ଚୋରଣୀ ଚିତା
ଚୋରଣୀ ଚିତା
ବିଗତ ୩୩ବର୍ଷ ପୂର୍ବ କଥା ।ମୋ ପିଉସୀ ଘର
ଢେଙ୍କାନାଳ ଜିଲ୍ଲା କଙ୍କଡା ହାଡ଼ ବ୍ଲକ ଅନ୍ତର୍ଗତ ଘୁଣ୍ଟୁଳିପଶି ଗ୍ରାମରେ ।ମୁଁ ସପ୍ତମ ଶ୍ରେଣୀ ପରୀକ୍ଷା ଦେଇଥାଏ।ଏପ୍ରିଲ ମାସରେ ଖରାଛୁଟି ହୋଇଥିବାରୁ ବାପା,ମାଆ ଓ ମୋ ଛୋଟ ଭାଇ ସାଥିରେ ଆମେ ସମସ୍ତେ ଛୁଟି କାଟିବାକୁ ବାହାରି ଥିଲୁ ଆମ ପିଉସୀ ଘର । ଚତୁର୍ଦିଗ ପାହାଡ଼ ପରିବେଷ୍ଟିତ। ବସରୁ ଓହ୍ଲାଇ ପ୍ରାୟ ୭ରୁ୮ କିଲୋମିଟର ଜଙ୍ଗଲ ମଧ୍ୟରେ ଚାଲିକି ଗଲେ,ଦୁଇ ତିନୋଟି ଗାଁ ଓ ଗୋଟିଏ ନଦୀ ଡେଇଁଲେ ଆମେ ପହଞ୍ଚିବୁ ଯାଇ ଆମ ପିଉସୀ ଘରେ । ଜଙ୍ଗଲ ମଧ୍ୟରେ ଗଲା ବେଳେ ଆମେ ଦେଖିବାକୁ ପାଇଥିଲୁ କିଛି ଜଙ୍ଗଲି କୁକୁଡ଼ା ଓ ତାଙ୍କ ଛୁଆ,ତା ସହ ଦୁଇଟି ମୟୂର।ଶୁଣିବାକୁ ପାଇଥିଲୁ କେତେ ପ୍ରକାର ଚଢ଼େଇ ଡାକ । ପ୍ରଚଣ୍ଡ ଖରାରେ ଦିନ ୧୨ଟା ସମୟରୁ ଚାଲି ଚାଲି ଯାଇ ସନ୍ଧ୍ୟା ୬ଟାରେ ଯାଇ ଘରେ ପହଞ୍ଚି ଥିଲୁ । ଆମକୁ ଦେଖି ପିଉସା ପିଉସୀ, ଭାଇ ଭାଉଜ ଓ ତାଙ୍କ ତିନୋଟି ଛୋଟ ଛୋଟ ଛୁଆ ଭାରି ଖୁସି ହୋଇଥିଲେ ଓ ଭାଉଜ ମୋର ସଙ୍ଗେ ସଙ୍ଗେ ଆମ ଚର୍ଚ୍ଚାରେ ଲାଗି ପଡିଲେ । ଆମେ ତାଙ୍କ ଘରେ ଚାରି ଦିନ ରହିଲୁ,ଏହି ଚାରି ଦିନ ମଧ୍ୟରେ ଏଭଳି ଏକ ଘଟଣା ଘଟିଥିଲା ଯାହାକି ଆମେ କେବେ ଭୂଲି ପାରିବୁ ନାହିଁ । ପଡିଶା ଘର ନବ ବିବାହିତା ସୁନ୍ଦରି ବୋହୁ ଟିଏ ପିଉସୀ ଘର କୂଅକୁ ପାଣି ନବା ପାଇଁ ଆସିଥିଲା।
ପାଣି ନେଇ ଗଲା ବେଳେ ସେ ଆମକୁ ବହୁତ ଡାକିକି ଗଲାକି ଆମ ଘର ଆଡ଼କୁ ବୁଲି ଆସିବ । ପିଉସାଙ୍କ ଭାଇ ଘର ବୋହୂ ସିଏ ।କଥା ରଖି ବାପା ମାଆ ସାଥେ ତାଙ୍କ ଘରକୁ ବୁଲି ଗଲୁ । ତାଙ୍କ ଗାଁ ରେ ବିଜୁଳି ଆଲୋକ ସଂଯୋଗ ହୋଇନଥିଲା ।ଘରେ ଘରେ ଡିବିରି ଓ ଲଣ୍ଠନ ବ୍ୟବହାର କରୁଥିଲେ । ବହୁତ ବାଧ୍ୟ କଲେ ଖାଇକି ଯିବା ପାଇଁ, ରାତି ରୋଷେଇ ହେଲା ଆମେ ତାଙ୍କ ଘରୁ ଖାଇକି ଆସିଲୁ ।
ଏହି ନୂଆ ବୋହୂଟିର ନାମ ମାଧବୀ । ତିନି ବର୍ଷ ଆଗରୁ ସେ ଏହି ଗ୍ରାମକୁ ବଧୂ ସାଜି ଆସିଛି।ପ୍ରଥମ ପ୍ରସବରେ ଶିଶୁ କନ୍ୟାଟିଏ ହୋଇଛି। ଏହି ଛୋଟ ଝିଅ ଟିକୁ ପ୍ରାୟ ଦେଢ଼ ବର୍ଷ ହେଉଥିବ । ମାଧବୀକୁ ମଧ୍ୟ ପ୍ରାୟ ୨୧ବର୍ଷ ହୋଇଥିବ ।ଅଳ୍ପ ବୟସରେ ସନ୍ତାନ ପ୍ରସବ ଯୋଗୁଁ ସେ ପୁଷ୍ଟି ହୀନତା ହେତୁ ଅନ୍ଧାର କଣା ରୋଗରେ ପିଡୀତ ହୋଇ ଥିଲା ।
ସନ୍ଧ୍ୟା ଆସିବା ମାତ୍ରକେ ତାକୁ ଆଉ କିଛି ଦେଖାଯାଏ ନାହିଁ । ବୋହୂର ଏମିତି ଅବସ୍ଥା ଦେଖି ଶାଶୁ ମଧ୍ୟ ରାତି ହେଲେ ତାକୁ କିଛି କରି ବାକୁ ଦେଉନଥିଲେ । ସେଦିନ ବୁଲି ବାଲି ଦିନଟି ଖୁବ୍ ଭଲରେ କଟିଲା । ତାପରଦିନ ସକାଳୁ ଗାଁରେ ଚହଳ ପଡ଼ିଛି କି ଗ୍ରାମ ଜଙ୍ଗଲକୁ ଚିତା ବାଘ ଆସିଛି । ସନ୍ଧ୍ୟା ହେଲା ମାତ୍ରେ ଆଉ କେହି ଘରୁ ବାହାରିବା ନାହିଁ । ଏହି ଖବର ଶୁଣି ଛୋଟ ରୁ ବଡ ସମସ୍ତେ ଆତଙ୍କିତ। କେହି କେହି କହୁଥାନ୍ତି ଆଖ ପାଖ ଗାଁରୁ ଛେଳି ଓ ମଣିଷକୁ ସେ ଟେକି ନେଇ ଜଙ୍ଗଲକୁ ଧାଇଁ ପଳାଉଛି ।ଏହି ସବୁ କଥା ଶୁଣିବା ମାତ୍ରେ ସମସ୍ତଙ୍କ ମନରେ ଭୟ ପଶି ଯାଇଥିଲା ।
ସେଦିନ ମଧ୍ୟ ଅପରାହ୍ନରେ ମାଧବୀ ପାଣି ନେବାପାଇଁ ଆସିଥିଲା । ଘରକୁ ଯାଇ ସନ୍ଧ୍ୟା ରୋଷେଇ କରି ସମସ୍ତଙ୍କୁ ଖାଇବାକୁ ଦେଇଥିଲା
ଏହା ପରେ ସେ ତା'ର ଛୋଟ ଝିଅ ଟିକୁ ମଧ୍ୟ ଖୁଆଇ ଦେଇଥିଲା । ଛୁଆଟି ଶୋଇବାକୁ କାନ୍ଦି ବାରୁ ସେ ପିଣ୍ଡାରେ ବସି କ୍ଷୀର ପିଆଇ
ଶୁଆଉଥିଲା । ଯେମିତି ଅନ୍ଧାର ମାଡି ଆସୁଥିଲା, ମାଧବୀର ଦୃଷ୍ଟି ଶକ୍ତି ମଧ୍ୟ କମି ଆସୁଥିଲା । ଅନ୍ଧାର ହୋଇଗଲା । ଏହି ସମୟରେ କ୍ଷୀର ପିଉଥିବା ଛୁଆଟିକୁ କିଏ ତା' କୋଳରୁ ନେଇ ଗଲା ଭଳି ଲାଗିଲା। ଯେହେତୁ ତାକୁ ଦେଖାଯାଉ ନଥିଲା,ସେ ଭାବିଲା ସ୍ବାମୀ ମୋହନ ଆସି ଝିଅକୁ ଶୁଆଇ ବାକୁ ନେଇ ଗଲେ । କିଛି ଦେଖାଯାଉ ନଥିବାରୁ ସେ ସେମିତି ପିଣ୍ଡାରେ ବସିଥିଲା।କିଛି ସମୟପରେ ମୋହନ ଆସି ପଚାରିଲା ଝିଅ କୁଆଡେ ଗଲା ? ମାଧବୀ କହିଲା ତମେ ତ ଶୁଆଇ ବାକୁ ନେଇ ଗଲ ।ଆରେ ନା ମୁଁ ଝିଅକୁ ନେଇ ନାହିଁ !ଘରେ ଚହଳ ପଡ଼ିଗଲା , ଛୋଟ ଛୁଆଟି ଅନ୍ଧାର ରାତିରେ କୁଆଡେ ଗଲା,କିଏ ତାକୁ ନେଇ ଗଲା ? ଆଖପାଖ ସାହି ପଡିଶା ସବୁ ଆଡ଼େ ଖୋଜି ଆସିଲେ,ପାଇଲେ ନାହିଁ। ସକାଳୁ ଆକାଶ ଫର୍ଚ୍ଚା ହେବାରୁ ତୁରନ୍ତ ଖୋଜିବାକୁ ବାହାରିଲେ।
ଘର ଠାରୁ କିଛି ଦୂରରେ ଥିବା ଅମରି ବୁଦା ମୂଳେ ଝିଅଟି ପିନ୍ଧି ଥିବା ଫ୍ରକ୍ ର କିଛି ଚିରା କନା ଓ କ୍ଷତ ବିକ୍ଷତ ମୁଣ୍ଡଟି ପଡ଼ି ଥିଲା ।ଶରୀରର ସମସ୍ତ ଅଂଶ ଚିତା ଖାଇ ଦେଇଥିଲା ।
ଚୋରଣୀ ଚିତା ଆସି ମା'କୋଳରୁ ଛୁଆଟିକୁ ଚୋରାଇ ନେଇ ତା'ର ଆହାର କରିଥିଲା । ପର ଦିନ ମା' କୋଳରେ ତାର ଛୁଆ ନ ଥିଲା । ଶୂନ୍ୟ କୋଳରେ ମାଧବୀ ସେମିତି ପିଣ୍ଡାରେ ବସିଥିଲା । ମାଧବୀର ଅନ୍ଧାର ଆଖିରେ ଲୁହ ଶୁଖୁ ନଥିଲା କି ସ୍ତନରୁ କ୍ଷୀର ଝରି ଆସି ବାକୁ ଅଟକାଇ ପାରୁନଥିଲା।
