Binata Mohanta

Others

3  

Binata Mohanta

Others

ହୋଟେଲ ମାନସୀ

ହୋଟେଲ ମାନସୀ

3 mins
7


ଝାଡ଼ଖଣ୍ଡ ରାଜ୍ୟର ସୀମା ଲାଗି ଆମ ଓଡ଼ିଶା ପ୍ରଦେଶର କିଛି ଜିଲ୍ଲା ଅଛି, ଯେମିତି ସୁନ୍ଦର ଗଡ଼, କେନ୍ଦୁଝର, ମୟୁରଭଞ୍ଜ । ଉଭୟ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ଯାତାୟାତ ସହ ବନ୍ଧୁତା ଓ ଭାବ ବିନିମୟ ସବୁ ସମୟରେ ହୋଇଥାଏ । ଓଡିଶା ସୀମା ରେଖା ଅତିକ୍ରମ କଲା ପରେ ମଧ୍ୟ ଏ ସବୁ ଅଞ୍ଚଳରେ ଓଡ଼ିଆ ଭାଷାର ପ୍ରଚଳନ ଦେଖିବାକୁ ପାଇଥାଉ ।ଏହା ଶୁଦ୍ଧ ଓଡିଆ ନୁହେଁ, ଆଞ୍ଚଳିକ ଭାଷାରେ ମିଶାମିଶି ରୂପ । ଝାଡ଼ଖଣ୍ଡ ପଶିଲା ମାତ୍ରେ ସେଠିକାର ବାସିନ୍ଦା ମିଶାମିଶି ବଙ୍ଗଳା, ହିନ୍ଦୀ,ମୁଣ୍ଡା, ସାନ୍ତାଳୀ ଓ କିଛି ମାତ୍ରା ରେ ଆଞ୍ଚଳିକ ଓଡ଼ିଆ ଭାଷା କହିବାର ଶୁଣିବାକୁ ମିଳେ।

ଦୀର୍ଘ ଦଶ ବର୍ଷରୁ ଉର୍ଦ୍ଧ ସମୟ ମୁଁ ମୋ ବାପା ଘର କେନ୍ଦୁଝର ଗଡକୁ ଓଡିଶା ପ୍ରାନ୍ତର ମଧ୍ୟରେ ନଯାଇ 

ଝାଡ଼ଖଣ୍ଡ ରାସ୍ତାରେ ଯାଉ ଥିଲି କାରଣ ସୁନ୍ଦରଗଡ଼ ଠାରୁ କେନ୍ଦୁଝର ଗଡ଼ ପର୍ଯ୍ୟନ୍ତ ସେତେବେଳେ ରାସ୍ତା ଅତି ଶୋଚନୀୟ ତଥା ଦୟନୀୟ ସ୍ଥିତିରେ ଥିଲା, ରାସ୍ତାର ଏହିପରି ସ୍ଥିତି ଯୋଗୁଁ ଗାଡ଼ି ଦୁର୍ଘଟଣା ଗ୍ରସ୍ତ ହେବାର ସମ୍ଭାବନା ବଢ଼ି ଯାଉଥିଲା । ସେଥିପାଇଁ ଆମେ ଏହି ଝାଡ଼ଖଣ୍ଡ ରାସ୍ତାକୁ ବାଛି ଥିଲୁ । ଦୂରତା ବେଶି ଥିଲା, ପହଞ୍ଚିବାକୁ ସମୟ ଲାଗୁଥିଲା କିନ୍ତୁ ଖୁବ୍ ସୁନ୍ଦର ଜନଶୂନ୍ୟ ରାସ୍ତା, ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର । ରାସ୍ତାର ଦୁଇ ପଟେ ବଡ଼ ବଡ଼ ଗଛ ଧାଡ଼ି ଧାଡ଼ି ହୋଇ ଛିଡା ହୋଇ ଥିବା ଦୃଶ୍ୟ, ବିରାଟ ବିରାଟ ଧୂସର ବର୍ଣ୍ଣ ପାହାଡ଼ ସହ ଘଞ୍ଚ ଜଙ୍ଗଲ ମଧ୍ୟରେ ଗତି କରିବା ଖୁବ୍ ରୋମାଞ୍ଚକର ଲାଗୁଥିଲା ।


ଥରେ କେନ୍ଦୁଝର ଗଡକୁ ବାହାରି ରାଉରକେଲା ଆସିବା ସମୟରେ ସ୍ବାମୀ ଓଡିଶା ସୀମାକୁ ଲାଗିଥିବା ଏକ ଛୋଟ ସହର ମନୋହର ପୁରର

ଏକ ହୋଟେଲ୍ ସାମ୍ନାରେ ମଧ୍ୟାହ୍ନ ଭୋଜନ ନିମନ୍ତେ ଗାଡ଼ି ରଖିଲେ, 

ହୋଟେଲ ନାଁ ରେ ଝୋପଡି ଦୋକାନ ଟିଏ ମାତ୍ର। ମୁଁ ଦେଖି ଆଶ୍ଚର୍ଯ୍ୟ ହେଲି, ପଚାରିଲି, ଆମେ କ'ଣ ଏଇଠି ଖାଇବା, ସେ ପ୍ରତି ଉତ୍ତରରେ କହିଲେ,ହଁ।


ସ୍ବାମୀ ମୋର ଖୁବ୍ କମ୍ କଥା କୁହନ୍ତି, ହଁ ନାହିଁ ରେ ତାଙ୍କର ଉତ୍ତର ସରିଯାଏ ।ଗାଡିରୁ ଓହ୍ଲାଇ ଭିତରକୁ ଗଲି। ଖୁବ୍ ଛୋଟ ସେ ହୋଟେଲ୍, ଅତି ବେଶୀରେ ଏକା ଥରକେ ଦଶ ଜଣ ମାତ୍ର ବସି ଖାଇ ପାରିବେ । ହୋଟେଲ୍ ମାଲିକ ଜଣକ ତ୍ରିଭାଷୀ ।ଓଡ଼ିଆ, ବଙ୍ଗଳା ଓ ହିନ୍ଦୀ ଭାଷାରେ ପାରଙ୍ଗମ ଏବଂ ଗରାଖ ଦେଖି ସେହି ଭାଷାରେ କଥା ହୁଅନ୍ତି।

ସ୍ବାମୀ ମୋର ତିନୋଟି ମିଲ ବରାଦ କଲେ । ମୁଁ ମନେ ମନେ ଭାବୁଥାଏ ଏଠାରେ କ'ଣ ବା ମିଳିବ! 

ଥାଳିରେ କ'ଣ ବା ସଜା ହୋଇ ଆସିବ। ତୁରନ୍ତ ବାମ୍ଫ ଉଠା ଭାତ ସହ ଚାରି ପାଞ୍ଚ ପ୍ରକାର ଭଜା ଓ ତରକାରୀ ଆସି ପହଞ୍ଚି ଗଲା । ସାଥୀ ରେ ଥିଲା ସାଲାଡ଼। ହୋଟେଲ ମାଲିକ ପଚାରିଲେ ମାଛ, ମାଂସ କି ଅଣ୍ଡା ନେବେ ? ମୁଁ କହିଲି ଶାକାହାରୀ ବ୍ୟଞ୍ଜନରେ ଆଉ କ'ଣ ଅଛି ? ସେ ଜଣେ ମହିଳାଙ୍କୁ କିଛି ଆଣିବାକୁ କହିଲେ । ମହିଳା ଜଣକ ଗୋଟେ ପ୍ଲେଟରେ ଶାଗ,ଆଳୁ ଭଜା,ପାମ୍ପଡ ଓ ଆଚାର ନେଇ ଆସିଲେ ।

ସେସବୁ ଦେଖି ମୁଁ ବହୁତ ଖୁସି ହୋଇଗଲି । ଘର ରନ୍ଧା ଭଳି ଥିଲା ସବୁ କିଛି । ସମସ୍ତ ବ୍ୟଞନ କାଠ ଚୁଲି ରେ ପ୍ରସ୍ତୁତ ହୋଇ ଥିଲା ଏବଂ ଖୁବ୍ ସୁସ୍ବାଦୁ ଥିଲା। ମନ ଖୁସିରେ ଖାଇ ଦୋକାନୀ କୁ ପଇସା ଦେଇ ଆମେ ଘର ମୁଖେ ଆଗେଇ ଆସିଲୁ । କାରରେ ବସୁ ବସୁ ପଚାରିଲି ଖାଇବା ଥାଳି କେତେ ନେଲା ?କହିଲେ ଗୋଟେ ଥାଳିକୁ ୬୦ଟଙ୍କା ନେଲା ।ଦାମ ଶୁଣି ଆହୁରି ଆଶ୍ଚର୍ଯ୍ୟ ହୋଇଯାଇ ଥିଲି ।  

ମନେ ମନେ ଭାବିଲି ଏବେ ଯେବେ ବି ମୁଁ କେନ୍ଦୁଝର ଗଡ଼ ଯିବି ବା ସେଠାରୁ ଆସିବି ମୁଁ ଏଇ ଠାରେ ହିଁ ମଧ୍ୟାହ୍ନ ଭୋଜନ କରିବି । ହୋଟେଲ ରୁ ବାହାରିବା ଆଗରୁ ମୁଁ ହୋଟେଲ ମାଲିକଙ୍କ ଠାରୁ ଫୋନ୍ ନମ୍ବର ନେଇ ଆସିଥିଲି ।

ହୋଟେଲରୁ ବାହାରି ଦେଖିଲି ହୋଟେଲର ନାମ ଲେଖା ଯାଇଛି,"ହୋଟେଲ ମାନସୀ"। ପଚାରି ବୁଝିଲି ମାନସୀ ହେଉଛନ୍ତି ଏହି ହୋଟେଲ ମାଲିକ ଙ୍କ ପତ୍ନୀ ,ଯିଏ ସମସ୍ତ ଖାଦ୍ୟ ନିଜ ହାତରେ ପ୍ରସ୍ତୁତ କରିଥାଆନ୍ତି । ଖୁବ୍ ସୁନ୍ଦର ଓ ସାଧାରଣ ମହିଳା। ମୁଁ ସାଧାରଣତଃ ବାହାରେ କୋଉଠି ଖାଏ ନାହିଁ କିନ୍ତୁ ମୋର ଏହି ହୋଟେଲରେ ଖାଇବାରେ ଅନୁ ଭବ କିଛି ନିଆରା ଥିଲା। ସ୍ବାମୀ ମୋର ସ୍ବଳ୍ପ 

ଭାଷୀ କିନ୍ତୁ ମୋର ମନକୁ ସେ ଠିକ୍ ବୁଝି ଥାଆନ୍ତି।


କାର ଆମ ଓଡ଼ିଶା ସୀମା ଆଡକୁ ମାଡି ଚାଲିଥିଲା। କାହିଁକି କେଜାଣି

ମନ କିନ୍ତୁ ମୋର ଅଟକି ଯାଇଥିଲା ମନୋହର ପୁରର ଭାଷାର ସଙ୍ଗମ ମାନସୀ ହୋଟେଲ ରେ…।


Rate this content
Log in