ପ୍ରେମ ବନ୍ଧନ (ଚତୁର୍ଥ ଅଂଶ)
ପ୍ରେମ ବନ୍ଧନ (ଚତୁର୍ଥ ଅଂଶ)
୪ର୍ଥ ଅଂଶ
ଆଜି ଆମେ ପରେଶ ମହୋଦୟଙ୍କ ବିଷୟରେ ଆଲୋଚନା କରିବା। ମହାଶୟ ହେଉଛନ୍ତି ଶ୍ରେଣୀରେ ବୟସ ଅନୁସାରେ ସମସ୍ତଙ୍କ ଠାରୁ ସାନ, ହେଲେ ମହାଶୟ ବହୁ ବଡ ବଡ କାମକୁ ଅତି ସହଜରେ କରିଦେଇପାରନ୍ତି। ବର୍ଷର କେଉଁଦିନ କି ଦିବସ ଓ ଶ୍ରେଣୀରେ କେଉଁଦିନ କାହାର ଜନ୍ମଦିନ ତାହାର ବିସ୍ତୃତ ସୂଚନା ମହାଶୟଙ୍କ ନିକଟରେ ସର୍ବଦା ରହିଥାଏ। ତେଣୁ ସାଙ୍ଗମାନେ ତାଙ୍କୁ ମିଷ୍ଟର ପରଫେକ୍ଟ ଓ କେହି କେହି ଗୁଗୁଲ୍ ବଏ ବୋଲି ଡାକିଥାନ୍ତି। ଶ୍ରେଣୀରେ ଟଙ୍କା ଆଦାୟ ହେଉ କି ଆସାଇନମେଣ୍ଟ୍ ସଂଗ୍ରହ ସବୁ କାମରେ ମହାଶୟ ଅତି ପାରଙ୍ଗମ। ହିସାବ ପତ୍ରରେ ବାବୁଙ୍କ ସମକକ୍ଷ ଭାରତର ମହାହିସାବରକ୍ଷକ ମଧ୍ଯ ହୋଇପାରିବେ ନାହିଁ। ଓଡିଆରେ ଗୋଟିଏ ଲୋକ କଥା ଅଛି, ଛୋଟ ସାପର ବିଷ ବେଶୀ। ଆଉ ସାନ ସିନା ଦାନ ତା ମହାନ। ସେହିପରି ମହାବିଦ୍ଯାଳୟରେ ପରେଶର କାର୍ଯ୍ଯ ଅତୁଳନୀୟ। ତାଙ୍କର ଏହି ସବୁ ଗୁଣ ପାଇଁ ସେ ସମସ୍ତଙ୍କର ପ୍ରିୟ ଭାଜନ ହୋଇପାରିଛନ୍ତି।
ତେବେ ପରେଶକୁ ଫୋନ୍ କରି ସଭା ପାଇଁ ଛାତ୍ରଛାତ୍ରୀ ମାନଙ୍କ ନିକଟରୁ ଟଙ୍କା ସଂଗ୍ରହ କରିବାକୁ ଅଧ୍ଯକ୍ଷଙ୍କ ନିର୍ଦ୍ଦେଶ କ୍ରମେ ରାଜା ଜଣାଇ ଦେଲା। ଏହାପରେ ସମସ୍ତେ ନିଜ ନିଜର ଛାତ୍ରାବାସକୁ ଫେରିଗଲେ। ତାପରେ ଛାତ୍ରାବାସର ଅଧିକ୍ଷକ ଶ୍ରୀଯୁକ୍ତ ଶରତ ସ୍ୱାଇଁ ବାଦଲ, ରାଜା, ସାନୁ, ବିନୁ ଙ୍କୁ ନେଇ ପାଖ ବଜାରକୁ ବୁଲିବାକୁ ଗଲେ। କଣ ହେଲା ଆଶ୍ଚର୍ଯ୍ଯ ହୋଇଗଲେକି ଆପଣ? ବୋଧହୁଏ ଆପଣ ପ୍ରଥମଥର ପାଇଁ ଏମିତି ଜଣେ ଅଧିକ୍ଷକଙ୍କୁ ଦେଖୁଛନ୍ତି ଯିଏ ସାଥିରେ ଛାତ୍ରମାନଙ୍କୁ ନେଇ ବଜାର ବୁଲିବାକୁ ଯାଉଛନ୍ତି। ପ୍ରକୃତରେ ଶ୍ରୀଯୁକ୍ତ ସ୍ୱାଇଁ ଜଣେ ଅତି ଭଦ୍ର, ଶାନ୍ତ, ସରଳ, ନିଷ୍କପଟ, ସ୍ନେହି, ମେଳାପି ଓ ବହୁ ସାହାଯ୍ଯକରୀ ବ୍ଯକ୍ତି। ସବୁ ଛାତ୍ରଛାତ୍ରୀଙ୍କର ସିଏ ଅତିପ୍ରିୟ ଅଧ୍ଯାପକ। ଛାତ୍ରଛାତ୍ରୀଙ୍କ ନିମନ୍ତେ ସେ ଏକାଧାରରେ ଜଣେ ଅଧ୍ଯାପକ, ଅଭିଭାବକ, ଭାଇ, ସାଙ୍ଗ, ପଥପ୍ରଦର୍ଶକର ଭୂମିକା ନିର୍ବାହ କରିଥାନ୍ତି। ହେଲେ ଜହ୍ନରେ କଳଙ୍କ ଥିବାପରି ଅଧ୍ଯାପକ ମହୋଦୟଙ୍କର ମଧ୍ଯ ଏକ ଖରାପ ଅଭ୍ଯାସ ରହିଛି। ଯାହା ଧିରେଧିରେ ତାଙ୍କପାଇଁ ମହାବ୍ଯାଧିରେ ପରିଣତ ହୋଇ ତାଙ୍କୁ ସମ୍ପୂର୍ଣ୍ଣ ଗ୍ରାସ କରିବାକୁ ବସିଲାଣି। ସେ ଖରାପ ଅଭ୍ଯାସଟି ଆଉକିଛି ନୁହେଁ ବରଂ ପ୍ରତ୍ଯେକ ଦିନ ନାଲି ପାଣି ମାନେ ମଦ୍ଯପାନ କରିବାର ଅଭ୍ଯାସ। ଏହି ଅଭ୍ଯାସ ପାଇଁ ଅଧ୍ଯାପକ ସ୍ୱାଇଁଙ୍କ ସମାଲୋଚନା ଏବଂ ଛାତ୍ରଛାତୀମାନଙ୍କ ମଧ୍ଯରେ ତାଙ୍କର ପ୍ରିୟଭାଜନତାରେ ଇର୍ଷାନ୍ୱିତ ବ୍ଯକ୍ତି ତାଙ୍କୁ ବହୁ କଟାକ୍ଷ କରିଥାନ୍ତି।
ଆଜିଯାଏଁ ଆମେ କେବଳ ଛାତ୍ର ଓ ଛାତ୍ରାବାସ ସମ୍ପର୍କରେ ଆଲୋଚନା କରୁଥିଲେ। କିନ୍ତୁ ଆଜି ଆମେ ଛାତ୍ରୀମାନଙ୍କ ବିଷୟରେ ଆଲୋଚନା କରିବା। ଯେତେବେଳେ ଛାତ୍ରମାନେ ଛାତ୍ରୀମାନଙ୍କୁ ଲାଇନ୍ ମାରିବା ଉଦ୍ଦେଶ୍ଯ ରଖି ଅନାନ୍ତି, ଛାତ୍ରୀମାନେ ଛାତ୍ରମାନଙ୍କର ଉଦ୍ଦେଶ୍ଯକୁ ଭଲଭାବରେ ବୁଝିପାରନ୍ତି। କିନ୍ତୁ ସେମାନେ ଏମିତି ଅଭିନୟ କରନ୍ତିଯେ ଯେମିତି ସେମାନେ ଏସବୁ ବିଷୟରେ ପୁରା ଅନଭିଜ୍ଞ। କ୍ଲାସ୍ ସରିବା ପରେ ଛାତ୍ରୀମାନେ ଯେତେବେଳେ ସେମାନଙ୍କର ଛାତ୍ରୀନିବାସକୁ ଯାଆନ୍ତି, ସେମାନେ ପୁରା ବଦଳି ଯାଆନ୍ତି। ମାନେ ଯେଉଁ ଝିଅ ଶ୍ରେଣୀଗୃହରେ ପୁରା ଶାନ୍ତ ଶିଷ୍ଟ, ନମ୍ର, ଭଦ୍ର ଓ ମାଛିକୁ ମ' ବୋଲି କହେନାହିଁ, ସେ ଝିଅ ହିଁ ଛାତ୍ରୀନିବାସକୁ ଫେରିବା ପରେ ସବୁଠୁ ଅଧିକା ଦୁଷ୍ଟାମି କରିଥାଏ। ଆଉ ଶ୍ରେଣୀ ଗୃହରେ କେଉଁ ଛାତ୍ର କେଉଁ ଛାତ୍ରୀକୁ କେତେ ସମୟ ଓ କିପରି ଭାବରେ ଅନଉଥିଲା ସେ ବିଷୟରେ ବିସ୍ତୃତ ଆଲୋଚନା ହୁଏ। ଆଉ ପରସ୍ପରକୁ ଚିଡେଇବା କାର୍ଯ୍ଯକ୍ରମ ବି ଚାଲେ। ଛାତ୍ରମାନେ ଯେମିତି ଛାତ୍ରୀମାନଙ୍କ ବିଷୟରେ କଥା ହେବାପାଇଁ କୋଡ୍ ନେମ୍ ବ୍ଯବହାର କରନ୍ତି, ଛାତ୍ରୀମାନେ ମଧ୍ଯ ଛାତ୍ରମାନଙ୍କ ବିଷୟରେ ବିଭିନ୍ନ କୋଡ୍ ନେମ୍ ରେ କଥାହେବାରେ ବେସ୍ ସିଦ୍ଧହସ୍ତ।
ଛାତ୍ରାମାନେ ଛାତ୍ର ମାନଙ୍କ କୋଡ୍ ନେମ୍ ବିଲୁଆ, କଟାଶ, ଭୁଆ ବିଲେଇ ଆଦି ଦେଇଥାନ୍ତି। ଆହୁରି ମଧ୍ଯ ଯଦି କୌଣସି ଛାତ୍ରୀକୁ କୌଣସି ଛାତ୍ର ଲାଇନ୍ ମାରୁଛି ବୋଲି ସମ୍ପୃକ୍ତ ଛାତ୍ରୀର ବାନ୍ଧବୀମାନେ ଜାଣିପାରନ୍ତି ଆଉ ଭୁଲ୍ରେ ବି କେବେ ସମ୍ପୃକ୍ତ ଛାତ୍ର ଉକ୍ତ ଛାତ୍ରୀଙ୍କ ପାଖଦେଇ ଗତିକରେ ତେବେ ବାନ୍ଧବୀମାନେ ସମ୍ପୃକ୍ତ ଛାତ୍ରୀଙ୍କୁ ଆଖିରେ ଇସାରା ଦେବା, ଚିମୁଟିବା ଆଦି କାର୍ଯ୍ଯ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଆଉ କୌଣସି ଛାତ୍ର କିମ୍ବା ଛାତ୍ରୀ ମଧ୍ଯରେ କୌଣସି ସମ୍ପର୍କ ନଥିଲେ ମଧ୍ଯ ତାଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ତିଆରି କରିବାରେ ସେମାନଙ୍କ ବନ୍ଧୁ ଓ ବାନ୍ଧବୀଙ୍କର ବିଶେଷ ଭୁମିକା ଦେଖିବାକୁ ମିଳେ। ଏହି ବନ୍ଧୁ ଓ ବାନ୍ଧବୀମାନେ ଉଭୟ ଛାତ୍ର ଓ ଛାତ୍ରୀଙ୍କ ନିକଟରେ ପରସ୍ପର ସମ୍ପର୍କରେ ଏପରି ବର୍ଣ୍ଣନା କରନ୍ତି ଯେମିତି ସେମାନେ ଦୁଇଜଣ ପରସ୍ପର ପାଇଁ ଜନ୍ମ ନେଇଛନ୍ତି। ଆଉ ତାଙ୍କ ମଧ୍ଯରେ ଜନ୍ମ ଜନ୍ମାନ୍ତରର ସମ୍ପର୍କ ରହିଛି। ମୁଁ ତ ବେଳେବେଳେ ଭାବେ ଏହି ବନ୍ଧୁ ଓ ବାନ୍ଧବୀମାନେ ଯେଉଁଭଳି କଠିନ ପରିଶ୍ରମ କରି ଛାତ୍ର ଓ ଛାତ୍ରୀଙ୍କ ମଧ୍ଯରେ ପ୍ରେମ ସମ୍ପର୍କ ସୃଷ୍ଟି କରିବା ପାଇଁ ଲାଗିପଡି ତାହାକୁ ସଫଳ କରାନ୍ତି ତାଙ୍କପାଇଁ ବୋଧେ ଏହି ଦୁନିଆରେ ଆଉ କୌଣସି କାମ ଆଉ ଅସମ୍ଭବ ହୋଇ ରହିବ ନାହିଁ।
ତେବେ ଆଜି ପାଇଁ ଏତିକି, ପୁଣି ଦେଖାହେବ କାହାଣୀର ଆଗାମୀ ଅଂଶରେ। ସେତେବେଳ ଯାଏଁ ମତେ ଦିଅନ୍ତୁ ଅନୁମତି। ରହୁଛି ନମସ୍କାର।

