ଏମିତି ବି ଥାଏ ପ୍ରେମ ରଂଗ
ଏମିତି ବି ଥାଏ ପ୍ରେମ ରଂଗ
ପ୍ରେମ ଯଦି ହୁଏ ଆଗ ପଛ ନବୁଝି ନବିଚାରି ହୁଏ। କିନ୍ତୁ ପ୍ରେମର ପ୍ରସ୍ତାବ ଟା ଦବା ପୂର୍ବରୁ ଅନେକ ଭାବିବାକୁ ପଡେ। ପ୍ରେମ ପ୍ରତ୍ଯାକ୍ଷାନ ହେଲେ କଷ୍ଟ ଟା କି ପ୍ରକାର ହୁଏ ତାହା କେବଳ ସେ ହିଁ ମାପି ପାରେ ଯିଏ ସେ ପ୍ରସ୍ତାବ ଦିଏ। ପ୍ରେମି ପ୍ରବର କ’ଣ ଏତେ କଥା ଚିନ୍ତା କରନ୍ତି? ଶୁଅ ମୁହଁ ରେ ଭାସିଲା ପରି ଯାହା ଖାଲି ଭାସି ଯାଆନ୍ତି। ପରିସ୍ଥିତି ଯାଇ କୋଉ କୂଳ ରେ ଲାଗିବ ଅକଲ ନଥାଏ। “Love is blind” ସେଇ ପ୍ରେମିକ ପ୍ରବର ମାନଂକ ଠାରେ ପ୍ରମାଣିତ ହୁଏ।
ନୂଆ ନୂଆ କଲେଜ ଦିନ। କେତେ ନୂଆ ମୁହଁ। କଲେଜ୍ ବସ୍ ରେ ସମସ୍ତେ ନିଜ ନିଜ ସାଥି ସହ ଗୋଟାଏ ଗୋଟାଏ ସିଟ୍ ଆବୋରି ନିଅନ୍ତି। ଯୋଉଟା ଫାଂକା ପଡେ ସେଇଟା ମୋର। ଏମିତି ନୁହେଁ ମୋର କେହି ସାଂଗ ନାହାନ୍ତି। ହେଲେ ମତେ ବସ୍ ର ଝରକା ପାଖ ସିଟ୍ ଟା ଭାରି ଭଲ ଲାଗେ। ତେଣୁ ଯୋଉଠି ଝରକା ପାଖ ସିଟ୍ ଥାଏ ସେଠି ମୁଁ ବିଦ୍ଯମାନ। ମୋ ଅଲକ୍ଷରେ କେହି ଜଣେ ମୋ ପଛ ସିଟ୍ ରେ ନିତ୍ଯ ବିରାଜନ୍ତି। ତାହା ମୁଁ କେବେ ଲକ୍ଷ ରଖେନାହିଁ।
ଅଗଷ୍ଟ ମାସର ମେଘୁଆ ସଂଜ। ଆକାଶରେ କଳା ମେଘମାଳ ଯେମିତି ଆଲିଂଗନ କରୁଛନ୍ତି ପରସ୍ପରକୁ। ପୁଣି କିଏ କାହା ସହ ପିଟି ବାଡେଇ ହୋଇ ପ୍ରେମର ଅବ୍ଯକ୍ତ ଭାଷା ନେଇ ଲେଉଟି ଯାଉଛନ୍ତି। ଆଉ କିଏ ଏକ ମୁହାଁ ଉଡି ଚାଲିଛି ଅନନ୍ତ ଆକାଶ ଆଡେ। ସେଇ ଝରକା ପାଖ ସିଟ୍ ରେ ମୁଁ ବସି ଏ ଦୃଶ୍ଯ ସବୁ ଯେମିତି ପିଇ ଯାଉଥିଲି। ମୋ ପାଖରେ ଆସି କିଏ ବସିଗଲାଣି ଧ୍ଯାନ ନାହିଁ। ମୁଁ ବେଶି କାହା ସହ ମିଶେନି। ଆଉ ଆଗୁଆ କଥା ଆରମ୍ଭ କରିବା ମେ ଜାତକ ବାହାରେ। ତେଣୁ ତା ଉପସ୍ଥିତି ଜାଣିବା ପରେ ମଧ୍ଯ ମୁଁ ଚୁପ୍ ଚାପ୍ ବସି ବାଦଲ ଖଣ୍ଡ ଗଣୁଥାଏ। ଝିପ୍ ଝିପ୍ ମେଘ ଆରମ୍ଭ ବି ହେଲାଣି। ଶୀତଳ ପବନ ଦଲକାଏ ମାଡିଆସେ ମଝିରେ ମଝିରେ ଝରକା ବାଟେ। ଦେହରେ ଶିହରଣ ଭରିଯାଏ। ସେ ସମୟରେ ଇଚ୍ଛା ହୁଏ କୋଉ କଳ୍ପନା ରାଇଜର ପ୍ରେମି ଟିଏ ଆସି ପାଖରେ ବସନ୍ତା କି! ତା ହାତ ପାପୁଲିରେ ହାତ ଥୋଇ ଆଂଗୁଠି ସନ୍ଧିରେ ଆଂଗୁଠି ଛନ୍ଦା ଛନ୍ଦି କରି ଆଂକି ଦିଅନ୍ତି ପ୍ରେମର ଅଫୁଟା ପଟ୍ଟ ଚିତ୍ର!
ଶ୍ରେଣୀ ଗୃହରେ ମୁଁ punctual, obedient, descent ଆଉ studious student. ପ୍ରକୃତି ହେଲା କାହା ସହ ଅଜଥାରେ ନ ଗପିବା। ଫାଡୁ, ବାତେରା, ଡହରା, ଲୁଂଗୁଡା ମାନଂକୁ ଦେଖିଲେ ମୋ ଦେହ ଜଳେ। ତେବେ ବସ୍ ରେ ମୋ ପାଖରେ ବସିଥିବା ପିଲାର ଖାତା ରେ ସେ ସବୁ ଗୁଣ ରେକର୍ଡେଡ୍। ତେଣୁ ତା ଉପସ୍ଥିତିରେ ମୁଁ କଥା ଆରମ୍ଭ କରିବା ର ପ୍ରଶ୍ନ ହିଁ ନାହିଁ। ପ୍ରତିକ୍ଷା ର ଅନ୍ତ ଘଟାଇ ସେ ଶୁଭାରମ୍ଭ କଲା। ତା ପ୍ରଶ୍ନ ର ଉତ୍ତର ମୁଁ ହଁ ନାଁ ରେ ଦେଇ ଚାଲିଥାଏ। କେତେ କଥା ନ ଶୁଣି ମଧ୍ଯ ହୁଁ ମାରି ଚାଲିଥାଏ। ମନର ବିରକ୍ତି ଭାବ ଅପ୍ରକାଶ୍ଯ। ସେଦିନର ଅଧ୍ଯାୟ ଶେଇଠି ରହିଥିଲା। ସେ କ’ଣ କହିଲା ମୁଁ କିଛି ଶୁଣିନି। ସେ କିନ୍ତୁ ଏଥର ପ୍ରତିଦିନ ମୋ ପାଖରେ ବସିବା ଆରମ୍ଭ କରିଦେଲା। ଆଉ ଶ୍ରାବଣର ମେଘ ଖଣ୍ଡ ହୁଏତ ତରଳି ବର୍ଷିବା ଆରମ୍ଭ ହେଲାଣି। ମୋ ମନରେ ନୁହେଁ। ତା’ ମନରେ। ସବୁଦିନ ସେଇ ଶୀତଳ ପବନ ଦଲକାର ଶୁଅ ପିଟି ହୁଏ ମୁହଁରେ। ସେ ମୋ ପଛ ସିଟ୍ ରେ ବସିବା ଛାଡି ମୋ ପାଖରେ ବସେ ଆଉ ମୁହଁରେ ପିଟି ହୋଇ ଯାହା ବଳକା ପବନ କାନ୍ଧ ଉପର ଦେଇ ବହିଯାଏ, ତାକୁ ସେ ପିଇ ଯାଏ। ମୁଁ ଯେମିତି କୁ ସେମିତି reserve ଥାଏ।
ପ୍ରତିଦିନ ବସିବା ପରେ ତା’ର ଉପସ୍ଥିତି ରେ ଆଉ କିଛି ଫରକ ପଡେନି। ଦିନେ କହିଲା, “ତୁମେ କାହାକୁ ପ୍ରେମ କର!” ତା’ କଥା ଶୁଣି ଗରମ ତାୱା ପରି ଲାଗୁଥିଲା ମତେ। ପ୍ରେମ ଶବ୍ଦ ଶୁଣିଲେ ହିଁ ମତେ ପ୍ରଚଣ୍ଡ ରାଗ ମାଡିଆସେ। ତେବେ ହଁହ ଟେ ମାରିଦେଲି। ୟା ପରେ ବୋଧ ହୁଏ ସେ ମୋ ସହ କଥା ହବା ବନ୍ଦ କରିଦବ। କିନ୍ତୁ ସେ ପଚାରି ବସିଲା ସେ ବ୍ଯକ୍ତି କିଏ, କୋଉଠାର, କେମିତି ହେଲା, କେବେ ହେଲା ଇତ୍ଯାଦି। ‘my foot’ ମୁଁ ସବୁ ତାକୁ ବର୍ଣ୍ଣନା କରିବି? ମିସ୍ କଲ୍ ପ୍ରେମ ମୋର କହିଦେଲି। ଆଦି ରୁ ଅନ୍ତ ସବୁ ଜାଣିବ ଇଚ୍ଛା ତାର। ମନେ ମନେ ମୁଁ ଭାବୁଥାଏ ‘ମୂଳରୁ ଭାରିଜା ନାହିଁ ପୁଅ ନାଁ ଗୋପାଳିଆ’। ଗପ ଟେ ତିଆରି କରି କହିଦେଲି। ବିଚରା ମନ ଭାଂଗିଗଲା। ହେଲେ ମଧ୍ଯ ମୋ ପାଖ ସିଟ୍ ଛାଡେନି। ହଠାତ୍ ଦିନେ ପଚାରିଲା ମୋ ପ୍ରେମ କାହାଣୀ। ମୋର ବ୍ରେକ୍ ଅପ୍ ହେଇଗଲା କହିଦେଲି। ଗୋଟେ ଚଂଚଳ ସ୍ମିତହାସ୍ଯ ଖେ଼ଳିଗଲା ତା ମୁହଁ ରେ ମୁଁ ଦେଖିପାରିଲି। ଏବେ ହୁଏତ ମୁଁ ତା’ର ପ୍ରେମ ପତ୍ର ସ୍ୱିକାର କରି ପାରେ। ଭଂଗା ମନ କୋଉଠି ଟିକେ ଶାନ୍ତ୍ୱନା ଆଶ୍ୱାସନା ଖୋଜେ। କିନ୍ତୁ ହେଲାନି। ସେଇ ମୁହୂର୍ତ୍ତରେ ମୁଁ ତାକୁ ଭାଇ କରିଦେଲି। ଜଣେ ଭାଇ ହିଁ ସବୁଠୁ ଭଲ ସ୍ନେହ ଦିଏ ଭଉଣୀ କୁ। ତା’ର ଯତ୍ନ ନିଏ, ବିପଦ ଆପଦ ରେ ଠିଆ ହୁଏ। ତେଣୁ ଆଜିଠୁ ତୁମେ ମୋର ଭାଇ ହୋଇ ରୁହ। ଯାଃ.... ସବୁ ଗଲା ଫସର ଫାଟି।
ଅଜଥାରେ ସେମିତି କଲେ ଶୀତ ଦିନିଆ କୋବି ପରି ଲାଗିବ। ମାନେ ଶୀତ ଦିନ ବୋଲି ଶସ୍ତା ଆଉ ପରେ ଭାଉ ପ୍ରବଳ। ତେଣୁ ସେ ଶୀତ ଦିନିଆ କୋବି ନହେଇ ବାରମାସି ଆଳୁ ହେଲା। ସୁବିଧା ସୁଯୋଗ ଦେଖି ପ୍ରସ୍ତାବ ଦବାର ସାହାସ କଲା। ମାତ୍ର ଯେତେ ଯାହା କଲା ସବୁ ବିଫଳ ହେଲା। ମଝିରେ ମଝିରେ ତା’ର କାଣ୍ଡ କାରଖାନା ଦେଖି ଭାରି ରାଗ ଲାଗେ ଆଉ ମୁଁ କଥା ବି ହୁଏନି ତା’ ସହ। ମୋର ଏକ୍ ଦମ୍ ବିପରିତ ସେ। ସମୟରେ କଲେଜ୍ ଆସେନି। ପାଠ ର ନାଁ ଗନ୍ଧ ନାହିଁ। ଗୁଟୁଖା, ପାନ, ଖଇନି, ମଦ ସବୁ ତା ଖାତାରେ ଗଡେ। କେତେ ଜଣଂକୁ ଅଢେଇ ଦିନିଆ ପ୍ରେମ କରିଥିବ ଆଉ ଖଣ୍ଡଗୀରି ବୁଲିଥିବ ସେମାନଂକ ସହ ଠିକ୍ ନାହିଁ। ଏ ଭଳିଆ ବାତେରା କୁ ପ୍ରେମ ନା ଫେମ କରିବ!
ସମୟ ଗଡି ଚାଲେ ଆଉ କଲେଜ ଯିବା ମଧ୍ଯ ଶେଷ ହୁଏ। ଡିପ୍ଲୋମା ପରେ ଡିଗ୍ରୀ କରିବା କୁ ଆମେ ସବୁ application ଭରିଥିଲୁ। ମୁଁ demand draft ନଦେଇ ବ୍ଯାଂକ ର ରସିଦ୍ ଯୋଡି କଲିକତା ପଠେଇ ଦେଇଥାଏ। ମୋ ଫର୍ମ ଫେରିଆସିଲା। ସମୟ ବି କମ୍ ଦିନ ଥାଏ। କଲେଜ ପାଖ ବ୍ଯାଂକ ରେ କରିଥିଲି ଡ୍ରାଫ୍ଟ୍ ଟା। ସେଦିନ ମୁଁ କଲେଜ ଯାଇଥାଏ। ସେଠି ସିଏ ଆଉ କିଛି ସାଂଗ ମାନେ ଥାଆନ୍ତି। ମତେ ଦେଖି ହାଲ୍ ଚାଲ୍ ବୁଝିବା ପାଇଁ ମାଡିଆସିଲେ ମୋ ଆଡେ। ମୋର ଏଇ ଡ୍ରାଫ୍ଟ କମେଡି ରେ ହସି ଚାଲିଲେ ସବୁ। ମୁଁ ଅସ୍ତ ବ୍ଯସ୍ତ କେମିତି ମୋ ଫର୍ମ ପହଂଚିବ କଲିକତା ରେ। ଏତେ କମ୍ ଦିନରେ ସ୍ପିଡ୍ ପୋଷ୍ଟରେ ବି ଯାଇ ପାରିବନି। ସେ କୋଳାହଳ ରେ ସେ ମତେ କହିଦେଲା “I love you.” ଭାବିଲା ଏଇ ତ ଶେଷ ଦେଖା କହି ଦିଏ। ଯାହା ହବ ଦେଖାଯିବ। ହେଲା ଆଉ କ’ଣ? ମୁଁ କିଛି ବି ସ୍ପଷ୍ଟ ଶୁଣିନଥିଲି। ମୋ ବସ୍ ସମୟ ହେଲା ମୁଁ ଚାଲି ଆସିଲି। ତା ପ୍ରସ୍ତାବ ସେଇ କଲେଜ ରିସେପ୍ସନ୍ ରେ ଏବେ ବି ଗଡୁଥିବ। ସେଦିନ ମୋର ସେଇ ବ୍ଯାଂକ୍ ରସିଦ୍ ଆଉ ମୋ ମା’ ର ଭୋଟ୍ ପରିଚୟ ପତ୍ରର ନକଲ ଟେ ସେଠି ଗଳି ପଡିଥିଲା। ସେ ଉଠେଇ ନେଇଥିଲା। ମୋର କିଛି ସନ୍ତକ ତା’ ପାଖରେ ରହିଥିବ ଭାବି। ତାକୁ ନେଇ ଡାଏରୀ ରେ ସ୍ଟାପେଲ୍ କରି କ’ଣ ଗୁଡେ ଗାରେଇ ଥିଲା। ବାତେରା ମାନେ ଏମିତି କରନ୍ତି! ମୋ ମନ ରେ ପ୍ରଶ୍ନ।
ଟ୍ରେନ୍ ରେ ବସି ଥାଉ ସମସ୍ତେ। ଏଣ୍ଟ୍ରାନ୍ସ୍ ଅଛି କଲିକତା ରେ। ଦେହ ମନ ଭୟରେ ସୁଡୁବୁଡୁ। ପରୀକ୍ଷା କେମିତି ହବ! ଭଲ ନମ୍ୱର ନରହିଲେ ଆଡ୍ମିସନ୍ ମିଳିବନି। ମୋର ତ’ ପାଦ ହାତ ଝାଳେଇ ଯାଉଥାଏ। ସେମାନେ ମସ୍ତ୍ ଗପ କରୁଥାଆନ୍ତି। ଘରୁ ମୁଁ ଛେନା ପୋଡ ନେଇ ଯାଇଥାଏ। ସମସ୍ତଂକୁ ଦେଲି। ତାକୁ ଦେଲିନି। କୋଉ କାରଣରୁ ଗୋଟେ କଥା ହଉ ନଥିଲି ତା’ ସହ। ରାଗରେ ଦେଲିନି।
ଏତେ ସବୁ କଥା ମୋର କିଛି ବି ମନେ ନାହିଁ। ଯାହା ଅଧା ଖଣ୍ଡିଆ ମନେ ଥିଲା ତାକୁ ନେଇ ଗପ ଲେଖିବା ସମ୍ଭବ ନୁହେଁ। ତେବେ ଆଜି ସେ କାହିଁକି ଫୋନ୍ କଲା କେଜାଣି? ଆଜି ପ୍ରେମ ଦିବସ। ସେଥି ପାଇଁ ନୁହେଁ ତ’। କିନ୍ତୁ ସେ ଗତ କିଛି ବର୍ଷ ହେବ ବିବାହ କରିଚି। ପୁଣି କି କଥା! ଆଜି କଲ୍ ରେ ସେ ସବୁ ଇତିହାସ ଫିଟେଇଲା। ମୋ ପାଇଁ ତା’ ମନର ଭାବନା ଆଉ ଗୋଟେ ପବିତ୍ର ପ୍ରେମ କେମିତି ଦାଉ ଦାଉ ହଉଥିଲା ସବୁ କହିଗଲା।
ସେଦିନ ଟ୍ରେନ୍ ରେ ମୁଁ ତା’ ସହ କଥା ହେଲିନି ଆଉ ପୋଡ ଖାଇବାକୁ ଦେଲିନି। ସେଥିପାଇଁ ତା ଆଳୁଚପ ପରି ଗୋଲ ମନ ଟା ଚେପେଟା ପୋଡା ପିଆଜି ରେ ପରିଣତ ହୋଇଥିଲା। କଲିକତା ରେ ପରୀକ୍ଷା ସରିବା ପରେ ଭାରି ସାହାସ ବାନ୍ଧିଲା ମତେ ପ୍ରେମ ପ୍ରସ୍ତାବଟା ଦବ ବୋଲି। ମାତ୍ର ଅଘଟଣ ଟାଏ ଘଟିଗଲା। ମୁଁ ମୋବାଇଲ୍ ହଜେଇ ଦେଇ ରଡା କନ୍ଦା କରୁଚି। କି ମୁହଁରେ ଆଉ ସେ ମତେ ପ୍ରେମ ପ୍ରସ୍ତାବ ଦବ? ଗଲା..... ସେଇ ଥିଲା ଆମ ଶେଷ ଦେଖା। ପରୀକ୍ଷାରେ ଭଲ ନମ୍ୱର ରହିବା ସତ୍ୱେ ମଧ୍ଯ ମୁଁ ଆଡ୍ମିସନ୍ କରିଲିନି। ତା ଭାଗ୍ଯ ବଳରେ ସେ ସିଟ୍ ଟେ ପାଇଗଲା। ଏବେ ନାମି ଦାମି ଡାକ୍ତରଖାନା ରେ କାର୍ଯ୍ଯରତ।
ଜୀବନ ର ଏତେ ବର୍ଷ ଭିତରେ ପାଠ ପଢା ଚାକିରି ଆଉ କର୍ମ ବହୁଳ ଜୀବନ ଭିତରେ କେବେ ସମୟ ମିଳିନି ଭେଟ ହବା ପାଇଁ। ଥରେ Mahanadi coal field limited ର audiometry technician ପୋଷ୍ଟ ପାଇଁ ପରୀକ୍ଷା ଦେଇଥିଲୁ ବୁର୍ଲା ରେ। ସେଇଠି ବି ମୋର କ’ଣ କାଣ୍ଡ କାରଖାନା ହେଇଥିଲା। କ’ଣ କଥା ବାର୍ତ୍ତା ହେଲା ମୋର ମନେ ନାହିଁ। ମାତ୍ର ସେ ତା’ ଆଡୁ ମଝିରେ ମଝିରେ ଆଲାରାମ୍ ବଜାଏ। ବର୍ଷ କୁ ତିନି ଚାରିଥର ନିହାତି କଲ୍ କରେ। କିଛି ଦୁଃଖ ସୁଖ, ଜୀବନ ଜିବୀକା, ପ୍ରେମ, ବିବାହ, ପୁରୁଣା ଦିନର ସ୍ମୃତି ସବୁ ଟିକେ ଉଖୁରେଇ ଦିଏ। ବିବାହ କେବେ କରିବି ପ୍ରଶ୍ନ କରେ। ମୁଁ ବିବାହ କରିବିନି ବାରମ୍ୱାର ଉତ୍ତର ଦିଏ। ତେଣୁ ସେ ମନେ ମନେ ଭାବିଥାଏ ମୁଁ ଗୋଟେ ଲେସ୍ବିଆନ୍। ନଚେତ୍ ମୋର ପ୍ରେମ ନାହିଁ, ବିବାହର ଆଗ୍ରହ ନାହିଁ। ଏସବୁର କାରଣ କ’ଣ? ଆଉ ଆଜି ସେଇଆ କହିବାକୁ ଚାହୁଁ ଥିଲା ବୋଧେ। ତା ଥଂଗ ଥଂଗ କୁ ମୁଁ ସ୍ପଷ୍ଟ କରି କହିଦେଲି। ସେ ହସି ଉଠିଲା। ବିବାହ ନକରିବାର କାରଣ କେବେ ଲେଖି ପଢେଇ ଦେବି ବୋଲି କହିଦେଲି। ମୋ ଆଡୁ କେବେ ହେଲେ ଗୋଟେ କଲ୍ ଯାଏନି ତା ନମ୍ୱର କୁ। ସ୍ୱାଭିମାନୀ ଆଉ ଭଦ୍ର ପଣିଆ। ବାତେରାଂକ ପାଖକୁ କିଏ ଉପରେ ପଡି ଫୋନ୍ କରିବ? ମାତ୍ର ଏତେ ବର୍ଷ ହେଲା ସେ ମତେ କଲ୍ କରିବା କେବେ ଭୁଲିନି।
ଆଜି ତା ମୁହଁ ରୁ ଏତେ ସବୁ କଥା ଶୁଣି ମୁଁ କିଆଁ ଟିକେ ତରଳି ଗଲି। ପଚାରି ଦେଲି ମତେ ପ୍ରେମ କରିବାର କାରଣ? ମୁଁ ନା ସୁନ୍ଦର ନା ଝିଅଂକ ଭଳି ସୁକ୍ଷ୍ମ। ମୁଁ ତ’ ଚଣ୍ଡୀ, ଶଉରୁଣୀ ପରି କଳା, ମୁହଁ ଟା ଓରାଂଗ୍-ଓଟାଂଗ୍ ଭଳି ବିକୃତ। ଆଉ କି କାରଣ ଥିଲା ମତେ ପ୍ରେମ କରିବାର? ତା ଉତ୍ତର ଥିଲା ମୁଁ କୁଆଡେ ଅନ୍ତର ରୁ ସୁନ୍ଦର। ନିର୍ମଳ ହୃଦୟ ମୋର। ଧକ ଚିକଣ ବଉଳୀ ଗାଇ ମାନେ ଭିତରୁ କୁତ୍ସିତ, କଦର୍ଯ୍ଯ। ମୁଁ ସରଳ, ସାଧାରଣ ଆଉ ଭୋଗ୍ଯ ଯୋଗ୍ଯ ନୁହେଁ ବିବାହ ଯୋଗ୍ଯ ଝିଅ। ମୁଁ କୁଆଡେ କଦର୍ଯ୍ଯରେ ସୁନ୍ଦରତା ଭରିପାରେ, ଖଣ୍ଡାକୁ କଲମ କରିପାରେ। ଏମିତି ମଣିଷ କୋଟିଏ ରେ ଗୋଟିଏ ଥାଏ। ସତରେ କ’ଣ ମୁଁ ସେମିତି? କେଜାଣି କିଏ ଜାଣେ? ତା ପ୍ରେମିକ ଆଖିକୁ ସେମିତି ଲାଗିଥିବ। ଶାତ ମଉଜା ରେ ଡେଂଗୁରା ମୋ ନାଁ ରେ ଉଗ୍ରଚଣ୍ଡୀ ଆଉ ଆଣ୍ଡିରାଚଣ୍ଡୀ ବୋଲି।
ସେ ଯାହା ହେଉ। ସେ ଯଦି ଭଦ୍ର ନମ୍ର ଆଉ ସୁଧାର ହେଇଥାଆନ୍ତା କେଜାଣି କିଛି ସୁଯୋଗ ଥାଆନ୍ତା ମାତ୍ର ତା ଅଭଦ୍ର ପଣିଆ ମତେ ସବୁବେଳେ ଚୁମ୍ୱକର ସମାନ ପାର୍ଶ୍ୱ ପରି ଠେଲେ ଆନତ ଦୂରକୁ। ଏଇ କଥା ସେ ନିଜେ କହିଲା। ରୁଟି ନ ପାଇଲେ ପାମ୍ପଡ ଖାଇବା କଥା। ସେମିତି ମୁଁ ତା କଥା କୁ ପାସଂଗରେ ନ ପକେଇବାରୁ ସେ ବି ବିବାହ କରିଦେଲା। ବିବାହରେ ମତେ ନିମନ୍ତ୍ରଣ କରିଥିଲା। ମାତ୍ର କାର୍ଯ୍ଯ ବ୍ଯସ୍ତତା ର ବାହାନା ଦେଖେଇ ମୁଁ ଯାଇନଥିଲି।
ତା କଥାରେ ଆଜି ଅଭଦ୍ର ପଣିଆ ନଥିଲା। ହୃଦୟ ଟା ସମ୍ପୂର୍ଣ୍ଣ ଖୋଲି ଦେଇଥିଲା ମୋ ଆଗେ। ସରଳ ଲାଗୁଥିଲା। ଜୀବନର ଉଠାଣୀ ଗଡାଣୀରେ ଅନେକ ପରିବର୍ତ୍ତନ ହୋଇଛି ସେ। ମୁଁ ସବୁଦିନ ତାକୁ ଘୃଣ୍ଯ ଚକ୍ଷୁରେ ଦେଖି ଆସୁଥିଲି ବୋଲି ସେ ଭାବେ। ମାତ୍ର ସେ କେବେ ମୋ ବିଷୟ ବସ୍ତୁ ନଥିଲା। ନା ଭଲ ନା ଖରାପ। ତାହା ଆଜି ମୁଁ ଜଣେଇ ଦେଲି। ସେ ବି ବିବାହିତ ଜୀବନରେ ଖୁସି। ମାତ୍ର ମୋ ଭଳି ଆଉ ଜଣକୁ କେବେ କୋଉଠି ପାଇନି। ଏବେ ମତେ ସେ କ’ଣ ଭାବେ ପଚାରି ବସିଲି।
- ଏବେ ତମେ ସେଇ କୋମଳ ହୃଦୟ, ସ୍ପଷ୍ଟବାଦୀ, ସାଧାରଣ ଆଉ exception ଟେ ହୋଇ ରହିଚ ମୋ ହୃଦୟରେ। ମୋ ମନର କଳୁସିତ ଭାବନା କି କଦର୍ଯ୍ଯତା ସେ ଜାଗାରେ ପହଂଚେନି। ଏବେ ବି ସେଇ ଶାଶ୍ୱତ ପ୍ରୋମ ଭରି ରହିଛି। କିନ୍ତୁ ସେଇ ପ୍ରଥମ ଦିନର ଉନ୍ମାଦନା ନୁହେଁ ଗୋଟେ ସମ୍ମାନ ଆଉ ପବିତ୍ର ଭାବ ରହିଛି। ମୋ କଥାକୁ ରେକର୍ଡ କରି disclose କରିବନି ଏ ବିଶ୍ୱାସ ଅଛି ମୋର। ମାତ୍ର ଲେଖିବାର ଅନୁମତି ମାଗିଥିଲି ମୁଁ। ସେ ବି ହଁ ମାରି ତରବର ରେ ଫୋନ୍ କାଟି ଦେଲା patient ଆସିଲେଣି କହି।
ପ୍ରେମ କ’ଣ? କାହା ମନରେ କେମିତି କେଉଁ ରୂପରେ ଥାଏ। ପ୍ରେମର ଏ ଶାଶ୍ୱତ ରୂପ ମତେ କେମିତି ଭାବନା ରେ ବୁଡେଇ ଦେଲା। ମୁଁ ଯାହା କଥା ଦିନେ ମଧ୍ଯ ଭାବିନି ତା ମନରେ ମୋ ଲାଗି ଅଜଶ୍ର ଜାଗା, ପ୍ରେମ ଆଉ ସମ୍ମାନ। ମୋ ମା’ ର ପରିଚୟ ପତ୍ର ଆଉ ସେ ବ୍ଯାଂକ୍ ରସିଦ୍ ତା’ ଡାଏରୀ ରେ ସେମିତି ଅଛି। ମୋ କଥା ମନେ ପଡିଲେ ଖୋଲି ଦେଖିଦିଏ। ପୁଣି ସାଇତି ରଖିଦିଏ। ସେ ବାତେରା ପାଇଁ ଆଜି ସମ୍ମାନ ଉତୁରି ଯାଉଚି ମୋ ମନ ଭିତରୁ। ଇଏ ବି ପ୍ରେମର ଗୋଟେ ରଂଗ। ମୋ ଭାବନା କୁ ଅପେକ୍ଷା ନକରି ସେ ପ୍ରେମ କରି ଚାଲିଚି ମତେ ଗୋଟେ ନିଆରା ରଂଗ ରେ।