STORYMIRROR

suchismita Panda

Romance Tragedy

3  

suchismita Panda

Romance Tragedy

ପ୍ରେମ କାହାଣୀ

ପ୍ରେମ କାହାଣୀ

3 mins
138

     ରବି ଓ ରୋମାଙ୍କ କଲେଜରୁ ଆରମ୍ଭ ହୋଇଥିବା ପ୍ରେମକୁ ସ୍ବୀକୃତି ମିଳେ ବିବାହ ବେଦୀରେ । ହାତ ଉପରେ ହାତ ରଖି ପଡେ ଗଣ୍ଠି । ମଥାରେ ସାଜେ ସିନ୍ଦୁର ଏବଂ ହାତରେ ଝଟକେ ଶଙ୍ଖା । ନବ ବଧୂଙ୍କ ନବ ପାଦ ସହ ପାଦ ମିଳେଇ ଗୃହପ୍ରବେଶ ହୁଏ ଦୁହିଁଙ୍କ । ସଖା ସହୋଦରଠୁ ଆରମ୍ଭ କରି ବନ୍ଧୁ ପରିଜନଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳି ଯାଇଥାଏ । ଦୁଇଟି ମନର ମିଳନ ସହ ଦୁଇଟି ପରିବାରର ଶହ ଶହ ଲୋକଙ୍କ ହୁଏ ମିଳନ । 

       ବିବାହ ପାଇଁ ମିଳିଥିବା କିଛି ଦିନର ଛୁଟି ସମାପ୍ତ ହେବା ପରେ ରବି ଏକା ଫେରିଯାଏ ରାୟପୁରକୁ । ଏପଟେ ରୋମା ସ୍ବାମୀଙ୍କଠୁ ଦୂରେ ଏକା ବେଶୀ ଦିନ ରହି ନପାରି ନିଜେ ମଧ୍ୟ ରାୟପୁରରେ ଯାଇ ରହେ । ସେଠି ରହଣି ଭିତରେ ରବି ଅଫିସକୁ ଯିବା ପରେ ରୋମା ପାଖ ପଡିଶାଙ୍କ ଭିତରେ ଚିହ୍ନା ପରିଚିତ ହୋଇ ସଂପର୍କର ଡୋରିରେ ବାନ୍ଧି ହୋଇପଡେ । ଏଇ ଭିତରେ ସାତ/ଆଠ ମାସ ବିତିଯାଇ ରୋମାର ଜୀବନରେ ଆସେ ପରିବର୍ତ୍ତନ । ଦେହ ହୁଏ ଭାରି ଭାରି । ମୁହଁ ଲାଗେ ଅରୁଚା । ମସଲା ଗନ୍ଧରେ ଉଠେ ବାନ୍ତି । ରୋମା ହୁଏ ଗର୍ଭବତୀ ।

        ନିଜ ଭିତରେ ଫୁକ ଫୁକ କରୁଥିବା ଛୋଟ ଶିଶୁକୁ ଆରମ୍ଭରୁ ଅନୁଭବ କରି ରୋମା ନିଜ ଯତ୍ନ ଅଧିକ ନେବାକୁ ଲାଗେ । ଏଇ ସମୟରେ ରୋମା ଆଖ ପାଖରେ ତିଆରି କରିଥିବା ସଂପର୍କ ସବୁ ମଧ୍ୟ ତା ପ୍ରତି ହୋଇ ଯାଇଥାନ୍ତି ସଚେତନ । ବାପା ହେବାକୁ ଯାଉଥିବା ରବି ମଧ୍ୟ ଏଇ ଭିତରେ ରୋମା ପ୍ରତି ଆହୁରି ଅଧିକ ମାତ୍ରାରେ ଧ୍ୟାନ ଦେବାକୁ ଲାଗେ । ଖାଇବା ପିଇବା ସବୁ ଟିକି ଟିକି କଥା ଜାଣି ରଖୁଥାଏ । ଧୀରେ ଧୀରେ ଶରୀରର ଆକାର ବଢେ ବୋଲି ରୋମାକୁ ଏକା ରଖିବା ଉଚିତ ନମଣି ଶାଶୁ ଶ୍ବଶୁର ମଧ୍ୟ ଆସିଯାଆନ୍ତି । ଗୋଟେ ଶିଶୁର ବିକାଶ ପାଇଁ ଆବଶ୍ୟକ ସମୟ ସୀମା ସଂପୂର୍ଣ୍ଣ ହେବା ପରେ ରୋମା ଏବଂ ରବିର ସୁନ୍ଦର ପ୍ରେମର ଦୃଷ୍ଟାନ୍ତ ହୋଇ ଆସେ ଅତି ସୁନ୍ଦର ଉପହାର ଭାବେ କୁନି ଶିଶୁପୁତ୍ର ।

     

    ଏଇ ଭିତରେ ସାତ ବର୍ଷ ଚାଲିଯାଇଛି । ରାୟପୁରକୁ ଛାଡି ଭୁବନେଶ୍ବର ପାଲଟିଛି ଏବେ ରହଣି । ଭୁବନେଶ୍ଵରର ଡିଏଭି ପବ୍ଲିକ ସ୍କୁଲରେ ପାଢ ପଢୁଥାଏ ପୁଅ । ରବି ନିଜ ଅଫିସରେ ପଦୋନ୍ନତି ପାଇଥାନ୍ତି ଏବଂ ରୋମା ପାଲଟିଥାଋ ଜଣେ ସମାଜସେବୀ । ଖୁବ ସୁଖମୟ ସୁନ୍ଦର ଜୀବନ ଶୈଳୀ ତାଙ୍କର । ହେଲେ ରବି ଓ ରୋମାର ସଂପର୍କରେ ସାମାନ୍ୟ ପରିବର୍ତ୍ତନ ଆସିଛି । ପୂର୍ବରୁ ରାଗ ରୁଷା ନଥିଲା ହେଲେ ଏବେ ସେମିତି ପରିସ୍ଥିତି ବହୁତ ଥର ଆସୁଛି ।

       ଦିନକର ଘଟଣା । କୌଣସି କାରଣରୁ ରବି ଓ ରୋମା ଭିତରେ କଥା କୁହାକୁହି ହୋଇପଡେ । ଘଟଣାଟି ତିଳରୁ ତାଳ ପରି ହୋଇ ଅଭିମାନ ବଢେ । କେବେ କଥା ବନ୍ଦ ନହୋଇଥିବା ସଂପର୍କରେ କଥା ବନ୍ଦ ହୁଏ ଘଣ୍ଟା ଘଣ୍ଟା ଧରି । ଏମିତି କି ନଖାଇ ଭୋକିଲା ପେଟରେ ଦୁହେଁ ଶୋଇପଡନ୍ତି । ହେଲେ ସତରେ ସେମାନେ ଶୋଇ ପାରିନଥାନ୍ତି । 

    ରାତି ପ୍ରାୟ ଦୁଇଟା ପରେ ରବି ପାଣି ପିଇବା ପାଇଁ ରୋଷେଇ ଘରକୁ ଯାଏ । ପଛେ ପଛେ ରୋମା ମଧ୍ୟ ପହଞ୍ଚି ଯାଆନ୍ତି । ରବିକୁ ପାଣି ପିଇବା ଦେଖି ରୋମାର ଆଖିରେ ଜମାଟ ବାନ୍ଧିଥିବା କଷ୍ଟ ଲୁହ ହୋଇ ଗଡିଆସେ । ରବି ରୋମାର ଏଭଳି ସ୍ଥିତିରେ ଦେଖି ନପାରି ତୁନି କରେଇବା ପାଇଁ ଚେଷ୍ଟା କରନ୍ତି । ସେଇ ସମୟରେ ରୋମା ଅଭିମାନ ଗଳାରେ କହେ ଏତେ ବର୍ଷ ଯାଏଁ କେବେ ତ ପାଣି ନିଜେ ନେଇ ପିଇ ନଥିଲ । ଆଜି ମୁଁ କଣ ମରିଗଲି ନା କଣ ଯେ ମୋ ହାତରୁ ମାଗି ପିଇନ । ରବି ସଂଗେ ସଂଗେ ରୋମାକୁ ଚୁପ୍ କରେଇଦେଇ କହେ ଏମିତି ବାଜେ କଥା କହିବନି ରୋମା । ମରିବା କଥା ଜମା ଭଲ ଲାଗେନା ମୋତେ । ଏଇ ଭିତରେ ପ୍ରେମ ଯୋଡି ପୁଣି ମିଶିଯାଇଥାନ୍ତି । କୋଳେଇ ହୋଇ ପୁଣି ଥରେ ହୋଇପଡନ୍ତି ଏକାକାର ।

     

   ବାପା ! ବାପା ! କଣ ପାଣି ପିଇବାକୁ ଉଠିଲ କି ! ପୁଅର କଥା ଶୁଣି ଧ୍ୟାନ ଭଙ୍ଗ ହୁଏ ରବିର । ରବି ସଚେତନ ଅବସ୍ଥାକୁ ଆସି ସେ ଜାଣେ ଏତେ ବେଳ ଯାଏଁ ଯାହା ସବୁ ଥିଲା ସବୁତକ ତ ତାର ଅତୀତ । ସତକୁ ସତ କେମିତି ଯେ କେଜାଣି ବୋଧେ ସେଦିନ ରାତିରେ ହୋଇଥିବା କଥୋପକଥନ ଶୁଣୁଥିଲେ ଠାକୁର । ରୋମା ମୃତ୍ୟୁ କଥା କହୁଥିବା ବେଳେ ନିଶ୍ଚୟ କରିଥିବେ ତଥାସ୍ତୁ । ତେଣୁ ତ ଠିକ୍ ପରଦିନ ସକାଳେ ନିଜ ସମାଜସେବା କେନ୍ଦ୍ରକୁ ଯିବା ବାଟରେ ଦୁର୍ଭାଗ୍ୟବଶତଃ ଦୁର୍ଘଟଣାର ସମ୍ମୁଖୀନ ହେବାକୁ ପଡିଲା ଏବଂ ଜୀବନ ଯୁଦ୍ଧରେ ହାରିଗଲା ସେ। 

    ରବି ବହୁତ ଏକା ପାଲଟି ଯାଇଥାଏ । କେବେ ଥରେ ହେଲେ ମଧ୍ୟ ରାଗି ନଥିଲା ହେଲେ ସେଇ ଦିନ କାଇଁ ରାଗିଛି ବୋଲି ଭାବି ବସୁଥାଏ । ରୋମାର ମିଠା ସ୍ମୃତି ଭିତରେ ଅହରହ ହଜୁଥାଏ । ତୁଚ୍ଛାଟାରେ ମଧ୍ୟ ରୋଷେଇ ଘରକୁ ଯାଇ ପାଣି ପିଉଥାଏ । କାଳେ ଏଇ ପାଣି ପିଇବା ଦେଖି ରୋମା ଆକଟ କରିବା ପାଇଁ ଫେରି ଆସିବ ପୁଣି ଥରେ । ହେଲେ ସବୁକିଛି ତ ତା ହାତରୁ ଖସି ଯାଇଥାଏ । ରୋମା କେବଳ ତା ସ୍ମୃତି ଭିତରେ ହିଁ ବଂଚି ରହିଥାଏ । 


Rate this content
Log in

Similar oriya story from Romance