STORYMIRROR

ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy Thriller

4  

ଡ.ସୁରେଶ ଚନ୍ଦ୍ର ବରାଡ଼

Tragedy Thriller

ଜଗ ଜଗ ନାରୀ (ଭାଗ-୮)

ଜଗ ଜଗ ନାରୀ (ଭାଗ-୮)

5 mins
12



ଦୁଇ ଝିଅଙ୍କୁ ଛାତିରେ ଜଡେ଼ଇ ଧରିବା ମାତ୍ରେ ଶ୍ୟାମ ଦେହରେ ତଡ଼ିତ୍ ପ୍ରବାହ ହୋଇଗଲା। ତାକୁ ଲାଗିଲା ରାଧା ତା ଆଲିଙ୍ଗନ ଭିତରେ ଅଛି। ଚାହିଁଲା ସେମାନଙ୍କ ମୁହଁକୁ। ମୁହଁଟି ମାନ ଥିଲା ରାଧାର। କିନ୍ତୁ ସେଥିରେ ନ ଥିଲା ହସ। ନିରେଖି ଚାହିଁଲା ଅନ୍ତର୍ହିତ ହୋଇ ଗଲା ରାଧାର ମୁହଁ । ସେ ନିଜ କୁନି ଝିଅ ଦିଓଟିର ଶୁଖିଲା ମୁହଁ ଦେଖିବାକୁ ପାଇଲା। ତା ଭିତରେ ଯୁଗ ଯୁଗର ଦୁଃଖ ପୁରି ରହିଥିବା ପରି ତାକୁ ଲାଗିଲା। ସେ ମୁହଁ ଦିଓଟି ଦେଖୁ ଦେଖୁ ତା’ର ସମସ୍ତ ସ୍ଵପ୍ଣ ଭାଙ୍ଗିଗଲା ପରି ତାକୁ ଲାଗିଲା। ପୁଣି ତା ମନ ଭିତରୁ ତାକୁ କିଏ ଜଣେ କହିଲା, “ଆରେ! ଏମାନେ ତୋ ଭବିଷ୍ୟତ। ଏମାନଙ୍କ ଆଖିରେ ଖୁସି ଦେଖିବା ପାଇଁ ତୁ କେତେ କଷ୍ଟ ନ କରିଛୁ ସତେ। ସେମାନଙ୍କ ମନରେ ଆନନ୍ଦ ଭରିଦେବା ପାଇଁ ତୋତେ ଆଉ ଶୋକ ନ ମନାଇଁ କିଛି କରିବାକୁ ହେବ। ମନକୁ ଶକ୍ତ କର।”

ଶ୍ୟାମ ଅନ୍ତରାତ୍ମାର ଡାକରାରେ ମନକୁ ଦୃଢ଼ କଲା। କିଛି କରିବା ପାଇଁ ବଜ୍ର ଶପଥ ନେଲା। ପିଲାମାନଙ୍କୁ କ’ଣ ଦିିଟା ଖାଇବାକୁ ଦେଇ ଶୋଇ ପଡ଼ିଲା। ପିଲାମାନେ ମାଆ ବଦଳରେ ବାପାର ଉଷୁମ ପରଶରେ ଶୋଇଗଲେ ସିନା ଶ୍ୟାମର ଆଖିକୁ ନିଦ ଆସୁଛି କେଉଁଠୁ। ଛାଇ ନିଦ ମାଡ଼ି ଆସୁଛି। ଦେଖିଲା ରାତିର ସେଇ ଅନ୍ଧକାର ଭିତରେ ରାଧା ଆସି ତା ପାଦ ପାଖରେ ବସିଲା। ମୋ ଧନ କେତେ ପରିଶ୍ରମ କରିଛନ୍ତି ବୋଲି କହି ଦୁଇ ଗୋଡ଼ ପାଦ ଠାରୁ ଜଙ୍ଘ ଯାଏଁ ଘସି ଦେଲା। ପାଖକୁ ଆସି ଅନ୍ତରଙ୍ଗତାର ସହ ଶୋଇଗଲା। ଶ୍ୟାମ ତାକୁ ନିବିଡ଼ ଭାବରେ ଆଲିଙ୍ଗନ କରି ଭିଡ଼ି ଧରିବା ବେଳକୁ ତାହା ଛାତିରେ କ’ଣ ଗୋଟେ ଗଳି ଗଳିଗଲା। ତାକୁ ଭିଷଣ କଷ୍ଟ ଅନୁଭବ ହେଲା। ତାକୁ ଲାଗିଲା ରାଧା ଏକ ଛୁରୀରେ ତା ଛାତିକୁ ଭୂଷି ଦେଇଛି। ମରିଗଲି ମରିଗଲି..., କିଏ କେଉଁଠି ଅଛ ରକ୍ଷାକର..., ବୋଲି ଶ୍ୟାମ ଚିତ୍କାର କରିବାକୁ ଲାଗିଲା। ଦେଖିଲା କେହି ଶୁଣୁ ନାହାଁନ୍ତି। ସେ ଉଠିବାକୁ ଚେଷ୍ଟାକଲା। ଦେଖିଲା ରାଧା ତା ଛାତି ଉପରେ ବସିଯାଇଛି। ଶ୍ୟାମ ଗଁ ଗଁ ହେଉଛି। ତା’ ନିଶ୍ଵାସ ପ୍ରଶ୍ଵାସ ବନ୍ଦ ହେବାକୁ ବସିଛି। ଜୀବନ ମରଣର ଶେଷ ଘଡ଼ି। ତାକୁ ଲାଗିଲା ସେ ଆଉ ବଂଚିବ ନାହିଁ। ଶରୀରର ସମସ୍ତ ବଳ ପ୍ରୟୋଗ କଲା ଶ୍ୟାମ। ଯୋର କରି ଉଠିବାକୁ ଚେଷ୍ଟା କଲା। ଶେଷରେ ସେ ସଫଳ ହେଲା। ଉଠି ବସିବାକୁ ସକ୍ଷମ ହେଲା। 

ସେ ଦେଖିଲା କେହି କୁଆଡେ଼ ନାହାଁନ୍ତି। ପାଖରେ ଶୋଇଛନ୍ତି ନିଘୋଡ଼ ନିଦରେ ଦୁଇ ଝିଅ କବିତା ଓ ସବିତା। ସେ କୁଣ୍ଢେଇ ଧରିଛି ସାଥିରେ ଆଣି ଆସିଥିବା ଏକ ବ୍ୟାଗ। ସେଇ ବ୍ୟାଗରେ ଥିବା ଲିଚୁ କୋଳିର ଡାଙ୍ଗଟା ତା’ ଛାତିକୁ ପେଲି ହୋଇ ଅଛି ଠିକ୍ ସେଇଠି ଯେଉଁଠି ତାକୁ ଛୁରୀର ଆଘାତ୍ ଯୋଗୁଁ କଷ୍ଟ ଲାଗୁଥିଲା।

ଶ୍ୟାମ ଧିରେ ଉଠିଲା। ତା ଦେହସାରା ଝାଳ ଝାଳ ହୋଇ ଯାଇଛି। ପାଣି ନେଇ ମୁହଁଟା ଟିକେ ଧୋଇ ଦେଲା। ଟିକେ ଭଲ ଲାଗିଲା। ସେ ଜାଣିପାରିଲା ଯାହା ସେ ଦେଖିଲା, ତାହା ମାତ୍ର ସ୍ଵପ୍ନ ଥିଲା। 

ବେଡ଼ ଉପରେ ବସିଲା। ଦୁଇ ଝିଅଙ୍କ ଶରୀର ଛୁଇଁ ଶପଥ କଲା କାଲି ସକାଳୁ ଏହାର ଏକ ସମାଧାନ କରିବାକୁ ହେବ। ଏଇ କୁନି କୁନି ଝିଅ ଦୁଇଟିଙ୍କ ପାଇଁ ତାକୁ କଠୋର ହେବାକୁ ହେବ।

ଭାବୁ ଭାବୁ ତାକୁ କେତେବେଳେ ପାହାନ୍ତା ପହରର ମାଇ କାକରିଆ ନିଦ ଆସି ଯାଇଛି ସେ ଜାଣି ପାରିଲାନି। 

ୟା ଭିତରେ କେତେବେଳେ ଯେ ରାତି ଶେଷ ହୋଇ ଅନ୍ଧାର ହଜି ଗଲାଣି ତାକୁ ଜଣା ନାହିଁ। ଚାରିଆଡେ଼ ସ୍ଵର୍ଣ୍ଣ ସକାଳ ବିଞ୍ଚି ହୋଇ ଗଲାଣି। ଦଶ ଦିଶ ନିର୍ମଳ, ଉଜ୍ଜ୍ଵଳ ଓ ବିମଳ ଦିଶିଲାଣି। ପୂର୍ବ ଦିଗରୁ ସିନ୍ଦୁରା ଫାଟି ଆସି ଅରୁଣ କିରଣର ଆତ୍ମ ପ୍ରକାଶ ହେବାରୁ ଆକାଶରେ ରାଜତ୍ଵ କରୁଥିବା ତାରକା ପନ୍ତି ଉଭେଇ ଗଲେଣି। ବିହଙ୍ଗମ ଦଳ ଦଳ ହୋଇ ନିଜ ନିଜର ନିଡ଼ ପରିତ୍ୟାଗ କରି କଳରୋଳ କୋଳାହଳ କରି ଖାଦ୍ୟାନ୍ଵେଷଣରେ ବାହାରି ଗଲେଣି। ମନ୍ଦ ମନ୍ଦ ଥଣ୍ଡା ଥଣ୍ଡା ସମୀରଣ ବହି ଜନମନରେ ପୁଲକ ଜାତ କଲାଣି। ପୂର୍ବ ଦିବସର ସମସ୍ତ ଚିନ୍ତା ଦୂରିଭୂତ ହୋଇ ସମସ୍ତଙ୍କର ମୁଖ ପ୍ରଫୁଲ୍ଲିତ ଦିଶିଲାଣି। ଚଷାପୁଅ ତା’ର ଚାଷ ସଂରଞ୍ଜାମ ଧରି ବିଲକୁ ବାହାରି ଗଲାଣି। ନବ ବଧୂମାନେ ଦ୍ଵାର ଓଳେଇ ଲିପାପୋଛା କରି ସେଠାରେ ବିଭିନ୍ନ ପ୍ରକାରର ଝୋଟି ପକେଇ ଦ୍ଵାରକୁ ସଜେଇ ସାରିଲେଣି। ଛାତ୍ରଛାତ୍ରୀମାନେ ଟିଉସନ ଯିବାକୁ ବହିବସ୍ତାନୀ ସଜେଇ ସାରିଲେଣି। ମାଆମାନେ ଛୁଆମାନଙ୍କୁ ସାମାନ୍ୟ ଜଳପାନ କରାଇ ମୁଣ୍ଡରେ ତେଲ ଲଗାଇ ମୁଣ୍ଡ କୁଣ୍ଡେଇ ଟିୟୁସନ ଛାଡ଼ିବାକୁ ରେଡ୍ଡି କରି ସାରିଲେଣି। ପିଲାଙ୍କର ସାଇକେଲ ଖଡ଼ଖଡ଼ ଶବ୍ଦ ଶୁଭାଗଲାଣି। ପାହାନ୍ତା ପହରୁ ଫୁଲ ତୋଳିବାକୁ ଯାଇଥିବା ଛୁଆ, ବୁଢ଼ା, ବୁଢ଼ୀ, ମହିଳାମାନେ ପଲିଥିନରେ ପଲିଥିନଏ ଲେଖାଏଁ ଫୁଲଧରି ଘର ମୁହାଁ ହେଲେଣି। ଉପବନରେ ମଲ୍ଲୀ, ମାଳତୀ, ମନ୍ଦାର, ଯୁଈ, ଜାଇ, ଗୋଲାପ, ହେନା, ଟଗର ଫୁଟି ତାହାର ଶୋଭା ବଢେ

଼ଇ ସାରିଲାଣି। ସୁମନ ସୁଗନ୍ଧରେ ଚଉଦିଗ ସୁଗନ୍ଧିତ ହୋଇ ସାରିଲାଣି। ପ୍ରଜାପତି, ଭ୍ରମର ଓ ମହୁମାଛିମାନେ ଫୁଲ ମାନଙ୍କ ସହ ମଧୁର ସମ୍ଭାଷଣ ଆରମ୍ଭ କରିସାରିଲେଣି। ଶିବାଳୟରୁ ଶଙ୍ଖ ଘଣ୍ଟା ଘଣ୍ଟି କାହାଳୀ ମୃଦଙ୍ଗ ଧ୍ଵନି ଶୁଣା ଗଲାଣି। ଏଥି ସହିତ ହରିବୋଲ ହୁଳହୁଳି ଶବ୍ଦ ଭକ୍ତଙ୍କ ମନ ହରଣ କଲାଣି। 

କାଉଟା କା କା ରବ କରି କମ୍ପେଇ ସାରିଲାଣି। ହେଲେ ଶ୍ୟାମର ନିଦ୍ରା ତୁଟିବାର ନାମ ନେଉନି। କିନ୍ତୁ ଯେତେବେଳେ ସୂର୍ଯ୍ୟ କିରଣର ରେଖାଏ କବାଟ ଫାଙ୍କରେ ଆସି ଶ୍ୟାମର ମୁହଁ ସ୍ପର୍ଶ କଲା, ତାହାର ଉତ୍ତାପରେ ଶ୍ୟାମର ନିଦ୍ରା ଭାଜି ଗଲା। ତା’ର ମନେ ପଡ଼ିଗଲା ପୂର୍ବ ରାତ୍ରୀର ଶପଥ କଥା। ସେ ତରତର ହୋଇ ଉଠି ବସିଲା। ତଥାପି ଶୋଇଥିଲେ ସବିତା ଓ କବିତା। ତାଙ୍କୁ ନ ଉଠେଇ ସେ ଶୀଘ୍ର ବାହାରକୁ ବାହାରିଗଲା। ସିଧା ପହଞ୍ଚିଲା ଗାଁ ମୁଖିଆ ରମେଶ ବାବୁଙ୍କ ଘରେ। ବୟସ୍କ ଲୋକ। ପାଖାପାଖି ୭୫ ବର୍ଷ ବୟସ ହେବ। ସାଧାରଣ ଉଚ୍ଚତା, ସାବନା ଶରୀର। ଜ୍ଞାନ ସମ୍ପନ୍ନ ବ୍ୟକ୍ତିତ୍ଵ। ତାଙ୍କୁ ସମସ୍ତ ଘଟଣା ବୁଝାଇ କହିଲା ଶ୍ୟାମ। ବଙ୍ଗରର କାରନାମା କଥା ମଧ୍ୟ ସବିସ୍ତାରେ ବର୍ଣ୍ଣନା କଲା। କହିଲା, “ଦାଦା! ଏହାର ମୁଁ ଏକ ସମାଧାନ ଚାହୁଁଛି। ଜୀବନରେ ଏପରି ଏକ ପରିସ୍ଥିତିର ଯେ ସାମନା କରିବାକୁ ପଡ଼ିବ ସେ କଥା ମୁଁ ସ୍ଵପ୍ନରେ ସୁଦ୍ଧା ଭାବି ନ ଥିଲି। ଏ ମାନସିକ ଯନ୍ତ୍ରଣା, ଏ ହୃଦୟ ବିଦ୍ଧକାରୀ କଷ୍ଟ ମୁଁ ଆଉ ଅଧିକ ସହି ପାରୁନି। ଆପଣମାନେ ଗାଁର ମୁଖିଆ, ମୋର ନମସ୍ୟ। ଆପଣମାନେ ଏହାର ଏକ ସମାଧାନର ସୂତ୍ର ବାହାର କଲେ ମୁଁ ନିଶ୍ଵାସ ନେବାକୁ ସମର୍ଥ ହେବି।” ଆଜି ଦ୍ଵିପହରେ ନିଜ ଘର ଅଗଣାରେ ପଞ୍ଚାୟତ ବସେଇବା ପାଇଁ ଅନୁରୋଧ କଲା। ସେ ସବୁ ଶୁଣି କହିଲେ କୀର୍ତ୍ତନ, ଅଭିମନ୍ୟୁ, ମଙ୍ଗୁଳି, ଯଦୁ, ପ୍ରଫୁଲ୍ଲ ଆଦିଙ୍କୁ ଯା’ ଟିକେ କହିଦେଇ ଆସ। ଆମେ ଠିକ୍ ସମୟରେ ଯାଇ ପହଞ୍ଚି ଯିବୁ। ମୁଖିଆଙ୍କ କଥା ମାନି ଶ୍ୟାମ ଯାଇ ସମସ୍ତଙ୍କୁ ମୁଖିଆଙ୍କ ନିର୍ଦ୍ଦେଶ ଜଣେଇ ଦେଇ ଆସିଲା।

ଦ୍ଵିପହର ସମୟ ଆସି ପହଞ୍ଚିଲା। ଜଣ ଜଣ କରି ମୁଖିଆଙ୍କ ସହ ଅନ୍ୟ ଭଦ୍ରଲୋକମାନେ ଆସି ପହଞ୍ଚିବାକୁ ଲାଗିଲେ। ଅଗଣାରେ ପାଲ ପକେଇ ଦେଲା ଶ୍ୟାମ। ସମସ୍ତେ ଆସି ପାଲରେ ବସିଗଲେ।

ମୁଖିଆ ସେଠାକୁ ବଙ୍ଗରକୁ ଡାକିଲେ। ସେ ଆସିବା ପରେ ଶ୍ୟାମକୁ ପ୍ରଶ୍ନ କଲେ, “ଶ୍ୟାମ! କ’ଣ ଘଟଣା କୁହ। ଆମକୁ କାହିଁକି ଡାକିଛ? ଭଦ୍ରଲୋକ ଡାକି କାହିଁକି ପଞ୍ଚାୟତ ବସାଇଛ।”

ଶ୍ୟାମ ଆରମ୍ଭ କଲା, “ଆଜ୍ଞା! ପାଖ ଗାଁ ପାଣି ଭଣ୍ଡାରର ଜେନା ଘରର ଝିଅ ରାଧା ସହିତ ଆଠ ବର୍ଷ ତଳେ ମୋର ବାହାଘର ହୋଇଥିଲା। ପରିବାର ହସ ଖୁସିରେ ଚଳୁଥିଲା। ୟା ଭିତରେ ମୋର ସବିତା ଓ କବିତା ବୋଲି ଦୁଇଟି ଝିଅ ଜନ୍ମ ଲାଭ କରିଥିଲେ। ଆପଣମାନେ ତ ଜାଣନ୍ତି ଆମେ ଗରୀବ ଲୋକ। ମୂଲ ଲାଗି ମୁଁ ଯାହା ରୋଜଗାର କରେ ସେଥିରେ ପରିବାର ଚଳେ। ସାନ ଭାଇ ମୋର ବଙ୍ଗର। ମୁଁ ବାହାହେଲା ବେଳକୁ ତାକୁ ଚଉଦ ବର୍ଷ। ଦୁଇଟି ଝିଅଙ୍କୁ ଦେଖି ଆମେ ସ୍ଵାମୀ ସ୍ତ୍ରୀ କଥା ହେଲୁ, ଚାହୁଁ ଚାହୁଁ ପିଲା ଦୁଇଟା ବଡ଼ ହୋଇ ଯିବେ। ସେମାନଙ୍କୁ ବାହା ସାହା କରିବା କେମିତି? ଗାଁରେ ଅନ୍ୟ ଜମିରେ ମୂଲ ଲାଗି ଯେତିକି ମିଳୁଛି ସେଥିରେ ପେଟ ପୋଷିବା ଅସମ୍ଭବ। ପିଲାଙ୍କ ପାଠ ପଢ଼ା ପଢ଼ି ଓ ବାହାଘର କରିବୁ କେମିତି? ସେଥି ପାଇଁ ଅଧିକ ରୋଜଗାର କରିବା ପାଇଁ ମୁଁ ବିଦେଶ ଯିବାକୁ ନିଷ୍ପତି ନେଲି। ସେଥିରେ ସାରା ପରିବାର ମଧ୍ୟ ସମ୍ମତି ପ୍ରଦାନ କରିଥିଲେ। ମୁଁ ଜାମ୍ମୁ କାଶ୍ମୀରୀ ଚାଲି ଯାଇଥିଲି। ତିନି ବର୍ଷ ସେଠି ରହିଲି। ଢେ଼ରେ ଟଙ୍କା ରୋଜଗାର କଲି। ଯାହା ରୋଜଗାର କଲି ସବୁ ସାନ ଭାଇ ନାଁରେ ଗାଁକୁ ପଠେଇଲି। ଆପଣମାନେ ଜାଣିଥିବେ ସେହି ଟଙ୍କାରେ ଜମିବାଡ଼ି କେତେ କିଣା ଯାଇଛି। ଆର୍ଥୀକ ଦୃଷ୍ଟିରୁ ଘର ବହୁତ ଉନ୍ନତି କରିଛି। ସବୁ ଠିକ୍ ଠାକ୍ ଚାଲିଥିଲା। ମଝିରେ ଏଇ ବଙ୍ଗର ମୋ ପାଖକୁ କାମ କରିବାକୁ ଜାମ୍ମୁ କାଶ୍ମୀରୀ ଯାଇଥିଲା। କାମ କରି ପାରିଲାନି ବୋଲି ମୁଁ ତାକୁ ଗାଁକୁ ଫେରିଆସିବାକୁ କହି ଫେରେଇ ଦେଇଥିଲି। ସେ ପରିବାରର ଦେଖାଶୁଣା କରୁଥିଲା। ଏଇ ବର୍ଷ ତାହାର ବାହାଘର କରାଇ ଥାଆନ୍ତି। ଗତକାଲି ମୁଁ ଗାଁକୁ ଆସିଲି। ଆସି ଦେଖିଲି ମୋ ଘର ଉଜୁଡ଼ି ଯାଇଛି। ରାଧା ଯାଇ ବଙ୍ଗର ପାଖରେ ଅଛି। ସେଠୁ ମୋ ପାଖକୁ ଆସିବନି ବୋଲି କହୁଛି। ଏ କଥା ମୁଁ ତ ରାଧାଠୁ ଶୁଣିନି, ତେବେ ଏହା ବଙ୍ଗର କହୁଛି। ମୁଁ ଏବେ କରିବି କ’ଣ? ଏ ଟିକି ଟିକି ପିଲାମାନଙ୍କୁ ବଡ଼ କରିବି କେମିତି? ମୋତେ କିଛି ବୁଦ୍ଧିବାଟ ଦେଖା ଯାଉନି। ଘଟଣା କ’ଣ ମୁଁ ବୁଝି ପାରୁନି। ଏହାର ଗୋଟେ ବୁଝାମଣା କରିବା ପାଇଁ ମୁଁ ଗୁହାରି କରି ଆପଣମାନଙ୍କୁ ଡକେଇଛି।”

ଗାଁରେ ଏମିତି ଘଟଣା ପ୍ରଥମ। ଭଦ୍ରଲୋକମାନେ ହାଁ ଟା କରି ଅନେଇଁ ରହିଥିଲେ। କ’ଣ ବିଚାର କରିବେ ସେମାନଙ୍କ ମୁଣ୍ଡରେ ମଧ୍ୟ କିଛି ପଶୁ ନ ଥିଲା।


Rate this content
Log in

Similar oriya story from Tragedy