Bauribandhu Lenka

Others

3.9  

Bauribandhu Lenka

Others

ହଳଦୀ ବସନ୍ତ ନମସ୍କାର

ହଳଦୀ ବସନ୍ତ ନମସ୍କାର

11 mins
275



କାହିଁକି କେଜାଣି କୋଇଲିଟା ଅନ୍ଧାରୁଆରୁ ତା ଉପରେ ତା ଉପରେ ବୋବେଇ ନିଦଟାକୁ ଭାଙ୍ଗିଦେଲା । ଯେତେ ଚେଷ୍ଟା କଲେ ବି ଆଉ ଶୋଇ ପାରିଲି ନାହିଁ । କାନ୍ଥଘଡି ଆଡେ ଦେଖିଲି ପାଞ୍ଚଟା ବାଜିବାକୁ ଦଶ ମିନିଟ୍ ବାକି ଅଛି । ଝରକା ଆଡକୁ ଦେଖିଲି ଫରଚା ଦିଶିଲାଣି । ବାଲକୋନୀ କବାଟ ଖୋଲି ବାଲକୋନୀରେ ଯାଇ ଠିଆ ହେଲି । ଆମ ଫ୍ଳାଟଟି ଚତୁର୍ଥ ମହଲାରେ ତଳେ ଠିକ୍ ଆମ ବାଲକୋନୀ ସାମ୍ନାରେ ଗୋଟିଏ ଉଚ୍ଚା ଚମ୍ପା ଗଛ । ବେଶି ଶାଖା ପ୍ରଶାଖା ନଥାଇ ଉପରକୁ ବଢିଯାଇଛି । ସୁନ୍ଦର ହଳଦିଆ ଫୁଲ ସବୁ ଫୁଟିବାକୁ ଊପକ୍ରମ କରୁଥାନ୍ତି । ହାଲୁକାଏ ସୁଲୁସୁଲିଆ ପବନ ଆସି ଦେହ ମନକୁ ପ୍ରଫୁଲ୍ଲିତ କରିଦେଲା । ଚମ୍ପାଗଛ ଡାଳରେ ହଳଦୀ ବସନ୍ତ ପକ୍ଷୀଟିଏ ବସି ଥିବାର ଦେଖି ସ୍ୱତଃସ୍ଫୁର୍ତ୍ତ ଭାବେ ପାଟିରୁ ବାହାରିଗଲା —

"ହଳଦୀ ବସନ୍ତ ନମସ୍କାର ତମର ଆମର କାଲି ସକାଳ" । ହଠାତ୍ ପ୍ରକୃତିସ୍ଥ ହୋଇ ଦେଖିଲି ପାଖରେ ଆଉ କିଏ ଅଛନ୍ତି କି ? କାହିଁ ପିଲାଦିନର ସେ କଥା — ସାଙ୍ଗ ମେଳରେ ଗଲାବେଳେ ହଳଦୀ ବସନ୍ତ, ଭଦ ଭଦଳିଆ, ନେଉଳ କି ଯୋଡି ବଣିଙ୍କୁ ଦେଖିଲେ ଆମେ ଏମିତି କହିଥାଉ ଆଉ ଏମାନେ ଦେଖା ହୋଇଗଲେ ସେ ଦିନଟି ଶୁଭ ହୋଇଥାଏ ବୋଲି ଆମର ବିଶ୍ୱାସ ରହିଥିଲା । ବାଲକୋନୀରୁ ଆସି ଡ୍ରଇଁ ରୁମ୍ ରେ ସକାଳ ଚା'ର ଅପେକ୍ଷାରେ ବସିଲି । ଏତେ ସକାଳୁ ଟିଭିଟା ଖୋଲି କେଁ କାଁ କରିବାକୁ ଆଦୌ ଇଚ୍ଛା ହେଉ ନଥାଏ । ପୂର୍ବଦିନର ଖବର କାଗଜଟି ଉପରେ ନଜର ପକାଉଥିବା ସମୟରେ ପତ୍ନୀ ଅଞ୍ଜଳି ଚା କପ୍ ଟି ଆଣି ସାମ୍ନା ଟି-ଯୟ ଉପରେ ରଖିକି କହିଲେ ," ଆଜି ବହୁତ ଶୀଘ୍ର ଉଠି ପଡିଛ ତ ସେଥିପାଇଁ ସକାଳ ଚା ଟା ଶୀଘ୍ର କରିଦଲି । ପିଇକି ଦେଖ ।" 

" ଆରେ ମୋର ତ ଆଉ ଶୋଇବାକୁ ଇଚ୍ଛା ହେଉଥିଲା ହେଲେ ସେ କୋଇଲିଟା ଆଜି ବୋଧେ ପାଗଳା ହୋଇ ଯାଇଛି — ଜମା ଶୁଆଇ ଦେଲାନାହିଁ । ଉଠିକରି ବାଲକୋନୀରେ ଠିଆ ହୋଇଛି ତ ଚମ୍ପା ଗଛରେ ହଳଦୀ ବସନ୍ତଟିଏ ବସିଥିବାର ଦେଖିଲି । ଆଜି କିଛି ଶୁଭ ଘଟଣା ଘଟି ପାରେ ବୋଲି ମୋ ମନ କହୁଛି ।"


"ତମେ କଣ ଏ ସବୁରେ ବିଶ୍ୱାସ କର ? " ବୋଲି ପଚାରିଥିଲେ ଅଞ୍ଜଳି ।

ଅଞ୍ଜଳିଙ୍କର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଥିଲି ," ବିଶ୍ୱାସ ଅବିଶ୍ୱାସର କଥା ନୁହେଁ । କେଉଁଠି ନା କେଉଁଠି ମନ ଭିତରେ ଏଭଳି କଥା ପ୍ରତି ଏକ ଦୁର୍ବଳତା ରହିଯାଇଛି । ଦେଖିଲେ କିଛି ସମୟ ପାଇଁ ମନ ଖୁସି ହୋଇଯାଇଥାଏ । କିଛି ଶୁଭ ଘଟଣା ଘଟୁ ବା ନ ଘଟୁ କିଛି ସମୟ ପାଇଁ ଏକ ସକାରାତ୍ମକ ମାଇଁଣ୍ଡ୍ ସେଟ୍ ତ ନିଶ୍ଚିତ ରହେ ।"

ଅଞ୍ଜଳି ମୋ ପାଖରୁ ଯାଇ ନିଜ କାମରେ ବ୍ୟସ୍ତ ହୋଇଗଲେ ଆଉ ମୁଁ ମୋର ନିତ୍ୟକର୍ମ ସାରିବା ପାଇଁ ବାହାରି ପଡିଲି ।


ସମୟ ପ୍ରାୟ ଅପରାହ୍ନ ଚାରିଟା ହେବ । ଦିନସାରା ଟିଭିରେ ବାତ୍ୟା ୟଶ୍ ସମ୍ବନ୍ଧରେ ତୁହାକୁ ତୁହା ସତର୍କତା ମୂଳକ ଖବର ପ୍ରସାରିତ ହେଉଥାଏ । ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହୋଇ ଏକବଡ ଧରଣର ବାତ୍ୟାର ରୂପ ନେଇଛି ଯାହା ଓଡିଶା ଊପକୂଳକୁ ତିନ ଦିନ ପରେ ଅତିକ୍ରମ କରିବ । ବହୁ ଧନ ଜୀବନ କ୍ଷତି ହେବାର ସମ୍ଭାବନା ଥିବାରୁ ତଳିଆ ଓ ସମୁଦ୍ର କୁଳ ଅଞ୍ଚଳରେ ବସବାସ କରୁଥିବା ଲୋକମାନଙ୍କୁ ନିରାପଦ ସ୍ଥାନ କିମ୍ବା ନିକଟରେ ଥିବା ବାତ୍ୟା ଆଶ୍ରୟ ସ୍ଥଳକୁ ଚାଲିଯିବା ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଉଥାଏ । ମଧ୍ୟାହ୍ନ ଭୋଜନ ପରେ ଅଞଳି ଟିକେ ଶୋଇଗଲେ ମୁଁ କିନ୍ତୁ ନ ଶୋଇକି ଗୋଟିଏ ବହି ପଢିବାରେ ବ୍ୟସ୍ତ ଥାଏ । ଅଞ୍ଜଳିଙ୍କ ନିଦ ଭାଙ୍ଗିଗଲା । ସେ ଟିକେ ଅଶ୍ୱସ୍ତି ବୋଧ କରୁଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ତାଙ୍କୁ କଷ୍ଟ ହେଉଥିଲା । ଦେହରେ ବି ଟିକେ ଉଷୁମ ଲାଗୂଥିଲା । ଜ୍ୱର ହେବାର ପୂର୍ବ ସୂଚନା ପରି ଲାଗୁଥିଲା । ପାଗରେ ପରିବର୍ତ୍ତନ ହୋଇଛି ବୋଲି ସେପରି ଲାଗୁଛି ବୋଲି କହିଲି ଅଞ୍ଜଳିଙ୍କୁ । ହେଲେ ମନଟା କେମିତି କେମତି ଲାଗୁଥାଏ । କରୋଣାର ଦ୍ୱିତୀୟ ଲହର ଚାଲିଛି । କାହାଠାରୁ ସଂକ୍ରମଣ ହୋଇନି ତ ? ପୁଣି ବାତ୍ୟା ହେବାର ଅଛି । ଘରେ ଥିବା ପାରାସିଟାମଲ୍ ଟାବଲେଟ୍ ଗୋଟିଏ ଆଣି ଅଞ୍ଜଳିଙ୍କୁ ଦେଇ ଖାଇନେବାକୁ କହିଲି । ଖାଇବାର କିଛି ସମୟ ପରେ ଦେହରୁ ଝାଳ ବୋହି ଭଲ ଲାଗିଲା । ହେଲେ ମନଟା ମୋର କେମତି କେମତି ଲାଗୁଥାଏ ।

ପୂର୍ବଦିନ ଅପେକ୍ଷା ଶୀଘ୍ର ଡିନର କରି ଶୋଇଯିବାର ପ୍ରସ୍ତୁତିରେ ମୁଁ ଥାଏ । ହଠାତ୍ ମୋର ଦେହ କମ୍ପି ଆସିଲା । ଥର୍ମୋ ମିଟରରେ ଦେଖିବାରୁ ୧୦୩ ଦେଖେଇଲା । ମୁଁ ମଧ୍ୟ ପାରାସିଟାମଲ ଗୋଟିଏ ଖାଇବା ପରେ ଉତ୍ତାପ କମ ହୋଇଥିଲା । ସକାଳ ହେଲେ ଯାହା ବ୍ୟବସ୍ଥା ହେବ ତେଣୁ ଶୋଇଯାଇଥିଲୁ ।


ପିଲାମାନେ ସମସ୍ତେ ଓଡିଶା ବାହାରେ ରହୁଛନ୍ତି

ସେମାନଙ୍କୁ ଆମର ଅସୁସ୍ଥତା ସମ୍ବନ୍ଧର ଜଣେଇବା ପାଇଁ ମନ ହେଉନଥାଏ । କରୋଣାର ସଂକ୍ରମଣ ସାରା ଦେଶରେ ଯେପରି ଭାୀଷଣ ଭାବରେ ଚାଲିଛି ସେମାନେ ଆମ କଥା ଶୁଣିଲେ ଆତଙ୍କିତ ହୋଇଯିବେ । ହେଲେ କଥା କେବେ ଲୁଚାଇ ହେବ ନାହିଁ । ପୁଅ ପ୍ରତ୍ୟେକ ଦିନ ଭିଡିଓ କଲ୍ କରେ । ସକାଳ ନଅଟା ସୁଦ୍ଧା ତା'ର କଲ୍ ଆସିଲା । ଆମର ଅସୁସ୍ଥତା ବିଷୟରେ ଜାଣିବା ପରେ ସେ ଦୁଇ ଝିଅଙ୍କୁ ଏ ବିଷୟରେ ଜଣେଇଦେଲା । ଭୁବନେଶ୍ୱରରେ ଆମେ ଦୁଇଜଣ ରହୁଥିଲୁ । ଆମ ପାଖରେ କେହି ନଥିବା ଦୃଷ୍ଟିରୁ ସେମାନେ ବହୁତ ବ୍ୟସ୍ତ ହୋଇ ପଡୁଥାନ୍ତି ।କୌଣସି ବୋଲହାକ କରିବା ପାଇଁ କି ଡାକ୍ତରଙ୍କ ପାଖକୁ ନେଇଯିବା ପାଇଁ କେହି ବି ନାହାନ୍ତି ।


ଅଞ୍ଜଳିର ସାନ ଭଊଣୀ କ୍ୟାପିଟାଲ୍ ହସପିଟାଲରେ କାମ କରେ । ତାକୁ କୋବିଡ୍ ଟେଷ୍ଟ୍ କରେଇବା ବିଷୟ କହିବାରୁ ସେ ଜଣେ ଷ୍ଟାଫଙ୍କୁ ବ୍ଲଡ୍ ନେବା ପାଇଁ ପଠେଇଲା । ହେଲେ ଦୁର୍ଭାଗ୍ୟ କୋଭିଡ ର RTPCR ଟେଷ୍ଟ୍ ସଂଗେ ସଂଗେ କରାଯାଇ ପାରିଲା ନାହିଁ । ବାତ୍ୟା ହେବାର ଥିବାରୁ ସରକାରଙ୍କ ନିର୍ଦ୍ଦେଶରେ ତିନିଦିନ ପାଇଁ କୋଭିଡ ଟେଷ୍ଟ୍ ବନ୍ଦ ରଖାଯାଇଥିଲା ।

ତେବେ କୋଭିଡ ଟେଷ୍ଟ୍ ନକରି କୋଭିଡ୍ ମେଡିସିନ୍ 

ଖାଇବା ଠିକ୍ ହେବନାହିଁ । ପିଲାମାନେ ବ୍ୟସ୍ତ ହୋଇ ସେମାନଙ୍କର ସାଙ୍ଗ ସାଥୀ ଯେଉଁମାନେ health line

ରେ କାମ କରୁଛନ୍ତି ତାଙ୍କର ମତାମତ ନେଲେ । କ୍ୟାପିଟାଲ ହସପିଟାଲରେ କାମ କରୁଥିବା ଶାଳୀ ମଧ୍ୟ

ତାଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କଲା । ମୋର ଜଣେ ଅନ୍ତରଙ୍ଗ ବନ୍ଧୁଙ୍କର ପୁଅ ମଧ୍ୟ ଡାକ୍ତର । ସେ ମୋ ନିକଟକୁ ଫୋନ୍ କରି ସମସ୍ତ କଥା ପଚାରି ବୁଝିଲେ । ଟେଷ୍ଟ ନ ହେଉ ପଛେ କୋଭିଡ ପାଇଁ ଯେଉଁ ସବୁ ମେଡିସିନ୍ ଖାଇବା ଦରକାର ସେ ସବକୁ ତୁରନ୍ତ ଆରମ୍ଭ କରିଦେବା ପାଇଁ କହିଲେ । ଟେଷ୍ଟ୍ କରିବା ଯେହେତୁ ତିନିଦିନ ପରେ ହେବ ସେ ପର୍ଯ୍ୟନ୍ତ ଔଷଧ ନଖାଇ ରହିବାଟା ଠିକ୍ ହେବନାହିଁ ବୋଳି ଡକ୍ଟରମାନେ ମଧ୍ୟ କହିଲେ । ଦୁଇଜଣ ଜାକ କୋଭିଡ ଔଷଧ ମଗେଇ ଖାଇବା ଆରମ୍ଭ କରିଦେଲୁ । ଅଞ୍ଜଳି ଯଦିଓ ଟିକିଏ ଭଲ ଅନୁଭବ କରୁଥାଏ, ମୋର ସେପରି କିଛି କମ୍ ହେଲା ପରି ଲାଗୁ ନଥାଏ । ଲଗାତାର ଭାବେ ଦେହରେ ଉତ୍ତାପ ରହିଥାଏ ଓ ଦେହମୁଣ୍ଡ ବିନ୍ଧାଛିଟିକା ହେଉଥାଏ । ତିନିଦିନ ପରେ ଦୁଇଜଣଙ୍କର କୋଭିଡ ପଜିଟିଭ୍ ବୋଲି ରିପୋର୍ଟ ଆସିଗଲା । ଘରେ ସଙ୍ଗରୋଧରେ ରହି ଔଷଧ ଖାଇବା ପାଇଁ ମୁଁ ମନସ୍ଥ କରିଥାଏ ଓ ଅଞ୍ଜଳିକୁ ମଧ୍ୟ ସେଇଆ କରିବାକୁ କହିଥାଏ । ହସପିଟାଲକୁ ଯିବା ସପକ୍ଷରେ ମୁଁ ଆଦୌ ନଥାଏ । ଛଅ ଦିନ ହେଲା ପରେ ବି ମୋର ଜ୍ୱର ଛାଡୁ ନଥାଏ । ପାଖରେ ନ ରହୁଥିବାରୁ ପିଲାମାନେ ବହୁତ ଆଶଙ୍କାରେ ସମୟ କଟାଉଥାନ୍ତି । ପ୍ରତିଦିନ କୌଣସି ନା କୌଣସି ପରିଚିତ ବ୍ୟକ୍ତିଙ୍କର ଦେହାନ୍ତ ହୋଇଯିବା ଖବର ମନକୁ ଅଧିକ ଆନ୍ଦୋଳିତ କରୁଥାଏ । ପୁଅ ଆମମାନଙ୍କର ହସପିଟାଲରେ ଆଡମିସନ୍ କରେଇବା ପାଇଁ ମୋର ସେହି ସାଙ୍ଗଙ୍କ ଡକ୍ଟର ପୁଅ ସହିତ ପରାମର୍ଶ କରୁଥାଏ । ଶେଷରେ ଆଉ ସମୟ ଅତିବାହିତ ହେବାକୁ ନଦେଇ ଏକ ଘରୋଇ ହସପିଟାଲରେ ଆମର ଆଡମିସନ୍ କରେଇ ଦେଲା । କେବଳ ପରଦିନ ସକାଳେ ଆମର ହସପିଟାଲ ଯିବାକୁ ଯାହା ବାକି ଥାଏ । ମୋର କିନ୍ତୁ ଯିବାକୁ ଆଦୌ ମନ ହେଉ ନଥାଏ । ହସପିଟାଲରେ ରହିବା କେତେକ ଦୃଷ୍ଟିରୁ ଭଲ ହେଲେ ବି ଅନ୍ୟ କେତେକ ଦୃଷ୍ଟିରୁ ଅତ୍ୟନ୍ତ ଭୟାନକ । ବିଭିନ୍ନ ବନ୍ଧୁମାନେ ଫୋନରେ କଥାହୋଇ ବଭିନ୍ ପ୍ରକାର ମତ ଦେଉଥାନ୍ତି । ପୁଅର ଅାଶଙ୍କା ଓ ମାନସିକ ସ୍ଥିତିକୁ ହୃଦୟଙ୍ଗମ କରି ମୁଁ ଅଞ୍ଜଳିଙ୍କୁ କହିଲି ଯେ ସେ ତ ଆଡମିସନ୍ କରେଇ ସାରିଲାଣି । ଆମେ ଆସନ୍ତା କାଲି ସକାଳେ ହସପିଟାଲ୍ କୁ ପଳେଇ ଯିବା । ଏଠାରେ ରହିଲେ ଆମର କଥା ବୁଝିବାକୁ କେହି ବି ଆସିବେ ନାହିଁ । ଔଷଧପତ୍ର ଓ ଖାଇବା ଇତ୍ୟାଦି ପାଇଁ କାହାକୁ କହିବା ? ହସପିଟାଲରେ ଏ ସବୁ ଚିନ୍ତା କିଛି ରହିବ ନାହିଁ । କେବଳ ଗୋଟିଏ ଅସୁବିଧା ଘରୋଇ ହସପିଟାଲମାନେ ବ୍ୟବସାୟିକ ଫାୟଦା ଉଠାଇବା ଲାଗି ରୋଗୀକୁ ଅନାବଶ୍ୟକ ଭାବେ ରଖିଥାନ୍ତି ।

ଶୋଇବା ପୂର୍ବରୁ ସବୁ ଜିନିଷ ପ୍ୟାକ୍ କରିଦେଲୁ । ସକାଳୁ ଆମ୍ବୁଲାନ୍ସ ଆସିଲେ ଯିବା କଥା । ଅନେକ ଆଶଙ୍କା ଓ ଚିନ୍ତା ମଧ୍ୟରେ ରାତ୍ରିଟି ପାହିଗଲା । ସକାଳ ନଅଟା ସୁଦ୍ଧା ଆମ୍ବୁଲାନ୍ସ ଆସି ପହଞ୍ଚିଗଲା । ଆପାର୍ଟମେଣ୍ଟ୍ ଗେଟ୍ ନିକଟର ରହି ଆମ୍ବୁଲାନ୍ସ ଡ୍ରାଇଭର ଆମକୁ ଯିବାପାଇଁ ଫୋନ୍ କରି କହିଲା । ବଡ ଶଳାର ପୁଅ ଖବର ପାଇ ଆମ ଘରେ ଆସି ପହଞ୍ଚି ଯାଇଥିଲା । ପୂଜାଘରେ ଠାକୁରଙ୍କ ନିକଟରେ ମୁଣ୍ତିଆ ମାରି ବାହାରିଲୁ । ପୁଣି ଫେରିବୁ କି ନାହିଁ କିଛି ନିଶ୍ଚିତତା ନଥିଲା । ଉପରୁ ତଳକୁ ଯାଇ ସେଇ ଚମ୍ପା ଗଛ ପାଖରେ ଥିବା ଗେଟ୍ ଦେଇ ବାହରକୁ ବାହାରିଲୁ । ହଳଦୀ ବସନ୍ତ ପକ୍ଷୀଟି ବୋଧେ ସେହି ଚମ୍ପା ଗଛରେ ବସିଥିଲା । ଆମ ମୁଣ୍ଡ ଉପର ଦେଇ ଉଡିଗଲା । ତା ଊପରେ ଦୃଷ୍ଟି ପଡୁ ପଡୁ ପାଟିରୁ ସ୍ୱତଃସ୍ଫୂର୍ତ୍ତ ଭାବେ ବାହାରି ପଡିଥିଲା " ହଳଦୀ ବସନ୍ତ ନମସ୍କାର , ତମର ଆମର କାଲି ସକାଳ ।" ହଳଦୀ ବସନ୍ତର ପୁଣି ଥରେ ଏପରି ଭାବେ ମୁଣ୍ଡ ଉପର ଦେଇ ଉଡିଯିବାଟା ମୋ ମନ ଭିତରେ ଏକ ଅଲଗା ଭାବନାର ସୂତ୍ରପାତ କରିଥିଲା । ଏହା କଣ ଶୁଭ ସୂଚକ ନା କିଛି ଅଘଟଣ ଘଟିବାର ପୂର୍ବାଭାଷ ? ସେଦିନ ମନେ ମନେ ଶୁଭଦିନ ବୋଲି ଭାବିଥିଲି ହେଲେ ସନ୍ଧ୍ୟା ସୁଦ୍ଧା ଦୁଇଜଣ ଯାକ

କରୋଣାରେ ଆକ୍ରାନ୍ତ ହୋଇଥିଲୁ । ଆଜି ହସପିଟାଲ ଗଲାବେଳକୁ ପୁଣି ସେଇ ହଳଦୀ ବସନ୍ତ ସହ ଦେଖା ହେଲା । ଦେଖାଯାଉ କଣ ହେଉଛି । ମୁଁ କିନ୍ତୁ ମନ ମଧ୍ୟରେ ବହୁତ ଦୃଢ ରହିଥାଏ ।


ହସପିଟାଲର ଏକ twin sharing cabin ରେ ଆମେ ପତି ପତ୍ନୀ ରହିଲୁ । ଅନେକ ଇଂଜେକ୍ସନ୍ ଓ ଔଷଧମାନ ଦେଇ ଡାକ୍ତର ଏବଂ ସେବିକାମାନେ ଆମର ଚିକିତ୍ସା ଆରମ୍ଭ କରିଦେଲେ । CT Scan ଓ ଅନ୍ୟାନ୍ୟ test ମାନ କରାଯାଇ ସେହି ଅନୁସାରେ ଇଂଜେକ୍ସନ୍ ଓ ଔଷଧମାନ ଦିଆଗଲା । ୨/୩ ଦିନ ମଧ୍ୟରେ ମତେ ଭଲ ହୋଇଗଲା ପରି ଅନୁଭବ ହେଉଥାଏ । ଡକ୍ଟରଙ୍କ ଭିଜିଟ୍ ସମୟରେ ଭଲ ଲାଗୁଛି ବୋଲି କହିଲି ଏବଂ ଡିଶ୍ଚାର୍ଜ କରିଦେବାକୁ ଅନୁରୋଧ କଲି । ଲୋକଟି ଆସୁ ଆସୁ ଯିବାକୁ ବାହାରିଲାଣି ଜାଣି ,ଡକ୍ଟର ବୋଧେ ମନେ ମନେ ହସୁଥିଲେ । କରୋଣା କଣ ଏତେ ସହଜରେ ଛାଡି ଚାଲିଯିବ !


ହସପିଟାଲର ପରିବେଶ ଅଲଗା ପ୍ରକାରର ଥିଲା ।

ସବୁବେଳେ ଏକ ଭୟର ବାତାବରଣ । କୋଭିଡ୍ ରୋଗୀମାନେ ଅତି serious ଅବସ୍ଥାରେ ଆସୁଥିଲେ । ପ୍ରତିଦିନ କେହି ନା କେହି ମୃତ୍ୟୁ ବରଣ କରୁଥିବା ଖବର କାନରେ ପଡୁଥିଲା । ତେବେ ଯମାଳୟରେ ଥାଇ ଯମକୁ ଭୟ କରିବା କଣ ଆବଶ୍ୟକ ? ସମସ୍ତେ ଦିନେ ନା ଦିନେ ମୃତ୍ୟୁ ପଥର ଯାତ୍ରୀ ହେବେ ଜାଣି ମଧ୍ୟ ଏପରି ଆତଙ୍କିତ ହେବା କଣ ଦରକାର ? ଅଞ୍ଜଳି ପ୍ରାୟ ସୁସ୍ଥ ହୋଇଗଲା ପରି ଲାଗୁଥାନ୍ତି । ଭଗବାନଙ୍କ କରୁଣାରୁ ଏକ ସମୟରେ ଦୁଇଜଣ ଯାକ ସଂକ୍ରମିତ ହେବାରୁ ଗୋଟିଏ tween sharing cabin ରେ ରହିପାରିଲୁ । ଅନ୍ୟ କୋଭିଡ ପେସଣ୍ଟଙ୍କର କେହି ବି ଆଟେଣ୍ଡାଣ୍ଟ୍ ଙ୍କୁ ରହିବାକୁ ଅନୁମତି ମିଳୁ ନଥିଲା । ଯା ହେଉ ଆମେ ଦୁଇଜଣ ପେସେଣ୍ଟ ହେବା ସହିତ ପରଷ୍ପରର ଆଟେଣ୍ଡାଣ୍ଟ ଭାବେ ଏକାଠି ରହିବାର ସୁବିଧା ପାଇଥିଲୁ ।

କଣ ସବୁ ଇଂଜେକ୍ସନ୍ ଓ ଔଷଧ ଦେଉଛନ୍ତି ସେ ବିଷୟରେ ଦିଦିଙ୍କ ପାଖରୁ ବୁଝିବା ପାଇଁ ପୁତୁରାକୁ କହିଥିଲି । ଜାଣିବାକୁ ପାଇଲି ମୋତେ ଷ୍ଟେରୟେଡ୍

ଇଂଜେକ୍ସନ ଦିଆ ଯାଉଅଛି । ଷ୍ଟେରୟେଡ୍ ସମ୍ବନ୍ଧରେ ମୋର ଆଗରୁ ଏକ ତିକ୍ତ ଅନୁଭୂତି ରହିଥିବାରୁ ମୁଁ ଟିକେ ଭୟଭୀତ ହୋଇଗଲି । ଏ ସମ୍ବନ୍ଧରେ ମୁଁ ମୋର ବନ୍ଧୁଙ୍କର ପୁଅ ଡକ୍ଟର ଟୁଟୁ ସହିତ କଥାହେଲି । ସେ ସବୁ ଇଂଜେକ୍ସନ୍ ସମ୍ବନ୍ଧରେ ଜାଣିଲା ପରେ କହିଲା ଯେ ଯାହା ବି ଦିଆ ଯାଉଛି ସବୁ କୋଭିଡ୍ treatment protocol ଭିତରେ ରହିଛି । ଷ୍ଟେରୟେଡ୍ ଦେବା ଏହି treatment ର ଏକ ଅଂଶବିଶେଷ । ତେଣୁ ଭୟ କରିବାର କିଛି କାରଣ ନାହିଁ । ସେ ମତେ ମନ ଦୃଢ ରଖିବା ପାଇଁ କହିଲା । ଆଗକୁ ଆସୁଥିବା କିଛିଦିନ ଅତି

ସଂକଟପୂର୍ଣ୍ଣ ତେଣୁ ମନ ଦୃଢ ରଖିବା ନିହାତି ଆବଶ୍ୟକ ।

ଷ୍ଟେରୟେଡ୍ କଣ ସବୁ side effect ରହିଛି ଜାଣିବା ପାଇଁ google search କଲି । Eye related disorder, mental disturbances, hormonal changes ସହିତ ଆଉ କେତେକ side effect ରହିଥିବା ବିଷୟରେ ଜାଣିବାକୁ ପାଇଲି । ହେଲେ ଏ ରୋଗ ପାଇଁ ଏହାକୁ ନେବାକୁ ପଡିବ । ଏହି side effect ବିଷୟରେ ଜାଣିବା ପରେ ଏକ ଅଦ୍ଭୂତ ପରସ୍ଥିଥି ଘଟିଥିଲା ସେହି ହସ୍ପିଟାଲରେ ।


ସେଦିନ ସନ୍ଧ୍ୟାରେ ମୋର ଅକ୍ସିଜେନ୍ ଲେବଲ୍ କମ୍ ହେବାକୁ ଆରମ୍ଭ କଲା । ଆଗରୁ ୯୭/ ୯୮ ଦେଖେଉ ଥିଲା କିନ୍ତୁ ହଠାତ୍ ତାହା୯୦/ ୯୧ କୁ କମି ଆସିଲା । ଅକ୍ସିଜେନ୍ ପାଇପ୍ ଲଗେଇବା ପାଇଁ ଡକ୍ଟର ଦିଦିମାନଙ୍କୁ କହିଦେଇଗଲେ । ସାରା ରାତି ଲାଗିବ । ସକାଳ ହେଲେ ପୁଣି ଅକ୍ସିଜେନ୍ ଲେବେଲ୍ ଟେଷ୍ଟ୍ କଲା ପରେ ଯାହା ଅବଶ୍ୟକ ତାହା କରାଯିବ । ଅକ୍ସିଜେନ୍ ଲେବେଲ୍ କମିବା ଦେଖି ମତେ ବହୁତ ଛାନିଆ ଲାଗୁଥାଏ । ଅଞ୍ଜଳି ସେ ରାତିରେ ତା ବେଡ୍ ରେ ନ ଶୋଇ ମୋ ବେଡ୍ ପାଖରେ ପଡିଥିବା ଆଟେଣ୍ଡାଣ୍ଟ୍ ବେଡ୍ ରେ ଶୋଇଲେ । କାଳେ ରାତିରେ ନିଦରେ ଅକ୍ସିଜେନ୍ ପାଇପ୍ କୁ କାଢିକୁଢା ଦେବି ସେଇ କଥା ଭାବି ସେ ନିଜ ବେଡ୍ ରେ ନ ଶୋଇ ମୋ ବେଡ ପାଖ ଆଟେଣ୍ଡାଣ୍ଟ୍ ବେଡ୍ ରେ ବିଶ୍ରାମ କଲେ । ଯାହା ଘଟିବାର ଥିବ ଯେତେ ସାବଧାନ ରହିଲେ ବି ତାକୁ କେହି ଅଟକେଇ ପାରିବେ ନାହିଁ । ରାତିରେ ଅଞ୍ଜଳିକୁ ନ ଡାକି ମୁଁ ଅକ୍ସିଜେନ୍ ପାଇପ୍ ନିଜେ କାଢି ଦେଇ ଟୟଲେଟ୍ ଯାଇଛି ଏବଂ ସେଠାରୁ ଫେରି ବେଡ୍ ନପାଇ

ଆଉଜା ହୋଇଥିବା ଦ୍ୱାରମୁହଁ କବାଟକୁ ଖୋଲି ବାହାରକୁ ପଳେଇ ଆସିଛି । କେବଳ ଲୁଙ୍ଗିଟିଏ ପିନ୍ଧିଛି । ଦେହରେ ଆଉ କିଛି ବି ବସ୍ତ୍ର ନାହିଁ । କିଛି ନ ଭାବି ନ ଚିନ୍ତି ମୁଁ ଦ୍ୱିତୀୟ ମହଲାରୁ ତଳକୁ ଶିଡିରେ ଓହ୍ଲେଇ ପ୍ରଥମ ମହଲାର କରିଡର୍ ରେ ଆଗକୁ ଆଗକୁ ଚାଲିଛି । ଉପର ମହଲାର ସୁରକ୍ଷାକର୍ମୀ ଢୁଳେଇବାର ବ୍ୟସ୍ତ ଥିବାରୁ ମତେ କିଛି କହିଲେ ନାହିଁ । ତଳ ମହଲାର ପ୍ରଥମ ସୁରକ୍ଷାକର୍ମୀ ମତେ ଦେଖି କିଛି କହିଲେ ନାହିଁ । ଆଗକୁ କିଛି ବାଟ ଯିବା ପରେ ଆଉ ଜଣେ ସୁରକ୍ଷାକର୍ମୀ ମତେ ଅଟକେଇ କୁଆଡେ ଯାଉଛ ବୋଲି ପଚାରିଲେ । ସେତେବେଳେ ମୋ ମୁଣ୍ଡରେ କିଛି ନଥାଏ । ପୂରା blank । ମୁଁ କୁଆଡେ ଯାଉଛି କେଉଁଠିକି ଆସିଥିଲି କିଛି ମନେ ପଡୁ ନଥାଏ । ସେ ବାରମ୍ବାର ମତେ ପଚାରି ଚାଲିଥାନ୍ତି । ଶେଷରେ ମୁଁ ତାଙ୍କୁ କହିଲି ଯେ ବୋଧେ ଏ ବିଲ୍ଡଙ୍ଗି ପାଖରେ ଅନ୍ୟ ଏକ ବିଲ୍ଡଙ୍ଗିରେ ମୁଁ ରହୁଛି । ଭୁଲରେ ଏ ବିଲ୍ଡଙ୍ଗି ଭିତରକୁ ପଶି ଆସିଛି । ଅନ୍ୟ ବିଲ୍ଡଙ୍ଗିର ନାମ ପଚାରିବାରୁ ମୁଁ ତାଙ୍କୁ କହିଲି ସେଇଟି ଗୋଟିଏ ହଲ୍ । ସେଥିରେ ସାହିତ୍ୟିକ ତଥା ସାଂସ୍କୃତିକ କାର୍ଯ୍ୟକ୍ରମମାନ ହୋଇଥାଏ । ହଁ ସେଇଟା ଚିତ୍ରକୁଟ ଆଶ୍ରମ ପାଖରେ ଅଛି । ମୋର ଏପରି ଭୁଲ୍ ଭାଲ କଥା ଶୁଣି ସେ ସୁରକ୍ଷା କର୍ମୀ ମନେ ମନେ ବିରକ୍ତ ହୋଇଗଲେ । ସେ ମତେ ପଚାରିଲେ ଏବେ ଏମିତି ଲୁଙ୍ଗି ଖଣ୍ଡେ ପିନ୍ଧି କୁଆଡେ ଯାଉଛନ୍ତି ? ମୁଁ ତାଙ୍କୁ କହିଲି କି ମୁଁ ଟୟଲେଟ୍ ରୁ ବାହାରିବା ପରେ ମୋ ବେଡ୍ ଖୋଜୁଛି କିନ୍ତୁ ପାଉନି । ସେ ବେଡ୍ ନମ୍ବର ପଚାରିବାରୁ ମୁଁ D-2 ର ୨୫୭ ବୋଲି କହିଲି । ସେ ସଙ୍ଗେ ସଙ୍ଗେ ଆଣି ମୋତେ ସେଠାରେ ପହଞ୍ଚାଇଥିଲେ । ସେଠାର ଥିବା ସିଷ୍ଟରମାନେ ଓ ସୁରକ୍ଷାକର୍ମୀ ଏକ ସମୟରେ ପଚାରବାକୁ ଆରମ୍ଭ କରିଦେଲେ," କେମିତି ଆପଣ ବେଡ୍ ଛାଡି ବାହାରକୁ ପଳେଇ ଯାଉଛନ୍ତି ?" ସେ ପର୍ଯ୍ୟନ୍ତ ମୁଁ କିଛି ବି ବୁଝି ପାରୁ ନଥାଏ । ଅଞ୍ଜଳି ବି ସେଠାରେ ଠିଆ ହୋଇଥାଏ । ସେ ମଧ୍ୟ ବ୍ୟସ୍ତ ହୋଇ ପଚାରିଲେ କୁଆଡେ ଯାଇଥିଲ ବୋଲି । କିଛି ମନେ ପଡୁ ନଥିବାରୁ ମୁଁ ପଚାରିଲି ଏବେ ମୁଁ କେଉଁଠାରେ ଅଛି ? ସେ କଳିଙ୍ଗ ହସ୍ପିଟାଲ ବୋଲି କହିବାରୁ ମୋର ସବୁ ମନେ ପଡିଗଲା । ବୋଧହୁଏ ଏ ସବୁ ସେହି ଷ୍ଟେରୟେଡ୍ ଇଂଜେକ୍ସନ୍ ର side effect ବିଷୟରେ

ବେଶି ଭାବିକରି ଶୋଇବାରୁ ଘଟିଲା ବୋଲି ଭାବିଲି ।


ହସ୍ପିଟାଲରେ ରହିବା ଛଅ ଦିନ ହୋଇ ସାରିଥାଏ । ଅକ୍ସିଜେନ୍ ଲେବେଲ୍ କ୍ରମାଗତଭାବେ କମିବା ହେତୁରୁ ମୁଁ ଡିଶ୍ଚାର୍ଜ ହୋଇ ଯିବାକୁ ଡାକ୍ତରଙ୍କୁ କହିପାରୁନଥାଏ । ଅଞ୍ଜଳି କିନ୍ତୁ ମଝିରେ ମଝିରେ କହିଦେଉଥାନ୍ତି କି ଏମାନେ ଜାଣି ଶୁଣି ଲିଙ୍ଗର କରିବା ଉଦ୍ଦେଶ୍ୟରେ ଏ ସବୁ ଇଂଜେକ୍ସନ୍ ଦେଉଛନ୍ତି । ମୁଁ କିନ୍ତୁ ଏପରି ନ କହିବାକୁ ତାଙ୍କୁ କହୁଥାଏ । ରେମ୍-ଡିସିଭିର୍ ପାଞ୍ଚଟି ଡୋଜ୍ ହୋଇଗଲା ପରେ ବ୍ଲଡ୍ ଟେଷ୍ଟ ଓ ଲଙ୍ଗ୍ସ x-ray କରି ଦେଖିବେ । ସବୁ ଠିକ୍ ଠାକ୍ ଥିଲେ ଡିଶ୍ଚାର୍ଜ କରିଦେବେ ବୋଲି ଡକ୍ଟର କହିଥିଲେ ।


ରେମ୍-ଡିସିଭିର୍ ଆଉ ଦୁଇଟି ଡୋଜ୍ ବାକି ଥାଏ । ଦୁଇ ଦିନ ଭିତରେ ଯଦି ଅକ୍ସିଜେନ୍ ଲେବେଲ୍ ନ ବଢେ , ହସ୍ପିଟାଲରୁ ଡିଶ୍ଚାର୍ଜ ହେବା ଆହୁରି ଡେରି ହେବ । ମନେ ମନେ ପ୍ରଭୁ ବାଲୁଙ୍କେଶ୍ୱରଙ୍କୁ ଡାକି ଚାଲିଥାଏ । ପ୍ରଭୁ ମୋ କଥା ଶୁଣିଲେ ପରଦିନ ଅକ୍ସିଜେନ୍ ଲେବେଲ୍ ଧୀରେ ଧୀର ବଢିବାକୁ ଆରମ୍ଭ କଲା ଓ ୯୭/୯୮ ଦେଖେଇଲା । ଆଶା ଆଉ ନିରାଶାର ଏହି ଦୋଛକିର କେତେବେଳେ ଏ ଜୀବନ ମୃତ୍ୟୁକୁ ଚ୍ୟାଲେଞ୍ଜ୍ କରୁଥାଏ ତ ପୁଣି କେତେବେଳେ ତାର ଶୀତଳ ପଞ୍ଝା ଆଡକୁ ଟାଣି ହୋଇ ଯାଉଥାଏ ।

ମୋର ବନ୍ଧୁଙ୍କ ପୁଅ ଡକ୍ଟର ଟୁଟୁ ମଝିରେ ମଝିରେ ଫୋନ୍ କରି ସବୁ ବିଷୟ ବୂଝୁଥାଏ । ମୁଁ ଟିକେ ଡରି ଯିବା ବିଷୟରେ ସେ ତା ବାପାଙ୍କ ଠାରୁ ଶୁଣି ମୋ ପାଖକୁ ଫୋନ୍ କରିଥିଲା । ପଚାରିଲା, " ଅଙ୍କଲ୍ କେମତି ଫିଲ୍ କରୁଛନ୍ତି ?" ସବୁ ଠିକ୍ ଅଛି ବୋଲି କହିଲି ହେଲେ ଅକ୍ସିଜେନ୍ ଲେବେଲ୍ କମ୍ ବେଶି ହେବା ମୋ ପାଇଁ ଭୟର କାରଣ ହୋଇଛି ବୋଲି କହିଲି । ସେ ମତେ ଆଦୌ ଭୟ ନକରିବା ପାଇଁ କହିଥିଲା ଏବଂ ଏହି ସବୁ situation କୁ ଆଖିରେ ରଖି hospitalise କରିବାକୁ ସେ କହିଥିଲା ବୋଲି କହିଲା । ଆଉ କିଛି ଅସୁବିଧା ହେବନାହିଁ । ଆପଣମାନେ ଆଉ ଦୁଇଦିନ

ପରେ ଡିଶ୍ଚାର୍ଜ ହୋଇ ଘରକୁ ଫେରିଯିବେ ବୋଲି ଆଶ୍ୱାସନା ଦେଇଥିଲା । ତାହା ହିଁ ହୋଇଥିଲା । ଦୁଇଦିନ ପରେ ଆମକୁ ଡକ୍ଟର ଡିଶ୍ଚାର୍ଜ କରିଦେଇଥିଲେ । ପୁତୁରା ଲକି ଆମର ବ୍ୟାଗ୍ ଇତ୍ୟାଦି ଯାହାଥିଲା ଧରି

ଗାଡି ପାଖକୁ ନେଇକରି ଆସିଲା । ଗାଡି ଠିକ୍ ଛାଡିବା ସମୟରେ ପାଖ ଗଛରୁ ହଳଦୀ ବସନ୍ତ ପକ୍ଷୀଟିଏ ଗାଡି ସାମ୍ନାଦେଇ ଉଡି ଯାଇଥିଲା ଏବଂ ପାଟିରୁ ମୋର ବାହାରି ଆସିଥିଲା ପିଲାଦିନର ସହି ପୁରୁଣା ପଦଟି

"ହଳଦୀ ବସନ୍ତ ନମସ୍କାର ,ତମର ଆମର କାଲି ସକାଳ। " ଅଞ୍ଜଳି ମଧ୍ୟ ସ୍ୱତଃସ୍ଫୂତ୍ତ ଭାବେ କହି ପକେଇଥିଲେ , " ଜାଣିଛ ଆମକୁ ମାଆ ହଳଦୀ ବଦନୀ ସୁଭଦ୍ରେ ହିଁ ତାଙ୍କ ପଣତରେ ଘୋଡେଇ ରଖିଛନ୍ତି । କରୋଣାରେ ପୀଡିତ ହେବା ଦିନଠାରୁ ସେ ଆମକୁ ଦର୍ଶନ ଦେଉଛନ୍ତି ଏବଂ ରକ୍ଷା କରିଛନ୍ତି ହେଲେ ଏ ଚର୍ମ ଚକ୍ଷୁ ଏତେ କଥା ଜାଣିପାରୁଛି କେଉଁଠି ? ଅଞ୍ଜଳିଙ୍କ ଦୁଇପଦ କଥା ହୃଦୟକୁ ଛୁଇଁ ଯାଇଥିଲା । ହାତ ଦୁଇଟି ମୋର ସ୍ୱତଃ ଯୋଡି ହୋଇଯାଇଥିଲା ସେଇ ମାଆଙ୍କ ଉଦ୍ଦେଶ୍ୟରେ ।



Rate this content
Log in