ଜଗ ଜଗ ନାରୀ (ଭାଗ-୧୦)
ଜଗ ଜଗ ନାରୀ (ଭାଗ-୧୦)
ସାୟାହ୍ନ। ସମସ୍ତେ ଚାଲିଥିଲେ ଗ୍ରାମ ଦେବତୀଙ୍କ ମନ୍ଦିର ଆଡ଼କୁ। ମା’ ବୁଢ଼ୀ ମା’ ଠାକୁରାଣୀଙ୍କ ମନ୍ଦିର ଗ୍ରାମ ମୁଣ୍ଡରେ ଅବସ୍ଥିତ। ସୁଦୃଶ୍ୟ ପୁଷ୍କରିଣୀ ନିକଟରେ ବିରାଟ ତେନ୍ତୁଳି ବୃକ୍ଷ ମୂଳରେ ମାଆ ପୂଜା ପାଉଥିଲେ। ପ୍ରତ୍ୟକ୍ଷ ଠାକୁରାଣୀ। ଏବେ ଗ୍ରାମବାସୀମାନେ କୃତଜ୍ଞତା ସ୍ଵରୂପ ମାଆଙ୍କ ପାଇଁ ଏକ ସୁଦୃଶ୍ୟ ମନ୍ଦିର ନିର୍ମାଣ କରିଦେଇଛନ୍ତି। ମାଆଙ୍କ ମନ୍ଦିରରେ ରହିଛି ଏକ ମୁଖ୍ୟ ମନ୍ଦିର ଏବଂ ଏକ ମୁଖଶାଳା। ମନ୍ଦିରଟି ପ୍ରାୟ ପଚାଶ ଫୁଟ ଉଚ୍ଚତା ହେବ। ସିମେଣ୍ଟ ଓ ଇଟାରେ ତିଆରି। ସିମେଣ୍ଟରେ ପ୍ରଲେପ ଦିଆଯାଇ ସୁନ୍ଦର ଭାବେ ରଙ୍ଗ ଦିଆଯାଇ ମନ୍ଦିର ସଜା ଯାଇଛି। ମନ୍ଦିର ସମ୍ମୁଖରେ ଏକ ସିମେଣ୍ଟ ଚଉପାଢ଼ୀ ନିର୍ମିତ ହୋଇଛି। ବଳକା ସ୍ଥାନ ତକ ସିମେଣ୍ଟ କଂକ୍ରିଟ ହୋଇ ଯାଇଛି। ସମ୍ମୁଖରେ ଏକ ସୁନ୍ଦର ଯଜ୍ଞ ମଣ୍ଡପ। ପ୍ରତି ବର୍ଷ ମହାବିଷୁବ ସଂକ୍ରାନ୍ତି ଦିନ ଏଠାରେ ବିଶ୍ଵ ଶାନ୍ତି ମହାଯଜ୍ଞ ଏବଂ ଭାଗବତ ଜନ୍ମକୁ ଭାଗବତ ଜନ୍ମୋତ୍ସବ ପାଳନ କରାଯାଏ। ସମଗ୍ର ଗ୍ରାମବାସୀ ଭାଗ ନିଅନ୍ତି। ଅନ୍ନକୂଟ ଆୟୋଜିତ ହୁଏ। ବାହାଘର ହେଲେ ଏଠାକୁ ଦିଅଁଗଣେଷ ଆସନ୍ତି। ଏଇଠୁ ପୂଜାପାର୍ବଣ ପରେ ସମସ୍ତଙ୍କର ବୈବାହିକ ଜୀବନର ଅୟାରମ୍ଭ ହୁଏ।
ଶ୍ୟାମ ସହ ଏଇଠିକୁ ରାଧା ମଧ୍ୟ ଆସି ମାଆଙ୍କ ପାଦ ତଳେ ମୁଣ୍ଡିଆ ମାରି ତା’ର ବୈବାହିକ ଜୀବନ ଆରମ୍ଭ କରିଥିଲା। ସମସ୍ତେ ଯାଇ ମାଆଙ୍କ ମନ୍ଦିର ନିକଟରେ ପହଞ୍ଚିଲେ। ରମେଶ ବାବୁଙ୍କ ନେତୃତ୍ଵରେ ଗାଁ ପଞ୍ଚାୟତ, କ’ଣ ଘଟୁଛି ବୋଲି କିଛି ମଜା ନେବା ଲକ୍ଷ୍ୟରେ ଦେଖଣାହାରୀ, ଶ୍ୟାମ ପରିବାରର ସମସ୍ତ ସଦସ୍ୟ, କିଛି କୁନି ପିଲା ମଧ୍ୟ ନିଜର ଜିଜ୍ଞାସା ଶାନ୍ତ କରିବାକୁ ସାଥିରେ ଅଛନ୍ତି। ବରବେଶରେ ଅଛି ବଙ୍ଗର। ସେ ୟା ଭିତରେ ଧୋତି ଗାମୁଛା ପିନ୍ଧି ପଗଡ଼ି ଧାରଣ କରିଛି। ରମେଶ ବାବୁ ଲୋକ ପଠାଇ ବରଣ ମାଳାର ବ୍ୟବସ୍ଥା କରିଦେଇଛନ୍ତି। ପୂଜକ ପୁରୋହିତଙ୍କୁ ମଧ୍ୟ ଡକାଯାଇଛି। ସେ ଆସି ପହଁଚି ମନ୍ଦିର ଖୋଲି ସାରିଲେଣି। କିଛି ଲେଖାରେ ଭାଉଜ ବୋଲାଉଥିବା ମହିଳା ରାଧାକୁ ନାଲି ପାଟ ପିନ୍ଧାଇ ସାଥିରେ ଧରି ମାଆଙ୍କ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚି ସାରିଲେଣି। ବାଧ୍ୟବାଧକତାରେ ଭରା ଏ ବାହାଘର। ନା ବର ମନରେ ଆନନ୍ଦ ଅଛି ନା କନ୍ୟା ମୁହଁରେ ଖୁସିର ଆଭା ପ୍ରକଟ ହେଉଛି। ଶ୍ୟାମ ପଥର ପାଲଟି ଯାଇଥିଲା ବେଳେ ତା’ର ଦୁଇ ଝିଅ ସ୍ଥାଣୁ ପାଲଟି ଯାଇଥିଲେ। ସେମାନେ ବୁଝି ପାରୁନଥିଲେ କ’ଣ ସବୁ ଘଟୁଛି। ସେମାନଙ୍କୁ ମଧ୍ୟ ବୁଝାଇବାକୁ କେହି ଉଚିତ ମଣୁ ନ ଥିଲେ। ଗ୍ରାମର ମୁଖିଆ ସହ ଭଦ୍ରଲୋକମାନେ ଗମ୍ଭୀର ଜଣା ପଡ଼ୁଥିଲେ। କେବଳ ଖୁସିରେ ଡେ଼ଉଁଥିଲେ ଛୋଟ ଛୋଟ କୁନି କୁନି ବାଳକ ବାଳିକା। ସେମାନେ ସଂସାରର ଦାଓପେଞ୍ଚର ବହୁ ଦୂରରେ। ସେମାନଙ୍କୁ ଲାଗୁଥିଲା ସେମାନେ ଖେଳୁଥିବା ମିଛି ମିଛିକା ବାହାଘର ଆୟୋଜିତ ହେଉଛି। ସେମାନଙ୍କ ଖେଳରେ ସେମାନେ ଅଭିନେତା ଅଭିନେତ୍ରୀ ଓ ସେମାନେ ଦର୍ଶକ ଦର୍ଶିକା, କିନ୍ତୁ ଏଠି ବଡ଼ ବୟସ୍କ ମାନେ ଅଭିନୟ କରୁଛନ୍ତି। ସେମାନଙ୍କୁ ଭାରି ମଜା ଲାଗୁଥିଲା। ସେମାନେ ଏ ବାହାଘରରେ ସବୁଠୁ ଖୁସିଥିଲେ, କାରଣ ସେମାନଙ୍କର ଭରପୂର ମନୋରଂଜନ ହେଉଥିଲା। ସତରେ ସଂସାର କେଡେ଼ ବିଚିତ୍ର। ସେ କେତେବେଳେ କାହାକୁ ନେଇ କେଉଁଠି ତଥା କେଉଁ ଅବସ୍ଥାରେ ପହଞ୍ଚାଇ ଦିଏ ଯେ, ତାହାର ସୁରାକ କାହାକୁ ବି ମିଳେନି। ଗାଁର ମୁଖିଆ ରମେଶ ବାବୁଙ୍କ ନିର୍ଦ୍ଦେଶରେ ମନ୍ଦିର ପୁରୋହିତ ମାଆଙ୍କ ଠାରୁ ସିନ୍ଦୁର ଆଣି ବଙ୍ଗରକୁ ଦେଲେ। ସିନ୍ଦୁର ନେଇ ରାଧାର ସିନ୍ଥିରେ ଲଗାଇବାକୁ କହିଲେ। ବଙ୍ଗର ମାଆଙ୍କ ସିନ୍ଦୁର ନେଇ ରାଧା ସିନ୍ଥିରେ ଭରିଦେଲା। ପୁନଶ୍ଚ ଦୁଇ ବରଣ ମାଳା ମାଆଙ୍କୁ ଛୁଆଇଁ ପୁରୋହିତ ଆଣି ଦୁଇଜଣଙ୍କୁ ଦେଇ ମାଳ ବଦଳ କରି ପରସ୍ପରର ଗଳାରେ ପକେଇବାକୁ କହିଲେ। ବଙ୍ଗର ଓ ରାଧା ସେହିପରି କଲେ। ପୁରୋହିତ ମନ୍ତ୍ର ପଢ଼ିଲେ-ଯଥା ରାବଣସ୍ୟ ମନ୍ଦୋଦରୀ...। ପୁରୋହିତ ବଙ୍ଗରକୁ କହିଲେ, “ବଙ୍ଗର! ମାଆଙ୍କ ନାମରେ ଶପଥ କରି କୁହ ଯେ, ତୁମେ ରାଧାର ଦଶ ଦୋଷ କ୍ଷମା କରିବ। ତା’ର ଭରଣ ପୋଷଣର ଦାୟିତ୍ଵ ନେବ। କୌଣସି ପରିସ୍ଥିତିରେ ତା’ର ହତାଦର କରିବ ନାହିଁ। ସିଏ ଏବେ ତୁମଠୁ ଯେଉଁ ବଚନ ମାଗିବ ତୁମେ ତହା ପ୍ରଦାନ କରିବ ବୋଲି କଥା ଦିଅ।”
ବଙ୍ଗର ହଁ ଭରିଲା।
ପୁରୋହିତ ରାଧାକୁ କହିଲେ, “ରାଧା! ତୁମେ ଏବେ ପ୍ରଥମ ବଚନ ମାଗ।”
ରାଧା ପ୍ରଥମ ବଚନ ମାଗିଲା, “କୌଣସି ତୀର୍ଥଯାତ୍ରାରେ ଗଲେ, କୌଣସି ବ୍ରତ ଉପବାସ କଲେ କିମ୍ବା କୌଣସି ଧର୍ମକାର୍ଯ୍ୟ କଲେ ମୋତେ ସାଥିରେ ରଖିବ।”
ଦ୍ଵିତୀୟ ବଚନ ମାଗି ରାଧା କହିଲା, “ତୁମେ ତୁମ ବାପା ମାଆଙ୍କର ଯେମିତି ସମ୍ମାନ କରୁଛ ମୋ ବାପା ମାଆଙ୍କୁ ମଧ୍ୟ ସେମିତି ସମ୍ମାନ ପ୍ରଦର୍ଶନ କରିବ।”
ତୃତୀୟ ବଚନରେ ରାଧା ଯାଚଞ୍ଜା କଲା, “ଜୀବନର ଯୁବାବସ୍ଥା, ପ୍ରୌଢ଼ାବସ୍ଥା ଓ ବୃଦ୍ଧାବସ୍ଥା ଆଦି ତିନି ଅବସ୍ଥାରେ ମୋର ଭରଣ ପୋଷଣର ଭାର ଗ୍ରହଣ କରିବ।”
ଚତୁର୍ଥ ବଚନ ମାଗି ରାଧା କହିଲା, “ଆଜି ଠାରୁ ପରିବାରର ସମସ୍ତ ଦାୟିତ୍ଵ ଭାର ବହନ କରିବ।”
ପଞ୍ଚମ ବଚନରେ ରାଧା ମାଗିଲା, “ଘରର ଦିଆନିଆ ତଥା ଖର୍ଚ୍ଚବାର୍ଚ୍ଚରେ ମୋର ମନ୍ତ୍ରଣା ଗ୍ରହଣ କରିବ।”
ଷଷ୍ଠ ବଚନ ମାଗି ରାଧା କହିଲା, “ମୁଁ ଅନ୍ୟ ମହିଳାମାନଙ୍କ ସହ କଥାବାର୍ତ୍ତା କରୁଥିବା ସମୟରେ ମୋତେ ଅପମାନିତ କଲା ଭଳି କୌଣସି କଥା କହିବ ନାହିଁ।”
ଶେଷରେ ରାଧା କହିଲା ମୋତେ କଥା ଦିଅ, “ଅନ୍ୟ ସ୍ତ୍ରୀମାନଙ୍କୁ ମାଆ ଭଳି ଦେଖିବ ଏବଂ ଆମ୍ଭ ପତି-ପତ୍ନୀ ପ୍ରେମ ପ୍ରୀତି ସମ୍ପର୍କ ଭିତରକୁ ଅନ୍ୟ କାହାକୁ ପଶିବାକୁ ଦେବ ନାହିଁ।”
ତୁମେ ଯଦି ଏତକ ବଚନ ଦେବ ତେବେ ମୁଁ ତୁମର ସହଭାଗିନୀ ହେବି।
ପୁରୋହିତ ବଙ୍ଗର ଆଡ଼କୁ ଚାହିଁଲେ। ବଙ୍ଗର ନିଦ୍ଵନ୍ଧ୍ଵରେ ହଁ ଭରିଲା। ଦୁହେଁ ମାଆଙ୍କୁ ମୁଣ୍ଡିଆ ମାରିବାକୁ ପୁରୋହିତ ଆଦେଶ ଦେଲେ ଏବଂ କହିଲେ, “ଯାଅ ଆଜି ଠାରୁ ତୁମେ ପତି-ପତ୍ନୀ ରୂପେ ଆନନ୍ଦରେ ଜୀବନ ବିତାଅ। ତୁମ ଶିର ଉପରେ ମାଆଙ୍କର ଆଶୀର୍ବାଦ ଅଛି।”
ଶ୍ୟାମ ହତବାକ୍ ହୋଇ ଠିଆ ହୋଇ ଏ ବାସ୍ତବ ଅଭିନୟ ଦେଖୁଥିଲା। ତା’କୁ ଧରି ତା’ର ଦୁଇ କୁନି ଝିଅ ଆବା କାବା ହୋଇ ଚାହିଁ ରହିଥିଲେ। ସେମାନେ ବୁଝି ପାରୁ ନ ଥିଲେ ମାଆ ସହ ବାପା ଜାଗାରେ ଦାଦା ଠିଆ ହୋଇଛି କାହିଁକି? ସରି ଯାଇଥିଲା ସମସ୍ତ ସାମାଜିକ ବିଧି ବିଧାନ। ସମସ୍ତେ ପୁଣି ଫେରିଆସିଥିଲେ ଶ୍ୟାମର ଘରକୁ। ମୁଖିଆ ରମେଶ ବାବୁ ଶ୍ୟାମକୁ କହିଲେ, “ବୁଝିଲୁ ଶ୍ୟାମ! ରତ୍ନ, ଅନ୍ନ, ଯୌବନ, ଦୁଃଖ, ଯୋଜନା, ମନ୍ତ୍ର, ଭଗବତ ଆଶୀର୍ବାଦ ସମ୍ବନ୍ଧୀୟ ତଥ୍ୟ ଆଦିକୁ ଲୁଚେଇ ରଖା ଯାଏ। ଏମାନଙ୍କୁ ବାହାରେ ପ୍ରଚାର କଲେ, ବାହାରେ ପକେଇଲେ, ଆବରଣ ଭିତରେ ନ ରଖିଲେ, ଏମାନଙ୍କୁ ହରେଇବାକୁ ପଡେ଼, ଏମାନଙ୍କର ମୂଲ୍ୟ ହ୍ରାସ ହେବା ପରିସ୍ଥିତି ଆସେ ତଥା ଏଗୁଡ଼ିକ ଦୂଷିତ ହେବାର ଦେଖାଯାଏ। ଗୁଡ଼ ମାଠିଆ ଖୋଲା ରଖିଲେ ସେଥିରେ ଜନ୍ଦା ପଶିବେ ହିଁ ପଶିବେ। ଖାଦ୍ୟ ରାନ୍ଧି ଖୋଲା ରଖିଲେ ସେଥିରେ ମାଛି ବସି ତାହାକୁ ଦୂଷିତ ତ ନିଶ୍ଚୟ କରିବେ। ଏହା ଶାସ୍ତ୍ର ବଚନ। ଏକଥାକୁ ଅମାନ୍ୟ କରୁଥିବା ବ୍ୟକ୍ତି ଜୀବନ ସାରା ଦୁଃଖ ଭୋଗ କରିବ ହିଁ କରିବ। ଏଥି ପାଇଁ ଅନ୍ୟକୁ ଦୋଷ ଦେଇ ଲାଭ କ’ଣ?”
ରତ୍ନରେ ସ୍ଵାମୀତ୍ଵ ଲେଖା ନ ଥାଏ। ତାହାକୁ ଯିଏ ପ୍ରାପ୍ତ କରେ ସେ ତାହାର ହୋଇ ଯାଏ। ସୁନା ମୁଦିଟିଏ ହାତରୁ ଗଳି ପଡ଼ି ହଜି ଯାଇଥିଲେ ପାଇବା ଲୋକର ହୋଇ ଯାଏ। ଜାଣିଛୁ! ପିଲାମାନେ ଗୋଟେ ଖେଳ ଖେଳନ୍ତି। ସେଥିରେ ସେମାନେ କହନ୍ତି, “ ଜଗ ଜଗ ନାରୀ, ଯିଏ ପାଇଲା ତା’ରି। ନାରୀ ସେମିତି ଏକ ରତ୍ନ। ତାକୁ ନିଜେ ଜଗି ରଖିବାକୁ ପଡ଼ିବ। କାରଣ ତାକୁ ଯିଏ ପାଇଲା ସେ ତା’ର ହୋଇ ଯିବାର ସମ୍ଭାବନା ଥାଏ। ସେଥି ପାଇଁ ନାରୀକୁ ଦୋଷ ଦେଇ ହେବ ନାହିଁ। ତୁ ଘରେ ଯୁବତୀ ଭାର୍ଯ୍ୟାଟିଏ ଆଣି ଥୋଇ ଯଦି ବିଦେଶ ଯିବୁ ତେବେ ତା’ ଉପରେ ସମସ୍ତଙ୍କର ଆଖି ପଡ଼ିବ ହିଁ ପଡ଼ିବ। ଚୁଲିରେ କ୍ଷୀର ଡେ଼କ୍ଚି ବସେଇ ତୁ ଯଦି ଦାଣ୍ଡରେ ବୁଲିବୁ କ୍ଷୀର ଚୂଲିରେ ପଶିବ ହିଁ ପଶିବ। ଯାହା ତୋ କ୍ଷେତ୍ରରେ ସତ ସିଦ୍ଧ ହୋଇଛି।”
ପୁଣି ସେ କହିଲେ, “ଶ୍ୟାମ! ଏବେ ଆଉ କ’ଣ କହିବାର ଅଛି କୁହ।”
ଶ୍ୟାମ କହିଲା, “ଆଜ୍ଞା! ଏ ଟିକି ଟିକି ପିଲାଙ୍କୁ ମୁଁ କେମିତି ବଡ଼ କରିବି? ତା’ର କିଛି ବାଟ ଦେଖାନ୍ତୁ। ମୋତେ ବୁଦ୍ଧି ବାଟ କିଛି ଦିଶୁନି।”
ରମେଶ ବାବୁ ବଙ୍ଗରକୁ ଡାକିଲେ, କହିଲେ, “ବଙ୍ଗର! ତୁ ତ ରାଧାର ଦାୟିତ୍ଵ ନେଲୁ ଏ ପିଲା ଦୁଇଟାର ଦାୟିତ୍ଵ ନେ।” ବଙ୍ଗର କିଛି କହିବା ପୂର୍ବରୁ ଶ୍ୟାମ ଅଭିମାନ ଭରା ସ୍ଵରରେ କହିଲା, “ନା, ନା, ଆଜ୍ଞା! ଯିଏ ମାଆ ପରା ଭାଉଜକୁ ମାଇପ କରିବାକୁ ପଛେଇଲା ନାହିଁ ତାକୁ କି ବିଶ୍ଵାସ। ଏ ଛେଳି ଗୋତ୍ରିଆ ହୋଇ ଯାଇଛି। ତା’ ପାଇଁ ମାଆ ଯାହା ମାଇପ ତାହା। ସମ୍ପର୍କର ମାନେ ସେମାନେ ବୁଝନ୍ତିନି। ସେ ଯେ ମୋ ଝିଅ ମାନଙ୍କର ଇଜ୍ଜତ ହରଣ ନ କରିଦେବ ତା’ର କି ଭରସା ଅଛି। ନା ମୁଁ ମୋ ପିଲାଙ୍କୁ ତା’ ପାଖରେ ରହିବାକୁ ଦେବି ନାହିଁ। ମୁଁ ନିଜେ ମୋ ପିଲା ମାନଙ୍କର ଭାର ବୋହିବାକୁ ଯଥେଷ୍ଟ।
ରମେଶ ବାବୁ ସବୁ ଦୃଷ୍ଟିରୁ ବିଚାର କଲେ। ଶ୍ୟାମର କଥାକୁ ଗ୍ରହଣ କଲେ। ସେ ଶ୍ୟାମର ବାପ ମଦନ ଓ ମାଆ ସେବତୀଙ୍କୁ ଡାକି କହିଲେ, “ଶ୍ୟାମର ବୟସ ବା କେତେ? ପୁଣି ଏଡେ଼ ବକଟେ ଲେଖାଏଁ ଦୁଇ ଦୁଇଟା ପିଲା! ତା’ ପାଇଁ ଆଉ ଗୋଟେ କନିଆଁ ଖୋଜି ଆଣିବାର ବ୍ୟବସ୍ଥା କର। ଯାହା ଫଳରେ ସେ ଶ୍ୟାମର ଘର ସମ୍ଭାଳିବା ସହ ଦୁଇ କୁନି ଝିଅଙ୍କର ଯତ୍ନ ନେବ।”
ଶ୍ୟାମର ବାପା ମାଆ ଦୁହେଁ ହଁ ଭରିଲେ।
ସେପଟେ ବଙ୍ଗର ଓ ରାଧାର ଚତୁର୍ଥୀ କାର୍ଯ୍ୟ ଆଗେଇ ନେବା ପାଇଁ ଅନ୍ୟମାନେ ଲାଗି ପଡ଼ିଥିଲେ। ଶ୍ୟାମର ମାଆ ସେବତୀ ତାଙ୍କର ଜଣେ ସମ୍ପର୍କୀୟ ଝିଆରୀ, ଯାହାକୁ ବଙ୍ଗର ନିମନ୍ତେ ବୋହୁ କରି ଆଣିବା ପାଇଁ ସେ ପୂର୍ବରୁ ଠିକ୍ କରିଥିଲେ, ତାହାକୁ ଶ୍ୟାମ ପାଇଁ ବୋହୂ କରିବାକୁ ପ୍ରସ୍ତାବ ଦେଇ ଦୁଇ ଜଣ ଲୋକ ପଠାଇଲେ।
ଏ ସବୁ ଦେଖି ରାଧା ଆଶ୍ଵସ୍ତିର ନିଶ୍ଵାସ ମାରିଲା। ସେ ହାଲୁକା ଅନୁଭବ କଲା ଶ୍ୟାମ ପାଇଁ। ତା’ ମନର ମଣିଷଟି ଦୁଃଖରେ ରହିଲେ ସେ ଶାନ୍ତିରେ ଶୋଇବ ବା କେମିତି? ଶ୍ୟାମର ଖୁସିରେ ସେ ଖୁସି। ତା’ ପାଇଁ ତା’ ମନର ମଣିଷ ଢେ଼ରେ କଷ୍ଟ ପାଇଲାଣି। କିନ୍ତୁ ସେ ଲାଚାର। ସେ ଭାବିଲା, ଏବେ ସେ ଖୁସିରେ ମରିପାରିବ।

