Minata Barad

Classics

4.0  

Minata Barad

Classics

ସରୁ ଆଳୁଭଜା ଫାଳେ

ସରୁ ଆଳୁଭଜା ଫାଳେ

7 mins
273


    ବଂଚିବା ର ମୌଳିକ ଆବଶ୍ଯକତା ଅମ୍ଳଜାନ ହେଲା ପରି ରୋଷେଇ ଘର ର ମୌଳିକତା ଆଳୁ ରେ ଥାଏ। ବିଶେଷ କରି ଆମ ଭଳି ଗରିବଂକ ରୋଷେଇ ଘରେ। ଏବେ ଲୋକଂକର ଟଂକା ହେଲାଣି। ଦର ଦାମ୍ ଯାହା ହେଲେ ମଧ୍ଯ ପରିବା ବ୍ଯାଗ୍ ଟା ରଂଗିନ୍ କରି ଘରକୁ ଆସନ୍ତି। ସେତେବେଳେ କିନ୍ତୁ ସେମିତି ନଥିଲା। ଋତୁ ରଂଗରେ ହାଣ୍ଡି ରଂଗିନ୍ ହୁଏ। ମାନେ ଯେଉଁ ଋତୁରେ ଯାହା ପରିବା ସେଇ ପରିବା ହାଣ୍ଡି ଆଉ ପେଟକୁ ଯାଏ। ମାତ୍ର ଆଳୁ ଆମର ବାରମାସି। ହର୍ତ୍ତା କର୍ତ୍ତା ଦଇବ ବିଧାତା। ଭାତ ହାଣ୍ଡି ରେ ଗଣ୍ଡେ ଆଳୁ, ନିଆଁ ଚୁଲିରେ ଆଉ ଗଣ୍ଡେ। ଆଳୁ ସିଝା, ଆଳୁ ପୋଡା, ଆଳୁ ଭର୍ତ୍ତା, ଆଳୁ ଝୋଳ, ଆଳୁ ଭଜା। ଏଇ ରେସିପି ସବୁ ହୁଏ ଘରେ। 


ସବୁ ଦିନ ସ୍କୁଲ୍ ଗଲା ବେଳେ ମାଇଁ ଭାତ କଂସା ରେ ଆଳୁ ସିଝା ଟେ ରଖି ଦେଇ ଥିବେ। ଲୁଣ, କଂଚା ଲଂକା ଆଉ ଟିକେ ତୋରାଣୀ ଢାଳି ତାକୁ ଚଟିକିଏ ପାଣି କରିଦଉ। ମାମୁଁ ଘର ଗାଈ ଗୋଠ ଲାଗି ଦହିରୁ ଗିନେ ବେଳେ ବେଳେ ଆଈ ଦିଏ। ଭାତ ପରେ ହତେ ହତେ ଆଳୁ ପାଣି (ଅଣ ପାଣି କହୁ) ସୋଶାଡୁ। ସରି ଗଲେ ଆଉ ଟିକେ ଲୁଣ ତୋରାଣୀ ଢଳା ହୁଏ। ଦ୍ୱିତୀୟ ଥର ପାଣି ମିଶିଲେ ଅଣ ଟା ପାଣିଚିଆ ହେଇ ଯାଏ। ତେଣୁ ସେ ନିୟମଟା ଭାଇ ମହାଶୟଂକ ପୋଥିରୁ ପୃଥକ। ମୋର କିନ୍ତୁ ଥରେ ହାପୁଡାରେ ଭାତ ଗଳେନି। ଦି ତିନି ଥର ହାପୁଡିବା ଆବଶ୍ଯକ ମତେ। ଥରକରୁ ଅଧିକ ନେଲେ ଭାଇ ଗୋଟେ ଥୋଇବ ପଛ ପଟୁ। ମୁଁ ତେଣୁ ପ୍ରଥମ ଥରରେ ହିଁ ଚଟୁଏ ପୂର୍ଣ୍ଣ କରି ନେଇ ଯାଏ। ଦ୍ୱିତୀୟ ଥର ଆଉ ଗୋଟେ ବିଧା ରୁ ରକ୍ଷା ପାଇବା ପାଇଁ। ଅଣ ପାଣି ରେ ସେମିତି ଚଳିଯାଏ। ମାତ୍ର ଆଳୁ ଭଜାରେ ସେମିତି କେମିତି ହବ? 


ମାଇଁଂକର ସବୁ ରୋଷେଇ ଅପେକ୍ଷା ତାଂକ ସରୁ ଆଳୁ ଭଜା ମୋର ଭାରି ପସନ୍ଦ। ଏବେ ବି ମାମୁଁ ଘରେ ଆମେ ଆଳୁ ଭଜା ଖାଇବାର ଅର୍ଡର୍ ଦଉ। ସାରା ଜୀବନ ଆମେ ଗୋଟେ କଂସା ରେ ଭାତ ଖାଉ। ତେଣୁ ଭାଇର ତରକାରୀ ଅତ୍ଯାଚାର ମତେ ସବୁଦିନ ସହିବାକୁ ପଡିଚି। ମୁଁ ଭାତ କମ୍ ତରକାରୀ ହାଣ୍ଡି ଟେ ଖାଇବି। ଭାଇର କିନ୍ତୁ ଯାହା ହେଲେ ଚଳିଯାଏ। ତେଣୁ ମୋ ତରକାରୀ ଖିଆ ପ୍ରକୃତି ସେ ହଜମ କରିପାରେନି। ହଁ କହୁଥିଲି ଆଳୁ ଭଜା କଥା। ମାଇଁ ଏତେ ସୁଆଦିଆ ଆଳୁ ଭଜା କରନ୍ତି ଯେ କୁହାଯିବା ନାଇଁ। ଠୋପେ ଭଜା ଲଗେଇ ବେଲେ ଭାତ ଖାଇହବ। ମୋର କିନ୍ତୁ ହୁଏନି। ତରକାରୀ କମିଲେ, ଭାତ ଢୋକିଲା ବେଳେ ଔଷଧ ଗିଳିଲା ଭଳି ମୁହଁ କୁ ବିକୃତ କରି ଢୋକିବି। ସରୁ ଆଳୁ ଭଜା ସମୟ ରେ ମେଂଚେ ଭଜା ଏକା ସାଂଗରେ ମୁହଁରେ ଭର୍ତ୍ତି କରିଦିଏ। ତେଣୁ ଭାଇ ଗୋଟେ ନୂଆ ନିୟମ ବାହାର କଲା। ଗୋଟେ ଥର ଭାତରେ ଦିଇ ଖଣ୍ଡ ଆଳୁ ଖାଇବୁ। ଅଧିକ ନେଲେ ମାଡ। ସରୁ ଆଳୁ ଭଜା ର ଦୈର୍ଘ୍ଯ ପ୍ରସ୍ଥ କେତେ ଥାଏ କୁହନ୍ତୁ। ମୋ ଭାତ ଜମା ଯାଏନି। ବିକୃତ ମୁହଁ କଲେ ସେ ଦୟାରେ ଆଉ ଖଣ୍ଡେ ହାତକୁ ଦିଏ। ସେ ଅନ୍ଯମନଷ୍କ ଥିଲେ ମୁଁ ଅଧିକ ଖାଇ ଦିଏ। ତାର ସନ୍ଦେହ ହେଲା। ପୁଣି ନୂଆ ନିୟମଟେ ଲାଗୁ ହେଲା। ଏବେ ନିୟମ ଟା ଭାରି କଡା। “ ପ୍ରତି ଥର ଆଳୁ ଭଜା ନେଲା ବେଳେ ମତେ ଦେଖେଇ ନବୁ।” ଭାଇ ପାର୍ଲିଆମେଣ୍ଟ ର ନୂଆ ନିୟମ। ବଡ କଷ୍ଟ ବ୍ଯାପାର ଏଇଟା। ନିୟମ ପ୍ରଣୟନ ହେଲା ପରେ ତାକୁ ତୁରନ୍ତ କାର୍ଯ୍ଯକାରୀ କରିବା କଥା। ନହେଲେ ବାଜିବ। ତେଣୁ ଏଥର ମୁଁ ଭାତ ମୁଠେ ଖାଇ କହିବି “ ଭାଇ ଦେଖେ।” ସେ “ହଁ” ମାରିଲେ ଖାଇବି। ସନ୍ଦେହ ହେଲେ ଆଳୁ ଖଣ୍ଡ ଗଣିବ ଆଉ ଅଧିକ ଥିବା ଆଳୁକୁ କାଢିନବ। ଇଂରେଜ ଅମଳରେ ଏମିତି ନିୟମ କାନୁନ୍ ଥିଲା? କିଏ ଏ ଅତ୍ୟାଚାର ସହିବ? ତେଣୁ ପ୍ରାର୍ଥନାରେ ମୋର ଗୋଟିଏ ଗୁହାରୀ “ଏ ଦୁନିଆ ରେ ଭାଇ ରହୁ ନହେଲେ ମୁଁ ରହେ। ମରି ଗଲେ ଭଲ ହୁଅନ୍ତା। ସବୁ କଥାରେ ମୋ ବଂଚିବା ଟାଇଟ୍ କରି ରଖିଚି। ସକାଳ ହେଲା ବେଳକୁ ଏଇଟା ଗୋଟେ ମାଂକଡ ହୋଇଗଲେ ବି ଚଳନ୍ତା। ଘରେ ନରହି ଜଂଗଲ ରେ ରୁହନ୍ତା। ମୁଁ ଟିକେ ଶାନ୍ତିରେ ନିଃଶ୍ୱାସ ମାରନ୍ତି।” ଏମିତି ଏନେକ। 


ସେ ଦେଖେଇ ଆଉ ଡାକି ଖାଇବା ନିୟମ ଟା ଧିରେ ଧିରେ ସବୁଥିରେ ଲାଗିଲା। ମୁଢିରୁ ମିକ୍ଶ୍ଚର୍ , ମାଛ ଖଣ୍ଡ ରୁ ମାଛ ଆଉ କ୍ରମାନ୍ୱୟ ରେ ଯାହା ଖାଇବ। ମତେ ଅଲଗା ଖାଇବାକୁ ଦେଲେ କେତେ ସ୍ୱାଧୀନ ଭାବରେ ଖାଆନ୍ତି! ଏମିତି ଖାଲି ମୁଁ ଭାବେ କେବେ କହି ପାରେନି। ଆଉ ଆମ ମାମୁଁ ଘରେ ଅଲଗା ଖାଇବା କଥା ମୁହଁରେ ଧରିବା ପାପ। ତେଣୁ ସବୁଦିନ ସେଇ ନିର୍ଜାତନା ରେ ଭାତ ଖାଇବାକୁ ପଡେ। ଆଳୁ ଖାଇଲେ ଡାଇବେଟିସ୍ ହୁଏ? ଏଇ କଥା ସେତେବେଳେ କିଏ କହିଥିଲେ ଡାଇବେଟିସ୍ ହଉ କହି ହୁଏତ ଭାଇ ସବୁ ଦେଇ ଦେଇ ଥାଆନ୍ତା ମତେ। ମତେ ଡାଇବେଟିସ୍ ହେଲେ ମଧ୍ଯ ମୁଁ କଷ୍ଟରେ ଭାତ ନଢୋକି ଆରାମ ରେ ଖାଇ ଥାଆନ୍ତି। 


ଖାଲି ଖାଇବା ନୁହେଁ, ଶୋଇବା ଯାଗା ତା’ର ଅଧିକ। କମ୍ୱଳ ର ଅଧିକ ଭାଗ ସେ ଘୋଡେଇ ହବ। ସେ ନୂଆ ଚପଲ ପିନ୍ଧିବ ତା ପୁରୁଣା ଚପଲ ମୁଁ ପିନ୍ଧିବି। ସେ ନୂଆ ଖାତା ସିଲେଇବ ପର ବର୍ଷ ତା ପୁରୁଣା ଖାତାରେ ମୁଁ ଲେଖିବି। ଯଦି ନୂଆ ଖାତା ମୋର ହୁଏ ତେବେ କାଗଜ ଫର୍ଦ ତା କାଲ୍କୁଲେସନ୍ ରେ ରହିବ। “ତୁ ସାନ ତେଣୁ ଲମ୍ୱା ଖାତା କରିପାରିବୁନି। ଛୋଟ ପିଲା ମାନେ ମେଟା ଖାତା କରନ୍ତିନି।” ଗଣି ଗଣି କାଗଜ ଫର୍ଦ ଦବ। ନୂଆ କଲମ ତା’ର ପୁରୁଣା ମୋର। ୩୦ ସେ.ମି ସ୍କେଲ୍ କୁ tongue cleaner ତତେଇ କଟା ଯିବ। ଶୂନ ରୁ ପନ୍ଦର ସେ.ମି ପଟ ତା’ର ଆଉ ସୋହଳ ରୁ ତିରିଶି ମୋର। କି ନିର୍ଜାତନା! ତା’ ପାଇଁ ବହି କିଣା ଯିବ, ଆଉ ଜୀବନ ସାରା ମୁଁ ପୁରୁଣା ବହି ପଢିବି। ଏ ସବୁ ଦୁଃଖ ଦୁର୍ଦଶା ମୋ ଜୀବନ ରେ ଅମାବାସ୍ଯା ଥିଲେ। କେବେ ସେ ଅନ୍ଧାର ଆଡେଇ ହବ ମୁଁ ଭାବେ। ବଡ ହେଲା ପରେ ନୂଆ ମୋବାଇଲ୍ ତାର ପୁରୁଣା ଟା ମୋର। ଜାହା ଭାଗ ବଣ୍ଟା ଯିବ ଅଧିକ ଭାଗ ତା’ର। ଭୁଲ୍ ଥାଉ ନଥାଉ ମତେ ମାଡ ଦବ। ଭୂତ ପ୍ରେତ କଥା କହି ଡରେଇବ। ସାଇକେଲ୍ ରେ ବସିଲା ବେଳେ ସାଇକେଲ୍ ହଲିବନି। ହଲିଲେ ସାଇକେଲ୍ ରୁ ଓଲ୍ହେଇ ମାଡ। ସହି ସହି ଜଣେ କେତେ ସହିବ? ଅସହ୍ଯ ହେଲେ ମୁଁ ବି ପାଟି କରି ଉଠେ। କଣ୍ଟିଆ ବିଛା ପରି ଲାଖିଯାଏ ତା ସହ। ଥରେ ଲାଗିଲେ ଅଧା ମରା କରି ଛାଡିବି। କାମୁଡା, ରାମ୍ପୁଡା, ଚିମୁଟା, ବିଧା, ଗୋଇଠା, ଚୁଟି ରୁମା ସବୁ ଲଗେଇ ଦିଏ କାମରେ। ଆମେ ଗୋଟେ ଗୋବା ମାରୁ। ଗୋବା କହିଲେ ହାତ ମୁଠା କରି ବୁଢା ଆଂଗୁଠି କୁ ମଝି ଆଉ ବିଶି ଆଂଗୁଠି ଭିତରେ ରଖିବ। ତାକୁ ଟିକେ ଘସି ଜିଭରେ ମାରିବ ତା’ ପରେ ଠିକ୍ ମଝି ପଠିରେ ନାଦି ଦବ। ସେ କୌଶଳ ଭାଇ ମହାଶୟ ଶିଖେଇ ଥିଲେ। ରାଗ ଚରମ ସୀମା ଡେଇଁଲେ ହାତ ବୁଲେଇ ଯଥା ଶକ୍ତି ମତେ ମୁଁ ଥୋଇ ଦିଏ ଦିଇ ତିନିଟା। ସେ ବୋଉଲୋ ମା’ ଲୋ ହେଲା ବେଳେ ମୁଁ ଅନ୍ତର୍ଧ୍ଯାନ। କିଛି ଗୁପ୍ତ କଥା କହିଲେ କି ଭୁଲ୍ ଦେଖିଲେ ଘରେ କହି ଦବ କହି ପ୍ରତି ମୁହୂର୍ତ୍ତରେ ଡରାଏ। କି ଅତ୍ଯାଚାର! ମୃଗୁଣୀକୁ ଭଗବାନ ରଖିଲା ଭଳି ମୋ ନିରୀହ ଆତ୍ମାକୁ ସେ ହିଁ ବଂଚେଇ ରଖିଥିଲେ।


ଅର୍ଥାତ୍ ମୋ ମନର ସବୁ ବିଦ୍ରୋହ ଭାବ ଭାଇ ପାଇଁ ହିଁ ଶୃଷ୍ଟି ହୋଇଥିଲା। ଆଉ ସମୟ କ୍ରମେ ସବୁ ବଦଳି ଗୋଟେ ସମ୍ପୂର୍ଣ୍ଣ ଅଲଗା ରୂପ ନେଲା। ସେ ବିଦ୍ରୋହ ଗୋଟେ ପ୍ରେମ ପୁସ୍ତକରେ ପରିବର୍ତ୍ତିତ ହେଲା କହିଲେ ଅତ୍ଯୁକ୍ତି ହେବ ନାହିଁ। ଜୀବନର କୌଣସି ପରିସ୍ଥିତି ରେ ମୁଁ ପ୍ରଥମେ ପହଂଚେ ଭାଇ ପାଖରେ। ମୋର ଗୋଟେ ପୁରୁଣା ପ୍ରେମ ଇତିହାସ ଅଛି। ସେ କଥା ପ୍ରଥମେ ଜାଣିଥିଲା ଭାଇ। ଆଉ ପ୍ରେମର ବର୍ବରତା ପରିଣତି ମଧ୍ଯ ପ୍ରଥମେ ସେ ହିଁ ଜାଣିଥିଲା। ଯାହା ଘର ଲୋକଂକ ପାଖରେ ଏବେ ମଧ୍ଯ ଅଛପା। ସଂକ୍ଷିପ୍ତରେ ସେ ମୋର ଗୁପ୍ତ ତଥ୍ଯ ସବୁ ଲୁଚେଇ ରଖେ। କେବେ ଗୋଟେ କଥା ବାହାରିବାର ମୋର ମନେ ନାହିଁ। ମୁଁ ଯାହା କାଣ୍ଡ କାରଖାନା କରେ ତା ପାଖରେ ଯାଇ ଆଗ ହାଜର। ମୋବାଇଲ୍ ହଜେଇଲେ ନୂଆ ମୋବାଇଲ୍ ଗୋଟେ ସେଇ ଆଣିଦିଏ। ଚପଲ ଛିଣ୍ଡିଲେ, ନୂଆ ଡ୍ରେସ୍ ର ଇଚ୍ଛା ହେଲେ, କିଛି ଖାଇବାର ଇଚ୍ଛା ହେଲେ ସବୁ ଇଚ୍ଛା ପୂରଣ କରିବା ପାଇଁ ସେ ହିଁ ଦୌଡି ଆସେ। ଏବେ ମଧ୍ଯ ଟଂକା ପୁଡିଆ ତା ପାଖରୁ ଆସେ। ଟଂକା ଦେଇ ସାରି ଆଉ ଶହେ ଦୁଇଶହ ଦିଏ। ଆଉ ନବୁ କି? ପ୍ରଶ୍ନ 

ମଧ୍ଯ କରେ। ଦାମି ମୋବାଇଲ୍ ଧରିବା ମୋର ଭାରି ଇଚ୍ଛା। ମାତ୍ର ମୋ ଦାରିଦ୍ରତା ମତେ ଖାଏ। ଥରେ ଗୋଟି ଦାମିକିଆ ମୋବାଇଲ୍ କିଣିବି କହିଲି। ଔକାତ୍ ବାହାର କାଣ୍ଡ କରିବା ମୋର ଜନ୍ମଗତ ଅଭ୍ଯାସ। ମୋବାଇଲ୍ ଦାମ୍ ଜାଣିଲେ ମୋ ବାପା ଘରୁ ବିଦା କରିଦେବେ ଆଉ ମା’ ପୋଡ ଖୁଣ୍ଟାରେ ନାଛିଦବ। ମୋବାଇଲ୍ ତ କିଣା ହେଲା। ମାତ୍ର ଦାମ୍ ଆମ ଭିତରେ ସୀମିତ ରହିଲା। ଲାପ୍ଟପ୍ କିଣି ବି ସେମିତି କାଣ୍ଡ କରିଥିଲି। ଏମିତି ଅନେକ ସିକ୍ରେଟ୍ ସେ ବନ୍ଦ କରି ରଖିଚି। 


କିନ୍ତୁ ମୋ ଭାଇ ହାତରେ ମୁଁ କେବେ ରାଖି ବାନ୍ଧେନି। ପିଲା ବେଳେ ରାକ୍ଷୀ କ’ଣ ଜାଣି ନଥିଲି। ବଡ ହବା ପରେ ରାଗ ଲାଗେ ମତେ ସେ ଏତେ ହିନସ୍ତା କରୁଚି ମୁଁ ତା’ ହାତରେ ରାକ୍ଷୀ ବାନ୍ଧିବି? ତା ପର ସ୍ତର ରେ ଲାଜ ଲାଗେ, ଏତେ ବର୍ଷ ହେଲା ରାକ୍ଷୀ ବାନ୍ଧୁନି ବୋଲି। ଆଉ ଲାଜ ଛାଡିଲା ପରେ ରାକ୍ଷୀ ପୂର୍ଣ୍ଣମୀ ରେ ମୁଁ ଆମେରିକାରେ ଥିଲା ବେଳେ ଭାଇ ହଂଗକଂଗ ରେ ଥାଏ। କେହି କାହା ପାଖକୁ ଉଡି ପାରୁନା। ତେଣୁ ଆମ କ୍ଯାଲେଣ୍ଡର ରେ ରାକ୍ଷୀ ପର୍ବ ନାହିଁ। କିନ୍ତୁ ପ୍ରେମ ପୁରା ଶ୍ରୀରାମ ଆଉ ପବନ ପୁତ୍ର ଭଳିଆ। ହେଲେ କିଏ ରାମ କିଏ ହନୁମାନ ଜଣା ନାହିଁ। କଂସେଇ ଟା କୋଉଦିନ ଗୋପାଳ ହେଲା ସେ କଥା ଭୁଲି ଯାଇଛି ମୁଁ। କିନ୍ତୁ ପ୍ରତି ଦିନ ପ୍ରାର୍ଥନାରେ ତା’ ମଂଗଳ କାମନା କରିବାକୁ କେବେ ଭୁଲେନି। ତା’ର ଉତ୍ତମ ସ୍ୱାସ୍ଥ୍ୟ, ଶାନ୍ତି ଜୀବନ ର ମିନତୀ ନିତି କରେ ପ୍ରଭୁଂକ ପାଖରେ। 


ସବୁଠୁ କୌତୁହଳ ସେତେବେଳେ ଲାଗେ ଯେବେ ଭାଇ ମାରି ମାରି ମତେ ଦରମରା କରେ ଅଥଚ ତା ଜୀବନ କାଳ ଭିତରେ ମତେ କେବେ ମୋ ନାଁ ଧରି ଡାକିନି। ନୀଦରେ ମଧ୍ଯ ମତେ ସେ ଝିଅ ସମ୍ୱୋଧନ କରେ। ଥରେ ଆଇ କହିଲା “ ହଇରେ ଟୋକା ତାକୁ ତ ଏତେ ମାରୁଚୁ ହେଲେ ଝିଅ ଡାକିବାକୁ ତ କେବେ ଭୁଲୁନୁ!” କହିଲା “ଆମ ଝିଅ ଆଉ ଝିଅ ଡାକିବିନି?” ରାଗ ରେ ମାଂକୁଡି ଡାକେ। ମୁଁ କିନ୍ତୁ ତାକୁ ଟୋକା, ମୋକା, କୁକୁର, ମାଂକଡ, ଗଧ କହିଦିଏ। ଗାଳି କହିଲେ ‘ ମରିବୁ, ପୋଡା ହବୁ,ପୋତା ହବୁ, ଭୂତ ନବ, ଖାଲ କୁ ଯିବୁ’ ଇତ୍ଯାଦି। ଥରେ କିନ୍ତୁ ମୁଁ ଦୁଃସାହାସ ରେ ତାକୁ ବାଡିଖିଆ କହିଥିଲି। ତୃତୀୟ କି ଚତୁର୍ଥ ରେ ଥିଲି। ରବି ବାରିଆ ସକାଳୁ ତୋଟା କୁ ଯାଇଚୁ। ଶୁଖିଲା ପତ୍ର ସବୁ ବସ୍ତାରେ ଭରି ଘରକୁ ନବୁ। ମୁଁ ପତ୍ର ଓଳୋଉଚି, ସେ ତା’ ବସ୍ତାରେ ଭରୁଚି। କଳି କଲା ଠୁ ପତ୍ର ଢାଳି ଦେଲା ମାତ୍ର ଦାନ୍ତୁରି ଆଇଲା କହି ବାରମ୍ବାର ଡରେଇଲା ମତେ। ମୁଁ ଅସ୍ତ ବ୍ଯସ୍ତ ହେଲି। ଚାରିପଟ ଅନ୍ଧାର ହେଲା ମୋର। ଆତ୍ମ ବିକଳରେ ମାତୃ ଭାଷା ବାହାରି ଗଲା ପାଟିରୁ। “ ବାଡିଖିଆ ମରିବୁ” କହିଦେଲି। ଶୋଧା ଗାଳି ରେ ଆମକୁ ଭାରି କଟକଣା। ବୋଧ ହୁଏ ତିନି ବର୍ଷ ଯାଏ ସେ ମତେ ଡରେଇଥିବ ଘରେ କହିଦବ କହି। ହେଲେ କେବେ କହିଲାନି। 


ଭାଇ ଏବେ ନିଜେ ଖୁସିରେ ଆଳୁ ଭାଜିଲେ ମୋ ପାଇଁ ମେଂଚାଏ ସାଇତି ରଖୁଚି। “ଏଇଟା ଥାଉ ଝିଅ ଖାଇବ” କହି। ଆଳୁ ବାଇଗଣ ଟମାଟ ଚକଟା ମୋର ଆଜୀବନ ଭାରି ପ୍ରିୟ। ଏବେ ସବୁବେଳେ ସେ ନିଜେ ଚକଟି ମତେ ଦିଇ ଥର ହାତରେ ଖୁଆଇ ଦଉଚି। ଆଉ ଖାଇବିନି କହିଲେ “ଏଇ ରଖି ଦେଇଚି, ଖାଇଦବୁ।” କହି ସେ ଖାଇ ଦେଇ ଯାଉଚି। ସେ ପୁରୁଣା ପ୍ରେମ ଆଉ କାଇଁ! ପ୍ରେମ ଟା ଓଲଟା ହେଇଯାଇଚି। ସରୁ ଆଳୁ ଭଜା ଫାଳ ଦେଖିଲେ ସବୁ ସ୍ମୃତି ଇତିହାସ ଝଟକି ପଡେ। ଏ ପ୍ରେମ ସପ୍ତାହ ପ୍ରେମିକ ପ୍ରେମିକା ପାଇଁ କିଏ ମାନେ? ମୋର ତ’ ବର୍ଷ ସାରା ପ୍ରେମ ପର୍ବ ଭାଇ ଲାଗି। 


Rate this content
Log in

Similar oriya story from Classics