ପୁନରାବୃତ୍ତି
ପୁନରାବୃତ୍ତି
ସୁଲଗ୍ନା ବାଲକୋନୀରେ ବସି ବସି ଅତୀତର ରୋମନ୍ଥନ କରୁଥିଲା। ବୟସର ଅପରାହ୍ନରେ ପାଦଦେଇ ଝାପ୍ସିଆ ଝାପ୍ସିଆ ଦେଖାଯାଉଥିବା ଅତୀତଟାକୁ ନିରେଖି ଦେଖିବାର ପ୍ରୟାସ କରୁଥିଲା। ଆଜିର ଦିନରେ ତିରିଶ ବର୍ଷ ତଳେ ଏ ଘରକୁ ସିଏ ବୋହୂ ହେଇ ଆସିଥିଲା। ୟା ଭିତରେ ଅନେକ ଫଗୁଣ ଆସିଛି ଆଉ ଆଣି ଦେଇଛି ଅସୁମାରୀ ପୁଲକ। ସେଇ ପୁଲକିତ ମୂହୁର୍ତ୍ତଗୁଡିକୁ ଭରସା କରି ସୁଲଗ୍ନା ଅଗଣିତ ଗ୍ରୀଷ୍ମକୁ ସାହସର ସହିତ ଛାତି ପତେଇ ଦେଇଛି।
ସୁଲଗ୍ନା ମନେପକାଉଥିଲା କଲେଜରୁ ପଦାର୍ଥ ବିଜ୍ଞାନ ସମ୍ମାନରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଇ ଆଗକୁ ସ୍ନାତକୋତ୍ତର କରିବାର ସ୍ବପ୍ନ ଦେଖୁଥିବା ସମୟରେ ବାପା ତା'ର ବାହାଘର ଠିକ୍ କରିଦେଇଥିଲେ ସୁରେଶଙ୍କ ସହ। ମାଆ ବୁଝୋଉଥିଲା, ସାଙ୍ଗମାନେ କହୁଥିଲେ, ସମ୍ପନ୍ନ ପରିବାର, ଉଚ୍ଚଶିକ୍ଷିତ ସ୍ବାମୀ, ମୋଟା ଅଙ୍କର ଦରମା, ଆଉ କ'ଣ ଦରକାର ଯେ। ନିଜର ଇଚ୍ଛାଟାକୁ ମୋଡିମକଚି ସୁଲଗ୍ନା ବାହାଘର ପାଇଁ ମନଟାକୁ ମନେଇନେଲା।
ସୁରୁଖୁରୁରେ ବାହାଘର ସରିଗଲା। ସହୃଦୟ ସ୍ବାମୀ, ସ୍ନେହୀ ଶାଶୁ ଆଉ ଶଶୁରଙ୍କ ଗହଣରେ ଖୁବ୍ ଆନନ୍ଦରେ ଦି'ଟା ବର୍ଷ କଟିଗଲା। ତା ଭିତରେ ପୂର୍ଣ୍ଣିମାର ଜନ୍ମ। ଶଶୁରଙ୍କର ଯୌତୁକ ବାବଦରେ କୌଣସି ଦାବି ନଥିଲା। ତଥାପି ତା ବାପା ସବୁକିଛି ଦେଇଥିଲେ। ତା ଭିତରେ ଥିଲା ଦୁଇ ଝୁଡି ଆମ୍ବ। ସୁଲଗ୍ନା ନିଜେ ତାଙ୍କ ବାଡିରେ ଲଗେଇଥିବା ଗଛର ଆମ୍ବ। ସୁଲଗ୍ନା ଜାଣିନଥିଲା ତା ଶାଶୁ ଆମ୍ବକୁ ଏତେ ଭଲପାଆନ୍ତି। ସେଇ ବାହାଘର ଭାରରେ ଆସିଥିବା ଆମ୍ବ ଖାଇବା ପରେ ଶାଶୁ କହୁଥିଲେ, 'ବୋହୂ, ଭାରି ସୁଆଦିଆ ଆମ୍ବ। ଏଇ ଆମ୍ବ ଖାଇକି ବୋଧେ ସମୁଦୁଣୀ ପାଚିଲା ଆମ୍ବ ପରି ହେଇଛନ୍ତି। ତୋ ମାଆଙ୍କୁ କହିବୁ, ସବୁ ଆମ୍ବ ଏକୁଟିଆ ଖାଇବେନି। ଏଠି ବି ଗୋଟେ ଆମ୍ବ ରଙ୍କୁଣୀ ଚାହିଁ ବସିଛି।' ବାସ୍, ତା'ପର ବର୍ଷଠୁ ଆମ୍ବ ସମୟରେ ସୁଲଗ୍ନାର ବାପଘରୁ ଆମ୍ବ ଆସେ। ଶାଶୁ ଆମ୍ବର ଖୁବ୍ ପ୍ରଶଂସା କରନ୍ତି। ସୁଲଗ୍ନାର ମନଟା ଖୁସିରେ ଗଦଗଦ ହେଇଯାଏ।
ଦିନେ ସୁଲଗ୍ନା ଦେଖିଲା ଶାଶୁ ଘରର ଅଗଣାରେ କ'ଣ ଗୋଟେ କରୁଛନ୍ତି। ପାଖକୁ ଯାଇ ଦେଖିଲା, ଛୋଟିଆ ଆମ୍ବ ଗଛଟେ ନିଜ ହାତରେ ଲଗାଉଛନ୍ତି। 'ବୁଝିଲୁ ମା, ଏଇଟା ତମରି ଆମ୍ବ ଗଛର ଟାକୁଆ। ମୁଁ ମଲାପରେ ଏଇ ଗଛଟାକୁ ଦେଖି ମତେ ମନେ ପକେଇବୁ।' ସତକୁ ସତ ଗଛଟିକୁ ଭାରି ଯତ୍ନ ନିଅନ୍ତି। ପାଣି ଦବା, ସାବି ମାଆକୁ କହି ତା ମୂଳରେ ଖତସାର ଦବା ସବୁ ଶାଶୁ ନିଜ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କରନ୍ତି। ସତରେ ଗଛ କେବେବି କାହାର ଋଣ ରଖେନା। କୋଉବାଟରେ ହେଲେ ସୁଝିଦିଏ। ଏ ମଣିଷ ସିନା କୃତଘ୍ନ ହୁଏ, ଉପକାର ଭୁଲିଯାଏ। କିନ୍ତୁ ଗଛ ସେକଥା କରିପାରେନି। ତିନି ବର୍ଷ ବେଳକୁ ସେ ଗଛରେ ବଉଳ ଧରିଲା। ଫଳ ହେଲା। ପହିଲି ବର୍ଷ ତିନି ଚାରୋଟି ଆମ୍ବ ଫଳିଥିଲା। ଖୁବ୍ ଶ୍ରଦ୍ଧାର ସହ ଶାଶୁ ଠାକୁରଙ୍କ ପାଖରେ ଭୋଗ ଲଗେଇ ଘରେ ସମସ୍ତଙ୍କୁ ନିଜ ହାତରେ ଖୁଏଇ ଦେଇଥିଲେ। ସେଇ ସମାନ ସୁଆଦ, ସେଇ ବାସ୍ନା, ସେଇ ରଙ୍ଗ। ସୁଲଗ୍ନାର ମନେ ପଡିଯାଏ ତାଙ୍କ ଘର ଗଛଟା କଥା। ସେ ବିରାଟ ଗଛର ଡାଳରେ ରଜକୁ ବାପା ଦୋଳି ଟଣେଇ ଦିଅନ୍ତି। ଛାଇରେ ଘରଟା ଭିତରେ ବି ଖରାଦିନେ ହେମାଳ ଲାଗେ। ଗଛଟାକୁ ବାପା ଭାରି ଶ୍ରଦ୍ଧା କରନ୍ତି। ଏଠି ଶାଶୁ ବି ସେଇମିତି। ଗଛଟା ପ୍ରତି ତାଙ୍କର ସ୍ନେହ ଅବିକଳ ଛୋଟ ଛୁଆ ପରି। ଖରାଦିନେ ଘର ଭିତରର ଏୟାର କଣ୍ଡିସନରର ଥଣ୍ଡା ପବନ ଛାଡି ସେଇ ଗଛମୂଳେ ଚେୟାର ପକେଇ ବସନ୍ତି। ସୁଲଗ୍ନା କୁହେ, 'ମା,
ସେ ଗଛଟା ତ ବଡ ହେଇଗଲାଣି। ତା'ର ଆଉ ଏତେ ଯତ୍ନ ନବା କ'ଣ ଦରକାର?' ଶାଶୁ ବୁଝେଇ କୁହନ୍ତି, 'ଆରେ ମା, ଯେତେ ବଡ ହେଲେ ବି ମୁଁ ନିଜ ହାତରେ ଲଗେଇଛି ପା। ମୋ ଆଗରେ ତ ସିଏ ମୋ ଛୁଆ ପରି।'
ସମୟ କାହାରି ମୁହଁକୁ ନଚାହିଁ ଆଗକୁ ମାଡିଚାଲିଛି। ୟା ଭିତରେ ସୁଲଗ୍ନାର ଶାଶୁ, ଶଶୁର, ବାପା ଆଉ ମାଆ ସେପାରିକୁ ଚାଲିଗଲେଣି। ସୁଲଗ୍ନାର ବାପଘରୁ ଆମ୍ବ ଆସିବା ବନ୍ଦ ହେଇଗଲାଣି। ଏମିତି ନୁହେଁ ଯେ ସେମାନେ ଚାଲିଗଲା ପରେ ଆମ୍ବ ଆସିବା ବନ୍ଦ ହେଇଛି। ବାତ୍ୟାରେ ବୁଢା ଆମ୍ବ ଗଛଟା ଉପୁଡି ପଡିଲା। ଆଉ କ୍ରମବର୍ଦ୍ଧିଷ୍ଣୁ ପରିବାର ପାଇଁ ଘରର ଆବଶ୍ୟକତା ଦେଖି ସୁଲଗ୍ନାର ଭାଇ ଆମ୍ବଗଛ ଥିବା ଯାଗାରେ ଘର ତିଆରି କରିଛି। ସୁରେଶ ମଧ୍ୟ କହୁଥିଲା ଆମ୍ବଗଛଟା କଟେଇ ସେଠି ଦି'ଟା ରୁମ୍ କରିଦେବାକୁ। କିନ୍ତୁ ସୁଲଗ୍ନା ତା କରେଇ ଦେଇନି। 'ମାଆ ଏତେ ଯତ୍ନରେ ଲଗେଇଥିବା ଗଛକୁ କେମିତି କାଟିବ? ବରଂ ଏଇ ଘରଟାକୁ ଦୁଇ ମହଲା କରିଦେବା। ସେ ଗଛଟା ସେମିତି ଥାଉ। ସେଇଟାକୁ ଦେଖିଲେ ମାଆଙ୍କ ଉପସ୍ଥିତି ଅନୁଭବ କରି ହେଉଛି।' ଏକଥା କହିଲା ବେଳେ ସୁଲଗ୍ନା ଆଖିରୁ ଦି'ଟୋପା ଲୁହ ଗଡିଆସେ। ସୁରେଶ କୁହେ, 'ଆରେ ଏଥିରେ ଏତେ ସେଣ୍ଟିମେଣ୍ଟାଲ ହେଉଛ କାହିଁକି? ହଉ ହେଲା, ଆମ୍ବଗଛ କଟାଯିବନି। ଏଥର ଖୁସି ତ?'
ସୁଲଗ୍ନା ମନେ ପକାଏ, ତା ବାପା ସିନା ତା ପାଇଁ ଆମ୍ବ ଗଛର ଡାଳରେ ଦୋଳି ବାନ୍ଧି ଦିଅନ୍ତି। କିନ୍ତୁ ପୂର୍ଣ୍ଣିମା ପାଇଁ ଏଠି ଆମ୍ବ ଗଛରେ ଦୋଳି ବନ୍ଧା ହୁଏନି। ସୁଲଗ୍ନାର ଡର, କାଳେ ସେଥିରୁ ଡାଳ ଭାଙ୍ଗିଯିବ। ମଡକା ଆମ୍ବଡାଳ କ'ଣ ଦୋଳି ସମ୍ଭାଳି ପାରିବ? ଘରକାମ ସାରି ସୁଲଗ୍ନା ତା ଶାଶୁଙ୍କ ପରି ଚେୟାର ଖଣ୍ଡେ ପକେଇ ସେଇ ଆମ୍ବଗଛ ମୂଳରେ ବସେ। ଡାଳ ଭାଙ୍ଗିଗଲେ ଆଉ କ'ଣ ଛାଇ ହେବ? ତା'ଛଡା ତା ଶାଶୁ ତାକୁ କାନେ କାନେ କହିଛନ୍ତି, 'ଏ ଆମ୍ବଗଛର ଯତ୍ନ ନେବୁଲୋ ମା। ୟାକୁ ମୁଁ ବୋଲି ଜାଣିବୁ।' ସୁରେଶ ଚୁପ୍ ହେଇଯାଆନ୍ତି। ଘରର ଡିଜାଇନ ବଦଳେ କେବଳ ସେଇ ଆମ୍ବ ଗଛଟି ପାଇଁ।
ଏବେ ଆମ୍ବ ଗଛଟା ଢେର ବଡ ହେଇଗଲାଣି। ଛୋଟ ଛୋଟ ଡାଳସବୁ ବାହିରେ ପରିବର୍ତ୍ତିତ ହେଇଗଲାଣି। ଦୋଳି ବାନ୍ଧିବା ପାଇଁ ଉପଯୁକ୍ତ ହେଲେ ମଧ୍ୟ ଦୋଳି ବନ୍ଧା ହେଉନି। ଦୋଳିରେ ବସି ଝୁଲିବାକୁ କେହି ନାହିଁ। ଝିଅ ପୂର୍ଣ୍ଣିମାର ବାହାଘର ଦି'ବର୍ଷ ହେଲା ସରିଯାଇଛି। ସୁଲଗ୍ନା ଝିଅ ଘରକୁ ସବୁବର୍ଷ ଆମ୍ବ ପଠାଏ। କାଲି ରାତିରେ ସୁଲଗ୍ନାର ସମୁଦୁଣୀ ଫୋନ କରି ଖବର ଦେଲେ ଯେ ପୂର୍ଣ୍ଣିମାର ଝିଅଟିଏ ହେଇଛି। ଏମିତି କଥାରେ କଥାରେ ପୂର୍ଣ୍ଣିମାର ଶାଶୁ କହୁଥିଲେ, 'ସମୁଦୁଣୀ, ତୁମ ଗଛ ଆମ୍ବ ଭାରି ସୁଆଦ। ରଙ୍ଗ ଆଉ ବାସ୍ନା ବି ଖୁବ୍ ବଢିଆ। ଭଲ ଭଲ ଟାକୁଆ କେତେଟା ଚାରା ପକେଇଛି। ହେଲେ ସିଏ ଗଛ ହେଇ ଫଳିବା ପର୍ଯ୍ୟନ୍ତ ଆମ୍ବ ସମୟରେ ପୁଞ୍ଜେ ଦି'ପୁଞ୍ଜା ପଠୋଉଥିବ।'
ସୁଲଗ୍ନା ଭାବୁଥିଲା, ପୁଣି ତା ବାହାଘର ସମୟର କଥା ପୁନରାବୃତ୍ତି ହେଉନି ତ? ପୁଣି ବାତ୍ୟାରେ ତା ସ୍ନେହପାଳିତ ଆମ୍ବ ଗଛଟା ଉପୁଡି ପଡିବନି ତ? ଆଉ ସେଇ ଯାଗାରେ କଂକ୍ରିଟର ନିଅଁ ପଡିବନି ତ? ସମୟର ଚକଟା ଘୁରି ଯାଇ ଅତୀତଟା ପୁଣି ଯେମିତି ଫେରିଆସିଛି। ସୁଲଗ୍ନାର ମନରେ ସମୁଦୁଣୀ ଉପରେ ଖୁବ୍ ରାଗ ଆସୁଥିଲା। ସତେ ଯେମିତି ସମୁଦୁଣୀ ତା ବାପଘରୁ ଆରମ୍ଭ ହେଇଥିବା ଆମ୍ବ ଟାକୁଆର ପୁନରାବୃତ୍ତି ପାଇଁ ଦାୟୀ। ମନେ ମନେ କହୁଥିଲା 'ତତେ ମରଣ ହୋଉନି, ମୋରି ଆମ୍ବ ଟାକୁଆ ଲଗେଇ ମରୁଛୁ। ତତେ ଆଉ ଆମ୍ବଗଛ ମିଳିଲାନି।'