Minata Barad

Romance Tragedy

4.4  

Minata Barad

Romance Tragedy

ମୁକ୍ତ ବନ୍ଧନ

ମୁକ୍ତ ବନ୍ଧନ

5 mins
274


ପ୍ରତି ସୂର୍ଯ୍ଯୋଦୟ କ’ଣ ଖୋଲି ଦିଏ ଆଲୋକର ସମ୍ଭାର? ନାଁ ପ୍ରତି ସୂର୍ଯ୍ଯାସ୍ତ ଢାଳିଦିଏ ଅପରୂପ ଚନ୍ଦ୍ରମାର ଶୀତଳ କୀରଣ? ହଁ ଦିଏ ସତ, ମାତ୍ର ପ୍ରତିଦିନ ନୁହେଁ। ସୂର୍ଯ୍ଯୋଦୟର ଅର୍ଥ ହିଁ ନୂଆ ସକାଳଟେ। ମାତ୍ର କୁହୁଡିକୁ କି ଭରସା! ଏଇ ଥାଏ ଏଇ ମାଡି ଆସେ। ସକାଳର ସୂର୍ଯ୍ଯ କୀରଣ ଯେତେ ଉଜ୍ଜଳ ହଉନା କାହିଁକି କୁହୁଡିକୁ ଏଡେଇ ଅପର ପାର୍ଶ୍ୱକୁ ପାରି ହବା ସମ୍ଭବ ହୁଏନି। ଠିକ୍ ସେପରି ଚନ୍ଦ୍ରମାକୁ କଳା ଘନ ବାଦଲ ଢାଙ୍କି ଦେଲେ ଆଲୋକରୁ ବିନ୍ଦୁଏ ମଧ୍ଯ ପାରି ହୋଇ ପାରେନା। ସୂର୍ଯ୍ଯ ଚନ୍ଦ୍ର ଯେତେ ଚକ୍ ଚକ୍ କରନ୍ତୁ, କ’ଣ କରିପାରିବେ? 


ଶ୍ୱେତା ଏମିତି ବସିଥାଏ ଶକ୍ତିର ହାତରେ ହାତ ଛନ୍ଦି।

-ମୋର ଭାରି ଇଚ୍ଛା ତୁମ କାନ୍ଧରେ ମୁଣ୍ଡ ଆଉଯେଇ ଦେଇ କୋଉ ପାହାଡ ତଳେ ବସି ଦୂର ଦିଗ୍ବଳୟର ଗୋଲାପି ଆକାଶ ଛାତରେ ସେ ଅସ୍ତନତ ସୂର୍ଯ୍ଯକୁ ନିରିଖି ଦେଖିବାକୁ। ଦିନସାରା କେତେ ଟାଣରେ ଜଳୁଚି ଆଉ ସଞ୍ଜ ହେଲେ କେମିତି ଶାନ୍ତ କାନ୍ତ ମୂର୍ତ୍ତି ତା’ର। 

- ହଁ ଖାଲି କ’ଣ ସୂର୍ଯ୍ଯାସ୍ତ ଦେଖିବାର ଇଚ୍ଛା କି ତୁମର? ରାତି ସାରା ମୋ କାନ୍ଧରେ ପଡି ରହି ଜହ୍ନ ତାରା ଗଣି ପଠାଣି ସାମନ୍ତ ହବାର ଇଚ୍ଛା ମଧ୍ଯ ନାହିଁ କି? 

- ଏମିତି କଥା କହି ସବୁ ବେଳେ ମୋ ଭାବନାରେ ପୂର୍ଣ୍ଣଛେଦ ଦବା ତୁମର ଗୋଟେ ଅଭ୍ଯାସ। କୋଉ ଅକାଳେ ସକାଳେ ଥରେ ଦେଖାହବ ଯେ, ସେଥିରେ ପୁଣି ମନଖୋଲି ପଦେ କଥା ହବାର ସୁଜୋଗ ନାହିଁ। ମନେ ଅଛି ତୁମର ଶେଷ ଥର କେବେ ଭେଟିଥିଲେ ଆମେ? 

ଶ୍ୱେତାର ଆଖି ଛଳ ଛଳ। ମନ ତଳେ ତା’ର ଅନେକ ବେଦନା ଆଉଟୁ ପାଉଟୁ ହଉଥିଲେ। କିଛି ଶକ୍ତି ଆଗରେ ପ୍ରକାଶ କରି ଦେଇ ମନଟା ହାଲ୍କା କରିବ ଭାବିଥିଲା। ମାତ୍ର ଶକ୍ତି ଶ୍ୱେତାର ହାତ ବାହାର କରିଦେଇ ଯିବା ପାଇଁ ପ୍ରସ୍ତୁତ। ସବୁ ସମୟରେ ଏମିତି ହିଁ ହୁଏ। ଆନତ ବ୍ଯବଧାନରେ ଦୁହେଁ ଭେଟନ୍ତି ଆଉ କଥା ଅଧା ରଖି ଦେଇ ଶକ୍ତି ଚାଲିଯାଏ। 


ସେଇ ସୂର୍ଯ୍ଯାସ୍ତ ଦେଖିବାର ସ୍ୱପ୍ନ ତାର ସ୍ୱପ୍ନ ହୋଇଥାଏ। ଏମିତି ହୁଅନ୍ତାନି ଶକ୍ତିକୁ ସେ କୁହୁକ ମୁଣିରେ ଧରି ବୁଲନ୍ତା! ମନ ଦୁଃଖରେ ଆଉ ମେଞ୍ଚାଏ ଖୁସିରେ ତାକୁ ବାହାର କରି ତା’ ସହ ଢେର୍ କଥା ହୁଅନ୍ତା! ତା’ ଛାତିରେ ମୁଣ୍ଡ ରଖି ଢାଳି ଦିଅନ୍ତା ଅଜଶ୍ର ଅଶ୍ରୁ ବାରୀ! ଶକ୍ତି ଏତେ କର୍ମ ତତ୍ପର କାହିଁକି? ତାକୁ କେବେ ଶ୍ୱେତାର ସଜଳ ଚଞ୍ଚଳ ଧୂସର ଆଖି ଦିଇଟା ଦୃଶ୍ଯମାନ ହୁଏନି କାହିଁକି? ତା’ ଆଖିର ସେ ଅବ୍ଯକ୍ତ ଅଶ୍ରୁ ଆଉ ହୃଦୟ ର ଅମାପ ପ୍ରେମକୁ ଶକ୍ତି କାହିଁକି ଅନୁଭବ କରେନି? ନାଁ ମ’। ସେମିତ କିଛି ନୁହେଁ। ସେ ସବୁବେଳେ କାମ ରେ ବ୍ଯସ୍ତ ରୁହେ। ଆଉ ଏ ଛୁଆଂକ ଭଳି ପ୍ରେମାଳାପ କରିବା ପାଇଁ ତାର ସମୟ ନାହିଁ। ନାଁ ସାମ୍ନାରେ ନାଁ ଫୋନ୍ ରେ। ଏବେ ତ’ ଫୋନ୍ କେବଳ ଶ୍ୱେତା ନମ୍ୱର୍ ରୁ ହିଁ ଯାଏ। ଶ୍ୱେତା କିନ୍ତୁ ସବୁବେଳେ ଚାହିଁ ବସେ କେବେ ଗୋଟେ ଶକ୍ତି ନମ୍ୱରେ ରୁ କଲ୍ ଆସିବ ଆଉ ଶ୍ୱେତା ଫୋନ୍ ଟା ଗ୍ରହଣ ନକରି ଶକ୍ତିର ନା ପଢିବ ‘incoming call Shakti.....।’ କିନ୍ତୁ ସେମିତି କେବେ ହୁଏନି। 


ଶ୍ୱେତା ଏମିତି ଚିର ଦିନ ପ୍ରତିକ୍ଷା ରତ। ପ୍ରତିକ୍ଷା ଯେତେ ଯନ୍ତ୍ରଣା ଦାୟକ ପ୍ରତିକ୍ଷାର ଅନ୍ତ ତା’ଠୁ ଅନେକ ଗୁଣର ଯନ୍ତ୍ରଣା ଦିଏ ଯଦି ପ୍ରତିକ୍ଷାର କାରଣ ଅପୁରଣ ହୁଏ। ସେ ସମୟର ସଂକୋଚନ ପ୍ରସାରଣ କେବଳ ସେଇ ବ୍ଯକ୍ତି ହିଁ କଳି ପାରେ ଯିଏ ପ୍ରତିକ୍ଷା କରିଥାଏ। ତେବେ ଶକ୍ତିକୁ କେବେ ପ୍ରତିକ୍ଷା କରିବାର ଆବଶ୍ଯକତା ପଡେନି। କାରଣ ସବୁ ସମୟରେ ଶ୍ୱେତା ନିର୍ଦ୍ଧାରିତ ସ୍ଥାନରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରହରା ଦଉଥାଏ। ଶକ୍ତି ଖାଲି ଗୋଟେ ବାହାନା କୁ ପକେଟ୍ ରେ ଧରି ଆସେ। ସେ ବାହାନାକୁ ମଧ୍ଯ ସାଦରେ ପିଇ ଯାଏ ଶ୍ୱେତା। କେବେ କେବେ ରାଗ ବି ଲାଗେ। ମାତ୍ର ଶକ୍ତିକୁ ଦେଖିବା ପରେ ସବୁ କୁଆଡେ ମିଳେଇ ଯାଏ। ଅନେକ ଥର ଫୋନ୍ କରି କହେ “ଶେଷ ମୂହୁର୍ତ୍ତରେ କାମ ଆସିଗଲା। ତମେ ଅପେକ୍ଷା କରନି। ଆଜି ନୁହେଁ ପରେ କେବେ ଦେଖା ହବ।” ସେ ପୁଣି ଶେଷ ମୂହୁର୍ତ୍ତରେ ହିଁ କହିବ। ଶ୍ୱେତା ର ଆଉ କ’ଣ ଚାରା ଥାଏ। ସବୁ ଆଶା ଆଉ ଯନ୍ତ୍ରଣା ଗୋଟେଇ ପୋଟେଇ ତା’ ଓଢଣି ରେ ବାନ୍ଧି ଚାଲିଯାଏ। 


ପ୍ରେମରେ କେତେ ମିଠା ମୁହୂର୍ତ୍ତ ଥାଏ! କେତେ କଥା ଥାଏ। କେତେ ଅନୁଭବ ଥାଏ। ଆତ୍ମାକୁ ଆତ୍ମା ଚିହ୍ନିବାର ଶକ୍ତି ଥାଏ। ଦାୟିତ୍ୱ, ଯତ୍ନ, ସ୍ନେହ, ପ୍ରେମ କେତେ ଅନୁଭବ ଅନୁଭୁତି ରେ ଗୋଳେଇ ହେଇଥାଏ ପ୍ରେମ! ଏତେ ସବୁ ଅନୁଭୂତି ଅବଶ୍ଯ ଶ୍ୱେତାର ନାହିଁ। ଶକ୍ତିର ଥାଇ ପାରେ। କାରଣ ଶ୍ୱେତା ତ’ ଟିକି ନିଖି ସବୁ ଖବର ରଖେ ଶକ୍ତିର। ସବୁ ସମୟରେ ଭାବୁଥାଏ ତା’ କଥା। ତା’ ପ୍ରେମ ଢାଳି ଦିଏ ଶକ୍ତି ପାଇଁ। ହେଲେ ଶକ୍ତି କେବେ କହେନି ତ’। ସେ ଆଉ ସମ୍ଭାଳି ପାରୁନି ଏ ପ୍ରେମର ଶ୍ରୋତ! ଦିଇ ଧାର ଶ୍ୱେତା ଆଡେ ଗଡେଇ ଦିଏନି ତ’! ତଥାପି ମଧ୍ଯ ଶ୍ୱେତା ପାଗଳି। ତା’ ସାଙ୍ଗ ମାନେ କୁହନ୍ତି “ଯିଏ ତତେ ଏତେ ignore କରୁଚି ତୁ ତା’ ପାଇଁ ଏମିତି ପାଗଳ କାହିଁକି? ମୁଁ ହେଇଥିଲେ କେବେଠୁ ଛାଡି ସାରନ୍ତିଣି। ଯିଏ ତୁମକୁ ଚାହେଁ ତୁମେ ତାକୁ ଚାହଁ। ଯିଏ ତୁମ ପାଇଁ ପାଗଳ ତୁମେ ତା’ ପାଇଁ ପାଗଳ ହୁଅ। ଯିଏ ତୁମକୁ ପ୍ରେମ କରେ ତୁମେ ତାକୁ ପ୍ରେମ କର। ଅଯଥା ଗୋଟେ ବନ୍ଧନରେ ନିଜକୁ ବାନ୍ଧି ରଖିବା ମୂର୍ଖାମୀ ବୋଲି ଧରାଯିବ।” ମୂର୍ଖ ହିଁ ହିସାବ ନକରି ପ୍ରେମ କରିପାରେ। ପଣ୍ଡିତ ତ’ ସବୁ କଥାରେ ଗାର ମାରି ହିସାବ ରଖେ। ଆଉ ଅଯଥାରେ ସମ୍ପର୍କ ଭିତରେ ଝଡ ଶୃଷ୍ଟି କରେ। ଏଇ ଭାବନା ଶ୍ୱେତା ଭିତରେ ଗଦା ମାରି ରହିଛି। ସେଥିପାଇଁ ତ’ କେବେ ଶକ୍ତିକୁ ପ୍ରଶ୍ନ କରେନି ସେ ଶ୍ୱେତାକୁ କେତେ ପ୍ରେମ କରେ। ଆଉ ଛାଡି ଦବା ଧରି ରଖିବାର ପ୍ରଶ୍ନ ହିଁ ତ’ ନାହିଁ। ସେ କେବେ ବାନ୍ଧି ରଖିଛି ଯେ ଶକ୍ତି କୁ? 


ଉଭୟ ମୁକ୍ତ। କେହି କାହା ପାଇଁ ବାନ୍ଧି ହେଇ ନାହାନ୍ତି। ତାଙ୍କ ସମ୍ପର୍କ ଗୋଟେ ଅଧା ବୁଣା ସ୍ୱେଟର। ଯାହାକୁ କେହି ପିନ୍ଧି ପାରନ୍ତିନି। ସେ ସମ୍ପର୍କର କିଛି ନା ନାହିଁ। ଉଭୟ ମନ ଭିତରେ ସବୁ ଆଶାକୁ ପୋତି ଦେଇଛନ୍ତି। ଆଗରୁ କଥା ସରିଛି ଏ ସମ୍ପର୍କ ଏମିତି ଗୋଟେ ଅଧା ଗଢା ବାଲି ଘର। କେବେ ଢେଉ ଆସିଲେ ଭସେଇ ନବ। ଏମିତି କେମିତି ସମ୍ପର୍କ ଥାଏ। ବୁଝାମଣା ଆଗରୁ ଥାଏ ଯେ ସବୁ ଭାଙ୍ଗିଯିବ! ତେବେ ସେ ବେନାମ ସମ୍ପର୍କ ଗଢିଲା କାହିଁକି? କିଏ ଆରମ୍ଭ କଲା? ଯୋଉଠି ବର୍ତ୍ତମାନ ନାହିଁ ସେଠି ଅତିତ କୁଆଡୁ ଆସିଲା? ଅତିତରେ କ’ଣ ପ୍ରେମ ଥିଲା? ଥିଲା ତ’ ନିଶ୍ଚୟ। ଯାହାକୁ ଆରମ୍ଭ କରିଥିଲା ଶକ୍ତି। ପ୍ରେମର ଗୋଟେ ସୁନ୍ଦର ପକ୍ଷୀଟିଏ ଧରେଇ ଦେଇ ଥିଲା ଶ୍ୱେତା ହାତରେ। ପ୍ରୋମର ମୂଲ୍ଯବୋଧ ସେ ହିଁ ସିଖେଇ ଥିଲା। ପ୍ରେମ ଦାହ୍ଯିକ ନୁହେଁ, ତାହା ଆତ୍ମାର ସଂଯୋଗ ଏ କଥା ଦିନେ ପଢେଇ ଥିଲା ଶକ୍ତି। ସେ ଦିନ ଠୁ ଶ୍ୱେତା ପାଗଳି। ଶକ୍ତିର ଆତ୍ମାକୁ ସେ ପ୍ରେମ କରେ। ହେଲେ ଦେଖା କରିବା ଓ କଥା ହବାର ଅଭିଯୋଗ ଶ୍ୱେତା ହିଁ ଆଣେ। ପ୍ରେମ ଗଢୁ ଗଢୁ ଦୁହେଁ ଭୁଲିଗଲେ ଦୁନିଆକୁ। ହଠାତ୍ ଶକ୍ତି ଗୋଟେ ଅଜବ ଯୁକ୍ତି ଧରି ଆସିଛି। ଏ ସମ୍ପର୍କ କେବେ ସମ୍ଭବ ନୁହେଁ। ଘରେ ଜାଣିଲେ କେବେ ବି ସହମତ ହେବେନି। ତାକୁ ଫେରି ଯିବାକୁ ହବ। ଶ୍ୱେତାର ସେ ଆଲୁଅ ଭରା ଚକମକ ଜୀବନ ଘୋଡେଇ ହୋଇଗଲା ମେଞ୍ଚା ମେଞ୍ଚା କୁହୁଡି ଆଉ ବାଦଲରେ। ସେ ଦିନ ଠୁ ସନ୍ଧି କରି ଦେଇଛି ସେ ବେନାମ୍ ସମ୍ପର୍କ ସହ। ଉଭୟ କେବଳ ଗୋଟେ ସନ୍ଧିରେ ବଞ୍ଚିଛନ୍ତି। ଯୋଉଠି କିଛି ନାହିଁ। ଶକ୍ତି ଅଣ ଦେଖା କଲେ ସେ ଅଭିଯୋଗ କରେନି। ବିଳମ୍ୱ କଲେ ପ୍ରଶ୍ନ କରେନି। ତା’ର ଭଲ ମନ୍ଦ ନବୁଝିଲେ ଅଭିମାନ କରେନି। ସହଯୋଗର ହାତ ନବଢେଇଲେ ମନକୁ ବୁଝେଇ ଦିଏ। 


ଶକ୍ତି ତ’ ବେସ୍ ଭଲରେ ଅଛି। ସାଂଗ ସାଥି, ଘର ଲୋକ, ଚାକିରି ସମସ୍ତ କର୍ତ୍ତବ୍ଯ ଠିକ୍ ଭାବେ କରୁଚି। ହେଲେ ପ୍ରେମ ପାଗଳି ଶ୍ୱେତା ର କ’ଣ ହେଲା କେଜାଣି? କୋଉ ପାହାଡ ତଳେ ବସି ଏକା ଏକା ସୂର୍ଯ୍ଯାସ୍ତ ଦେଖୁଛି କି ଅନ୍ଧାରିଆ ଆକାଶ ତଳେ ବସି ତାରା ଗଣୁଛି? ଶ୍ୱେତା ସେଇ ସହରର ଶେଷ ପ୍ରାନ୍ତରେ ଯାଇ ବସୁଛି। ରାସ୍ତାକଡ ଆଲୁଅ ତଳେ ବସି ଶକ୍ତି ପାଇଁ ଅପେକ୍ଷା କରୁଛି। ହେଲା ନା ସେଇଆ! ଶ୍ୱେତାର ପ୍ରେମ ଯେତେ ଗାଢ ହେଲେ କ’ଣ ହେଲା? ସୂର୍ଯ୍ଯ କୁ ବାଦଲ ଢାଂକିଲା ପରି ଶ୍ୱେତା ର ପ୍ରେମ ମଧ୍ଯ ଢାଂକି ହୋଇ ରହିଲା। ହେଲେ ସେ ପ୍ରେମ କରିବା ଛାଡିନି। ଶକ୍ତି ତାକୁ ଯେଉଁ ଆତ୍ମ ଜ୍ଞାନ ପଢେଇ ଥିଲା ସେଇ ଆତ୍ମାର ପ୍ରେମରେ ଶ୍ୱାତି ବଞ୍ଚି ରହିଛି। ଅବଶ୍ଯ ଅମାନିଆ ଆଖି ଖୋଜେ ଶକ୍ତିର ଚେହେରା, କାନ ଖୋଜେ ତା’ ର ଦିଇ ପଦ କଥା। ହେଲେ ଶ୍ୱେତା ଦିଇ ଧାର ଲୁହକୁ ସାଥି କରି ଆଗେଇ ଯାଏ। ମନକୁ ସମ୍ଭାଳି ଦିଏ ଆଉ ବୁଝେଇ ଦିଏ ଆତ୍ମାକୁ ପ୍ରେମ କରି ମୁଁ ଜିତି ଯାଇଛି। 



Rate this content
Log in

Similar oriya story from Romance