STORYMIRROR

Banabihari Mishra

Abstract

3  

Banabihari Mishra

Abstract

ମିସ୍ ମ୍ୟାଚ

ମିସ୍ ମ୍ୟାଚ

2 mins
215

ମହେଶ ବାବୁ ଗାଁ ପ୍ରାଇମେରୀ ସ୍କୁଲରେ ଶିକ୍ଷକ। ସୁଦେଷ୍ଣା ତାଙ୍କର ଗୋଟିଏ ବୋଲି ଝିଅ। ଚିରାଚରିତ ପରମ୍ପରାକୁ ସମ୍ମାନ ଦେଉଥିବା ସୁନ୍ଦର ସୁଶୀଳ ଝିଅଟିଏ। ପାଠ ବି ଭଲ ପଢେ। ଦଶମ ପରୀକ୍ଷା ତା'ପରେ ପ୍ଲସ୍ ଟୁ ପରୀକ୍ଷାରେ ଭଲ ନମ୍ବର ରଖିଥିଲା। ଇଂରାଜୀ ସମ୍ମାନ ସହ ସ୍ନାତକ କୃତିତ୍ବର ସହ ଉତ୍ତୀର୍ଣ୍ଣ ହେଲାପରେ ମହେଶ ବାବୁ ଚିନ୍ତାକଲେ, ଏଥର ଝିଅକୁ ହାତକୁ ଦି'ହାତ କରିଦେଲେ ଗୋଟେ ବଡ ଦାୟିତ୍ୱ ଛିଡିଯିବ।

ବରଘର ଖୋଜା ଚାଲିଲା। ଅନେକ ପ୍ରସ୍ତାବ ମଧ୍ୟ ଆସିଲା। କିନ୍ତୁ କୋଉଟା ମହେଶ ବାବୁଙ୍କ ପସନ୍ଦ ହେଉନଥିଲା ତ କୋଉଟା ତାଙ୍କ ସ୍ତ୍ରୀଙ୍କର। ମହେଶ ବାବୁ ଏବେ ଅନୁଭବ କରୁଥିଲେ, ଝିଅଟିଏ ବାହା କରିବାକୁ ସତରେ ଚପଲ ଘୋରି ହେଇଯିବ।


ଶେଷରେ ଯେଉଁ ପ୍ରସ୍ତାବଟି ଆସିଲା, ସେଥିରେ ଉଭୟ ମହେଶ ବାବୁ ଆଉ ତାଙ୍କ ସ୍ତ୍ରୀଙ୍କର ପସନ୍ଦ ମେଳ ଖାଇଲା। ସମ୍ଭ୍ରାନ୍ତ ଘର, ଖାନଦାନୀ ଅଛି। ପିଲାଟି ମଧ୍ୟ ଦେଖିବାକୁ ଭଲ, ମୋଟା ଦରମାର ଚାକିରି। ଭଲ ଦିନବାର ଦେଖି ପୁଅଘର ଦେଖିବା ପାଇଁ ଆସିଲେ। 


ମଧ୍ୟସ୍ଥି ଯାହା ବଖାଣିଥିଲା ସେଥିରୁ ମହେଶ ବାବୁ ଜାଣିଥିଲେ ଯେ ପୁଅଘର ଆଧୁନିକ। କିନ୍ତୁ ସେମାନେ ଘରକୁ ଆସିବା ପରେ ଜାଣିଲେ, କେବଳ ଆଧୁନିକ ନୁହେଁ, ଉଗ୍ର ଆଧୁନିକ। ପୁଅର ବାପା ଓ ମାଆ ଆଉ ପୁଅ ନିଜେ। ଅତ୍ୟାଧୁନିକ ଏସୟୁଭିରେ ଆସିଥିଲେ। ସମସ୍ତେ ଜିନ୍ସ ପରିହିତ। ମଧ୍ୟବିତ୍ତ ପରିବାରର ମହେଶ ବାବୁ ମନେ ମନେ ଆଶଙ୍କା କରୁଥିଲେ, ସେମାନଙ୍କ ଦାବି ପୂରଣ କରିପାରିବେ ତ?


ପୁଅଘର ଯିବାପାଇଁ ତରତର ହେବାରୁ ଚୁମ୍ବକେ ଚୁମ୍ବକେ କଥାବାର୍ତ୍ତା ଛିଡେଇ ଦିଆଗଲା। ଉଭୟ ପକ୍ଷ ରାଜି। ତାରି ମଧ୍ୟରେ ତାରିଖ ବି ସ୍ଥିର ହୋଇଯାଇଥିଲା। ପୂର୍ବରୁ ଜଳପାନର ସୁନ୍ଦର ବ୍ୟବସ୍ଥା କରିଥିଲେ ମହେଶ ବାବୁ। ଆସନ ପାଣି ପକେଇ ଜଳପାନ ପରଶି ଦିଆଗଲା ଭିତର ଘରେ।


ମହେଶ ବାବୁ ବିନମ୍ରତା ସହ ଜଳପାନରେ ବସିବା ପାଇଁ ଆମନ୍ତ୍ରଣ କରିବା ପରେ ଭାବୀ ସମୁଦି କହିଲେ, 'ଝିଅ ତ ଆମର ପସନ୍ଦ ହେଲା। ସେମାନେ ପରସ୍ପର ସହ ସାରା ଜୀବନ କଟେଇବା ପୂର୍ବରୁ ଆମେ ସେମାନଙ୍କୁ ଟିକେ ଏକୁଟିଆ ଛାଡିଦେବା। ସେମାନେ ପରସ୍ପରକୁ ଜାଣନ୍ତୁ।' ମହେଶ ବାବୁଙ୍କୁ କଥାଟା ବେଖାପ ଲାଗିଲେ ମଧ୍ୟ ସିଏ ସମ୍ମତରେ ମୁଣ୍ଡ ଟୁଙ୍ଗାରି କହିଲେ, 'ମା'ରେ, ତୁମେ ଦି'ଜଣ ଛାତ ଉପରେ ଟିକେ ବୁଲିଆସ। ତୁ ଛାତ ଉପରେ ଲଗେଇ ଥିବା ଫୁଲଗଛ ସବୁ ଦେଖେଇ ଦେ।' ଗାଁ ଗହଳିରେ ଏସବୁ ଚଳଣି ନାହିଁ। ତଥାପି ଗୋଟେ ଭଲ ପ୍ରସ୍ତାବ ହାତଛଡା ହେବା ଆଶଙ୍କାରେ ମହେଶ ବାବୁ ରାଜି ହେଇଗଲେ।


ଛାତ ଉପରେ ସୁଦେଷ୍ଣା ବିଭିନ୍ନ ପ୍ରକାରର ଫୁଲଗଛ ଦେଖୋଉଥିଲା। ଔପଚାରିକ ପରିଚୟ ସରିବା ପରେ ଭିକି, ମାନେ ବରପାତ୍ର, ସାମାନ୍ୟ ବିରକ୍ତିଭାବ ସହ କହିଲା, 'ଓଃ, ଏସବୁ ବଡ ଡିସ୍ଗଷ୍ଟିଂ, ଭାରି ବୋରିଂ। ଏଇ ଫୁଲ, କବିତା, ନଦୀ ଝରଣାର କୁଳୁକୁଳୁ ଗୀତ, ଏସବୁର କୌଣସି ଉପାଦେୟତା ବାସ୍ତବ ଜୀବନରେ ନଥାଏ। ତୁମେ କଣ୍ଟିନେଣ୍ଟାଲ୍ ଡିସ୍ କରିପାରିବ? ମମ୍ ଖୁବ୍ ଭଲ ଡିସ୍ ପ୍ରିପେୟାର୍ କରନ୍ତି।' ସୁଦେଷ୍ଣା ଟିକେ ଅସନ୍ତୁଷ୍ଟ ହେଲା। ତୁମେ କେବେ ପଖାଳ ସାଙ୍ଗରେ କଖାରୁ ରାଇ, ମାଗୁର ମାଛ ଜୁକୁଜୁକିଆ, ବଡିଚୁରା, ନେଉଟିଆ ଶାଗ, ପୋଇ ଚିଙ୍ଗୁଡି ରାଇ ଖାଇଛ?

ଓଃ, ଏସବୁ ନିହାତି ଗାଉଁଲି ଖାଦ୍ୟ। ଆଚ୍ଛା, କହିଲ, ବାର୍ଥ ଡେ ଦିନ ତୁମେ କେକ୍ କାଟ କି ନା?

ସୁଦେଷ୍ଣାକୁ ଆହୁରି ବିରକ୍ତିକର ଲାଗୁଥିଲା। କହିଲା, 'ନା, ଜନ୍ମଦିନରେ ଆମର ଅନେକ ରକମର ପିଠାପଣା ହୁଏ। ଘରେ ଦୀପ ଜଳେଇ ପୂଜା ହୁଏ। ଆମେ ଦୀପ ଲିଭୋଉନା।

ସନ୍ଧ୍ୟାରେ କ୍ଲବ ଯିବାଟା ମୋର ଅଭ୍ୟାସ।

ସନ୍ଧ୍ୟାରେ ତୁଳସୀ ଚଉଁରାମୂଳେ ଦୀପ ଜଳେଇ ପ୍ରାର୍ଥନା କରିବା ଆମର ନିତିଦିନିଆ କଥା।

ତୁମେ ଡ୍ୟାନ୍ସ କରିପାରିବ?

ତୁମେ ନଈରେ ପହଁରି ପାରିବ?


ବାସ୍, ପୁଅ ଭିକି ତଳକୁ ଆସି ତା ଡ୍ୟାଡିଙ୍କୁ କହୁଥିଲା, 'ସି ଇଜ୍ ନଟ୍ ଏ ମ୍ୟାଚ।' ଏପଟେ ସୁଦେଷ୍ଣା ତା ବାପଙ୍କୁ କହୁଥିଲା, 'ଆମ ଦୁଇ ପରିବାର ସମସ୍କନ୍ଧ ନୁହନ୍ତି'।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya story from Abstract