ପ୍ରେମ ବିବାହ
ପ୍ରେମ ବିବାହ
ରାତ୍ରି ଅନେକ ହେଲାଣି । ତଥାପି କଟକ ରେଲୱେ ଷ୍ଟେସନ ଚଳଚଞ୍ଚଳ ଅଛି । ମଝିରେ ମଝିରେ କର୍କଶ ନାଦ କରି ଗୋଟିଏ ଗୋଟିଏ ରେଳଗାଡ଼ି ଯିବାଆସିବା କରୁଛି । ପ୍ଲାଟଫର୍ମରେ ବସିଛନ୍ତି କିଛି ଲୋକ । ଅଳ୍ପ ଅନ୍ଧାରୁଆ ଏକ ବେଞ୍ଚ ଉପରେ ବସିଛି ଚମ୍ପା । ଗାଁ ଗହଳିର ଝିଅଟିଏ, ଅଜଣା ସହରର ରେଳ ଷ୍ଟେସନରେ ଶଙ୍କିତ ଭାବେ ବସିଥାଏ ସିଏ । ଅପେକ୍ଷା କରିଛି ସେ ଶଶାଙ୍କଙ୍କୁ । ଏଠାରେ ବସିବାକୁ କହି କେତେବେଳୁ ଚାଲିଗଲେଣି କଣ ଟିକେ କାମର ବାହାନା କରି ସନ୍ଧ୍ୟା ପୂର୍ବରୁ । ଫେରି ନାହାନ୍ତି ଏ ପର୍ଯ୍ୟନ୍ତ । ମନରେ ଭୟ ଓ ସନ୍ଦେହରେ ଘାରି ହେଉଥିଲା ଚମ୍ପାର ମନ । ଚାରିଆଡକୁ ଚାହୁଁଥିଲା, କାହାକୁ କିଏ ଚିହ୍ନେ ଏଠି ଯେ, କାହାକୁ ପଚାରିବ ସିଏ । କେବଳ ବସି ରହିବା କଥା, ଭୋକରେ ପେଟ ଆଉଟୁପାଉଟୁ ହେଲାଣି, ଖରାବେଳେ ଯାହା ହୋଟେଲ ରେ ଶଶାଙ୍କ ସହିତ କଣ ଗଣ୍ଡେ ଖାଇଥିଲା ।
ଚମ୍ପା ଭଲପାଇ ବିବାହ କରିଥିଲା ଶଶାଙ୍କଙ୍କୁ, ବିବାହ ତ ହୋଇନଥିଲା, ତାଙ୍କ ସାଥିରେ ଘରଛାଡି ଚାଲିଆସିଥିଲା ସିଏ, ନାମକୁ ମାତ୍ର ମନ୍ଦିରରେ ଫୁଲମାଲଟିଏ ଦେଇ ବିବାହ ବନ୍ଧନରେ ବାନ୍ଧିହୋଇଥିଲେ ଦୁହେଁ । ବର୍ଷେ ବି ପୁରିନି ସେମାନଙ୍କର ବିବାହ । ସେଦିନ ଯେତେବେଳେ ସେମାନେ ଶଶାଙ୍କଙ୍କ ଘରକୁ ଗଲେ, ତାଙ୍କ ପରିବାରରେ କେହି ତାଙ୍କୁ ଗ୍ରହଣ କଲେନାହିଁ, ଭୀଷଣ ପାଟିତୁଣ୍ଡ ମଧ୍ୟ ହୋଇଥିଲା । ଅଶାନ୍ତି ଭିତରେ ସେମାନେ କିନ୍ତୁ ରହିଲେ ସେଠାରେ ।
ଶଶାଙ୍କଙ୍କର ପରିବାର ତାଙ୍କ ପରିବାର ତୁଳନାରେ ଅଧିକ ଧନୀ, ପ୍ରଭାବଶାଳୀ ମଧ୍ୟ । ଭଲପାଇବାର ପ୍ରଥମରୁ ହିଁ ଚମ୍ପା ମନା କରିଦେଇଥିଲା ଶଶାଙ୍କଙ୍କୁ, କହିଥିଲା, ଠିକ ମନେଅଛି ଚମ୍ପାର, ଶଶାଙ୍କ ଧନୀଘରର ପିଲା, ଦୁହିଁଙ୍କର ବିବାହକୁ ତାଙ୍କ ଘରେ କେବେବି ଗ୍ରହଣ କରିବେ ନାହିଁ । କିନ୍ତୁ ଶଶାଙ୍କ ଗ୍ରହଣ କରିନଥିଲା ଚମ୍ପାର କଥାକୁ । ଅନେକ ପ୍ରଲୋଭନ ଦେଖାଇଥିଲା ସିଏ ସେତେବେଳେ । ଚମ୍ପାର ବାପା ମାଆ ଜାଣିବା ପରେ, ସେମାନେ ବି ବିରୋଧ କରିଥିଲେ । ଚମ୍ପା ଥିଲା ଅନିନ୍ଦ୍ୟ ରୂପମୟୀ । ସେଥିପାଇଁ ବୋଧେ ଶଶାଙ୍କ ତାକୁ ଭଲ ପାଉଛନ୍ତି, ନିଶ୍ଚୟ ବିବାହ କରିବେ !ଏଇ ଆଶା ନେଇ ସେ ସମ୍ପର୍କକୁ ଆଉ ବାରଣ କରିପାରିନଥିଲା । ବଢ଼ି ଚାଲିଥିଲା ସେମାନଙ୍କ ଅନ୍ତରଙ୍ଗତା । ଦିନେ ସେଥିପାଇଁ ଶଶାଙ୍କଙ୍କ କଥାରେ ରାଜିହୋଇ ଚମ୍ପା ତାର ବାପାମାଆ ଙ୍କ ଅଜାଣତରେ ଘରୁ ଚାଲିଆସିଲା ।
ବିବାହର ଛଅ ମାସ ପର୍ଯ୍ୟନ୍ତ ବହୁତ ଭଲ ପାଉଥିଲେ ଶଶାଙ୍କ ତାକୁ । କିନ୍ତୁ ଚମ୍ପା ଧିରେ ଧିରେ ଅନୁଭବ କଲା, ଶଶାଙ୍କ ଙ୍କ ବ୍ୟବହାରରେ କିଛିଟା ପରିବର୍ତ୍ତନ । ବିନା କାରଣରେ ତା ଉପରେ ବିରକ୍ତ ହୁଅନ୍ତି ସିଏ । ତାଙ୍କ ଘରଲୋକେ ତ କେହି ଭଲ ପାଆନ୍ତିନି ।
ଦିନେ ହଠାତ ଶଶାଙ୍କ ତାକୁ କହିଲା, ଚାଲ ଆମେ ବାହାରକୁ ଚାଲିଯିବା, ସେଠାରେ କିଛି କାମ ଖୋଜି ମୁଁ ପାଇଯିବି ନିଶ୍ଚୟ, ସେଇ ବାହାରେ ଆମେ ସବୁଦିନ ରହିବା, ଘରେ ତ କେହି ଆମକୁ ସ୍ୱୀକାର କରୁ ନାହାନ୍ତି । ଚମ୍ପା ବି ନିଜକୁ ଅସହାୟ ଅନୁଭବ କରିବା ସହିତ ବହୁତ ମାନସିକ ଯନ୍ତ୍ରଣା ଭିତରେ ରହୁଥିଲା । ତେଣୁ ସେ ବି ରାଜିହୋଇଗଲା ଶଶାଙ୍କଙ୍କ ପ୍ରସ୍ତାବରେ । ତା ପରଦିନ ହିଁ ସେମାନେ ଘରୁ ବାହାରି ଆସିଥିଲେ । ତାଙ୍କ ଘରେ କେହି ବି କୌଣସି ପ୍ରଶ୍ନ ଉଠାଇ ନଥିଲେ ।
ଶଶାଙ୍କ କହିଥିଲେ ଓଡିଶା ବାହାରକୁ ସେମାନେ ଚାଲିଯିବେ, ସେଥିପାଇଁ ରେଲୱେ ଷ୍ଟେସନକୁ ଆସିଥିଲେ ସେମାନେ । କିଛି ସମୟ ବସିବାପରେ ଶଶାଙ୍କ କାମର ବାହାନା କରି ଛାଡି ଚାଲି ଯାଇଥିଲେ ତାକୁ ।
ସବୁ ପ୍ରତୀକ୍ଷା ଶେଷ ହେଲା, ରାତି ପାହିଗଲା, ହେଲେ ଶଶାଙ୍କ ଫେରିଲେନି ଆଉ । କିଛି ବୁଦ୍ଧିବାଟ ଦେଖାଯାଉନଥିଲା ଚମ୍ପାକୁ, ପାଖରେ ପଇସାଟିଏ ବି ନାହିଁ । ଶଶାଙ୍କ ଯେ ତା ପ୍ରତି ବେଇମାନି କରିଛନ୍ତି, ଏକଥା ଵୁଝି ପାରିଲା ସିଏ । ଘରକୁ ଫେରିବ କି ଆତ୍ମହତ୍ୟା କରିବ କିଛି ଚିନ୍ତା କରିପାରୁନଥିଲା ଚମ୍ପା ।
ଏମିତି ଘଟଣା ଦୁନିଆରେ ବହୁଳ ଭାବରେ ଘଟିଚାଲିଛି ଆଜିକାଲି । ତଥାପି ଆଜିର ପୁଅଝିଅମାନେ ନବୁଝି ବାପାମାଆଙ୍କ ଅଜାଣତରେ ଏଭଳି ଭୁଲ କରିବା ଯେ ସମାଜ ପାଇଁ କେତେ କ୍ଷତିକାରକ ଜାଣିପାରୁନାହାନ୍ତି ।

