ପ୍ରେମ ମନସ୍କ
ପ୍ରେମ ମନସ୍କ
ଅଫିସ ରେ ଉପରିସ୍ଥ ଅଫିସର ଙ୍କ ବଦଳି ସାଙ୍ଗକୁ ନୂଆ ଅଫିସର ବିନୋଦ ମିଶ୍ର ଙ୍କ ଆଗମନ ଖବର ରେ ସମସ୍ତେ ମିଶ୍ରିତ ପ୍ରତିକ୍ରିୟା ଦେଉଥିଲା ବେଳେ ସିପ୍ରା କିନ୍ତୁ ଅନ୍ୟରକମ ଭାବୁଥିଲା. ଇଏ କଣ ସେହି ବିନୋଦ ମିଶ୍ର!ଯାହା ସଙ୍ଗେ ସେ ୟୁନିଭରସିଟ ରେ ପଢିଛି ଦୁଇବର୍ଷ ଓ ଘୁରିଛି ଅନେକ ଜାଗା ପୁଣି ଦେଖିଛି ତାଙ୍କ ଆଖିରେ ଚମକ ଓ ଓଠରେ ବଧୂଲି ଫୁଲ ର ଫଗୁଣ. ସତେ କି ପଳାଶ ର ରଙ୍ଗ. ସେହି ରଙ୍ଗରେ କେବେ ଯେ ସେ ରଙ୍ଗୟିତ ହେଲା ମନେନାହିଁ କିନ୍ତୁ ଭାବିନେଇଥିଲା ଇଏ ସେଇ. ଯାହା ଅପେକ୍ଷାରେ ଗୋଟେ କୁଆଁରୀ ଝିଅ ଆଞ୍ଜୁଳି ଟେକେ ଚାନ୍ଦଙ୍କୁ.ପୁଣି କାମନା କରେ ଚନ୍ଦ୍ରଉଦିଆ ବର. ବିନୋଦ ମଧ୍ୟ ଏମିତି କହୁଥିଲେ ଯେମିତିକି ତାଙ୍କର ମନ ଯାହା ଚାହିଁଛି ପିତା ମାତା ତାଙ୍କୁ ଦେବା ପରି ସିପ୍ରା ର ପ୍ରସ୍ତାବ ମଧ୍ୟ କାଟ ଖାଇଯିବନି ଜାତିଆଣ ପ୍ରଥା ତଥା ସଂକୀର୍ଣ୍ଣ ମନସ୍ତତ୍ୱ ରେ. ବିନୋଦ କିନ୍ତୁ ଭୁଲ ଥିଲେ. କଥା ଟା ୟୁନିଭରସିଟ କାନ୍ଥ ବାଡ଼ ଡେଇଁ ହୃଦୟ କାନ୍ଥରେ ଲେଖା ହୋଇସାରିବା ବେଳକୁ ଜାତି ଟା ମସ୍ତବଡ଼ ସିମେଣ୍ଟ ତଥା ଗୋଡି ବାଲି ଓ ଲୁହାଛଡ଼ ମିଶ୍ରିତ କଂକ୍ରିଟ କାନ୍ଥ ହୋଇ ଦୁହିଁଙ୍କ ମଧ୍ୟରେ ଠିଆ ହୋଇଥିଲା.ତ ଶେଷ କୁ ସିପ୍ରା ବାହା ହୋଇଗଲେ ମାମୁଁ ଆଣିଥିବା ପ୍ରସ୍ତାବରେ ଅଶୋକଙ୍କୁ. ଅଶୋକ ଙ୍କୁ ବିବାହ କରିବା ପରେ ଦୁଇ କୁନି କୁନି ପୁଅ ଝିଅଙ୍କୁ ନେଇ ତାଙ୍କ ସଂସାର ନାବ ଠିକ ଅନୁକୂଳ ସ୍ରୋତ କାଟି ଆଗକୁ ବଢୁଥିଲା ବେଳେ ଏଇ ବିନୋଦ ନାମ ଟା ଶୁଣି ଲିଭିସାରିଥିବା ନିଆଁର ପାଉଁଶ ତଳୁ ସ୍ମୃତି ପରି ସେ ରୁପାଜହ୍ନ ଟା ଲୁଚକାଳି କାହିଁ ଖେଳି ଚାଲିଛି ସେ ବୁଝିବା ପୂର୍ବରୁ ଏଇ ଏଇ ଅଫିସ ରେ ଜଏନ କରିଥିବା ଆନି ନାମ୍ନୀ ଝିଅଟା ପଚାରୁଥିଲା ଅପା ଏଇ ଯୋଉ ବିନୋଦ ମିଶ୍ର ଆସୁଛନ୍ତି ଅଫିସ କୁ ସେ କୁଆଡେ ଅବିବାହିତ ବୋଲି ଶୁଣିଲି. ତ ସିପ୍ରା ତା ନିଜ ସ୍ମୃତି ସବୁକୁ ପେଡି ପୁଟୁଳି ବାନ୍ଧି ଟୋକେଇରେ ଭରି ମନ ତଳ ଅନ୍ଧାରୀ ମୂଲକ ରେ ଫୋପାଡି ଦେଇ କହୁଥିଲା ହେଇଥିବ. ବୋଧହୁଏ କେହି ଉଚ୍ଚ ଶିକ୍ଷା ପରେ ପରେ ସଦ୍ୟ ଓଏସ ପାଇ ଆସୁଥିବେ ତ ବିବାହ କରିନଥିବେ. ଖୁସି ହୋଇଗଲା ଝିଅଟା ଆନି ମିଶ୍ର. ତା ଆଖିରେ ସିପ୍ରା ପଢିପାରୁଥିଲେ ସେ ଦିନର ତାଙ୍କ ଆଖିରେ ଥିବା ପରି ସେଇ ନୂଆ ଚମକ ଓ ବେଶବାସ ରେ ଯତ୍ନ. ଯା ହେଉ!ଯାହା ହେବ ଭଲ ହେବ ନିଶ୍ଚୟ. ଦୁହିଁଙ୍କ ସାଙ୍ଗିଆ ତ ମିଶ୍ର ନା. ଅସୁବିଧା ହେବନି ଯଦି ବିନୋଦ ସାର ଙ୍କ ପ୍ରେମ ନଜର ଆନି ଉପରେ ପଡିବ.
ଏ ଭିତରେ ପୁରୁଣା ଅଫିସର ବିଦାୟ ନେଇ ଅନ୍ୟତ୍ର ଚାଲିଗଲେଣି. ଆଜି ନୂଆ ଅଫିସର ଜଏନ କରିବେ. ଆଜି ମାସର ପହିଲା. ଦରମା ପାଇଁ ନୁଁହଁ ବରଂ ଅଫିସର ଙ୍କ ମିଜାଜ ଉପରେ ସମସ୍ତେ ଆଶାବାଦୀ. କିଏ ନିଜ ଟେବୁଲ ର ଫାଇଲ କାମ ସାରି ଦେଉଥିଲା ତ କିଏ ପେଣ୍ଡିଙ୍ଗ ରଖି ବା ଅସାମାପ୍ତ ଫାଇଲ ଗୁଡିକ ଟେବୁଲ ଡ୍ରୟାର ଭିତରେ ଭରି ଦେଇ ଟେବୁଲ ଖାଲି ରଖିଥିଲା ଯେମିତି ଏ ଅଫିସ ରେ ଫାଇଲ ପଡି ରହେନି ବରଂ ଆଜି କାମ ଆଜି କରିବା ନ୍ୟାୟ ରେ ଚାଲିଛି ଅଫିସ. ପୁଣି କେହି ଟାଇ ଭିଡି ଆସିଥିଲେ ତ କିଏ ନୂଆ ବୁଟ ଓ ସୁଟ. ଆନି କିନ୍ତୁ ଲାଗୁଥିଲା ସଦ୍ୟ ମାଟ୍ରିକ ପାଶ କରି ନୂଆ ନୂଆ କଲେଜ ଆସିଛି ଯେମିତି. ବୋଧହୁଏ ଗୋଟେ ଦିନ ଲାଗି ପାର୍ଲର ରେ ସଜେଇଛି ନିଜକୁ. ମନେ ମନେ ହସୁଥିଲା ବେଳେ ସିପ୍ରା ଦେଖିଲା କାର ଲାଗିଲା.ଆଉ ଅସଂଯତ ବେଶ ବିନ୍ୟାସ ରେ ବିନୋଦ ମିଶ୍ର ନାମକ ଅଫିସର ଜଣଙ୍କ ଆଗେଇ ଆସୁଛନ୍ତି. ସମସ୍ତେ ସଂଭ୍ରମ ର ସହିତ ଅଭିବାଦନ କରି ପୁଷ୍ପଗୁଚ୍ଛ ପ୍ରଦାନ କରୁ କରୁ ସିପ୍ରା ବସିପଡ଼ିଲା ଚେୟାର ରେ. ଏ ତ ସେହି ବିନୋଦ ମିଶ୍ର!ଖାଲି ଅସଂଯତ ବେଶ ବିନ୍ୟାସ ସିନା ନହେଲେ ସେଇ ଗୋରା ତକ ତକ ରାଜାପୁଅ ପରି ଚେହେରା ରେ ସେମିତି ପରିବର୍ତ୍ତନ ନଥିଲା. କିଛି ଵି ସେମିତି ବଦଳି ନଥିଲା ବିନୋଦ ମିଶ୍ରଙ୍କର. ଆଗେଇ ଆସିଲେ ଅଫିସର ତା ଚେୟାର ପାଖକୁ ଓ କହିଲେ ଅସୁସ୍ଥ ଅଛନ୍ତି ନା କଣ ସିପ୍ରା ମାଡାମ!ଟିକେ ରେଷ୍ଟ ନେଇଯାଆନ୍ତୁ. ତାଙ୍କର ଏଇ ପଦକ କଥା ସମସ୍ତଙ୍କୁ ସାନ୍ତ୍ୱନା ଦେଉଥିଲା ଖୁବ ଭଲ ଅଫିସର କିନ୍ତୁ ଆନି ସିପ୍ରାଙ୍କ ପଛରେ ପଡି ବୁଝୁଥିଲା ଆପଣ ଙ୍କ ନାମ ସାର କେମିତି ଜାଣିଲେ? ଆପଣ ତାଙ୍କୁ କେମିତି ଚିହ୍ନି ଥିଲେ ବା କୋଉଠି କେବେ ଦେଖା ହୋଇଥିଲା ଓ କେମିତି ଚିହ୍ନା ସେ ଆପଣଙ୍କର ଇତ୍ୟାଦି ଇତ୍ୟାଦି. ସିପ୍ରା କେବଳ କହିଥିଲେ ବଡ଼ ଭାଇଙ୍କର ସାଙ୍ଗ ଥିଲେ ସେ. ଥରେ ଅଧେ ଦେଖା ହୋଇଥିଲା.ଥରେ ଅଧେ ଦେଖାରୁ ସେ ଆପଣଙ୍କୁ ଚିହ୍ନି ନାମ ଉଚ୍ଚାରଣ କରି ଅସୁସ୍ଥତା କଥା ପଚାରପାରିଲେ!କେତେ ଭଲ ଏ ସାର, କହୁଥିଲା ଆନି.
ବିନୋଦ କିନ୍ତୁ ଥରକୁ ଥର ଅର୍ଦ୍ଧଳି ପଠାନ୍ତି. ହୁଟୁଣୁ ହେଲେ ବେଲ ବଜାଇ ସିପ୍ରା ଙ୍କୁ ଡାକିନେଇ କାମର ବାହାନା ରେ ବ୍ୟକ୍ତିଗତ କଥା ହୁଅନ୍ତି. ତାଙ୍କ ପାଇଁ ବିବାହ କରିନନାଁହାଁନ୍ତି ବୋଲି ପରୋକ୍ଷରେ ଜଣାଇଦେବାକୁ ଯାଇ ପ୍ରତ୍ୟେକ୍ଷ ରେ ସୁଯୋଗ ପାଇ ପାରୁନଥିବା ଭଳି ମନେହେଉଥିବା ବିନୋଦ ଙ୍କ ପାଖରୁ ସିପ୍ରା ଖସିଆସନ୍ତି. ଆନି କିନ୍ତୁ ପଚାରୁଥାଏ ସାର ଏତେ ପର୍ଯ୍ୟନ୍ତ କାହିଁକି ବାହା ହୋଇନାଁହାଁନ୍ତି ସିପ୍ରା ମାଡାମ!ଉତ୍ତର ରେ ସିପ୍ରା କୁହନ୍ତି କେଜାଣି!ସେଦିନ ସାର ଙ୍କ ଜନ୍ମଦିନ ପାର୍ଟି ଚାଲିଥାଏ ଅଫିସ ରେ. କିଏ କେତେ କଣ ଗିଫ୍ଟ ଆଣି ଆସିଥିବା ବେଳେ ଆନି ସାର ଙ୍କ ପାଇଁ ଆଣିଥିବା ଟାଏ ଓ ସବୁଜ ରଙ୍ଗର ସୁଟ. ତାକୁ ପିନ୍ଧି ସାର ଯେବେ ସିପ୍ରାକୁ ପଚାରୁଥିଲେ କେମିତି ଲାଗୁଛି ମୁଁ ତ ଆନି କହିଥିଲା ଆପଣ ଖୁବ ସୁନ୍ଦର ଓ ସତେଜ ତଥା ବିଜ୍ଞ, ପ୍ରାଜ୍ଞ ବ୍ୟକ୍ତିତ୍ୱ ଭଳି ଲାଗୁଛନ୍ତି ସାର. ମୋ ଗିଫ୍ଟ ପିନ୍ଧି ଆପଣ ଆଜି ଖାଲି ମୋର ନୁଁହଁ ବରଂ ଷ୍ଟାଫ ଙ୍କ ଦିଲତଥା ହୃଦୟ ଜିତି ନେଲେ. ଶୁଖିଲା ହସ ହସି ସିପ୍ରା କାମରେ ଲାଗିଯାଇଥିଲା.
ଏମିତି ସବୁଦିନର କିଛି କିଛି ଅନୁଭୂତି ଭିତରେ ସେଦିନ ରବିବାର ଥାଏ. ଫୋନ ଆସିଥିଲା ସାରଙ୍କର. ସିପ୍ରା ଜାଣିଥିଲା ତା ଟେବୁଲ ସଫା.କିଛି ଵି ପେଣ୍ଡିଙ୍ଗ ନାହିଁଫାଇଲ. ଫୋନ କରିବା ଏକ ବାହାନା ମାତ୍ର.ହେଲେ ସେ ଆଜି ରବିବାର ରେ ନିଜ ପରିବାର ପାଇଁ ବ୍ୟଗ୍ର. ସ୍ୱାମୀଙ୍କ ଡ୍ରେସସ ସବୁ ୱାସିଙ୍ଗ କରିବ. ପୁଅକୁ ପାର୍କ ନେବ. ଆସୁଥିବା ଜନ୍ମ ଦିନ ପାଇଁ ଝିଅ ର ଡ୍ରେସ ସହିତ ଅନ୍ୟାନ୍ୟ ଜିନିଷ କିଣିବ ଓ ଲିଷ୍ଟ କରିବ କାହାକୁ ସବୁ ନିମନ୍ତ୍ରିତ କରି ଡ଼ାକିବ. ଏଥିରେ ତାର ଅଶୋକ ଦରକାର ବିନୋଦ ସାର ନୁଁହଁ.ତ ପଛରେ କଲ କରୁଛି କହି ସେ ଫୋନ ରଖିଦେଇ ସବୁ କାମ ସାରିବା ବେଳକୁ ରାତି ଦଶ. ଏତେ ରାତିରେ ଆଉ ଅଫିସର ଙ୍କ ପାଖକୁ କଣ କଲ କରିବ ଭାବି ସେ ପରଦିନ ଅଫିସରେ କ୍ଷମା ମାଗି କଥା ହୋଇଯିବ ଭାବିଲା ବେଳକୁ ସ୍ୱାମୀଙ୍କର ନେଲ କିଓର ଓ ପୁଅ ଝିଅଙ୍କ କାମ ଭିତରେ କେତେବେଳେ ଖାଇ ପିଇ ପୁଣି ଶୋଇ ସକାଳ ହେଲା ଜଣା ନଥିଲା ସିପ୍ରାକୁ. ତରତର ହୋଇ ଅଫିସରେ ପହଁଞ୍ଚି ଆଶ୍ଚର୍ଯ୍ୟ ହେଲା ସିପ୍ରା. ସବୁ କିଛି ନୂଆ ଲାଗୁଥିଲା. କିଛି ଘଟିଛି ନା କଣ ଭାବି ଆନି କୁ ଖୋଜିଲା ବେଳକୁ ବିନୋଦ ସାର ଓ ଆନି ଦୁହେଁ ଫୁଲମାଳ ପକେଇ ଅଫିସରେ ପହଁଞ୍ଚି ସିପ୍ରାକୁ ଆଶ୍ଚର୍ଯ୍ୟ କରିଦେଇଥିଲେ. ବିନୋଦ ସାର କହୁଥିଲେ ସମସ୍ତେ ଜାଣିଥିଲେ ତୁମ ଛଡା. ତୁମେ ଫୋନ ଉଠାଇଲ ନାହିଁ କି ପଛରେ କଲ ବ୍ୟାକ କଲ ନାହିଁ. କାମଟା ପାଖ ରାମ ମନ୍ଦିର ରେ ସାରିଦେଲୁ. ବିନୋଦ ଙ୍କ ସଫେଇ ସବୁ ସିପ୍ରା କୁ କିଛି ଵି ଶୁଭୁ ନଥିଲା ବରଂ ପ୍ରେମରେ ବୟସ ଖୋଜା ଯାଏ ନାହିଁ ବୋଲି ବୁଝିବାକୁ ତାକୁ ବାକି ନଥିଲା.

