The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW
The Stamp Paper Scam, Real Story by Jayant Tinaikar, on Telgi's takedown & unveiling the scam of ₹30,000 Cr. READ NOW

Minata Barad

Tragedy

3  

Minata Barad

Tragedy

ସାହାରା

ସାହାରା

4 mins
11.3K



ବାଡି ପଟେ ବସି ମା’ ବାସନ ମାଜୁଥାଏ। ବାବୁ ବୋଉ ହାତରେ ଗରାଟେ ଧରି ଆମ କୂଅ ଆଡେ ମାଡି ଆସୁଚି। ମନେ ମନେ କ’ଣ ଗୁରୁ ଗୁରୁ ହଉଥିଲା। ମା’ ପଚାରିଲା “ବୋହୁ ଖାଇଲଣି?” ବାବୁ ବୋଉ ମୁହଁ ଟା ଆମ୍ୱିଳା କରି କୂଅ ପାଖେ ଗରା ଥୋଇ ବସି ପଡିଲା। ଦୁଃଖ ତା’ର କହିଲେ ନସରେ। ସ୍ୱାମୀ ରାଜ୍ଯ ବାହାରେ। ପୁଅର ଦେହ ଖରାପ। ଖରାପ କହିଲେ କ’ଣ ଗୋଟେ ଭୂତ ପ୍ରେତ ଲାଗୁଚି। ଲକ୍ଷ ଲକ୍ଷ ଟଙ୍କା ସାରି ଦେଲାଣି ଗୁଣିଆ ବଇଦ କରି। ହେଲେ ପୁଅ ଜମା ଭଲ ହଉନି। ଏମିତି ସବୁ ଦୁଃଖ ପସରା ନେଇ ଆସେ ବାବୁ ବୋଉ ତା’ ଗରାରେ ଧରି। ଆଜିର ଅଧ୍ଯାୟରେ କ’ଣ ଅଛି କେଜାଣି? 


-କ’ଣ କହିବି ଖୁଡୀ! ବାପା ଆମର ଏମିତି କ’ଣ ହଉଛନ୍ତି କେଜାଣି? ଖିଆ ପିଆ ସବୁ ତ’ କରୁଛନ୍ତି। ଆଉ ପାଗଳ ଭଳିଆ ପାଟି କରୁଛନ୍ତି କାହିଁକି କେଜାଣି? 

ବାସନ ଧୋଇ ଧୋଇ ମା’ ତାକୁ ଉତ୍ତର ଦଉଥାଏ।


-ହଁ ମ ମା’... ବୟସ ହେଲାଣି। ସେମିତି ମତିଭ୍ରମ ହବ।

-ଆମେ ଭାଇରେ ଭାଇରେ ବାଦ କରୁନୁ ପାଳି କରିବାକୁ। ସିଏ ପାଟି କରି କହୁଛନ୍ତି ଯାହା ପାଳି ସିଏ କାଇଁ କରିବନି। ଯିଏ ନକଲା କି ନଆସିଲା ମୁଁ କରିଦେଲେ କ’ଣ ଅସୁବିଧା ହେବ? 


ମୁଁ ଅଗଣାରେ ବସି ଭାବୁଥିଲି ‘ଯା ହଉ ବାବୁ ବୋଉଟି ଭାରି ନିଷ୍କପଟ । ଭାଇ ବାଦ ନାହିଁ ମନ ରେ। ଶ୍ୱଶୁର ସେବାରେ କେତେ ମନ! 


ପରଦିନ ବଧି ଖଟଟା ଧରି ଆମ୍ୱ ଗଛ ଆଡେ ଆସିଥିଲି। ଛାଇରେ ଟିକେ ଗଡି ପଡିବା। ଖଟ ଉପରେ ପଡି ଆମ୍ୱ ଡାଳକୁ ଦେଖୁଥାଏ। ଡାଳକୁ ଡାଳ ଛନ୍ଦା ଛନ୍ଦି। ଏବର୍ଷ ବେଶି ଆମ୍ୱ ନାହିଁ। ପତ୍ର ଗହଳି ଫାଙ୍କରୁ ସରୁ କିରଣଟେ ଆସି ମୋ ମୁହଁରେ। ପବନ ଟା ବି ପଳେଇଲା ପାଖ ଗାଁ ଆଡେ। ଉପରକୁ ଚାହିଁ ଏମିତି କେତେ କଥା ଭାବି ଚାଲିଛି। ମୋ ଭାବନାରେ ଢାଙ୍କୁଣି ପକେଇ ଦେଲା ବାବୁ ବୋଉ।


ଅଳ୍ପ ଦୂରରେ ବାବୁ ବୋଉର ଘର। ପାଖରେ ତା’ର ବୁଢା ଶଶୁର। ଶଶୁରଙ୍କ ତ’ ବାର୍ଦ୍ଧକ୍ଯ ଅବସ୍ଥା। ଶଶୁର ଭାରି ହଇରାଣ ହରକତ କରୁଛନ୍ତି। ସ୍ୱାମୀ ତା’ର ରାଜ୍ଯ ବାହାରେ। ଖିଆ ପିଆ ଦିପହର କାମ ସବୁ ସରିଲେ ବବୁଲ୍ ବୋଉ ବାଡି ପଟକୁ ଆସେ ଫୋନ୍ ଟା ନେଇ। ସବୁ ସନ୍ଧ୍ୟାରେ ସୁବ୍ରତ୍ ବାଗ୍ଚି କୋରୋନା ଭାଷଣ ଦେଲା ପରି ବବୁଲ୍ ବୋଉ ଗାଳି ଚାଲେ ସବୁ କଥା ଫୋନ୍ ରେ।


ଆଜି ଶଶୁର ବୁଢା ଅତିଶୟ ହେଲା ବୋଲି ବବୁଲ୍ ବୋଉ ର ମୁଣ୍ଡ ଗରମ। ସ୍ୱାମୀ ଆଗେ ‘ଅ’ ରୁ ‘ଲ’ ସବୁ ଟିକି ନିଖି କହି ଚାଲିଛି।


-ଭାଗ ନେଲା ବେଳେ ସମସ୍ତେ ନେବେ। ସେବା କଲା ବେଳେ କାହାର ତ’ ଦେଖା ନାହିଁ? ସବୁ ତିନି ଭାଗ ଯଦି ବୁଢା କୁ ସେବା କରିବା ପାଇଁ ବି ସେଇ କଥା କରାଯାଉ। ବୁଢା ଏଇଠି ଶୋଇବ ବୋଲି ହଗା,ମୁତା କାମ ସବୁ ମୁଁ କରିବି। ସବୁ ପ୍ରେସର୍ ମୋ ଉପରେ। ଶାନ୍ତି ନାହିଁ ଜୀବନ ରେ। ଦିହିପହର ଯାକ ପାଟି କରୁଚି। ପିଲା ଟା ମୋର ଶୋଇ ପାରିଲାନି। ଭାତ ବେଲା ବେଲା ତ’ ଖାଉଚି, ପୁଣି ଚୁଡା ଭଜା ମାଗିଲା। ଗୋଟେ ପରେ ଗୋଟେ ସେମିତି ବୋଲ ବତେଇ ଚାଲିଚି। ଖାଲି ତ ଖାଇଲା ଶୋଇଲା ଆଉ କ’ଣ କାମ ଯେ ତାର! ମୁଁ ଟିକେ ଶୋଇବିନି। ବିରକ୍ତ ଲାଗୁଚି ଖାଲି। ଏଇଠି ଶୋଇବ ଯେ ମୁଁ ସବୁ କରିବି ବୋଲି ନାମ ଗାର? ମଝିଆଣି ପାଳି ଦିନ ଗାଧୁଆ ପାଣି ଆଉ ଭାତ ଆଣି ଦେଇକି ଯାଉଛି ଯେ ଯାଉଛି। ବୁଢା ଦାଉ ମୁଁ ସହୁଛି। ସାନ କଥା ତ’ ଛାଡ। 


ମୁଁ କାନ ନ ଡେରିଲେ ମଧ୍ଯ ସବୁ ତା’ର ରାଗ ଜର ଜର କଥା ଆମ ବାଡି ପଟକୁ ଚିଞ୍ଚାଡି ହଉଥିଲା। ମୁଁ କ’ଣ ପ୍ରତିକ୍ରିୟା କରିବି ବୁଝି ପାରୁ ନଥାଏ। ଇଏ ସେଇ ବାବୁ ବୋଉ! ଯିଏ ସେ ଦିନ ମା’ ଆଗରେ ଗୋଟେ ସୁନ୍ଦର ମୂର୍ତ୍ତୀ ର ବର୍ଣ୍ଣନା କରିଥିଲା? ଯାହାର ବାଦ ଛେଦ ଭାଗ ବଣ୍ଟା କି ଶ୍ୱଶୁର ସେବାରେ ତିଳେ ମାତ୍ର ପ୍ରତିବାଦ ନାହିଁ! ଆଗରୁ ସେମିତି କେତେ ଚାକୁଳା କଥା ମୁଁ ଶୁଣିଥିଲି ତା’ ମୁହଁ ରୁ। ଶାଶୁ ଶ୍ୱଶୁରଙ୍କୁ କେତେ ତାତ୍ପର୍ଯ୍ଯରେ ରଖେ ସେ। କେତେ ଭଲ ମନ୍ଦ କରି ଦିଏ ଖାଇବା ପାଇଁ। ଦିନେ ପରେ କେମିତି ବଦଳି ଗଲାସେ?


ଶଶୁର ବୁଢାଙ୍କ ଆଖିକୁ ଆଉ ଦେଖା ଯାଉନି। କାନକୁ ଶୁଭୁନି ମଧ୍ଯ। ତାଙ୍କ ସହ କେହି କଥା ହୁଅନ୍ତିନି। ସେ ଯାହାକୁ ଯାହା ପଚାରନ୍ତି ସମସ୍ତେ ମୁହଁ ମୋଡି ପଳାନ୍ତି। “କିଛି ତ’ ଶୁଭିବନି କାହିଁକି ସମସ୍ତଙ୍କୁ ସବୁ ପଚାରୁଛ?” ଏଇ ସମସ୍ତଙ୍କ ମନ୍ତବ୍ଯ। ସକାଳୁ ପୁଅ ବୋହୁଙ୍କ ସହାୟତା ରେ ଝାଡା ଯାଆନ୍ତି। ତାଙ୍କ ସମୟ ରେ ସେ ଭାରି ପରିସ୍କାର ଥିଲେ। ସୌଚ ହବା ପୂର୍ବରୁ ସେ ତାଙ୍କ ଠେଙ୍ଗାକୁ ଧୁଅନ୍ତି ଆଗ। କହୁଣି ଯାଏ ବାଲି ହାତ କରିବେ। ବେକେ ପାଣିରେ ଦଶ ବୁଡା ବୁଡି ଗାଧୋଇବେ। ଏବେ ଅସହାୟତା ବସ କରିଛି। ପଦାକୁ ଝାଡା ଯିବା ପାଇଁ ସାହାଯ୍ଯ ଲୋଡନ୍ତି। ପରିସ୍ରା ଯିବା ପାଇଁ ନାତି ମାନଙ୍କୁ ଡାକନ୍ତି।ସେ ଆମ କୁଟୁମ୍ବ ବଡ ବାପା। ବଡ ମା’ ଏଇ ବର୍ଷ ଚାଲିଗଲା। ସେ ସବୁ କରୁଥିଲା। ତଥାପି ବଡ ବାପା ତାକୁ ପୁଳା ପୁଳା ଗାଳି କରନ୍ତି। ଏବେ ବଡ ମା’ କୁ ସ୍ୱପ୍ନ ଦେଖନ୍ତି। ସେ ଡାକୁଚି ବୋଲି କୁହନ୍ତି। ବାପା ବିଳିବିଳୋଉଛନ୍ତି ବୋଲି ବିକିହୁଅନ୍ତି ବୋହୁ ମାନେ। 


ଯୋଗ କୁ ଦାନ୍ତ ସବୁ ଝଡି ଯାଇଛି। ଭୂଜା ଚୁଡା କିଛି ଚୋବେଇ ପାରନ୍ତିନି। ଗୁଣ୍ଡ କଲେ ଖାଇବେ। ରୁଟିକୁ ବି କ୍ଷୀରରେ ଭିଜେଇଲେ ଖାଇବେ। ଇଏ ସବୁ ଜଞ୍ଜାଳ ନୁହେଁ ଆଉ କ’ଣ? ଏଇମିତି ଦିନ ସାରା ତାଙ୍କ କାମ ଲାଗେ। ତିନି ଭାଇ ପାଳି କରିଛନ୍ତି। ନିଜ ନିଜ ପାଳିରେ ସମସ୍ତେ ସେବା କରନ୍ତି। ତିନି ଭାଇ ଅଲଗା ଅଲଗା ଘରେ ରୁହନ୍ତି। ବଡ ବାପାଙ୍କ ଆଖିକୁ ନଦିଶିବା ଦିନ ଠୁ ସେ ଆଉ ଏଘର ସେଘର ହୁଅନ୍ତିନି। ବାବୁ ବାପାର ଛାତ ଘର। ଝାଡା ଗାଧୁଆ ପାଇଁ ପାଖରେ ପୋଖରୀ। ତେଣୁ ସେଇଠି ତାଙ୍କର ଆଶ୍ରୟ ସ୍ଥଳ। ବାବୁ ବୋଉ କଥାରୁ ବି ଲାଗେ ସେ ଅତି ଯତ୍ନ କରୁଥିବ। ମାତ୍ର ବାବୁ ବୋଉର କିଛି ସମୟର ଫୋନ୍ ବାର୍ତ୍ତାଳପ ପରେ ବୁଝି ପାରିଲି ତା ସେବା ଯତ୍ନ ଆଉ ଭାଗ ବଣ୍ଟା କଥା। 


ମନ୍ଦିର ଗଲାବେଳେ ତାଙ୍କ ଘର ବାଟ ଦେଇ ଯାଏ। ବଡ ବାପା ପାଟି କରୁଥିବାର ଶୁଣେ। ବାର୍ଦ୍ଧକ୍ଯର କରାଳ ଭାବି ଚୁପ୍ ଚାପ୍ ଚାଲି ଯାଏ। ନାତି ମାନେ କିଏ କ’ଣ ସବୁ କୁହନ୍ତି। ଦିନେ ମଝିଆଣୀ ବୋହୁ ଶ୍ୱଶୁରଙ୍କୁ ଗାଧୋଇ ଦେଲା ବେଳେ ସାନ ପୁଅର ପୁଅକୁ ଡାକିଲା “ବା’ କୁ ନେଇଜା ମୁଁ ଲୁଗା ଧୋଇ ଦେଇ ଯାଉଚି।” କେତେ କଥା କହିଗଲା ସେ ଠିକ୍ ନାହିଁ। 


ସେଇ ଆମ୍ୱ ଛାଇ ତଳେ ବସି ମୋ ବାର୍ଦ୍ଧକ୍ଯ ଭ୍ରମଣ କରିଗଲି। ଆଖି କୁ ଦିଶୁନଥିବ, କାନ କୁ ଶୁଭୁ ନଥିବ, ଦାନ୍ତ ଝଡିଥିବ। କେହି କଥା ଶୁଣୁ ନଥିବେ, ଅସହାୟତା ଚାଳ ଛପର ଘରେ ନଡା ଖିଅ ଦଉଥିବି। ପୁଅ, ବୋହୁ, ନାତି, ନାତୁଣୀ ସମସ୍ତେ ଥାଇ ବି କାହାର ନାକ ତଳେ ରହୁ ନଥିବ। ସମସ୍ତେ ନାକ ଟେକି ଉହୁଁ କରୁଥିବେ। ଆଉ ଯଦି ଗୋଡ ହାତ ପଡି ଯାଏ! ଆଖି ଜକେଇ ଗଲା ବଡ ବାପାଂକ ଅବସ୍ଥା ଦେଖି। ବିବାହ ର ଏଇ ଗୋଟେ ମୂଳ ଭୂମିକା। ଯେ ପୁଅ ବୋହୁ ବାର୍ଦ୍ଧକ୍ଯ ର ସାହାରା। ଲୋକ ମାନେ ମତେ ପଚାରି ପଚାରି ଥକିଲେଣି। ହେଲେ ଏତେ କଥା ବର୍ଣ୍ଣନା କରିବା ପାଇଁ ମୋର ଇଚ୍ଛା ନାହିଁ। 


ଠିକ୍ ସେତିକି ବେଳେ ଅଜିଆ ଅଜା ଭଙ୍ଗା ଅଣ୍ଟାରେ ନଇଁ ନଇଁ ଦି ହାତରେ ଦିଇଟା ଗରା ଧରି ଆମ କୂଅ ଆଡେ ପାଣି ଆଣିବାକୁ ଯାଉଛନ୍ତି। ଘରେ ବୁଢି ଆଈ ବସିଥିବ ବୋଧେ ଚୁଲି ଲଗେଇ। ଏଇ ଗରେ ଅସହାୟତା ଆଉ ଗରେ ଦୁଃଖକୁ ରାନ୍ଧି ନିଇତି ଖାଆନ୍ତି ଦୁଇ ଜଣ। ପୁଅ ବୋହୁ ସମସ୍ତେ ଅଛନ୍ତି। ହେଲେ ତାଙ୍କ ଗରାରେ ପାଣି ବୁହା ବୟସ ଏଯାଏ ଖସିନି। ଏଇ ବୟସଟା ତାଙ୍କ ସାହାରା।


Rate this content
Log in

Similar oriya story from Tragedy