STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Others

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Others

ଦେଶୀ

ଦେଶୀ

2 mins
8


ବିଦେଶ ବା ଫରେନ ନାଁଟା ଶୁଣି ଦେଲେ ଆମ ମନରେ ଗୋଟେ ସ୍ଵପ୍ନିଳ ସ୍ଵପ୍ନିଳ ରଙ୍ଗ ଚଢ଼ିଯାଏ। ବିଦେଶିନୀ ନାଁଟା କାନରେ ବାଜିଗଲେ କେତେକଙ୍କ ଦେହରୁ ଝାଳ ବୋହି ଯାଉଥିବା ସଚରାଚର ଶୁଣାଯାଉଥିଲା ବେଳେ ଦେଶୀ ନାଁଟା ଶୁଣି ଆମ ଭିତରୁ ଅନେକ ନାକ ଟେକୁଥିବା ଦେଖିବାକୁ ମିଳେ। କାହା ପୁଅ ବିଦେଶ ଯାଇଥିଲେ ତା ବାପା ଗାଁ ସାରା ବୁଲି କଲର ଟେକୁଥିବାର ଦୃଶ୍ୟ ଅତ୍ର ତତ୍ର ସର୍ବତ୍ର ଦେଖାଯିବାରେ କିଛି ବିଚିତ୍ରତା ନ ଥିବା ଆମର ଅନୁଭବ ଅଛି। ଫରେନ ଫେରନ୍ତା ଦେଶୀବାବୁଙ୍କର କାଟତି ଦେଶୀ ମହଲରେ ଢେ଼ର ଅଧିକ। ସେଇଥି ପାଇଁ କେତେକ ଦେଶୀ ବାବୁ ବିଦେଶରୁ ଅନେକ ଡିଗ୍ରୀ ହାସଲ କରି ନିଜର ଓଜନ ବଢେ଼ଇବାକୁ ଚେଷ୍ଟା କରୁଥିବା ଖବର କାଗଜାଦିର ପୃଷ୍ଠା ମଣ୍ଡନ କରେ। ହେଲେ ସେଦିନ ଗାଁ ଦାଣ୍ଡରେ ପରିବା ବିକାଳୀ ଟୋକାର ‘ଦେଶୀ ମକା ନିଅ ଦେଶୀ ମକା’ ଡାକ ଶୁଣି ପଦାକୁ ବାହାରି ପଚାରିବାରେ ଜଣାଗଲା ଏବେ ଦେଶୀର କାଟତି ବଢ଼ିବାକୁ ଲାଗିଛି। ସମୟ ବଦଳି ଯାଇଛି କି କ’ଣ କେଜାଣି ଏବେ ଲୋକେ ବାଡ଼ି ବାଇଗଣ, ବାଡ଼ି ସଜନା ଶାଗ, ବାଡ଼ି ଶାଗ, ବାଡ଼ିରେ ହୋଇଥିବା ବରଗୁଡ଼ି, ଦେଶୀ କୋଟଳ, ଖୋଜୁଛନ୍ତି। ଯେତେବେଳେ ବିଦେଶୀ ମିଠା ମକା ବଜାରରେ ହାଉ ଜାଉ ହୋଇ ରାଜତ୍ଵ କରୁଛି ସେତେବେଳେ କିଛି ଲୋକ ଦେଶୀମକାର ପ୍ରେମରେ ପଡ଼ିଥିବା ଶୁଣି କାବା ଲାଗିଲା। ପୂର୍ବରୁ ବିଦେଶୀ ପ୍ରେମରେ ମସଗୁଲ ଥିବା ଦେଶୀ ଲୋକମାନେ ଏବେ ଖୋଜି ଖୋଜି ଦେଶୀ ଜିନିଷ ପଛରେ ଗୋଡେ଼ଇଥିବା ଚକିତ କରୁଛି। ଲୋକେ ବିଦେଶୀ ବିଲାତି ବାଇଗଣ ପ୍ରେମରେ ପଡି ଦେଶୀକୁ ପରିତ୍ୟାଗ କରିଦେଇଥିବା ବେଳେ ଏବେ ଦୋକାନରେ ଦେଶୀ ଟମାଟୋ ଖୋଜିଲା ବେଳକୁ ସେ ଲୁଚକାଳି ଖେଳୁଛି। ଏବେ ହଜାରେ ତେପନ, ଜୟା, ଜଗନ୍ନାଥ ଆଦି ବିଦେଶୀ ଧାନ ବିହନ ପଛରେ ପଡ଼ିଥିବା ବିଦେଶୀ ପ୍ରେମୀମାନେ ଦେଶୀ ଧାନର ସଂରକ୍ଷଣ ନିମନ୍ତେ ଅଣ୍ଟା ଭିଡ଼ୁଥିବା କାନକୁ ତାବଦା କରିଦେଉଛି। କିଛି ପୁରୁଣା ଅଶୀତିପର ବୁଢ଼ା ଏ ଅବସ୍ଥା ଦେଖି ‘ଓଲ୍ଡ ଇଜ୍ ଗୋଲ୍ଡ’ ବୋଲି କହି ମୁରୁକି ହସା ଦେଉଥିବା ବେଳେ ‘ଦେଶୀ’ ଆନନ୍ଦରେ ମସଗୁଲ ଥିବା କଥାଟା, ମନକୁ ସନ୍ତୋଷ ପ୍ରଦାନ କରିବାଟା ଯେ ନିଶ୍ଚିତ ଏଥିରେ ଦ୍ଵିମତ ନାହିଁ।


এই বিষয়বস্তু রেট
প্রবেশ করুন