Banabihari Mishra

Others

3.4  

Banabihari Mishra

Others

କାହ୍ନା

କାହ୍ନା

4 mins
164


ସିଏ ତାକୁ ଭାରି ସୁଖ ପାଉଥିଲା। ମଣିଷ ନ ହେଲେ ବି ସିଏ ତା ସୁଖଦୁଃଖର ସାଥୀଟିଏ ପରି। ସତେ ଯେମିତି ଉଭୟ ଉଭୟଙ୍କ ପାଇଁ। ଦେଢ ଦେଢଫୁଟର ଦୁଇଟା ଶିଙ୍ଗ, ମୋଟା ମୋଟା ଆଉ ଗୋଜିଆ। ମାରିଦେଲେ ଅନ୍ତବୁଜୁଳା ବାହାରି ପଡିବ। ଲାଞ୍ଜ ଅଗଠୁ ନାକ ଅଗଯାଏ ଧୋବ ଫରଫର। ମୁଣ୍ଡେ ଉଚ୍ଚା, ଆଉ ଝୁଲି ଝୁଲି ଚାଲିଗଲା ବେଳେ ଭାରି ସୁନ୍ଦର ଦିଶେ। ସିଏ ତାକୁ ଶରଧାରେ ମନୁଆ ବୋଲି ଡାକେ। 'ମନୁଆ, ଏ ମନୁଆ' ବୋଲି ତା ଡାକ ଶୁଣିଲେ ଯୋଉଠି ଥିଲେ ବି ସିଏ ଧପାଳି ଆସେ। ତା ବୋଲ ମାନେ। ତା ପିଠିକୁ ହାତ ପାଏନି। ତା ଗୋଡ, ପେଟ, ମୁଣ୍ଡ, ମୁହଁ ଆଉ ଲୁଗାକୁ ଆଉଁସି ଦେଲାବେଳେ ଅତି ଆରାମ ଲାଗେ କି କ'ଣ, ପାରା ଅଣ୍ଡା ଉଷୁମେଇଲା ବେଳେ ଯେମିତି ଡୋଳା ନେଉଟେଇ ଶାନ୍ତ ଭାବରେ ରହେ, ସେଇମିତି ସିଏ ଆଖିକୁ ଅର୍ଦ୍ଧ ନିମିଳିତ କରି ଠିଆ ହୋଇ ରହେ। ସମସ୍ତେ ତାକୁ ଡରନ୍ତି, ସିଏ କିନ୍ତୁ ନିଡର ହେଇ ତା ପେଟତଳେ ଗଳିଯାଏ। ସାଙ୍ଗମାନଙ୍କ ସହ ଯେତେବେଳେ ଖେଳୁଥାଏ, ତାକୁ ପ୍ରତିପକ୍ଷ ଖେଳାଳି ଗୋଡାଉଥିଲା ବେଳେ ସିଏ ମନୁଆ ପାଖରେ ଠିଆ ହେଇଯାଏ। ସିଏ ତା'ର ଅଭୟ ଆଶ୍ରୟ। ତା ପାଖରେ ଥିଲେ ଆଉ କାହାକୁ ତା'ର ଡର ନଥାଏ। 


ଚାରି ବର୍ଷର ଛୁଆଟା। ଏତେ ବଡ ଷଣ୍ଢଟା ପାଖକୁ ଯାଉଛି। ପଶୁଜନ୍ତୁ, ତା'ର କ'ଣ ଜ୍ଞାନ ଅଛି। କେତେବେଳେ ଶିଙ୍ଗ ହଲେଇ ଦବ ତ ଏଡ଼େ ବକଟେ ଛୁଆର କ'ଣ ହବ। ଏଇଆ ଭାବି ମାଆ ତାକୁ ସବୁବେଳେ ବାରଣ କରନ୍ତି। କିନ୍ତୁ ସିଏ କୋଉ ମାନିବା ଛୁଆ। ଯେତେବେଳେ ଦେଖ, ମନୁଆ ପାଖରେ ଠିଆ। ମନୁଆ ଶୋଇଥିଲା ବେଳେ ତା ଉପରେ ହାଙ୍କୁଡକୁ ଧରି ଶୋଇଯାଏ। ମନୁଆଟା ବି ଏମିତି ଅଭ୍ୟସ୍ତ ହେଇଗଲାଣି ଯେ ସିଏ ପିଠିରୁ ନ ଓହ୍ଲେଇବାଯାଏ ଉଠିବନି। ମନୁଆ ଆସିଲେ ସିଏ ଦଉଡି ଯାଇ ରୁଟି, ପିଠା, ଗତ ରାତିର ବାସିଭାତ, ପନିପରିବା ଚୋପା, ଯାହା ମିଳେ ସବୁ ଆଣି ତା ଆଗରେ ଗଦେଇ ଦିଏ। ତାକୁ ହାତରେ ଖୁଏଇ ଦିଏ। ତା ଦେହରୁ ଟିଙ୍କ ବାଛିଦିଏ। ମନୁଆକୁ ଭାରି ସୁଖ ଲାଗେ କି କ'ଣ, ସିଏ ଲାଞ୍ଜ ବି ହଲାଏନି। ଛୁଆଟା ଦେହରେ ବାଜିବ ପରା।


ସିଏ ଅଙ୍ଗନବାଡି ଯାଏ। ଦିଦି ତାକୁ ବାରମ୍ବାର ମନା କରୁଥିଲେ ବି କୋଉ ଖଞ୍ଜରେ ସିଏ ପଳେଇ ଆସି ମନୁଆ ସାଙ୍ଗରେ ଖେଳେ। ତା'ର ଏଇ ଗୋ-ଜାତିକୁ ଏଭଳି ଭଲପାଇବାର ଦେଖି ତାକୁ ସମସ୍ତେ କାହ୍ନା ଡାକିବାକୁ ଆରମ୍ଭ କଲେଣି। ତା'ର ପିତୃଦତ୍ତ ମୁନ୍ନା ନାଁଟା କୁଆଡେ ହଜିଗଲାଣି। ସିଏ ବି କୌଣସି ଆପତ୍ତି କରେନି। ତାକୁ ଯୋଉ ନାଁରେ ଡାକିଲେ ବି ସିଏ ଶୁଣେ। ବେଳାରେ ଖାଇସାରିବା ପରେ ଜେଜେ ତାକୁ ଗପ କୁହନ୍ତି। ସେଇ କାହ୍ନା କଥା। ଗୋପରେ ଗୋପାଳ କାହ୍ନାର ଗାଈଗୋରୁଙ୍କ ପ୍ରତି ସ୍ନେହ କଥା ସବୁ ଶୁଣି ତା'ର ମନ ଖୁସିରେ ନାଚିଉଠେ। ଜେଜେଙ୍କ ପାଖରେ ଅଳି କରେ, 'ଆଉଥରେ କୁହ ନା ଜେଜେ।'


ଥରେ ଜଣେ କେଉଟ ଗୋଟେ ବଡ ବାଳିଆ ମାଛ ଆଣିଥିଲା। ଜେଜେ ରଖିଲେ। ନଈ ମାଛଟା, ବରଫ ଖଣ୍ଡ ପରି ତୋଫା ଧଳା। କାହ୍ନାର ମାଆ ମାଛକୁ ବଛାବୁଛି କରି କାଟୁଥାଆନ୍ତି। କାହ୍ନା କୋଉଠି ଥିଲା କେଜାଣି, ଦଉଡି ଆସିଲା। ଖପ୍ କରି ମାଛ ଖଣ୍ଡେ ଟେକି ନେଇଗଲା। ଡାକ ପକେଇ ପକେଇ ଧାଇଁ ପଳେଇଲା। 'ମନୁଆ, ଏ ମନୁଆ' ଡାକ ଶୁଣି ଝୁଲି ଝୁଲି ଷଣ୍ଢଟା କାହ୍ନା ପାଖରେ ପହଞ୍ଚଗଲା। ମାଛ ଖଣ୍ଡିକ ମନୁଆ ଆଡକୁ ବଢେଇ ଦେଲା। ଥରେ ମାତ୍ର ଶୁଙ୍ଘି ମନୁଆ ମୁହଁ ଫେରେଇ ନେଲା। ସିଏ ଆଶ୍ଚର୍ଯ୍ୟ, ଜେଜେ ତ କହୁଥିଲେ, ମଣିଷ ଯାହା ଖାଇବ, ଗାଈଗୋରୁ ମଧ୍ୟ ତାହା ଖାଇବେ। ଆମେ ତ ମାଛ ଖାଉ, ଏ ମନୁଆ କାହିଁକି ଖାଉନି। ମୁହଁ ଫେରେଇ ନେଉଛି। ପଛରୁ ଜେଜେ ଡାକ ପକେଇଲେ, 'ମୁନ୍ନା, ସିଏ ପରା ଗୋରୁଜାତି। ସାକ୍ଷାତ ଭଗବାନ ବଳଭଦ୍ର। ଠାକୁର କ'ଣ ଆଇଁଷ ଖାଆନ୍ତି ଯେ ସିଏ ଖାଇବ।' ବାସ୍, ସେଇଦିନଠୁ ମୁନ୍ନା ଆଉ ଆଇଁଷ ଖାଇଲାନି। ଯେତେ ପ୍ରକାର କହିଲେ ବି ମୁନ୍ନା ବୁଝେନି, ମନୁଆ ଆଇଁଷ ଖାଇବନି ମାନେ ସିଏ ବି ଖାଇବନି। ଘରେ ସମସ୍ତଙ୍କର ଚିନ୍ତା, ଏଡେ ବକଟେ ଛୁଆ, ଆଇଁଷ ଛାଡି ବାବାଜି ହବ ନା କ'ଣ! ମାଛମାଂସ ଭଳି ପୁଷ୍ଟିକର ଖାଦ୍ୟ ନ ଖାଇଲେ ମଣିଷ କ'ଣ ହବ?


ସେଦିନ ରବିବାର। ବେଳବୁଡ ସମୟ। ପିଲାସବୁ ଗାଁ ଦାଣ୍ଡରେ ଖେଳୁଥାଆନ୍ତି। ମୁନ୍ନା ବି ଖେଳୁଥାଏ ସେମାନଙ୍କ ସାଥିରେ। ଦି ପାଖରେ ଉଚ୍ଚା ଉଚ୍ଚା ପିଣ୍ଡା, ମଝିରେ ଅଣଓସାରିଆ ବାଟ। ଚାଷବନ୍ଦୀ ମଫସଲ ଗାଁ। ସମସ୍ତଙ୍କର ଗୋସମ୍ପଦ ହିଁ ମୁଖ୍ୟ ସମ୍ପତ୍ତି। ଗଉଡ ସକାଳୁ ଗୋଠ କରି ଚରେଇବା ପାଇଁ ନେଇଯାଏ ଆଉ ସଞ୍ଜରେ ଫେରେଇ ଆଣେ। ସେତେବେଳେ ଘରମୁହାଁ ଗୋରୁମାନେ ନିଜ ନିଜର ରାତ୍ରି ଆଶ୍ରୟ ପାଇଁ ଅଥବା ସକାଳ ପହରୁ ନିଜ ଛୁଆକୁ ଛାଡି ଯାଇଥିବାରୁ ବ୍ୟାକୁଳତା ହେତୁ ଏକରକମ ଧାଆଁ ଧଉଡ କରି ଆସନ୍ତି। ସେଥିପାଇଁ ଗାଈ ଆସିବା ସମୟ ହେଲେ ସମସ୍ତେ ନିଜ ନିଜର ଛୁଆପିଲାଙ୍କୁ ଘରକୁ ନେଇ ଯାଆନ୍ତି। ମୁନ୍ନାର ମାଆ ତାକୁ ଡାକଟେ ପକେଇ କିଛି କାମରେ ବ୍ୟସ୍ତ ହେଇଗଲା। ମୁନ୍ନା ବଡ ହୁସିଆର ପିଲା, ଗାଈ ଆସିଲେ ବାରଣ୍ଡାରେ ଚଢିଯିବ। କିନ୍ତୁ ସବୁବେଳେ ସମାନ ଯାଏନି। ସେଦିନ ମୁନ୍ନା ସେ ଗାଈପଲ ମଝିରେ ପଡିଗଲା। ସେଦିନ ଗଉଡ ପିଲା ପଛ ଗାଈଙ୍କୁ ଦି'ପାହାର ପକେଇଛି ବୋଧେ, ସେଥିପାଇଁ ପୁରା ପଲଟାଯାକ ବିକଳରେ ଦୌଡୁଥିଲେ।


ମୁନ୍ନା ସାରା ଗାଁରେ ସମସ୍ତଙ୍କର ପ୍ରିୟ। ତାର ବାଳସୁଲଭ ଚପଳାମୀ, ଡଉଲଡାଉଲ ଚେହେରା ଆଉ ସମସ୍ତଙ୍କ ସହ ମିଶି ଯିବା ସମସ୍ତଙ୍କୁ ଭଲଲାଗେ। ମୁନ୍ନା ଗାଈପଲ ମଝିରେ ପଡିଯାଇଛି। ସମସ୍ତେ ହାଁ ହାଁ କରୁଛନ୍ତି। ଏତିକିବେଳେ ମନୁଆ କୋଉଠି ଥିଲା, ମାଡି ଆସିଲା। ଗୋରୁପଲ ଭିତରେ ଧସେଇ ପଶିଗଲା। ତା'ର ବିରାଟ ବପୁ, ବଡବଡ ଶିଙ୍ଗ ଆଉ ଭୟଙ୍କର ହୁଣ୍ଟାରରେ ଦାଣ୍ଡ କମ୍ପିଗଲା। ପଲଟାଯାକ ଗୋରୁ ଦି'ଭାଗ ହେଇଯାଇଥିଲେ। ପୁରା ପଲଟାଯାକ ଗୋରୁ ଯାଇସାରିବା ପରେ ଉଡୁଥିବା ଧୂଳି ବସି ଯାଇଥିଲା। ସମସ୍ତେ ଦେଖିଲେ, ମନୁଆ ତା ଆଗ ଦୁଇଗୋଡ ମଝିରେ ମୁନ୍ନାକୁ ଆଗୁଳି ରଖିଛି। ଯେ ପର୍ଯ୍ୟନ୍ତ ମୁନ୍ନାର ମାଆ ଆସି ତାକୁ ନେଇ ନଯାଇଛି, ସେ ପର୍ଯ୍ୟନ୍ତ ମନୁଆ ସେଇମିତି ମୁନ୍ନାକୁ ଆଗୁଳି ଠିଆ ହେଇଥାଏ। ସତେ ଯେମିତି ବଡଭାଇ ସାନଭାଇକୁ ରକ୍ଷା କରୁଛି।



Rate this content
Log in