Binata Mohanta

Children Stories

4.1  

Binata Mohanta

Children Stories

ଗୁଡ଼ାର ଆଚାର ପ୍ରସ୍ତୁତି

ଗୁଡ଼ାର ଆଚାର ପ୍ରସ୍ତୁତି

4 mins
339


ଅପରାହ୍ନର ଅଳସ ମୂହୁର୍ତ୍ତରେ ଖଟରେ ଗଡ଼ ପଡ଼ ହେଉ ହେଉ କେତେ ବେଳେ ଆଖି ଲାଗି ଯାଇ ଥିଲା ଜଣାନାହିଁ। ଅସମୟରେ କିଏ ଆସିଲା ବୋଲି ମନେ ମନେ ବିରକ୍ତ ହେଇ କବାଟ ଖୋଲିଲି। ଆଗରେ ଛିଡା ହୋଇ ଥିଲେ ଗୁଡ଼ା ଓ ତା ବାପା ରାଉତ ବାବୁ। ଆମର ଅତି ଘନିଷ୍ଠ ବନ୍ଧୁ ହେଉଛନ୍ତି ରାଉତ ବାବୁ। ଗୁଡ଼ା ଏଇଠି ଆମ ରାଉରକେଲା NITରେ ଇଞ୍ଜିନିୟରିଂ ପଢୁଛି।

"ଆରେ ରାଉତ୍ ବାବୁ ଏ ଅସମୟରେ? ସାଙ୍ଗରେ ପୁଣି ଗୁଡ଼ା ? ସବୁ ଠିକ୍ ଠାକ୍ ତ?” ସେମାନଙ୍କୁ ଭିତରକୁ ପାଛୋଟି ନେଉ ନେଉ ମନର ଶଙ୍କା ସ୍ବୟଂ ପ୍ରଶ୍ନବାଚୀ ହୋଇ ନିଜକୁ ପ୍ରକାଶ କରି ସାରି ଥିଲା। କରୋନା ସମୟରେ କେତେବେଳେ କ'ଣ ହେବ କିଛି ଠିକ୍ ନଥିଲା। ବୋଧହୁଏ ହଷ୍ଟେଲରେ ସଂକ୍ରମଣ ଅଧିକ ହେବାରୁ କଲେଜ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ ହୋଇ ଯାଇଛି। ନହେଲେ ରାଉତ୍ ବାବୁ ଝାରସୁଗୁଡ଼ାରୁ ଏତେ ଦୂର ଆସି ଥାଆନ୍ତେ କାହିଁକି?

ରାଉତ୍ ବାବୁ କିଛି କହିବା ପୂର୍ବରୁ ଗୁଡ଼ା ତାର ଚିରାଚରିତ ହସ ହସି କହିଲା, " ଆଣ୍ଟି, ମୋର ପା ଇଞ୍ଜିନିୟରିଂ ଶେଷ ହେଇ ଗଲା। ଏବେ ଘରକୁ ଯାଉଛି।” 

"ଏତେ ଶୀଘ୍ର?" ମୁଁ ଆଶ୍ଚର୍ଯ୍ୟ ହୋଇ ତାକୁ ପଚାରିଲି।

"ହଁ ପା। ଚାରି ବର୍ଷରୁ ଦି ବର୍ଷ ତ ଘରେ ରହିଲା କରୋନା ଯୋଗୁଁ।" ସୋଫାରେ ଅଣ୍ଟା ସଳଖୁ ସଳଖୁ କହିଲେ ରାଉତ୍ ବାବୁ। "ଆମକୁବି ଲାଗୁଛି କଲେଜ ଆଦୌ ଯାଇନି ଭଳିଆ।"

ଗୁଡ଼ା ପଢୁ ଥିଲା ବେଳେ ତାକୁ ହଷ୍ଟେଲରେ ଛାଡ଼ିବା ପାଇଁ ରାଉତ୍ ବାବୁ ଓ ତାଙ୍କ ସ୍ତ୍ରୀ ପ୍ରାୟ ରାଉରକେଲା ଆସୁଥିଲେ ଓ ସେଇ ବାହାନାରେ ଆମ ଘରକୁ ମଧ୍ୟ ଆସୁଥିଲେ। ପୁରୁଣା ବନ୍ଧୁଙ୍କ ସହ ଅନେକ ଦିନ ପରେ ଦେଖା ହେଲେ ଅନେକ ସୁନେଲୀ ସ୍ମୃତି ଜୀବନ୍ତ ହୋଇ ଯାଉଥିଲା। କଥା କଥାରେ ସମୟ କେମିତି ବିତି ଯାଉଥିଲା ଜଣା ପଡୁ ନଥିଲା। ଗୁଡ଼ା ଆଉ ରାଉରକେଲା ଆସିବନି ଜାଣି ମନ ଟିକିଏ ଖରାପ ହୋଇଗଲା। 

କହିଲି, " ଆରେ ଗୁଡ଼ା। ଏବେ ତ ରାଉରକେଲା ଛାଡି ଯାଉଛୁ। ଟିକେ କଣ ଖାଇ ଦେଇ ଯା।"

କହିଲା, "ହଉ ଆଣ୍ଟି। ଅଳ୍ପ ଦେବ।"

ରାଉତ୍ ବାବୁଙ୍କୁ ମଧ୍ୟ ଆମନ୍ତ୍ରଣ କଲି ଖାଇବାକୁ। ହେଲେ ଏ ନିଛାଟିଆ ଦିପହରେ କ'ଣବା ଦେବି? ମନେ ମନେ ଚିନ୍ତା କରି ଶିଘ୍ର ଶିଘ୍ର ପକୁଡ଼ି ଓ ଚଟଣି ଟିକେ ବନେଇ ଉଭୟଙ୍କୁ ପରୋଷି ଦେଲି। ପୁଣି ଗୁଡ଼ାକୁ କହିଲି, "ଗୁଡ଼ା, ଆଚାର ନେବୁ?"

କହିଲା, " ତମେ ବନେଇଛ? ଦିଅ ତା ହେଲେ।"

ଗୁଡ଼ା ଶାନ୍ତ ପିଲାଟି ଭଳି ଚୁପଚାପ୍ ଖାଉ ଥାଏ। ସମୟ କେତେ ଶୀଘ୍ର ବିତି ଯାଏ ସତେ। ଯିଏ କାଲି ଆମ କୋଳରେ ବୁଲୁଥିଲା, ଆଜି ସେ ଇଞ୍ଜିନିୟର ହେଇ ଯାଇଛି। ସବୁ କାଲି ପରି ଲାଗୁଛି।

ବାହାଘର ଅଳ୍ପ ଦିନ ପରେ ମୁଁ ନୂଆ ନୂଆ ଯୋଡ଼ା ଆସି ଥାଏ। ସ୍ୱାମୀ ନିଯୁକ୍ତି ଓପିଟିସିଏଲ୍ ରେ ଥିଲା ଓ ସେତେବେଳେ ସେ ଯୋଡ଼ାରେ କାର୍ଯ୍ୟରତ ଥିଲେ। ଆମ ଘରୁ ଦି'ଟା ଘର ଛାଡ଼ି ଦେଲେ ଥିଲା ରାଉତ୍ ବାବୁଙ୍କ ଘର। ତାଙ୍କ ସ୍ତ୍ରୀ ଦୀପା ଭାରି ମିଶାଣିଆ। କଥା କଥାରେ କେତେବେଳେ ଆପଣାଇ ନିଅନ୍ତି ଜଣା ପଡ଼େ ନାହିଁ। ଆମ ଅଜାଣତରେ ସମ୍ପର୍କ ପଡୋଶୀର ସୀମା ଲଙ୍ଘି ପରିବାରର ରୂପ ନେଇ ସାରିଥିଲା। ସନ୍ତାନ ସନ୍ତତି ତାଙ୍କର ଦିଓଟି। ଝିଅ ରିମା ବଡ଼ ଓ ପୁଅ ଗୁଡ଼ା ସାନ। ବୟସ ଓ ଉଚ୍ଚତା ଉଭୟରେ ସିନା ଗୁଡ଼ା ଛୋଟ, କିନ୍ତୁ ପ୍ରଖର ବୁଦ୍ଧି। ସ୍ମରଣ ଶକ୍ତି ମଧ୍ୟ ଅତି ତେଜ। ବୁଦ୍ଧି ଯେତିକି ବିଚକ୍ଷଣ, ଦୁଷ୍ଟାମୀରେ ମଧ୍ୟ ସେମିତି ଧୁରନ୍ଧର। ମୁଣ୍ଡରୁ ଗୋଡ଼ ଯାଏଁ ତା ଦେହରେ ଏମିତି ଜାଗା ନଥିଲା ଯେଉଁଠି ଖଣ୍ଡିଆ ହୋଇ ନଥିବ। କିନ୍ତୁ ତା ମୁହଁର ସରଳ, ନିଷ୍ପାପ ହସ ଟିଏ ଦେଖିଲେ ସବୁ ରାଗ ଶାନ୍ତ ପଡ଼ି ଯାଉଥିଲା। ଥଟ୍ଟାରେ ତାକୁ କହୁଥିଲି," ତୋ ହସ ଦେଖିଲେ ବୁଢି ଠାରୁ ଟୋକି ଯାଏଁ ସମସ୍ତେ ଫସି ଯିବେରେ ଗୁଡ଼ା।"

ଏମିତି ଦିନେ ମୁଁ ସବୁ କାମ ସାରି ବିଜୁଳି ବିଲ୍ ଦେବା ପାଇଁ ବାହାରି ଥାଏ। ରାଉତ୍ ବାବୁଙ୍କ ଘର ପାଖରେ ପହଞ୍ଚିଲା ବେଳକୁ ଦେଖିଲି ଗୁଡ଼ା ଏକା ବାରଣ୍ଡାରେ ବସିଛି। ମୋତେ ଦେଖି ଦଉଡ଼ି ଆସିଲା। କହିଲା," ଆଣ୍ଟି, ଆଣ୍ଟି, ଟିକେ ଆସନ୍ତୁ। ଆଣ୍ଟି ପ୍ଲିଜ ଟିକେ ଆସନ୍ତୁ।" 

କହିଲି," ଗୁଡ଼ା ବେଟା, ମୁଁ ବିଲ୍ ଟିକେ ଦେଇକି ଆସୁଛି। ଫେରିଲା ବେଳେ ଯିବି ତମ ଘରକୁ।"

ସେ କିନ୍ତୁ ନଛୋଡବନ୍ଧା। କହିଲା," ନାଇଁ ଆଣ୍ଟି ପ୍ରଥମେ ଆମ ଘରକୁ ଆସନ୍ତୁ। ଖାଲି ଦି ମିନିଟ।" ଏତିକି କହି ଦଉଡ଼ି ଆସି ମୋ ହାତ ଟାଣି ଭିତରକୁ ନେଇ ଗଲା। ତାଙ୍କ ଦ୍ବାର ଆଗରେ ଲାଗିଥିବା ଦୋଳିକୁ ଆଙ୍ଗୁଳି ଦେଖାଇ କହିଲା," ଏଇଠି ବସନ୍ତୁ।"

ଉତ୍କଣ୍ଠା ସମ୍ଭାଳି ନପାରି କହିଲି," କଣ ହେଲା ବେଟା। ଏତେ ବ୍ୟସ୍ତ ହୋଇ ଡାକିଲୁ ଯେ। କ'ଣ ହୋଇଛି କହ।"

ସବୁ ଆଡ଼କୁ ନଜର ପକେଇ ଲାଜ ଲାଜ ସ୍ୱରରେ କହିଲା," ଆଣ୍ଟି, ମୁଁ ଆଚାର ବନେଇଛି। ଟିକେ ଚାଖିବେ?” ଛୋଟ ପିଲା ଟାର ମନ ରଖିବା ପାଇଁ କହିଲି," ଆରେ! ଆମ ଗୁଡ଼ା ବେଟା ଆଚାର ବନେଇଛି? ଭେରି ଗୁଡ୍। ମୋତେ ଦେ। ନିଶ୍ଚୟ ଚାଖିବି।" 

ମୋ କଥା ଶୁଣି ସେ ମୋ ପାଖକୁ ଲାଗି ଆସିଲା। ମୋ ହାତ ଧରି ଅଭିଯୋଗ ଭରା ସ୍ୱରରେ କହିଲା," ଆମ ଘରେ ମୁଁ ସମସ୍ତଙ୍କୁ କହିଲି ମୋ ଆଚାର ଟିକେ ଖାଇବାକୁ। କିନ୍ତୁ କେହି ହେଲେ ଖାଇଲେ ନାହିଁ।" ତା'ର ଅବୋଧତାରେ ହସ ମାଡୁ ଥିଲେ ମଧ୍ୟ ନିଜକୁ ସମ୍ଭାଳି କହିଲି," କେହି ନ ଖାଆନ୍ତୁ ବେଟା। ମୁଁ ନିଶ୍ଚୟ ଖାଇବି। ଗଲୁ ତୋ ଆଚାର ଟିକେ ଆଣିବୁ।”

ଏତିକି କହୁ କହୁ ଗୁଡ଼ା ମାଁ ଭିତରୁ ପାଟି କରି ଦୌଡ଼ି ଆସିଲେ। କହିଲେ," ରୀନା। ବିଲକୁଲ୍ ଖାଇବେନି ତା ଆଚାର।"

ମୁଁ ଆଶ୍ଚର୍ଯ୍ୟ ହୋଇ ପଚାରିଲି," କାହିଁକି? କ'ଣ ହେଇଛି!"ଟିକିଏ ଗୁଡ଼ା ଆଡ଼କୁ ଅନେଇ ସାମାନ୍ୟ ହସି ଉତ୍ତର ଦେଲେ," ତାକୁ ଟିକେ ପଚାରିଲେ, ଆଚାରରେ ସେ କ'ଣ ମିଶେଇଛି।"

ଗୁଡ଼ାର ମୁଣ୍ଡ ଆଉଁସି ଦେଇ କହିଲି," ଆଚାରରେ କ'ଣ କ'ଣ ମିଶେଇଛୁ ବେଟା। ମତେ ଟିକେ କହିଲୁ।"ଖୁସି ହୋଇ ଗୁଡ଼ା କହିଲା," ଆଣ୍ଟି! ଏଥିରେ ମିଶେଇଛି ଛୋଟ ଆମ୍ବ, ଲଙ୍କା ଗୁଣ୍ଡ, ଲୁଣ, ଚିନି, ପିଆଜ ଚୋପା, ଅମୁଲ୍ ଆଉ ଚା ପତି‍।" ଆଉ ସମ୍ଭାଳି ନପାରି ଗୁଡ଼ାକୁ ଧରି ହସିବାକୁ ଲାଗିଲି। ତା ମାଁ ମଧ୍ୟ ହସି ହସି କହିଲେ," ଦେଖିଲେ ଆମ ପୁଅର ଆଚାର ପ୍ରସ୍ତୁତି?"ହଠାତ୍ ଗୁଡ଼ାର ସ୍ବର ଶୁଣି ମୁଁ ପୁଣି ବର୍ତ୍ତମାନକୁ ଫେରି ଆସିଲି। ସେ ଓ ରାଉତ୍ ବାବୁ ପ୍ରାୟ ଖାଇ ସାରି ଥାଆନ୍ତି। ଗୁଡ଼ା କହୁଥିଲା," ଆଣ୍ଟି, ଆଚାରଟା ବଢ଼ିଆ ହୋଇଛି। କ'ଣ ପକେଇଛ ଏଥିରେ?"



Rate this content
Log in