ପ୍ରେମ ବନ୍ଧନ ( ପ୍ରଥମ ଅଂଶ)
ପ୍ରେମ ବନ୍ଧନ ( ପ୍ରଥମ ଅଂଶ)
କିଛି ବର୍ଷ ତଳର କଥା। +୩ରେ ନାମ ଲେଖାଇବାକୁ ବଳରାମପୁର ପଞ୍ଚାୟତ ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କର ନାହିଁ ନଥିବା ଭିଡ। ପୁରା ଓଡିଶାରେ ଏହି ମହାବିଦ୍ୟାଳୟରେ ସବୁଠାରୁ ଭଲ ରେଜଲ୍ଟ ହେଉଥିବାରୁ ଛାତ୍ରଛାତ୍ରୀ ମାନଙ୍କର ଏହି ମହାବିଦ୍ୟାଳୟଟି ପ୍ରଥମ ପସନ୍ଦ ପାଲଟିଛି।
ହେଲେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଭିନ୍ନ। ମହାବିଦ୍ୟାଳୟର ଉପରଟା ସିନା ଚାକଚକ୍ୟ ପୂର୍ଣ୍ଣ, ହେଲେ ଭିତରଟା ଅଳନ୍ଧୁରେ ଭର୍ତ୍ତି। ଏପରି କହିବା ପଛର ତାତ୍ପର୍ଯ୍ୟ ହେଉଛି ଅନେକ। ଓଡିଶାର ଅନ୍ଯ ମହାବିଦ୍ୟାଳୟ ଭଳି ଏହି ମହାବିଦ୍ୟାଳୟ ରେ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକାଙ୍କ ସଙ୍କଟ। ଆବଶ୍ଯକ ଅଛନ୍ତି ସତର ମାତ୍ର ଅଛନ୍ତି ଚାରି। ସବୁଠାରୁ ହାସ୍ଯସ୍ପଦ କଥା ହେଲା ମହାବିଦ୍ୟାଳୟ ରେ ବର୍ତ୍ତମାନ ଅବସ୍ଥାପିତ ଥିବା ସମସ୍ତ ଚାରିଜଣ ଅଧ୍ୟାପକ ଓ ଅଧ୍ୟାପିକା ଆସିଛନ୍ତି ଅନ୍ଯ ଅନୁଷ୍ଠାନରୁ ଉଧାର ସୂତ୍ରରେ। ମାନେ କର୍ମାନ୍ତରୀକରଣ ପ୍ରେରଣ ମାଧ୍ୟମରେ ଆସିଛନ୍ତି।
ଯେଉଁଠି ଅଧ୍ୟାପକ ଓ ଅଧ୍ୟାପିକାମାନେ ନିଜ ମଧ୍ୟରେ କ୍ଷମତା ଓ ଅର୍ଥର ଯୁଦ୍ଧରେ ଲିପ୍ତ, ଆଉ ସେମାନଙ୍କର ଅସ୍ତ୍ର ହେଉଛନ୍ତି ଏହି କୋମଳମତି ଶିକ୍ଷାର୍ଥୀ। ମହାବିଦ୍ୟାଳୟରେ ଆନୁଷଙ୍ଗିକ ବ୍ୟବସ୍ଥା ଓ ଭିତ୍ତିଭୂମି ଥିଲେ ମଧ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ଲାଗିରହିଥିବା ବିବାଦ ମହାବିଦ୍ୟାଳୟର ଶୈକ୍ଷିକ ପରିବେଶକୁ ନଷ୍ଟ ହିଁ କରୁଛି। ତେବେ ଆପଣମାନେ ଭାବୁଥିବେ ଏତେ ସମସ୍ଯା ଭିତରେ ଏଠି ଶିକ୍ଷାର୍ଥୀ ମାନଙ୍କର ଏତେ ଭଲ ରେଜଲ୍ଟ ହେଉଛି କିପରି? ଏହାକୁ ଆପଣମାନେ ଭଗବାନଙ୍କ ଆର୍ଶୀବାଦ କହିପାରନ୍ତି। କାରଣ ପିଲାମାନେ ଏହି ନକାରାତ୍ମକ ପରିବେଶ ମଧ୍ୟରେ ନିଜେ ପରିଶ୍ରମ କରି ରେଜଲ୍ଟ କରୁଛନ୍ତି। ନୂଆ ଶିକ୍ଷାର୍ଥୀମାନେ ଏ ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଥାଆନ୍ତି, ତେଣୁ ମହା ବିଦ୍ୟାଳୟର ଭିତ୍ତିଭୂମି ଓ ଫଳାଫଳକୁ ଦେଖି ମହାବିଦ୍ୟାଳୟ ରେ ନାମ ଲେଖାନ୍ତି ସତ ମାତ୍ର ପ୍ରଥମେ ପ୍ରଥମେ ଅନେକ ଅକଥନୀୟ ସମସ୍ୟାର ସମ୍ମୁଖୀନ ହୁଅନ୍ତି। ହେଲେ ସେମାନେ ମଧ୍ୟ ସମୟ କ୍ରମେ ଏହି ପରିବେଶ ଅନୁସାରେ ନିଜକୁ ପ୍ରସ୍ତୁତ କରି ନିଅନ୍ତି। ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ନାମଲେଖା ଚାଲିଛି, କିନ୍ତୁ ଅଧ୍ୟାପକ ଓ ଅଧ୍ୟାପିକାମାନଙ୍କର ବିବାଦ ମଧ୍ୟରେ ଏ ଶିକ୍ଷାର୍ଥୀମାନେ କି ଶିକ୍ଷା ଯେ ଗ୍ରହଣ କରିବେ ତାହା ଦେଖିବାର ବିଷୟ।
ମହାବିଦ୍ୟାଳୟର ନିଜସ୍ୱ ଅତ୍ୟାଧୁନିକ ଶ୍ରେଣୀଗୃହ, ପାଠାଗାର, ଅଡିଟୋରିୟମ ହଲ୍, ଛାତ୍ରଛାତ୍ରୀମାନଙ୍କ ରହିବା ନିମନ୍ତେ ପୃଥକ ପୃଥକ ଛାତ୍ରାବାସ ମଧ୍ୟ ରହିଛି। ନାମଲେଖା ସମୟରେ ଦୂରଦୂରାନ୍ତରୁ ଆସିଥିବା ପିଲାଙ୍କ କଥା ଛାଡନ୍ତୁ, ପାଖ ଅଞ୍ଚଳର ପିଲାଙ୍କର ମଧ୍ୟ ଗୋଟିଏ ଲକ୍ଷ୍ୟ, କିପରି ଏହି ଛାତ୍ରାବାସରେ ରହିବାର ସୁଯୋଗ ମିଳିବ? ଯାହାଫଳରେ ସେମାନେ ପଢିବାପାଇଁ ଅଧିକରୁ ଅଧିକ ସୁଯୋଗ ପାଇବେ। ଛାତ୍ରାବାସରେ ସ୍ୱଳ୍ପ ସଂଖ୍ୟକ ଛାତ୍ରାବାସରେ ରହିବାର ସୁଯୋଗ ଥିବାରୁ, ଯେଉଁମାନେ ପ୍ରଥମେ ଆବେଦନ କରନ୍ତି ବା ଅଧ୍ୟକ୍ଷଙ୍କୁ ନିଜର ବ୍ୟକ୍ତିତ୍ୱ ଓ ଗୁଣ ମାଧ୍ୟମରେ ପ୍ରଭାବିତ କରିପାରନ୍ତି ସେମାନଙ୍କୁ ଛାତ୍ରାବାସରେ ରହିବାର ସୁଯୋଗ ମିଳିଥାଏ।
ତେବେ ନାମଲେଖା ସରିବା ପରମ ଉଭୟ ଛାତ୍ରାବାସରେ ଅଶୀ ଜଣଙ୍କୁ ରହିବାର ସୁଯୋଗ ମିଳିଲା। ଆଉ ତାପରେ ପ୍ରଥମ ଦିନର ଶିକ୍ଷାଦାନ ନିମନ୍ତେ ନୋଟିସ୍ ହୋଇଗଲା। ନାମଲେଖା ପରେ ସବୁ ଛାତ୍ରଛାତ୍ରୀମାନଙ୍କର ଅପେକ୍ଷାର ଅନ୍ତ ଘଟିଲା। ଏବଂ ପ୍ରଥମ ଦିନ କ୍ଲାସ୍ କରିବାକୁ ସମସ୍ତେ ଶ୍ରେଣୀଗୃହକୁ ଗଲେ। ମାତ୍ର ପରମ୍ପରା ଅନୁସାରେ ପ୍ରତ୍ୟେକ ବର୍ଷ ଭଳି ଛାତ୍ରଛାତ୍ରୀମାନଙ୍କୁ ଅନୁଷ୍ଠାନ ତରଫରୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଏକ ସଭା ଅନୁଷ୍ଠିତ ହେଲା। ଏହି ସଭାରେ ଛାତ୍ରଛାତ୍ରୀମାନଙ୍କୁ ମହାବିଦ୍ୟାଳୟ ଓ ନିକଟ ଅଞ୍ଚଳର ଏତେ ଗୁଣ ଗାରିମା ଅଧ୍ୟାପକ ଓ ଅଧ୍ୟାପିକାମାନେ ବଖାଣିଲେ ଯେ ସମସ୍ତ ଛାତ୍ରଛାତ୍ରୀ ନିଜକୁ ଧନ୍ଯ ମନେକରିବା ସହ ଗର୍ବ ଅନୁଭବ କଲେ। କେବଳ ସେତିକି ନୁହେଁ କିଛି ଛାତ୍ରଛାତ୍ରୀ ତ ଭାବିନେଲେ ଯେ ଏମିତି ମହାବିଦ୍ୟାଳୟରେ ନାମ ଲେଖାଇବାର ସୁଯୋଗ ପାଇ ତାଙ୍କ ଜୀବନ ସାର୍ଥକ ହୋଇଗଲା। ମାତ୍ର ବାସ୍ତବତା ଥିଲା ଏହି ସଭାରେ କୁହାଯାଉଥିବା ପ୍ରତ୍ୟେକ ବାକ୍ୟର ସମ୍ପୂର୍ଣ୍ଣ ଓଲଟା। ଯାହା ଆପଣମାନେ ଆଗକୁ ଭଲଭାବରେ ଜାଣିପାରିବେ। ତେବେ ସ୍ୱାଗତ କାର୍ଯ୍ୟକ୍ରମ ସାରି ସବୁ ଛାତ୍ରଛାତ୍ରୀ ନିଜ ନିଜର ଛାତ୍ରାବାସକୁ ଫେରି ବିଶ୍ରାମ କଲେ। କ୍ରମଶଃ......।

