ଗୀତାର ପ୍ରଥମ ଶବ୍ଦ
ଗୀତାର ପ୍ରଥମ ଶବ୍ଦ
ଶ୍ରୀମଦ୍ ଭଗବତ ଗୀତାଙ୍କର ପ୍ରଥମ ଶ୍ଳୋକ ହେଉଛି-
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତା ଯୁଯୁତ୍ସବଃ।
ମାମକାଃ ପାଣ୍ଡବାଶ୍ଚୈବ କିମକୁର୍ବତ ସଂଜୟ ।୧/୧।
ଯାହାର ଭାବାର୍ଥ ହେଉଛି-ଧୃତରାଷ୍ଟ୍ର କହିଲେ-ହେ ସଞ୍ଜୟ! ଯୁଦ୍ଧ କରିବା ପାଇଁ ଇଚ୍ଛା କରି ଏକାଠି ହୋଇଥିବା ମୋ ପୁତ୍ର ଏବଂ ପାଣ୍ଡୁଙ୍କ ପୁତ୍ରମାନେ କୁରୁକ୍ଷେତ୍ରର ପବିତ୍ର ଭୂମିରେ କ’ଣ କରିଲେ?
ପ୍ରଥମ ଶ୍ଲୋକଙ୍କ ବାର୍ତ୍ତା-
ସମଗ୍ର ବିଶ୍ଵ ହେଉଛି କୁରୁକ୍ଷେତ୍ର ରୂପକ ତୀର୍ଥସ୍ଥାନ, ତୁମେ ଅର୍ଜୁନ। ତୁମେ ତୁମ ଜୀବନରେ ଧର୍ମ ଏବଂ ଅଧର୍ମ ମଧ୍ୟରେ ଯୁଦ୍ଧ କରୁଛ।
ଧର୍ମ ଶବ୍ଦରୁ ଆରମ୍ଭ ହୋଇଥିବା ଶ୍ରୀମଦ୍ ଭଗବତ ଗୀତା, ଭଗବାନ ଶ୍ରୀକୃଷ୍ଣଙ୍କର ମୁଖ ନିଶୃତ ବାଣୀ ତେଣୁ ସେ ସ୍ଵୟଂ ଧର୍ମର ସ୍ଵରୂପ। ଧର୍ମ ରକ୍ଷା ନିମନ୍ତେ ଆରମ୍ଭ ହୋଇଥିବା ଧର୍ମକ୍ଷେତ୍ର କୁରୁକ୍ଷେତ୍ରରେ ଯୁଦ୍ଧ କରିବାକୁ ଆସିଥିବା ଅର୍ଜ୍ଜୁନଙ୍କ ମନରେ ସୃଷ୍ଟି ହୋଇଥିବା ମୋହ ବୈକଲ୍ୟର ଦୂରିକରଣ ନିମନ୍ତେ କୁହାଯାଇଥିବା ଏ ଗୀତାଜ୍ଞାନ ଧର୍ମ ଜ୍ଞାନର ହିଁ ସ୍ଵରୂପ ମାତ୍ର।
ଶ୍ରୀମଦ୍ ଭଗବତ ଗୀତାଙ୍କର ସାତ ଶହ ଶ୍ଳୋକ ମାତ୍ର ଗୋଟିଏ ଶବ୍ଦ ‘ଧର୍ମ’ ମଧ୍ୟରେ ଯେ ସୀମାବଦ୍ଧ ତାହା ପ୍ରଥମ ଶ୍ଳୋକର ପ୍ରଥମ ଶବ୍ଦର ‘ଧର୍’ ଓ ଶେଷ ଶ୍ଳୋକର ଶେଷ ଶବ୍ଦର ‘ମ’ ସହ ମିଶାଇ ଦେଲେ (ଧର୍+ମ=ଧର୍ମ) ସ୍ପଷ୍ଟ ହୋଇ ଯାଉଛି।
ଏବେ ଆସନ୍ତୁ ଶ୍ରୀମଦ ଭଗବନ ଗୀତାଙ୍କର ପ୍ରଥମ ଶବ୍ଦ ସେହି ‘ଧର୍ମ’ ସମ୍ପର୍କରେ ସାମାନ୍ୟ ଆଲୋଚନା କରିବା।
ଶ୍ରୀମଦ ଭଗବଦ୍ ଗୀତା ଅନୁଯାୟୀ, ଯାହା ଆମ ଆତ୍ମାକୁ ଉନ୍ନତ କରେ, ଜୀବନର ଲକ୍ଷ୍ୟରେ ପହଞ୍ଚିବାରେ ସାହାଯ୍ୟ କରେ, ପ୍ରକୃତ ଜ୍ଞାନ ହାସଲ କରାଏ ଏବଂ ମୁକ୍ତି ପ୍ରଦାନ କରିବାରେ ସହାୟକ ହୁଏ ତାହା ହେଉଛି ଧର୍ମ; ଅନ୍ୟ ପକ୍ଷରେ ଯାହା ଆମକୁ ସାଂସାରିକତା ଆଡ଼କୁ ଆକର୍ଷଣ କରେ, ଆମକୁ ମନୁଷ୍ୟତ୍ଵ ବିହୀନ କରାଏ, ତାହା ହେଉଛି ଅଧର୍ମ।
ଆଲୋଚନାକୁ ଆଗକୁ ନେବା ପୂର୍ବରୁ ଗୀତାର ଶେଷ ଶ୍ଳୋକ ଉପରେ ଦୃଷ୍ଟିପାତ କଲେ ଦେଖିବାକୁ ମିଳେ-
ଯତ୍ର ଯୋଗେଶ୍ଵରଃ କୃଷ୍ଣୋ ଯତ୍ର ପାର୍ଥୋ ଧନୁର୍ଧରଃ।
ତତ୍ର ଶ୍ରୀର୍ବିଜୟୋ ଭୂତିର୍ଧ୍ରୁବା ନୀତିର୍ମତିର୍ମମ।୧୮/୭୮।
ଅର୍ଥାତ୍ ହେ ମହାରାଜ! ଯେଉଁଠାରେ ସ୍ଵୟଂ ଯୋଗେଶ୍ଵର ଭଗବାନ ଶ୍ରୀକୃଷ୍ଣ ଅଛନ୍ତି ଏବଂ ଯେଉଁଠାରେ ଗାଣ୍ଡିବ-ଧନୁଧାରୀ ଅର୍ଜୁନ ଅଛନ୍ତି, ସେଠାରେ ଶ୍ରୀ, ବିଜୟ, ବିଭୂତି ଏବଂ ଅଚଳ ନୀତି ନିଶ୍ଚିତ ଅଛନ୍ତି-ଏହା ମୋର ମତ।
ଶେଷ ଶ୍ଲୋକଙ୍କ ବାର୍ତ୍ତା-
ଜୀବନର ଦୋଛକିରେ ଅକଳରେ ପଡ଼ି ବେଳେବେଳେ ଆମେ କଣ କରିବା, କଣ କରିବା ନାହିଁ ବୋଲି ନିଷ୍ପତ୍ତି ନେଇ ପାରି ନ ଥାଉ। ଆମ ପାଇଁ
କ’ଣ ହିତ ଓ କ’ଣ ଅହିତ ତାହାର ନିର୍ଣ୍ଣୟ ନେଇ ପାରୁ ନାହୁଁ। ସେତେବେଳେ ଧର୍ମ ସହିତ, ଭଗବଦ୍ ଗୀତା ଆମର ଉଦ୍ଧାର କରିବା ପାଇଁ ଉପସ୍ଥିତ ହୋଇ ଯାଆନ୍ତି। ସେ କହନ୍ତି-ବ୍ୟସ୍ତ ହେବାର ନାହିଁ! କିଛି ସମୟ ପାଇଁ ଆରାମ କର ଏବଂ ଚିନ୍ତା କର। ତୁମେ ଯାହା କରିବାକୁ ଯାଉଛ, ଯଦି ଧର୍ମ ଅନୁଯାୟୀ ତାହା ଠିକ୍, ଯଦି ଏହା ସମସ୍ତଙ୍କର ଉପକାରୀ, ତେବେ ତାହା କର! ଅର୍ଜୁନ ପରି ତୁମର ପୁରୁଷାର୍ଥ ଅର୍ଥାତ୍ ପ୍ରୟାସ ଆବଶ୍ୟକ। ତେବେ ସର୍ବଶକ୍ତିମାନ୍ ଈଶ୍ଵର ତୁମ ସହିତ ଅଛନ୍ତି! ତା’ପରେ ନିଶ୍ଚିତ ଭାବରେ ଅପାରଗତା ନଷ୍ଟ ହୋଇ, ତୁମ ସପକ୍ଷରେ ବିଜୟ, ଅସାଧାରଣ ଶକ୍ତି ଏବଂ ନୈତିକତା ରହିବ। ସେହି ଅନୁଯାୟୀ କାର୍ଯ୍ୟ କରିଚାଲ।
ଆମେ ଦେଖିଲେ ଶ୍ରୀମଦ୍ ଭଗବତ ଗୀତାର ପ୍ରଥମ ପଦ ହେଉଛନ୍ତି ଧର୍ମ। ଗୀତାର ଧର୍ମ, ମତ ନୁହେଁ କି ପଥ ନୁହେଁ। ପ୍ରାୟ ସବୁ ଧର୍ମମତରେ ଈଶ୍ଵରବିଶ୍ଵାସ, ଈଶ୍ଵରାଜ୍ଞାପାଳନ, ଲୋକୋପକାର, ଅହିଂସା, ଇନ୍ଦ୍ରିୟ ସଂଯମ, ସତ୍ୟବାଦିତା, ପରଲୋକରେ ସୁବିଶ୍ଵାସ ସ୍ଥାପିତ ହୋଇଅଛି। ସବୁ ଧର୍ମର ମୂଳରେ ଈଶ୍ଵରଭକ୍ତି ରହିଅଛି। ବୌଦ୍ଧପନ୍ଥୀ, ‘ଈଶ୍ଵର'ଙ୍କ ସାକ୍ଷାତ୍ ସମ୍ବନ୍ଧରେ ସ୍ଵୀକାର ନ କଲେ ମଧ୍ୟ ସେମାନଙ୍କ ନିର୍ବାଣ ବା ମୋକ୍ଷ' ହିନ୍ଦୁ ମାନଙ୍କର ‘ମୁକ୍ତି' ସଙ୍ଗେ ସମାନ। ନାସ୍ତିକମାନେ ଈଶ୍ଵରଙ୍କୁ ମାନନ୍ତି ନାହିଁ; କିନ୍ତୁ ସେମାନଙ୍କ ସଂଖ୍ୟା ସବୁ ଯୁଗରେ ଏତେ କମ୍ ଯେ ତାହା କେବେହେଁ ଗୋଟିଏ ସ୍ଵତନ୍ତ୍ର ଧର୍ମ ରୂପେ ପ୍ରତିଷ୍ଠିତ ହୋଇ ପାରି ନାହିଁ। ଶ୍ରୁତି (ବେଦ); ସ୍ମୃତି (ମନୁଆଦିଙ୍କର ରଚିତ ଶାସ୍ତ୍ର) ଓ ପୁରାଣ (ବୈଦିକଯୁଗ ପରେ ରଚିତ ଶାସ୍ତ୍ର)ମାନଙ୍କରେ ମନୁଷ୍ୟକୁ ସୁପଥରେ ପରିଚାଳିତ କରିବା ନିମନ୍ତେ ପ୍ରଦତ୍ତ ନିର୍ଦ୍ଦିଷ୍ଟ ଉପଦେଶମାନ ସାଧାରଣତଃ ‘ଧର୍ମ' ନାମରେ ଅଭିହିତ ହୁଏ। ଏଥିରେ ଈଶ୍ଵରୋପାସନା, ପରଲୋକ ଓ ଇହଲୋକର ମଙ୍ଗଳକର କର୍ମ, ସାମାଜିକ ଓ ବୈଜ୍ଞାନିକ ନିୟମମାନ, ଧନବିଭାଗ ଓ ଉତ୍ତରାଧିକାରିତ୍ଵ ଆଦି ନାନା ବିଷୟ ଅଛି। ଅନେକ ସମୟରେ ଏହି ଭିନ୍ନ ଭିନ୍ନ ଉପଦେଶମାନଙ୍କ ମଧ୍ୟରେ ବୈପରୀତ୍ୟ ବା ବୈଷମ୍ୟ ଦୃଷ୍ଟ ହୁଏ। ଏଥିପାଇଁ ଋଷିମାନେ କହି ଯାଇ ଅଛନ୍ତି ଯେ ଶ୍ରୁତି, ସ୍ମୃତି, ପୁରାଣ ମଧ୍ୟରେ ଅସାମଞ୍ଜସ୍ୟ ଦେଖାଗଲେ ପ୍ରଥମତଃ ଶ୍ରୁତିବାକ୍ୟ ପାଳନୀୟ। କେହି କେହି କହିଛନ୍ତି ‘ମହାଜନ ଯେନ ଗତଃ ସଃ ପନ୍ଥା।' ବା ମହାପୁରୁଷମାନେ ଯେଉଁ ବାଟରେ ଯାଇଅଛନ୍ତି ଓ ଯାହା ବହୁକାଳରୁ ଦେଶାଚାର ବା ଲୌକିକାଚାର ରୂପେ ଚଳି ଆସୁଅଛି ତାହାହିଁ ପାଳନୀୟ, ତାହାହିଁ ଧର୍ମ।
ଧର୍ମ ଶବ୍ଦର ଅର୍ଥ ବିଷୟରେ ଆଲୋଚନା କଲାବେଳେ ସାମନାକୁ ଆସେ ନାନା ମୁନିଙ୍କର ନାନା ମତ। ଅଭିଧାନ ମତରେ ସତ୍ସଙ୍ଗ ହିଁ ଧର୍ମ; ମହାଭାରତ ମତରେ ଧର୍ମର ଲକ୍ଷଣ ‘ଅହିଂସା'। ପୁରାଣରେ ଲେଖାଅଛି ଯେ ଯଦ୍ଦ୍ଵାରା ଲୋକ ସ୍ଥିତି ବିହିତ ହୁଏ ତାହାକୁ ଧର୍ମ କୁହାଯାଏ। ଦୀପିକା ମତରେ ପୁରୁଷର ବିହିତ କ୍ରିୟା ସାଧ୍ୟ ଗୁଣକୁ ଧର୍ମ ବୋଲାଯାଏ। ଯୁକ୍ତିବାଦୀମାନେ କହନ୍ତି-ମନୁଷ୍ୟର ଯାହା କର୍ତ୍ତବ୍ୟ ତାହା ସଂପାଦନ କରିବାକୁ ଧର୍ମ ବୋଲାଯାଏ; ମନର ଯେଉଁ ପ୍ରକୃତି ଦ୍ଵାରା ବିଶ୍ଵବିଧାତା ପରମାତ୍ମାଙ୍କ ପ୍ରତି ଭକ୍ତି ଜନ୍ମେ ଜ୍ଞାନବାଦୀମାନଙ୍କ ମତରେ ତାହାର ନାମ ଧର୍ମ।
ଲୌକିକ ଭାବରେ ଭିନ୍ନ ଭିନ୍ନ ଧର୍ମ ସମ୍ପ୍ରଦାୟର ଭିନ୍ନ ଭିନ୍ନ ଧର୍ମପୁସ୍ତକ ଯଥା-ହିନ୍ଦୁମାନଙ୍କର ବଦ, ସ୍ମୃତି, ପୁରାଣ; ମୁସଲମାନଙ୍କର କୋରାନ୍ ସରୀଫ; ବୌଦ୍ଧମାନଙ୍କର ତ୍ରିପିଟକ; ଶିଖମାନଙ୍କର ଗ୍ରନ୍ଥ ସାହେବ; ପାରସୀମାନଙ୍କର ଜେନ୍ଦାଭେସ୍ତା; ଜୈନମାନଙ୍କର କଳ୍ପସୂତ୍ର; ଖ୍ରୀଷ୍ଟିୟାନ ମାନଙ୍କର ବାଇବେଲ୍ ଇତ୍ୟାଦିରେ ଦିଆଯାଇଥିବା ନୀତି ନିୟମକୁ ମଧ୍ୟ ଧର୍ମ କୁହାଯାଏ।
ଭଗବତ୍-ଗୀତାଙ୍କ ପ୍ରଥମ ପଦରେ ଧୃତରାଷ୍ଟ୍ରଙ୍କ ଦ୍ଵାରା କୁହାଯାଇଥିବା ପ୍ରଥମ ଶବ୍ଦର ଅର୍ଥ ହେଉଛି ‘ଧର୍ମ କ୍ଷେତ୍ରରେ’ (ଧର୍ମ-କ୍ଷେତ୍ରେ)। ଏହି ପଦରେ, ଅନ୍ଧ ରାଜା ତାଙ୍କ ସହକାରୀ ସଞ୍ଜୟଙ୍କୁ କୁରୁକ୍ଷେତ୍ର ଯୁଦ୍ଧକ୍ଷେତ୍ରରେ ଘଟିଥିବା ଘଟଣା ବିଷୟରେ ପଚାରିଥିଲେ।
କୁରୁ ରାଜ୍ୟ ସହିତ ସଂଲଗ୍ନର ପ୍ରତୀକ ଭାବରେ ଧୃତରାଷ୍ଟ୍ର କୁଖ୍ୟାତ ଅଟନ୍ତି। ଏବଂ ଯେଉଁଠାରେ ଯୁଦ୍ଧ ଘଟୁଛି ସେହି ସ୍ଥାନ ତାଙ୍କ ରାଜବଂଶ ଅନୁସାରେ ନାମକରଣ କରାଯାଇଛି: କୁରୁକ୍ଷେତ୍ର। ତଥାପି ସେହି ନାମ ତାଙ୍କ ପାଟିରୁ ପ୍ରଥମେ ଆସି ନାହିଁ; ଏହା ପରିବର୍ତ୍ତେ, ପ୍ରଥମେ ଆସୁଥିବା ନାମ ହେଉଛି ସେହି ସ୍ଥାନର ଏକ ନୈତିକ ଗୁଣ: ଧର୍ମ କ୍ଷେତ୍ର; ଅଥାର୍ତ ଏହା ଧର୍ମର ଏକ ସ୍ଥାନ। ଏଠାରେ ଧର୍ମକୁ ଗୁଣ, କର୍ତ୍ତବ୍ୟ, ସଠିକ୍ କାର୍ଯ୍ୟ ଏବଂ କର୍ମ ଭାବରେ ନିଆ ଯାଇପାରେ।
ଧୃତରାଷ୍ଟ୍ର କାହିଁକି ସେହି ସ୍ଥାନର ନୈତିକ ଶକ୍ତିକୁ ପ୍ରଥମେ ଦର୍ଶାଇଛନ୍ତି? ଏ ପ୍ରଶ୍ନର ଉତ୍ତର ଖୋଜିବାକୁ ଯାଇ ଏତିକି କୁହାଯାଇ ପାରିବ ଯେ, କାରଣ ହେଉଛି, ସେହି ଶକ୍ତି ତାଙ୍କ ମନରେ ଗଭୀରତାର ସହ ଆସ୍ଥାନ ଜମାଇ ବସିଥିଲା। ଏହା ଯୁଦ୍ଧକୁ କିପରି ପ୍ରଭାବିତ କରିପାରେ ବୋଲି ସେ ପ୍ରଶ୍ନ କରିଥିଲେ। ଏହା ତାଙ୍କ ପୁତ୍ରମାନଙ୍କୁ ନିରାଶ କରିବ କି, କାରଣ ସେମାନେ ଅତ୍ୟନ୍ତ ଦୁଷ୍ଟ ବୁଦ୍ଧି ସମ୍ପନ୍ନ ଥିଲେ? ପାଣ୍ଡବମାନେ ଯେହେତୁ ଧାର୍ମିକ ଓ ଉତ୍ତମ ଗୁଣ ସମ୍ପନ୍ନ ଥିଲେ ଏହା ପାଣ୍ଡବମାନଙ୍କୁ ବିଜୟ ପ୍ରଦାନ କରିବ କି?
କ୍ରମଶଃ ...
