Banabihari Mishra

Inspirational

3  

Banabihari Mishra

Inspirational

ତଥାପି ବଞ୍ଚିଛି

ତଥାପି ବଞ୍ଚିଛି

3 mins
379


ପାଞ୍ଚ ବର୍ଷ ପରେ ଗୁରେଇ ତା ଭାଇ ସହ ବାପଘରକୁ ଫେରୁଛି । ଆଗରୁ ଏଇ ରାସ୍ତା ଦେଇ ସେ ସଵାରୀରେ ବସି ପାଞ୍ଚକୋଶ ଦୂର ତା ଶାଶୁ ଘରକୁ ଯାଇଥିଲା । ଆଉ ତାପରେ ସଂସାରର ଜଞ୍ଜାଳ । ଶଯ୍ୟାଶାୟୀ ଶଶୁର, ଶ୍ବାସ ରୋଗଗ୍ରସ୍ତ ବୁଢୀଶାଶୁ । ଆଉ ସବୁଠାରୁ ବେଶୀ ଜଞ୍ଜାଳିଆ ତା ସ୍ୱାମୀ । ସତେ ଯେମିତି କଅଁଳା ଛୁଆ । ସାର୍ଟରେ ବୋତାମ ଦବ ସିଏ, ଅଫିସ ଗଲାବେଳେ ସବୁ ସଜାଡି ଦବ ସିଏ । ଅଫିସରୁ ଆସିଲେ ଜୋତା କୁର୍ତ୍ତାଠୁ ଆରମ୍ଭ କରି ସବୁ ସଜାଡି ରଖିବ ସିଏ । ସେ ନଥିଲେ ସବୁ ଅଚଳ । 


ଏଇ ସବୁ ଜଞ୍ଜାଳରେ ରହି ଆଉ ବାପଘର ନାଆଁ ତଳେ ନ ପକେଇବାକୁ ଭଲ ବୋହୁଟିଏ ହେବାକୁ ଚେଷ୍ଟା କରିବା ଭିତରେ ତାର ବିତି ଯାଇଛି ବିବାହିତ ଜୀବନର ପ୍ରଥମ ଏଇ ପାଞ୍ଚ ବର୍ଷ । ସତେ ଯେମିତି ଗୁରେଇ ଭୁଲିଯାଇଛି ନିଜର ଅସ୍ତିତ୍ୱକୁ ଆଉ ସେଇ ଗାଆଁକୁ ଯାହା କୋଳରେ ନଙ୍ଗଳା ହେଇ କୁଆଁ କୁଆଁ ରଡି କରି ଜନ୍ମ ହେଇ କୁଆଁରୀ ଆଖିରେ ସ୍ୱପ୍ନ ସଞ୍ଚାର ହେଲା ପର୍ଯ୍ୟନ୍ତ ସମୟ କାଟିଛି । 


ଆଜି ଗୁରେଇ ଫେରୁଛି । ଏଇ ଗାଆଁର ମାଟିରୁ ଝିଅରୁ ବୋହୂ ଭାବରେ ରୂପାନ୍ତରିତ ହେଇ ଶାଶୁଘର ଗଲାବେଳେ ସେଇ ବୁଢା ବରଗଛ ମୂଳରେ ସଵାରୀ ରଖି ବିଶ୍ରାମ ନେବାଟା ତାକୁ ଜଳଜଳ ଦେଖା ଯାଉଛି । ସେଇଠାରୁ କୁଆଡେ ତା ବାପଘର ସୀମା ସରୁଛି ଆଉ ଆରମ୍ଭ ହେଉଛି ତା ଶାଶୁଘର ସୀମା । ସେଥିପାଇଁ ଗୁରେଇର ସେ ବୁଢା ବରଗଛ ଉପରେ ଭାରି ଈର୍ଷା । ଖରା ନାହିଁ, ବର୍ଷା ନାହିଁ କୋଉ କାଳରୁ ଜଗିରହିଛି ବୁଢା ଜଗୁଆଳି ଭଳି । ସବୁ ଦୁଃଖ ସୁଖରେ ସାକ୍ଷୀ ହେଇ ରହିଛି । ଝଡଝଞ୍ଜାକୁ ଛାତି ପତେଇ ସହିଛି । ସିଏ ଦେଖିଛି ମଣିଷ ଜୀବନର ଆରମ୍ଭ ଆଉ ଶେଷ । ତା'ରି ଛାଇରେ ଛୁଆମାନଙ୍କ ଖେଳିବା, 'ହାଙ୍କୁ ଦାବଲ ବୋହୁ ଯାଉଛି' ଗାଇ ଗାଇ ସବାରୀରେ ଗାଆଁର ଝିଅ ବୋହୁ ସାଜି ଗାଆଁରୁ ଯିବାଠୁ ଆରମ୍ଭ କରି 'ରାମ ନାମ ସତ୍ୟ ହେ'ର ଧ୍ଵନିରେ ଦୁନିଆରୁ ବିଦା ହେଉଥିବା ପର୍ଯ୍ୟନ୍ତ ସବୁ ଦେଖିଛି । ଶ୍ରାନ୍ତକ୍ଳାନ୍ତ ପଥିକକୁ ଶୀତଳ ଛାଇରେ ଆରାମ ଦେବାଠୁ ତା' ଦେହରେ ଆଶ୍ରୟ ନେଇଥିବା ପକ୍ଷୀମାନଙ୍କର କିଚିରିମିଚିରି ସଙ୍ଗୀତରେ ମନ ମୋହିବା ପର୍ଯ୍ୟନ୍ତ ସବୁ କରିଛି ଏ ମଣିଷ ପାଇଁ । 


ଆଉ କେବେ କିଏ ଜଣେ ତା ମୂଳରେ କେତେଟା ପଥର ରଖି ସିନ୍ଦୂର ବୋଳିଦେଇ ନାଲି କପଡା ପିନ୍ଧେଇ ତାକୁ ଗ୍ରାମଦେବତୀର ନାଆଁ ଦେଇଦେଇଛି । ଗାଆଁରୁ କେହି କୁଆଡେ ଗଲେ ସେଠି ମୁଣ୍ଡିଆ ମାରିବାଟା ଥୟ ।  


ଗୁରେଇ ତା ଭାଇକୁ କହି ସେ ବରଗଛ ପାଖରେ ଅଟକିଗଲା । ଏ କଣ? ବରଗଛ ବଦଳରେ ଖାଲି ଗଣ୍ଡିଟା ଅଛି । ରାଜରାସ୍ତା କରିବାକୁ ଯାଇ ସରକାର ସେ ନିରୀହ ଗଛଟାକୁ ବଳି ପକେଇ ଦେଇଛନ୍ତି । 


ଗୁରେଇ ଆଶ୍ଚର୍ଯ୍ୟ ହେଇ ତା ଭାଇକୁ ଚାହିଁଲା । ଗ୍ରାମ ଦେବତୀଙ୍କ ପାଇଁ କାନତରାଟି ବାବୁ କୁଆଡେ ଗୋଟେ ଛୋଟ ମନ୍ଦିର ତୋଳିଦେଲେ । କିନ୍ତୁ ସେଇ ଯୋଉ ନିରୀହ କୁନି କୁନି ଚଢେଇ ଏ ଗଛରେ ବସା ବାନ୍ଧି ରହିଥିଲେ ଆଉ କିଚିରିମିଚିରି ଶବ୍ଦରେ ବାଟୋଇଙ୍କୁ ଏକାକୀତ୍ୱ ଅନୁଭବ କରିବାକୁ ଦେଉ ନଥିଲେ, ତାଙ୍କ ପାଇଁ କଣ ସେ କାନତରାଟି ବାବୁ ଘର ତୋଳିଦେଲା?


ଗୁରେଇ ସେଇ ବୁଢା ବରଗଛର କଟା ଗଣ୍ଡିଟାକୁ ଚାହିଁ ରହିଲା କେତେ କ୍ଷଣ । ଆଖି ତାର ଛଳଛଳ ହେଇଗଲା । ସତେ ଯେମିତି ତାର କେହି ଆତ୍ମୀୟ ଜଣେ ତାକୁ ଛାଡି ଚାଲି ଯାଇଛି । 


ତା ଅଜାଣତରେ ଦି ଟୋପା ଲୁହ ସେଇ କଟା ବରଗଛ ଗଣ୍ଡି ଉପରେ ଖସି ପଡିଲା । ସେ ଦେଖିଲା, କଟା ବରଗଛ ଗଣ୍ଡିରୁ କୁଆଁ ବାହାରି କଅଁଳ ଛନଛନିଆଁ ପତ୍ର ଚାରିଟା ବାହାରିଛି, ଆଉ ସେହି ପତ୍ରକୁ ସସ୍ନେହେ ଗୁରେଇ ଆଉଁସିଦେଲା ବେଳେ ଅନୁଭବ କଲା, ସେ ପତ୍ର ଯେମିତି ତାକୁ କହୁଛି, ହେ ନିଷ୍ଠୁର କୃତଘ୍ନ ମଣିଷ, ମୁଁ ତୁମର କଣ ଦୋଷ କରିଥିଲି? ମୁଁ ତ ମୋ ଜାଗାରେ ଥିଲି । ତମ ଘର ତ ମୁଁ ଭାଙ୍ଗିନି କି ତମର କିଛି ନେଇଯାଇନି କି କ୍ଷତି ବି କରିନି । ବରଂ ତୁମକୁ ମୁଁ ଦେଇଛି । ଉଦୁଉଦିଆ ଖରାରୁ ଶୀତଳ ଛାଇ ଦେଇ ତୁମକୁ ଶାନ୍ତି ଦେଇଛି । ସବୁବେଳେ ପତ୍ରକୁ ବିଞ୍ଚଣା ଭଳି ବିଞ୍ଚି ବିଞ୍ଚି ସୁଲୁସୁଲିଆ ପବନ ଦେଇଛି ତୁମମାନଙ୍କୁ । ମୋ ଦେହରେ କେତେ ପକ୍ଷୀଙ୍କୁ ଆଶ୍ରୟ ଦେଇ ସେମାନଙ୍କ ମଧୁର ଗାନ ତୁମମାନଙ୍କୁ ଶୁଣେଇଛି । ସବୁଠାରୁ ଉପରେ ତୁମକୁ ବଞ୍ଚି ରହିବା ପାଇଁ ପ୍ରଶ୍ୱାସ ପବନ ଯୋଗେଇଛି ।  


ତା ବଦଳରେ କଣ ଦେଲ ତୁମେ? ମୋ ନୀରବ ଚିତ୍କାର ତୁମକୁ ଶୁଭିଲାନି? କାଟି ଦେଇଗଲ ଗୋଟାଏ ପରେ ଗୋଟାଏ ମୋ ଅଙ୍ଗକୁ । ସେ ଅଙ୍ଗ ମୋର କଟିଗଲା ବେଳେ ତମ ନିଜ ଲୋକର ଅଙ୍ଗ କଟିଲା ଭଳି ତମକୁ କେମିତି ଲାଗିଲାନି? ଏତେ ଦିନରୁ ତୁମମାନଙ୍କ ଗହଣରେ ରହି ମୁଁ ତ ମଣିଷ ଜାତିଟାକୁ ଅତି ଆପଣାର ଭାବୁଥିଲି । କିନ୍ତୁ ମୋତେ ତୁମେ ଆପଣାର ଭାବି ପାରିଲନି? ଝରି ପଡୁଥିବା ଶ୍ୱେତ କ୍ଷୀରରେ ତମକୁ କଣ ରକ୍ତର ଲାଲିମା ଦେଖା ଗଲାନି? ତମେ ଏଡେ ନିଷ୍ଠୁର, ନିର୍ଦ୍ଦୟ, ଆଉ କୃତଘ୍ନ କେମିତି ହେଇପାରିଲ? 


କିନ୍ତୁ ଦେଖ, ମୁଁ ତଥାପି ବଞ୍ଚିଛି । ପୁଣି ଥରେ ତମ ମଣିଷମାନଙ୍କ ସେବା କରିବା ପାଇଁ ମୁଁ ମୁଣ୍ଡ ଟେକିଛି । କିନ୍ତୁ ତମେମାନେ ମତେ ବଞ୍ଚିବାକୁ ଦେଲେ ହେଲା । 



రచనకు రేటింగ్ ఇవ్వండి
లాగిన్

Similar oriya story from Inspirational