ରଜତ ଜ୍ୟୋତ୍ସ୍ନା
ରଜତ ଜ୍ୟୋତ୍ସ୍ନା
ଶୀତଦିନିଆ ରାତି । ଅନ୍ଧାରୁଆରୁ ଉଠି ରଘୁଆ ଦାଆଟିଏ ଧରି ବାହାରି ପଡିଲା ଧାନ କାଟିବା ପାଇଁ ଯିବାକୁ । ଜୋର ଜାଡ଼ ପଡ଼ିଥିଲେ ବି ଯିବାକୁ ପଡ଼ିବ । ଚଦରଟିକୁ ଦେହରେ ପକେଇ ଗାମୁଛାଟିକୁ ମୁଣ୍ଡରେ ଭିଡ଼ି, ବିଡ଼ି ଖଣ୍ଡେ ଟାଣି ଟାଣି ଚାଲିଲା ବିଲ ଆଡ଼େ । ରାତିରେ କାକର ପଡ଼ି ଧାନଗଛ ନରମ ହୋଇ ଯାଇଥିବ । କାଟିଲେ ଧାନ ଝଡ଼ିବ ନାହିଁ । ଖରା ପଡ଼ିଗଲେ ଆଉ କାଟିହେବ ନାହିଁ । ସକାଳ ଆଠଟା ବାଜିଲା ବେଳକୁ ଗୋଟାଏ କିଆରି ମୂଳ ପକେଇ ଦେଇ ଘରକୁ ଫେରିଲା । ଘରେ ନିତ୍ୟକର୍ମ ସାରି ହାଜର ହୋଇଗଲା ଯାଇ ମାଲିକ ଘରେ । ମାଲିକ ହରେକୃଷ୍ଣ ବାବୁଙ୍କ ବୟସ ଷାଠିଏ ଟପିଲାଣି । ବାରଣ୍ଡାରେ ଚେୟାର ଉପରେ ବସିଥାନ୍ତି । ରଘୁଆକୁ ଦେଖି କହିଲେ,”କଣ ଆସିଗଲୁ ।"
"ହଁ ବାବୁ ଅନ୍ଧାରୁଆରୁ ଉଠିକି ଯାଇଥିଲି । ବାଙ୍କୀ କିଆରିଟା ମୂଳ ପକେଇ ନିତ୍ୟକର୍ମ ସାରି ଆସିଲି ।"
ହରେକୃଷ୍ଣ ବାବୁ ଖୁସିହୋଇ କହିଲେ,”ହଉ ବସ ଵସ, ମୁଁ ତୋ ମାଆକୁ ଡ଼ାକୁଛି ।"
"ଆରେ ସେ ରଘୁଆ ଆସିଲାଣି । ତା କଥା କଣ ବୁଝ ।”
ହରେକୃଷ୍ଣ ବାବୁଙ୍କ ସ୍ତ୍ରୀ ବହୁତ ସ୍ନେହୀ । ରଘୁଆର କାମଦାମ ଦେଖି ସେ ତାକୁ ବହୁତ ଭଲ ପାଆନ୍ତି । ରଘୁଆ ତାଙ୍କୁ ମାଆ ଭଳି ମାନିଥାଏ । ଭଲମନ୍ଦ ପୁନିଅ ପରବରେ ରଘୁଆର ଘରେ କିଛି ବି ରୋଷେଇବାସ ହୁଏ ନାହିଁ । ପୂର୍ବ ଦିନ ମାଆ ରଘୁଆକୁ କହିଦିଅନ୍ତି, "ସ୍ତ୍ରୀ ଓ ପିଲାକୁ ଧରି କାଲି ଆମ ଘରକୁ ପଳେଇ ଆସିବୁ ।'“
ରଘୁଆ ମଧ୍ୟ ମାଆଙ୍କ କଥା ଅକ୍ଷରେ ଅକ୍ଷରେ ପାଲନ କରିଥାଏ ।
ହରେକୃଷ୍ଣ ବାବୁଙ୍କ କଥା ଶୁଣି ମାଆ ପଖାଳ ସାଙ୍ଗରେ ଆମ୍ବୁଲ ଖଟା ଓ ପିଆଜ ଆଣି ଥୋଇଦେଲେ । ଗାଆଁରେ ପ୍ରାୟ ସମସ୍ତଙ୍କ ଘରେ ସକାଳୁ ପଖାଳ ଖାଇଥାନ୍ତି । ଖରା, ବର୍ଷା କି ଶୀତଦିନ ହୋଇଥାଉ ପଛେ କିଛି ଫରକ ପଡେ ନାହିଁ । ରଘୁଆ ଆମ୍ବୁଲ ଖଟାରେ ପିଆଜକୁ ଦଳି ପଖାଳ କଂସାଟା ଖାଇଦେଲା । ଆଗରୁ ଯେଉଁସବୁ ଧାନ କଟା ହୋଇଥିଲା ତାକୁ ଦୋକାଟ କାଟି ହଳା ଓ ନଡ଼ା ସବୁ ବାଡ଼ି ଖଳାକୁ ଆଣିବାର ଥାଏ । ବାବୁଙ୍କୁ ଦୋକାଟ କାଟିବାକୁ ଯାଉଛି ବୋଲି କହି ରଘୁଆ ବାହାରି ପଡ଼ିଲା । ହେଲେ ହରେକୃଷ୍ଣ ବାବୁ ଜାଣନ୍ତି ଯେ ଏତେ ଗୁଡ଼ାଏ ଧାନ ଏକା ଏକା ଦୋକାଟ କାଟି ହଳା ଓ ନଡ଼ା ସବୁ ଶଗଡ଼ରେ ନଦି ବାଡ଼ି ଖଳାକୁ ଆଣିବା ସମ୍ଭବ ନୁହେଁ । ସେ ରଘୁଆକୁ କହିଲେ,"ବାଉରୀ ସାଇକୁ ଯାଇ ଗୋଟିଏ ମଜୁରିଆ ନେଇଯା । ସେ ତୋତେ ସାହାଯ୍ୟ କରିବ । ତୁ ଏକା ସବୁ କରି ପାରିବୁ ନାହିଁ ।”
ରଘୁଆ କହିଲା,"ବାବୁ କାଲି ରାତିରେ ଯୋଗାଡ଼ କରିଥିଲେ ହୋଇଥାନ୍ତା । ଏବେ କଣ ଆଉ ଲୋକ ମିଳିବେ । ତଥାପି ଯାଉଛି ଚେଷ୍ଟା କରିବି । ଯଦି ନ ମିଳିବେ ମୋ ସ୍ତ୍ରୀକୁ ନେଇଯିବି । ସେ ଟିକିଏ ସାହାଯ୍ୟ କରିଦେଲେ ହୋଇଯିବ । ସେ ତ ସମୟେ ସମୟେ ୟା ତା ଘରେ ଯାଇ ଘର କାମ କରୁଛି ।"
ରଘୁଆ ସେଦିନ ଲୋକ ନ ପାଇ ସ୍ତ୍ରୀକୁ ଘର କାମ ସାରି ତା ପାଖକୁ ଯିବାଲାଗି କହି ବିଲକୁ ଚାଲିଗଲା ।
ରଘୁଆର ସ୍ତ୍ରୀ ଘର କାମ ସାରିଲ ପରେ ପୁଅକୁ ସଙ୍ଗରେ ନେଇ ରଘୁଆ ପାଖରେ ପହଞ୍ଚିଗଲା । ପୁଅକୁ ତା'ର ଏଇ ଫଗୁଣକୁ ପାଞ୍ଚ ବର୍ଷ ପୁରିଯିବ । ଆଷାଢ଼ ମାସରେ ପଢ଼ା ଆରମ୍ଭ ହେଲେ ସ୍କୁଲରେ ତା'ର ନାଆଁଟା ଲେଖେଇ ଦେବ । ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ପୁଅଟିକୁ ପାଠ ପଢେଇ ମଣିଷ କରିବା ପାଇଁ ଇଚ୍ଛା,ହେଲେ ଭଗବାନଙ୍କର ଯାହା ବରାଦ ଥିବ ବୋଲି ରଘୁଆ ସ୍ତ୍ରୀ ସୁଲି କଥା ଛଳରେ କହିଥାଏ ।
ସ୍ୱାମୀ ସ୍ତ୍ରୀ ଦୁଇଜଣ ସେଦିନ ଲାଗିପଡି ସବୁ ହଳା ଓ ନଡ଼ା ଶଗଡ଼ରେ ବୋହି ଆଣି ଖଳାରେ ଗଦା କରିଦେଲେ । ହରେକୃଷ୍ଣ ବାବୁ ରଘୁଆର କାମ ଦେଖି ତା ଉପରେ ବହୁତ ଖୁସି । ସମୟେ ସମୟେ ଯଦିଓ ସେ କାହା ଉପରେ ରାଗି ଯାଇ ତାନିକରି କଥା ହୋଇଥାନ୍ତି, ରଘୁଆ ଉପରେ ସେପରି କେବେ ରାଗି ନାହାନ୍ତି । ରଘୁଆ ମଧ୍ୟ ତାଙ୍କ ମନକୁ ଠିକ୍ ଭାବେ କଳିଛି । ତେଣୁ ସେ ସେପରି କିଛି କାମ କରିନି ଯେଉଁଥି ପାଇଁ ସେ ତା ଉପରେ ରାଗିବେ ।
ରଜ ପରେ ପରେ ସ୍କୁଲ ସବୁ ଖୋଲିଲା । ରଘୁଆ ତା'ର ପୁଅ ରଜତର ସ୍କୁଲରେ ନାମ ଲେଖେଇବା କଥା । କେମିତି କଣ କରିବ ତାକୁ ଜଣାନାହିଁ । ତେଣୁ ସେ ପୁଅକୁ ସଙ୍ଗରେ ନେଇ ହରେକୃଷ୍ଣ ବାବୁଙ୍କ ପାଖରେ ପହଞ୍ଚିଗଲା । ବାପ ପୁଅ ଉଭୟଙ୍କୁ ଆସିଥିବା ଦେଖି ହରେକୃଷ୍ଣ ବାବୁ ପଚାରିଲେ,”ଆରେ ସକାଳୁ ସକାଳୁ କଣ ପୁଅକୁ ଧରି ଆସି ପହଞ୍ଚିଗଲୁଣି ।"
ରଘୁଆ କହିଲା,' ବାବୁ ଆଜି ସ୍କୁଲ ଖୋଲୁଛି ତ ଭାବୁଥିଲି ତା'ର ନାଆଁଟା ଲେଖେଇ ଦେଇଥାନ୍ତି । ମୁଁ ସିନା ମୂର୍ଖ ହେଲି, ହେଲେ ପୁଅଟିକୁ କଣ ମୂର୍ଖ କରିବି । ଆଜିକାଲି ଯୁଗରେ ପାଠ ଦି ଅକ୍ଷର ନ ପଢ଼ିଲେ ମଣିଷରେ କେହି ଗଣିବେ ନାହିଁ ।
ରଘୁଆର କଥା ଶୁଣି ହରେକୃଷ୍ଣ ବାବୁ କହିଲେ, “ହଁ ଠିକ୍ କହିଛୁ । ତୁ ମୂର୍ଖ ହେଲୁ ବୋଲି କଣ ପୁଅଟିକୁ ମୂର୍ଖ କରିବୁ। ଆମ ଜ୍ୟୋତ୍ସ୍ନାର ବି ତ ଏ ବର୍ଷ ନାଁ ଲେଖା ହେବା କଥା ।”ଜ୍ୟୋତ୍ସ୍ନା ତାଙ୍କର ନାତୁଣୀ । ରଘୁଆକୁ ମାଆଙ୍କୁ ଡ଼ାକିବାକୁ କହିଲେ ହରେକୃଷ୍ଣ ବାବୁ । ମାଆ ଆସି ସବୁ ଜାଣିଲା ପରେ ଜ୍ୟୋତ୍ସ୍ନାକୁ ସଜବାଜ କରି ନେଇକରି ଆସିଲେ । ହରେକୃଷ୍ଣ ବାବୁ, ରଘୁଆ, ରଜତ ଓ ଜ୍ୟୋତ୍ସ୍ନା ସମସ୍ତେ ଗାଆଁ ଠାରୁ ପ୍ରାୟ ଅଧା କିଲୋମିଟର ଦୂର ୟୁ଼ପି ସ୍କୁଲରେ ଯାଇ ପହଞ୍ଚିଗଲେ । ହରେକୃଷ୍ଣ ବାବୁଙ୍କ ର ସେ ଗାଆଁରେ ଭାରି ଖାତିରି । ସ୍କୁଲର ପ୍ରଧାନ ଶିକ୍ଷକ ତାଙ୍କୁ ନମସ୍କାର ଜଣାଇ ବସିବା ଲାଗି ଚେୟାର ଦେଲେ । ରଘୁଆ ଓ ପିଲାମାନେ ପ୍ରଧାନ ଶିକ୍ଷକଙ୍କ ଅଫିସ ବାହାରେ ପଡ଼ିଥିବା ବେଞ୍ଚ ଉପରେ ବସିଲେ । କିଛି ସମୟ ପରେ ପ୍ରଧାନ ଶିକ୍ଷକ ରଘୁଆ ଓ ପିଲାମାନଙ୍କୁ ଡ଼କାଇଲେ । ପିଲାମାନଙ୍କ ସହିତ କଥାବାର୍ତ୍ତା ହେଲେ । ପ୍ରାୟ ଅଧଘଣ୍ଟାଏ ଭିତରେ ନାମଲେଖା କାମ ସରିଗଲା । ଘରୋଇ ସ୍କୁଲ ହୋଇଥିଲେ କେତେ ପ୍ରକାର ପଚରାଉଚରା ପରୀକ୍ଷା ଓ ତା ସାଙ୍ଗକୁ ସ୍କୁଲ ପାଇଁ କିଛି ଡୋନେସନ୍ ଦେବାକୁ ପଡ଼ିଥାନ୍ତା । ସେ ଯାହା ହେଉ କାମ ସାରି ସମସ୍ତେ ଘରକୁ ଫେରିଲେ । ରଜତ ଓ ଜ୍ୟୋତ୍ସ୍ନା ଇତି ମଧ୍ୟରେ କଥାବାର୍ତ୍ତା ହୋଇ ସାଙ୍ଗ ହୋଇଗଲେ । ପ୍ରତିଦିନ ସାଙ୍ଗ ସ୍କୁଲକୁ ଯିବାକୁ ସ୍ଥିର କରିନେଲେ ।
ହରେକୃଷ୍ଣ ବାବୁଙ୍କର ଗୋଟିଏ ମାତ୍ର ପୁଅ । ମେଟ୍ରିକ ପାସ କଲା ପରେ ଆଉ ଉଚ୍ଚ ଶିକ୍ଷା କିଛି ନେଇ ନାହାନ୍ତି । ରାଜନୀତି ସହ ସଂପୃକ୍ତ ହୋଇ ଘରକାମ କିଛି ବୁଝନ୍ତି ନାହିଁ । ସବୁବେଳେ ନେତାମାନଙ୍କ ଫଛରେ ଗୋଡ଼ାଇ ଥାନ୍ତି । ନେତାମାନଙ୍କ ମାଧ୍ୟମରେ କିଛି ସରକାରୀ କାମ କଣ୍ଟ୍ରାକ୍ଟରେ ଆଣି ଭଲ ଦୁଇ ପଇସା ରୋଜଗାର କରୁଛନ୍ତି ।
ସମୟ କେତେବେଳେ ଗଡ଼ିଯାଏ ଜଣାପଡେ ନାହିଁ । ହରେକୃଷ୍ଣ ବାବୁ ରଘୁଆର କାମ ଓ ଆତ୍ମୀୟତା ଦେଖି ତା ଉପରେ ସବୁ ଭାର ଛାଡ଼ି ଦେଇଛନ୍ତି । ପୁଅ କୌଣସି କାମରେ ମୁଣ୍ଡ ନପୁରଉ ଥିବାରୁ ତାଙ୍କର ଆଉ କିଛି ବି ଉପାୟ ନଥିଲା । ଇତି ମଧ୍ୟରେ ପାଞ୍ଚ ବର୍ଷ ବିତିଗଲାଣି । ରଜତ ଓ ଜ୍ୟୋତ୍ସ୍ନା ୟୁପି ସ୍କୁଲ ପାଠପଢା ସାରି ଗାଆଁ ପାଖରେ ଥିବା ପହଙ୍ଗା ହାଇ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଛନ୍ତି । ରଜତ ବହୁତ ମେଧାବୀ ଛାତ୍ର । କ୍ଳାସରେ ସବୁବେଳେ ପ୍ରଥମ ହୋଇଆସୁଛି । ଜ୍ୟୋତ୍ସ୍ନା ପୋଜିସନ ନରଖିଲେ ବି ଭଲ ପର୍ସେଣ୍ଟେଜ୍ ରଖି ପାସ କରିଆସୁଅଛି । ଉଭୟଙ୍କ ମଧ୍ୟରେ ଘନିଷ୍ଠତା ବହୁତ ବଢ଼ିଯାଇଛି । ସମୟେ ସମୟେ ଦୁଇ ଜଣଙ୍କ ମଧ୍ୟରେ କଳି ବି ହୋଇଛି ହେଲେ କିଛି ସମୟପରେ ସେ ମନାନ୍ତର ପାଣିଫୋଟକା ପରି ମିଳେଇ ଯାଇଛି । ଜ୍ୟୋତ୍ସ୍ନାକୁ ତା'ର ମାଆ ଅନେକ ଥର କହିଛନ୍ତି, ”ସେ କେବେହେଲେ ରଜତକୁ ରାଗିକରି ଗାଳି ଗୁଲଜ ନ କରିବା ପାଇଁ । ସେ ଗରିବ ହେଲେ ବି ଆମରି ପରି ମଣିଷ । ତା ମନରେ ଆମମାନଙ୍କ ପ୍ରତି ଯେପରି ଘୃଣା ଭାବ ସୃଷ୍ଟି ନହୁଏ । ”ଜ୍ୟୋତ୍ସ୍ନା ଏହି କଥାକୁ ମନେ ରଖି କେବେ ଯଦି ରଜତ ଉପରେ ରାଗିଯାଏ ଅଳ୍ପ ସମୟ ପରେ ନିଜେ ଭୁଲ ମାନିନିଏ । ରଜତର ସବୁ ଅଭିମାନ ପାଣି ପରି ମିଳେଇ ଯାଏ ।
ସମୟ ସହିତ ଅନେକ କିଛି ବଦଳି ଯାଇଛି । ଦେଶର ଅଗ୍ରଗତି ସହିତ ସାମାଜିକ ଚାଲିଚଳଣିରେ ବହୁତ କିଛି ପରିବର୍ତ୍ତନ ହୋଇଯାଇଛି । ବୈଷୟିକ ଜ୍ଞାନକୌଶଳର ବିକାଶ ଘଟିଛି । ଗାଆଁରେ ଆଉ କାହାରି ଘରେ ହଳବଳଦ ନାହାଁନ୍ତି । ଚକବନ୍ଦୀ ହେଲାପରେ ସମସ୍ତେ ଚକ ଆକାରରେ ଜମି ସବୁ ପାଇଛନ୍ତି । ଏବେ ସମସ୍ତ ଟ୍ରାକ୍ଟର ସାହାଯ୍ୟରେ ଚାଷ କରୁଛନ୍ତି । ବିଭିନ୍ନ କୃଷି ଯନ୍ତ୍ରପାତି ବ୍ୟବହାର କରିବା ହେତୁରୁ ମଜୁରିଆଙ୍କର
ଆବଶ୍ୟକତା ବହୁ ପରିମାଣରେ କମି ଯାଇଛି । ଗାଆଁର ରୂପ ପୂରାପୂରି ବଦଳି ଯାଇଛି କହିଲେ ଚଳେ । ପ୍ରତି ଗ୍ରାମରେ କଂକ୍ରିଟ ରୋଡ଼ । ଯାତାୟାତ କରିବା ପାଇଁ ଆଦୌ ଅସୁବିଧା ନାହିଁ
। ଘରେ ଆଉ ଚାଉଳ ପାଇଁ ଧାନ କୁଟିବାକୁ ପଡୁନି କି କୂଅରୁ ପାଣି କାଢ଼ିବାକୁ ପଡୁନି । ଘରେ ଘରେ ଶୌଚାଳୟ ଗାଧୁଆଘର । ଲୋକମାନଙ୍କର ଚାଲିଚଳଣିରେ ବହୁତ କିଛି ବଦଳି ଯାଇଛି ।
ରଜତ ଓ ଜ୍ୟୋତ୍ସ୍ନା ଆଉ ପିଲା ହୋଇ ନାହାଁନ୍ତି । ଯୌବନର ପ୍ରଥମ ପାହାଚରେ ସେମାନେ ପାଦ ଦେଇସାରିଲେଣି । ଆଗପରି ଆଉ ସେମାନେ ବେଶି ମିଳାମିଶା କରି ପାରୁନାହାନ୍ତି । ସେମାନେ ଠିକ୍ ବୁଝିସାରିଲେଣି ଯେ ସେମାନଙ୍କୁ ଅନ୍ୟମାନେ ଅଲଗା ଦୃଷ୍ଟିରେ ଦେଖିବେ । ପରସ୍ପର ପ୍ରତି ଆକର୍ଷଣ ଥିଲେ ମଧ୍ୟ ବାହାରେ ଓ ସ୍କୁଲରେ ସେମାନେ ପରସ୍ପର ଠାରୁ ଦୂରତା ରକ୍ଷା କରୁଛନ୍ତି । ରଜତ ଜାଣେ ଯେ ତା'ର ବାପା ବହୁତ ଗରିବ । ହରେକୃଷ୍ଣ ବାବୁଙ୍କ ଦୟା ନଥିଲେ ସେମାନେ ଆଜିକାଲି ଏପରି ସୁରୁଖୁରୁରେ ଚଳି ପାରନ୍ତେ ନାହିଁ । ତେଣୁ ତାକୁ ବୟସର ଅମାନିଆ ଇଚ୍ଛା ସବୁକୁ ଦବେଇ କରି ରଖିବାକୁ ପଡ଼ିବ । ତେଣୁ ରଜତ ସେହି ହିସାବରେ ଆବଶ୍ୟକତା ଅନୁସାରେ ଜ୍ୟୋତ୍ସ୍ନା ସହିତ କଥାବାର୍ତ୍ତା କରିଥାଏ । କିନ୍ତୁ ରଜତର ସୁନ୍ଦର ଚେହେରା ଓ ଗୁଣରେ ଜ୍ୟୋତ୍ସ୍ନା ସମ୍ପୂର୍ଣ୍ଣ ରୂପେ ଆକର୍ଷିତ । ତାକୁ ଜୀବନସାଥୀ ରୂପେ ପାଇବା ପାଇଁ ମନେ ମନେ ଅନେକ କଳ୍ପନା କରେ ପୁଣି ପର ମୁହୂର୍ତ୍ତରେ ପ୍ରକୃସ୍ଥିତ ହୋଇ ଭାବେ, ଏହା କଣ କେବେ ସମ୍ଭବ ହୋଇପାରିବ ?
ହରେକୃଷ୍ଣ ବାବୁଙ୍କର ବୟସ ଅଧିକ ହୋଇଗଲାଣି । ମନ ମଧ୍ୟରେ ତାଙ୍କର ଦୁଃଖ ଯେ ପୁଅର ପୁତ୍ର ସନ୍ତାନଟିଏ ନାହିଁ । କିଏ ହେବ ତାଙ୍କ ବଂଶର ଉତ୍ତରାଧିକାରୀ ? ଏହି ଚିନ୍ତାରେ ସେ ନିଜ ଭିତରେ ଭିତରେ ବହୁତ ଦୁଃଖ ଅନୁଭବ କରୁଥିଲେ ।
ଆଜିକାଲି ରଘୁଆ ଚାଷବାସ କଥା ସବୁ ବଝୁଛି । ତା ଭାରିଜା ସୁଲି ମଧ୍ୟ ଅନେକ ଦିନ ଆସି ତାଙ୍କ ଘରକାମ କରୁଛି । ପୁଅ ଏବେ ସରପଞ୍ଚ ହୋଇଛନ୍ତି । ଦଳୀୟ କାମରେ ତାଙ୍କର ବହୁତ ସମୟ ଅତିବାହିତ ହେଉଛି । ତେଣୁ ରଘୁଆ ହିଁ ଘରର ମାଲିକ କହିଲେ ଅତ୍ୟୁକ୍ତି ହେବନାହିଁ ।
ରଜତ ଓ ଜ୍ୟୋତ୍ସ୍ନା ହାଇସ୍କୁଲ ବୋର୍ଡ଼ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ କରିଛନ୍ତି । ରଜତ ସାରା ରାଜ୍ୟରେ ପ୍ରଥମ ସ୍ଥାନ ଅଧିକାର କରିଛି । ରଘୁଆର ଘରେ ଆଜି ଜନଗହଳି । ରଜତ ନିକଟକୁ ବହୁତ ସଂଖ୍ୟାରେ ଶୁଭେଚ୍ଛା ଓ ଅଭିନନ୍ଦନ ବାର୍ତାମାନ ଆସୁଛି । ଗଣମାଧ୍ୟମର ପ୍ରତିନିଧିମାନେ ରଜତର ଫଟୋ ଉଠାଇଵା ସହ କଥାବାର୍ତ୍ତା ହୋଇ ବିଭିନ ଟିଭି ଚ୍ୟାନେଲ ମାନଙ୍କରେ ପ୍ରସାରଣ କରୁଛନ୍ତି । ଦୈନିକ ଖବରକାଗଜରେ ପ୍ରଥମ ପୃଷ୍ଠାରେ ରଜତର ଫଟୋ ପ୍ରକାଶ ପାଇଛି । ରଘୁଆ ଓ ତା'ର ସ୍ତ୍ରୀ ରଜତର ଆଶାତୀତ ସଫଳତାର ଖୁସିରେ ଫାଟିପଡୁଛନ୍ତି । ଗ୍ରାମବାସୀମାନେ ମଧ୍ୟ ରଜତକୁ ପ୍ରଶଂସାରେ ପୋତିପକାଉଛନ୍ତି । ଜ୍ୟୋତ୍ସ୍ନା ମନେ ମନେ ବହୁତ ଖୁସି ଥିଲେ ବି ସେ ତା'ର ଖୁସିକୁ ପ୍ରକାଶ କରିପାରୁନାହିଁ । ହେଲେ ରଜତକୁ ସେ ସର୍ବପ୍ରଥମେ ଅଭିନନ୍ଦନ ଜଣେଇ ସାରିଛି । ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଶିକ୍ଷାମନ୍ତ୍ରୀଙ୍କ ସହିତ ଅନେକ ନେତା ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଛନ୍ତି ।
ରଜତ ପଢ଼ୁଥିବା ସ୍କୁଲରେ ମଧ୍ୟ ଖୁସିର ବାତାବରଣ ଭିତରେ ରଜତକୁ ସମ୍ବର୍ଦ୍ଧନା ଦେଇଛନ୍ତି ।
ରଜତକୁ ସମ୍ବର୍ଦ୍ଧିତ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ତରଫରୁ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ଏଵଂ ସେହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ରଜତ ପାଖକୁ ଗୋଟିଏ ଚିଠି ମଧ୍ୟ ଆସିଛି । ରଜତ ଭୁବନେଶ୍ୱର ଯାଇ ସେହି କାର୍ଯ୍ୟକ୍ରମରେ ଯୋଗଦାନ କରିଛି । ନିଜେ ମୁଖ୍ୟମନ୍ତ୍ରୀ ରଜତକୁ ଉପଢୌକନ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଛନ୍ତି । ସମ୍ବର୍ଦ୍ଧନାର ଉତ୍ତରରେ ରଜତକୁ କିଛି କହିବା ପାଇଁ ଅନୁରୋଧ କରାଯାଇଛି । ସମ୍ବର୍ଦ୍ଧନାର ଉତ୍ତରରେ ସେ କଣ କହିବ ସ୍ଥିର କରିପାରୁନାହିଁ । ମନରେ ତା'ର ଅନେକ ପ୍ରତିକ୍ରିୟା । ନିଜର ସଂକ୍ଷିପ୍ତ ବକ୍ତବ୍ୟ ରଖିବା ପାଇଁ ସେ ମାଇକ୍ ନିକଟକୁ ଯାଇ କହିବାକୁ ଆରମ୍ଭ କରିଛି -
“ଆମ ରାଜ୍ୟର ମାନ୍ୟବର ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ, ମଞ୍ଚାସୀନ ଅନ୍ୟ ସମ୍ମାନୀୟ ଅତିଥିଗଣ ଓ ଉପସ୍ଥିତ ସଜ୍ଜନ ମଣ୍ଡଳୀ ! ମୁଁ ଆପଣମାନଙ୍କର ସ୍ନେହ ଓ ସଦିଚ୍ଛା ପାଇଁ ହୃଦୟରୁ କୃତଜ୍ଞତା ଜଣାଉଛି । ଆଜି ଏପରି ଏକ ଉତ୍ସବର ଆୟୋଜନ କରି ମୋତେ ସମ୍ବର୍ଦ୍ଧିତ କରାଯାଇଥିବାରୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଣାମ କରିବା ସହିତ ଆନ୍ତରିକ ଧନ୍ୟବାଦ ଜଣାଉଛି । ସମୟ ଚକ୍ରରେ ଚେନାଏ ଖୁସି ମୋ ଆଡ଼କୁ ବାଟ ଭାଙ୍ଗି ପଳେଇ ଆସିଛି । ଏ ଖୁସି ବେଶି ସମୟ ମୋ ପାଖରେ ରହିବନାହିଁ । ଏ ଅଭିନନ୍ଦନ, ସମ୍ବର୍ଦ୍ଧନା, ଟିଭି ଚ୍ୟାନେଲରେ ବାର୍ତ୍ତାଳାପ,ଖବରକାଗଜର ପ୍ରଥମ ପୃଷ୍ଠାରେ ମୋର ଫଟୋ ସବୁ ଅଢ଼େଇଦିନିଆ । ତା'ପରେ ମୁଁ ଫେରିଯିବି ରଘୁ ପ୍ରଧାନର ଚାଳଛପର କୁଡିଆ ଘରକୁ। ମୋର ଚଲାପଥ କୁସୁମିତ ହେଉ ବୋଲି ଯେଉଁମାନେ ଆଶୀର୍ବଚନ ଢ଼ାଳି ଦେଇଛନ୍ତି ସେ ସବୁ ମିଳେଇଯିବ ପାଣିଫୋଟକା ପରି । ମୋ ଘରଠୁ ଦୂର କଟକ କିମ୍ୱା ଭୁବନେଶ୍ୱରରେ ରହି ଆଗକୁ ପାଠ ପଢ଼ିବା ପାଇଁ ଆର୍ଥିକ ସାହାଯ୍ୟ ମୋତେ କିଏ ଦେବ ? ଆଉ ଅଧିକ କିଛି ନକହି ଆପଣମାନଙ୍କ ଠାରୁ ବିଦାୟ ନେଉଛି । ଧନ୍ୟବାଦ ।"
କିଛି ସମୟ ପାଇଁ ନିରଵତା ଖେଳି ଯାଇଥିଲା ସଭାସ୍ଥଳରେ । ମୁଖ୍ୟମନ୍ତ୍ରୀ କିଛି ଘୋଷଣା କରିବା ପୂର୍ବରୁ ହରେକୃଷ୍ଣ ବାବୁଙ୍କ ପୁଅ କିଛି କହିବା ପାଇଁ ମାଇକ୍ ପାଖକୁ ଯାଇଥିଲେ । ରଜତଙ୍କ ଗ୍ରାମର ସରପଞ୍ଚ ହୋଇଥିବାରୁ ମଞ୍ଚରେ ବସିବା ପାଇଁ ତାଙ୍କୁ ଅନୁମତି ମିଳିଥିଲା । ସଭାପତିଙ୍କର ଅନୁମତି ନେଇ ସେ କହିଲେଯେ, “ମୁଁ ଆଜି ବହୁତ ଗର୍ବ ଅନୁଭବ କରୁଛି ଯେ ମୋ ଗ୍ରାମର ଜଣେ ଗରିବ ପିଲା ଆଜି ନିଜର କଠିନ ଅଧ୍ୟବସାୟ ବଳରେ ଆମ ରାଜ୍ୟର ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଛି । ସେ କେବଳ ଆମ ଗ୍ରାମର ପିଲା ନୁହେଁ, ସେ ଆମ ପରିବାରର ଅଂଶ ବିଶେଷ । ତା'ର ବାପା ରଘୁ ଆମ ଘରର ପୁଅ ପରି ସବୁ କାମଦାମ କରିଥାଏ । ତା'ର ମାଆ ମଧ୍ୟ ଆମ ଘରକୁ ଆସି ଘର କାମରେ ସାହାଯ୍ୟ କରେ । ଆମ ରାଜ୍ୟର ହାଇସ୍କୁଲ ପରୀକ୍ଷାରେ ସର୍ବୋଚ୍ଚ ସ୍ଥାନ ଅଧିକାର କରିଥିବା ମୋ ଗ୍ରାମର ରଜତ ଉଚ୍ଚ ଶିକ୍ଷା ଲାଭ କରିବାରୁ ବଞ୍ଚିତ ହେବ, ଏହା ମୁଁ କେବେହେଲେ ସହ୍ୟ କରି ପାରିବିନାହିଁ । ମୁଁ ସମସ୍ତଙ୍କ ଉପସ୍ଥିତିରେ ଆଜି ଘୋଷଣା କରୁଛି ଯେ ରଜତର ସମସ୍ତ ପାଠପଢ଼ା ଖର୍ଚ୍ଚ ମୁଁ ବହନ କରିବି । ରଜତର ପରିବାର ଆଜିଠାରୁ ମୋ ପରିବାରର ଏକ ଅଂଶ କହିଲେ ଅତ୍ୟୁକ୍ତି ହେବନାହିଁ ।
ସଭାସ୍ଥଳ, ସମସ୍ତଙ୍କ କରତାଳି ଧ୍ୱନିରେ କମ୍ପି ଉଠିଥିଲା । ରଜତର ଶୁଖିଲା ମୁହଁରେ ହସ ଖିଏ ଖେଳି ଯାଇଥିଲା ।
ରଜତ ସରପଞ୍ଚ ବାବୁଙ୍କ ପରିବାରର ଏକ ସଦସ୍ୟ ଭାବେ ବହୁତ ସ୍ନେହ ଆଦର ପାଇଥିଲା ଓ ତା'ର ଉଚ୍ଚଶିକ୍ଷା ଲାଭ କରିବାରେ କୌଣସି ଅସୁବିଧା ରହିଲାନାହିଁ ।
ଇଞ୍ଜିନିୟରିଂ ଶିକ୍ଷା ସମାପ୍ତ କଲା ପରେ ରଜତ ଆଇ.ଟି. ଇଞ୍ଜିନିୟର ଭାବେ ଏକ ମଲ୍ଟିନେସନାଲ୍ କମ୍ପାନୀରେ କାର୍ଯ୍ୟରତ। ଜ୍ୟୋତ୍ସ୍ନା ଇଂରାଜୀରେ ପି.ଜି କଲାପରେ ଏକ ସରକାରୀ ମହାବିଦ୍ୟାଳୟରେ ଅଧ୍ୟାପିକା ଭାବେ ଅବସ୍ଥାପିତ । ସମୟ କାହାକୁ ଅପେକ୍ଷା କରେନାହିଁ । ହରେକୃଷ୍ଣ ବାବୁ ବୟସାଧିକ ହେତୁ ଶଯ୍ୟାଶାୟୀ ହୋଇ ରହିଛନ୍ତି । ନିଜର ଯିବା ସମୟ ନିକଟ ହେଲା ପରି ସେ ଅନୁଭବ କରୁଛନ୍ତି । ସମସ୍ତଙ୍କୁ ଦେଖିବାକୁ ତାଙ୍କର ଇଚ୍ଛା । ରଜତ, ଜ୍ୟୋତ୍ସ୍ନା,ପୁଅ,ବୋହୂ, ରଘୁଆ ଓ ତା'ର ସ୍ତ୍ରୀ ସମସ୍ତେ ପାଖରେ ଥିବା ଦେଖି ହରେକୃଷ୍ଣ ବାବୁ କହିଲେ, “ଦେଖ ପିଲାମାନେ ମୋର ଶେଷ ସମୟ ଆସିଗଲା । ମୋ ମନ ଭିତରେ ଯେଉଁ କଥାକୁ ମୁଁ ଆଜି ପର୍ଯ୍ୟନ୍ତ ଚପେଇ କରି ରଖିଛି ସେ ସବୁ ଆଗରୁ କହିବା ପାଇଁ ସାହସ କରି ପାରିନଥିଲି । ଆଗରୁ ମୋ ମନ ଭିତରେ ବଂଶ ଆଭିଜାତ୍ୟ ଓ ଧନ ସମ୍ପତ୍ତିର ଗର୍ବ ଭରିହୋଇ ରହିଥିଲା । ଭଗବାନ କାହାରି ଗର୍ବ ସହି ପାରନ୍ତି ନାହିଁ । ଆଜି ମୋର ସବୁ ଥାଇ ବି ମୁଁ ନିଶ୍ୱ । କିଏ ଭୋଗ କରିବ ମୋର ଏ ଧନ ସମ୍ପତ୍ତିକୁ । ସବୁ ଗର୍ବ ଓ ବଂଶ ଆଭିଜାତ୍ୟକୁ ମୁଁ ତ୍ୟାଗକରି ସାରିଛି । ଶେଷ ସମୟରେ ଏତିକି ଇଚ୍ଛା ଯେ ଜ୍ୟୋତ୍ସ୍ନା ଓ ରଜତ ପରସ୍ପରର ଜୀବନସାଥୀ ହୋଇ ଏ ବଂଶର ଉତ୍ତରାଧିକାରୀ ହେଲେ ମୋର ଆତ୍ମା ଶାନ୍ତି ପାଇବ ।"
ପରିବାରର ସମସ୍ତ ସଦସ୍ୟଙ୍କ ମନରେ ଖୁସିର ସୀମା ରହିଲାନାହିଁ । ସମସ୍ତେ ହରେକୃଷ୍ଣ ବାବୁଙ୍କୁ ଡ଼ରିକି କିଛି କହି ପାରୁନଥଲେ । ଯେତେବେଳେ ସେ ନିଜେ ସେଇଆ ଚାହୁଁଛନ୍ତି କିଏ ବା ପ୍ରତିରୋଧ କରିବ ?
କଥାରେ କହନ୍ତି ରୋଗୀ ଚାହୁଁଥିଲା ଯାହା ବଇଦ ବତେଇଲା ତାହା । ଜ୍ୟୋତ୍ସ୍ନାର ମନରେ ଅସରନ୍ତି ଆନନ୍ଦ । ଅଭିଳାଷ ପୂର୍ଣ୍ଣ ହୋଇଥିବାରୁ ଗ୍ରାମ ଦେବତୀ ଉଦ୍ଦେଶ୍ୟରେ ପ୍ରଣାମ ଜଣେଇଲା ।
*****