ବଡ ଘର
ବଡ ଘର
ମନରେ ଭାରି ଗୋଟେ ଆନନ୍ଦ ଥିଲା। ହେଉ ପଛେ ପରିଣତ ବୟସ, ତଥାପି ଶେଷରେ ରାଜଧାନୀକୁ ବଦଳି ହେଲା। ନିଜର ସ୍ୱାଭିମାନ, ସଚ୍ଚୋଟତା ଆଉ ସ୍ପଷ୍ଟବାଦିତା ପାଇଁ ଚାକିରୀର ପ୍ରାରମ୍ଭିକ ପର୍ଯ୍ୟାୟରେ ସେଇ ଯେ ଉପାନ୍ତ ଜଙ୍ଗଲିଆ ଅଞ୍ଚଳକୁ ବଦଳି ହୋଇଥିଲା ତା'ପରେ ଏଇ ବଦଳି। ଦୀର୍ଘ କୋଡିଏ ବର୍ଷ ସେ ଜାଗାରେ କାଟିଦେଲି। ସେଠାକାର ପାଣିପବନ ଗଛଲତା ଆଉ ସର୍ବୋପରି ସରଳ ନିଷ୍କପଟ ଗରିବ ଲୋକଙ୍କ ଅନାବିଳ ଶ୍ରଦ୍ଧା ସେଠୁ ଆସିବା ପାଇଁ ବାଧା ଦେଉଥିଲା। କିନ୍ତୁ ଘରଣୀ ନଛୋଡବନ୍ଧା, ଏକା ଜିଦ, ରାଜଧାନୀକୁ ବଦଳି ହେଇଛି। 'ଏ ସୁଯୋଗ ହାତଛଡା କରିବାର ନୁହେଁ। ସାମଲ ବାବୁ ପଚିଶ ହଜାର ଟଙ୍କା ଲାଞ୍ଚ ଦେଇ ଭୁବନେଶ୍ୱରକୁ ତାଙ୍କର ବଦଳି କରେଇନେଲେ। ତମେ ତୁମର ସେଇ ସଚ୍ଚୋଟପଣିଆକୁ ଜାବୁଡି ଧରି ଏଇ ଅପନ୍ତରାରେ ନିଜେ ରହିବ ଆଉ ଆମକୁ ହନ୍ତସନ୍ତ କରିବ।'
ସବୁ ଅନିଚ୍ଛା ସତ୍ତ୍ୱେ ଭୁବନେଶ୍ୱର ଯାଇ ସେଠାରେ କାର୍ଯ୍ୟରେ ଯୋଗ ଦେବାପାଇଁ ମନସ୍ଥ କରି ସନ୍ଧ୍ୟାରେ ବସ ଧରିଲି। ଦୀର୍ଘ ବାରଘଣ୍ଟାର କ୍ଳାନ୍ତିକର ଯାତ୍ରା ପରେ ରାଜଧାନୀରେ ପାଦ ଥାପିଲି। ଆଗରୁ ସାମଲବାବୁଙ୍କୁ କହି ରଖିଥିଲି। ବସରୁ ଓହ୍ଲାଇ ସୁଲଭ ଶୌଚାଳୟରେ ପ୍ରାତଃକର୍ମ ସାରି ଅଟୋରେ ଅଫିସରେ ପହଞ୍ଚି ଦେଖିଲି ଖାଲି ନିରାପତ୍ତା ରକ୍ଷୀ ବିଗତ ରାତିର କ୍ଳାନ୍ତି ମେଣ୍ଟାଇବା ପାଇଁ ଗରମାଗରମ ଚାହାର ସୁଡୁକା ମାରି ନିଜକୁ ତାଜା କରୁଛି। ସକାଳ ନ'ଟା ହେଲାଣି, ତଥାପି ପିଅନ ଆଉ ସଫେଇ କର୍ମଚାରୀ ଏ ପର୍ଯ୍ୟନ୍ତ ଆସିନାହାନ୍ତି। ଜୀବନସାରା ସମୟାନୁବର୍ତ୍ତୀ ରହିଥିବା ମୋତେ ଏଭଳି ସମୟ ପ୍ରତି ଅସଚେତନତା ଦେଖି ଆଚମ୍ବିତ ଲାଗିଲା, ସେ ପୁଣି ରାଜଧାନୀର ମୁଖ୍ୟ କାର୍ଯ୍ୟାଳୟରେ। ଏଠି ସବୁ ସର୍ବୋଚ୍ଚ କର୍ମକର୍ତ୍ତାମାନେ ଥିବା ସତ୍ତ୍ୱେ ଏପରି ଅବ୍ୟବସ୍ଥା ଦେଖି ମୁଁ ସହ୍ୟ କରିପାରୁନଥିଲି। ତଥାପି ମୁଁ ନାଚାର। ଅଗତ୍ୟା ଅଫିସର ମୁଖ୍ୟ ଦ୍ୱାର ଖୋଲିବା ପର୍ଯ୍ୟନ୍ତ ଅପେକ୍ଷା କରିବା ଛଡା ଆଉ ମୋ ପାଖରେ ଅନ୍ୟ ଉପାୟ ନଥିଲା। ହାତରେ ଯଥେଷ୍ଟ ସମୟ ଅଛି। ସାମଲବାବୁଙ୍କୁ ଫୋନ ଲଗେଇଲି। ଆଗରୁ ମୋର ସହକର୍ମୀ ଆଉ ପଡୋଶୀ ଥିବା ହେତୁ ମୁଁ ତାଙ୍କ ସହ ଆତ୍ମୀୟତାର ଅଧିକାର ନେଇ କଥା ହୁଏ। ବେଶ୍ କିଛି ଥର ଚେଷ୍ଟା ପରେ ବାବୁଙ୍କ ସହ ଯୋଗାଯୋଗ ସମ୍ଭବ ହେଲା। ପ୍ରାରମ୍ଭିକ ସମ୍ବୋଧନ ପରେ ମୁଁ ଅଫିସ ମୁଖ୍ୟ ଫାଟକ ସାମନା ଚା'ଦୋକାନରେ ବସିଛ ବୋଲି ଜଣାଇବା ପରେ ସେପଟରୁ ଯାହା ଶୁଣିଲି ମୋତେ ହତବାକ୍ କରିଦେଲା। 'ଆରେ, ତୁମେ ଏତେ ସକାଳୁ ଆସି ହାଜର ହେଇଗଲଣି! ମୁଁ ତ ଏବେ ଉଠିଲି। ଏମିତି ତ ଅଫିସ ଟାଇମ ଦଶଟା, କିନ୍ତୁ ସମସ୍ତେ ଆସୁଆସୁ ଏଗାରଟା ହେଇଯାଏ। ହେଉ, ତୁମେ ଆସିଲଣି ଯେତେବେଳେ ମୁଁ ଟିକେ ଶୀଘ୍ର ପହଞ୍ଚୁଛି। ଏଇ ସାଢେ ଦଶଟା ହବ।' ମୁଁ ସାମଲବାବୁଙ୍କଠୁ ସବୁ ଦୃଷ୍ଟିରୁ ବରିଷ୍ଠ। ସେଥିପାଇଁ କାଲି ପର୍ଯ୍ୟନ୍ତ ମୋତେ 'ଆପଣ' ବୋଲି ସମ୍ବୋଧନ କରୁଥିବା ଲୋକଟା ଆଜି 'ତୁମେ' ସମ୍ବୋଧନ କରୁଛି। ରାଜଧାନୀ ହାୱା ଲାଗିଯାଇଛି ବୋଧେ।
ବଡ ବିରକ୍ତିକର ଏଇ ଅପେକ୍ଷା କରିବା। ସାମଲବାବୁଙ୍କର ସାଢେ ଦଶଟା ସମୟଟା ସେଇ ଏଗାରଟା ବେଳେ ହୁଏ ବୋଲି ସେଦିନ ଜାଣିଲି। ଅବଶ୍ୟ ସେତେବେଳକୁ ସଫେଇ କର୍ମଚାରୀ ଆସି ଝାଡୁଝପଟା ସାରି ଦେଇଥିଲେ। ପିଅନ ପାଣି ଗ୍ଲାସେ ମଧ୍ୟ ଦେଇଥିଲେ। ପ୍ରାୟ ଏଗାରଟା ବେଳକୁ ସାମଲବାବୁ ପହଞ୍ଚିଲେ। ଜଏନିଂର ସମସ୍ତ ଔପଚାରିକତା ସେତେବେଳକୁ ମୁଁ ସାରିଦେଇଥିଲି। ସାମଲବାବୁ ସମସ୍ତଙ୍କ ସହ ପ୍ରାରମ୍ଭିକ ପରିଚୟ ପର୍ବ ସାରିବା ପରେ ଆମେ ଦୁଇଜଣ ବାହାରି ଗଲୁ ଘର ଦେଖିବା ପାଇଁ। ଆଗରୁ ବଦଳି ଆଦେଶ ପାଇବା ପରେ ଭଲ ଘରଟିଏ ଯୋଗାଡ କରିବା ପାଇଁ ମୁଁ ତାଙ୍କୁ କହିଥିଲି ଓ ସେଇ ଅନୁସାରେ ସେ ଗୋଟେ ଦୁଇ ବେଡରୁମବାଲା ଘରଟିଏ କଥାବାର୍ତ୍ତା କରି ରଖିଥିଲେ।
ଘରବାଲା ବଡ ଅମାୟିକ ଲୋକ। ଦୁଇ ମହଲା ଘରର ତଳ ମହଲାରେ ଘର ମାଲିକ ରୁହନ୍ତି। ଉପର ମହଲା ଭଡାରେ ଦେବେ। ଘରଭଡା ମାତ୍ର ପାଞ୍ଚ ହଜାର ଟଙ୍କା। ଯଦିଓ ଭୁବନେଶ୍ୱର ଭଳି ଜାଗାରେ ଦୁଇ ବେଡରୁମବାଲା ଘର ପାଇଁ ପାଞ୍ଚ ହଜାର ଟଙ୍କା ବେଶି ନୁହେଁ, ତଥାପି ବେସରକାରୀ କମ୍ପାନୀ ଚାକିରିର ସୀମିତ ଦରମା ପାଇଁ ବେଶ ଅଧିକ। କିନ୍ତୁ ମୋର ବିଶେଷ ଚିନ୍ତା ନଥିଲା। କାରଣ କମ୍ପାନୀ ଚାକିରିରେ ମୋର ବରିଷ୍ଠତା ଦୃଷ୍ଟିରୁ ମୁଁ ଦରମାର ଦଶ ଶତାଂଶ ଘରଭଡା ପାଇବା ପାଇଁ ଯୋଗ୍ୟ। ଘରମାଲିକ ଜଣେ ବୟସ୍କ ଲୋକ। ପୁଅ ବିଦେଶରେ ଆଉ ଏଠି ବୁଢାବୁଢୀ ଦୁଇଜଣ। ଘରଭଡାରେ କୌଣସି ଆବଶ୍ୟକତା ନାହିଁ, କିନ୍ତୁ ସାହଚର୍ଯ୍ୟ ପାଇଁ ଜଣେ ଭଲଲୋକ ଭଡାଟିଆ ଭାବରେ ଖୋଜୁଥିଲେ। ଭଦ୍ରବ୍ୟକ୍ତିଙ୍କ ସହ କଥାବାର୍ତ୍ତା ହେଲାପରେ ଜାଣିଲି ଖୁବ୍ ମେଳାପୀ। ସରକାରୀ ପଦସ୍ଥ ଅଫିସର ଥିଲେ। ଖୁବ ଆଦରରେ ଘର ଦେଖେଇ ଦେଲେ। କଟକ ଭୁବନେଶ୍ୱର ଭଳି ଜାଗାରେ ଘରମାଲିକଙ୍କ ସମ୍ପର୍କରେ ଯାହା ସବୁ ଶୁଣିଥିଲି ସବୁ ମିଛ ବୋଲି ମନେହେଲା। ମୋଟ ଉପରେ ଘର ପସନ୍ଦ ହେଲା। ଅଫିସକୁ ବେଶି ଦୂର ନୁହେଁ, ମଟରସାଇକେଲରେ ପାଞ୍ଚରୁ ସାତ ମିନିଟ ଆଉ ଚାଲିକି ଗଲେ କୋଡିଏ ମିନିଟ ଲାଗିବ। ସାମଲବାବୁଙ୍କୁ ଅଶେଷ ଧନ୍ୟବାଦ ଦେଲି। ଘରଟିର ଅବସ୍ଥିତି, ଘରର ଭେକ ଆଉ ସର୍ବୋପରି ପିତୃତୁଲ୍ୟ ସ୍ନେହୀ ଘରମାଲିକ ପାଇ ମନଟା ଗଦଗଦ ହେଇଯାଇଥିଲା। ଆଗୁଆ ଦୁଇ ମାସର ଭଡା ଦେଇ ଅଫିସରେ ଛୁଟି ଦରଖାସ୍ତ ଦେଇଦେଲି।
ଚାରି ଦିନ ପରେ ସମସ୍ତ ଜିନିଷପତ୍ର ଧରି ସସ୍ତ୍ରୀକ ଆସି ହାଜର ହେଇଗଲି। ଯଥାରୀତି ଗୃହପ୍ରବେଶ ସରିଲା। ଗୋଟେ ଛୋଟମୋଟ ପ୍ରସାଦ ସେବନର ବ୍ୟବସ୍ଥା ସରୁସରୁ ରାତି ଦଶଟା। ରାତି ନ'ଟା ହେଉହେଉ ଆମର ଖିଆପିଆ ସରିଯାଏ। ପାଖ ଗାଁରେ ତ ଆହୁରି ଚଞ୍ଚଳ ରାତିଟା ମାଡିଆସେ, ବେଳ ବୁଡୁ ନବୁଡୁ ସାରା ଗାଁଟା ଶାନ୍ତିରେ ଶୋଇପଡେ ଆସନ୍ତା ଦିନର କ୍ଳାନ୍ତିକର ପରିଶ୍ରମ ପାଇଁ ଶକ୍ତି ସଞ୍ଚୟ କରିବାକୁ। କିନ୍ତୁ ଏଠି ତ ନ'ଟା ବେଳକୁ ସହରଟା ଆହୁରି ଅଧିକ ଚଳଚଞ୍ଚଳ ହୋଇଉଠୁଛି। ଗାଡି ଚଳାଚଳ, ପେଁ ପାଁ ଶବ୍ଦ, ସବୁକିଛି ବଢିଯାଏ। ଏଠି ପଣିପାଗର ମଧ୍ୟ ଠିକଣା ନଥା
ଏ। ଫେବୃଆରୀ ଅଧା ନହେଉଣୁ ଶୀତ ଫୁର୍। ଶୀତତାପ ନିୟନ୍ତ୍ରକ ଚଲେଇବା ଆବଶ୍ୟକ ହେଇ ପଡୁଛି। ପ୍ରଥମ ରାତିରେ ତ କ୍ଳାନ୍ତି ଯୋଗୁଁ ନିଦ ହେଇଗଲା। କିନ୍ତୁ ତା ପର ଦିନଠୁଁ ସବୁପ୍ରକାର ବିସଙ୍ଗତି ଆରମ୍ଭ ହେଇଗଲା। ଏଠି ଦିନ ନାହିଁ କି ରାତି ନାହିଁ, ସବୁବେଳେ କୁଆ କା' କା' ଶୁଭୁଛି। ସାମନା ବିଜୁଳି ତାରରେ ତାଙ୍କର ଗୋଟେ ମେଳା। ସତେ ଯେମିତି ଆନ୍ତର୍ଜାତୀୟ ରାଜନୀତି ଉପରେ ବୈଠକ ଚାଲିଛି। ଇଏ ତ ଗଲା କୁଆଙ୍କ କଥା, ଏ ପାରାଗୁଡା ବି କମ୍ ନୁହନ୍ତି। ସ୍କାଇଲାଇଟ ଖୋପରେ ନାନାଦି କାଠିକୁଟା ଆଣି ବସା ବାନ୍ଧିବେ। ଦିନରାତି ଘୁଟୁରୁ ଘୁଁ ହେଇ ଶାନ୍ତି ଭଙ୍ଗ କରିବେ। ସେଥିରେ ପୁଣି ତାଙ୍କର ଝାଡା କରି ବାରଣ୍ଡା ସାରା ଅସନା କରିବେ। ସଫା କରିକରି ସ୍ତ୍ରୀର ଅଣ୍ଟା ଦରଜ ହେଇଗଲାଣି।
କାଲି ଆମେ ସ୍ୱାମୀ ସ୍ତ୍ରୀ ଦୁଇଜଣ ସକାଳେ ଚାହା ପିଉପିଉ ଜଣେ କାମବାଲୀ ରଖିବା କଥା ଉଠିଲା। ସତରେ ମୁଁ ଦେଖୁଛି, ପଚାଶ ବର୍ଷର ଏ ବୁଢୀ ମଣିଷଟା କେତେ ହନ୍ତସନ୍ତ ହେଉଛି। ଏବେ ପୁଣି ସେଇ ସାମଲବାବୁ ଭରସା। ଦୁଇଦିନ ପରେ ସାମଲବାବୁ ଜଣେ ସ୍ତ୍ରୀଲୋକକୁ ପଠେଇଲେ। କଥାବାର୍ତ୍ତା ଛିଡିଲା। ମାସକୁ ତିନି ହଜାର। ସପ୍ତାହରେ ଦିନେ ଛୁଟି। ଏଠି ଏଇଆ ଚାଲିଛି। ଆଗରୁ ପୁରୁଣା ଜାଗାରେ ମୁନ୍ନାମା ଆସି ଘରର ସବୁ କାମ କରି ଦେଉଥିଲା। ମାସକୁ ମାତ୍ର ତିନି ଶହ ନିଏ। ଛୁଟି ନାହିଁ, ବର୍ଷର ଆଠକାଳି ବାରମାସୀ ସବୁଦିନ ଆସେ। ଏଠି ଏକାବେଳକେ ଦଶଗୁଣା, ବେସରକାରୀ ଚାକିରିଆକୁ ଭାରି ବାଧେ। କିନ୍ତୁ ଆମେ ଦୁଇଜଣ ଲୋକ, ପେଟ ଦୁଇଟା। ତେଣୁ ସାହସ କରି କହିଦେଲି କାଲିଠାରୁ ଆସିବା ପାଇଁ। ଯଦି ପିଲାଛୁଆଙ୍କ ଦାୟିତ୍ୱ ଥାଆନ୍ତା, ତେବେ ବୋଧହୁଏ ଏତେ ଟଙ୍କା ଦେଇ କାମବାଲୀକୁ ରଖି ପାରିନଥାନ୍ତି। ମୁଖ୍ୟ ସମସ୍ୟା ହେଲା ଏତେ ବଡ ଘର। ବଡ ବଡ ଦୁଇଟା ବେଡରୁମ, ହଲ୍ ଆଉ ବାରଣ୍ଡା। ଏତେ ଜାଗା ଝାଡୁଝପଟା କରି ପୋଛାପୋଛି କରିବା ସତରେ ଜଣେ ବୟସ୍କା ସ୍ତ୍ରୀଲୋକ ପାଇଁ କାଠିକର ପାଠ। ଏବେ ମୁଁ ଅନୁଭବ କରୁଥିଲି ଯୌଥ ପରିବାରର ମହତ୍ତ୍ଵ।
ଦିନସାରା ମୁଁ ଅଫିସରେ ଆଉ ବୁଢୀଟା ଘରେ ଏକୁଟିଆ। ମୁଁ ତ ଅଫିସରେ ସମସ୍ତଙ୍କ ସହ ମିଶି କଥାବାର୍ତ୍ତା ହେଇପାରୁଛି, କିନ୍ତୁ ସିଏ ଘରେ ମୁହଁରେ ତୁଣ୍ଡି ଦେଇ ବସୁଛି। ଆଗରୁ ସେ ପୁରୁଣା ଜାଗାରେ ଘରୁ ପଦାକୁ ବାହାରିଲେ ମଣିଷ ମୁହଁ ଦେଖାଯାଉଥିଲା। ମଣିଷ ପାଞ୍ଚପଦ କଥା ହେଇପାରୁଥିଲା। କିନ୍ତୁ ଏଠି ଉପର ମହଲା ଲୋକ ତଳ ମହଲା ଲୋକଙ୍କୁ ଜାଣନ୍ତିନି। ଏଇ ଏକାକୀପଣିଆ ମଣିଷକୁ ମନସ୍ତାତ୍ତ୍ୱିକ ଦୃଷ୍ଟିରୁ ଭାରି ଦୁର୍ବଳ କରିଦିଏ। ନଥିବା ରୋଗଗୁଡା କୁଆଡୁ ଆସି ମାଡିବସେ। ସପ୍ତାହରେ ଗୋଟିଏ ଦିନ ଛୁଟି। ସେଇଦିନ ଯାହା ଆମେ ଏକାଠି ସମୟ କଟେଇବାର ଅବସର ଥାଏ। କିନ୍ତୁ ସେଦିନ ବି ସପ୍ତାହଯାକର କାମ। ଅଣ୍ଟା ସମସ୍ୟା ଯୋଗୁଁ ଅଧିକ ସମୟ ଠିଆ ହୋଇ କପଡା ସଫା କରିବା ସ୍ତ୍ରୀଙ୍କ ପକ୍ଷରେ ସମ୍ଭବ ନୁହେଁ। ସେଥିପାଇଁ ସେ କାମଟି ମୁଁ କରେ। ପୁଣି ପନିପରିବା, ସଉଦା ଆଣିବା ଇତ୍ୟାଦି କାମ ଅଛି। ଏ ସବୁ ସାରିଲା ବେଳକୁ ମଧ୍ୟାହ୍ନ ଭୋଜନ ଆଉ କିଛି ସମୟର ବିଶ୍ରାମ। ତା'ପରେ ତ ସଞ୍ଜ। ଏଇଟା ହିଁ ଆମ ଦୁଇଜଣଙ୍କ ପାଖରେ ସମୟ। ମଟରସାଇକେଲରେ ବସିବା ଚିକିତ୍ସକଙ୍କ ମତରେ ଅଣ୍ଟା ସମସ୍ୟା ପାଇଁ କ୍ଷତିକାରକ। ପାଖ ବଜାର ଆଡେ ଚାଲିଚାଲି ବୁଲିବା ଛଡା ଉପାୟ ନାହିଁ।
ବଦଳି, ଘରୁ ଅଫିସକୁ ଯିବା ଆସିବା, ସ୍ତ୍ରୀର ଦିନତମାମ ଏକାକୀପଣିଆ, ଆର୍ଥିକ ଅବସ୍ଥା ଆଦି ସବୁ ସମସ୍ୟା ବର୍ତ୍ତମାନ ମୋ ପାଖରେ ଗୌଣ ହେଇ ଯାଇଥିଲା। ଏ ସବୁକୁ ଆମେ ଦୁଇଜଣ ଆପଣେଇ ନେଇ ସାରିଥିଲୁ। ଏଗୁଡିକ ସହିତ ଜୀବନ କାଟିବା ପାଇଁ ଆମେ ଏକରକମ ବାଧ୍ୟ, ତେଣୁ ମୁଁ ଏସବୁକୁ ପ୍ରାଧାନ୍ୟ ଦେଉନଥିଲି। ମୁଖ୍ୟ ସମସ୍ୟା ଏତେ ବଡ ଘର। ଏତେ ବଡ ଘରଟାରେ ମାତ୍ର ଦୁଇଜଣ ଲୋକ, ଘରଟା ଖାଇ ଗୋଡାଉଥିଲା। ମୁଁ ଆଶ୍ଚର୍ଯ୍ୟ ହେଉଥିଲି, ଘରମାଲିକ ବୁଢାବୁଢୀ ଦୁଇଜଣ କେମିତି ରହୁଛନ୍ତି। ସାମଲବାବୁଙ୍କୁ ଆଉ ଗୋଟେ ଛୋଟିଆ ଘର ବୁଝିବା ପାଇଁ କେତେଥର କହିଲିଣି। ସେଇ ଗୋଟିଏ ଉତ୍ତର, 'ଘର ମିଳୁନି।' କେତେଥର କହିବା ପରେ ମୁଁ ଅନୁଭବ କରୁଥିଲି, ସାମଲବାବୁ ବୋଧେ ଗୁରୁତ୍ୱ ଦେଉନାହାନ୍ତି। କଥାଟାକୁ ଖାମଖିଆଲ ଭାବେ ନେଉଛନ୍ତି। ଏଇ ବଡ ଘର ପାଇଁ ସବୁ ସମସ୍ୟାର ସୃଷ୍ଟି। ଗୋଟେ ଅବସାଦଗ୍ରସ୍ତ ମନ ନେଇ ବିରକ୍ତ ହୋଇ ଶେଷରେ ସ୍ଥିର କରନେଲି ଯେ ପୁଣି ମୋର ପୂର୍ବ ସ୍ଥାନକୁ ବଦଳି କରାଇନେବି।
ମନକଥା ଦିନେ ସ୍ତ୍ରୀକୁ କହିଲି। ମ୍ୟାନେଜର ମିଷ୍ଟର କର୍ମକାର ଜଣେ ଭଲ ମଣିଷ। ଅଧସ୍ତନ କର୍ମଚାରୀମାନଙ୍କ ସୁଖଦୁଃଖ ବୁଝନ୍ତି। ତା'ଛଡା ମୋର ସମୟାନୁବର୍ତ୍ତୀତା ଆଉ କର୍ମ ନିପୁଣତା ଯୋଗୁଁ ମୁଁ ତାଙ୍କ ସୁଦୃଷ୍ଟିରେ ଥାଏ। ସାଙ୍ଗେ ସାଙ୍ଗେ ସିଏ ରାଜି ହେଇଗଲା। ସତେ ଯେମିତି ମୁଁ ତା ମନକଥା କହିଦେଲି। 'ଠିକ କଥା କହିଲ। ଯଦି ଏଇଟା ହେଇପାରିବ, ତେବେ ଶୀଘ୍ର କର। ଏଠି ମୋର ଶ୍ୱାସରୁଦ୍ଧ ହେଇ ଯାଉଛି।' ମୁଁ କହିଲି, 'ତୁମେ ତ ରାଜଧାନୀକୁ ବଦଳି ପାଇଁ ମୋତେ ପ୍ରରୋଚିତ କରୁଥିଲ। ତୁମରି କଥାରେ ମୁଁ ଏଠିକି ବଦଳି ହୋଇ ଆସିଲି। ତୁମେ ତ ଘର ଦେଖି ପସନ୍ଦ କରିଥିଲ। ଏବେ ପୁଣି କ'ଣ ହେଲା।' ସବୁ ବୁଝି ମୁଁ ଅବୁଝା ପରି ପଚାରିଲି। 'ଏଠି ମନ ମରିଗଲା। ଏଠି ଦିନରେ ସୂର୍ଯ୍ୟ କି ରାତିରେ ଜହ୍ନ ତାରା ଦେଖିବା ପାଇଁ ନାହିଁ। ସବୁଆଡେ ଖାଲି ବିଜୁଳି ଆଲୁଅ। ସେଠି କେତେ ଭଲ ଥିଲା। କେତେଜାତି ଫୁଲ ଆଉ ତା'ର ବଢିଆ ବାସ୍ନା, କାହିଁ ଏଠି କୋରେଇ ଫୁଲର ମହକ, ଆତୁଣ୍ଡି ଫୁଲର ଗନ୍ଧ, ପହରିକିଆ ବିଲୁଆର ଡାକ। ପ୍ରକୃତିର ଅନେକ ଜିନିଷ ଏଠି କୃତ୍ରିମତାର ଜଙ୍ଗଲରେ ହଜିଗଲାଣି। କଂକ୍ରିଟ ଜଙ୍ଗଲରେ ସେ ସବୁ ଚାପି ହେଇଗଲାଣି। ଏ ମଣିଷ ପ୍ରକୃତି ବି ଏଠି ଜଟିଳ। କାହାରି ମୁହଁରେ ନିଚ୍ଛକ ଆତ୍ମୀୟତାର ଭାବ ନାହିଁ। ସେଠି ତ କେତେ ଭଲ ଥିଲା।' ବାସ୍, ଦିଲ୍ଲୀ କା ଲଡ୍ଡୁ, ଯୋ ଖାୟା ପସ୍ତାୟା, ଯୋ ନେହିଁ ଖାୟା, ୱୋ ଭି ପସ୍ତାୟା। ତା ପରଦିନ ବଦଳି ପାଇଁ ଦରଖାସ୍ତ ଦେଇ ଅପେକ୍ଷା କଲି।