହିଁଚି। 

- ମୁଁ ଜାଣି ଥିଲି। ତୁ ଏମିତି ହିଁ କିଛି ଥଟ୍ଟା କରିବୁ। 

-ତୁ ରାଗି ଗଲୁ ନାଁ। ଚାଲ ବାଳ କାଟିଦବା ତୋର। 

ପାଖରେ ପଡିଥିବା ଝାଡୁ ଉଠେଇ ମା’ ପରୀ ଉପରକୁ ଫୋପାଡି ଦେଲା। ପରୀ ତଥାପି ହସୁଚି। ପରୀ ଜାଣିବା ଦିନ ରୁ ଦେଖି ଆସୁଚି ତା’ ମା’ ମୁଣ୍ଡରେ ପତଳା ବଳ। ଦିନ କୁ ଦିନ ଅଧିକ ପତଳା ହବାରେ ଲାଗିଚି। ଏତେ କମ୍ ବାଳ ରଖିବା ଅପେକ୍ଷା ଲଣ୍ଡା ହେଇଯିବା ଭଲ ବୋଲି ପରୀ ମା’ କୁ କୁହେ। ହେଲେ ପୁରୁଣା ଆଲବମ୍ ଦେଖିଲେ ଜାଣାପଡେ ତା’ ମା’ର ମଧ୍ଯ ଗପ ବହିର ମା’ ପରି ଲମ୍ୱା ଗହଳ ବାଳ ଥିଲା। ହେଲେ ଏମିତି କେବେ କାହିଁକି ହେଲା କେବେ ତଦାରଖ କରିନି। 


ଆଉ ଦିନେ ମା’ କୋଳରେ ଶୋଇଚି ପରୀ। ମା’ ତା ମୁଣ୍ଡ ରେ ହାତ ମାରି ଆଉଁସି ଦଉଚି। ସେଇ କାମଟି ପରୀ ର ମନ ପସନ୍ଦ। ମା’ ତା’ ମୁଣ୍ଡ ଭିତରେ ଆଂଗୁଠି ଚଲେଇଲା ବେଳେ ପରୀ କୁ ନିଦ ମାଡି ଆସେ। ମା’ କହିବାକୁ ଆରମ୍ଭ କଲା।

- ତୋର ବି ବହୁତ ଗହଳ ବାଳ। ହେଲେ ଟାଣୁଆ ବାଳ। ମୋ ବାଳ କିନ୍ତୁ କୋମଳ, ସୁନ୍ଦର, ଚିକ୍ ଚିକ୍ ମାରୁଥିଲା।

-ମା’ ତୁ ମନ ଦୁଃଖ କରିଚୁ ନା’। ସେଦିନ ତୋ ବେଣୀ ଆଉ ଖୋସା କୁ କସି ସଜନା ଛୁଇଁ, ବର କୋଳି କହିଲି ବୋଲି? ଛାଡ ଆଉ କେବେ ତୋ ବାଳକୁ ନେଇ ମଜା କରିବିନି। ଭୁଲ ହେଲା ମୋର। ହେଲେ ପୁରୁଣା ଫଟୋରେ ତୋର କେତେ ଲମ୍ୱା ବାଳ ଥିଲା। ଏତେ ଚନ୍ଦା କେମିତି ହେଲୁ ତୁ?

- ଆଈ ମୋ ମୁଣ୍ଡରେ ପ୍ରତି ଦି’ ତିନି ଦିନରେ ରାଶି ତେଲ ଘସୁ ଥିଲା। ବେଣୀରେ ମୋର ଭାରି ଦୁର୍ବଳତା। ତେଣୁ ବାଳ ବଢେଇ ଚାଲିଲି। ରାଶି ତେଲକୁ ମୁଣ୍ଡରେ ମୋର କଳା ମଶ ମଶ ବାଳ। ତଳେ ବସି ମୁଣ୍ଡ କୁଣ୍ଡେଇ ପାରେନା ମୁଁ। ଶେଷରେ ବାଳ ର ଯତ୍ନ ନବା ମୋର ଗୋଟେ ନିତି ଦିନିଆ କାମ ରେ ପରିଣତ ହେଇଗଲା। ପ୍ରଥମେ ମୁଣ୍ଡ କାମ ତୁଟିଲେ ପରେ ଯାହା କରିବି। ଅଧ ଘଣ୍ଟା ଲାଗେ ମତେ ମୁଣ୍ଡ କୁଣ୍ଡେଇବାକୁ। ଆଈ ରାଗିଯାଇ କହେ “କାଟିଦେ ସେ ବାଳ ସବୁ। ନିତି ବସି ଗୋଟେ ବାଳ ବେପାର କରୁଚି।” ମୁଁ କିନ୍ତୁ ଶୁଣେନି। ମୁଣ୍ଡ ରେ କେତେ କ’ଣ ମାରେ ସବୁ ବାଳ ଭଲ ରହିବା ପାଇଁ। ମନ୍ଦାର ପତ୍ର, ଫୁଲ, ଦୁରୁଦୁରା ପତ୍ର, ମେଥି, ପଟାସ ଫଳ, ନିମ୍ୱ ପତ୍ର ଯେତେ ଯାହା ଅଛି ସବୁ ଲଗାଏ। ମୁଁ ବହୁତ ଖୁସି ଥାଏ ମୋ ବାଳ ସହ। ଯିଏ ଦେଖେ ସିଏ ଦୃଷ୍ଟି ପକାଏ ତେଣୁ ସାଂଗେ ସାଂଗେ ମୁଁ ବାଳରେ ଛେପ ଲଗେଇ ଦିଏ। ଅଠର ବର୍ଷ ରେ ମୋର ବାହାଘର ହେଲା। ମୁଁ ଚାଲି ଆସିଲି ତୋ ବାପାଙ୍କ ଘର କୁ। କୋଡିଏ ବର୍ଷ ରେ ପ୍ରଥମ ପୁଅ ଜନ୍ମ ହେଲା ମୋର। ଗୋଟେ ମାସ ପରେ ସେ ଚାଲି ଗଲା। ତୋ ଜେଜେ ମା’, ବଡ ମା’ ମତେ ଖୁଆଇ ପିଆଇ ଦେଲେନି। ବର୍ଷ ବର୍ଷ ଧରି ସେମିତି ଚାଲିଲା। ସବୁ ବେଳେ ମନ ଦୁଃଖ, ଦିନ ରାତି କାନ୍ଦିଲି। ଅଜାଙ୍କୁ କହିଲି ମତେ ଏଠୁ ନେଇ ଯାଆନ୍ତୁ। ଅଜା ମତେ ନେବେ ଆଉ ପୁଣି ବୁଝେଇ ଏଇଠି ଛାଡି ଦେବେ। ସେତେବେଳ କୁ ଜୀବନ ର ଲୋଭ ବି ନଥିଲା ଆଉ ବେଣୀ କଥା କାହାର ମନେ ଥିଲା? ଦିନେ ମାମୁଁ ସହ ଡାକ୍ତର ଦେଖା ହବା ପାଇଁ ଯାଇଥିଲି। ଚର୍ମ ବିଭାଗ ଡାକ୍ତରଙ୍କୁ ଦେଖାକରି ପଚାରିଲି। ସବୁ ବାଳ ଝଡି ଯାଉଛି କାହିଁକି? ଡାକ୍ତର ଅନେକ କଥା କହିଲେ। ଚର୍ମ ରୋଗ, ଭିଟାମିନ୍ ଅଭାବ, ମାନସିକ ଦୁଃଶ୍ଚିନ୍ତା.... ଏମିତି କେତେ କଥା। ସେଥିରୁ ଏଇ ଦୁଃଶ୍ଚିନ୍ତା କଥାଟି ମୋ ମନ କୁ ମାନିଲା। ଆମ ଘରେ ଥିଲା ବେଳେ ମୁଁ ବହୁତ ଖୁସି ଥିଲି। ତମ ଘରକୁ ଆସିବା ଦିନଠୁ ମୋ ଖୁସିରେ ନିଆଁ ଲାଗିଲା। ସବୁବେଳେ କିଛି ନା କିଛି ଚିନ୍ତା। ବାଳ ଝଡି ଝଡି ଚନ୍ଦା ହେଲି। ଆଉ ତୁ ହସୁଚୁ ମୋ ଦୁର୍ଦଶା ରେ। ସଜନା ଛୁଇଁ ବରକୋଳି କରି ମଜା କରୁଚୁ। ତୁ କ’ଣ ବୁଝିବୁ ମୋ ଦୁଃଖ କଷ୍ଟ। ତମେ ସବୁ କେମିତି ବଡ ହେବ ସେଇଆ ଗୋଟେ ବଡ ଚିନ୍ତା ଥିଲା ମୋର। ବେଣୀ ବନ୍ଧା କିଏ ପଚାରୁଥିଲା!


ମା’ କଥା ସାରି ପରୀ ର ମୁଣ୍ଡ ରୁ ହାତ କାଢି ନେଲା। ପରୀ ଶୋଇ ପଡିଲାଣି ଭାବି ମା’ କଡ ଲେଉଟେଇଲା। ହେଲେ ପରି ମା’ ର କାନି ଭିତରେ ମୁହଁ ଘୋଡେଇ ପୋଛୁଥିଲା କେତେ ଧାର ଲୁହ। ପରୀ କେବେ ଦେଖିନି ମା’ କୁ ତା’ ଲମ୍ୱା ବେଣୀ ସହ। ମା’ ର ବେଣୀ ପତଳା ହବା ସହ ଦୁଃଖ ବହଳା ହବାରେ ଲାଗିଥିଲା ହେଲେ ପରୀ ର ସେ ଧାରଣା ନଥିଲା। ମା’ ତେବେ ଅନେକ କାନ୍ଦିଚି, ଅନେକ ସହିଚି, ଅନେକ ତ୍ଯାଗ କରିଚି ଆଉ ଚୁପ୍ ଅଛି। ପରୀ ତ’ ଛୋଟ ପିଲା ସେଇ ଟିକେ କାନ୍ଦି ଦବା ଛଡା ଆଉ କ’ଣ କରି ପାରିବ ଯେ ସେ? ସେଦିନ ପର ଠୁ କାହା ବେଣୀ ଦେଖିଲେ ପରୀ କୁ ମା’ର ଚନ୍ଦା ମୁଣ୍ଡ ନୁହେଁ ଛାତି ତଳ ସାଇତା ଅକୁହା କୋହ ଦେଖାଯାଏ।


Rate this content
Log in

Similar oriya story from Tragedy