ପ୍ରେମ ବନାମ ଭଲପାଏ
ପ୍ରେମ ବନାମ ଭଲପାଏ
ପ୍ରେମ ତଥା ଭଲ ପାଇବା କଥା ଆସିଲା ମାତ୍ରେ ଆମ ଶରୀର ହୁଏ ରୋମାଞ୍ଚିତ। କି ପିଲା, କି ଟୋକା, କି ବୁଢ଼ା ସମସ୍ତଙ୍କ ହୃଦୟରେ ଏକ ଅନିର୍ବଚନୀୟ ଆନନ୍ଦ ଆନନ୍ଦର ଭାବ ଖେଳି ଯାଏ। ଆମ ମାନସପଟ୍ଟରେ ଖେଳି ଯାଏ ରାଧାକୃଷ୍ଣଙ୍କର ଅପୂର୍ବ ପ୍ରେମର ଝଲକ ତା ସହ କାହା କାହା ସ୍ମୃତିରେ ଉଙ୍କିମାରେ ଲୈଲା ମଜନୁଙ୍କ ରୂପ ତ କାହା ସ୍ମୃତିପଟ୍ଟରେ ଉଙ୍କିମାରେ କେଦାର ଗୌରୀଙ୍କ ଅମର ପ୍ରେମ କଥା। ତେବେ ଏ କ୍ଷେତ୍ରରେ ମାତା ପାର୍ବତୀଙ୍କର ଭୋଳେବାବାଙ୍କ ପ୍ରତି ପ୍ରେମ, ଏ ସମସ୍ତଙ୍କୁ ଅତିକ୍ରମ କରିଗଲା ପରି ମନେ ହୁଏ। ତେବେ ଏଠି ଗୋଟେ ସନ୍ଦେହର ବୀଜ ଗଜୁରୀ ତାହାର ଉପସ୍ଥିତି ଜାହୀର କରେ, ପ୍ରେମ ଓ ଭଲ ପାଇବା କ’ଣ ଏକା କଥା!
ଆକ୍ଷରିକ ଅର୍ଥ ଅନୁଯାୟୀ, "ପ୍ରେମ’ ଏବଂ "ଭଲପାଏ’ ଦୁଇ ଶବ୍ଦ ମଧ୍ୟରେ ସେମିତି କିଛି ପାର୍ଥକ୍ୟ ପରିଲକ୍ଷିତ ହୁଏ ନାହିଁ। କିନ୍ତୁ ଲୋକମାନଙ୍କ ଦ୍ଵାରା ବ୍ୟବହୃତ ହୋଇଥିବା ପ୍ରସଙ୍ଗ ଉପରେ ନିର୍ଭର କରି ଏହି ଶବ୍ଦର ଅର୍ଥରେ ବେଳେ ବେଳେ ଅନେକ ପରିବର୍ତ୍ତନ ଆସିପାରେ।
ଉଦାହରଣ ସ୍ଵରୂପ ଜଣେ ଯଦି କହୁଛି ଯେ, “ମୁଁ ତୁମକୁ ପ୍ରେମ କରେ।” ଏଥିରୁ ଜଣାପଡୁଛି ଯେ ଆମେ ଏକ ପରିପକ୍ଵ ପ୍ରେମ ବିଷୟରେ କହୁଛୁ, ଯାହା ନିଜେ ଉତ୍ପନ୍ନ ହୋଇଛି।
ଯଦି ଜଣେ କହୁଛି ଯେ, “ମୁଁ ତୁମକୁ ଭଲପାଏ।” ଏଥିରୁ ଜଣାପଡେ ଯେ ଏହି ଦୁନିଆରେ ପ୍ରତିଦିନ ମଣିଷ କାହା ସହିତ କିମ୍ବା ଅନ୍ୟ ବସ୍ତୁ ସହିତ ସଂଯୋଗ ସ୍ଥାପନ କରୁଛି, ସଂଯୋଗ ବିଷୟରେ ଆଲୋଚନା ହେଉଛି।
ଖବର କାଗଜରେ ଖବର ଛପା ହେଲା, “ଦୁଇ ପ୍ରେମୀ ଯୁଗଳ ନିଜ ଜୀବନ ତ୍ୟାଗ କରିଥିଲେ।” ଏଥିରୁ ଜଣାପଡୁଛି ଯେ ବିଶ୍ଵ ସେହି ପ୍ରେମୀଯୁଗଳଙ୍କୁ ନିଜଠାରୁ ଅଧିକ ଉଚ୍ଚ ସ୍ଥାନରେ ସ୍ଥାନିତ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
କିନ୍ତୁ ସେହି ଖବର କାଗଜରେ ଯଦି ଖବର ବାହାରିଲା ଯେ, “ପରସ୍ପରକୁ ଭଲପାଉଥିବା ପ୍ରଣୟୀ ଯୁଗଳ ନିଜ ଜୀବନ ତ୍ୟାଗ କରିଥିଲେ।” ତେବେ ତାହା ସାଧାରଣ ଲୋକଙ୍କର ପ୍ରେମ ଜନିତ ଦୁଇଜଣଙ୍କର ମୃତ୍ୟୁ ଭଳି ଲାଗୁଛି।
“ମୁଁ ଭଗବାନଙ୍କୁ ପ୍ରେମ କରେ।” ଏ ବାକ୍ୟ ଜଣକ ମୁହଁରୁ ଶୁଣିବା ପରେ ଆଧ୍ୟାତ୍ମିକତାର ଏକ ଅନୁଭବ ଆମ ପାଖକୁ ଆସେ। ଆମ ମନ ଏକ ଦୈବୀୟ ଦୃଶ୍ୟ ଅନୁଭବ କରି ବିଭୋର ହୋଇ ପଡେ଼।
ହେଲେ, “ମୁଁ ଭଗବାନଙ୍କୁ ଭଲ ପାଏ।” ଶୁଣିବାକୁ ଆମକୁ ସାମାନ୍ୟ ଅବାଗିଆ ଲାଗୁଛି। କାରଣ, 'ଭଲପାଏ’ ଶବ୍ଦ ଭଗବାନଙ୍କ ଉଦ୍ଦେଶ୍ୟରେ ବ୍ୟବହାର କରିବା ସମୀଚିନ ମନେ ହେଉନାହିଁ। ଏଥିରୁ ଶରୀରିକ ସମ୍ପର୍କର ଗନ୍ଧ ବାରି ହୋଇ ପଡ଼ୁଛି।
ଆଉଟିକେ ଆଗକୁ ଯାଇ ଚିନ୍ତା କଲେ ଆମେ ଜାଣି ପାରିବା ଯେ, “ପ୍ରେମ” ଶବ୍ଦରେ ଥିବା ପରିପକ୍ଵତା ତୁଳନାରେ “ଭଲପାଏ” ଶବ୍ଦଟି ପିଲାଳିଆ ପରି ମନେ ହୁଏ। “ପ୍ରେମ” ଶବ୍ଦରେ ଥିବା ସ୍ଵାଧୀନତା “ଭଲପାଏ” ଶବ୍ଦର କୈାଣସି ସ୍ଥାନରେ ହଜିଯାଏ।
“ପ୍ରେମ” ଶବ୍ଦ କହିବାରେ ଅନୁଭବ କରାଯାଉଥିବା ଗଭୀରତା ତୁଳନାରେ “ଭଲପାଏ” ଶବ୍ଦ ଟିକେ ଅସ୍ଥାୟୀ ମନେହୁଏ।
ଯେତେବେଳେ କେହି କୁହନ୍ତି ଯେ ସେ “ପ୍ରେମରେ ଅଛନ୍ତି” ଲାଗୁଛି ଯେପରି ତାଙ୍କ ଭିତରେ ପ୍ରେମ ସ୍ଵତଃସ୍ପୃର୍ତ୍ତ ଭାବରେ ସୃଷ୍ଟି ହୋଇଛି ଏବଂ ଯେତେବେଳେ କେହି କହନ୍ତି ଯେ ସେ କାହାକୁ “ଭଲପାଏ”, ଲାଗୁଛି ଯେପରି ଉକ୍ତ ଭଲପାଇବା କେହି ଅନ୍ୟ ଜଣଙ୍କ ହେତୁ ହୋଇଥାଇପାରେ, କିଛି ନିର୍ଦ୍ଦିଷ୍ଟ କାରଣ ପାଇଁ।
ଯେତେବେଳେ ଦୁଇ ଜଣ “ପ୍ରେମରେ” ଥାଆନ୍ତି, ସେମାନେ ଆଧ୍ୟାତ୍ମିକ ରୂପରେ ପରସ୍ପରର ନିକଟତର ହୁଅନ୍ତି ଏବଂ ଦେହାତୀତ ଅତିନ୍ଦ୍ରିୟ ସ୍ତରକୁ ଉଠି ସାରିଛନ୍ତି ବୋଧହୁଏ; କିନ୍ତୁ ଯେତେବେଳେ ଦୁଇଜଣ ଲୋକ ପରସ୍ପରକୁ “ଭଲପାଉଛନ୍ତି”, ସେମାନେ ପରସ୍ପର ଦୈହିକ ସ୍ତରରେ ତଥା ନିମ୍ନ ସ୍ତରରେ ଏକାଠି ହେଉଥିବା ମନେହୁଏ।
ପ୍ରେମରେ ପଡିଥିବା ଲୋକମାନେ ମୁକ୍ତ ଭାବରେ ସୁଗନ୍ଧିତ ହୁଅନ୍ତି ଏବଂ ସେମାନଙ୍କର ମିଳନ ଦୁନିଆରେ ସୁଗନ୍ଧ ବିସ୍ତାର କରେ। ମାତ୍ର ଭଲପାଉ ଥିବା ଲୋକମାନେ ପରସ୍ପର ପାଇଁ ସୁଗନ୍ଧ ସୃଷ୍ଟି କରନ୍ତି। ପରସ୍ପରର ସୁଗନ୍ଧରେ ଆକର୍ଷିତ ହେଉଥିବା ପରି ଲାଗେ। ବେଳେବେଳେ ସେଥିରୁ ଦୁର୍ଗନ୍ଧ ବାହାରିବାର ସମ୍ଭାବନା ଦେଖାଦିଏ ।
କୈାଣସି ଦାସତ୍ଵ ବିନା ଜଣେ ଜଗତକୁ ମୁକ୍ତ ଭାବରେ “ପ୍ରେମ” କରିପାରନ୍ତି, କିନ୍ତୁ ସେ ବନ୍ଧନରେ ବାନ୍ଧି ହୋଇ ଦୁନିଆର ମଣିଷମାନଙ୍କୁ “ଭଲପାଏ” ବୋଲି କହିପାରିବେ ନାହିଁ।
“ପ୍ରେମ” ହେଉଛି ଏକ ମୁକ୍ତ ଅଭିବ୍ୟକ୍ତି, ଯେତେବେଳେ କି “ଭଲପାଏ” ଅନ୍ୟ ବ୍ୟକ୍ତି ବିନା ବିଦ୍ୟମାନ ହୋଇପାରିବ ନାହିଁ।
“ପ୍ରେମ” ହେଉଛି କୁଣ୍ଡରେ ଲଗାଯାଇଥିବା ଏକ ସୁଗନ୍ଧିତ ପୁଷ୍ପ ପରି, କିନ୍ତୁ “ଭଲପାଏ” ହେଉଛି ହାତରେ ଧରାଯାଇଥିବା ଏକ ଗୋଲାପର କଳି।
“ପ୍ରେମ” ହେଉଛି ଦୁଇ ଜଣଙ୍କର କୂଳରେ ପହଂଚିବାର ଏକ ଉତ୍ସବ, “ଭଲପାଏ” ହେଉଛି ଦୁଇ ଜଣ ବସିଥିବା ଡଙ୍ଗାର ଏକ ନାବିକର ସଂଗୀତ।
“ପ୍ରେମ” ହୃଦୟରେ ବଢୁଥିବା ଏକ ସମୁଦ୍ର ଏବଂ “ଭଲପାଏ” ହେଉଛି ଦୁଇଟି ନଦୀର ମିଳନ।
ପ୍ରେମରେ କେବଳ ‘ଦେବାର’ ପ୍ରାଧାନ୍ୟ ପରିଲକ୍ଷିତ ହେଉଥିବା ବେଳେ ଭଲ ପାଇବାରେ ‘ପାଇବାର’ ପ୍ରାବଲ୍ୟ ଥାଏ।
ପ୍ରେମରେ କେବଳ ନିବିଡ଼ ଆକର୍ଷଣ ଥାଏ, ନିସର୍ତ୍ତ ଆତ୍ମୋତ୍ସର୍ଗ ଥାଏ; କିନ୍ତୁ ଭଲପାଇବାରେ ଦେବା ନେବାର ବେପାର ନିହିତ ଥାଏ।
ବାସ୍ତବରେ ପ୍ରେମ ଶାଶ୍ଵତ, ଅନିର୍ବଚନୀୟ ଓ ଏହା ଆତ୍ମା ସହ ସମ୍ପର୍କ ରଖୁଥିବା ବେଳେ ଭଲପାଇବା ଭଙ୍ଗୁର, ପାର୍ଥୀବ ଓ ସେ ଦେହ ସହ ସମ୍ପର୍କ ଯୋଡେ଼।

