Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.
Ignite the reading passion in kids this summer & "Make Reading Cool Again". Use CHILDREN40 to get exciting discounts on children's books.

Banabihari Mishra

Fantasy Thriller Others

2  

Banabihari Mishra

Fantasy Thriller Others

ଫଗୁଆ

ଫଗୁଆ

7 mins
11.9K


ପୋଖରୀ ନୁହେଁ ତ, ଗୋଟେ ବଡ ଆକାରର ଗଡିଆ। ହୁଡ଼ାରେ କେତେ ଜାତିର ଗଛ। କଦଳୀ, ଅମୃତଭଣ୍ଡା, ପିଜୁଳି ଆହୁରି କେତେ ରକମର ଫଳ ଗଛ ସାଙ୍ଗକୁ ଗେଣ୍ଡୁ, ମନ୍ଦାର, ମଲ୍ଲୀ ଆଦି ନାନା ପ୍ରକାରର ଫୁଲଗଛ ପରିବେଶଟାକୁ ଖୁବ୍ ସୁନ୍ଦର କରିଥାଏ। କୂଳରେ ବସିଲେ ପେଟ ପୁରିଯିବ। ତଥାପି ସେଇ ହୁଡ଼ାରେ ବସିରହି ଫଗୁଆ ବଡ଼ ଚିନ୍ତିତ ଥିଲା। ମଝିରେ ମଝିରେ ଛୋଟ ଛୋଟ ଗୋଡ଼ି ପାଣିକୁ ପକେଇ ଟୁବ୍ କରି ସୃଷ୍ଟି ହେଉଥିବା ଶବ୍ଦକୁ ଶୁଣୁଥିଲା। ସେଇ ଗୋଡ଼ି ପାଣିକୁ ପକେଇଲେ ଯେଉଁ ଶବ୍ଦ ହୁଏ ଆଉ ପାଣିରେ ଖେଳେଇ ହେଇ ଯାଉଥିବା ତରଙ୍ଗ ତାକୁ ବେଶ ଆନନ୍ଦ ଦିଏ। କିନ୍ତୁ ଆଜି ତା ମନ ଭିତରୁ ଉଠୁଥିବା ଚିନ୍ତାର ତରଙ୍ଗ ଏତେ ପ୍ରଚଣ୍ଡ ଆଉ ତୀବ୍ର ଥିଲା ଯେ ପାଣିରେ ହେଉଥିବା ଟୁବ୍ ଟୁବ୍ ଶବ୍ଦ ଆଉ ପାଣି ଉପରର ତରଙ୍ଗ କୁଆଡେ ହଜି ଯାଉଥିଲା। 


ବାପ ମଲାପରେ ଫଗୁଆ ଚାଷବାସ କରି ଚଳେ। ସାଙ୍ଗରେ ଆଉ କେହି ନ ଥିଲେ। ଛବିଶ ବର୍ଷର ଜୁଆନ ଟୋକା। ବାହା ଦି'ଟା ଦେଖିଲେ ଶତ୍ରୁ ଶଙ୍କିଯିବ। କଳା ମଚମଚ ଦେହରେ ହାତୀଟାକର ବଳ। ବାପ ଛାଡି ଯାଇଥିବା ଜମି ଚାରିମାଣ ଆଉ ଗାଁ ମୁଣ୍ଡରେ ଏଇ କୁଡିଆ ଘରଟା ତାର ସମ୍ପତ୍ତି। ଗୋଟିଏ ଚକରେ ତାର ଘର ଆଉ ଚାଷଜମି। ଦୋଫସଲି । ଧାନ ପରେପରେ ମୁଗ ବିରି ଆଉ ପନିପରିବା ଭଲ ଦି'ଟା ହୁଏ। ସେଇଆକୁ ବିକି ଭାଙ୍ଗି ମା' ଆଉ ପୁଅ ଦିଜଣ ଖୁବ୍ ଆନନ୍ଦରେ ଚଳିଯାଆନ୍ତି। ଫଗୁଆକୁ ଲୁଚେଇ ତା ମା' ଦି ପଇସା ମୁଣିରେ ସଞ୍ଚିଥାଏ। ଆର ସନକୁ ଫଗୁଆର ହାତକୁ ଦି ହାତ କରିଦେଲେ ବୁଢ଼ୀ ମୁଣ୍ଡରୁ ଚିନ୍ତା ଗଲା। ପାଚିଲା ପତର, ବୟସ ସତୁରୀ ଛୁଇଁଲାଣି। ଭଗବାନ ଏଇ ପିଲା ବକଟେ କୋଳରେ ଦେବା ପାଇଁ ଖୁବ୍ ଡେରି କରିଦେଲେ। ସେଇଥିପାଇଁ ଖୁବ୍ ଗେଲବସରରେ ଫଗୁଆକୁ ପାଳିଛି। କେତେବେଳେ କୋଉ କଥା। ପାଚିଲା ପତରଟା କେତେବେଳେ ଖସି ପଡିବ କିଏ ଜାଣିଛି? କେତେବେଳେ ଉପରକୁ ଯିବାର ଡାକରା ଆସିଯିବ ତା କିଏ କହିବ? ତା ଛୁଆଟା ଏକୁଟିଆ ହନ୍ତସନ୍ତ ହେବ, ଏ କଥା ଭାବି ମା'ର ମନ କେମିତି ଥୟ ଧରନ୍ତା? ଆଉ ତା'ଛଡା ଫଗୁଆର କୋଉ ବୟସ ବସିଛି? ନାତି କି ନାତୁଣୀର ମୁହଁ ଦେଖିଲେ ତା ଆତ୍ମା ଶାନ୍ତି ପାଇବ। ଝିଅଟିଏ ବି ଦେଖିକି ରଖିଛି। ଏଇ ଆରସାହି କରୁଣାର ସାନ ଝିଅ। ନାଁ ଟି ତା'ର ସାବି। ରଙ୍ଗ ଏତେ ସଫା ନ ହେଲେ ବି ଗଢଣଟା ସୁନ୍ଦର। ବୁଢ଼ୀ ମନକୁ ଭାରି ପାଇଛି। ମଝିରେ ମଝିରେ ସାବି ତା ଘର ଆଡେ ବୁଲି ଆସେ। ଫଗୁଆ ବି ତାକୁ ଦେଖିଛି। ସିଏ ଘର ଆଡ଼େ ଆସିଛି ଜାଣିଲେ ଫଗୁଆ ବିଲରୁ ଧାଇଁ ଆସେ। ପୋଖରୀ ହୁଡାରୁ ପିଜୁଳି, କାନ୍ଧିଆ କମଳା ଆଣି ଦିଏ। ସିଏ ଗଲା ପର୍ଯ୍ୟନ୍ତ ଫଗୁଆ ବିଲ ଆଡେ ଯାଏନି। ବୁଢ଼ୀ ସବୁ ଦେଖେ ଆଉ ସବୁ ଜାଣିପାରେ। ଫଗୁଆର ସାବିକୁ ଭାରି ପସନ୍ଦ। ଆଉ ସାବି ବି ଫଗୁଆକୁ ପସନ୍ଦ କରେ। ଫଗୁଆ ଥିଲାବେଳେ କେମିତି ଗୋଟେ ଲାଜେଇ ଲାଜେଇ ଚାହେଁ। ମୁରୁକି ମୁରୁକି ହସେ। ସାବିର ସେଇ ମୁରୁକି ହସିବାଟା ବୁଢୀର ଭାରି ମନକୁ ଛୁଏଁ। ସାବିର ସେଇ ମୁରୁକି ହସିବାଟା ଫଗୁଆ ଆଖିରେ ଯୋଉ ଚମକ ଆଣେ ଆଉ ତା ମୁହଁରେ ସେଇ ଆନନ୍ଦ ଟିକକ ବୁଢୀକୁ ଭାରି ଭଲ ଲାଗେ। ମା' ସିଏ, ଛୁଆଙ୍କର ମନକଥା କେମିତି ଜାଣିବନି ଯେ। 


ତିରସ୍ତା ସନ ସାବି ଖୁଦୁରୁକୁଣୀ ଓଷାକୁ କଇଁଫୁଲ ନବାକୁ ଫଗୁଆଘର ପୋଖରୀକୁ ଆସିଥିଲା ଯେ ଗୋଡ ଖସିଯିବାରୁ ପାଣିରେ ଉବୁଟୁବୁ ହେଇ ପେଟେ ପାଣି ପିଇ ଯାଇଥିଲା। ଆଉ ତା ପରଠୁ ସାବି ମାଗିବା ଆଗରୁ ଫଗୁଆ ପାଳିକୁ ପାଳି ଖୁଦୁରୁକୁଣୀ ଓଷାରେ କଇଁଫୁଲ ବେଜାଏ ଲେଖାଁ ପହଞ୍ଚେଇ ଦିଏ। ବୁଢ଼ୀ ସବୁ ଜାଣେ, ସବୁ ଦେଖେ। ଭାବେ ତା ଫଗୁଆ ସାଙ୍ଗକୁ ସାବିର ଯୋଡ଼ି ରାମସୀତା ଯୋଡ଼ି ନେଖେଁ ମାନିବ। 


ଆଜି କିନ୍ତୁ ସବୁକିଛି ଓଲଟପାଲଟ ହେଇଗଲା। ସାବି ଭଉଣୀ ରୁବିର ସେଇ ପଦିକ କଥା ତା ଭିତରଟାକୁ କେମିତି ଖିନଭିନ କରିଦେଲା। ବେଳ ଆସି ରତରତ ହେଲାଣି। ତଥାପି ଫଗୁଆ ପୋଖରୀ ହୁଡାରୁ ଘରକୁ ଯାଇନି। ମା କେତେଥର ଡାକି ସାରିଲାଣି। 


ସକାଳୁ ଉଠି ଆଜି ଫଗୁଆ ବିଲକୁ ଯାଇଥିଲା। ଡାଳୁଅ ଧାନ ରୁଆ ଚାଲିଛି। ସେତିକି ବେଳକୁ ସାବିର ସାନ ଭଉଣୀ, ରୁବି, ବିଲରେ ପହଞ୍ଚିଲା। ତରତରରେ ଧାଇଁ ଧାଇଁ ଆସିଥିଲା। ସେଇଥିପାଇଁ ଧଇଁସଇଁ ହେଇ ଯାଉଥିଲା ରୁବି। ଆଉ ସତେ ଯେମିତି ନିଃଶ୍ୱାସ ନେବାକୁ ତା'ର ତର ନାହିଁ। 'ଫଗୁଆଇ, ଫଗୁଆଇ, ଆଜି ମୋ ମାମୁଁ ଆଉ ମୋ ବା' ଦେଈର ବାହାଘର କଥା ହୋଉଥିଲେ। ପାଟପୁର ପ୍ରଧାନ ଘର ସାନପୁଅ ସାଙ୍ଗରେ ବାହାଘର ଠିକ୍ କରୁଛନ୍ତି। ଦେଈର ଜମାରୁ ମନ ମାନୁନି। ମୋ ଜେଜି ଯେତେ କହିଲେ ବି ବା' ଶୁଣୁନି। ଦେଈ ପରା ମେତେ ଏଇ ବାତିନି ଦେଇ ପଠେଇଲା। କହିଛି, କ'ଣ ଗୋଟେ କର। ସେଇ ତେର କି ଚଉଦ ବର୍ଷର ଗୋଟେ ଝିଅ ମୁହଁରୁ ଏମିତିକା ଗୋଟେ ଓଜନିଆ କଥା ଫଗୁଆ ଶୁଣି ବିଶ୍ବାସ କରିପାରୁ ନଥିଲା।


ଏତିକି କହିଦେଇ ରୁବି ଦଉଡି ପଳେଇ ଯାଉଥିଲା। ଫଗୁଆ ତାକୁ ପଛରୁ ଡାକି କହିଲା, "ତୋ ଦେଇକି କହିବୁ ଆମ ପୋଖରୀ କୂଳରେ ମତେ ଟିକେ ଦେଖା କରିବ। କଥା ଅଛି।" 'ହ... ଉ...' କହି କହି ରୁବି ପଳେଇଲା। ସତେ ଯେମିତି କିଛି ଗୋଟେ ଗୁରୁ ଗମ୍ଭୀର ଗୁପ୍ତ ତଥ୍ୟ ଆଣି ଆସିଥିଲା, ଆଉ କାମ ସରିବା ପରେ ତରତର ହେଇ ଏମିତି ଦୌଡୁଥିଲା, ଯେମିତି କିଏ କାଳେ ଦେଖିଦେବ, ଆଉ ଦେଖିଦେଲେ ଶତ୍ରୁ ସୈନ୍ୟ ହାତରେ ଧରାପଡି ଫାଶୀ ଦଣ୍ଡ ପାଇବ ବିଚାରୀ ଗୁପ୍ତଚରଟି।


ଫଗୁଆ ସେଇ ପୋଖରୀ ହୁଡାରେ ବସି ଭାବୁଥିଲା। ସାବି ସେଇ ବେଳ ମୁଣ୍ଡ ଉପରେ ହେଲା ବେଳକୁ ଲୁଚିଲୁଚି ଆସିଲା। ଆଜି ସାବି ଅନ୍ୟ ଦିନ ଅପେକ୍ଷା ସୁନ୍ଦରିଆ ଦୁଉଚି। ସାବି ଲାଜେଇ ଲାଜେଇ ପାଦ ଚିପି ଚିପି ଆସି ଠିଆ ହେଇଗଲା ଫଗୁଆ ପାଖରେ। ଅଙ୍କାବଙ୍କା କଥା ବୁଝି ପାରୁ ନଥିବା ଫଗୁଆ ସେଦିନ କିନ୍ତୁ ସାବିର ଆସିବା ପଛର କଥାଟା ଭଲଭାବରେ ବୁଝି ପାରୁଥିଲା। ସାବି ତାକୁ ପସନ୍ଦ କରୁଛି। ତଥାପି ସିଏ ପଚାରିଦେଲା, ଖୁବ୍ ଖୋଲାଖୋଲି ଭାବରେ। 'ତୁ ମତେ ବାହାହବୁ?' ମୁହଁ ତଳକୁ କରି ସାବି ଖାଲି ଗୋଟିଏ ଶବ୍ଦ କହିପାରିଲା, 'ଧେତ୍' । ଆଉ ତାପରେ ଚଞ୍ଚଳ ଚଞ୍ଚଳ ପାଦ ପକେଇ ଫେରି ଯାଇଥିଲା ତାଙ୍କ ଘରକୁ।


ଏ 'ଧେତ୍' ଶବ୍ଦଟାରୁ କ'ଣ ବୁଝିହବ? ଫଗୁଆର ପ୍ରେମର ଗହନ ଅର୍ଥ କ'ଣ ବୁଝି ନଥିବା ମନଟା ଏଇ ଗୋଟିଏ ଶବ୍ଦର କେତେ ପ୍ରକାରର ଅର୍ଥ ବାହାର କରୁଥିଲା। କେତେବେଳେ ଭାବୁଥିଲା ସାବି ଘୃଣାରେ 'ଧେତ୍' କହିଥିବ ତ ଆଉ କେତେବେଳେ ଭାବେ ଲାଜରେ 'ହଁ' ନ କହି ଏମିତି କହିଥିବ। ଫଗୁଆ ସମ୍ପୂର୍ଣ୍ଣ ଭାବେ ସ୍ଥିର ନିଶ୍ଚିତ ହେଇ ପାରୁନଥିଲା ସାବିର ଅନ୍ତରର କଥା କ'ଣ ବୋଲି। ଏଇ ଗୋଟିଏ ଶବ୍ଦ, 'ଧେତ୍' ଫଗୁଆକୁ ଭାରି ବ୍ୟସ୍ତ କରି ରଖିଥିଲା।


ସଞ୍ଜ ବେଳକୁ ଫଗୁଆ ଗାଁ ଭିତରକୁ ଗଲା। ଅନ୍ତରଙ୍ଗ ସାଙ୍ଗ ନିଧିକୁ ଏକାନ୍ତରେ ଡାକି ଏଇ ଶବ୍ଦର ଅର୍ଥ ପଚାରି ଯାହା ଉତ୍ତର ପାଇଲା ସେଥିରେ ତା ମନ ଭିତରେ ତାକୁ କେହି କୁତୁକୁତୁ କଲାପରି ଲାଗିଲା। ଖୁବ୍ ଗୋଟାଏ ଆନନ୍ଦାତିଶଯ୍ୟରେ ତା ଦେହ ମନ କୁରୁଳି ଉଠିଲା।


ତହିଁ ଆରଦିନ ଫଗୁଆ ସକାଳୁ ଉଠି ମେଘ ପାଖକୁ ଯାଇ ତା'ର ବାହାଘର ପ୍ରସ୍ତାବ ନେଇ ସାବି ଘରକୁ ଯିବାକୁ ଅନୁରୋଧ କଲା। ମେଘ, ଓରଫ ମେଘନାଦ ଫଗୁଆର ସମ୍ପର୍କରେ ଦାଦା। କିନ୍ତୁ ବୟସରେ ମାତ୍ର କେଇଟା ବର୍ଷ ବଡ଼ ହେଇଥିବାରୁ ଦିହେଁ ସାଙ୍ଗ ଭଳି।


ମେଘ ପାଖରୁ ଫଗୁଆ ଆଉ ସାବିତ୍ରୀ ବାହାଘର ପ୍ରସ୍ତାବ ଶୁଣି ସାବିର ବାପା କରୁଣା ପ୍ରଥମେ ତ ସ୍ତବ୍ଧ ହେଇଗଲା। କିନ୍ତୁ ପରେ ପ୍ରକୃତିସ୍ଥ ହେଇ ମେଘକୁ କହିଲା, 'ତତେ କିଏ ପଠେଇଛି କିରେ? କାହିଁ, ଫଗୁଆର କେହି ବୟସ୍କ ସମ୍ପର୍କୀୟ ନାହାନ୍ତି କି? ତୁ ଗୋଟେ ମେଞ୍ଚଡ ଟୋକା, ତୁ ବାହାଘର କ'ଣ ଜାଣିଛୁ? ପ୍ରସ୍ତାବ ଆଣି ଆସିଛୁ, ଯାଃ ଯାଃ।'


ହତାଶ ହେଇ ମେଘ ଫେରିଆସିବାରୁ, ଆଉ ତା'ଠାରୁ ସବୁକଥା ଟିକିନିଖି ଶୁଣି ସାରିବା ପରେ ଫଗୁଆକୁ ହତାଶାର ଗୋଟେ କଳା ବାଦଲ ଢାଙ୍କି ଦେଲା ଯେମିତି। 


ଦି'ଦିନ ହେଲା ଫଗୁଆର ମାଆ ତା ପୁଅର ଅବସ୍ଥା ଦେଖୁଛି। ବଡ଼ ବିଚଳିତ ଲାଗୁଛି ଫଗୁଆ। ଭଲରେ ଖିଆପିଆ କରୁନି, ବିଲକୁ ଯାଇ ହିଡ ମୁଣ୍ଡରେ ବସି ରହୁଛି, କଥାଟେ କହିଲେ ସାତପଦରେ ପଦେ ଜବାବ ଦୋଉଚି। ବୁଢ଼ୀ ଜାଣିପାରୁନଥିଲା ତା ପୁଅର କ'ଣ ହେଇଚି। ସାବିଟା ବି ତ ୟା ଭିତରେ ଆଉ ଆସିନି। ତାକୁ ଦେଖିଲେ କାଳେ ତା ପୁଅଟା ପୁଣି ଏଇ ନିର୍ବେଦତ୍ବରୁ ବାହାରି ପୁଣି ତା ଫଗୁଆ ହେଇଯିବ, ସେଇ ଆଶାରେ ସିଏ ଅପେକ୍ଷା କରି ରହିଥାଏ ସାବିକୁ। ଫଗୁଆର ଏମିତି ଗୋଟେ ଖାଇ ଗୋଡେଇଲା ପରି ନୀରବତା ବୁଢୀଟାକୁ ଭାରି ଚିନ୍ତାରେ ପକେଇ ଦେଇଥାଏ। ବୈକଲ୍ୟଭାବର ଆତିଶଯ୍ୟରେ ଥିବାବେଳେ ସଂଯୋଗ ବଶତଃ ତାର ଭେଟ ହୁଏ ସମ୍ପର୍କୀୟ ଦିଅର ମେଘ ସହ। ବୟସରେ ମା' ଭଳି ହେଲେ ବି ସମ୍ପର୍କଟା ଦିଅର ଭାଉଜର। ତେଣୁ ଅଳ୍ପ ଅଳ୍ପ ଥଟ୍ଟାମଜା ଚଳିଥାଏ। କଥା ଛଳରେ ବୁଢ଼ୀ ମେଘକୁ ଫଗୁଆ ବିଷୟରେ ପଚାରିଦେଲା। ନିଃସଙ୍କୋଚରେ ମେଘ ଘଟିଥିବା ଘଟଣାର ଟିକିନିଖି ବିବରଣୀ ଦେଲାପରେ ବୁଢ଼ୀ ଜାଣିଲା ତା ପୁଅର ମନଦୁଃଖର କାରଣ। ମାଆ ସିଏ, ପୁଅଟାର ଦୁଃଖ ଦେଖି କେମିତି ବା ସହିଥାଆନ୍ତା।


ବେଳ ରତ ରତ ହେଲାରୁ ଫଗୁଆ ମା କରୁଣା ଘର ଆଡକୁ ମୁହେଁଇଲା। ବୁଢୀ ମଣିଷ, ନସରପସର ହେଇ ଯାଇ କରୁଣା ଘର କବାଟ ଠେଲିଲା। ପ୍ରାୟ ଭିତରୁ ବନ୍ଦ ଥିଲା, ଖୋଲିଲାନି। ଗାଁରେ ଏମିତି ଦାଣ୍ଡ କବାଟ ବନ୍ଦ କରି ରହିବା ଫଗୁଆ ମା କେବେ ଦେଖିନି। 'କରୁଣା, ଏ କରୁଣା' ବୋଲି ଡାକ ପକେଇଲା। ଏଇ କରୁଣା ପିଲାଟିଏ ହେଇଥିଲା ବେଳେ ସେ ଫଗୁଆ ବାପକୁ ବାହାହେଇ ଏ ଗାଁକୁ ବୋହୁ ହେଇ ଆସିଥିଲା। ସେତେବେଳେ ସେମାନେ ଗାଁ ଭିତରେ ରହୁଥିଲେ। ତା ଶଶୁରଙ୍କର କରୁଣା ଘର ସାମନାରେ ଗୋଟେ ବଡ ଖଞ୍ଜା ଘର ଥିଲା। ବାତ୍ୟାରେ ଘର କାନ୍ଥ ପଡି ଶାଶୁ ଶଶୁର ଦି'ଜଣଯାକ ଏକାବେଳକେ ଡକାହକା ହେଇ ଗଲାପରି ସେପାରିକୁ ଚାଲିଗଲେ। ଘରଟା ତ ଭାଙ୍ଗିଗଲା, ଯଥାତଥା ବାପା ମାଆଙ୍କର କାମ ସାରି ଫଗୁଆ ବାପା ଗାଁ ବାହାରକୁ ଯାଇ ସେଇଠି ଘର ତୋଳିଲା। ଆଉ ତାପରେ ଗାଁ ଭିତରେ ଥିବା ଘର ଖଣ୍ଡିକ ବିକି ସେଇ ପଇସାରେ ନିଜ ଜମିକୁ ଲାଗି ଆଉ କିଛି ଜମି କିଣି ଚାଷବାସ ଆରମ୍ଭ କଲା। ସେଇଦିନୁ ଫଗୁଆ ମା ଆଉ କେବେ ଗାଁ ଆଡକୁ ମୁହଁ କରିନି। ତା'ର ମନେଅଛି, ଏଇ କରୁଣା ତା ବାହା ହେଇ ଆସିବା ବେଳକୁ 'ଭାଉଜ, ଭାଉଜ' କହି ସବୁବେଳେ ପାଖେ ପାଖେ ରହୁଥିଲା। ତା ଗିରସ୍ତକୁ ମାଧିଆଇ ଡାକେ। ଭାରି ମାନଥାନ କରେ। ସବୁ ତା'ର ମନେଅଛି। କରୁଣା ଘର ବାଟ କବାଟ ପାଖରୁ ଫଗୁଆ ମାଆ ପଛକୁ ବୁଲି ଚାହିଁଲା। ତା ଶଶୁରଙ୍କ ଭିଟାମାଟି ଉପରେ ଆଜି ପକ୍କାଘର ଖଣ୍ଡେ ଠିଆ ହେଇଛି। ବୁଢୀକୁ ଏମିତି ଲାଗୁଥିଲା ସତେ ଯେମିତି ଗାଁର ନିଜରପଣିଆ ଚାଳଘରମାନଙ୍କରୁ ବାହାରି ଏଇ କୋଠଘରର ସିମେଣ୍ଟ କାନ୍ଥରେ ପିଟିହୋଇ ରକ୍ତାକ୍ତ ହେଇଯାଉଛି।


ଏତିକି ବେଳେ ସାବି କବାଟ ଖୋଲି ମୁଣ୍ଡିଆ ମାରିଲା। ଅତି ଆଦରରେ ଡାକି ବାରଣ୍ଡାରେ ଆସନ ପକେଇ ବସିବାକୁ କହିଲା। 'ଆହା, କେଡେ ଗୁଣର ଝିଅ' ଫଗୁଆ ମା ମନେ ମନେ ଭାବୁଥାଏ। ମନର ଭାବକୁ ନିଜ ଭିତରେ ଚାପିଦେଇ ସାବିକୁ ପଚାରିଲା, 'ତୋ ବା' କାଇଁ। ଡାକିଲୁ ଟିକେ, ତା ସାଙ୍ଗରେ କଥା ଅଛି'। ସାବି ମା ଆସି ଜୁହାର କରୁ କରୁ କହିଲା, 'ନାନୀ, ତୁମେ ଟିକେ ଡେରି କରିଦେଲ। ଏଇ ସାଙ୍ଗେ ସାଙ୍ଗେ ପା ସାବି ବାପା ସାବିର ବାହାଘର କଥା ଛିଡେଇବାକୁ ପାଟପୁର ବାହାରି ଗଲେ। ତମେ ଆଇଲାବେଳେ ବାଟରେ ଭେଟିଲନି କି?" ଫଗୁଆ ମା'ର ପାଦତଳୁ ଯେମିତି ମାଟି ଖସିଗଲା। ଗୋଟିଏ ବୋଲି ପୁଅର ଇଚ୍ଛା ସିଏ ମାଆଟିଏ ହେଇ ପୁରା କରିପାରିଲାନି। ସେଇ ଦୁଃଖ ତାକୁ ଭିତରେ ଭିତରେ ଖାଇ ଯାଉଥାଏ। ବୁଢୀ ଧୀରେ ଧୀରେ ଉଠିଲା।


ଫଗୁଆ ମା କବାଟ ପାଖରେ ହେଇଛି, ସେପଟୁ କରୁଣା ଆସୁଥିବାର ଦେଖି ଟିକେ ଅଟକି ଗଲା। ପାଖକୁ ଆସି କରୁଣା କହିଲା, 'ଭାଉଜ, ତୁମେ ଆସି ଏଠି, ମୁଁ ଯାଇ ତୁମ ଘରୁ ଆସିଲିଣି। ଫଗୁଆ କହିଲା ତୁମେ ଗାଁ ଭିତରକୁ ଆସିଛ। ଏତେ ବର୍ଷ ପରେ ଏ ଗାଁ ଭିତରେ ତୁମ ପାଦ ପଡିଲା। ଚାଲ, ଘରକୁ ଯିବା। ଗୋଟେ କଥା ଅଛି।'


ଅଗତ୍ୟା ଫଗୁଆ ମା ଫେରିଲା। କରୁଣାଟାକୁ ବୁଲେଇ ବଙ୍କେଇ କଥା କହି ଆସେନି। ସବୁବେଳେ ସିଧା ସଳଖ ମୁହଁ ଉପରେ ଠୋ ଠା କରି କହିଦିଏ। ଫଗୁଆ ମା ତାକୁ ପିଲାଟି ଦିନରୁ ଜାଣେ। କରୁଣ ସେଇଭଳି ଅଛି, କିଛି ବି ବଦଳିନି। କହିଲା, "ଭାଉଜ, କେତେ ଅପେକ୍ଷା କରେଇଲ। ତୁମ ସ୍ନେହ ଆଦରର ପ୍ରତିବଦଳରେ ମୋ ଆଦରର ସାବିକୁ ତୁମରି ସେବା କରିବାକୁ ସୁଯୋଗ ଦେବାକୁ ମୁଁ ଚାହିଁ ଚାହିଁ ମୋ ଆଖିରୁ ପାଣି ମଲାଣି। ସେଇଥିପାଇଁ ସାବିର ବାହାଘର ବାତିନି ରୁବି ହାତରେ ତମ ପାଖରେ ପହଞ୍ଚେଇ ଥିଲି।"


ଫଗୁଆ ମାଆକୁ ସତେ ଯେମିତି ସରଗର ଚାନ୍ଦ ମିଳିଗଲା। ଏଠି ତ ଖାଲି ମିଆଁ ବିବି ନୁହେଁ, କାଜି ବି ରାଜି।


Rate this content
Log in