ଜଗ ଜଗ ନାରୀ (ଭାଗ-୭)
ଜଗ ଜଗ ନାରୀ (ଭାଗ-୭)
ସକାଳ ଯାଇ ସନ୍ଧ୍ୟା ଆସିଲାଣି। ସୂର୍ଯ୍ୟ ମହାକାଶରେ ସାଢେ଼ ଛୟାଅଶି ଲକ୍ଷ କିଲୋମିଟର ଗତି କରି ସାରିଲେଣି, ପୃଥିବୀ ମଧ୍ୟ ନିଜ କକ୍ଷରେ ତେର ଲକ୍ଷ କିଲୋମିଟର ଏଇ ବାର ଘଣ୍ଟାରେ ଧାଇଁ ସାରିଲାଣି। ଯେତେ ପଶୁ ପକ୍ଷୀ ସକାଳେ ଖାଦ୍ୟ ସନ୍ଧାନରେ ନିଜ ନିଜ ଗନ୍ତବ୍ୟ ପଥରେ ଯାଇଥିଲେ, ସମସ୍ତେ ନିଜ ନିଜ ନୀଡ଼କୁ ଫେରି ଆସିଲେଣି। କିନ୍ତୁ ରାଧା ସକାଳୁ ସେଇମିତି ସେଇ ଗୋଟିଏ ଜାଗାରେ ବସିଛି ଯେ ବସିଛି। ତା’ ହାତ ଗୋଡ଼ ଚଳତ ଶକ୍ତି ହରେଇ ବସିଛି। ଶ୍ୟାମକୁ ମୁହାଁ ମୁହିଁ ଭେଟିବାର ସାମର୍ଥ୍ୟ ତା’ର ଲୋପ ପାଇ ଯାଇଛି। ସେ ଯେତେ ଚିନ୍ତା କଲେ ମଧ୍ୟ ଶ୍ୟାମ ସମ୍ମୁଖକୁ କେମିତି ଯିବ, ଗଲେ କ’ଣ କହିବ, ତା’ ମୁହଁକୁ କେମିତି ଚାହିଁବ; ତା’ର ବାଟ ତାକୁ ମିଳୁ ନ ଥିଲା। ତାକୁ ଲାଗୁଥିଲା ଅଥଳ ସମୁଦ୍ରରେ ପ୍ରଚଣ୍ଡ ଝଡ଼ ପ୍ରଭାବରେ ସେ ଯେମିତି ଦିଗହରା ହୋଇ ଯାଇଛି। ତା’ ଜୀବନ ନୌକା କେଉଁ ଦିଗରେ ଯାଉଛି ତାହା ଜାଣିବାର କୌଣସି ଉପାୟ ତାକୁ ଦିଶୁ ନ ଥିଲା। ଦିଗନ୍ତ ବିସ୍ତାରି ମରୁଭୂମିରେ ସେ ଯେମିତି ହଜି ଯାଇଛି।
ସେ ପଡ଼ିଥିଲା ଦ୍ଵିବିଧାରେ। ପରିସ୍ଥିତିରେ ପଡ଼ି ଭୁଲର ଶିକାର ହେବା ପରେ ଶ୍ୟାମ ପାଇଁ ତା’ ମନରେ ଥିବା ଭଲ ପାଇବା, ସମ୍ମାନବୋଧତା ଏବଂ ତା’ ମନରେ ବସା ବନ୍ଧିଥିବା କାଳ କାଳର ସଚ୍ଚରିତ୍ରତାର ସ୍ଵରୂପ ହିଁ ତାକୁ ଶ୍ୟାମକୁ ଛାଡ଼ି ବଙ୍ଗର ସହିତ ରହିବାର ନିଷ୍ପତ୍ତି ନେବା ପାଇଁ ପ୍ରୋତ୍ସାହିତ କରିଥିଲା। ସେ ବଜ୍ର ଶପଥ ନେଇଥିଲା ଏ ଭୁଲ କରିଥିବା ବଙ୍ଗରକୁ ପାନେ ଦେବା ପାଇଁ। ଲୋକେ କହନ୍ତି, “ପୁରୁଷ ପିଲା ହେଉଛି ପିତ୍ତଳ ମାଠିଆ। ସେମାନେ ଯେତେ ମଇଳା ହେଲେ, ମଇଳା କାମ କଲେ ମଧ୍ୟ ଧୋଇ ଧାଇ ହୋଇଗଲେ ପୁଣି ଚକ୍ ଚକ୍ କରିବେ। ତାଙ୍କ ମଇଳା ଲଗା ଚେହେରାକୁ ସମସ୍ତେ ଭୁଲି ଯିବେ। କିନ୍ତୁ ମାଇପିଲା ହେଉଛି ମାଟି ମାଠିଆ। ଥରେ ତା ଉପରେ ମଇଳା ଜମିଲେ ତାକୁ ଯେତେ ଧୋଇ ଧାଇ ନିର୍ମଳ କରିବାକୁ ଚେଷ୍ଟା କଲେ ମଧ୍ୟ ସେଥିରୁ ସେହି ମଇଳାର ଦୁର୍ଗନ୍ଧ ବାହାରିବ ହିଁ ବାହାରିବ।” ହେଲେ ସେ ବଙ୍ଗରକୁ ଧୋଇ ଧାଇ ହୋଇ ନିଜକୁ ନିର୍ମଳ ବୋଲି ଦେଖେଇ ହେବାକୁ ସୁଯୋଗ ଦେବା ସପକ୍ଷରେ ନ ଥିଲା। ସେ ତାହା ସହ ସେହି ମଇଳାକୁ ଏମିତି ଝଳେଇ କରି ଲଗେଇ ଦେବାର ନିଷ୍ପତି ନେଇଥିଲା ଯେ ସେହି ମଇଳା ବାହାରକୁ ଜକଜକ କରି ସର୍ବଦା ଦେଖାଯିବ; ସେ ସେଇ ମଇଳାକୁ ହିଁ ଗଣ୍ଠିଧନ କରି ବେକରୁ ଓହଳାଇ ଛାତିରେ ଧରି ବୁଲୁଥିବ। ସେ ନିଜର ସମସ୍ତ ଭାବନାକୁ ଅନ୍ତଃକରଣରେ ଆତ୍ମସାତ କରି; ଦୁନିଆଁର ସମସ୍ତ ଆଲୋଚନା ସମାଲୋଚନାକୁ ସମ୍ମୁଖିନ ହେବାର ମାନସିକତାକୁ ଆପଣେଇ ନେଇ; ନିଜର ଆତ୍ମ ସମ୍ମାନ, ସ୍ଵାଭିମାନ, ଅହଂକାରକୁ ଜଳାଞ୍ଜଳି ଦେଇ; ଜୀବନ ସାରା ନିଜେ ଘୃଣାକରୁଥିବା ବ୍ୟକ୍ତିଟିକୁ ଜୀବ ଧନ ରୂପେ ଦେଖେଇବା ପାଇଁ ଶେଷ ନିଷ୍ପତି ନେଇଥିଲା ସିଏ। ବଙ୍ଗର ଜାଣିଛି , ସେ ନିଜେବି ଜାଣିଛି ସେମାନଙ୍କର ଏ ସମ୍ପର୍କ ମନର ନୁହେଁ। ନିଜର ମଣିଷଟିକୁ ଧୋକା ଦେଇ ଏକ ଛଦ୍ମବେଶୀ ଜୀବନ ଜିଇଁ ସାରା ଜୀବନ ଛଟପଟ ହୋଇ ପ୍ରତି ମୂହୂର୍ତ୍ତରେ ମରିବା ଅପେକ୍ଷା ସମାଲୋଚନାର ହଳାହଳ ପାନ କରି ଥରୁଟିଏ ନୀଳକଣ୍ଠ ପାଲଟିଯିବାରେ ଜୀବନର ସାର୍ଥକତା ତା’କୁ ଉପଯୁକ୍ତ ମନେ ହୋଇଥିଲା। ନିଜକୁ ଯନ୍ତ୍ରଣାର ଗୁଲେଟିନ ଭିତରକୁ ନିଜେ ଧକ୍କା ଦେଇ ପଠେଇ ଦେଇ ନିଜର ମନର ମଣିଷଟିକୁ ମୁକ୍ତ କରିବାରେ ସେ ଆନନ୍ଦ ଅନୁଭବ କରିଥିଲା। ଦୁଃଖ, କଷ୍ଟ, ନିର୍ଯ୍ୟାତନା, ନିର୍ମମତା, ନିଷ୍ଠୁରତା ଆଦି ସହିବାରେ ଏ ସଂସାରରେ, ଏ ବିଶ୍ଵ ବ୍ରହ୍ମାଣ୍ଡରେ ନାରୀ ଠାରୁ କିଏ ବା ଅଧିକ ସକ୍ଷମ। କାଳେ କାଳେ ପୁରୁଷମାନେ ସବୁ ଭୁଲ କରିବେ, କିନ୍ତୁ ପ୍ରାୟଶ୍ଚିତ କରିବେ ନାରୀମାନେ। ନିଜର ଅଂହକାରକୁ ସାବ୍ୟସ୍ତ କରିବା ପାଇଁ ଯୁଦ୍ଧ କରିବେ ପୁରୁଷ ମାନେ କିନ୍ତୁ କାଳେ କାଳେ ନାରୀ ମାନେ ହେବେ ଲୁଣ୍ଠିତ, ଧର୍ଷିତ, ଅପମାନିତ। ଏହା ସହିତ ସେମାନେ ପରିବର୍ତ୍ତିତ ହେବେ ଯୌନ ଦାସୀରେ। ସେମାନଙ୍କୁ ବିକ୍ରି କରାଯିବ ଭରା ବଜାରରେ ଛେଳି-ମେଣ୍ଢା-ଗାଈ-ଗୋରୁ ଭଳି।
ସେଥି ପାଇଁ ଏ କୁତ୍ସିତ ସାମାଜିକ ବିଧି ବ୍ୟବସ୍ଥା ବିରୁଦ୍ଧରେ ସେ ନୀରବ ଯୁଦ୍ଧ ଘୋଷଣା କରିଛି। ନିଜ ଜୀବନକୁ ତିଳ ତିଳ କରି ଦଗ୍ଧ କରି ତା’ର ଉତ୍ତାପକୁ ଶିରାରେ ଶିରାରେ ଅନୁଭବ କରିବାକୁ ସେ ବ୍ରତ ଭାବରେ ଗ୍ରହଣ କରି ନେଇଛି। ସେ ତ ବଞ୍ଚିଛି ଖାସ ଏଇଥି ପାଇଁ। ସେ ଚାହୁଁଛି ତା’ର ସତୀତ୍ଵ ହରଣ କରିଥିବା ଯୌନ ରାକ୍ଷସଟି ଦଣ୍ଡ ପାଉ।
ସେ ଶପଥ କରିଛି, ତାକୁ ଯିଏ ଆଜି ସମାଜର ବଡ଼ଦାଣ୍ଡରେ ଏମିତି ଭାବରେ, ପରିସ୍ଥିତିର ଦାସ କରି ଠିଆ କରି ଦେଇଛି, ସମାଜର ଲାଂଛନା ଓ ଉପହାସ ସହିବା ପାଇଁ ବାଧ୍ୟ କରିଛି , ତା’ର ତା’ ଠାରୁ ପ୍ରତିଶୋଧ ଦରକାର। ସେ ଚାହେଁ , ସେ ତା’ ପରି ପ୍ରତି ମୂହୂର୍ତ୍ତରେ ଉପହସିତ ହେଉ, ଲାଂଛିତ ହେଉ, ଲୁଣ୍ଠିତ ହେଉ; ପ୍ରତି ପଦକ୍ଷେପରେ ତିଳ ତିଳ କରି ଦଗ୍ଧିଭୂତ ହେଉ।
ନିଜର ମନର କଥା ସେ କହିବ କାହାକୁ? ମନର ମଣିଷଟିକୁ ତ ସେ ଜାଣି ଶୁଣି ପର କରି ଦେଇଛି। ସେ ଶପଥ ନେଲା ସେହି ମୂହୂର୍ତ୍ତରେ; ଜୀବନ ଥିଲା ଯାଏଁ ତା’ର ଏ ନିଷ୍ପତି ସମ୍ପର୍କରେ ସୂରାକ ବି କାହାକୁ ଦେବନି। ନିଜେ ତାହାର ବୃଶ୍ଚିକ ଦଂଶନକୁ ଏକେଲା ଏକାନ୍ତରେ ସହ୍ୟ କରି ଚାଲିବ, ଏ ଅପବିତ୍ର ଶରୀରରେ ପ୍ରାଣ ଥିବା ଯାଏଁ।
ତେଣେ ଶ୍ୟାମକୁ ତା’ର ସ୍ଥିତି ଏମିତି ଏକ ପରିସ୍ଥିତିରେ ନେଇ ପକାଇଥିଲା ଯେ ସେ ସେଥିରୁ ମୁକୁଳିବାର ଭେଦ ପାଉ ନ ଥିଲା। ତାକୁ ଲାଗୁଥିଲା, ସେ ଏକ ବଡ଼ କାଠ ବେଙ୍ଗଟିଏ ପାଲଟି ଯାଇଛି। କାଳ, ଏକ ଧଣ୍ଡ ସାପ ରୂପରେ ଆସି ତା’ର ଗୋଟିଏ ଗୋଡ଼କୁ କାମୁଡ଼ି ଧରିଛି। ସେ ରଡ଼ି ଛାଡ଼ୁଛି। ସାପ ତାକୁ ଧରି ତ ନେଇଛି ହେଲେ, ତା’କୁ ଗିଳିବାର ସାମର୍ଥ୍ୟ ତା’ର ନ ଥିଲା ପରି ମନେ ହେଉଛି। କିନ୍ତୁ ତା’କୁ ଛାଡ଼ିବାର ନାଁ ବି ଧରୁନି। କେବଳ କଷ୍ଟ ମିଳୁଛି। ଗିଳିଦେଲେ କଷ୍ଟ ସରିଯାଆନ୍ତା। ନାହିଁ ତ ଛାଡ଼ି ଦେଲେ କଷ୍ଟ ସରିଯାଆନ୍ତା। କିନ୍ତୁ ଏଥିରୁ କେଉଁଟି ଘଟିବା ପରି ଦେଖା ଯାଉନି।
ସାମ୍ନାରେ ଦୁଇ ଝିଅ କବିତା ଓ ସବିତା। ବୟସ ଗୋଟିକର ସାତ ବର୍ଷ ଅନ୍ୟଟି ଚାରି ବର୍ଷ। ଦୁଇଟି ଫ୍ରକ ପିନ୍ଧି ବସିଛନ୍ତି। କ’ଣ ଘଟୁଛି ସେଥି ପ୍ରତି ଅନଭିଜ୍ଞ। ସେପଟେ ମାଆ କାନ୍ଦୁଛି। ଏ ପଟେ ବାପା କାନ୍ଦୁଛି। ଦୁହିଁଙ୍କୁ ଦେଖି ସେ ଦୁହେଁ କାନ୍ଦୁଛନ୍ତି। କାନ୍ଦି କାନ୍ଦି ସେମାନଙ୍କ ଆଖି ବି ଲାଲ ପଡ଼ି ଗଲାଣି। ନିରୀହ ଆଖିରେ ଚାହିଁ ରହିଛନ୍ତି ବାପାକୁ। ଆଖିରେ ଆଖିଏ ପ୍ରଶ୍ନ। କିଏ ତାଙ୍କୁ ବୁଝେଇ କହିବ ଘଟଣା କ’ଣ? ପୁଣି ସନ୍ଦେହ, ସଂସାର ବିଷୟରେ ସନ୍ଦିହାନ ଏ ନିଷ୍ପାପ ଶିଶୁ ଦୁଇଟିକୁ ଘଟଣା ବୁଝେଇଲେ ବି ସେମାନେ କ’ଣ ତାକୁ ବୁଝି ପାରିବେ ? ସମାଜର, ସଂସାରର ଏ ବିକଟ ପରିସ୍ଥିତିର, ମାନେ ସେମାନେ ବା କ’ଣ ଜାଣିବେ? କେବଳ ବଲ ବଲ କରି ଚାହିଁ ରହିଛନ୍ତି। ଶ୍ୟାମ ଏତେ ପର୍ଯ୍ୟନ୍ତ ନିଜ ଚିନ୍ତାରେ ନିଜେ ବୁଡ଼ି ରହିଥିଲା। ଯେଉଁ ଦୁଇପିଲାଙ୍କ ଭବିଷ୍ୟତ ରଂଗୀନ ଆଲୋକରେ ଉଦ୍ଭାଷିତ କରିବାର ଲକ୍ଷ୍ୟ ରଖି ସେ ବିଦେଶ ଯାଇଥିଲା, ସଂସାରର ସବୁଠାରୁ ବଡ଼ କଷ୍ଟକୁ ସାଥି ପରି ଆଲିଙ୍ଗନ କରିଥିଲା ସେମାନଙ୍କ କଥା ସେ ଭୁଲିଯାଇଥିଲା। ନିଜ ସଂସାର ନାବ ବୁଡ଼ି ଯାଉଥିବାର ଦେଖି ସେମାନଙ୍କୁ ଦେଖି ବି ଦେଖି ପାରୁ ନ ଥିଲା। କଥାରେ ଅଛି ‘ମାଆ ଝିଅ ମନ୍ଦିରକୁ ଗଲେ ଯିଏ ଯାହା ଶୁଭ ମନାସିଲେ।’ ସ୍ଵାର୍ଥ କଥା ଆସିଲେ ମଣିଷ ନୀତି ଓ ଆଦର୍ଶ ଭୁଲି ଯାଏ। ପାଲଟି ଯାଏ ସ୍ଵାର୍ଥର ଦାସ। ସେ ସତରେ ସ୍ଵାର୍ଥୀ ପାଲଟି ଯାଇଥିଲା। ମହାସାଗର ମଧ୍ୟରେ ବାତ୍ୟା ଦଗ୍ଧ ଜାହାଜ ଭାଙ୍ଗି ଚୂରମାର ହେଲାବେଳେ ନିଜେ ନିଜକୁ ବଞ୍ଚେଇବାରେ ସମସ୍ତେ ଲାଗି ଥାନ୍ତି। ସେତେବେଳେ ଅନ୍ୟକଥା ଭାବିବାକୁ ବା ସମୟ କାହିଁ। ବନ୍ୟା ବେଳେ ନିଜ ଜୀବନକୁ ରକ୍ଷା କରିବା ପାଇଁ ସମସ୍ତେ ବ୍ୟସ୍ତ, ବନ୍ୟାଜଳ ଛାଡ଼ିଲେ ହିଁ ଯାଇ ଅନ୍ୟ ସମ୍ପର୍କୀୟଙ୍କୁ ଖୋଜା ପଡେ଼। କଥାରେ ଅଛି ଉପରେ ପଡ଼ିଲେ ପ୍ରମାଦ ଗୁରୁ ବ୍ରାହ୍ମଣ ଶିରଛେଦ। ନିଜ ଜୀବନ ଯେତେ ବେଳେ ସଙ୍କଟରେ, ଅନ୍ୟ କାହା କଥା ମନେ ନ ପଡ଼ିବା ସ୍ଵାଭାବିକ।
ହେଲେ କଥାରେ ଅଛି, “କଷ୍ଟି ତ କଷ୍ଟି ସଦା ପ୍ରବାସୀ, କଷ୍ଟି ତ କଷ୍ଟି ଯୁବା ଦରିଦ୍ର। କଷ୍ଟି ତ କଷ୍ଟି ପରାନ୍ନ ଭୋଗୀ, କଷ୍ଟି ଭବେ ଯେ ଋଣେ ଅତନ୍ଦ୍ର।” ଶ୍ୟାମ ଭାବୁଛି ଏଇ ଦୁଇଟି କୁନି କଳିକା ପାଇଁ ମୁଁ ପ୍ରବାସ ପରି କଷ୍ଟକୁ ଆନନ୍ଦରେ ବରଣ କରି ନେଇଥିବା ବେଳେ, ସେହିମାନେ ତ ମୋର ବଂଚିବାର ରାହା; ମୁଁ ସେମାନଙ୍କୁ ଭୁଲି ଗଲି କେମିତି ?
କାନ୍ଦି କାନ୍ଦି ଶ୍ୟାମ ଦୁଇ ଝିଅଙ୍କ ପାଖକୁ ଗଲା। ଦୁହିଁଙ୍କୁ ଦୁଇ ହାତରେ ଧରି ଛାତିକୁ ଆଉଜେଇ ଆଣି ଭିଡ଼ି ଧରିଲା। ଛଅଟି ଆଖିରୁ ବହି ଚାଲିଥିଲା ଶ୍ରାବଣର ଧାରା।
କ୍ରମଶଃ ...

