Banabihari Mishra

Abstract

4.0  

Banabihari Mishra

Abstract

କଞ୍ଜୁସ ମକ୍ଷିଚୁସ୍

କଞ୍ଜୁସ ମକ୍ଷିଚୁସ୍

5 mins
186


ସତୁରି କି ପଞ୍ଚସ୍ତରି ବର୍ଷ ହେବ ବୁଢାଟିଏ। ହାତ ଥୁରୁଥୁରୁ ହେଲାଣି। ମୁଁ ଏ ସହରକୁ ଆସିବା ଦିନରୁ ପ୍ରାୟ ଦଶ ବାର ବର୍ଷ ହେବ ତାକୁ ଦେଖୁଛି। ପରିବା ମାର୍କେଟରେ କଣରେ ସେଇ ଗୋଟିଏ ଯାଗାରେ ବସେ। ଏମିତିକି ମାସର ଶେଷ ରବିବାର ଦିନ ମାର୍କେଟ ବନ୍ଦ ରହିବ, କିନ୍ତୁ ବୁଢା ତା ଯାଗାରେ ବସିଥିବ। ବୋଧହୁଏ ବୁଢାଲୋକ ବୋଲି ତାକୁ କେହି କିଛି ମନାକରନ୍ତିନି। ତା ବାଡିର ଯାହା କିଛି ପରିବା, ଏଇ ଯେମିତି ଭେଣ୍ଡି, ଜହ୍ନି, ଶାଗ, କଖାରୁ ଫୁଲ, ଲେମ୍ବୁ, ସବୁଥିରୁ ଅଳ୍ପ ଅଳ୍ପ ଆଣେ। ସବୁ ତାଜା ତାଜା ପରିବା। କିନ୍ତୁ ସମସ୍ତଙ୍କଠାରୁ ତାର ଟିକିଏ ଅଧିକ ଚଢା ଦାମ୍। ସେଥିପାଇଁ ସିଏ ସକାଳୁ ଆସି ବସିଲେ ବି ଦି'ପହର ପର୍ଯ୍ୟନ୍ତ ତା'ର ପରିବା ସରି ନଥାଏ। ଅଫିସ ଛୁଟି ସମୟରେ ମୁଁ ଘରକୁ ଗଲାବେଳେ ତା'ରି ପାଖରୁ ପରିବା ଦି'ଟା ନେଇଯାଏ। ଦିନେ ଦିନେ ବୁଢା ଭାରି ନେହୁରା ହେଲାପରି କୁହେ, 'ବାବୁ, ଘର ଘୋର। ଘରେ ଅସୁବିଧା କ'ଣ କେବେ ଛାଡିକି ଯାଉଛି। ଟିକିଏ ସଅଳ ଯିବାକୁ ଅଛି। ହେଲେ ଏ ପରିବା ଗଣ୍ଡାକ ନ ବିକିଲେ ଘରକୁ ଯିବି କେମିତି?' ମୁଁ ବୁଝିପାରେ ବୁଢାର ଅସହାୟତା। ତା'ରି ଦାମରେ ସବୁତକ ପରିବା କିଣି ନିଏ। ବୁଢା ତରତର ହେଇ ବନ୍ଧାବନ୍ଧି କରେ। ଦିନେ ଦିନେ କିଛି ଅଧିକ ପରିବା ଥାଏ। ଏତେ ପରିବା ଦେଖି ଘରେ ବିରକ୍ତ ହୁଅନ୍ତି। 'ଭେଣ୍ଡିଗୁଡା ଫ୍ରିଜରେ ଅଛି। ଲେମ୍ବୁ ଅଛି। ପୁଣି ଗୁଡେ ଆଣୁଛ। ଖାଲି ପରିବା ପଚେଇବା ସାର। ଘରେ ଖାଇବାକୁ ତିନୋଟି ପେଟ, ସେଥିରେ ପୁଣି ଭୋଜିଟାକର ପରିବା। ଧନ୍ୟ କହିବ ତମ ବୁଦ୍ଧିକୁ।' ମୁଁ ବୁଢାର ନେହୁରା ହେବା କଥା କହିଲେ ପୁଣି ଆରମ୍ଭ ହୁଏ ମହାଭାରତର ଆଉଗୋଟେ ପର୍ବ। 'ଘରେ ମୂଷା ଏକାଦଶୀ କରୁଛି, ସେଥିରେ ପୁଣି ଦାନ। ଏତେ ଯଦି ବୁଢାକୁ ଦବାର ଇଚ୍ଛା, କିଛି ଟଙ୍କା ଦେଇଦେଲନି।' ମୁଁ କହେ, 'ପଡୋଶୀ ସାହୁବାବୁଙ୍କ ଘରକୁ କିଛି ଦେଇଦିଅ। ପରିବା ନଷ୍ଟ ହେବ କାହିଁକି? ତାଙ୍କର ତ ବଡ ପରିବାର।' ବଡ ରୁକ୍ଷ ଜବାବ ମିଳେ। 'ହଁ, ତୁମେ ପରିବା ଦେଲେ ତ ତାଙ୍କର ଭାତଗୁଣ୍ଡା ଗଳିବ। ତୁମ ପରିବାକୁ ତାଙ୍କର ଚାହିଁ ବସିଛନ୍ତି ଯେମିତି।' ଏମିତି ଯୁକ୍ତି ଆଗରେ ମୁଁ ନୀରବ ହେବା ଶ୍ରେୟସ୍କର ବୋଲି ମଣି ଚୁପ ରହେ।


ସେଦିନ ମାସର ଦ୍ବିତୀୟ ଶନିବାର। ଅଫିସ ବନ୍ଦ ହେଲେ ବି କିଛି ଜରୁରୀ କାମ ଥିବା ହେତୁ ମୁଁ ଅଫିସ ଯାଇଥିଲି। ଫେରିବା ବେଳକୁ ପ୍ରାୟ ଦିନ ଗୋଟାଏ। କିନ୍ତୁ ପରିବା ମାର୍କେଟରେ ବୁଢାର ଦେଖା ନାହିଁ। କାହିଁକି କେଜାଣି, ୟା ଭିତରେ ବୁଢା ପରିବାବାଲା ସହ ଗୋଟେ ଆତ୍ମୀୟତାର ସମ୍ପର୍କ ଆସିଯାଇଥିଲା। ଅଫିସରୁ ଫେରିବା ବେଳେ ନିଶ୍ଚୟ ତା ପାଖ ଦେଇ ଆସିବି। ବୁଢା ପାଖରେ ଠିଆ ହୋଇ କିଛି ଦୁଃଖସୁଖ ହେବାଟା ଗୋଟେ ନିତିଦିନିଆ ରୁଟିନରେ ପରିଣତ ହେଇଯାଇଥିଲା। ବୁଢାକୁ ୟା ଭିତରେ ମୁଁ ମଉସା ଡାକିବା ଆରମ୍ଭ କରି ଦେଇଥିଲି। ଦିନେ ଦିନେ ମୋର ଚାହା ପିଇବା ପାଇଁ ଇଚ୍ଛା ହୁଏ। ମୁଁ ଦି'କପ୍ ଚାହା ଆଣି ବୁଢାକୁ ଦିଏ ଆଉ ନିଜେ ପିଏ। ବେଳେବେଳେ ସେଇ ଚାହା ଦୋକାନରୁ ପାଉଁରୁଟି ବିସ୍କୁଟ ଆଣେ। ଚାହାରେ ବିସ୍କୁଟ ବୁଡେଇ ଖାଇବା ସମୟରେ ବୁଢାର ପାକୁଆ ପାଟି ଆନନ୍ଦରେ ମେଲେଇ ହେଇଯାଏ। ଏଇ ସାଙ୍ଗ ହେଇ ଚାହା ପିଇବା ସମୟରେ ଲକ୍ଷ୍ୟକରେ, ବୁଢା ଭାବୁକ ହେଇଯାଏ। ତା'ର ସେଇ ଟାଆଁସିଆ ରୁକ୍ଷ ଶିରାଳ ହାତରେ ମୋ ହାତପାପୁଲିକୁ ଚାପିଧରେ। ମୁହଁରେ ହାତ ବୁଲେଇ ଦିଏ। ସେଇଥିରେ ଅନେକ ଖୁସି ପାଏ। ଏ ସବୁର ସମ୍ପର୍କ କିନ୍ତୁ ବେପାର ସାଙ୍ଗରେ ନଥାଏ। ବେପାର ବେପାର ଯାଗାରେ ଆଉ ଭାବନାବ ତା ଯାଗାରେ। ପରିବାର ଦାମ ସହ କୌଣସି ସାଲିସ ନାହିଁ। ଆଖପାଖର ଦୋକାନୀମାନେ କୁହନ୍ତି ବୁଢା ମଉସାଟା କୁଆଡେ ଏକ ନମ୍ବର କଞ୍ଜୁସ ମକ୍ଷିଚୁସ୍। ଅଣାକର ବି କୋଉଠି ପେଟକୁ ଖାଇବନି। କେହି ଯଦି ଦିଏ ସେତେବେଳେ ତା'ର ପେଟ ଡବଲ ହେଇଯାଏ। ତଣ୍ଟି ପର୍ଯ୍ୟନ୍ତ ଠେସି ଦିଏ ଯେମିତି ଆଁ କଲେ ଦିଶିବ। କିନ୍ତୁ ମୁଁ କେବେ ଦେଖିନି ଯେ ବୁଢା ମାଗଣା ପାଇ ଖାଉଛି। ବରଂ ମୁଁ ଯେବେ ଚାହା ଯାଚେ ବୁଢା କହେ, 'ନାଇଁ ବାବୁ, ଥାଉ। ଆମ ଗରିବଗୁରୁବାଙ୍କ ପେଟରେ ଚାହା ଯିବନି। ଘରୁ ପଖାଳ ଦି'ଟା ଖାଇଦେଇ ଆସିଛି। ପୁଣି ଗଲେ ତବତ ଖାଇବି।' ସେଦିନ ବୁଢାର ଅନୁପସ୍ଥିତି ମୋତେ ଆଶ୍ଚର୍ଯ୍ୟ କରିବା ସହ ଚିନ୍ତାରେ ପକେଇ ଦେଇଥିଲା। ବୁଢାର କିଛି ହେଇ ଯାଇନି ତ? ବୁଢା ମଣିଷ, ପାଚିଲା ପତ୍ର। କେତେବେଳେ ଯେ ଖସିପଡିବ ତା କିଏ କହିବ।


ବୁଢାର ଖବର ନେବାପାଇଁ ଆଖପାଖ ଦୁଇ ତିନୋଟି ଦୋକାନୀଙ୍କୁ ପଚାରିଲି। ଜଣେ କହିଲା ତା ଗାଁ ଏଇଠୁ ତିନି ମାଇଲ ଦୂର କୁକୁଡାଙ୍ଗ। ଏତେ ଦିନର ଜଣାଶୁଣା ଭିତରେ ମୁଁ କେବେ ବୁଢାର ନାଁ ଜାଣିବା ପାଇଁ ନା ଚେଷ୍ଟା କରିଥିଲି ନା ମୋର ଆବଶ୍ୟକତା ଥିଲା। ସେଦିନ ସେ ଦୋକାନୀକୁ ବୁଢା ମଉସାର ନାଁ ପଚାରିଲି। ତା ନାଁ କୁଆଡେ କୁନ୍ଦୁରୀ। ବଡ ଆଶ୍ଚର୍ଯ୍ୟ ଲାଗିଲା। ସତରେ ତା'ର ଏମିତି ନାଁ ନା ଥଟ୍ଟାରେ ସିଏ କହିଲା ବୁଝିପାରିଲି ନାହିଁ। ତଥାପି ସ୍ଥିର କଲି କାଲି ତା ଘରକୁ ଯିବି। 


ତା ପରଦିନ ରବିବାର। ସକାଳୁ ଉଠି ନିତ୍ୟକର୍ମ ସାରି ମଟରସାଇକେଲରେ ବାହାରିଲି କୁକୁଡାଙ୍ଗ। ଆଗରୁ କେବେ ମୁଁ ସେ ଗାଁକୁ ଯାଇନି। ପଚାରି ପଚାରି କୁକୁଡାଙ୍ଗ ଗାଁରେ ପହଞ୍ଚିଗଲି। ସେଠି ପୁଣି କୁନ୍ଦୁରୀ ମଉସା ଘର କୋଉଠି ପଚାରିବାରୁ ଲୋକ ଆଶ୍ଚର୍ଯ୍ୟ ହେଇ ମୋତେ ଚାହିଁଲେ। ଜଣେ କହିଲା, 'ସାର୍, ଆପଣ ପରା ତାଙ୍କରି ଘର ଆଗରେ ଠିଆ ହେଇଛନ୍ତି। ଏଇଟା ତାଙ୍କରି ଘର।' ଆଙ୍ଗୁଳି ଯେଉଁ ଘର ଆଡକୁ ନିର୍ଦ୍ଦେଶ କରୁଥିଲା ସେଇଟା ଗୋଟେ ସୁରମ୍ୟ ଦ୍ବିତଳ କୋଠା। ଭିତରୁ ଏକାଧିକ ଛୁଆଙ୍କର କୋଳାହଳ ଶୁଭୁଥିଲା। ମଟରସାଇକେଲ ଷ୍ଟାଣ୍ଡ ମାରି ସନ୍ତର୍ପଣରେ ଆଉଜା କବାଟ ଠେଲି ଭିତରକୁ ପଶିଲି। ବୁଢା ମଉସା ସାତ ଆଠଜଣ ପିଲାଙ୍କ ସହିତ ବୈଠକଖାନାରେ ହସମଜା କରୁଥିଲେ। ଚିହ୍ନି ପାରିଲିନି, ଇଏ ସେଇ ପରିବା ବିକାଳୀ ବୁଢା ମଉସା ତ? ମନରେ ସନ୍ଦେହ ଆସୁଥାଏ। ଧୋବ ଫରଫର ମଣ୍ଡଦିଆ ଧୋତି ସାଙ୍ଗକୁ ଭାଙ୍ଗକରା ପଞ୍ଜାବୀ। ମୋତେ ଦେଖି ପିଲାମାନେ ଏକାଠି ହେଇ ଗୋଟେ କଣରେ ଠିଆ ହେଇଗଲେ। 'ଆରେ, ତୁମେ ଆସିଛ। ଆସ, ଆସ। ଏଇଠି ବସ। ପିଲେ, ଇଏ ଜଣେ ମଉସା। ନମସ୍କାର କର।' ସମବେତ ସ୍ବରରେ ପିଲାମାନେ 'ନମସ୍କାର ମଉସା' କହି ଭିତରକୁ ଚାଲିଗଲେ।


ମୁଁ ହତବାକ ହେଇଯାଇଥାଏ। ଘରଟିର ସାଜସଜ୍ଜା ଖୁବ୍ ସୁନ୍ଦର। ଖୁବ୍ ବଡ ବୈଠକଖାନା। କବାଟ ଖୋଲି ଭିତରକୁ ପଶିଲା ମାତ୍ରେ ଆଖିରେ ପଡିବ ମଣିଷ ଆକାରର ଫୁଲମାଳ ଦିଆଯାଇଥିବା ଫଟୋଟିଏ। ପଚିଶ ଛବିଶ ବର୍ଷର ଯୁବକ। ଦୁଇ ପାଖରେ ଦୁଇଟି ସୋ କେସ୍ ବହିରେ ଭର୍ତ୍ତି। ବାଁ ପାଖରେ କାନ୍ଥ ଆଲମୀରାରେ ବେଶ କିଛି ପଦକ, ବନ୍ଧେଇ ହୋଇଥିବା ମାନପତ୍ର, ଆଉ ଅଳ୍ପ କିଛି କଣ୍ଢେଇ। ତଳେ ଖୁବ୍ ସୁନ୍ଦର କାର୍ପେଟ, ଭଲ ଦାମୀ ସୋଫା ଘରଟିର ସୌନ୍ଦର୍ଯ୍ୟ ବଢେଇ ଦେଉଥିଲା। ବେଶ୍ କିଛି ସମୟର ନୀରବତା ପରେ ମୁଁ ଆରମ୍ଭ କଲି।

-- ମଉସା, ଏ ଫଟୋ କାହାର? ଏ ପିଲାମାନେ କିଏ?

-- ସେ ଅନେକ କଥା। ଇଏ ମୋ ପୁଅ ଅଜିତ। ତାକୁ ପନ୍ଦର ବର୍ଷ ବେଳେ ମୋ ସ୍ତ୍ରୀ ଚାଲିଗଲା ପରେ ବାପା ଆଉ ମାଆର ସ୍ନେହ ଦେଇ ପାଳିଲି। କିନ୍ତୁ ତାକୁ ଯେତେବେଳେ ପଚିଶ ବର୍ଷ ହେଇଥିଲା ଗୋଟେ ସଡକ ଦୁର୍ଘଟଣାରେ ସିଏ ବି ମୋତେ ଏକୁଟିଆ କରି ଚାଲିଗଲା। ବାଙ୍ଗାଲୋରରେ ଗୋଟେ ବହୁରାଷ୍ଟ୍ରୀୟ କମ୍ପାନୀରେ ପୁଅ ଚାକିରୀ କରୁଥିଲା। କମ୍ପାନୀରୁ କ୍ଷତିପୂରଣ, ଜୀବନବୀମା ଆଉ ଏମ୍ଏସିଟି ମକଦ୍ଦମାରୁ ପ୍ରାୟ କୋଟିଏ ପାଖାପାଖି ମିଳିଥିଲା। ତା ସହ ମୋର ଗ୍ରାଚୁଇଟି, ଜିପିଏଫ୍ ଇତ୍ୟାଦି ମିଶି ମୋ ହାତରେ ଅପର୍ଯ୍ୟାପ୍ତ ଅର୍ଥ। ହେଲେ ଭୋଗ କରିବା ପାଇଁ କେହି ନାହିଁ। ଏତେ ଅର୍ଥ ନେଇ କ'ଣ କରିବି ଭାବୁ ଭାବୁ ଦିନେ ସ୍ବପ୍ନରେ ପୁଅ ବାଟ ଦେଖେଇଦେଲା। ପୁଅ କହୁଥିଲା, 'ବାପା, ମୁଁ ନଥିଲେ କ'ଣ ହେଲା। ମୋ ପରି କେତେ ପିଲାଙ୍କୁ ତୁମେ ତିଆରି କରିପାରିବ।' ବାସ୍, ତା ପରଠୁ ଏ ଗାଁ ଆଉ ଆଖପାଖ ଗାଁର ଆଠଟି ପିଲାଙ୍କୁ ମୁଁ ପୋଷ୍ୟ କରିନେଲି। କଲେଜରେ ପ୍ରଫେସର ଥିଲାବେଳେ ବଡ ପିଲାଙ୍କୁ ଅଭିଜ୍ଞତା ଏଠି ଛୋଟ ପିଲାଙ୍କୁ ପଢେଇଲାବେଳେ କାମରେ ଆସେନି। ଛୋଟିଆ ପିଲାଙ୍କୁ ପଢେଇ ଶୁଣେଇ ମଣିଷ କରିବା ପାଇଁ ସେମାନଙ୍କ ସାଙ୍ଗରେ ଛୋଟ ପିଲା ହେବାକୁ ହୁଏ। ଏ ପିଲାମାନେ ଦିନସାରା ମୋ ପାଖରେ ରୁହନ୍ତି। ସେମାନଙ୍କ ଖାଇବା ପିଇବା, ପୋଷାକପତ୍ର, ଖାତାବହି ସବୁ ସେଇ ଜମା ଟଙ୍କାରୁ ହୁଏ। ମୋ ଗାଡିରେ ପିଲାଙ୍କୁ ନେଇ ଡ୍ରାଇଭର ସ୍କୁଲରେ ଛାଡିଆସେ ଆଉ ସ୍କୁଲ ଛୁଟି ହେଲେ ଆଣେ। ଏଠି ମୁଁ ତାଙ୍କୁ ପାଠପଢ଼ାରେ ସାହାଯ୍ୟ କରିବା ସହ ଜୀବନର ବାସ୍ତବିକ ଯୁଦ୍ଧରେ ଲଢିବା ପାଇଁ ଶିଖାଏ। ଅବସର ସମୟରେ ପିଲାଏ ବାଡିରେ ପନିପରିବା ଚାଷ କରନ୍ତି। ସେଇ ପରିବା ମୁଁ ବିକିବାକୁ ନିଏ। ଯାହା ମିଳେ ତାକୁ ସମାନ ଭାବେ ପିଲାଙ୍କ ବ୍ୟାଙ୍କ ଆକାଉଣ୍ଟରେ ଜମା କରିଦିଏ। ସେଇଟା ସେମାନଙ୍କର ସମ୍ପୂର୍ଣ୍ଣ ନିଜର। ଭବିଷ୍ୟତରେ ସେମାନଙ୍କର କାମରେ ଆସିବ।


ମୋ ଅବସର ସମୟରେ ମୁଁ ଲେଖାଲେଖି କରେ। ଏଇ ଅବସର ସମୟର ଉପଯୋଗ କରି କେତେଗୁଡିଏ ବହି ଲେଖି ଛପେଇଛି।'


ମଉସା ଉଠିଯାଇ ବହି ଥାକରୁ କିଛି ସ୍ବଲିଖିତ ବହି ଆଣି ଦେଖେଇଲେ। ଆଶ୍ଚର୍ଯ୍ୟ ହେଇଗଲି। ଗ୍ରାଜୁଏସନ୍ ସମୟରେ ଦର୍ଶନଶାସ୍ତ୍ର ସମ୍ମାନରେ ଏଥିରୁ କିଛି ମୁଁ ପଢିଛି। ଲେଖକ ପ୍ରଫେସର କନ୍ଦର୍ପସୁନ୍ଦର ପ୍ରଧାନ। ଅହୋ ଭାଗ୍ୟ, ପ୍ରଫେସର କନ୍ଦର୍ପସୁନ୍ଦର ପ୍ରଧାନରୁ ଏବେ କୁନ୍ଦୁରୀ ପଧାନ। ଏତେ ବଡ ଲୋକ, ପୁଣି ଏମିତି ଦୀନହୀନ ଅବସ୍ଥାରେ ପରିବା ବିକ୍ରି କରୁଥିବା ଜାଣି ଭାରି ଆଚମ୍ବିତ ଲାଗୁଥିଲା। ଛୋଟ ପିଲାମାନଙ୍କର ପରିଶ୍ରମ ଲବ୍ଧ ଅର୍ଥରୁ କାଣିଚାଏ ବି ଖର୍ଚ୍ଚ କରିବା ପାଇଁ ପ୍ରଫେସରଙ୍କ ଆତ୍ମା ଅନୁମତି ଦିଏନାହିଁ। ସେଥିପାଇଁ ପଛେ କଞ୍ଜୁସ ମକ୍ଷିଚୁସ୍ ବୋଲି ଉପାଧି ମିଳୁ, ଲୋକ ଯାହା କହିବାର କୁହନ୍ତୁ। ସେ ଅପମାନର ଗରଳ ଏଇ ଛୁଆମାନଙ୍କ ପାଇଁ ସେ ପିଇବା ପାଇଁ ପ୍ରସ୍ତୁତ। ଏବେ ମୁଁ ଜାଣିପାରୁଥିଲି କୁନ୍ଦୁରୀ ମଉସା ଓରଫ ପ୍ରଫେସର କନ୍ଦର୍ପସୁନ୍ଦର ପ୍ରଧାନ କାହିଁକି ପରିବା ବିକ୍ରି କଲାବେଳେ ଦାମ୍ କମ୍ କରନ୍ତି ନାହିଁ। ମନ ଆଉ ଆତ୍ମା ପ୍ରଫେସରଙ୍କ ପ୍ରତି ସମ୍ମାନରେ ଗଦଗଦ ହେଇଯାଇଥିଲା। ମୁଣ୍ଡ ଆପେଆପେ ନଇଁ ଯାଉଥିଲା ଏତେ ବଡ ବ୍ୟକ୍ତିତ୍ୱ ଆଗରେ। 


Rate this content
Log in

Similar oriya story from Abstract