Minata Barad

Horror

3.6  

Minata Barad

Horror

-ହାଡବାଇ-

-ହାଡବାଇ-

4 mins
687


ସବୁ ତକ ଘର ଅନ୍ଧାର। ତଥାପି ଲଣ୍ଠନ ର ଅଧା କଳା ମଇଳିଆ କାଚ ଭିତରୁ ବାହାରି ଆସୁଚି ସିରା ସିରା ଆଲୁଅ। ଅନ୍ଧାର ଚିରି ବଖରା ର ଖଣ୍ଡିଆ ଖାବରା ଚଉକି ଟେବୁଲ୍ ସବୁ ବାବନା ଭୂତ ର ଆକାର ନେଇଛନ୍ତି। ଲୁଗା ପଟା ଗଦା ଟା ବି ଗୋଟେ ଭୟଂକର ଭୂତ ରୁ କିଛି କମ୍ ଦିଶୁନି। ଧାନ ବସ୍ତା ର ଥାକ ଉପରେ କିଏ ଗୋଟେ ଢେଗା ଢେଗା ଆଖି କରି ଅନୋଉଚି ବୋଧେ! ଇଏ ହେଲା କଳ୍ପନା ର ବୋଝ ବୋଝ ଭୟ। ମାତ୍ର ସେଇ ଅନ୍ଧାର କୋଠରି ରେ ଯଦି ସତ ସତିକା ବାବନା ଭୂତ କି ତା ସମ୍ପର୍କିୟ କେହି ଆସେ, ଅବସ୍ଥା ସୋଚନୀୟ ହେବନି ତ’! ବେଳେ ବେଳେ ଭାବନା ସତ ହୁଏ। ହେଲେ ଅବାସ୍ତବ ଘଟଣା ସତ ହୋଇଗଲେ ଗୋଡ ହାତ ଥରିଯାଏ, ପେଟ ରେ ଯେମିତି ନିଆଁ ଲାଗି ଯାଏ ଆଉ ଛାତି ଦମ୍ ଦମ୍ କରୁଥାଏ। 


ସେ ରାତି ରେ ବି ସେମିତି ହେଲା। ମୋ ସହ ମୋ ନିଦ ଆଉ ସ୍ୱପ୍ନ ଦୁହିଁଂକର ଘନିଷ୍ଠ ସମ୍ପର୍କ। ସ୍ୱପ୍ନ ରେ କ’ଣ ନାଇଁ କ’ଣ ଦେଖେ ତା’ର ଖବର ଅନ୍ତର ନାହିଁ। ହେଲେ ବେଶି ଭୂତ ସ୍ୱପ୍ନ ଆସେନି ମତେ। ଯେତେବେଳେ ଆସେ ଦେହ ଗୋଟା ପଣେ ଥରୁ ଥାଏ ଓ ଝାଳ ସୁଡୁ ବୁଡୁ ହୋଇଥାଏ। ପୂର୍ବ ସନ୍ଧ୍ୟା ରେ ଆମେ ଠାକୁରାଣୀ, ଦେବୀ, ଦେବତା, ଭୂତ କଥା ହୋଇ ଶୋଇଲୁ। ମୋର ଅବସ୍ଥା ସେଇ ଆଗ ପରି। ଯାହା ଦିନ ସାରା ଭାବିବି ତାକୁଇ ସ୍ୱପ୍ନ ଦେଖିବି। 


ମୋର ବୟସ ଦଶ ଏଗାର ହେବ ବୋଧେ। ଶନି ବାର ସ୍କୁଲ୍ ରୁ ଫେରୁ ଥାଏ। ଠିକ୍ ଡାକ୍ତରଖାନା ପାଖରେ ମୋ ସାଇକେଲ୍ ଚେନ୍ ଖସିଗଲା। ଡାକ୍ତରଖାନା ଯେ ଭୂତ କୋଠି ତାହା ମତେ ଆଗରୁ ଜଣା। ତେଣୁ ସାଇକେଲ୍ ଗଡେଇ ଯୋର ଯୋର ଚାଲି ଭୀମା ତୋଟା ଯାଏ ଆସିଲି। ସେଠି ପହଂଚିବା ପରେ ଭୀମା ତୋଟା ର ସବୁ ଇତିହାସ ମୋର ମନେ ପଡିଗଲା। ମା’ କୁହେ ସେଠି କୁଲା ବାଡିଆ ଶବ୍ଦ, ବାଟି ଖେଳ, ଛୁଆ କାନ୍ଦ ଶବ୍ଦ, ହାଡ ବାଡିଆ ଶବ୍ଦ ଶୁଭେ। ଖାଲି ଶବ୍ଦ ନୁହେଁ, ବାସ୍ନା ବି ହୁଏ। ଆଳୁ ଶିଝା, ପିଠା ଛଣା ହବାର ବାସ୍ନା ମଧ୍ଯ ହୁଏ। ଏମିତି ହୁଏନି କି ରାତି ରେ ଏକା ପରିସ୍ରା ଉଠି ଥିବ ଆଉ ଜୀବନ ଯାକର ଭୂତ ପ୍ରେତ ଠିକ୍ ସେତିକି ବେଳେ ମନେ ପଡିବେ। ଲାଗୁ ଥିବ ସମସ୍ତେ ଚାରିପଟ ଘେରି ଅଛନ୍ତି। ସେତେବେଳେ ମତେ ସେମିତି ହିଁ ଲାଗୁଥିଲା। 


ସାଇକେଲ୍ ଷ୍ଟାଣ୍ଡ ମାରି ଚେନ୍ ଲଗୋଉଚି କି ସତରେ ଆଳୁ ଶିଝା ବାସ୍ନା ଭୀମା ତୋଟା ଭିତର ଆମ୍ୱ ଗଛ ଗହଳ ରୁ ପବନ ରେ ଗୋଳେଇ ହୋଇ ମୋ ନାକ ପାଖକୁ ଭାସି ଆସୁଛି। କାହିଁକି? ଭୂତ ବୋଧେ ଜାଣିଗଲା ମୁଁ ଏଠି ବୋଲି। ସତକୁ ସତ ଆମ୍ୱ ଡାଳ ଗୁଡା ହଲୁଚି। ଖସ ଖାସ ଶୁଭୁଚି। ମୁଁ ସାଇକେଲ୍ ଛାଡି ଦୌଡିଲି। ପଛକୁ ଚାହିଁବାର ସାହାସ ନଥାଏ। ତଥାପି ପଛକୁ ଚାହିଁ ଦେଲି। ତିନିଟା ଭୂତ! ଯେମିତି ଚଳଚିତ୍ରର ଅଶରୀର ଗୁଡା ମୋ ପଛରେ। ମୁଁ ଆତ୍ମ ବିକଳ ରେ ଆଖି କାନ ବୁଜି ଦଉଡି ଚାଲିଛି। ମାତ୍ର ଆଗକୁ ଯାଇ ପାରୁନି। ଭୂତ ମାନେ ମୋ ପଛରେ। ପାଖେଇ ଆସୁଛନ୍ତି ଦ୍ରୁତ ଗତି ରେ। ଜଣେ ତ’ ହାତ ବଢେଇଲା। ତା ହାତ ମୋ ବେକ ପାଖରେ ପହଁଚିବା ପୂର୍ବରୁ ମୁଁ ଝାଳ ନାଳ ହୋଇ ଉଠି ବସିଲି। କି ଭୟଂକର ଏ ଭୂତ ସ୍ୱପ୍ନ ସତେ! ସ୍ୱପ୍ନ ଦେଖୁ ଦେଖୁ ମଣିଷ ସତରେ ମରିଯାଇ ପାରେ।


ଆଉ ନିଦ ନାହିଁ। ଲଣ୍ଠନ୍ ର ବତି ଟିକେ ତେଜି ଦେଲି। ଚାରିପଟ ସେଇ ଭୂତ କୋଠି ହିଁ ଲାଗୁଛି। ପାଣି ପିଇ ଘଣ୍ଟା ଦେଖେ ସମୟ ସାଢେ ଦୁଇ। ସ୍ୱପ୍ନ କଥା ଭାବି ଭାବି ଆଖି ମୂଦି ହେଇଗଲାଣି। ହଠାତ୍ ନିସ୍ତବ୍ଧ ରାତ୍ରି ର ନୀରବତା ଭାଂଗି ଦୁଲ୍ କରି କ’ଣ ଗୋଟେ ଶୁଭିଲା। ପୁଣି ଗୋଟେ ସ୍ୱପ୍ନ ନୁହେଁ ତ’! କାନ ପାଖରେ ଚଦର ମାଡି ଦେଇ ଆଖି କୁ ଟାଣ କରି ଚାପି ରଖିଛି। ସେପଟେ କିଏ ଏ ବିକଟାଳ ହସ ହସୁଛି। ଆଜି ମୋ ଭାଗ୍ଯ ଖାଲି ଭୂତ ସହ ବୋଧେ। 


ହେଁ..ହେଁ....ହେଁ.... ହଉଛି। କଥା ବି ଶୁଭିଛି। ରାତି ଅଧିଆ କିଏ ପାଗଳ ହେଲା ନାଁ କ’ଣ? ଏ ବିକୃତ କିଏ ହଉଛି। କ’ଣ ଘର ସାରା ଲୋକ ଅଗଣା କେ ରୁଣ୍ଡ ହେଲେଣି। ମାତ୍ର ସମସ୍ତେ ଚୁପ୍ ଚାପ୍। ଖାଲି ପିତା ବୋଉ ପାଟି ଶୁଭୁଛି। ପିତା ବୋଉ ଅଧା ରାତିରେ ବିକଟାଳ ମୂର୍ତ୍ତୀ କାହିଁକି କାଢିଛି?


ଆଗରୁ ଶୁଣିଥିଲି ସିଏ କୁଆଡେ ଉଭା ହୁଏ। ତା’ର ଆଇଁଶିଣିଆ ଦିହ। ଭୂତ ପ୍ରେତ ସବୁ ତାଠି ପାଳି କରି ଲାଗନ୍ତି। ଥରେ ଗୁଣିଆ ଗୋଲ ମରିଚ ଗୁଣ୍ଡ କରି ତା’ ଆଖିରେ ପକେଇ ଥିଲା। ତା’ ପରେ ଭୂତ ଛାଡି ଯାଇଥିଲା। ଏବେ କିଏ କୁଆଡୁ ଆସିଚି କେଜାଣି? ମୁଁ ଉଠୁ ନଥାଏ। ସେପଟୁ ବିକଟାଳ ହସର ବାତ୍ଯା। ହସି ହସି କହୁଚି “ ତମେ ସବୁ ଜାଣି ପାରୁନ? ମୁଁ କିଏ? ହେଁ ହେଁ.... ମୁଁ ପରା ହାଡବାଇ। କେହି ଚିହ୍ନି ପାରୁନ ମତେ?”


ବାପାଂକୁ କହୁଛି “ତୁ ସବୁବେଳେ ମହାଦେବଂକୁ ଡାକିଲୁ। ମତେ ବିଶ୍ୱାସ କଲୁନି।” ମା’ କୁ କହୁଛି “ତୁ ମୋ ଉପରେ ସବୁ ବେଳେ ହସୁଚୁ, ଗାଳି କରୁଚୁ। ହେଲେ ମୁଁ ତତେ ମୋ ଭକ୍ତ ଭାବେ। ହେଁ ହେଁ....”


ମା’ ରୁଦ୍ଧ ଗଳା ରେ କହିଲା “ମୁଁ ତତେ ଗାଳି କରେନି। ତୁ କାଇଁ ପିଲା ଘରେ ତାକୁ ହଇରାଣ କରୁଚୁ? ତା’ ର ଗଣ୍ଡାଏ ପିଲା। ତୋ ବାଟରେ ତୁ ଯାଉନୁ କିଆଁ?” ମା’ ର ନିଦ ଭାଂଗି ଗଲା ବୋଲି ଏତେ ରାଗ ବୋଧେ। ହେଲେ ହାଡବାଇ ମୋ ମା’ ବାପାଂକ ସହ ଖାଲି କଥା ହଉଚି କାହିଁକି? ସମସ୍ତେ ତ ଅଛନ୍ତି ଆଉ କାହାକୁ କିଛି କହୁନି ତ’! 


କିଛି ସମୟ କ’ଣ ସବୁ ଗଳ ଗାଳ କରି କହିଲା ପରେ ମା’ କୁ କହିଲା ତୋ ପୁଅ କୁ ଡାକ। ମା’ ଦୁମ୍ ଦୁମ୍ କରି ଚାଲି ଗଲା ଭାଇ ପାଖକୁ। ଭାଇ ରାଗୁଥିଲା ହେଲେ ପରେ ଆସିଲା। ହାଡବାଇ କୁଆଡେ ଏ ବର୍ଷ ଝାମୁ ଚାଲିବ। ଭାଇ କୁ କହୁଛି ଝାମୁ ର ଯୋଗାଡ ଏ ବର୍ଷ ଯେମିତି ହେଲେ ହଉ। କୋରୋନା ପାଇଁ ପୋଲିସ୍ ର କଟକଣା। ଝାମୁ ବନ୍ଦ ହବ ବୋଲି କଥା ଚାଲିଛି। ହାଡବାଇ କାନରେ ଏ କଥା ପଡିଛି। କାଳିକା, ହିଂଗୁଳା, ମଂଗଳା, ବୁଢିଦେଇ ସମସ୍ତେ ମନା କଲେ। ହେଲେ ହାଡବାଇ ର କି ଅଦ୍ଭୁତ କଥା! ସେ ପୁଣି ଝାମୁ ଚାଲିବ? ପୋଲିସ୍ କିଛି କରିବନି ବୋଲି କହୁଛି। ହେଁ ହେଁ.... ହୋଇ ହାଡବାଇ ଚାଲିଗଲା। ପିତା ବୋଉ ଗୋଟା ପଣେ ସେଡେଂଗା ହେଇ ଅଗଣା ରେ ପଡିଚି। ପାଣି ଆଣି ତା ମୁହଁ ରେ ଛିଂଚିଲା ପରେ ଉଠିଲା। ସମୟ ଚାରି ବାଜି ଗଲାଣି। ପର ଦିନ ପଣା ସଂକ୍ରାନ୍ତି। 


ଆଉ କେହି ସୋଇଲେନି। ଯିଏ ଯା’ର ଯାଇ ସଂକ୍ରାନ୍ତି ଧୁଆ ଲିପା କାମ କଲେ। ସମୟ ଦଶଟା ବେଳ କୁ ଝାମୁ। କାଳେସି ଦଣ୍ଡୁଆ ସବୁ ଝାମୁ ଗାଡ ପାଖେ। କାଳିକା ଉଭା ହେଲେ। ସମସ୍ତେ ପଳା ବୋଲି କହୁଛନ୍ତି। ହେଲେ ଗାଁ ଟୋକେ ଗହଳି କଲେ। ଠିକ୍ ସେତେବେଳେ ପୋଲିସ୍ ସାଇରନ୍। ହାଡ ବାଇ କୁଆଡେ ଗଲା? ସମସ୍ତେ ଆଶ୍ଚର୍ଯ୍ଯ। କାଲି ପୁଣି କହିଥିଲା ପୋଲିସ୍ ଆସିବନି! ସେ ନିଶ୍ଚୟ ଝାମୁ ଚାଲିବ। ଚାଲିଲା! ଦୌଡିଲା। ଘର ଆଡେ.....। ପଡିଶା ଘର ଭାଉଜ ଯିଏ କାଲି ରାତି ରେ ପିତା ବୋଉ ର ହାଡବାଇ ରୂପ ଦେଖିଥିଲେ, ପିତା ବୋଉ ଆଗ ଦୌଡି ଆସି ଘରେ ପଶିବାର ଦୃଶ୍ଯ ଦେଖିଲେ। 


Rate this content
Log in

Similar oriya story from Horror