Bauribandhu Lenka

Tragedy

4  

Bauribandhu Lenka

Tragedy

ଅହମିକାର ଅତ୍ୟାଚାର

ଅହମିକାର ଅତ୍ୟାଚାର

9 mins
301



କାହିଁକି କେଜାଣି ସୁରେଶର ଆଜି ଅଫିସ୍ କାମରେ ମନ ଲାଗୁନାହିଁ । ବିଭିନ୍ନ ପ୍ରକାର କଥା ମୁଣ୍ଡରେ ପଶି ସବୁକିଛି ଗୋଳମାଳିଆ କରିଦେଉଛି । ଅନେକ କାମ ତା ଟେବୁଲ୍ ରେ ବାକିଆ ପଡିଲାଣି । କଣ କରିବ କିଛି ଠିକ୍ କରି ପାରୁନାହିଁ । ସୁରେଶର ଏହି ଅନ୍ୟମନସ୍କ ରହୁଥିବା ଅବସ୍ଥାକୁ ଦେଖି ପତ୍ନୀ ଶୁଭଲକ୍ଷ୍ମୀ ବି ତା ଉପରେ ଖୁସି ନାହାଁନ୍ତି । ଆଜି କିନ୍ତୁ ତାକୁ ଏକ ନିଷ୍ପତ୍ତି ନେବାକୁ ହେବ । କେତେଦିନ ଆଉ ଏପରି ଅବସ୍ଥାରେ ସେ ନିଜକୁ ସମ୍ଭାଳି ପାରିବେ ?

ଶୁଭଲକ୍ଷ୍ମୀ ଥିଲାବାଲା ଘରର ଝିଅ । ମନରେ ବହୁତ ଅହଂଭାବ । ଉଚ୍ଚ ଶିକ୍ଷିତା ହେଲେ ବି ଝିଅଟିଏ ହେଲା ପରେ ଚାକିରି ଛାଡିଦେଇଛନ୍ତି । ସନ୍ଧ୍ୟା ହେବାକୁ ଯାଉଛି । ସୁରେଶକୁ ଅପେକ୍ଷା କରି ବସିଛନ୍ତି ଶୁଭଲକ୍ଷ୍ମୀ । ପହଞ୍ଚିଲା ପରେ ଚାହା କରିବ ଓ ତା ସହିତ କିଛି ଲାଇଟ୍ ଟିଫିନ୍ ବି ଦୁହେଁ ମିଶିକରି କରିବେ । ତିନି ବର୍ଷର ଝିଅ ଲୀସା ତା'ର ଖେଳଣା ଗୁଡିକୁ ଡ୍ରଇଂ ରୁମ୍ ମିଝିରେ ଗଦେଇ କରି ଖେଳିବାରେ ବ୍ୟସ୍ତ । କଲିଂ ବେଲ୍ ବାଜିବାରୁ ଶୁଭଲକ୍ଷ୍ମୀ କବାଟ ଖୋଲିଲେ । ସୁରେଶ ଲ୍ୟାପ୍ ଟପ୍ ଓ ଟିଫିନ୍ ବକ୍ସ ରଖା ଯାଇଥିବା ବ୍ୟାଗ୍ ଟି ଧରି ଘର ଭିତରକୁ ଆସିଲେ । ଲୀସା ବାବାଙ୍କୁ ଦେଖି ସବୁଦିନ ପରି ସୁରେଶଙ୍କ ପାଖକୁ ଦୌଡି ଗଲା । ସୁରେଶ ବି ଲୀସାକୁ ସବୁଦିନ ପରି କୋଳକୁ ଉଠେଇ ନେଲେ । ଝିଅକୁ ଟିକେ ଗେଲ କରି ନିଜର ଜୋତା ଖୋଲି ଡ୍ରେସ୍ ଚେଞ୍ଜ୍ କରିବାକୁ ଭିତରକୁ ଗଲେ । ଡ୍ରେସ୍ ବଦଳେଇ ସୁରେଶ ସୋଫାରେ ଆସି ବସି ପଡିଲେ । ଇତିମଧ୍ୟରେ ଶୁଭଲକ୍ଷ୍ମୀ ଚାହା ଓ କିଛି ଟିଫିନ୍ ଧରି ଆସି ଟି-ପୟ ଉପରେ ରଖି ପାଖ ସୋଫାରେ ବସି ପଡିଲେ । ଟିଫିନ୍ ଖାଇନିଅ ଡେରିକଲେ ଚା ଥଣ୍ଡା ହୋଇଯିବ ବୋଲି ଶୁଭଲକ୍ଷ୍ମୀ କହିଲେ । ହଁ ଖାଉଛି ତମେ ବି ଖାଅ ବୋଲି ସୁରେଶ ସଙ୍ଗେ ସଙ୍ଗେ କହିଲେ । ସୁରେଶ ଏଇ କିଛିଦିନ ହେବ ଟିକେ ଖାପ୍ ଛଡା ଦେଲା ପରି ଲାଗୁ ଥିବାରୁ ପତ୍ନୀ ଶୁଭଲକ୍ଷ୍ମୀ ପଚାରିଲେ , " କଣ ହୋଇଛି ତୁମର ? ଏଇ କିଛିଦିନ ହେଲା ତମେ ଅଲଗା ଲାଗୁଛ । ଅନ୍ୟମନସ୍କ ରହୁଛ । କିଛି ପଚାରିଲେ ମାପିଚୁପି ପଦେ ଅଧେ କହି ଉତ୍ତର ଦେଉଛ । ନାଇଁ ସେମିତି କିଛି ନୁହେଁ । ଅଫିସ୍ ରେ ଟାର୍ଗେଟ୍ ପୂରଣ କରିବାର ବୋଝଟା ରହିଛି । ସେଥିପାଇଁ ଜୋନାଲ ମ୍ୟାନେଜରଙ୍କର ସବୁବେଳେ ଫୋନ୍ ରେ ତାଗିଦ୍ । ବାପାଙ୍କର ଦେହ ଭଲ ନାହିଁ ବୋଲି ଚାରି ପାଞ୍ଚ ଦିନ ତଳେ ଫୋନ୍ ଆସିଥିଲା । ଏଇ ସବୁ କଥା ଲାଗି ଟିକେ ଚିନ୍ତିତ ଥିଲା ପରି ଲାଗୁଥିବି । ତମେ ସେଥିରେ ମୁଣ୍ଡ ପୁରାଅ ନାହିଁ । ସବୁ ଠିକ୍ ହୋଇଯିବ । " ହଁ ଗୋଟାଏ କଥା ଭାବୁଥିଲି କି ବାପାଙ୍କୁ ଗାଆଁରୁ ଆମ ପାଖକୁ ନେଇ ଆସିବା । ମାଆ ଚାଲିଯିବା ପ୍ରାୟ ଛଅ ମାସ ହୋଇଗଲାଣି । ଘରେ ସେ ଏକୁଟିଆ ରହୁଛନ୍ତି । ହାତରେ ଯାହି ତାହି କଣ ଗଣ୍ଡେ ଫୁଟେଇ ଖାଉଛନ୍ତି । ଦିନେ ଦିନେ ରାତିରେ ସେମିତି ଶୋଇ ଯାଉଛନ୍ତି । ଏଥିରେ ଦେହ ଖରାପ ହେବନି ? ଏବେ ଜ୍ୱର କାଶ ହୋଇ ଘରେ ପଡିଛନ୍ତି । ପଡିଶା ଘର ଖାଇବାକୁ ଆଣି ଦେଉଛନ୍ତି । ବିଶ୍ୱାଳଘର ଗୁରିଆ କଣ ଔଷଧ ଆଣି ଦେଇଥିଲା । ସେଇ ଫୋନ୍ ରେ ତାଙ୍କ କଥା ସବୁ କହୁଥିଲା କି ତାଙ୍କୁ ଭୁବନେଶ୍ୱର ନେଇଗଲେ ସେଠି ଭଲ ଡାକ୍ତର ଅଛନ୍ତି ଔଷଧ ପଥି ଖାଇ ଠିକ୍ ହୋଇଯିବେ । ତମେ କଣ ଚାହୁଁଛ ?

             ଶୁଭଲକ୍ଷ୍ମୀ ତାଙ୍କୁ ଆଣିବା କଥା ଶୁଣି ଭିତରେ ଭିତରେ ଫଁ ଫଁ ହେଉଥାନ୍ତି ହେଲେ ବାହାରକୁ ପ୍ରକାଶ ନ କରି କହିଲେ ," ଆଣୁନ ମୁଁ କଣ ମନା କରୁଛି କି ? ତମ ବାପାଙ୍କୁ ତମେ ଆଣିବ ଏଥିରେ ମୋର ମତାମତ ନେବାକୁ

ଏତେ ଡ୍ରାମାବାଜି କରିବାର କଣ ଦରକାର ?

ମୁଁ କଣ କେବେ ତାଙ୍କୁ ଅନାଦର କରିବାର ଦେଖିଛ କି ? "

"ନାଇଁ ମୁଁ କଣ ସେମିତି କିଛି କହିଲି କି ? ତମକୁ ପଚାରିଲେ କଣ କିଛି ଭୁଲ୍ ହୋଇଗଲା ? ସେ ଏଠାକୁ ଆସିଲା ପରେ ତମକୁ ହିଁ ତାଙ୍କ ଦାୟିତ୍ୱ ନେବାକୁ ହେବ ନା ? ସେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତମକୁ ଟିକେ ଅଧିକ ପରିଶ୍ରମ କରିବାକୁ ପଡିବ । ସେଥିପାଇଁ ପଚାରିଥିଲି ।"

"ଦେଖ ସୁରେଶ ତମ ବାପା ହେଊଛନ୍ତି ମୋର ଶ୍ୱଶୁର । ମୁଁ ତାଙ୍କୁ ଅବହେଳା କରିବାର ପ୍ରଶ୍ନ କେଉଁଠି ଉଠୁଛି ।"

ମନ ଭିତରେ ଇଚ୍ଛା ନଥିଲେ ବି ଶୁଭଲକ୍ଷ୍ମୀ ଏପରି କହିବାକୁ ଏକ ପ୍ରକାର ବାଧ୍ୟ ହୋଇଥିଲା ପରି ଜଣାପଡୁଥିଲା । ସୁରେଶଙ୍କର ବି ଉପାୟ କିଛି ନଥିଲା । ଯାହା ବି ହେଉ ବାପାଙ୍କୁ ଗାଆଁରୁ ଆଣିବାକୁ ପଡିବ । ଜେଜେଙ୍କ ଆସିବା କଥା ଶୁଣି ଲୀସା ବହୁତ ଖୁସି ହୋଇଗଲା । ଜେଜେ ଆସିଲେ ସେ ତାଙ୍କ ସହ ଖେଳିବ । ଜେଜେ ତାକୁ ବହୁତ ଭଲ ପାଆନ୍ତି ଆଉ ଗେଲ କରିଥାନ୍ତି ।

ସୁରେଶଙ୍କ ବାପା ଜଣେ ପ୍ରାଇମେରୀ ସ୍କୁଲ୍ ଶିକ୍ଷକ ଥିଲେ । ଗାଆଁରେ ଥିବା ଚାଷ ଜମିକୁ ଭାଗଦିଆ ଦେଇଥିଲେ । ଜଣେ ଉତ୍ତମ ଶିକ୍ଷକ ହିସାବରେ ସେ ଅଞ୍ଚଳରେ ତାଙ୍କର ନାମ ଥିଲା । ସୁରେଶ ତାଙ୍କର ଏକମାତ୍ର ପୁଅ । ପିଲାବେଳୁ କୌଣସି ଅଭାବ ଅସୁବିଧା ବିଷୟରେ ସେ ଜାଣିନଥିଲା । ଯେତେବେଳେ ଯାହା ଦରକାର ବାପା ସବୁ ଯୋଗେଇ ଦେଉଥିଲେ । ଜଣେ ଶିକ୍ଷକ ହୋଇଥିବାରୁ ପୁଅକୁ ଉଚ୍ଚ ଶିକ୍ଷିତ କରିବାରେ କୌଣସି ଅବହେଳା କରି ନାହାଁନ୍ତି । ତା'ର ବାହାଘର ମଧ୍ୟ ଜଣେ ଥିଲାବାଲା ଘରେ ଏକ ଉଚ୍ଚ ଶିକ୍ଷିତା ଝିଅ ସହିତ କରେଇ ଥିଲେ । କିନ୍ତୁ ତାଙ୍କର ସବୁ ସ୍ୱପ୍ନ ମିଳେଇ ଯାଇଥିଲା । ବାହାଘର ପରେ ପୁଅ ବୋହୂ ତାଙ୍କର ଚାକିରି ସ୍ଥାନ ଭୁବନେଶ୍ୱରରେ ରହିଲେ । ପ୍ରଥମେ ପ୍ରଥମେ ମାସକୁ ଥରେ ଅଧେ ଆସି ଗାଆଁ ଆଡେ ବୁଲି ଯାଉଥିଲେ । ମାତ୍ର ଧୀରେ ଧୀରେ ସୁରେଶର ଗାଆଁକୁ ଆସିବା ପ୍ରାୟ ବନ୍ଦ ହୋଇଗଲା । ଶୁଭଲକ୍ଷ୍ମୀ ଚାହୁଁନଥିଲେ ଗାଆଁକୁ ଆସିବାକୁ । ସେ ପିଲାବେଳୁ ସହରରେ ହିଁ ରହି ଆସିଛନ୍ତି । ଗାଆଁର ପରିବେଶ ତାଙ୍କୁ ଅଣନଶ୍ୱାସୀ କରିଦିଏ । ସହଜେ ବି ସେ ରମାଦେବୀ କଲେଜରେ ଅଧ୍ୟାପିକା ଭାବେ କାର୍ଯ୍ୟ ରତ ଥିଲେ । ତେଣୁ ଗାଆଁ ଆଡେ ନଯିବା ଲାଗି ବିଭିନ୍ନ ବାହାନା ମିଳି ଯାଉଥିଲା । ସୁରେଶଙ୍କ ବାପା ମାଆ ମନେ ମନେ ବହୁତ ଦୁଃଖୀ ହୋଇ ଯାଇଥିଲେ । ଗୋଟିଏ ବୋଲି ପୁଅ , ତା ସଂପର୍କରେ କାହା ଆଗରେ କିଛି ଖରାପ କରି ଗପିବାକୁ ତାଙ୍କ ବିବେକ ତାଙ୍କୁ ବାଧା ଦେଉଥିଲା ହେଲେ ଗାଆଁ ଲୋକମାନେ ଦେଖେଇ ଶିଖେଇ ସୁରେଶର ମାଆଙ୍କୁ କହିଥାଆନ୍ତି । ମନର ଦୁଃଖକୁ ମନ ଭିତରେ କେତେଦିନ ଚାପି ରଖି ହୁଅନ୍ତା । ସୁରେଶର ମାଆ, ଅପର୍ଣ୍ଣାଙ୍କ ଦେହ ଧୀରେ ଧୀରେ ଖରାପ ହେବାକୁ ଲାଗିଲା । ସେପରି କିଛି ଶଯ୍ୟାଶାୟୀ ହେଲା ପରି ରୋଗ ନଥିଲା । କିନ୍ତୁ ଦିନେ ରାତିରେ ଶୋଇଛନ୍ତି ତ ଶୋଇଛନ୍ତି । ସକାଳୁ ଆଉ ଉଠିଲେ ନାହିଁ । ଅନେକ ଲୋକ ଅନେକ କଥା କହିଲେ । ପୁଅ କଥା ଭାବି ଭାବି ବୁଢୀର ଏପରି ହେଲା ବୋଲି କେହି କେହି କଥା ହେଲେ । ମାଆର କ୍ରିୟା କର୍ମ କରିବା ପାଇଁ ସୁରେଶ ସ୍ତ୍ରୀ ଓ ଝିଅକୁ ଧରି ଗାଆଁକୁ ଆସିଲେ । ମାଆର ବିୟୋଗରେ ସୁରେଶ ବହୁତ ଭାଙ୍ଗି ପଡିଲେ । ଏଥିପାଇଁ ସେ ହିଁ ଦାୟୀ ବୋଲି ନିଜକୁ ଧିକ୍କାର କରିବାକୁ ଲାଗିଲେ । ମାଆର ସବୁ କାର୍ଯ୍ୟ ସରିବା ପରେ ସୁରେଶ ବାପାଙ୍କୁ ତାଙ୍କ ସହିତ ଭୁବନେଶ୍ୱର ଯିବାକୁ କହିଥିଲେ ହେଲେ ବାପା ତାଙ୍କୁ ବୁଝେଇ କହିଥିଲେ,             

          " ଦେଖ ବାବା ସଂଗେ ସଂଗେ ମୁଁ ଯାଇ ପାରିବି ନାହିଁ । ତୁତ ଜାଣିଛୁ ଏଠି ଜମିବାଡିଠୁ ଆରମ୍ଭ କରି ନାନା ପ୍ରକାର କାମ ରହିଛି । ସେ ସବୁର କିଛି ବ୍ୟବସ୍ଥା କଲାପରେ ମୁଁ ଯାଇ ପାରିବି । ଏବେ ତ ମୋର ହାତ ଗୋଡ ଚଳୁଛି । ନିଜ ପାଇଁ ଗଣ୍ଡାଏ ଫୁଟେଇ ଖାଇ ପାରିବି । ଯେତେବେଳେ ନିହାତି ଅସୁବିଧା ହେବ ମତେ ଆସି ନେଇ ଯିବୁ । ସେଠିକି ଗଲେ ଲୀସା ସାଙ୍ଗରେ ମୋର ସମୟ କଟିଯିବ । ତୁ ଏଠି ରହୁଥିଲା ବେଳେ ଚିକେନ୍ ଝୋଳ ଖାଇବାକୁ ଭାରି ଭଲ ପାଉଥିଲୁ । ମୋର ମଧ୍ୟ ଚିକେନ୍ ଅତି ପ୍ରିୟ । ମୁଁ ଗଲେ ଚିକେନ୍ ଆଣି ଭଲ କରି କରିବୁ ଖାଇବା । "

           ସୁରେଶ ରାତ୍ରି ଭୋଜନ କରି ସାରି ଶୋଇବା ପାଇଁ ଗଲେ । ଶୋଇବା ପାଇଁ ଯେତେ ଚେଷ୍ଟା କଲେ ବି ଆଖିକୁ ନିଦ ଆସୁ ନଥାଏ । ବାପାଙ୍କ କଥା ବାରମ୍ବାର ମୁଣ୍ଡ ଭିତରେ ପଶୁଥାଏ । ପିଲାଦିନର କଥା ଏବଂ ବାପାଙ୍କ ସହିତ ସାଙ୍ଗ ହୋଇ ଘରେ ଚିକେନ ଝୋଳ କରିବା ସାଙ୍ଗ ପରିକା ମସ୍ତି କରିବା ସବୁ କଥା ମନେ ପକେଇ ଆଖିରେ ଲୁହ ଆସିଯାଉଥାଏ । ମନେ ମନେ ଭାବୁଥାଏ ," ଏ ସବୁ ଶୁଭଲକ୍ଷ୍ମୀ ଜାଣି ନାହାନ୍ତି ତେଣୁ ସେ ବା କିପରି ମୋର ମନର ଅବସ୍ଥାକୁ ବୁଝି ପାରିବେ । ଧନୀ ଘରର ଝିଅ ସିଏ । ତାଙ୍କର କାହିଁକି ବା ଏପରି ଅନୁଭବ ରହିବ ?"

ପରଦିନ ସକାଳୁ ଗାଆଁକୁ ଯାଇ ବାପାଙ୍କୁ ନେଇ ଆସିବାକୁ ନିଷ୍ପତ୍ତି ନେଇ ସେ ଶୋଇ ଯାଇଥିଲେ ।

               ସକାଳୁ ସକାଳୁ ସୁରେଶ ଉଠି ନିଜର ନିତ୍ୟକର୍ମ ଶୀଘ୍ର ସାରି ଗାଆଁକୁ ଯିବା ପାଇଁ ପ୍ରସ୍ତୁତ ହୋଇଗଲେ । ଶୁଭଲକ୍ଷ୍ମୀ ପଚାରିଲେ , " ଏତେ ଶୀଘ୍ର କଣ ଅଫିସ୍ ବାହାରିଲଣି ?"

"ନାଇଁ ମୁଁ ଗାଆଁକୁ ଯାଉଛି । ବାପାଙ୍କୁ ନେଇ ଆସିବି ।"

ଶୁଭଲକ୍ଷ୍ମୀ ନିଜର ରାଗକୁ ବାହାରକୁ ପ୍ରକାଶ ନକରି କହିଲେ, " ଶୁଣ ବାପାଙ୍କୁ ଯଦି ଆଣୁଛ ତାହାଲେ ତାଙ୍କୁ ସର୍ଭାଣ୍ଟ୍ ରୁମ୍ ରେ ରଖିଲେ ଭଲ ହେବ । ସେ ରୁମ୍ ଟି ଏଣ୍ଟ୍ରାନ୍ସ ର ଗୋଟିଏ ସାଇଡ୍ କୁ ଅଛି । ସେ ରୁମ୍ ରେ ରହିଲେ infection ର ଭୟ କିଛି ନାହିଁ । ତମେ ତ ଜାଣିଛ ଲୀସା ଛୋଟ ପିଲାଟା । ତାକୁ ଯଦି infection ହୋଇଯିବ ଆମେ ବହୁତ ଅସୁବିଧାରେ ପଡିବା । ଦୁଇ ଦୁଇ ଜଣଙ୍କୁ କେମିତି ସମ୍ଭାଳି ହେବ ? "

ସୁରେଶ ଉଁ ଚୁଁ କିଛି ବି ନ କହି ବାହାରିଗଲେ ଗାଆଁ ଅଭିମୁଖେ । ମନରେ ତାଙ୍କର ଅସରନ୍ତି ବେଦନାର ବୋଝ । ସତରେ ମଣିଷ ଏତେ ନିଷ୍ଠୁର ହୋଇ ପାରନ୍ତି ! ଯେଉଁ ବାପ ମାଆ ପିଲାବେଳେ ଆମର ଗୁହ ମୂତ୍ରକୁ ଚନ୍ଦନ ଭଳି ଭାବୁଥିଲେ , ଆଜି ତାଙ୍କର ବୃଦ୍ଧାବସ୍ଥାରେ ଆମେ ତାଙ୍କୁ ଏତେ ଘୃଣା କରିବା କଣ ଠିକ୍ ? ସ୍ୱାମୀ ସ୍ତ୍ରୀର ସଂପର୍କରେ କୌଣସି ତିକ୍ତତା ଆଣିବାକୁ ଚାହୁଁ ନଥିଲେ ସୁରେଶ ତେଣୁ ସେ ଶୁଭଲକ୍ଷ୍ମୀଙ୍କ ସହ କିଛି ଯୁକ୍ତି ତର୍କ ନକରି ଗାଡି ଷ୍ଟାର୍ଟ କରି ଚାଲି ଯାଇଥିଲେ ।

ସୁରେଶ ଗାଆଁରେ ପହଞ୍ଚି ବାପାଙ୍କର ଅବସ୍ଥା ଦେଖି ଅତ୍ୟନ୍ତ ମର୍ମାହତ ହୋଇ ପଡିଥିଲେ । ମନ ଭିତରର କୋହକୁ କୌଣସି ପ୍ରକାରେ ଚାପି ରଖି ବାପାଙ୍କୁ ତାଙ୍କ ସହ ଭୁବନେଶ୍ୱର ଯିବା କଥା କହିଲେ । ବାପାଙ୍କର କଥା କହିଲେ କାଶ ଉଠୁଥିବାରୁ ସେ କହିବା ଅବସ୍ଥାରେ ନଥିଲେ । ସୁରେଶ ବିଶ୍ୱାଳ ଘର ଗୁରିଆକୁ ଡାକି ଘରର ସବୁ ଦାୟୀତ୍ୱ ତାକୁ ଦେଲେ । ଜମିବାଡି ସେ ଭାଗଚାଷ କରୁଥିବାରୁ ଯେତେବେଳେ ଡାକିଲେ ବି ଆସି ପହଞ୍ଚି ଯାଏ ଓ ଯେଉଁ କାମ ଦେଲେ ବିନା ଦ୍ୱିଧାରେ କରିଥାଏ ।

             ସୁରେଶ ବାପାଙ୍କୁ ଧରି ଭୁବନେଶ୍ୱର ଅଭିମୁଖେ ବାହାରିପଡିଲେ । ଭୁବନେଶ୍ୱରରେ ପହଞ୍ଚି ସେ ଘରକୁ ନ ଯାଇ ସିଧା ସଳଖ ସମ୍ ହସ୍ପିଟାଲ ରେ ପହଞ୍ଚିଲେ । ଡକ୍ଟରଙ୍କ ସହ ପରାମର୍ଶ କରି ବାପାଙ୍କର ଆଡ୍‐ମିଶନ କରାଇଦେଲେ । ନିଜେ ଏତେଦିନ ଛୁଟି ନେଇ ପାରିବେନି ବୋଲି ହସପିଟାଲ୍ ରେ ଏକ ସ୍ପେସାଲ୍ ନର୍ସର ବ୍ୟବସ୍ଥା ମଧ୍ୟ କରିଦେଲେ । ପଇସା ଯାହା ଖର୍ଚ୍ଚ ହେଉ ପଛେ ସେଥିପ୍ରତି ତାଙ୍କର ଭୃକ୍ଷେପ ନଥିଲା । ମନ ଭିତରେ କେବଳ ଗୋଟିଏ କଥା ବାପା କିପରି ଭଲ ହୋଇ ଘରକୁ ଫେରି ଚାଲନ୍ତୁ । ସେ ଆଉ ତାଙ୍କୁ ଗାଆଁଙ୍କୁ ଛାଡିବେ ନାହିଁ । ଶୁଭଲକ୍ଷ୍ମୀ ଯାହା କହିଲେ ବି ସେ ତାଙ୍କୁ ଆଉ ସହି ପାରିବେନି ।

ବାପାଙ୍କୁ ହସ୍ପିଟାଲ୍ ରେ ଛାଡି ସୁରେଶ ଘରେ ପହଞ୍ଚିଲେ ।

ସୁରେଶଙ୍କୁ ଏକୁଟିଆ ଦେଖି ଶୁଭଲକ୍ଷ୍ମୀ ମନେ ମନେ ଖୁସି ହୋଇ ଯାଇଥିଲେ କିନ୍ତୁ ଯେତେବେଳେ ଜାଣିଲେ ଯେ ବାପା ସମ୍ ହସ୍ପିଟାଲ୍ ରେ ଆଡ୍‐ମିଶନ ହୋଇଛନ୍ତି ତାଙ୍କର କ୍ଷଣିକ ଖୁସି ପାଣି ଫୋଟକା ପରି ମିଳେଇ ଯାଇଥିଲା । ସେ ସୁରେଶଙ୍କୁ ପଚାରିଲେ , " ବାପାଙ୍କୁ ଆଣିଲ ନାହିଁ କି ? "

ସୁରେଶ ଗମ୍ଭୀର ଭାବରେ କହିଲେ , " ହଁ ସେ ଆସିଛନ୍ତି ଯେ ଏବେ ସମ୍ ହସ୍ପିଟାଲରେ ଅଛନ୍ତି । ଭଲ ହେଲେ ଘରକୁ ଆସିବେ । ତାଙ୍କୁ ଘରକୁ ଆଣିବା ଅବସ୍ଥାରେ ସେ ନାହାଁନ୍ତି । ହଁ ମତେ ଏବେ ଅଫିସ୍ ଯାଇ ଛୁଟି ଦରଖାସ୍ତ ପଠାଇବାକୁ ପଡିବ ଏବଂ ଫୋନ୍ ରେ ଜୋନାଲ୍ ମ୍ୟାନେଜରଙ୍କ ସହିତ ବାପାଙ୍କ କଥା କହି ଛୁଟି ମଞ୍ଜୁର କରେଇବାକୁ ପଡିବ । ଅବଶ୍ୟ ସେଠାରେ ତାଙ୍କ ଖବର ବୁଝିବା ପାଇଁ ମୁଁ ଜଣେ ନର୍ସଙ୍କୁ full time ଦେଖିବା ଲାଗି ବ୍ୟବସ୍ଥା କରି ଆସିଛି ।"

ଶୁଭଲକ୍ଷ୍ମୀ ମନେ ମନେ ଆସ୍ୱସ୍ତ ହେଲେ । ଯା ହେଉ ମଣିଷ ଏପଟ ସେପଟ ହେବା ହଲାପଟାରୁ ବଞ୍ଚିଗଲା । କିନ୍ତୁ ମନେ ମନେ ଭାବିଲେ ସୁରେଶ ନିଶ୍ଚୟ ତାଙ୍କ ଉପରେ ରାଗିଛନ୍ତି । ବାପାଙ୍କର ଅବସ୍ଥା ବିଷୟରେ ସେ ଫୋନ୍ ରେ ତ କହି ପାରିଥାନ୍ତେ । ଆଡ୍‐ମିଶନ କରିବା ବିଷୟରେ ଟିକେ ପଚାରି ତ ପାରିଥାନ୍ତେ ।

ଚାହୁଁ ଚାହୁଁ ଗୋଟିଏ ସପ୍ତାହ ଚାଲିଗଲା । ସୁରେଶଙ୍କ ବାପା ହରେକୃଷ୍ଣ ବାବୁ ସମ୍ପୂର୍ଣ୍ଣ ସୁସ୍ଥ ହୋଇଗଲେ । ବାପାଙ୍କୁ ଘରକୁ ଆଣିବା ପୂର୍ବର ଅନ୍ୟ ବେଡ୍ ରୁମ୍ କୁ ଟିକେ ସଫାସଫି କରିଦେବାକୁ କହି ସୁରେଶ ହସ୍ପିଟାଲ ଅଭିମୁଖେ ଗାଡି ନେଇ ବାହାରିଗଲେ ।

ସୁରେଶଙ୍କ ଯିବା ପରେ ପରେ ଶୁଭଲକ୍ଷ୍ମୀଙ୍କ ବାପା ଓ ମାଆ ଆସି ପହଞ୍ଚିଲେ । ସୁରଶଙ୍କ ବାପାଙ୍କର ହସ୍ପିଟାଲାଇଜ୍ ହେବା ଖବର ପାଇ ତାଙ୍କୁ ଦେଖିବାକୁ ଆସିଛନ୍ତି । ବାପା ଓ ମାଆଙ୍କୁ ଦେଖି ଶୁଭଲକ୍ଷ୍ମୀଙ୍କର ମନ କୁଣ୍ଢେ ମୋଟ । ଯା ହେଉ ସେମାନେ ଆସି ତାକୁ ଏକ ବଡ ସଂକଟରୁ ବଞ୍ଚେ ଦେଲେ । ଅନ୍ୟ ବେଡ୍ ରୁମ୍ ରେ ବାପା ଓ ମାଆଙ୍କୁ ଦେଖିଲେ ସୁରେଶ ଆଉ କିଛି କହି ପାରିବେ ନାହିଁ । ତାହା ହିଁ ହେଲା । ହରେକୃଷ୍ଣ ବାବୁଙ୍କୁ ସର୍ଭ୍ୟାଣ୍ଟ୍ ପାଇଁ ଉଦ୍ଦିଷ୍ଟ ରୁମ୍ ରେ ରହିବାକୁ ପଡିଲା ।

ଲୀସା ଜେଜେଙ୍କୁ ଦେଖି ଯାଇ କୁଣ୍ଢେଇ ପକେଇଲା । ହରେକୃଷ୍ଣ ବାବୁ ବହୁଦିନ ପରେ ନାତୁଣୀକୁ କୋଳରେ ବସେଇ ଟିକିଏ ଗେଲ କରିଦେଲେ । ହଠାତ୍ ଏଇ ଦୃଶ୍ୟ ଶୁଭଲକ୍ଷ୍ମୀଙ୍କ ନଜରରେ ପଡିଗଲା । ସେ ଚିତ୍କାର କରି ଲୀସାକୁ ତାଙ୍କ କୋଳରୁ ଉଠାଇ ଆଣିଲେ ଏବଂ ରାଗ ତମ ତମ ହୋଇ ଶ୍ୱଶୁରଙ୍କୁ କହି ପକେଇଲେ , " ଏ କଣ କରୁଛନ୍ତି ବାପା ? ଆପଣ ଏବେ ଏବେ ହସ୍ପିଟାଲରୁ ଫେରିଛନ୍ତି । ଆପଣଙ୍କ ଲୁଗାପଟାରେ କେତେ କଣ ଭାଇରସ୍ ଥିବେ ତଥାପି ଆପଣ ଲୀସାକୁ କୋଳରେ ବସେଇ ଗେଲ କରି ପକେଇଲେ ? ତା'ର ସାମାନ୍ୟ ଏକ୍ସପୋଜର ହେଲେ ଇନ୍ଫେକ୍ସନ ହୋଇ ଦେହ ଖରାପ ହୋଇଯାଏ । ଭଗବାନ କରନ୍ତୁ ତା'ର କିଛି ନ ହେଉ ।"

ଏପରି କହି ଲୀସାକୁ ଧରି ପଳେଇ ଆସିଥିଲେ ସେଠୁ ଶୁଭଲକ୍ଷ୍ମୀ ।

       ସନ୍ଧ୍ୟାରେ ସୁରେଶ କିଛି ଦେଶୀ ଚିକେନ୍ ପାଇଁ ଅନ୍ ଲାଇନ୍ ରେ ଅର୍ଡର କରିଦେଲେ କାରଣ ବହୁଦିନ ପରେ ଶ୍ୱଶୁର ଓ ଶାଶୁ ତାଙ୍କ ଘରକୁ ଆସିଛନ୍ତି । ତାଙ୍କ ବାପା ମଧ୍ୟ ଚିକେନ୍ ଝୋଳ ଖାଇବାକୁ ଭାରି ଭଲ ପାଆନ୍ତି । ସୁରେଶ ଜଣେ ବନ୍ଧୁଙ୍କ ପାଖରୁ ଫୋନ୍ କଲ୍ ପାଇ କିଛି ସମୟ ପାଇଁ ବାହାରକୁ ଗଲେ । ଯିବା ସମୟରେ କହିଦେଇ ଗଲେ କି ଯଦି ମୋର ଫେରିବାରେ ଟିକେ ଡେରି ହୁଏ ସମସ୍ତଙ୍କୁ ଖାଇବାକୁ ଦେଇଦେବ ।

ପ୍ରାୟ ରାତି ନଅଟା ସୁଦ୍ଧା ସୁରେଶ ନଫେରିବାରୁ ଶୁଭଲକ୍ଷ୍ମୀ ନିଜ ବାପା ଓ ମାଆଙ୍କୁ ଡାଇନିଙ୍ଗ୍ ଟେବୁଲ୍ ରେ ଖାଇବା ବାଢିଦେଲେ ଏବଂ ଶ୍ୱଶୁରଙ୍କ ପାଇଁ ତାଙ୍କ ରୁମ୍ ରେ ଖାଇବା ଦେଇ ଆସିଲେ ।

        ହରେକୃଷ୍ଣ ବାବୁ ଖାଇ ସାରି ବେଡ୍ ଉପରେ ବସି ଶୋଇବା ପାଇଁ ଉପକ୍ରମ କରୁଛନ୍ତି । ଅଇଁଠା ଥାଳି ତଳେ ରୁମ୍ ମଝିରେ ସେମିତି ପଡି ରହିଛି । ଏହି ସମୟରେ ସୁରେଶ ଆସି ବାପାଙ୍କ ରୁମ୍ କୁ ପଶିଗଲେ ଓ ଖାଇ ସାରିଲଣି କି ନାହିଁ ପଚାରିଲେ । ହରେକୃଷ୍ଣ ବାବୁ କହିଲେ , " ହଁ ରେ ବାପା ଖାଇ ସାରିଲିଣି ଏବେ ଶୋଇଯିବି ।"

ଚିକେନ୍ ଝୋଳ କେମିତି ଲାଗିଲା ବୋଲି ସୁରେଶ ପଚାରିଲେ ।

ବହୁତ ଭଲ ଲାଗିଲା । ବୋନ୍ ଲେସ୍ ଚିକେନ୍ ମଗେଇଥିଲୁ ବୋଧେ । ଆତ୍ମା ଶାନ୍ତି ହୋଇଗଲା । ହରେକୃଷ୍ଣ ବାବୁଙ୍କର କଣ୍ଠ ବାଷ୍ପରୁଦ୍ଧ ହୋଇ ଆସୁଥାଏ । ସୁରେଶ ବାପାଙ୍କୁ କୋଳକୁ ଆଉଜେଇନେଲେ । ବାପା ସବୁ ଦିନ ପାଇଁ ଗାଢ ନିଦ୍ରାରେ ଶୋଇଗଲେ । ଅଇଁଠା ବାସନରେ ଖଣ୍ଡେ ହେଲେ ଚିକେନ୍ ର କଣ୍ଟା ନଥିଲା । ସୁରେଶ ସବୁ ବୁଝି ସାରିଥିଲେ ।

                  *****

       


Rate this content
Log in

Similar oriya story from Tragedy