STORYMIRROR

Banabihari Mishra

Others

3.8  

Banabihari Mishra

Others

ଉମାଖୁଡୀ

ଉମାଖୁଡୀ

3 mins
147


ତାଙ୍କ ମୁହଁଟା କେମିତି କେଜାଣି ମୋତେ ଭାରି ଆପଣାର ଆପଣାର ଲାଗୁଥିଲା। ଗୋଟେ ଆକର୍ଷଣ ଥିଲା ତାଙ୍କ ଆଖିରେ, ମୋହିତ କଲାଭଳି ମନଖୋଲା ହସ। ଟାଣି ହେଇଗଲି ତାଙ୍କ ପାଖକୁ। ତାଙ୍କର ପରିଚୟ ମୋ ପାଖରେ ସମ୍ପୂର୍ଣ୍ଣ ଅଜଣା। ଗୋଟେ ସିମେଣ୍ଟ ଚଉତରାରେ ବସି ଫୁଲ ବିକ୍ରି କରୁଥିଲେ। ଠାକୁରଙ୍କ ଦର୍ଶନ ପାଇଁ ଯିବାର ଥିଲା, ସେଥିପାଇଁ ଫୁଲ କିଣିବା ପାଇଁ ତାଙ୍କ ପାଖକୁ ଗଲି। ତାଆରି ଭିତରେ ଅଳ୍ପ କେଇପଦ କଥା। କିନ୍ତୁ ସେଇ ଆତ୍ମୀୟତାରେ ପରିପୂର୍ଣ୍ଣ ତାଙ୍କର କେଇପଦ କଥା ମୋତେ ବାଧ୍ୟ କଲା ତାଙ୍କ ପାଖରେ ବସିଯିବା ପାଇଁ। ପରିଚୟ ସେ ପର୍ଯ୍ୟନ୍ତ ଅଜଣା, ତଥାପି ପାଖରେ ବସିଥିବା ସମୟରେ ମୋ ମୁଣ୍ଡକୁ ଆଉଁସିଦେବା, ମୋ ମୁହଁକୁ କାନିରେ ପୋଛିଦେବା ମୋତେ ନେଇ ଯାଉଥିଲା ଅନେକ ଦିନ ପଛକୁ। ମନେପଡି ଯାଉଥିଲା ଉମାଖୁଡୀଙ୍କ କଥା।


ମାନସପଟରେ ଖେଳିଯାଉଥିଲା ଗାଁର ଦୃଶ୍ୟ। ସାପଭଳି ବଙ୍କାଟଙ୍କା ହେଇ କୋଉ ଦୂର ଜାଗାରୁ ବାହାରି ଗାଁ ଭିତରେ ପଶି ଗାଁର ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ଗାଁଟାକୁ ଦି'ଭାଗରେ ଚିରି ସେପଟେ ବାହାରି ପୁଣି ଆଖିର ଅପହଞ୍ଚ ଦୂରକୁ ଲମ୍ବି ଯାଇଥିଲା। ସେଇ ମାଟି ରାସ୍ତା ଥିଲା ଗାଁର ଜୀବନରେଖା। ନିଇତି ସେ ରାସ୍ତାରେ ସକାଳୁ ବିନୁମାଷ୍ଟ୍ରେ ପୁରୁଣା ସାଇକେଲଟାକୁ କେଁ କେଁ କରି କନ୍ଦେଇ କନ୍ଦେଇ କୋଉ ଗୋଟେ ଦୂର ଗାଁର ସ୍କୁଲକୁ ଯାଆନ୍ତି। ଚାଷ ଉପରେ ନିର୍ଭରଶୀଳ ଗାଁର ମାଟି ରାସ୍ତାଟି ସକାଳେ ସଞ୍ଜେ ଗୋରୁମାନଙ୍କର ଖୋଜମାଡରେ ଖଣ୍ଡିଆ ହୁଏ। ସେଇ ମାଟି ରାସ୍ତାରେ ନିଇତି ମୁଁ ସ୍କୁଲ ଯାଏ। ସ୍କୁଲ ଯିବା ବେଳେ ମାଆ ଏମିତି ଦେହମୁଣ୍ଡରେ ତେଲ ଲଗେଇ ଦେଇଥାଏ ଯେ ସ୍କୁଲରୁ ଫେରିବା ବେଳକୁ ଆଣ୍ଠୁ ପର୍ଯ୍ୟନ୍ତ ଗୋଟେ ବହଳିଆ ଧୂଳିର ଆସ୍ତରଣ ପଡିଯାଏ। ଏ ସବୁ ଭିତରେ ଉମାଖୁଡୀ ମୋ ଜୀବନରେ ଜଣେ ନିଆରା ଚରିତ୍ର। କାରଣ ମୋ ଆଲୁରିବାଲୁରି ମାଆ ମୋତେ ଯେମିତି ଅସଜଡା କରି ବାହାରକୁ ଛାଡେ, ମୁଁ ଘରୁ ବାହାରି ଉମାଖୁଡୀଙ୍କ ଘର ଆଗରେ ଗଲାବେଳେ ମୋତେ ଟାଣି ନେଇ ଦେହର ଅଧିକା ତେଲ ପୋଛି, ପାଉଡର ଲଗେଇ ସଜାଡି ଦେଇ ଛାଡନ୍ତି। ତାଙ୍କର ଏ ଅହେତୁକ ସ୍ନେହ କେବଳ ଯେ ମୋରି ପାଇଁ ସୁରକ୍ଷିତ ଥିଲା ଆଉ ମୋର ସେ ସ୍ନେହ ମମତା ଉପରେ ଏକଚାଟିଆ ଅଧିକାର ଥିଲା, ତା ନୁହେଁ। ସବୁ ଛୁଆଙ୍କର ସିଏ ଉମାଖୁଡୀ। ସାହିର ସବୁ ଛୁଆଙ୍କୁ ଖୁବ୍ ସ୍ନେହ କରନ୍ତି।


ଉମାଖୁଡୀ ବିଧବା। ପଡିଶା ଘର, ସେଥିପାଇଁ ଦିନର ଅଧିକାଂଶ ସମୟ ଆମଘରେ ଥାଆନ୍ତି। ମଦନ ଦାଦା ମିଲିଟାରୀରେ ସୁବେଦାର ଥିଲେ। କାରଗିଲ ଯୁଦ୍ଧରେ ମଦନ ଦାଦା ଶହୀଦ ହେବା ପରେ ଉମାଖୁଡୀ ଏକୁଟିଆ। ମିଳିଥିବା ଟଙ୍କା ବ୍ୟାଙ୍କରେ ରଖି ସେଥିରୁ ମିଳୁଥିବା ସୁଧ ଆଉ ମାସକୁ ମାସ ମିଳୁଥିବା ପେନସନ ଜଣେ ମଣିଷ ଚଳିବା ପାଇଁ ପର୍ଯ୍ୟାପ୍ତ ହୁଏ। ସେଇଥିରୁ ବି ଗରିଗୁରୁବାଙ୍କୁ ସାହାଯ୍ୟ କରିବା ପାଇଁ କେତେବେଳେ ପଛାଉନଥିଲେ। କେହି ତାଙ୍କ ଦୁଆରକୁ ଆସିଛି ଆଉ ଖାଲି ହାତରେ ଫେରି ଯାଇଛି, ଏ କଥାର ନଜିର ନାହିଁ।


ୟା ଭିତରେ ବେଶ କିଛି ବର୍ଷ ବିତି ଯାଇଛି। ଗାଁରେ ହାଇସ୍କୁଲ ନଥିବାରୁ ମୁଁ ମାମୁଁ

ଘରେ ରହି ସେଇଠି ପଢିଲି। ସେଇଠୁ କଲେଜ ଆଉ ତା'ପରେ ଭାରତୀୟ ସେନାରେ ଯୋଗ ଦେଲି। ଏମିତି ନୁହେଁ ଯେ ପାଠପଢା ଭିତରେ ମୁଁ ଗାଁକୁ ଆସିନି, କିନ୍ତୁ ସେ ଆସିବାଟା ଆସିବା ଭଳି ନଥିଲା। ସକାଳୁ ଆସି ସଞ୍ଜରେ ଯିବା, ଆଉ ସେଇ ଅଳ୍ପ ସମୟରେ ସାଙ୍ଗସାଥୀଙ୍କ ସହ ବୁଲାବୁଲି କରିବା ପରେ ଖୁବ୍ ଅଳ୍ପ ସମୟ ବଞ୍ଚୁଥିଲା ଆପଣାର ଲୋକଙ୍କ ପାଇଁ। ଖାଲି ଉମାଖୁଡୀଙ୍କ ଦୁଆର ଡେଇଁ ତରବରିଆ ଭାବରେ ମୁଣ୍ଡିଆଟେ ପକେଇ ଦଉଡି ପଳାଏ। ଖୁଡୀ ପଛରୁ ଡାକ ପକାନ୍ତି। ଯାହା ଭଲମନ୍ଦ ଥାଏ, ଘରେ ମାଆକୁ ଦେଇ ମୋତେ ଖାଇବା ପାଇଁ ଦେବାକୁ କୁହନ୍ତି। ବେଳେବେଳେ ଉମାଖୁଡୀ ଦେଇଯାଇଥିବା ଜିନିଷ ଖାଇବାକୁ ସୁଯୋଗ ମିଳେ, ଆଉ କେବେ କେବେ ମିଳେନି। ମାମୁଁ ମୋ ପାଠପଢା ଉପରେ ବହୁତ ଗୁରୁତ୍ୱ ଦେଉଥିଲେ। ତାଙ୍କର ସେଇ ପ୍ରୋତ୍ସାହନ ମୋର ପାଠପଢା ପ୍ରତି ଆଗ୍ରହ ବଢ଼ିବାରେ ସାହାଯ୍ୟ କରୁଥିଲା। ସେଇ ଦାୟିତ୍ୱବୋଧ ପାଇଁ ମୁଁ ଅନେକ ସମୟରେ ଖୁଡୀ ପଠେଇଥିବା ଜିନିଷକୁ ନଖାଇ ଚାଲିଯାଏ। ଗ୍ରାଜୁଏସନ୍ ପରେ ସଂଯୁକ୍ତ ରକ୍ଷା ସେବା (ସି.ଡି.ଏସ୍) ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଭାରତୀୟ ସେନାରେ ଯୋଗ ଦେଲି।


ମୋର ସେନାରେ ଯୋଗଦେବା ଖବରଟା ଶୁଣି ଖୁଡୀ ଖୁସି ହେଇଥିବେ ନିଶ୍ଚୟ। କିନ୍ତୁ ତାଙ୍କର ସେ ଖୁସିଟା ଦେଖିବା ପାଇଁ ମୁଁ ଆସିପାରି ନଥିଲି। ଅବଶ୍ୟ ମୋବାଇଲ ଯୋଗେ ଗାଁର ସବୁ ଖବର ପାଉଥିଲି। ସେଦିନ ଗାଁର ଜଣେ ସାଙ୍ଗକୁ ଫୋନ କରିଥିଲି। ସେ ଯାହା ଖବର ଦେଲା ଶୁଣି ମୁଁ ଆଶ୍ଚର୍ଯ୍ୟ ହେଇଗଲି। ଉମାଖୁଡୀ ତାଙ୍କର ସବୁ ସମ୍ପତ୍ତି ବୃଦ୍ଧାଶ୍ରମକୁ ଦାନ କରି ତୀର୍ଥ କରିବା ପାଇଁ ଯାଇ ଆଉ ଫେରିନାହାନ୍ତି। ମନଟା ସେଇଦିନଠୁ ବିଚଳିତ ଥିଲା। ଯଦିଓ ଉମାଖୁଡୀ ମୋର ରକ୍ତ ସମ୍ପର୍କୀୟ ନଥିଲେ, ତଥାପି ତାଙ୍କର ଅନାବିଳ ସ୍ନେହ ମୁଁ ଭୁଲିପାରି ନଥିଲି। ଆଜି ଏଇ ଆଉଁସି ଦେବା, ପଣତକାନିରେ ମୋ ମୁହଁକୁ ପୋଛିଦେବା, ସବୁ ଉମାଖୁଡୀଙ୍କ ହାତର ସ୍ପର୍ଶ ଭଳି ଲାଗୁଥିଲା। ଠିକ୍ ସେଇମିତି ସ୍ନେହବୋଳା କଥା, ସେଇମିତି ମମତାଭରା ସ୍ପର୍ଶ। ଅନାୟାସରେ ମୁହଁରୁ ବାହାରିଗଲା, 'ଖୁଡୀ'।


ବାର୍ଦ୍ଧକ୍ୟର କଷାଘାତରେ ନିଃଷ୍ପ୍ରଭ ହେଇଯାଇଥିବା ଆଖି ଦୁଇଟା ଚମକରେ ଭରିଗଲା। ମୋତେ କୋଳକୁ ଟାଣିନେଲେ। ସେଇ ଚଉତରା ଉପରେ ସାରା ଦୁନିଆକୁ ବେଖାତିର କରି ସ୍ଵତଃ ମୋ ମୁଣ୍ଡକୁ ତାଙ୍କ କୋଳରେ ରଖି ମର୍ମେ ମର୍ମେ ଅନୁଭବ କରୁଥିଲି ସେଇ ସ୍ନେହକୁ।


'ଶେଷରେ ତୁ ମୋତେ ଚିହ୍ନିଦେଲୁ ନା! ସାରା ଦୁନିଆର ମୋହମାୟାକୁ ପଛରେ ପକେଇ ଏଇ କାଳିଆ ପାଖକୁ ଆସିଥିଲି। ହେଲେ ତୋରି ମାୟାକୁ ଛିଣ୍ଡେଇ ପାରିନଥିଲି। ତୁ ସବୁବେଳେ ମନେପଡୁ। ଆଶା ନଥିଲା ତତେ ଆଉଥରେ ଦେଖିବି ବୋଲି। ଯାହାହେଉ, କାଳିଆ ମୋ ମନକଥା ଶୁଣିଲା।' 


ଏଥର ଯିବାର ସମୟ। ବିଦାୟ ନେବାର ସମୟ। ଟ୍ରେନ ଟାଇମ ହେଇଗଲାଣି। ଖୁଡୀଙ୍କୁ ଜୁହାର କଲି। ଆଖିରେ ଆଖିଏ ଲୁହ, ଅନ୍ତରରେ ଅଜସ୍ର ଆଶୀର୍ବଚନ। 'ଠିଆ ହେଲୁ ଧନ, ତୋ ଫୌଜି ଠାଣିରେ ମୁଁ ତତେ ଗୋଟେ ସାଲ୍ୟୁଟ ମାରେ'। ଖୁଡୀ ସାଲ୍ୟୁଟ ମାରିଲା ବେଳେ ମୁଁ ଫଟୋ ଉଠେଇଲି।



Rate this content
Log in