ପ୍ରେମ ବନ୍ଧନ ( ଷଷ୍ଠ ଅଂଶ)
ପ୍ରେମ ବନ୍ଧନ ( ଷଷ୍ଠ ଅଂଶ)
୬ଷ୍ଠ ଅଂଶ
ମହାବିଦ୍ଯାଳୟର ଛାତ୍ରଛାତ୍ରୀମାନଙ୍କ ମଧ୍ଯରେ ଧିରେଧିରେ ବନ୍ଧୁତା ହେଲା। ଆଉ ପରେ ପରେ ନିବିଡତା ବଢିଲା। ପରସ୍ପରକୁ ସୁବିଧା ଅସୁବିଧା ସମୟରେ ସାହାଯ୍ଯ କରିବାକୁ ଲାଗିଲେ। ସାହାଯ୍ଯ ମାନେ ନୋଟ୍ ଲେଖା, ଆସାଇନମେଣ୍ଟ ଲେଖା ଆଦିରେ ପରସ୍ପରକୁ ସହଯୋଗ କରିବା ସହ ସେମାନଙ୍କ ମଧ୍ଯରେ ଏକତା ଭାବ ଜାଗ୍ରତ ହେଲା। ଏଇ ଏକତା ଭାବ ଜାଗ୍ରତ ପାଇଁ ଅନେକ ଗୁଡିଏ କାରଣ ଦାୟୀ ଥିଲା। ଏଇ ଯେମିତି ଉଭୟ ଛାତ୍ରାବାସ ଓ ଛାତ୍ରୀ ନୀବାସ ପାଇଁ ରୋଷେଇ ଗୋଟିଏ ଜାଗାରେ କରାଯିବା। ଆଉ ଏହି ରୋଷେଇର ସମସ୍ତ ଦାୟୀତ୍ୱ ଉଭୟ ଛାତ୍ର ଏବଂ ଛାତ୍ରୀ ମିଶିକରି ସୁଚାରୁ ରୂପେ ତୁଲାଇବା। ଆସାଇନମେଣ୍ଟ ପାଇଁ ଅନେକ ସମୟରେ ଦଳ ଗଠନ। ଆଉ ମଧ୍ଯ ଆବଶ୍ଯକ ସଂଖ୍ଯକ ଅଧ୍ଯାପକଙ୍କର ଅଭାବ ଯୋଗୁଁ ମିଳୁଥିବା ଅତ୍ଯଧିକ ଫାଙ୍କା ସମୟ ଛାତ୍ରଛାତୀ ମାନଙ୍କର ବନ୍ଧୁତା ସମ୍ପର୍କ ଓ ଏକତା ବୃଦ୍ଧିରେ ବିଶେଷ ଭାବରେ ସହାୟକ ହେଲା।
ଛାତ୍ରାବାସର ରୋଷେଇ କାର୍ଯ୍ଯରେ ନିୟୋଜିତ ଥିବା ମାଉସୀ ସମ୍ପର୍କରେ ଯଦି ଏଠାରେ ଆଲୋଚନା କରିବା, ତେବେ ସମୟ ସରିଯିବ କିନ୍ତୁ ତା'କାହାଣୀର ଅନ୍ତ ହେବନି। ମାଉସୀ ଭାରି ସ୍ନେହୀ। ସେ ସ୍ନେହ ଦେବାରେ କେବେ ଅବହେଳା କରେନି। ମାତ୍ର ତାର ରୋଷେଇରେ ଛାତ୍ରଛାତ୍ରୀ ସର୍ବଦା ଅସନ୍ତୁଷ୍ଟ। ଯେତେ ଦାମିକା ଦ୍ରବ୍ଯ କିଣି ଦେଲେ ମଧ୍ଯ ରୋଷେଇର ସ୍ଵାଦରେ କିନ୍ତୁ କୌଣସି ଉନ୍ନତି ପରିଲକ୍ଷିତ ହୁଏ ନାହିଁ, ଯେଉଁଥିପାଇଁ ଅନେକ ସମୟରେ ଉଭୟ ଛାତ୍ରାବାସ ଓ ଛାତ୍ରୀନିବାସରେ ଠିଆ ପାଲା ଦେଖିବାକୁ ମିଳେ। ବେଳେବେଳେ ତ ଅବସ୍ଥା ଏତେ ଜଟିଳ ହୁଏ ଯେ ପରିସ୍ଥିତିର ମୁକାବିଲା ପାଇଁ ଛାତ୍ରାବାସର ଅଧିକ୍ଷକ, ମହାବିଦ୍ଯାଳୟ ଅଧ୍ଯକ୍ଷ, ଓ ଅନ୍ଯ ଅଧ୍ଯାପକ ଏବଂ ଅଧ୍ଯପିକା ମାନଙ୍କୁ ହସ୍ତକ୍ଷେପ କରିବାକୁ ପଡେ। ରୋଷେଇ ନିମନ୍ତେ ମାଉସୀ ବିରୋଧରେ ଯଦି କେବେ କୌଣସି ଛାତ୍ର କିମ୍ବା ଛାତ୍ରୀ କିଛି ଅଭିଯୋଗ କରନ୍ତି, ତେବେ ସେ ସମସ୍ତ ଅଭିଯୋଗକୁ ମାଉସୀ ନିଜର କଥା ଚାତୁରୀରେ ଆଖିପିଛୁଳାକେ ଉଡେଇ ଦିଏ। ଆଉ ଏମିତି ଖେଳ କରେଯେ ସବୁ ଦୋଷ ବୁଲିବାଲି ଅଭିଯୋଗକାରୀଙ୍କ ଆଡକୁ ଚାଲିଆସେ। ଅଣ୍ଡା କିମ୍ବା ମାଛ ଯେଉଁଦିନ ରୋଷେଇ ହୁଏ, ସେଦିନ ଯେତେକି ପରିମାଣର ମାଛ କିମ୍ବା ଅଣ୍ଡା ରୋଷେଇ ପାଇଁ ଦିଆଯାଇଥାଏ, ରୋଷେଇ ଶେଷରେ ସେଥିରୁ ଆଠ ଦଶଟି ନିଶ୍ଚିତ ଭାବରେ କମ୍ ଥିବାର ଦେଖାଯାଏ। ମତ୍ର ଏହା କେବେବି ବୁଝାପଡେନି କି ସେହି କମ୍ ପଡୁଥିବା ମାଛ ଓ ଅଣ୍ଡା ସବୁ ଯାଏ କୁଆଡେ? ଯଦି କେବେ କୌଣସି ପୁଅଝିଅ ମାଉସୀ ଆଗରେ କଥା ହୁଅନ୍ତି ତେବେ ପରଦିନ ସମଗ୍ର ମହାବିଦ୍ଯାଳୟରେ ଏହା ଚର୍ଚ୍ଚାର ବିଷୟ ପାଲଟିଯାଏ ଯେ ସେହି ପୁଅ ଓ ଝିଅ ମଧ୍ଯରେ କିଛି ଗୋଟେ ଚାଲିଛି, ମାନେ ପ୍ରେମ। ମାଉସୀ ବିଭିନ୍ନ ସମୟରେ ମିଛ ସତ କହି ଯୋଡି ବନେଇବାରେ ମଧ୍ଯ ସିଦ୍ଧହସ୍ତା। ବୟସ ଅଶୀ ଉପରେ ହେଲାଣି କିନ୍ତୁ ଆଖି ଏବେବି ଚିଲ ଠାରୁ ପ୍ରଖର, ଆଉ ବିଭିନ୍ନ ଉପାୟରେ ନିଜର ପ୍ରଖର ବୁଦ୍ଧି ପ୍ରୟୋଗ କରି ସ୍ୱାର୍ଥ ଓ କାର୍ଯ୍ଯ ହାସଲ କରିବାରେ ସ୍ୱୟଂ ଶକୁନି ମଧ୍ଯ ମାଉସୀ ଆଗରେ ହାର ମାନିଯିବ। ପ୍ରତି ପନ୍ଦର ଦିନରେ ଥରେ ସେ ତାର ଦରମା ବୃଦ୍ଧି କରିବା ପାଇଁ ଗୁହାରୀ କରେ। ତା ଇଛାରେ ଯଦି ମହାବିଦ୍ଯାଳୟ ଚାଲୁଥାନ୍ତା ତେବେ ନିଃଶ୍ୱାସ ପ୍ରଶ୍ୱାସ ନେବାପାଇଁ ମଧ୍ଯ ସିଏ ଛାତ୍ରଛାତ୍ରୀଙ୍କ ଠାରୁ ବି ଟଙ୍କା ନିଅନ୍ତା। ସବୁ ସ୍ୱାର୍ଥରେ ବନ୍ଧା। ମହାବିଦ୍ଯାଳୟ ପରିସରରେ, କମଳା, ଲେମ୍ବୁ, ବାତାପି, ଲିଚୁ, ଓଉ, ପଣସ ଆଦି ଗଛରେ ପ୍ରତିବର୍ଷ ପ୍ରଚୁର ପରିମାଣରେ ଫଳ ଧରେ। ମାତ୍ର ବହୁ କଷ୍ଟରେ ସେଥିରୁ ଅଳ୍ପକିଛି ଖାଇବାର ସୁଯୋଗ ଛାତ୍ରଛାତ୍ରୀଙ୍କ ଭାଗ୍ଯରେ ଜୁଟେ। କାରଣ ସେବି ଅଞ୍ଚଳର ଉଚ୍ଚ ଶିକ୍ଷିତ, ଭଦ୍ରମୁଖା ପିନ୍ଧା ବ୍ଯକ୍ତିିମାନେ, ଗଛର ଫଳ ଟିକିଏ ବଡ ହେଲା ମାତ୍ରେ କେତେବେଳେ, କେଉଁ ବାଟରେ ଆସି ସେସବୁକୁ ତୋଳି ନେଇଯାଆନ୍ତି ଯେ, ତାର ଗନ୍ଧ ବାସ୍ନା ମଧ୍ଯ କେହି ପାଆନ୍ତି ନାହିଁ। ଅବଶ୍ଯ ଏହା ପଛରେ ମହାବିଦ୍ଯାଳୟ ର ଅଧ୍ଯକ୍ଷ ଡଃ କାମପାଳ ମଲ୍ଲିକଙ୍କର ପ୍ରଚ୍ଛନ୍ନ ହାତ ରହିଥାଏ। ତେବେ ଏଠି ଏହା ନିଶ୍ଚିତ ଚିନ୍ତାର ବିଷୟ ଯେ , ଅଭିଭାବକ ମାନେ ଯେଉଁ ଆଶା, ଭରଷା ଓ ବିଶ୍ୱାସର ସହିତ ନିଜର ପୁଅ ଝିଅ ମାନଙ୍କୁ ପାଠ ପଢି ସେମାନଙ୍କ ସୁନ୍ଦର ଭବିଷ୍ଯତ ଗଢିବାକୁ ଏପରି ମହାବିଦ୍ଯାଳୟ ଓ ଛାତ୍ରାବାସରେ ଛାଡନ୍ତି, କିନ୍ତୁ ସେଠି ମାଉସୀ ପରି ରୋଷେୟା, ନିମ୍ନ ମାନସିକତାର ଅଞ୍ଚଳବାସୀ ଓ କୁପରିବଶରେ ରହି କିପରି ସେମାନଙ୍କର ଶାରୀରିକ ଓ ମାନସିକ ସ୍ତରରେ ଉନ୍ନତି ସାଧନ ହେବ? ଓ କିପରି ସେମାନଙ୍କର ପାଠପଢାରେ ସେମାନେ ମନୋ ନିବେଶ କରିପାରିବେ?
ମହାବିଦ୍ଯାଳୟରେ ପୁଅ ଝିଅଙ୍କ ମଧ୍ଯରେ ନିବିଡତା ଦିନକୁ ଦିନ ବୃଦ୍ଧି ହେବା ସହ ସମସ୍ତଙ୍କର ଦିନ ହସ ଖୁସିରେ ବିତୁଥିଲା। ମହାବିଦ୍ଯାଳୟର ଏକମାତ୍ର ଅଧ୍ଯାପିକା ମାୟା । ରୂପରେ ମହାବିଦ୍ଯାଳୟର ସମସ୍ତ ଛାତ୍ରୀମାନେ ମଧ୍ଯ ତାଙ୍କ ଠାରୁ ପଛରେ ରହିଯିବେ। ବୟସ ମାତ୍ର ଅଠେଇଶ କି ଅଣତିରିଶ ହେବ।ଅଧିକାଂଶ ଛାତ୍ରଛାତ୍ରୀଙ୍କର ଅତି ପ୍ରିୟ ଥିଲେ। ଛାତ୍ରୀମାନଙ୍କ ଅପେକ୍ଷା ଛାତ୍ରମାନେ ତାଙ୍କୁ ଅଧିକ ପସନ୍ଦ କରୁଥିଲେ। ଅଧ୍ଯାପିକା ମାୟା ବିବାହିତା ଥିଲେ ମଧ୍ଯ ରୋଜ୍ ଡେ କିମ୍ବା ଅନ୍ଯ କୌଣସି କାର୍ଯ୍ଯକ୍ରମ ସମୟରେ ସୁଯୋଗ ମିଳିଲେ ଛାତ୍ରମାନେ ତାଙ୍କୁ ଗୋଲାପ ଦେବାକୁ ଆଦୌ ଭୁଲୁ ନଥିଲେ। ପାଠପଢା ସମୟରେ କିଛି ଛାତ୍ର ଅଧ୍ଯାପିକାଙ୍କୁ ନେଇ କବିତା ଲେଖିବାରେ ସମୟ ଅତିବାହିତ କରିଦେଉଥିଲେ। ଅଧ୍ଯାପିକା ମାୟା ଅଧିକାଂଶ ସମୟରେ ଛାତ୍ରାବାସର ଅଧିକ୍ଷକଙ୍କ ପାଇଁ ଭଲ ଭଲ ସୁସ୍ୱାଦୁ ଖାଦ୍ଯଦ୍ରବ୍ଯ ପ୍ରସ୍ତୁତ କରି ଅତି ଯତ୍ନର ସହ ଛାତ୍ରାବାସକୁ ପଠାନ୍ତି, ଏବଂ ମହାବିଦ୍ଯାଳୟର ଅଧିକାଂଶ ବିଷୟରେ ଉଭୟଙ୍କର ମତ ପାୟ ସର୍ବଦା ସମାନ। ତେବେ ଏହି କଥା ପାଇଁ ଛାତ୍ରମାନେ ଅଧିକ୍ଷକଙ୍କୁ ଚିଡାଇବାର କୌଣସି ସୁଯୋଗ ହାତଛଡା କରନ୍ତି ନାହିଁ। ବେଳେବେଳେ ଅଧିକ୍ଷକ ମଧ୍ଯ ଛାତ୍ରାବାସର ଛାତ୍ରମାନଙ୍କର ଏଭଳି ମଜାରେ ନିଜେ ସମ୍ମିଳିତ ହୋଇ ଯାଆନ୍ତି। ଅଧ୍ଯାପିକା ବି ମଝିରେ ମଝିରେ ନିଜର ବ୍ଯକ୍ତିଗତ ଜୀବନର ସମସ୍ଯା ସମ୍ପର୍କରେ କେତେଜଣ ଛାତ୍ରଙ୍କ ସହ ଖୋଲାଖୋଲି ବାର୍ତ୍ତାଳାପ କରିଥାନ୍ତି। ମହାବିଦ୍ଯାଳୟରେ କିଛି ବିବାହିତା ଛାତ୍ରୀ ମଧ୍ଯ ପାଠ ପଢନ୍ତି। ଛାତ୍ରମାନେ ସେମାନଙ୍କ ସହ ମଧ୍ଯ ମଜା କରିବାରୁ ବିରତ ରହନ୍ତି ନାହିଁ। ଥରେ ମହାବିଦ୍ଯାଳୟର ସମସ୍ତ ନୂତନ ଛାତ୍ରଛାତ୍ରୀ ବଣଭୋଜି କରୁଥିଲେ। ତାଙ୍କ ମଧ୍ଯରୁ ଦୁଇ ତିନିଜଣ ବିବାହିତା ଛାତ୍ରୀ ଥିଲେ, ଆଉ ସେମାନଙ୍କ ମଧ୍ଯରୁ ପାୟଲ ମଧ୍ଯ ଜଣେ। ତାଙ୍କୁ ସମସ୍ତେ ସ୍ନେହରେ ଭାଉଜ ଭାଉଜ ଡାକନ୍ତି। ଏହି ବଣ ଭୋଜିରେ ତାଙ୍କ ସହ ମଜା କରିବାକୁ ଯାଇ ସିକୁ କୋଡିଏ ଥରରୁ ଅଧିକ କେବଳ କହିଲା ମୋର ତୁମକୁ କିଛି କହିବାର ଅଛି। କିନ୍ତୁ ଯେତେବେଳେ ପାୟଲ କହେ କଣ କହିବାକୁ ଚାହୁଁଛ କୁହ? ସିକୁ କୁହେ ନା ଏବେ ନୁହେଁ ପରେ କହିବି। ଶେଷରେ ସିକୁ କହିଲା ତୁମକୁ ଏତେଶୀଘ୍ର ବାହା ହେବାକୁ କିଏ କହୁଥିଲା? ଆଉ କିଛିଦିନ ରହିଯାଇଥିଲେ କଣ ଅସୁବିଧା ହୋଇଯାଇଥାନ୍ତା? ତୁମେ ଯଦି ଖାଲି ଆଉ ଟିକିଏ ଅପେକ୍ଷା କରିଥାନ୍ତ, ତେବେ ମୋ ନମ୍ବରଟାତ ସହଜରେ ପଡିପରିଥାନ୍ତା। ଏକଥା ଶୁଣି ଟିକିଏ ମୁରୁକି ହସା ସହ ପାୟଲ ଉତ୍ତର ଦେଲା - କଣ କରିବା, ମୁଁ ତ ଏବେ ଆଉ କାହାର ହୋଇସାରିଲିଣି। ତୁମେ ବ୍ଯସ୍ତ ହୁଅନି, ତୁମକୁ ନିଶ୍ଚିତ ମୋ ଠାରୁ ଆହୁରି ସୁନ୍ଦର ଓ ଭଲ ଝିଅ ମିଳିଯିବେ। ସିକୁ କହିଲା ହଁ ତୁମକଥା ବୋଧହୁଏ ସତ ହୋଇପାରେ କିନ୍ତୁ ମୋ ଦୁର୍ଭାଗ୍ଯ ତୁମେ ତ ଆଉ ମତେ ମିଳିବନି ନା? ଏମିତି ସବୁ ମଜାରେ ମଜାରେ ବହୁକଥା ଚାଲିଥାଏ। କିନ୍ତୁ ଦିନେ ସେଣ୍ଟିମିଟର ସମସ୍ତଙ୍କୁ ଆଶ୍ଚର୍ଯ୍ଯଚକିତ କରିଦେଲା। ସେଣ୍ଟିମିଟର ଏମିତି କାମ କରିବ ବୋଲି କେହି ସ୍ୱପ୍ନରେ ସୁଦ୍ଧା ଚିନ୍ତା କରି ନଥିଲେ। ଆପଣମାନେ ଭାବୁଛନ୍ତି ନା, ଏମିତି କଣ କରିଦେଲା ସେଣ୍ଟିମିଟର? ତେବେ ଏହି ପ୍ରଶ୍ନର ଉତ୍ତର ପାଇଁ ଧର୍ଯ୍ଯର ସହ ଅପେକ୍ଷା କରନ୍ତୁ କାହାଣୀର ଆଗାମୀ ଅଂଶକୁ। ଆଜିର କାହାଣୀ ସମ୍ପର୍କରେ ନିଜର ମତାମତ ଦେବାକୁ ଆଦୌ ଭୁଲିବେ ନାହିଁ। ପୁଣି ଦେଖାହେବ କାହାଣୀର ଆଗାମୀ ଅଂଶରେ। ସେତେବେଳ ଯାଏଁ ମତେ ଦିଅନ୍ତୁ ବିଦାୟ। ତେବେ ଆପଣମାନଙ୍କ ମତାମତ ଅପେକ୍ଷାରେ, ରହୁଛି ନମସ୍କାର ।

