Bauribandhu Lenka

Tragedy

4  

Bauribandhu Lenka

Tragedy

ମରୁ ନିର୍ଝର

ମରୁ ନିର୍ଝର

6 mins
290



ମୋର ହେତୁ ପାଇଲା ଦିନୁ ତାକୁ ଟେରୀ ଅପା ବୋଲି ମୁଁ ଜାଣିଥିଲି । ଅତି ବେଶୀରେ ଚାରିଫୁଟ ଖଣ୍ଡେ ଉଚ୍ଚତା ହେବ । ସାବନା ତ ନୁହେଁ ପୂରା କଳା ଦେଖିବାକୁ । ଜଗନ୍ନାଥେ ତାକୁ ବେଶୀ ଭଲ ପାଇ ବୋଧେ ନିଜ ରଙ୍ଗରେ ରଙ୍ଗେଇ ଦେଇଥିଲେ । ଦେହରେ ହାଡ ଦୁଇଖଣ୍ଡ, ଶିରାଳ ଶରୀର । ଆମ ସେଇ ବାଇଶ ମଉଜାରୁ କେତେ ଖଣ୍ଡି ମଉଜାର ନାଆଁ ଯଦି ଶୁଣିଥିବ, ଶୁଣିଥିବ । ତା ବାହାରେ ଆଉ କଣ ଅଛି କି ନାହିଁ କିଛି ସେ ଜାଣି ନଥିଲା । କଳା ଆଉ ବାଙ୍ଗରୀ ହେଲେ ବି ସେ ଦିନେ ପୂର୍ଣ୍ଣ ଯୌବନା ଥିଲା ଓ ବୋହୂ ହୋଇ ଶାଶୁଘର ବି ଯାଇଥିଲା । କଥାରେ ଅଛି କପାଳ ଲିଖନ କେ କରିବ ଆନ । ହତଭାଗିନୀଟିଏ ସେ । ତା ବିଷୟରେ ସମୟେ ସମୟେ ରାତିରେ ବୋଉ ଚୁଲି ମୁଣ୍ଡରେ ବସି ରୋଷେଇ କଲାବେଳେ କହେ । ମୁଁ ବୋଉ ମୁହଁରୁ ଯାହା ଶୁଣିଥିଲି ତାର ଅତୀତ ବିଷୟରେ ।

ବାପା ମାଆର ସେ ସାନ ଝିଅ ଥିଲା । ତା ଉପରକୁ ତାର ବଡ ଭଉଣୀ ସୁନ୍ଦରୀ । ସତରେ ବହୁତ ସୁନ୍ଦର ଥିଲା ଦେଖିବାକୁ । ସେଥିପାଇଁ ତ ପାଖ ଗାଆଁ ମକଦମ ଘର ବିନା ଯୌତୁକରେ ତାକୁ ବୋହୂ କରି ନେଇଗଲେ । ଭାଇ କେହି ନଥିଲେ । ବଡବାପାଙ୍କର ଦୁଇ ପୁଅ । ଏକାଠି ତାଙ୍କ ସହିତ ରହୁଥିଲେ ଏମାନେ । ଅନେକ ସମୟରେ ବଡବାପା ତାର ବାପା ମାଆଙ୍କ ଉପରେ ଚାପ ପକାଉଥିଲେ— ତାଙ୍କର ପୁଅ ଭିତରୁ ଜଣକୁ ପୁଅ କରି ନେବାପାଇଁ । ଟେରୀ ଅପା ଏ ସବୁ ବିଷୟରେ କିଛି ଧାର ଧାରେନି । ବଡ ବାପା ଓ ବଡବୋଉ ଟେରୀ ଅପାକୁ ବାହାଘର କରି ପଠେଇଦେଲା ପରେ ବୁଢା ବୁଢୀଙ୍କୁ ପଟେଇ ପାଟେଇ ପୁଅପତ୍ର କରିବା ଯୋଜନାରେ ଥା'ନ୍ତି ।

ସମୟ କେତେବେଳେ କେଉଁ ମୋଡ ନେବ, କେହି କହି ପାରିବେ ନାହିଁ । କଳା ମିଚିମିଚି ଚାରିଫୁଟିଆ ବାଙ୍ଗରୀ ଟେରୀ ଅପାକୁ କେହି କେବେ ରାଜି ହେବ ବାହା ହେବାକୁ ବୋଲି କେହି କଳ୍ପନା କରି ନଥିଲେ । କଥାରେ ଅଛି "ଯେତେ ଭାଇ ସେତେ ଘର ଯେତେ କନିଆ ସେତେ ବର ।" ଟେରୀ ଅପାର ବାହାଘର ଠିକ୍ ଠାକ୍ ହୋଇଗଲା । ସେତେବେଳେ ଆଜିକାଲିକା ପରି ଏତେ ଜାକଜମକରେ କେଉଁଠି ବାହାଘର ହେଉଥିଲା ଯେ ? ସହଯେ ତ ଏମାନଙ୍କର ଏତେ ଥିଲାବାଲା ଘର ନୁହେଁ । କୌଣସିମତେ ଝିଅଟିକୁ ଖସେଇ ଦେଲେ ମୁଣ୍ଡରୁ ଗୋଟୋ ବଡ ବୋଝଟେ ଉତୁରି ଯିବ । ତୋଳା କନିଆ ହୋଇ ଟେରୀ ଅପା ବାହା ହେବାକୁ ଗଲା । ଝିଅଟିଏ ହାତକୁ ଦିହାତ ହୋଇଗଲେ ବାପା ମାଆଙ୍କ ମନରେ ଯେଉଁ ଖୁସି ହୁଏ ତାହା କେବଳ ବାପା ମାଆମାନେ ହିଁ ବୁଝି ପାରିବେ । ଟେରୀ ଅପାର ବାହାଘର ପରେ ବାପା ମାଆ ଟିକେ ଆଶ୍ୱସ୍ତ ହେଲେ

ଟେରୀ ଅପା ଶାଶୁଘର ଗଲାପରେ ବାପା ମାଆଙ୍କର ଖବର ବୁଝିବାକୁ ଆଊ କେହି ନଥିଲେ । ବଡଭାଇ ସହ ଏକା ଅନ୍ନରେ ପଡି ରହିଥିଲେ ବି ତାଙ୍କର ପିଲାମାନେ ଏମାନଙ୍କୁ ବହୁତ ଅବହେଳା କରୁଥିଲେ । ବଡ ଭାଇ ଓ ତାଙ୍କ ସ୍ତ୍ରୀର ବୟସ ଅଧିକ ହୋଇଯାଇଥିଲା । ସେମାନେ କିଛିଦିନ ପରେ ସଂସାରରୁ ବିଦାୟ ନେଲେ । ତାଙ୍କର ଦୁଇ ପୁଅ ଚାଷବାସ କରି ସେମାନଙ୍କର ପରିବାର ସହିତ ସାନବୁଢା ଓ ବୁଢୀର ଖାଇବା ପିଇବା କଥା ମଧ୍ୟ ବୁଝୁଥିଲେ । ତାଙ୍କର ସଂପତ୍ତି ଭୋଗ କରୁଛନ୍ତି ଯେତେବେଳେ ତାଙ୍କ ଖବର ନବୁଝିଲେ ଲୋକେ କଣ କହିବେ ? ପୁଅପତ୍ର କରି ନଥିବାରୁ ବୁଢାବୁଢୀ ଦୁଇ ଜଣଙ୍କର ଯତ୍ନ ଯେପରି ନେବା କଥା ସେପରି ନେଉ ନଥିଲେ । ବଡ ଝିଅ, ପାଖ ଗାଆଁରେ ବାହା ହୋଇ ଥିବାରୁ, ମଝିରେ ମଝିରେ ଆସି ଦେଖି ଯାଉଥିଲା । ଟେରୀ ଅପାର ବାହାଘର ବର୍ଷେ ପୂରଣ ହୋଇନି, ବାପା ତାର ସେପାରୀକୁ ଚାଲିଗଲେ । ଏକୁଟିଆ ହୋଇଗଲା ମାଆ ତାର ।

ଆଗକାଳେ ଶାଶୁଘରେ ନୂଆ ନୂଆ ବୋହୂ ହୋଇ ଚଳିବାକୁ ହେଲେ ଅନେକ କାଇଦା କଟକଣା ମାନିବାକୁ ପଡୁଥିଲା । ଟେରୀ ଅପା ସେ ସବୁ ଜାଣି ନଥିଲା । ଶାଶୁଠୁ ନଣନ୍ଦ ପର୍ଯ୍ୟନ୍ତ ସମସ୍ତେ ତା ଉପରେ ଖପା । ଯାହାକୁ ହାତଧରି ବାହା ହୋଇଥିଲା ସେ ବି ତାକୁ ଭଲ ପାଉ ନଥିଲା । ଏ ସବୁ ବାପଘର ଲୋକେ ଜାଣିଥିଲେ ବି ନିଜ ଝିଅର ଓଲମୀ ଗୁଣ ସବୁ ଜାଣିଥିବାରୁ ଚୁପ୍ ଚାପ୍ ହୋଇ ରହୁଥିଲେ । କିନ୍ତୁ ଶାଶୁଘର ଲୋକେ ଟେରୀ ଅପାକୁ କିଛିଦିନ ପାଇଁ ବାପଘରକୁ ପଠେଇ ଦେଇ ଆଉ ନେବା ପାଇଁ ଚାହିଁଲେ ନାହିଁ । ବଳେ ବଳେ କିପରି ବା ସେ ଶାଶୁଘରକୁ ଯାଆନ୍ତା ? ଭାଗ୍ୟର ବିଡମ୍ବନା । ଟେରୀ ଅପାର ସ୍ୱାମୀ ହଇଜାରେ ଚାଲିଗଲା । ତାର ଶାଶୁଘରକୁ ଯିବା ଆଉ ଆବଶ୍ୟକ ପଡିଲା ନାହିଁ ।

ସରଳ ନିସ୍କପଟ ମଣିଷଟିଏ ପାଇଁ ଭଗବାନ କାହିଁକି ଏତେ ନିଷ୍ଠୁର ହୁଅନ୍ତି କେଜାଣି । ସଂସାର କଣ , ଜୀବନ କଣ ସେ ସବୁ ବୁଝିବା ତା ପାଇଁ ସହଜ ନଥିଲା । ପେଟ ଚାଖଣ୍ଡକ ପାଇଁ ପଡିରହିବାକୁ ପଡିବ । ଘର ଲୋକଙ୍କ ବୋଲହାକ ମାନିବାକୁ ହେବ । ବୁଢୀ ମାଆଟାକୁ ବି ତା ଛଡା ଆଉ କେହି ନାହାନ୍ତି ଦେଖାଶୁଣା କରିବାକୁ । ବହୁ ଅବହେଳାରେ ରହିଲେ ବି କାହା ଆଗରେ ନିଜର ଦୁଃଖ ସେ କହିବ । କିଏ ବା ଅଛି ଏମାନଙ୍କ ଦୁଃଖ ଶୁଣିବାକୁ ?

ଭାଗ୍ୟ ଟେରୀ ଅପା ସାଙ୍ଗରେ ଖେଳ ଖେଳୁଥିଲା । ଗାଆଁ ପାଖରୁ ପ୍ରାୟ ବାଟ ଦୁଇ କୋଶ ଦୂର, ଆଉ ଗୋଟିଏ ଗାଆଁରେ ବରପାତ୍ରଟିଏ ଠିକ୍ ହୋଇଗଲା, ଟେରୀ ଅପା ପାଇଁ । ଛଅ ମାସ ପୂର୍ବରୁ ତା'ର ସ୍ତ୍ରୀ ମରିଯାଇଥିଲା । ଛୋଟ ପିଲାଟିଏ ଥାଏ ତା'ର । ପିଲାର ଦେଖାଶୁଣା କରିବାକୁ ଅସୁବିଧା ହେଉଥିବାରୁ ସେ ରାଜି ହୋଇଗଲା । ପୁଣିଥରେ ଟେରୀ ଅପା ଆଉ ଜଣକର ହାତ ଧରିଲା ।

ନିଜକୁ ଯେ ଆଜିଯାଏ ସଜାଡି ପାରିନାହିଁ ଆଉ ଗୋଟିଏ ଛୋଟ ପିଲାର ଦାୟିତ୍ୱ କିପରି ବା ସମ୍ଭାଳି ପାରନ୍ତା । ସବୁବେଳେ ସ୍ୱାମୀ ସହ କଳି । ରାଗରେ ସ୍ୱାମୀ ତାର ହାତ ପୁରେଇ ମାରେ ମଧ୍ୟ । କଣ ବା ସେ କରିବ । କପାଳ ତ ତା'ର ଛୋଟ । ପୁଣି ଅକାଳେ ବଜ୍ରପାତ ହେଲା ଟେରୀ ଅପା ଉପରେ । ହଠାତ୍ ହୃଦ୍ ରୋଗରେ ସ୍ୱାମୀର ଦେହାନ୍ତ ହୋଇଗଲା । ଏବେ ସେ କଣ କରିବ କିଛି ବି ତା ମୁଣ୍ଡକୁ ସୁଝିଲା ନାହିଁ । ଯାହା ହାତ ଧରିଲା ତାକୁ ଖାଇଲା ବୋଲି କହି ନାନା ଉଲୁଗୁଣା ଦେଲେ ଶାଶୁଘର ଲୋକେ । ଡାଆଣୀ ବୋଲି କହିଲେ । ସତରେ କଣ ସେ ଡାଆଣୀ ? ମଣିଷ କଣ ଡାଆଣୀ ହୋଇ ମଣିଷକୁ ଖାଇଯାଏ । ଏ କି ସାମାଜିକ ବିକୄତି । ଅନ୍ୟକୁ ସାହାଯ୍ୟ କରିବା ଅପେକ୍ଷା ଦୋଷ ଦେବାରେ ଏଠି ଲୋକଙ୍କର ଅଭାବ ନାହିଁ । ଟେରୀ ଅପା ବାପଘରକୁ ପଳେଇ ଆସିଲା । ଆଉ କୁଆଡେ ସେ ଯିବନି ସ୍ଥିର କରିନେଲା ମନେ ମନେ । ଗଣ୍ଡିଏ ଦେଲେ ଖାଇବ ନହେଲେ ସୁଖି ସୁଖି ମରିବ ପଛେ ଆଉ କୁଆଡେ ଯିବାର ନାହିଁ ।

ଟେରୀ ଅପାର ମାଆ ବି ଆଉ ଉଠି ବସି ପାରୁନି । ଛିଣ୍ଡା କତରା ଖଣ୍ଡକରେ ପଡିଥାଏ । ସେଇଥିରେ ଝାଡା ସେଇଥିରେ ପରିସ୍ରା । ଟେରୀ ଅପା ଦେଖିଲା ମାଆ ତାର ଆଉ ବଞ୍ଚିବ ନାହିଁ । ସେ ବି ଭାବୁଥିଲା ଏତେ ଯନ୍ତ୍ରଣା ପାଇବା ଅପେକ୍ଷା ଚାଲିଯିବାଟା ବରଂ ଭଲ । ଭାଇମାନେ ଦେଖିଲେ ବୁଢୀ କଥା ଆଉ ନୁହଁ । ଷ୍ଟାମ୍ପ କାଗଜ ଆଣି ବୁଢୀର ବାଆଁ ହାତ ଟିପ ଦୁଇଜଣ ସାକ୍ଷୀଙ୍କ ଉପସ୍ଥିତିରେ ନେଇଗଲେ ଓ ପୁଅପତ୍ର କରେଇନେଲେ । ଏବେ ସବୁ ଜମି ତାଙ୍କର । ବୁଢୀ ଚାଲିଗଲା ପରେ ଟେରୀ ଅପାର ଆଉ କେହି ନାହାଁନ୍ତି । ଖଟିଲେ ଗଣ୍ଡେ ଖାଇବାକୁ ମିଳିବ ନହେଲେ କେହି ପଚାରିବେ ନାହିଁ । ସତରେ କେଡେ ସ୍ୱାର୍ଥପର ଏ ଦୁନିଆ ।

ସେଦିନ ସନ୍ଧ୍ୟା ଗଡିଯାଇଥାଏ । ବୋଉ ଆମର ଚୁଲି ମୁଣ୍ଡରେ ବସି ରୋଷେଇ କରୁଥାଏ । ମୁଁ ବି ବୋଉ ପାଖରେ ବସିଥାଏ । ଟେରୀ ଅପା ଆସି ସେଠାରେ ବସିଲା । ବୋଉ ପାଖରେ ବସି କଇଁ କଇଁ ହୋଇ କାନ୍ଦୁଥାଏ । ତାକୁ ଆଜି କିଛି ଖାଇବାକୁ ଦେଇ ନାହାନ୍ତି ।ତାର ଦେହ ଝାଇଁ ଝାଇଁ ହୋଇ ଯାଉଛି ବୋଲି କାନ୍ଦି କାନ୍ଦି କହୁଥାଏ । ବୋଉ ତାକୁ ବୁଝେଇ ସୁଝେଇ ବସେଇଲା । ରୋଷେଇତ ସରି ନଥାଏ । କିଛି ମୁଢିରେ କ୍ଷୀର ପକେଇ ଆଣିଦେଲା ତାକୁ ଖାଇବା ପାଇଁ । ରୋଷେଇ ସରିଲେ ଖାଇକରି ଯିବାକୁ କହିଲା । ମୁଢି ଖାଇ ସାରିବା ପରେ ଟେରୀ ଅପାର ଦେହରେ ଜୀବନ ପଶିଲା ପରି ଲାଗିଲା । ଖୁଡୀ ବୋଲି ଡାକେ ସେ ବୋଉକୁ । କେବଳ କାନ୍ଦରେ ସେ ତା'ର କୃତଜ୍ଞତା ପ୍ରକାଶ କରିଥିଲା । ସାହାଯ୍ୟ କରିଥିବା ବ୍ୟକ୍ତିଙ୍କୁ କଣ କହି କୃତଜ୍ଞତା ଜଣାଇବାକୁ ପଡେ ସେ ବା କାହୁଁ ଜାଣିବ ?

ଏମିତି ସବୁଦିନେ ସନ୍ଧ୍ୟାବେଳେ ଟେରୀ ଅପା ଆସି ବୋଉ ପାଖରେ ବସେ । ବୋଉର ଦେହ ହାତ ଟିକେ ମୋଡିଦିଏ ଓ ଖାଇ ପିଇ ଯାଏ । ସେଦିନ ବୋଉ କଥା ହେଉ ହେଉ ତା ବଡ ଭଉଣୀ ସୁନ୍ଦରୀ କଥା ଓ ତା ପୁଅ ବିଷୟରେ କହିଲା । ତା ପୁଅ ପାଠ ପଢି ଭଲ ଚାକିରିଟିଏ କରିଥିଲା । ଗାଆଁରେ ତା ବାପା ମୁଖିଆ ଲୋକ । ସମସ୍ତେ ତାଙ୍କୁ ମାନନ୍ତି । ତା ପାଖକୁ ଯାଇ ସବୁ କଥା କହିବାପାଇଁ' ବୋଉ ତାକୁ କହିଥିଲା । ହେଲେ ଡରରେ ସେ ତା ପାଖକୁ ଗଲା ନାହିଁ । ବୋଉର କିନ୍ତୁ ଦେହ ସହିଲା ନାହିଁ । ଖବର ପଠେଇ ସବୁ ବିଷୟ ତା'ର ପୁତୁରାକୁ ଜଣେଇଥିଲା ।

ଯେଉଁଠି ରକ୍ତର ସମ୍ପର୍କ ରହିଛି ସେ ଶୁଣିଲା ପରେ କଣ ଥୟ ହୋଇ ରହି ପାରିବ ? ହଠାତ୍ ଦିନେ ନାରଣ (ଭଉଣୀର ପୁଅ) ଆସି ପହଞ୍ଚିଥିଲା ଟେରୀ ଅପା ପାଖରେ । ଛୋଟବେଳେ ଯାହା ସେ ଦେଖିଥିଲା ତାକୁ । ହଠାତ୍ ଚିହ୍ନି ପାରିଲା ନାହିଁ । ପରିଚୟ ପାଇ ଯେତେବେଳେ ଟେରୀ ଅପା ଜାଣିଲା ଯେ ତାର ପୁତୁରା ଆସିଛି, ଖୁସିରେ ତାର ଗୋଡ ତଳେ ଲାଗିଲା ନାହିଁ । ସେଦିନ ପ୍ରଥମ ଥର ପାଇଁ ଟେରୀ ଅପାର ମୁହଁରେ ମୁଁ ହସ ଦେଖିଥିଲି । ନାରଣ ତା ବିଷୟରେ ସବୁ ଶୁଣିକରି ଆସିବ ବୋଲି ସେ ଜାଣି ନଥିଲା । ନିଜର ରକ୍ତର ସମ୍ପର୍କ ତା'ର ପୁତୁରାକୁ ଦେଖି ସେ ଖୁସିରେ ଗଦ୍ ଗଦ୍ ହୋଇ ଯାଇଥିଲା । ଏ ଦୁନିଆରେ ତାକୁ ସଙ୍ଖୋଳିବାକୁ କେହିଜଣେ ତ ତା'ର ନିଜ ରକ୍ତର ଏତେଦିନରେ ଆସିଛି ଜାଣି ସେ ଆତ୍ମବିଭୋର ହୋଇ ଯାଇଥିଲା ।

ଉତ୍ତପ୍ତ ମରୁ ସଦୃଶ ତା'ର ଏହି ଜୀବନ ପ୍ରବାହରେ ଅକସ୍ମାତ ଏକ ନିର୍ଝରର ଆବିର୍ଭାବ ନିଶ୍ଚିତ ଭାବେ ତା'ର ତନୁ ମନକୁ ଶୀତଳତା ପ୍ରଦାନ କରିଥିଲା । ହେଲେ ଜୀବନ ନାଟକର ଶେଷ ଅଙ୍କ ସମାପ୍ତ ହେବାକୁ ଯାଉଥିବାବେଳେ, ଖୁସିର ଏକ କ୍ଷୀଣ ଲହର, ଅବଶିଷ୍ଟ ଦୃଶ୍ୟ କେତୋଟିକୁ କେତେ ଦୂର ବା ଆନନ୍ଦ ମୁଖର କରି ପାରିବ ?

ନାରଣ ମାଉସୀକୁ ସାନ୍ତ୍ୱନା ଦେଇ କହୁଥିଲା," ବ୍ୟସ୍ତ ହୁଅନି ମାଉସୀ । ଯାହା ଘଟିବାର ଥିଲା ଘଟିଗଲାଣି । ଆଉ ମୁଁ ଏ ସବୁକୁ ହେବାକୁ ଦେବି ନାହିଁ । ତୁମେ ବହୁତ ଡେରି କରିଦେଲ ମୋତେ ଏ ସବୁ ଜଣେଇବାକୁ । ପୁଅପତ୍ର କରିନେଲେ କଣ ସବୁ ସଂପତ୍ତିର ମାଲିକ ହୋଇଯିବେ ସେମାନେ ? ପୁଅର ଯେତିକି ଅଧିକାର ଅଛି ଝିଅମାନଙ୍କର ମଧ୍ୟ ସେତିକି ଅଧିକାର ରହିଛି ।"

ପରିବାରର ଅନ୍ୟ ସଦସ୍ୟମାନେ ଟେରୀ ଅପା ନିକଟରେ ନାରଣ ଠିଆ ହୋଇ କଥା ହେଉଥିବା ଥିବାର ମୁହୂର୍ତ୍ତ ଗୁଡିକୁ ନିର୍ବାକ ହୋଇ ଦେଖୁଥିଲେ ।

    


Rate this content
Log in

Similar oriya story from Tragedy