ଜଗ ଜଗ ନାରୀ
ଜଗ ଜଗ ନାରୀ
ଦ୍ଵିପହର ସମୟ। ଶ୍ୟାମର ଘର ଅଗଣାରେ ବସିଥିଲେ ଗାଁର ମୁଖିଆ ରମେଶ ବାବୁଙ୍କ ନେତୃତ୍ଵରେ ପଞ୍ଚାୟତ। ଶ୍ୟାମ ଠାରୁ ପଞ୍ଚାୟତ ଡକେଇବାର କାରଣ ବୁଝି ସାରିବା ପରେ ସମସ୍ତଙ୍କ ମନରେ ଅବୁଝା ଅବୁଝା ଭାବ। ଏପରି ଘଟଣା ଘଟିବା ଏଇ ଗାଁରେ କାହିଁକି ଏ ଅଞ୍ଚଳରେ ପ୍ରଥମ। ବଡ଼ ଭାଇର ପରଲୋକ ହେବା ପରେ ସାନ ଭାଇ ଭାଉଜକୁ ଦ୍ଵିତୀୟ ହେବା ଶୁଣା ଜଣା ଥିଲା। ଭାଉଜ ଦିଅରଙ୍କ ମଧ୍ୟରେ ହସଖ୍ୟାଲ ଚୁଗୁଲି ଚାଗଲ ଶୁଣାଥିଲା। ହେଲେ ଭାଇ ଥାଉ ଥାଉ ଭାଉଜକୁ ..., ଏହା ଶୁଣା ନ ଥିଲା। ହଁ କେଉଁଠି କେମିତି ଭାଉଜ ଦିଅର ଭିତରେ ଅନୈତିକ ସମ୍ପର୍କ ବଢ଼ି ଯାଇଥିବା ଶୁଣିବାକୁ ମିଳୁଥିଲା। ହେଲେ ଶ୍ୟାମ ଘର କଥା ନିଆରା।
ରମେଶ ବାବୁ ବଙ୍ଗରକୁ ପଚାରିଲେ, “ଆଛା ବଙ୍ଗର! ଘଟଣା କ’ଣ ଆମକୁ ଟିକେ ବୁଝେଇ କହିଲ।”
ବଙ୍ଗର କହିଲା, “ଘଟଣା କ’ଣ ଆଉ। ଭାଉଜ ମୋ ପାଖରେ ରହିବାକୁ କହୁଛି। ସେ ଭାଇ ପାଖକୁ ଯିବାକୁ ମନା କରୁଛି।”
“ତୁମ ପାଖରେ ରହିବ ମାନେ?” ରମେଶ ବାବୁ ପଚାରିଲେ।
“ଭାଉଜ ମୋ ସ୍ତ୍ରୀ ଭାବରେ ମୋ ପାଖରେ ରହିବ ବୋଲି କହୁଛି। ରହିବ କ’ଣ ଆମେ ବର୍ଷେ ହେଲା ସ୍ଵାମୀ ସ୍ତ୍ରୀ ଭାବେ ରହି ଆସୁଛୁ।” ବଙ୍ଗର ମୁଣ୍ଡ ତଳକୁ କରି କହିଲା।
ତୁ କ’ଣ ଏଥିରେ ରାଜି? ଜଣେ ଭଦ୍ରଲୋକ ପଚାରିଲେ।
ବଙ୍ଗର ଉତ୍ତରରେ କହିଲା, “ହଁ, ମୁଁ ରାଜି। ଅରାଜି ହେବାର ବାଟ ହିଁ ନାହିଁ।”
ବଙ୍ଗର ଉପରେ ଚଢ଼ି ଗଲେ ଜଣେ ଭଦ୍ରଲୋକ। କହିଲେ, “ବଦମାସୀ ତୁ ହିଁ କରିଥିବୁ। ଭାଉଜ ମା’ ସମାନ, ତୁ ତା ସହ କେଉଁ ଏକ ଦୃର୍ବଳ ମୂହୂର୍ତ୍ତରେ କିଛି ଅନୈତିକ କାର୍ଯ୍ୟ କରିଥିବୁ ବୋଧହୁଏ। ଶ’ ନୀଚ୍ଚ! ଶ’ ଛୋଟଲୋକ!”
ବଙ୍ଗର ମୁଣ୍ଡ ତଳକୁ କରି ସେଇମିତି ଠିଆ ହୋଇଥାଏ।
ଆଉ ଜଣେ ଭଦ୍ରଲୋକ ଆରମ୍ଭ କଲେ, “ତତେ ଲାଜ ଲାଗୁନି, ଏତେ ଲୋକରେ ଏ କଥା କହିବାକୁ। ଶ’ ଗାଁରେ, ସମାଜରେ ଏହାର କି ପ୍ରଭାବ ପଡ଼ିବ? ଘରେ ସ୍ତ୍ରୀକୁ ଛାଡ଼ି ବିଦେଶ ଯିବା ଦୂରେ ଥାଉ କିଏ ଆଉ ବାହାର ସହରକୁ ଚାକିରୀ କରିବାକୁ ଯିବାକୁ ସାହାସ କରିବ। ଶ୍ୟାମ ଭଲ, ବିଲେଇକୁ ମାଛ ଜଗେଇ ଥିଲା।”
ଶ୍ୟାମ କଥାକୁ ସେଇଠି ରୋକି କହିଲା, “ଆଜ୍ଞାମାନେ! ଯାହା ହେଲାଣି ତ ହେଲାଣି, ସାନ ଭାଇ ତ। ଏମିତି କିଛି ପୋଥି ଅଶୁଦ୍ଧ ହୋଇ ଯାଇନି। ମୁଁ ଏତେ ପରେ ବି ମୋ ରାଧାକୁ ପାଖରେ ରଖିବାକୁ ରାଜି ଅଛି। ମୋର ଏ କୁନି କୁନି ଝିଅ ଦୁଇଟାର ଅବସ୍ଥା କ’ଣ ହେବ? ରାଧାକୁ ବୁଝାଇ ତାକୁ ମୋ ପାଖକୁ ଛାଡ଼ିବାର ଟିକେ ବ୍ୟବସ୍ଥା କରି ଦିଅନ୍ତୁ।”
ଆଉ ଅନ୍ୟ କିଏ କିଛି କହିବା ପୂର୍ବରୁ ରମେଶ ବାବୁ ଆଲୋଚନାକୁ ଆଗକୁ ବଢେ଼ଇବାକୁ ଯାଇ କହିଲେ, “ସେ ରମା ନାନୀଙ୍କୁ ଡ଼ାକିଲ, ସେ ଯାଇ ଟିକେ ରାଧା ସହ କଥାବାର୍ତ୍ତା କରି ଆସନ୍ତୁ।”
ରମା ନାନୀ ବିଧବା। ପାଞ୍ଚଫୁଟ ଛଅ ଇଂଚର ଭାରି ହସ ଖୁସିଆ ମଣିଷ। ଗାଁ ଟା ଯାକର କି ପିଲା କି ବୁଢ଼ା କି ଟୋକୀ କି ବୁଢ଼ୀ ସମସ୍ତେ ତାଙ୍କର ନିଜର। ଲେଖାରେ ଶ୍ୟାମର ଭାଉଜ ହେବ।
ରମା ନାନୀଙ୍କୁ ଗାଁଟା ଯାକର କଥା ଜଣା। ସେ ପୂର୍ବରୁ ଏ ବିଷୟରେ ଟିକେ ଟିକେ ଶୁଣି ଥିଲେ। ଯାଇ ରାଧା ପାଖରେ ପହଞ୍ଚିଲେ। ଏକେଲା ଘର କୋଣରେ ବସି ରାଧା କାନ୍ଦୁ ଥିଲା।
ରମା ନାନୀ ଡାକିଲେ, “ରାଧା! ରାଧା!”
ରମା ନାନୀର ଡାକ ଶୁଣି ରାଧା ମୁହଁ ବୁଲେଇ ଚାହିଁଲା।
ରମା ନାନୀ ପଚାରିଲେ, “ରାଧା! ପଞ୍ଚାୟତ ବସିଛି। ସେମାନେ ପଚାରୁଛନ୍ତି ଘଟଣା କ’ଣ? ତୁ ତୋର ବାହାହେଲା ଗେରସ୍ତକୁ ଛାଡ଼ି ଏ ଅକାଳ କୁଷ୍ମାଣ୍ଡ ବଙ୍ଗର ପାଖରେ ରହିବୁ? ଶ୍ୟାମ କ’ଣ ତୋତେ ସ୍ଵାମୀ ସୁଖ ଦେଇ ପାରୁ ନ ଥିଲା? କ’ଣ ଏମିତି ଘଟିଲା ଯେ ତୁ ତୋର ଏତେ ଦିନର ସଂସାର ଭାଙ୍ଗି ବଙ୍ଗର ପାଖରେ ରହିବାକୁ ଚାହୁଁଛୁ? ଏତେ ଦିନର ସମ୍ପର୍କ କ’ଣ କେବଳ ଦେଖେଇ ହେବାରେ ସୀମିତ ଥିଲା। ସେଥିରେ କ’ଣ ଆକର୍ଷଣ ନ ଥିଲା? ଯଦି ନ ଥିଲା, ଏ ସବିତା କବିତା ଆସିଲେ କୁଆଡ଼ୁ?”
ଏକକଳୀନ ଏତେ ପ୍ରଶ୍ନ! ତଥାପି ରାଧା ଥିଲା ନୀରବ।
ରମା ନାନୀ ପଚାରି ପଚାରି ଥକି ଗଲେ। ରାଧାର ଗୋଟିଏ ହେଲେ ଉତ୍ତର ନାହିଁ।
ଶେଷରେ ରମା ନାନୀ ପଚାରିଲେ, “ତେବେ ତୁ ଏବେ କହିଲୁ-ତୁ ଶ୍ୟାମ ସାଥିରେ ରହିବୁ କି ନାହିଁ?”
କେବଳ ମୁଣ୍ଡ ହଲାଇ ନାହିଁ କଲା ରାଧା।
ଯେଉଁ ରାଧା ନିଜେ ଏକ ପ୍ରଶ୍ନବାଚୀ ପାଲଟି ଯାଇଛି ସେ ବା କି ଉତ୍ତର ଦେବ। ସେଦିନ ରାତିରେ ରାଧାକୁ ଘରେ ନ ପାଇ ଛକି ବସିଥିବା ଶାଶୁ ପାହାନ୍ତା ପହରରେ ବୃନ୍ଦାବନର ଯମୁନା କୂଳରେ ରାସକୁଞ୍ଜରୁ ଶ୍ୟାମ ସହ ରାହାସ ମଣ୍ଡଳୀରେ ସାରା ରାତି ବିତାଇ କରି ଫେରିବା ବେଳେ ଏଇମିତି ହଜାରେ ପ୍ରଶ୍ନବାଣରେ ଜର୍ଜରିତ କରିଥିଲା ରାଧାକୁ। ଫରକ ଏତିକି ଆଜି ଏଇ ରାଧକୁ, ଶ୍ୟାମ ବିରହ ବିଛେଦରେ ଦଗ୍ଧିଭୁତ ହୋଇ ବି, ଶ୍ୟାମ ନିକଟକୁ ନ ଯାଇପାରିବା କାରଣରୁ ଏତେ ପ୍ରଶ୍ନର ସମ୍ମୁଖିନ ହେବାକୁ କାଠଗଡ଼ାରେ ଠିଆ ହେବାକୁ ପଡ଼ିଛି। କିନ୍ତୁ ସେଦିନ ଶ୍ୟାମ ସହ ଲକ୍ଷ ଲକ୍ଷ ତାରାଫୁଲରେ ଝିଲିମିଲି କରୁଥିବା ରାତିରେ, ଯମୁନା ଲହରରେ ଲହଡ଼ି ଭାଙ୍ଗୁଥିବା ଅଳସ ଢେ଼ଉର ବିମଳ ଜୋଛନାର ତାଳେ ତାଳେ ଲତାକୁଞ୍ଜରେ ରାସ ରଚି ମିଳନର ସାହାନାଇ ଶୁଣିବା କାରଣରୁ ତାକୁ ସମାଜର କୁତ୍ସିତ ଆଖି ରୂପକ କାଠଗଡ଼ାରେ ଉତ୍ତର ଦେବା ପାଇଁ ଛିଡ଼ା ହେବାକୁ ପଡ଼ିଥିଲା।
ରାଧା କିଛି କହିଲାନି। ଭାବନାର ଫୁଆର ଯଦିଓ ତାର ମନ ସାଗରରେ ପ୍ରବଳ ବେଗରେ ଉଠୁଥିଲା, ବିରାଟ ବିରାଟ ଲହଡ଼ି ଯଦିଓ ତାର ହୃଦୟ ବେଳାରେ ଆସି ମାଡ଼ ହେଉଥିଲା ଖାଇ ଯାଉଥିଲା କୁଳର ବାଲି ପଠା ତଥାପି ସେ ବାହାରକୁ ଗଭୀର ସମୁଦ୍ର ପରି ସ୍ଥିିର ଥିଲା।
ଶ୍ୟାମ ପଞ୍ଚାୟତରେ କହୁଥିବା ପ୍ରତିଟି ଶବ୍ଦ ତା କାନରେ ବାଜିଥିଲା। ତା’ ଶରୀର, ମନ ଓ ହୃଦୟ, ସେ ଶବ୍ଦର ମନ୍ତ୍ରରେ ଯଦିଓ ସମ୍ମୋହିତ ହୋଇ ଯାଉଥିଲା ତଥାପି ସେ ନିଜ ଶପଥରେ ଅଟଳ ଥିଲା। ଆଜି ଯାହା ପାଇଁ ତାକୁ ସମାଜର ବଡ଼ଦାଣ୍ଡରେ ବୋୖଦ୍ଧିକ ଉଲଗ୍ନ ହେବାକୁ ପଡ଼ୁଛି ସେ ବଙ୍ଗର ସେ ଦୁଃଶାସନଠାରୁ ପ୍ରତିଶୋଧ ନେବାର ଭୁତ ତାକୁ ଶବାର ହୋଇ ଯାଇଥିଲା। ସେ ନୀଳକଂଠ ପରି ସବୁ ଲଜ୍ଜାକୁ ପିଇ ନେବାକୁ ନିଷ୍ପତି ନେଇଥିଲା।
ସେ ପ୍ରତିଶୋଧର ମାନେ ନୀରବ ରହିବା ବୋଲି ଭାବି ନେଇଥିଲା। ସେ ଜାଣିଥିଲା
ସରାଗରେ କହୁଥିବା ପ୍ରେମିକଟିକୁ ତା’ର ପ୍ରେମିକାଟି ଯଦି କିଛି ପ୍ରତ୍ୟୁତ୍ତର ନ ଦେଇ ନୀରବ ରୁହେ ତାକୁ ତାହା କିପରି ଆଘାତ ପ୍ରଦାନ କରେ। ସେ ସେହି ପଥ ଆପଣେଇ ଥିଲା। କିଛି ଉତ୍ତର ନ ଦେବାର ନିଷ୍ପତି ନେଇଥିଲା। ଟିକେ ଅଭିମାନ ପାଇଁ ସେ ଜୀବନ ସାରା ଜଳିବାର ନିଷ୍ପତି ନେଇଥିଲା।
ରମା ନାନୀ ବୁଝେଇଲେ, “ଆଲୋ ରାଧା! ଏମିତି କେତେ ଭାଉଜ, ଦିଅର ମାନଙ୍କ ସହ କେଳୀ କରୁ ଛନ୍ତି, ହେଲେ ତୋ ପରି ବୋକୀ କେହି ନୁହଁନ୍ତି। ସମସ୍ତେ ସ୍ବାମୀ ସୋହାଗିନୀ ହୋଇ ଅଛନ୍ତି ନା ତୋ ପରି ଏମିତି ଦିଅର ସାଥିରେ ରହିବାକୁ ଅଡ଼ି ବସୁଛନ୍ତି? ଦିଅର ଦିଅର। ସେଥିରେ କିଛି ପାପ ନାହିଁ। ତୁ ଏମିତି ଭାବୁଛୁ କାହିଁକି? ଶ୍ୟାମ ତ ରାଜି। ଏତେ ସବୁ ପରେ ମଧ୍ୟ ସେ ତତେ ଆପଣାଇବାକୁ ରାଜି। ତୋର ଅସୁବିଧା କ’ଣ।
ରାଧା ସବୁ ଶୁଣୁଥିଲା। ସେ ଭାବିଲା ମୁଁ ଶ୍ୟାମ ପାଖକୁ ଫେରିଗଲେ ମଧ୍ୟ ଶ୍ୟାମ ମୋତେ ଭଲପାଇବାରେ କେବେ ହେଳା କରିବେ ନାହିଁ ମୁଁ ଜାଣେ। ହେଲେ ତାଙ୍କ ପାଖରେ ମୁଁ ସବୁ ଦିନ ପାଇ ଛୋଟ ହୋଇ ଯିବି। ଯେବେ ଯେବେ ତାଙ୍କ ମୁହଁକୁ ଚାହିଁବି ସେବେ ସେବେ କ୍ଷଣଟିଏ ମଧ୍ୟ ଚାହିଁ ରହିବାର ସାମର୍ଥ୍ୟ ରଖି ପାରିବି ନାହିଁ। ଯେଉଁ ଲଜ୍ଜା ନାରୀର ଭୂଷଣ ସେ ମୋ ପାଇଁ କଷଣ ପାଲଟି ଯିବ। ବିଛା ପରି ସେ ମୋତେ ସର୍ବଦା ଦଂଶନ କରି ଚାଲିବ। ହେଲେ ଏ ବଙ୍ଗର ଆଉ ଗୋଟେ ମାଇକିନା ଆଣି ଏଇଠି ନିଜକୁ ପିତ୍ତଳ ମାଠିଆ ବୋଲି ଦେଖେଇ ହେବ। କେତୋଟି ଦିନରେ ସେ ତା’ର ଭୁଲକୁ ଠିକ ପ୍ରମାଣିତ କରିଦେବ। ସବୁ ଭୁଲ ମୋ ଉପରେ ଅଜାଡ଼ି ହୋଇ ପଡ଼ିବ।
କିଛି ନ କହି ରାଧା ନୀରବ ରହିଲା।
ରମା ନାନୀ ରାଧା ପାଖରୁ ଫେରି ଗଲେ। ଭଦ୍ରଲୋକ ବସିଥିବା ପଞ୍ଚାୟତରେ
ରାଧାର ନିଷ୍ପତି ମଧ୍ୟ ଜଣାଇ ଦେଲେ।
ରମେଶ ବାବୁ ବଙ୍ଗରକୁ କହିଲେ, “ବଙ୍ଗର! ତୁ ରାଧାକୁ ସ୍ତ୍ରୀର ମର୍ଯ୍ୟାଦା ଦେଇ ରଖିବୁ ତ? ଭଲ କରି ନିଷ୍ପତି ନେ। ତୁ ଟୋକା ଲୋକ ତୋତେ କୁଆଁରି କନ୍ୟା ବୋହୂ ରୂପେ ମିଳିବେ। ରାଧା ପରି ଦୁଇଟି ଝିଅ ଜନ୍ମ କରିଥିବା ଜଣେ ବୟସ୍କା ସ୍ତ୍ରୀକୁ ବାହା ହୋଇ ରହିବୁ କାହିଁକି। ପୁଣି ସେ ତୋର ଭାଉଜ। ତାକୁ ତୋ ଭାଇକୁ ଫେରେଇ ଦେ। ସେ ତ ତୋ ବାହାଘର ଏବେ କରିଦେବ ବୋଲି କହୁଛି। ତୁ ରାଜି ହେଲେ ରାଧା ଶ୍ୟାମ ପାଖକୁ ଫେରିବାକୁ ରାଜି ହୋଇ ଯିବ। ତୋର ଭବିଷ୍ୟତ ଅଛି।”
ବଙ୍ଗର କହିଲା, “ନା ନା, ମୁଁ ରାଧାକୁ ଛାଡ଼ିବି ନାହିଁ। ଏଥି ପାଇଁ ମୋତେ ଜୀବନ ଦେବାକୁ ପଡ଼ିଲେ ମଧ୍ୟ ମୁଁ ପଛକୁ ହଟିବି ନାହିଁ।”
କେହି ଜଣେ କହିଲେ, “ଉଇ ଗାଡ଼ରେ ପୁଅ ମୁହଁ ଭର୍ତ୍ତି କରି ଦେଇଛି। ତାକୁ ଛାଡ଼ିବ ବା କେମିତି।”
ଅନ୍ୟ କିଏ ଜଣେ କହିବାର ଶୁଭିଲା, “ମହୁଫେଣାରେ ଭାଲୁ ଜିଭ ଥରେ ଲଗିଗଲେ ତାକୁ ମହୁ ମାଛି ଦଂଶନ ଖରା ଦିନିଆଁ ଶୀତଳ ବର୍ଷା ପରି ଆରାମ ଲାଗେ, ତାହାର ଆନନ୍ଦ ପୁଅ ଭୁଲିବ କେମିତି?
ରମେଶ ବାକୁ ଶ୍ୟାମକୁ କହିଲେ, “ଶ୍ୟାମ! କରିବା କ’ଣ। ରାଧା ତ ନାହିଁ କରୁଛି। ଏଣେ ବଙ୍ଗର କଥା ତ ଶୁଣିଲୁ। ଆମେ କରିବା କ’ଣ?”
ଶ୍ୟାମ କହିଲା, “ଆଜ୍ଞା ମୋର ଏ ପିଲା ଦୁଇଟା ଅନାଥ ହୋଇ ଯିବେ। ମୁଁ କରିବି କ’ଣ?”
ରମେଶ ବାବୁ ଶେଷ ନିଷ୍ପତି ଦେଲେ, “ବଙ୍ଗର! ଯେତେ ଦିନ ଲୁଚାଛପାରେ ରହିଲ ରହିଲ। ରାଧା ଯଦି ତୁମ ପାଖରେ ରହିବ ତୁମକୁ ଏବେ ଗାଁ ମନ୍ଦିରରେ ତାକୁ ଆମ ସମସ୍ତଙ୍କ ଉପସ୍ଥିତିରେ ବରଣ ମାଳ ପକାଇ ବାହା ହେବାକୁ ପଡ଼ିବ। ରାଧା ସିନ୍ଥିରେ ତୁମେ ସିନ୍ଦୁର ପିନ୍ଧାଇବ। ତାହା ପରେ ଯାଇ ଶ୍ୟାମ କଥା ବୁଝାଯିବ।”
ସମସ୍ତେ ଗାଁ ମନ୍ଦିର ଆଡ଼କୁ ଆଗେଇ ଚାଲିଲେ।

