Banabihari Mishra

Others

4.2  

Banabihari Mishra

Others

ଜୀଅନ୍ତା ଜଗା

ଜୀଅନ୍ତା ଜଗା

4 mins
551


ସପନି ଦଶବର୍ଷ ହେଲା ପୁରୀ ଯାଇ ଟିକେ କାଳିଆ ଦର୍ଶନ କରିବ ବୋଲି ଯିବ ଯିବ ହେଇ ଯାଇପାରୁନି। ବାର ପାଇଟି ତେର ଧନ୍ଦା । ଗୋଟେ ଧନ୍ଦା ସରିଲାବେଳକୁ ଆଉ ଗୋଟେ ମୁଣ୍ଡ ଟେକେ। କାଳିଆର ଡୋର ଲାଗିନି ଭାବି ମନ ମାରି ରହିଯାଏ ସେ। ହେଲେ ଏଇ କେତେଦିନ ହେଲା ଗେରସ୍ତ ଗଦେଇକୁ ଉଠେଇ ବସେଇ ଦେଉନି। ସେ ଯେମିତି ହେଲେ ଏସନ ପୁରୀ ଯିବ ହିଁ ଯିବ। ଗଦେଇ ମଧ୍ୟ ଭରସା ଦେଇଛି, ତାକୁ ପୁରୀ ନେଇ କାଳିଆ ଦର୍ଶନ ଯେମିତି ହେଲେ କରେଇଦବ। 


ସେଦିନ ଶୁଭ ବେଳା ଦେଖି ଦି'ଜଣ ଯା'କ ସକାଳୁ ସକାଳୁ କାଳିଆ ଦର୍ଶନ ପାଇଁ ବାହାରି ପଡିଲେ। ଅନୁଗୁଳ ପୁରୀ ପାସେଞ୍ଜର ଧରିବାକୁ ହବ ପରା। ଟ୍ରେନରେ ବସିବା ସପନି ପାଇଁ ଥିଲା ଏଇଟି ପ୍ରଥମ। ତା ଖୁସି କହିଲେ ନସରେ। ଟ୍ରେନ ଛୁକ୍ ଛୁକ୍ ହେଇ ଦୌଡୁଥାଏ ଆଉ ସପନିର ମନଟା ବି ସତେ ଯେମିତି ଗୋଟେ କଳ କଳ ନାଦିନୀ ଝରଣା ପାଲଟି ଯାଇଥାଏ । ନଈ, ନାଳ, ପାହାଡ, ପର୍ବତ, ଗଛଲତା, ସବୁଜ ଘାସ ପଡିଆ ସବୁ ଝରକା ଫାଙ୍କରେ ଦେଖୁ ଦେଖୁ ଗଦେଇ ଆଗରେ କେତେ କଣ ଗପି ଯାଉଥାଏ। ଯେମିତି ଜୀବନରେ ଆଜି ପହିଲିଥର ସେ ସବୁ ଦେଖୁଛି । ଗଦେଇ ତା ଖୁସିରେ ଖୁସି ହେଉଥାଏ ।


କେତେବେଳେ ସମୟ ସରିଗଲା, ସପନି ଜାଣି ପାରିଲାନି। ତାର ବହୁ ଦିନର ବହୁ ଇପସିତ ଜଗା ରାଇଜରେ ଟ୍ରେନ ପହଞ୍ଚିଗଲା। ପୁରୀ ରେଳ ଷ୍ଟେସନରେ ପହଞ୍ଚି ଲୋକଙ୍କୁ ପଚାରି ବୁଝି ସେଠାରୁ ଟାଉନ ବସ ଯୋଗେଁ ଦିନ ଶ୍ରୀମନ୍ଦିର ପାଖେ ପହଞ୍ଚି ଗଲେ। ସେତେବେଳକୁ ସୁରୁଜ ମୁଣ୍ଡ ଉପରେ ହେଲେଣି। ସର୍ବପ୍ରଥମେ ଅରୁଣସ୍ତମ୍ଭକୁ ଦେଖି ସପନି ଘଡିଏ କାଳ ଅନେଇ ରହିଲା। ଧୂଳି ମୁଠାଏ ଆଣି କପାଳରେ ମାରି ପକେଇଲା। ଥରକୁଥର ଜୁହାର ହେଇ ଆଖିରୁ ପାଣି ପୋଛି ପକେଇଲା।


ସପନିଟା ଭାରି ସାଦାସିଧା। ଏତେ ଛନ୍ଦ କପଟ ଭିତରେକୁ ସେ ପଶି ପାରେନା। ଯିଏ ଯାହା କହେ ବିଶ୍ୱାସ କରିଯାଏ। ଭାରି ନିର୍ମାୟା ମଣିଷଟିଏ। କେହି କେବେ ତା ଉପରେ ରାଗି ଥିବାର ଦେଖା ଯାଏନି। ନିଜ କାମଧନ୍ଦା ଆଉ ସୁଖଦୁଃଖରେ ସେ ଭଲ।


ବାଇଶି ପାହାଚରେ ମୁଣ୍ଡିଆ ମାରି ମାରି ସପନି ଆଗକୁ ଆଗକୁ ଯାଉଥାଏ। ଗାଁ ମାଇପିଙ୍କ ପାଖରୁ ଶୁଣିଥିଲା, କାଳେ କଳ୍ପବଟ ମୂଳେ ଯାହା ମନାସିବ ତାହା ନିଶ୍ଚେ ପୁରା ହବ। ସପନି କଳ୍ପବଟକୁ ଦେଖି ଧାଇଁ ଯାଇ ତା ମୂଳେ ରହିଯାଇ କଣ ଗୁଡିଏ ଗୁଣୁଗୁଣୁ ହେଇ କହିଗଲା। କାହାକୁ କିଛି ନ ଶୁଭିଲେ ମଧ୍ୟ ଆମ୍ଭେ ଜାଣୁ, ଛୁଆ ବକଟେ ବ୍ଯତୀତ ସପନି ଜୀବନରେ ଅଭାବ ବୋଲି ଆଉ କିଛି ନାହିଁ। ସେଇ କାଳିଆ ସାହା ସପନିକୁ। ତାପରେ ଆଗକୁ ଦଶ ପନ୍ଦର ପାହୁଣ୍ଡ ଯାଇ କାଳିଆ ଦର୍ଶନ ପାଇଁ ତାକୁ ଧାଡିରେ ଠିଆ ହେବାକୁ ପଡିଲା।


ଭିଡ ଯେ ଭିଡ କାହିଁ ରେ କଣ। ସୋରିଷ ବୁଣିଦେଲେ ତଳେ ପଡିବନି। ଖାଲି ହୋ ହୋ ଘୋ ଘୋ ପାଟି ଶୁଭୁଚି। ଭଳିକିଭଳି ଲୋକ ଆଉ ଭଳିକିଭଳି କଥାଭାଷା ସାଙ୍ଗକୁ ଭଳିକିଭଳି ବେଶଭୂଷା। କାହାରି କଥା କାହାକୁ ଶୁଭୁନି । ଠେଲାପେଲା ଭିତରେ ତା ବହୁ ଦିନର ଈପସିତ କାଳିଆ ପାଇଁ ଆଣିଥିବା ଭୋଗ କୁଡୁଆଟିକୁ ଭାରି ଯତ୍ନରେ କାନି ଘୋଡେ଼ଇ ଧରିଛି ସପନି।


ହଠାତ କଣ ହେଲା କେଜାଣି ସପନିକୁ ଆଗକୁ ଯିବାପାଇଁ ପଣ୍ଡା ମାନେ ସଫା ସଫା ମନା କରିଦେଲେ। କଥା କ'ଣ ବୁଝୁବୁଝୁ କିଏ ଜଣେ ବଡବଡିଆ ଆସୁଛନ୍ତି, ତେଣୁ ସାଧାରଣ ଭକ୍ତଙ୍କ ଭିତରକୁ ଯିବା ମନା। ଆଉ ଠାକୁର ଦର୍ଶନ ମଧ୍ୟ ବନ୍ଦ। ସପନି ଚମକି ପଡିଲା। ଏ କି ପରୀକ୍ଷା ଠାକୁରେ। ଏତେ ବରଷକେ ଆସିଲି ଯେ.......ହଉ......ତୋ ଇଚ୍ଛା ଯାହା।


ସପନି ଯେତେ କାକୁତିମିନତି କି ନେହୁରା ହେଲେ ମଧ୍ୟ ତା କଥାର କୌଣସି ମୂଲ୍ୟ ନଥିଲା ସେ ପଣ୍ଡା ମାନଙ୍କ ପାଖରେ। ତା ହାତକୁ ଧରି ପଣ୍ଡା ମହାଶୟ ଠେଲି ଠେଲି ପଛକୁ ନେଇଗଲେ।


ସପନି କହିଲା, ଗୋସେଇଁ, ତେମେ ଆପଣ ମୋ କଥା ନ ଶୁଣିଲେ କିଏ ଶୁଣିବ? ଉତ୍ତର ମିଳିଲା, ଯାଃ ଯାଃ, ଯାହା ପାଖକୁ ଆସିଛୁ ସେଇ ଶୁଣିବ। 


ପଣ୍ଡା କଥା ଶୁଣି ପୂରାପୂରି ଶାନ୍ତ ପଡିଗଲା ସପନି। କହିଲା, ହଉ ଗୋସେଇଁ, ତମରି ତୁଣ୍ଡ ସୁତୁଣ୍ଡ ହେଉ।


କିଏ ବଡବଡିଆ ବାବୁ ଆସିଲେ କି ଗଲେ ସପନି ର ସେ ଆଡକୁ ନିଘା ନାହିଁ। କଳ୍ପବଟ ପାଖରେ ଜାକିଜୁକି ହେଇ ବସି ଅପଲକ ଆଖିରେ ନୀଳଚକ୍ର ଆଡ଼କୁ ଚାହିଁ ରହିଛି। ଆଖିରୁ ଧାର ଧାର ଲୁହ ବୋହି ଯାଉଛି।


ଗଦେଇ କହିଲା, ସପନି ଲୋ, ଚାଲେ ଆମେ ଘରକୁ ଯିବା। କାଳିଆକୁ ଦେଖିବା ଆମ ଭାଗ୍ୟରେ ନାହିଁ। ମାତ୍ର ସପନି ଯେମିତି ପଥର ପାଲଟିଯାଇଛି। କିଛି କହିଲାନି କି ଉଁ ଚୁଁ ହେଲାନି।


ଆଖି ବନ୍ଦ କରି ସପନି ଯୋଡ ହସ୍ତ ହେଇ ସେମିତି ବସିଛି। ହଠାତ କିଏ ତାକୁ ମାଆ ମାଆ ଡାକୁଥିବାର ଶୁଭିଲା। ଦେଖିଲା ଗୋଟିଏ ଜୀର୍ଣ୍ଣ ଶୀର୍ଣ୍ଣ ବାଳକ। ଶ୍ଯାମଳ ରଙ୍ଗ। ଜ୍ୟୋତିହୀନ ନେତ୍ର। ଶୁଖିଲା ମୁହଁ ଉପରେ ଶୁଖି ଯାଇଥିବା ଲୁହ ଦି ଧାର। ଦୁଇ ହାତକୁ ଆଞ୍ଜୁଳା କରି ତା ଆଗରେ ଠିଆ ହେଇଛି। 


ତା ମୂର୍ଖ ବୁଦ୍ଧିରେ ସପନି ସବୁ ବୁଝିଗଲା। ତା ହାତଟି ଧରି ପାଖକୁ ଆଣି ପଚାରିଲା, ତୋ ନାଁ କଣ ପୁଅ? 

"ମୋ ନାଁ କାଳିଆ " ।


କାଳିଆ.........କାଳିଆ.......ସପନି ଥରକୁ ଥର ସେ ନାମକୁ ଉଚ୍ଚାରଣ କଲା। ତା ଛାତି ଭିତରଟା ଖାଲି ଦାଉଁ ଦାଉଁ ହେଲା। ଦେହ ଶିତେଇ ଦେଲା। କେଉଁ ଏକ ଅଜଣା ପୁଲକ ଖେଳିଗଲା ତା ଦେହରେ। ସାରା ଜଗତଟା ତାକୁ ଯେମିତି କାଳିଆମୟ ଦେଖାଗଲା। 


କାଳିଆକୁ ପାଖକୁ ଟାଣି ଆଣି ସପନି ମୁହଁ ପୋଛି ଦେଇ ପଚାରିଲା, 'ଖାଇବୁ'? ମୁଣ୍ଡ ହଲେଇ ପିଲାଟି ହଁ କରିବାରୁ ସବୁଯାକ ଭୋଗ ତାକୁ ଖୁଆଇ ଦେଲା ସେ। ପ୍ରତିଥର ତା ପାଟିରେ ଭୋଗ ଦେବାବେଳେ ସପନି ଅନୁଭବ କରୁଥିଲା ଏକ ଅଲୌକିକ ବାତ୍ସଲ୍ୟ ଭାବ।


ଗଦେଇ ହାଁ ହାଁ କହି ବାରଣ କଲାବେଳକୁ ସବୁ ଶେଷ। କହିଲା, ତୁ ଏ କଣ କଲୁ ସପନି? ଠାକୁରଙ୍କ ଭୋଗ ଏ ପିଲାକୁ ଦେଇଦେଲୁ। ଏଇଟା ଭାରି ଅଶୁଭ କଥା ।

ସପନି ହସି ଦେଇ କହିଲା, ଶୁଭ ଅଶୁଭ କଥା ମତେ ଜଣାନାହିଁ। ସେଇ ପରା ଆମ କାଳିଆ, ଜଗନ୍ନାଥ, ଜଗା ସବୁକିଛି।


ତାପରେ ଝାଡିଝୁଡି ହେଇ ଉଠି ଛଳଛଳ ଆଖିରେ ନିଳଚକ୍ର ଆଡ଼େ ଚାହିଁ କହିଲା- ହଉ, ତମେ ସେଇ ଗମ୍ଭୀରା ଭିତରେ କାଠ ପଥର ହେଇ ଥାଅ ଠାକୁରେ। ଜୀଅନ୍ତା ହେଇକି ତ କାଳିଆ ରୂପରେ ମୋ ପାଖରେ ପହଞ୍ଚି ଗଲ, ଏଇ କାଳିଆ ମୁହଁରେ ଦାନାଟିଏ ଦେଲେ ତମେ କଣ ପାଇଲନି?


Rate this content
Log in