Bauribandhu Lenka

Romance Tragedy

3.9  

Bauribandhu Lenka

Romance Tragedy

ଫେରିପାଇଲା ସେ ଉଜୁଡା ପ୍ରେମ

ଫେରିପାଇଲା ସେ ଉଜୁଡା ପ୍ରେମ

6 mins
496



" କଣ ହୋଇଛି ନୀରୁ ? କାହିଁକି ଏତେ ଉଦାସ ଲାଗୁଛ ?" ବୋଲି ପଚାରିଲା ଅଜୟ ।

" ନାଇଁ ସେପରି କିଛି ନାହିଁ ତ । ଆଜି କଣ ତମର ଏପରିକା ପ୍ରଶ୍ନ" ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲା ନୀରୁ ।

 ଅଜୟ ମଧ୍ୟ କହିଥିଲା, " ତମେ ଯେତେ ଲୁଚେଇଲେ କଣ ମୁଁ ଜାଣି ପାରିବିନି । ମୁହଁଟା ହେଉଛି ମନର ଅଇନା ସଦୃଶ । ମନର ଅବସ୍ଥା ମୁହଁର ପ୍ରତିଫଳିତ ହୋଇଥାଏ । ତମେ ସିନା ତମ ମୁହଁକୁ ଦେଖି ପାରୁନାହଁ, ହେଲେ ଅନ୍ୟମାନେ ତ ଦେଖିପାରୁଛନ୍ତି ନା ? ଠିକ୍ ଅଛି ତମେ ନ କହିଲେ ମୁଁ ବାଧ୍ୟ କରୁନି କହିବାକୁ । ମୁଁ ଆଜି ଆମ ଗାଆଁକୁ ପଳେଇ ଯାଉଛି ଗ୍ରୀଷ୍ମ ଛୁଟି ସରିବା ପାଖେଇ ଆସିଲାଣି । ୟୁନିଭରସିଟି ଖୋଲିଯିବ । ମୋତେ ପ୍ରସ୍ତୁତ ହୋଇ ଭୁବନେଶ୍ୱର ଯିବାକୁ ପଡିବ । ସେଥିପାଇଁ ଦେଖା କରିବାକୁ ଆସିଥିଲି । ପୂଜାଛୁଟିରେ ଆସିଲେ ଦେଖାହେବ । " 

" ହଁ ମୁଁ ଆଗରୁ ଜାଣିଛି ତମେ ଆଜି ଗାଆଁକୁ ଫେରି ଯାଉଛ ବୋଲି । ତମେ ଆଗରୁ ନ ଜଣେଇଲେ କଣ ମୁଁ ଜାଣି ପାରିବିନି । ଏବେ ତମ ପ୍ରଶ୍ନର ଉତ୍ତର ପାଇଲ ତ କାହିଁକି ଉଦାସ ଲାଗୁଥିଲି । ମୁଁ ଜାଣେନା ମୁଁ ଭୁଲ୍ କରିଛି କି ଠିକ୍ କରିଛି । ମଣିଷ ଜନ୍ମ ଯେତେବେଳେ ପାଇଛି, ଭୁଲ୍ ହୋଇଯିବା ସ୍ୱାଭାବିକ୍ । ଏକ ସାଧାରଣ ପରିବାରର ଝିଅ ମୁଁ । କେଉଁ ଏକ ଦୁର୍ବଳ ମୁହୂର୍ତ୍ତରେ ଆମେ ପରସ୍ପରକୁ ଭଲ ପାଇ ବସିଲେ । ସେତେବେଳେ ତ ମୁଁ ଭାବି ନଥିଲି ମୋର ବଂଶ ଆଭିଜାତ୍ୟ ଆଉ ପରିବାରର ଆର୍ଥିକ ଦୁରାବସ୍ଥା ବିଷୟରେ । ହଉ ଯାଅ । ମୋର ଶୁଭ କାମନା ତୁମ ପାଇଁ ରହିଛି ଓ ଜୀବନ ସାରା ରହିବ ମଧ୍ୟ । ଆସ ବା ନ ଆସ ହେଲେ 'ନୀରୁ" ନାଆଁଟିକୁ ଭୁଲିବନି ବୋଲି ଆଶା କରିବି" ବୋଲି ଏକା ନିଶ୍ୱାସରେ କହି ନୀରୁ ନିରବ ରହିଥିଲା ।

" ହଁ ନୀରୁ ଏ ସବୁର ଉତ୍ତର ସମୟ କହିବ । ଚେଷ୍ଟା କରିବି ଦେଇଥିବା କଥା ପୂରଣ କରିବା ପାଇଁ " ବୋଲି କହି ଅଜୟ ନୀରୁ ଠାରୁ ବିଦାୟ ନେଇ ସେଦିନ ଗାଆଁକୁ ଫେରି ଯାଇଥିଲା ।


ଅଜୟର ଗାଆଁ ନୀରୁଙ୍କ ଗାଆଁ ପାଖରୁ ପ୍ରାୟ କୋଡିଏ କିଲୋ ମିଟର ଦୂର ହେବ । ନୀରୁଙ୍କ ଗାଆଁରେ ତାର ମାମୁଁ ଘର । ଅନେକ ସମୟରେ ସେ ମାମୁଁ ଘରକୁ ଆସିଥାଏ । ନୀରୁ ସହ ସମ୍ପର୍କ ହେଲା ପରେ ସେ ମାମୁଁ ଘରକୁ, ଟିକିଏ ସୁଯୋଗ ମିଳିଲେ ପଳେଇ ଆସେ । ଏବେ ସେ ଉତ୍କଳ ୟୁନିଭରସିଟିରେ ଇତିହାସରେ ପୋଷ୍ଟ୍ ଗ୍ରାଜୁଏସନ୍ କରୁଛି । ଏଇଟା ତାର ଶେଷ ବର୍ଷ । ୟୁନିଭରସିଟି ଟପର ହେବାପାଇଁ ଦିନ ରାତି ଏକ କରି ପାଠ ପଢାରେ ବ୍ୟସ୍ତ । ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ମଧ୍ୟ ଏକା ସଙ୍ଗେ preparation ଚଲେଇଛି । ଘରେ କିଛି ଅଭାବ ନାହିଁ । ଜମିବାଡି ବହୁତ ରହିଛି । ବାପା ତାର ସେ ଅଞ୍ଚଳର ଜଣେ ଜଣା ଶୁଣା ବ୍ୟକ୍ତି । ଭଲ ମନ୍ଦ ଓ ନ୍ୟାୟ ନିଶାପରେ ଅନ୍ୟ ଗ୍ରାମର ଲୋକମାନେ ତାଙ୍କୁ ଭଦ୍ର ଲୋକ ଭାବେ ଡାକିଥାନ୍ତି ।


ପୂଜାଛୁଟିରେ ନୀରୁ ସହ ଦେଖା ହେବ ବୋଲି କହିଥିଲା ଅଜୟ । ନୀରୁକୁ ଦେଖା ନକଲେ ସେ ମନ ଦୁଃଖ କରିବ । ଏପଟେ ପାଠ ପଢାରେ ଢିଲା କଲେ ସେ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚି ପାରିବନାହିଁ । ଅବଶେଷରେ ହଷ୍ଟେଲରେ ରହି ପୂରା ଦମ୍ ରେ ପ୍ରସ୍ତୁତି କରିବାର ନିଷ୍ପତି ନେଲା । ପୂଜାଛୁଟିରେ ଯାଇପାରୁନି ବୋଲି ଚିଠି ଖଣ୍ଡେ ଲେଖି ନୀରୁକୁ ଜଣେଇ ଦେଇଥିଲା ।


ନୀରୁର ସମସ୍ତ ପ୍ଲାନିଙ୍ଗ୍ ଫେଲ୍ ମାରିଲା । ଅଜୟର ଆସିବା ବନ୍ଦ ହୋଇଯିବାରୁ ତାକୁ ଭଲ ଲାଗୁ ନଥାଏ । ଏହି ସମୟରେ ତାର ହାଇ ସ୍କୁଲ ସମୟର ସାଙ୍ଗ ଚପଳା ଠାରୁ ଚିଠି ଖଣ୍ଡିଏ ପାଇଲା । ଚପଳା ଭୁବନେଶ୍ୱରର ରମାଦେବୀ ମହିଳା କଲେଜରେ ପ୍ଳସ୍ ଥ୍ରି ରେ ଅଧ୍ୟୟନ କରୁଥାଏ । ଚପଳାର ବାପା ଭୁବନେଶ୍ୱରରେ ସେକ୍ରେଟାରୀଏଟ୍ ରେ ଚାକିରି କରୁଥାନ୍ତି । ବାପାଙ୍କ ପାଖରେ ରହି ସେ ପଢୁଥିଲା । ଚପଳାର ଘର ନୀରୁଙ୍କ ଗାଆଁ ପାଖରେ ଥିବା ଅନ୍ୟ ଏକ ଗାଆଁରେ ଯେଉଁଠି ହାଇ ସ୍କୂଲ୍ ଅଛି । ସେଇ ସ୍କୁଲ୍ ରେ ୪ର୍ଥ ଶ୍ରେଣୀରୁ ଆରମ୍ଭ କରି ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଦୁଇଜଣ ସାଙ୍ଗ ହୋଇ ପଢିଛନ୍ତି । ପରସ୍ପର ସହ ଅତ୍ୟନ୍ତ ଅନ୍ତରଙ୍ଗ ଥିଲେ । କ୍ଳାସରେ ଦୁଇଜଣ ପାଖାପାଖି ହୋଇ ବସୁଥିଲେ । ପାଠ ପଢାରେ ନୀରୁ ଚପଳା ଠାରୁ ବହୁତ ତେଜ୍ ଥିଲା । କ୍ଳାସରେ ସବୁବେଳେ ସେକେଣ୍ଡ ପୋଜିସନରେ ରହୁଥିଲା । ଚପଳା ନୀରୁକୁ ବହୁତ ଭଲ ପାଉଥିଲା । ଆବଶ୍ୟକ ପଡିଲେ ନୀରୁକୁ ସେ ଆର୍ଥିକ ସାହାଯ୍ୟ ମଧ କରୁଥିଲା । ବର୍ଷାଦିନ ମାନଙ୍କରେ ନୀରୁ ନିଜ ଘରକୁ ନଯାଇ ଚପଳାଙ୍କ ଘରେ ରହି ଯାଉଥିଲା । କୌଣସି function ଥିଲେ ଚପଳା ନୀରୁକୁ ତାଙ୍କ ଘରେ ରହିବାକୁ ବାଧ୍ୟ କରୁଥିଲା । ହାଇସ୍କୁଲ୍ ପାସ୍ କଲାପରେ ଚପଳା ଭୁବନେଶ୍ୱରରେ ବାପାଙ୍କ ପାଖରେ ରହି ରମାଦେବୀ ମହିଳା କଲେଜରେ ପଢିଲା । ନୀରୁ ଗାଆଁ ପାଖ ଏକ କଲେଜରେ ପ୍ଳସ୍ ଟୁ ପର୍ଯ୍ୟନ୍ତ ପଢି ଆର୍ଥିକ ଅସୁବିଧା ହେତୁ ପାଠପଢା ଛାଡି ଘରେ ରହିଲା । ଏତେ ଦିନପରେ ସେହି ଚପଳାଠାରୁ ଚିଠିଟିଏ ପାଇ ଅତି ଆଗ୍ରହରେ ଖୋଲି ପଢିଲା । ଚପଳା ତାକୁ ପୂଜାଛୁଟିରେ ଭୁବନେଶ୍ୱର ଯିବାପାଇଁ ଅନୁରୋଧ କରିଛି । ସେ ନିଜେ ଆସି ତାକୁ ସାଙ୍ଗରେ ନେଇଯିବ ବୋଲି ଲେଖିଛି। ମଉସା ମାଉସୀଙ୍କୁ ଏ ବିଷୟରେ କହି ଆଗରୁ ପ୍ରସ୍ତୁତ ହୋଇ ରହିବାକୁ ମଧ୍ୟ ଲେଖିଛି । ଚିଠିଟି ପଢି ନୀରୁର ମନ ଚଞ୍ଚଳ ହୋଇ ଉଠିଲା । ଅଜୟର ନଆସିବା ଖବର ତାକୁ ଯେତିକି ଉଦାସ କରିଥିଲା , ଚପଳାର ଚିଠିଟି ପାଇ ତାର ସବୁ ଉଦାସୀ ଉଭେଇ ଗଲା । ଉଭୟେ ପୂଜାଛୁଟିକୁ ଭୂବନେଶ୍ୱରରେ ଅତି ମଜାରେ କଟେଇ ଥିଲେ ।


ସମୟ ବିତି ଚାଲିଥିଲା । ନୀରୁ ପାଠପଢା ଛାଡି ଘରେ ବସିବା ଛଡା ଆଉ କିଛି କାମ ନଥାଏ । ବାପା ତା'ର ଜଣେ ସ୍ୱଳ୍ପ ବେତନଭୋଗୀ ସ୍କୁଲ୍ ଶିକ୍ଷକ । ତିନି ପ୍ରାଣୀ କୁଟୁମ୍ବ କୌଣସିମତେ ଚଳି ଯାଉଥିଲେ । ବିବାହ ବୟସ ହୋଇଥିଲେ ମଧ୍ୟ ଝିଅଟିକୁ ଗୋଟିଏ ଉପଯୁକ୍ତ ପାତ୍ର ଦେଖି ହାତକୁ ଦିହାତ କରେଇବା ପାଇଁ ଆବଶ୍ୟକ ସମ୍ବଳ ନୀରୁର ବାପାଙ୍କ ପାଖରେ ନଥାଏ । ନୀରୁ ଚିନ୍ତାରେ, ସେ ଦିନକୁ ଦିନ ଦୁର୍ବଳ ହୋଇ ପଡିଲେ ।

ଚାକିରୀରୁ ରିଟାୟରମେଣ୍ଟ୍ ମଧ୍ୟ ହୋଇଗଲା । ଘରର ପରିସ୍ଥିତି ଦିନକୁ ଦିନ ଖରାପ ହେବାରେ ଲାଗିଲା ।

ଏଭଳି ଅବସ୍ଥାରେ ନୀରୁ ମାନସିକ ସ୍ତରରେ ଭାଙ୍ଗି ପଡିଲା । ଅଜୟ ସହିତ ଚିଠି ମାଧ୍ୟମରେ ଯାହା ସମ୍ପର୍କ ଥାଏ । ସେ ଆଉ ମାମୁଘରକୁ ଆସୁ ନଥିବାରୁ ତା ସହ ତାର ଦେଖାହେବା ସମ୍ଭବ ନଥିଲା ।


ଅଜୟ ଇତିହାସରେ ପ୍ରଥମ ଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ୟୁନିଭରସିଟି ଟପର ହୋଇଛି ହେଲେ ସିଭିଲ୍ ସରଭିସ୍ ପରିକ୍ଷାରେ ପ୍ରଥମ ଚେଷ୍ଟାରେ ସଫଳ ହୋଇ ପାରିନାହିଁ । ପରେ ଆଉଥରେ ସେହି ପରିକ୍ଷା ଦେଇ ସେ ଜଗତସିଂହପୁର ଜିଲ୍ଲାର ଜିଲ୍ଲାପାଳ ରୂପେ ଅବସ୍ଥାପିତ ହୋଇଛି । IAS ଅଫିସର୍ ହେଲାପରେ ଅଜୟ ପାଇଁ ଅନେକ ବିବାହ ପ୍ରସ୍ତାବ ଆସୁଥାଏ । ନୀରୁ କଥାକୁ ମନ ମଧ୍ୟରେ ରଖି ସେ ସବୁ ପ୍ରସ୍ତାବ ଗୁଡିକ ନାକଚ କରି ଦେଉଥାଏ । ଶେଷରେ ଚପଳା ସହିତ ତାର ଆସିଥିବା ବିବାହ ପ୍ରସ୍ତାବକୁ ସେ ମନା କରିବାପାଇଁ କୌଣସି କାରଣ ପାଇ ନଥିଲା । ଚପଳା ଦେଖିବାକୁ ବହୁତ ସୁନ୍ଦର ଥିଲା ତାର ବାପାଙ୍କର ବଂଶ ପରମ୍ପରା ରହିଛି ଓ ଏକ ସଂଭ୍ରାନ୍ତ ପରିବାରର ଝିଅ । ନୀରୁ ସହିତ ତା'ର ସଂପର୍କକୁ ସେ ବାପାଙ୍କୁ କି ପରିବାରରେ ଅନ୍ୟ କାହାକୁ କହିବାକୁ ସାହସ କରିପାରିଲା ନାହିଁ । ମୁହଁରୁ କଥାଟା ଯଦି ବାହାରିଯାଏ ଚାରିଆଡେ ପ୍ରଘଟ ହୋଇଯିବ । ଜିଲ୍ଲାପାଳ ଭାବେ ଅବସ୍ଥାପିତ ଥିବାରୁ ଏଭଳି ଏକ ଖବର ସର୍ବସାଧାରଣରେ ବିଜୁଳି ବେଗରେ ପ୍ରସାରିତ ହେବାକୁ ସମୟ ବେଶୀ ଲାଗିବ ନାହିଁ । ଶେଷରେ ଚପଳା ସହିତ ଅଜୟର ବିବାହ ସଂପନ୍ନ ହୋଇଯାଇଥିଲା । ବିବାହ ପୂର୍ବରୁ ଚପଳା ନିମନ୍ତ୍ରଣ ପତ୍ର ନେଇ ନୀରୁ ପାଖକୁ ଆସିଥିଲା । ତା'ର ବାପାଙ୍କର ଶାରୀରିକ ଅସୁସ୍ଥତା କାରଣ ଦର୍ଶାଇ ସେ ଚପଳାର ବିବାଘରର ଯୋଗଦେବାକୁ ମନା କରିଥିଲା । ଚପଳା ମଧ୍ୟ ମଉସାଙ୍କ ଦେହ ବିଷୟରେ ଜାଣି ତାକୁ ବାଧ୍ୟ କରି ନଥିଲା ।


ସମୟ କାହାକୁ ଅପେକ୍ଷା କରେନି । ନୀରୁର ପିତାଙ୍କର ଦେହାନ୍ତ ହୋଇଗଲା । ଚପଳାର ଅଜୟ ସହିତ ବିବାହ ହେଲା ପରେ ନୀରୁ ଅନ୍ୟ କାହାକୁ ବିବାହ କରିବ ନାହିଁ ବୋଲି ସ୍ଥିର କରି ନେଇଥିଲା । ସହଜେ ପିତାଙ୍କର ଦେହାନ୍ତ ପରେ କିଏ ବା ଆଉ ତା ପାଇଁ ପାତ୍ରଟିଏ ଖୋଜିବାକୁ ଅଣ୍ଟା ଭିଡିବ ଯେ ।


ଇତି ମଧ୍ୟରେ ଅଜୟର ଟ୍ରାନ୍ସଫର୍ ହୋଇଯାଇଛି । ସେ କଟକରେ ଏ.ଡି.ଏମ୍. ଭାବେ ଅବସ୍ଥାପିତ । ଚପଳାର କୋଳରେ ଏକ ବର୍ଷର ପୁତ୍ର ସନ୍ତାନଟିଏ । ବହୁ ଖୁସିରେ ତା'ର ପାରିବାରିକ ଜୀବନ ବିତି ଯାଉଛି ।


ଦିନେ ଚପଳା ଅଜୟର କପ୍ ବୋର୍ଡରେ ଥିବା ଜିନିଷ ଗୁଡିକୁ ସଜାଡି ରଖୁଥିଲା । ନଜର ପଡିଲା କେତେଗୁଡିଏ ପୁରୁଣା ଡାଇରୀ ଓ ଚିଠି ଉପରେ । ଚିଠି ଗୁଡିକ ସବୁ ନୀରୁ ପାଖରୁ ଆସିଥିଲା । ଉଭୟଙ୍କ ପ୍ରେମ ଜୀବନର ଏକ ନିଖୂଣ ଆଲେଖ୍ୟ ପ୍ରଦାନ କରୁଥିଲା ଚିଠିଗୁଡିକର ବିଷୟବସ୍ତୁ । ଏକ ଭାରାକ୍ରାନ୍ତ ମନ ନେଇ ଚପଳା କଣ କରିବ ଠିକ୍ କରି ପାରୁନଥିଲା । କାହାକୁ ସେ ଦୋଷ ଦେବ । ସେଦିନ ସେ ଜାଣିପାରିଥିଲା ଯେ ନୀରୁ ତା'ର ବାହାଘରକୁ ନ ଆସିବାର ମୁଖ୍ୟ କାରଣ ତା ବାପାଙ୍କର ଅସୁସ୍ଥତା ନୁହେଁ ବରଂ ଅଜୟକୁ ସେ ତା ପାଖରୁ ଛଡେଇ ନେବାଟା ହିଁ ମୁଖ୍ୟ କାରଣ ଥିଲା ।


 ରାତିରେ ଚପଳାର ଦେହରେ ଉତ୍ତାପ ବଢି ଜ୍ୱର ହୋଇଗଲା । ଅଜୟ ଡକ୍ଟରଙ୍କୁ ଡକେଇ ଔଷଧ ଦେଲେ ମଧ୍ୟ ଜ୍ୱର ସଂପୂର୍ଣ୍ଣ ରୂପେ ଭଲ ହୋଇ ନଥିଲା । କ୍ରମାଗତ ଭାବେ ଜ୍ୱର ରହିବାରୁ ଚପଳାଙ୍କୁ କଟକ ବଡ ମେଡିକାଲରେ ଆଡମିସନ୍ କରେଇବାକୁ ପଡିଲା । ଚପଳା ନୀରୁ ପାଖରେ ନିଜକୁ ଦୋଷୀ ବୋଲି ଭାବୁଥାଏ । ନିଜର ଏ ଅବସ୍ଥା ବିଷୟରେ ଲେଖି ନୀରୁ ପାଖକୁ ଚିଠି ଖଣ୍ଡିଏ ଲେଖି ପୋଷ୍ଟ୍ କରିଦେବା ପାଇଁ ଅଜୟକୁ ଦେଇଥିଲା। ରାଣ ଦେଇ ଲେଖିଥିଲା ନୀରୁକୁ ଆସିବା ପାଇଁ । ମେଡିକାଲରେ ବିଭିନ୍ନ ଟେଷ୍ଟ୍ କଲାପରେ ଜଣା ପଡିଲା ଯେ ଚପଳାକୁ ବ୍ଳଡ୍ କ୍ୟାନସର୍ ହୋଇଛି । ଆଉ ଅଳ୍ପ କେତୋଟି ଦିନର ଅତିଥି ସେ ।


ଚପଳାର ବେଡ୍ ନିକଟରେ ସେଦିନ ଅନେକ ଲୋକ । ସ୍ୱାମୀ ଅଜୟ ସହିତ ଚପଳାର ପିତା ମାତା ଓ ଅନ୍ୟାନ୍ୟ ଆତ୍ମୀୟ ସ୍ୱଜନମାନେ ଉପସ୍ଥିତ ଥାଆନ୍ତି । ନୀରୁ ଭିଡକୁ ଆଡେଇ ଚପଳା ପାଖରେ ପହଞ୍ଚିଲା । ସତେ ଯେପରି ନୀରୁକୁ ହିଁ ଚପଳା ଅପେକ୍ଷା କରି ରହିଥିଲା । ସମସ୍ତଙ୍କ ଆଡେ ଆଖି ବୁଲେଇ ଆଣି ଅଜୟର ଡାହାଣ ହାତର ଟିପକୁ ନିଜ ସୀମନ୍ତର ସିନ୍ଦୂରରେ ଲଗେଇ ନୀରୁର ସୀମନ୍ତରେ ଲଗେଇ ଦେଇଥିଲା । ସମସ୍ତେ ଆଶ୍ଚର୍ପ୍ୟ ହୋଇ ଚାହିଁ ରହିଥିଲେ । ଅତି କ୍ଷୀଣ ସ୍ୱରରେ ମୁହଁରୁ ତା'ର ବାହାରି ଆସିଥିଲା " ନୀରୁ ମୋର ଅଜାଣତରେ ତୋ ଠାରୁ ଯାହା ଛଡେଇ ନେଇଥିଲି ଆଜି ଫେରେଇ ଦେଉଛି । ଯାହା ବହୁତ ଆଗରୁ କରିବାର ଥିଲା ମୁଁ ଆଜି ମୋର ଅନ୍ତିମ ମୁହୂର୍ତ୍ତରେ କରୁଛି । ମୋତେ ଭୁଲ୍ ନବୁଝିି କ୍ଷମା କରିଦେବୁ । ଏବେ ମୁଁ ଶାନ୍ତିରେ ଶୋଇ ପାରିବି " ବୋଲି କହି ଚିରଦିନ ପାଇଁ ଆଖି ବୁଜି ଦେଇଥିଲା ।


ସମସ୍ତେ କାନ୍ଦୁଥିଲେ, ଦୁଃଖରେ ମ୍ରିୟମାଣ ଥିଲେ ।

ବିନ୍ଦୁଏ ସିନ୍ଦୂର ପୁଣି ଫେରେଇ ଦେଇଥିଲା ନୀରୁକୁ ତାର ଉଜୁଡା ପ୍ରେମ । ସେ ପ୍ରେମିକାରୁ ପତ୍ନୀ ହୋଇଯାଇଥିଲା ହେଲେ ଚପଳାର ତ୍ୟାଗ ତାକୁ ସାରା ଜୀବନ ପାଇଁ ଋଣୀ କରିଦେଇ କରିଦେଇ ଯାଇଥିଲା ।

 


Rate this content
Log in

Similar oriya story from Romance