ପଇଡ଼
ପଇଡ଼
ରବିବାର ର ଏକ ଅଳସ ଅପରାହ୍ନରେ ବାଲକୋନୀର ଦୁଇଟି ଚେୟାରରେ ବସିଥାନ୍ତି
ଟୁଟୁ ଓ ରାନୀ । ଟୁଟୁ ହାତରେ ନୋବେଲ
ବହିଟିଏ ନେଇ ପଢ଼ୁଛନ୍ତି ଓ ରାନୀ ଏକ ଶାଢୀ ରେ ଫଲ ଲଗାଉଛି । ଦୁହେଁ ଏକତ୍ର ବସିଛନ୍ତି କିନ୍ତ ଦୁହିଁଙ୍କ ମଧ୍ୟରେ ବାର୍ତ୍ତାଳାପ ନାହିଁ , ନିଜ ନିଜ କାମରେ ନିଜେ ନିଜେ ବ୍ୟସ୍ତ । କିଛି ସମୟ ବ୍ୟବଧାନରେ ରାନୀ ଶାଢୀରେ ଫଲ ଲଗାଇ ସାରି ଘର ଭିତରକୁ ଯିବା ସମୟରେ ସ୍ବାମୀ ଟୁଟୁଙ୍କୁ ପଚାରିଲା ଗ୍ରୀନ ଟି ପିଇବ କି ? ଟୁଟୁ ମୁଣ୍ଡ ହଲାଇ କହିଲେ ନା । ପଚାରିଲା କିଛି ଖାଇବ ? ପ୍ରତି ଉତ୍ତରରେ ଆସିଲା ହଁ ଯଦି କିଛି ଫଳ ଅଛି ନେଇ ଆସ । ରାନୀ ତୁରନ୍ତ ଭିତରକୁ ଗଲା ଓ ପ୍ଲେଟରେ କିଛି ଫଳ ସଜାଇ ଆଣି ଟୁଟୁ ଙ୍କ ଆଡ଼କୁ ବଢାଇ କହିଲା ନିଅ, ପ୍ଲେଟଟି ଧରାଇ ଦେଇ ପାଖ ଚେୟାରରେ ଯାଇ ବସିଲା। ଟୁଟୁ ଫଳ ଖାଇବା ଭିତରେ ରାନୀ ମୁହଁ କୁ କାହିଁକି କେଜାଣି ଦୁଇଥର ଚାହିଁ ଥିଲେ, ରାନୀ ଏହାକୁ ଖୁବ୍ ଭଲ ଭାବରେ ନୋଟିସ କରିଛି ।
ରାନୀ ଓ ଟୁଟୁ ର ବିବାହକୁ ପ୍ରାୟ ୨୫ବର୍ଷ ହୋଇ ଯାଇଥାଏ ।ବାହା ହୋଇ ଆସିଲା ପରଠାରୁ ସେ ପରିବାରର ସମସ୍ତ ଛୋଟ ବଡ଼ ସଦସ୍ୟଙ୍କ ଦାୟିତ୍ୱ ଖୁବ୍ ଆଦର ଓ ଯତ୍ନରେ ତୁଲାଇ ଆସୁଛି କିନ୍ତୁ ରାନୀର ଅଭିଯୋଗ ଥାଏ ଯେ ଟୁଟୁ ତା ପ୍ରତି ଧ୍ୟାନ ଦିଅନ୍ତି ନାହିଁ,ତା ପ୍ରତି ସମୟ ବାହାର କରନ୍ତି ନାହିଁ କି ମନ ଖୋଲି କେବେ କଥା ମଧ୍ୟ ହୁଅନ୍ତି ନାହିଁ । ଟୁଟୁ ସ୍ବଭାବରେ ଖୁବ୍ ଶାନ୍ତ ,ଏକ ଉଚ୍ଚ ପଦସ୍ଥ କର୍ମଚାରୀ ଓ ପଢ଼ିବାକୁ ଖୁବ୍ ଭଲ
ପାଆନ୍ତି ।
ରବିବାର ବିତିଗଲା, ସୋମବାର ସମସ୍ତେ ଖୁବ୍ ଜଲଦି ଜଲଦି ନିଜ ନିଜ କର୍ମକ୍ଷେତ୍ର ଯିବାକୁ ବାହାରି ପଡିଲେ । ସମସ୍ତଙ୍କୁ ଜଳଖିଆ ଖୁଆଇ, ଟିଫିନ୍ ବ୍ୟାଗ୍ ଧରାଇ ପଠାଇ ସାରିବା ପରେ ରାନୀ ଘର କାମ ସହ ମଧ୍ୟାହ୍ନ ଭୋଜନ ନିମନ୍ତେ ଲାଗି ପଡିଲା । ଘଡିରେ ଠିକ ୧୨ଟା, ଫୋନ୍ ରିଙ୍ଗ ହେଲା, ଟୁଟୁ କହିଲେ ରୋଷେଇ ସାରିଲଣି, ରାନୀ କହିଲା ନା ସରିନାହିଁ ଆଉ ଅଳ୍ପ ସମୟ ମଧ୍ୟରେ ସରିଯିବ । ଟୁଟୁ କହିଲେ ଜଲଦି ଜଲଦି ରେଡି ହୋଇଯାଅ ମୁଁ ଅଧ ଘଣ୍ଟା ଭିତର ପହଞ୍ଚୁଛି,
କାମ ଅଛି ଟିକେ ବାହାରକୁ ଯିବା । ରାନୀ ଜଲଦି କାମ ସାରି ଏକ ସିଫନ ଶାଢ଼ୀ ପିନ୍ଧି ରେଡି ହୋଇଗଲା ।ବେଲ ବାଜିବାରୁ ତଳକୁ ଗଲା, ଟୁଟୁ କହିଲେ କାର ଚାବି ନେଇ ଆସ,ଆମେ ଆମ ଗାଡ଼ିରେ ଯିବା ଓ ଅଫିସ ଡ୍ରାଇଭରକୁ କହିଲେ ତମେ ଯାଅ ମୁଁ ଫୋନ୍ କଲେ ଗାଡି ନେଇଆସିବ ।
ଏହାପରେ ଦୁହେଁ ନିଜ ଗାଡିରେ ବାହାରିଲେ।ପ୍ରାୟ ଗୋଟିଏ ଘଣ୍ଟା ଟୁଟୁ ଏମିତି ଗାଡ଼ିକୁ
ବୁଲାଉ ଥାନ୍ତି।
ରାନୀ ଦୁଇଥର ପଚାରି ସାରିଲାଣି ଆମେ କୁଆଡେ ଯାଉଛୁ, କୋଉଠି ଯିବା ? କିନ୍ତୁ ଟୁଟୁ କିଛି କହୁ ନ ଥାନ୍ତି ଖାଲି ଟିକେ ହସି ଦଉ ଥାନ୍ତି । ଟୁଟୁ ଏବେ ଗୋଟେ ଛକ ଜାଗାରେ ଗାଡ଼ି ଅଟକାଇଲେ ଓ କହିଲେ ତମେ ବସିଥାଅ ମୁଁ ଜଲଦି ହିଁ ଆସୁଛି ।
୫ ମିନିଟ୍ ରେ ହିଁ ଆସିଗଲେ, ହାତରେ ଅଛି ଗୋଟେ ବଡ଼ କଟା ପଇଡ ଓ ଦୁଇଟି ଷ୍ଟ୍ର । ରାନୀ ହାତକୁ ବଢାଇ ଦେଇ କହିଲେ ପିଅ , ରାନୀ କହିଲା ତମେ ବି ଆସ । ଦୁହେଁ ମିଶି ପଇଡ ପିଉଥିବା ସମୟରେ, ରାନୀ ଟୁଟୁ କାନ୍ଧରେ ମୁଣ୍ଡ ରଖି ଆଉଜି ହୋଇ ବସିଲା ଓ କଣ୍ଠ ଭରା ସ୍ବରରେ କହିଲା ମୁଁ ସବୁବେଳେ ଅଭିମାନ କରେ କି ତମ ପାଖରେ ମୋ ପାଇଁ ସମୟ ନାହିଁ କିନ୍ତୁ ତମେ ମୋତେ ଏମିତି ସରପ୍ରାଇଜ ଦେବ ମୁଁ ଭାବି ନ ଥିଲି । ଆଜିର ପଇଡ ପିଇବା ମୋ ମନ ହୃଦୟରେ ସବୁ ଦିନ ପାଇଁ ଏକ ସ୍ମୃତି ହୋଇରହିଗଲା । ଟୁଟୁ ରାନୀର ମୁଣ୍ଡକୁ ଆଉଁସି ଦେବା ସହ ମଥାରେ ଦେଇଥିଲେ ଏକ ଚୁମ୍ବନ । ଏହି ଭଳି ଦୁହିଁଙ୍କ ନିବିଡତା ଓ ଘନିଷ୍ଠତାକୁ ନେଇ ଗାଡ଼ି ଆଗେଇ ଯାଉଥିଲା ଘର ଆଡ଼କୁ ।

