Banabihari Mishra

Abstract

4.0  

Banabihari Mishra

Abstract

ଜନ୍ମଦାତ୍ରୀ

ଜନ୍ମଦାତ୍ରୀ

6 mins
182


ମାଆମାନେ ମିଛ କହନ୍ତି। ତଥାପି ତା ପିଲାମାନେ ସେଇ ମିଛକୁ ସତ ଭାବି ମନର କୋଉଗୋଟେ ନିଭୃତ କଣରେ ସାଇତି ରଖନ୍ତି। ଏମିତି ଗୋଟେ ମିଛ ମାଆଟିଏ ତା ପୁଅକୁ କହିଥିଲା। ସୁରେଶକୁ ଯେତେବେଳେ ପାଞ୍ଚ ଛ'ବର୍ଷ ହେଇଥିଲା ସେତେବେଳେ ସ୍କୁଲରେ ନାଁଲେଖା ବେଳେ ମନୁମାଷ୍ଟ୍ରେ ବାପା ନାଁ ପଚାରିଥିଲେ। ସେତେବେଳେ ମାଆ ଯାହା ନାଁ କହିଥିଲା, ସିଏ ସତରେ ଏ ପୃଥିବୀରେ ଥିଲା କି ନଥିଲା ସେ ସମ୍ପର୍କରେ ସୁରେଶକୁ ଜଣା ନଥିଲା। ତଥାପି ସୁରେଶ ସେଇ ନାଁକୁ ମନେରଖି ନିଜର ପିତୃପରିଚୟ ସବୁଠି କହୁଥିଲା।


ଆଜି ପରିଣତ ବୟସରେ ସୁରେଶ ସେଇ ନାମଧାରୀ ଲୋକଟିକୁ ଖୋଜୁଛି। ବିଗତ ଚାଳିଶ ବର୍ଷ ହେଲା ଏମିତି ଗୋଟେ ଦିନ ଯାଇନି ଯୋଉଦିନ ସିଏ ସେ ଅଜ୍ଞାତ ମଣିଷଟାକୁ ମନେ ପକେଇନି। ସ୍କୁଲରେ ନାଁ ଲେଖେଇ ଦେଇ ମାଆ ତାକୁ ବାପାର ନାଁ ଜଣେଇ ଦେଲା ସିନା, କେବେହେଲେ ବାପା ସମ୍ପର୍କରେ ଆଉ କୌଣସି ତଥ୍ୟ ଦେଇ ନଥିଲା। ଏମିତି ନୁହେଁ ଯେ ସୁରେଶ ବାପା ବିଷୟରେ ମାଆକୁ ପଚାରିନି। ସୁରେଶ ଯେବେ ତା ବାପା କଥା ମାଆକୁ ପଚାରି ବସେ, ତା ମାଆର ଉଦାସ ମୁହଁ ଆଉ ନୀରବତା ଦେଖି ଆଉ ବେଶି ପଚାରି ପାରେନି। ତାକୁ ଲାଗେ, ସତେ ଯେମିତି କିଛି ପୁରୁଣା ଘାଆକୁ ସିଏ ଉଖାରି ଦେଲା।


ପିଲାଟି ଦିନରୁ ସୁରେଶ ଖାଲି ମାଆକୁ ଜାଣିଛି। ସେଇ ମାଆ ତାକୁ ଖୁଏଇ ପିଏଇ ବଢେଇଛି, ପାଠ ପଢେଇ ଯୋଗ୍ୟ କରେଇଛି। ତା ଦେହ ଅସୁଖ ବେଳେ ରାତି ରାତି ଅନିଦ୍ରା ହେଇ ସେବା କରିଛି। ତା ମାଆ ଚାକିରି କରୁଥିଲା। ସବୁ ଦରମା ପାଳିରେ ତା ପାଇଁ କିଛି ନା କିଛି ଆଣେ। ଚାକିରିରୁ ଅବସର ନେବା ପରେ ମଧ୍ୟ ପେନ୍ସନ ତା ପଢା ପଛରେ ଖର୍ଚ୍ଚ କରିଛି। ବଡ ହେଲାପରେ ସବୁ ସଧବା ସ୍ତ୍ରୀଲୋକ ଶଙ୍ଖା ସିନ୍ଦୂର ପିନ୍ଧିବାର ଜାଣି ମାଆକୁ ଥରେ ପଚାରିଥିଲା ସିଏ କାହିଁକି ଅନ୍ୟମାନଙ୍କ ପରି ଶଙ୍ଖା ସିନ୍ଦୂର ପିନ୍ଧୁନି। ହେଲେ ଉତ୍ତର ପାଇ ନଥିଲା। ସେଇ ଉଦାସିଆ ମୁହଁ ଆଉ ଜକେଇ ଆସୁଥିବା ଲୁହରେ ଭରି ଯାଇଥିବା ଆଖି ତାକୁ ଆଉ ଖୋଳତାଡ କରିବା ପାଇଁ ବାଧା ଦେଇଥିଲା। ହେଲେ ଆଜି ତ ମାଆ ନାହିଁ। ସୁରେଶ ସମାଜରେ ମଣିଷ ଭଳି ମଣିଷଟିଏ ହେଇ ଠିଆ ହେଇଛି। ଆଉ ତା ଆଗରେ ମାଆର ସେ ଉଦାସିଆ ମୁହଁ ନାହିଁ କି ଆଖି ଲୁହର ପ୍ରତିବନ୍ଧକ ନାହିଁ। ସେଇଥିପାଇଁ ସୁରେଶ କେବେ ଥରେ ମାଆ ପାଖରୁ ଶୁଣିଥିବା ଗାଁରେ ପାଦ ଦେଇଛି। ଲିଲି ମାଉସୀ ଘରକୁ ଯିବା ପାଇଁ ପଚାରି ପଚାରି ଶେଷରେ ଗାଁ ମଝିରେ ଗୋଟେ ନୁଆଁଣିଆ ଚାଳ ଛପର ଘର ଆଗରେ ପହଞ୍ଚିଲା। କବାଟ ଖୋଲା। ତଥାପି ଭଦ୍ରାମି ଦୃଷ୍ଟିରୁ କବାଟରେ ଆଙ୍ଗୁଳି ବାଡେଇ ଠକ୍ ଠକ୍ କଲା। ଭିତରୁ ଯେଉଁ କ୍ଷୀଣ ଦୁର୍ବଳ ସ୍ବର ଶୁଣିଲା, ସେଥିରୁ ଅନୁମାନ ଲଗେଇ ନେଲା ଯେ ଦୁର୍ବଳ ସ୍ବାସ୍ଥ୍ୟ ବିଶିଷ୍ଟ କୌଣସି ବୃଦ୍ଧା ମହିଳା ହେଇଥିବେ। ଭିତରକୁ ଶଙ୍କାଗ୍ରସ୍ତ ଭାବରେ ପଶିଲା। 


ଭିତରେ ଜଣେ ପଞ୍ଚଷଠୀ ସତୁରି ବର୍ଷର ବୁଢୀ ଫିତା ଖଟରେ ଶୋଇଥିଲେ। ଛୋଟିଆ ଘରଟିଏ। ସୁରେଶ ଚାରିଆଡେ ଆଖି ବୁଲେଇ ନେଲା। ଖଟର ଗୋଟେ ମୁଣ୍ଡରେ ବାଉଁଶ ଦୁଇ ପାଖରେ ଦଉଡିରେ ବନ୍ଧା ଅଲୁଗୁଣିରେ କିଛି ପୁରୁଣା ଲୁଗା। ଅଲୁଗୁଣିର ଠିକ୍ ତଳକୁ ଗୋଟେ ପୁରୁଣା କମକରା କାଠ ବାକ୍ସ। ଖଟର ଅନ୍ୟ ପାଖରେ ଝିଙ୍କାଚୁଲି ଆଉ ଅଳ୍ପ କିଛି ରୋଷେଇ ସାମଗ୍ରୀ। ବୃଦ୍ଧା ଉଠିବାକୁ ଉପକ୍ରମ କରୁଥିଲେ, କିନ୍ତୁ ସୁରେଶ 'ନାଇଁ ମାଉସୀ, ଶୋଇଥାଅ। ମୁଁ ଏଇଠି ବସୁଛି' କହି ଖଟିଆରେ ବସିଲା।


ତୁମେ ଲିଲି ମାଉସୀ ନା?

ହଁ ରେ ପୁଅ। ହେଲେ ତତେ ମୁଁ ତ ଜାଣିପାରୁନି।

ମୋ ମାଆ ତୁମକଥା କହୁଥିଲା।

ତୋ ମାଆ ନାଁ କ'ଣ କହିଲୁ?

ସବିତା। ମୁକୁନ୍ଦପୁର ସ୍କୁଲରେ ଚାକିରି କରୁଥିଲା।


ପରିଚୟଟା ଶୁଣିବା ପରେ ଲିଲି ମାଉସୀର ଔଜଲ୍ୟ ହରାଇ ଆସୁଥିବା ପେଜୁଆ ଆଖି ଦି'ଟା ଚମକି ଉଠିଲା। ଲିଲି ମାଉସୀ ଉଠି ବସିଲା। 'ମୋ ଧନ, କେତେ ଦିନପରେ ଆସିଲୁ।' ଲିଲି ମାଉସୀ ପଣତକାନିରେ ସୁରେଶର ମୁହଁ ପୋଛି ଦେଉଥିଲା। ସେଇ ପଣତକାନିର ବାସ୍ନାରେ ସୁରେଶ ମାଆର ମମତାକୁ ଅନୁଭବ କରି ତା ଦେହମନ ପୁଲକିତ ହୋଇଉଠିଲା। ବାଟରେ ଆସିଲା ବେଳେ ସେଇ ଗାଁ ମୁଣ୍ଡ ଚା'ଦୋକାନରେ ଲିଲି ମାଉସୀ କଥା ପଚାରିବା ବେଳେ ତା ସମ୍ପର୍କରେ ଅନେକ କୁମନ୍ତବ୍ୟ ଶୁଣିଥିଲା। ସେ କୁଆଡେ ବିଧବା ହେଲା ପରେ ପାପଗର୍ଭ କରି ପିଲା ଜନ୍ମ କରିଥିଲା। କିନ୍ତୁ ଲିଲି ମାଉସୀକୁ ଦେଖିଲା ପରେ ତା'ର ସ୍ନେହବୋଳା କଥା ଶୁଣିଲା ପରେ ସେ କଥାକୁ ସୁରେଶର ମନ ଆଦୌ ଗ୍ରହଣ କରିପାରୁ ନଥିଲା।


-- ଏତେ ବାଟରୁ ଆସିଛୁ, କ'ଣ ଦି'ଟା ମୁହଁରେ ଦବୁନି?


ସୁରେଶ 'ନାହିଁ, ନାହିଁ' କଲାପରେ ମଧ୍ୟ ମାଉସୀ ଖଟରୁ ଉଠି ପଖାଳ, ଶାଗ, ତେନ୍ତୁଳି ଆଚାର ବାଢିଦେଲା। ଖାଇବା ସମୟରେ ଲିଲି ମାଉସୀର ମୁହଁରେ ଉକୁଟି ଉଠୁଥିବା ପରମାହ୍ଲାଦକୁ ସୁରେଶ ଭଲଭାବରେ ଲକ୍ଷ୍ୟ କରିପାରୁଥିଲା। ବାତ୍ସଲ୍ୟ ମମତା କେମିତି ଶାରୀରିକ ଅସୁସ୍ଥତାକୁ ପ୍ରତିହତ କରି ଶୋଇଥିବା ଚଳତ୍ ଶକ୍ତି ଶେଷ ରହିଥିବା ବୃଦ୍ଧାକୁ ସମ୍ପୂର୍ଣ୍ଣ ଚଳମାନ କରିପାରୁଛି।


ଖାଇବା ସମୟରେ ଲିଲି ମାଉସୀ ସେଇ କାନ୍ଥ ପାଖରେ ଥିବା ବାକ୍ସଟାକୁ ଖୋଲିଲେ। ବୋଧହୁଏ ଅନେକ ଦିନ ହେବ, ହୁଏତ ଅନେକ ବର୍ଷ ହେବ, ସେ ବାକ୍ସଟା ଖୋଲା ହେଇ ନଥିଲା। ସେଇଥିପାଇଁ ଖୋଲିବା ସମୟରେ ଟିକେ ଜୋର ଲଗାଇ ଖୋଲୁଥିଲା ଲିଲି ମାଉସୀ। ଆଉ ଖୋଲିଲା ସମୟରେ କେଁ.... କଟର ଶବ୍ଦ ହେଉଥିଲା। ଯଦିଓ ବାକ୍ସଟା ସୁରେଶର ପଛ ଆଡକୁ ଥିଲା, ତଥାପି କେଁ.... କଟର ଶବ୍ଦରେ ତା'ର ଦୃଷ୍ଟି ସେ ଆଡକୁ ଯିବାପାଇଁ ବାଧ୍ୟ ହୋଇଥିଲା। ଲିଲି ମାଉସୀର ଗୋପନ ପେଡି। ସେଥିରେ ଅସରନ୍ତି ଧନଦୌଲତ ଥିବାର ସମ୍ଭାବନା ତ ନଥିଲା, ତଥାପି ସୁରେଶ ଭାବୁଥିଲା, କିଛି ଏମିତିକା ଜିନିଷ ଯାହା ଲିଲି ମାଉସୀର ଅତ୍ୟନ୍ତ ପ୍ରିୟ ଆଉ ତା ପାଇଁ ଅତି ଦୁର୍ମୂଲ୍ୟ। ସୁରେଶର ଖାଇବା ସରିଯାଇଥାଏ। ଲିଲି ମାଉସୀଠାରୁ ତା ପିତୃପରିଚୟ ସମ୍ପର୍କରେ ସେମିତିଆ କୌଣସି ଉପାଦେୟ ସୂଚନା ନପାଇ ସେ ଆଶାଶୂନ୍ୟ ହେଇ ଫେରିବା ପାଇଁ ପ୍ରସ୍ତୁତ ହେଲା। 


-- ଆଚ୍ଛା, ମାଉସୀ, ମୁଁ ଏଥର ଆସୁଛି।

-- ହଁ ରେ ଧନ, ଭଲରେ ଭଲରେ ଯାଆ। ତତେ ଆଜି ଦିନଟା ରହିବା ପାଇଁ କହିଥାନ୍ତି। ହେଲେ ଏ ଗରିବ କୁଡିଆରେ ତତେ ରହିବା ପାଇଁ କହିବାକୁ ମନ ଡାକୁନି। ମୋ ଧନ ଯୋଉଠି ଥାଉ ଭଲରେ ଥାଉ।


ଏତିକି କହି କପଡାରେ ବନ୍ଧା ହୋଇଥିବା ଗୋଟେ ପୁଟୁଳା ଧରେଇ ଦେଲା। 'ଏଟାକୁ ଘରେ ଯାଇ ଖୋଲିବୁ।' ସେତେବେଳକୁ ସୁରେଶ ଲକ୍ଷ୍ୟ କରୁଥିଲା ମାଉସୀ ମୁହଁଟା କେମିତି ଉଦାସିଆ ହେଇଯାଇଛି। ମଟରସାଇକେଲ ଷ୍ଟାର୍ଟ କଲା ଆଉ ଏତେ ସ୍ନେହସିକ୍ତ ହୃଦୟ ଥିବା ମଣିଷଟାକୁ ପଛରେ ଛାଡି ପହଞ୍ଚିଥିଲା ନିଜ ଘରେ। ତାକୁ ଲାଗୁଥିଲା ସତେ ଯେମିତି ମାଉସୀ ଗୋଟେ କିଛି ଗୁପ୍ତଧନ ଦେଇଛି। କାହାକୁ ନଦେଖେଇ ଘର ଭିତରୁ କବାଟ ବନ୍ଦ କରି ପୁଟୁଳିଟା ଖୋଲିଲା। ପରସ୍ତ ପରସ୍ତ କପଡାର ଆସ୍ତରଣ ଯେତିକି ଯେତିକି ଖୋଲୁଥିଲା ତା'ର ଉତ୍କଣ୍ଠା ସେତିକି ସେତିକି ବଢିଚାଲିଥିଲା। ମନଟା ଓଜନିଆ ଓଜନିଆ ଲାଗୁଥିଲା। ବୋଧହୁଏ କ’ଣ ଏ ପୁଟୁଳିଟା ଭିତରେ ଅଛି ଜାଣିବାର ଅଦମ୍ୟ ଉତ୍କଣ୍ଠା ଯୋଗୁଁ। ଶେଷ ପରସ୍ତ ହଟେଇଲା ପରେ ବେଶ କେତୋଟି ପୁରୁଣା ଚିଠି ଛଡ଼ା ଆଉ କିଛି ନଥିଲା।ଚିଠିଗୁଡିକୁ ଖୋଲି ସଜାଡି ରଖି ପଢିବାକୁ ଆରମ୍ଭ କଲା।


ଲିଲି, 

ତୋ ପୁଅ ଆଜି ଚାକିରି କରି ପ୍ରଥମ କରି ଦରମା ପାଇଛି। ମୁଁ ଜାଣିଛି, ତୋ ମାଆ ମନଟା ଭାରି ବ୍ୟାକୁଳ ହେଉଥିବ। କିନ୍ତୁ ସବୁ ଭୁଲର ତ ପ୍ରାୟଶ୍ଚିତ ଅଛି। ଭଗବାନ ବୋଧେ ତୋର ସାମାନ୍ୟ ଭୁଲଟେ ପାଇଁ ସାରାଜୀବନ ତୋ ଜନ୍ମକଲା ଛୁଆଠୁ ତତେ ଅଲଗା ରହିବାର ଦଣ୍ଡବିଧାନ କରିଛନ୍ତି। 


ଆହୁରି ଅନେକ କଥା ଲେଖାଥିଲା। କିନ୍ତୁ ସୁରେଶର ଆଉ ପଢିବାର ଧୈର୍ଯ୍ୟ ନଥିଲା। ଦ୍ବିତୀୟ, ତୃତୀୟ ଆଉ ଚତୁର୍ଥ ଚିଠିରେ ମଧ୍ୟ ସେଇ ସମାନ ହାତଲେଖା। ଏ ହାତଲେଖା ତା'ର ଅତି ପରିଚିତ। ତା ମାଆର। ମାଆ ତା ବିଷୟରେ ସବୁକିଛି ଲିଲି ମାଉସୀକୁ ଚିଠିରେ ଜଣୋଉଥିଲା। ସିଏ ମାଟ୍ରିକ ପରୀକ୍ଷାରେ ଭଲ ନମ୍ବର ରଖି ପାସ୍ କରିବା, ବି.ଏ. ଭଲରେ ପାସ୍ କରିବା, ଚାକିରୀ କରିବା, ତା ଶରୀର ଗଠନ ଏମିତିକି ତା ବେକମୂଳରେ ଥିବା କଳାଜାଈ କେତେ ବଡ ହେଲାଣି, ତା ଶରୀର ଗଠନ କେମିତି, ସବୁ ମାଆ ଚିଠିରେ ଜଣୋଉଥିଲା। ମୋଟ ଉପରେ ଚିଠିର ଶବ୍ଦ ମାଧ୍ୟମରେ ସୁରେଶର ଚିତ୍ର ଆଙ୍କିଦିଆହେଇଛି।


ଶେଷ ଚିଠିଟି କିନ୍ତୁ ଅଲଗା ହାତଲେଖା। ବୋଧହୁଏ ଚିଠିଟି ଲେଖିବା ପରେ ପ୍ରେରକ ତାକୁ ପୋଷ୍ଟ କରିନାହାନ୍ତି। ଆନ୍ତର୍ଜାତୀୟ ପତ୍ରରେ ଲେଖା ଯାଇଛି କିନ୍ତୁ ବନ୍ଦ କରାଯାଇନି। 


ସବିତା ଲୋ,

ତୋର ସବୁ ଚିଠି ମୁଁ ପାଉଛି। ପୁଅ ଏତେ ବଡ ହେଲାଣି, ଚାକିରି କଲାଣି। ସବୁ ଜାଣି ତାକୁ ଥରେ ଦେଖିବାକୁ ଭାରି ମନ ହୋଉଚି। କିନ୍ତୁ କ'ଣ କରିବି, ମୁଁ ତ ନିଜ କଲା କର୍ମର ଫଳ ଭୋଗୁଚି। କୋଉ ମୁହଁରେ ତାକୁ ଦେଖିବା ପାଇଁ ଦାବି କରିବି? 


ଆଚ୍ଛା, ତୁ କହିଲୁ, ଏଥିରେ ମୋର ଦୋଷ କ'ଣ? ବାପା ମାଆ ଅତି ଅଳ୍ପ ବୟସରେ ନିଜ ଦାୟିତ୍ୱ ସାରିବାକୁ ବାହା କରିଦେଲେ। ସେ ପୁଣି ଗୋଟେ ରୋଗୀଣା ମଣିଷକୁ। ସଂସାର କରିବାର ସୁଖ କ'ଣ ଜାଣିବା ଆଗରୁ ସିଏ ସଂସାର ଛାଡିଲା। ମୁଁ ଏକା ଏକା ଏ ଜୀବନଟା କେମିତି କାଟି ଥାଆନ୍ତି? ମୋର କ'ଣ ଦେହ ନାହିଁ ନା ମନ ନାହିଁ। ମୋ ଦେହମନର କ'ଣ ଭୋକ ନଥିଲା। ସେଇ ଭୋକ ଏତେ ଭୟଙ୍କର ହେଲା ଯେ ମୁଁ ନିଜ ଅଜାଣତରେ ଗୋଡ ଖସେଇ ଦେଲି। ଆଜି ପର୍ଯ୍ୟନ୍ତ ତା ନାଁ ତୋତେ କହି ନଥିଲି। ତୁ ବି କେତେବେଳେ ଜୋର ଦେଇ ପଚାରି ନଥିଲୁ। କିନ୍ତୁ ଆଜି କହୁଚି। ଶରତକୁ ବିଶ୍ୱାସ କରିଥିଲି। ସେଇ ଶରତ, ଯିଏ ଗାଁ ମୁଣ୍ଡରେ ଚାହା ଦୋକାନ କରିଛି।


ଏବେ ତ ବୁଢୀ ହେଲିଣି। ମଶାଣିକୁ ଯିବା ପାଇଁ ସଜ ହେଲିଣି। ସେଇଥିପାଇଁ ସବୁ ଖୋଲି କହିଦେଲି। ମୁଁ ଜାଣିନି, ତୁ ଏ ଚିଠି ପାଇଲା ବେଳକୁ ମୋ ନିଃଶ୍ବାସ ଚାଲୁଥିବ କି ନା। ଆଜିକାଲି ମୋତେ ଭାରି ଅସଜ ଲାଗୁଛି। ବିଧବା ହେଲାପରେ ପୁଣି ପାପଗର୍ଭ ହେଇ ତାକୁ ଲୁଚେଇବା ଅପରାଧରେ ଗାଁରେ କେହି ମୋ ସହ ଚଳୁନାହାନ୍ତି। ତଥାପି ବେଳେବେଳେ ସେ ଶାନ୍ତି ଦିଦି ନର୍ସ ଆସେ। ମୋ ଦେହପା ଦେଖେ। ସିଏ କହୁଥିଲା ମୋର ଲିଭର ଆଉ ହାର୍ଟରେ କିଛି ଖରାପ ଅଛି। ଆଲୋ, ସେ ହାର୍ଟଟା କ'ଣ କିଲୋ? ହୃଦୟ ତ? ମୋର ବା ହୃଦୟ କାହିଁ। ଥିଲେ କ'ଣ କଅଁଳା ଛୁଆଟାକୁ କ୍ଷୀର ନ ପିଏଇ ତୋ ହାତକୁ ଟେକି ଦେଇଥାଆନ୍ତି? ତା ମୁହଁକୁ ଦଣ୍ଡେ ଚାହିଁ ନଥାନ୍ତି? ତୋର ନିଶ୍ଚୟ ବହୁତ ବଡ ହାର୍ଟଟେ ଥିବ। ନହେଲେ ପର ଛୁଆଟାକୁ ଆପଣେଇ ତାରି ମୁହଁକୁ ଚାହିଁ ଅଭିଆଡୀ ହେଇ ରହି ନଥାନ୍ତୁ।


ଆଉ ଆଗକୁ ପଢି ପାରିଲାନି ସୁରେଶ। ତା ଆଖି ଆଗରେ ସବୁକିଛି ରହସ୍ୟ ଅନାବୃତ ହେଇ ସାରିଥିଲା। ଏଇ ଲିଲି ମାଉସୀ ତା' ଜନ୍ମଦାତ୍ରୀ ମାଆ। ଏଡେ ହିନୀମାନିଆ ଭାବେ ସାରା ଜୀବନଟା କଟେଇ ଦେଇଛି। ହୁଏତ ସେଇ ଆଶାରେ ଯେ ଦିନେ ନା ଦିନେ ତା ପୁଅ ଆସିବ ଆଉ ତାର ଆଶାବାଡି ହେଇ ତା ପାଖରେ ଠିଆ ହେବ। ଆଉ ସେଇ ଚାହା ଦୋକାନୀ, ଯିଏ ତା ଜନ୍ମଦାତ୍ରୀ ମାଆର ଚରିତ୍ର ସଂହାର ହେଉଥିବା ସମୟରେ ନିଲ୍ଲଜପଣିଆର ଚରମ ନିଦର୍ଶନ ଭାବେ ନୀରବରେ ସବୁ ଶୁଣୁଥିଲା, ସେଇ ତା'ର ବାପା। ଏଭଳି ବାପା ପ୍ରତି ତା'ର ଆଦୌ ସମ୍ମାନବୋଧ ହେଉନଥିଲା।


ସୁରେଶ ସେଇ ସନ୍ଧ୍ୟାରେ ପୁଣି ଥରେ ସେ ଗାଁକୁ ଗଲା। ଯାହା ବି ହେଉ, ସିଏ ତା'ର ଜନ୍ମଦାତ୍ରୀ। ତାକୁ ଏ ଅବସ୍ଥାରେ ଦେଖିଲା ପରେ ସ୍ଥିର କଲା, ଯେମିତି ହେଲେ ମାଆକୁ ପାଖରେ ଆଣି ରଖିବ। ଦୁନିଆ ଯାହା କହୁ ପଛେ ତା'ର ସେଥିପାଇଁ ଖାତିରି ନଥିଲା।


ସଞ୍ଜ ଯେତେବେଳେ ତା ପଣତ ଉପରେ କଳା ଅନ୍ଧାରର ବହଳ ଆସ୍ତରଣ ବୋଳି ହେଉଥିଲା, ସେତେବେଳେ ସୁରେଶ ପୁଣିଥରେ ସେଇ ନୁଆଁଣିଆ ଚାଳଘର ଆଗରେ ପହଞ୍ଚିଥିଲା। ଏଥର ଆଉ ସୌଜନ୍ୟମୂଳକ କବାଟ ଠକ୍ ଠକ୍ ନକରି ସିଧା ଘର ଭିତରକୁ ପଶିଗଲା। ମାଆ ପାଖକୁ ପୁଅ ଆସିଛି, ସେଥିରେ ସୌଜନ୍ୟତାର ପ୍ରଶ୍ନ ଆସୁଛି କେଉଁଠି? ସିଧାସଳଖ ଖଟିଆର ମୁଣ୍ଡ ପାଖରେ ଠିଆହୋଇ ଶୋଇଥିବା ମାଆକୁ ଡାକିଲା, 'ମାଆ, ମାଆଲୋ, ଦେଖ୍, ମୁଁ ଆସିଛି। ତୋ ପୁଅ ଆସିଛି।' କିନ୍ତୁ ସେତେବେଳକୁ ଜୀଅନ୍ତା ମଣିଷଟା ବରଫ ପରି ଥଣ୍ଡା ହେଇଯାଇଥିଲା। ସୁରେଶର ବିକଳ ମାଆ ଡାକ ମାଟି କାନ୍ଥରେ ପ୍ରତିଧ୍ବନିତ ହୋଇ ପୁଣି ସୁରେଶ ପାଖକୁ ଫେରି ଆସୁଥିଲା।


Rate this content
Log in

Similar oriya story from Abstract