STORYMIRROR

Binata Mohanta

Children Stories

4  

Binata Mohanta

Children Stories

ହନୁମାନ ଚାଳିଶା

ହନୁମାନ ଚାଳିଶା

2 mins
332

ଘରେ ଶିଶୁ ଟିଏ ସାଧାରଣତଃ ଯାହା ଦେଖିଥାଏ, ତାହାକୁ ଅନୁକରଣ କରିଥାଏ। ଆମ ଓମ୍ ମଧ୍ୟ କିଛି ଭିନ୍ନ ନୁହେଁ। ବୟସ ମାତ୍ର ତିନି ବର୍ଷ ଆଉ ମା ହେଲା ତାର ପ୍ରିୟ ସାଥୀ। ସଂସାରର ପ୍ରତିଟି ନିୟମକୁ ସେ ଟିକି ନିଖି କରି ଦେଖେ ଏବଂ ଶିଖେ ମଧ୍ୟ। ପ୍ରତିଦିନ ସକାଳେ ଗାଧୋଇବା, ପୂଜା କରିବା, ସୂର୍ଯ୍ୟଙ୍କୁ ପାଣି ତର୍ପଣ ସହ ମନ୍ତ୍ରୋଚ୍ଚାରଣ କରିବା ଥିଲା ମୋର ଦୈନନ୍ଦିନ କାର୍ଯ୍ୟ କଳାପର ଅଙ୍ଗ। ତୁଳସୀ ଚଉରା ପାଖରୁ ଫେରୁଥିବା ବେଳେ ଦିନେ ହଠାତ୍ ଆଗରେ ଛିଡା ହୋଇ କହିଲା, " ମାମା ତମେ ସବୁଦିନ କଣ ପାଁଇ ସୂର୍ଯ୍ୟଙ୍କୁ ପୂଜା କର?"

ତା ମୁଣ୍ଡ ଆଉଁସି ଦେଇ କହିଲି, " ସୂର୍ଯ୍ୟ ହେଉଛନ୍ତି ସକଳ ସୃଷ୍ଟିର ଆଧାର। ତାଙ୍କ ଯୋଗୁଁ ଦିନ ଓ ରାତି ହୋଇଥାଏ। ସେ ହେଉଛନ୍ତି ଏକମାତ୍ର ପ୍ରତ୍ୟକ୍ଷ ଦେବତା ଯାହାକୁ ପ୍ରତିଦିନ ଜୀବ, ଉଦ୍ଭିଦ, କୀଟ, ପଶୁପକ୍ଷୀ ସମସ୍ତେ ଦର୍ଶନ କରି ଥାନ୍ତି।"

ଏତିକି କହି ମୁଁ ଆସିଲି ପୂଜା ଘରକୁ। ମୋ କାନି ଧରି ମୋ ପଛେ ପଛେ ସେ ମଧ୍ୟ ଆସିଲା। ପୂଜା ଘରେ ଫୁଲ ଚନ୍ଦନ ଦେଇ ସଜାଇଲି ଠାକୁରଙ୍କୁ। ଧୂପ ଦୀପ ଅର୍ପଣ ପରେ ଠାକୁରଙ୍କୁ ଭୋଗ ଲଗେଇ ପାଣି ଦେଲି। ତା'ପରେ ଆରମ୍ଭ ହେଲା ଗଣେଶ, ସରସ୍ଵତୀ, ଲକ୍ଷ୍ମୀ, ଦୂର୍ଗା ଓ ଶିବଙ୍କ ସ୍ତୁତି। ଶେଷରେ ହନୁମାନ ଚାଳିଶା। ଏମିତି ପୂଜା ଚାଲିଥିବା ବେଳେ ଓମ୍ କେତେବେଳେ ଅବା ଠାକୁରଙ୍କ ଥାଳିରୁ ଭୋଗ ନେଇ ଖାଇ ଦେଉଥାଏ। ପୂଜା ସରିଲା। ପୁଣି ଆରମ୍ଭ ହେଲା ଓମ୍ ର ପ୍ରଶ୍ନବାଣ।

" ମାମା ଗଣେଶଙ୍କୁ କାହିଁକି ପୂଜା କଲ? ସରସ୍ଵତୀ କିଏ?..." ଇତ୍ୟାଦି ଇତ୍ୟାଦି।

ବୁଝାଇ କହିଲି, " ଗଣେଶ ହେଉଛନ୍ତି ବିଘ୍ନେଶ୍ୱର। ଜୀବନରେ କେବେ ବାଧା ବିଘ୍ନ ନ ଆସିବା ପାଇଁ ତାଙ୍କୁ ପୂଜା କରୁ। ସରସ୍ଵତୀ ହେଉଛନ୍ତି ବିଦ୍ୟାର ଦେବୀ। ଲକ୍ଷ୍ମୀ ଧନର ଦେବୀ, ଦୁର୍ଗା ଶକ୍ତି ପ୍ରଦାୟିନୀ, ଶିବ ଶକ୍ତିର ପ୍ରତୀକ।"

" ଆଉ ହନୁମାନ?"

ତା'କୁ କୋଳକୁ ନେଇ କହିଲି," ହନୁମାନ ହେଉଛନ୍ତି ସଙ୍କଟ ମୋଚନ। ହନୁମାନ ଚାଳିଶା ଗାଇଲେ ସବୁ ବିପଦରୁ ଉଦ୍ଧାର ମିଳେ।"

ଓମ୍ ସବୁକଥା ଧ୍ୟାନ ଦେଇ ଶୁଣେ ଓ ମନେ ମଧ୍ୟ ରଖେ।

ସେଥର ଖରା ଛୁଟିରେ ଆମେ ଆସି ଥାଉ ରାଉରକେଲା, ଦେଢଶୁରଙ୍କ ଘରକୁ। ମୋ ଦେଢଶୁର ଓ ଦିଦି ହେଉଛନ୍ତି କୁନି ଓମ୍ ର ଅତି ପ୍ରିୟ। ଅଥଚ ଦେଢଶୁରଙ୍କ ଆଗକୁ ବାହାରିବାକୁ ସାହସ ନକରି ମୁଁ ଘର ଭିତରେ ବସି ଥାଏ ମଥାରେ ଓଢଣା ନେଇ। ଏମିତି ଦିନେ ବସିଥିବା ବେଳେ ଓମ୍ କହିଲା," ମାମା ମୁଁ ପରିଶ୍ରା ଯିବି।"

କହିଲି," ହଁ ଯାଆ। ଟୟଲେଟର ଲାଇଟ୍ ଅନ୍ କରି ଯିବୁ।"

କିନ୍ତୁ ଅନେକ ଦିନ ବ୍ୟବଧାନ ପରେ ରାଉରକେଲା ଆସିଥିବାରୁ କିଛିଟା ଭୟ ଓ କିଛି ଶଙ୍କା ଯୋଗୁଁ ସେ ଏକା ଯିବାକୁ ଇଚ୍ଛା କରୁ ନଥିଲା। ତେଣୁ ଜିଦ୍ ଧରି ବସିଲା, 'ମାମା ତମେବି ଚାଲ।'

ବାହାରେ ଦେଢଶୁର ବସି ଥିବାରୁ ମୁଁ ବାହାରିବାକୁ ସାହସ କରି ପାରୁନଥିଲି। ଏଣେ ଓମ୍ ଅସମ୍ଭାଳ ଅବସ୍ଥାରେ ପର୍ଦ୍ଦା ପାଖରୁ ରଡ଼ି ଛାଡୁଥାଏ, " ମାମା ଆସ ନା।"

ତା'କୁ ବୁଝାଇ କହିଲି, " ବାପା, ବାହାରେ ତୋ ଜେଠା ବାବା ବସିଛନ୍ତି।"

ରାଗିଯାଇ କହିଲା, "ଜେଠା ବାବାଙ୍କୁ କ'ଣ ପାଇଁ ଡରୁଛ? ହନୁମାନ ଚାଳିଶା ଗାଇ ଦିଅ, ତମର ସେ ଆଉ କିଛି କରି ପାରିବେ ନାହିଁ।"

ଦେଢଶୁର ଓ ଦିଦି ଚା ପିଇବା ଛାଡି ହା ହା ହସିବାକୁ ଲାଗିଲେ। କୁନି ଓମ୍ ପ୍ରଶ୍ନବାଚୀ ଦୃଷ୍ଟିରେ ମୋ ଆଡ଼କୁ ଅନେଇ ରହିଥାଏ। ଭୁଲ୍ ତ କିଛି କହିନି ସେ!


साहित्याला गुण द्या
लॉग इन