Bauribandhu Lenka

Others

3.8  

Bauribandhu Lenka

Others

ଅନୁଭୂତି ଏକ ନବଜନ୍ମର

ଅନୁଭୂତି ଏକ ନବଜନ୍ମର

6 mins
404


ସୁଖ ଦୁଃଖ ଭରା ଏହି ଜୀବନ ସ୍ରୋତ ନିଶବ୍ଦରେ ଧାଇଁ ଚାଲିଛି ତା'ର ଲକ୍ଷ୍ୟ ସ୍ଥଳ ଅଭିମୁଖେ । ଆନନ୍ଦ ସାଗର ହିଁ ତା'ର ଲକ୍ଷ୍ୟସ୍ଥଳ । ଆମେ ସମସ୍ତେ ସେହି ଆନନ୍ଦକନ୍ଦ ଭଗବାନଙ୍କର ଅଂଶ ବିଶେଷ । ଯଦିଓ ଆମେ ଜାଣି ପାରୁନାହେଁ , ତଥାପି ଆମର ଅଜାଣତରେ ଆମେ ସମସ୍ତେ ତାଙ୍କୁ ପାଇବା ପାଇଁ ଅବିରତ କ୍ରିୟାଶୀଳ । ସାଂରସାରିକ ମାୟା ବନ୍ଧନରେ ବାନ୍ଧିହୋଇ ଆମେ ପରମ ପିତା ପରମେଶ୍ୱରଙ୍କୁ ଭୁଲିଯାଉଛେ । ମାତ୍ର ଯେଉଁମାନେ ତାଙ୍କ ପାଇଁ କିଛି ସମୟ ଦେଇ ତାଙ୍କର ସ୍ମରଣ କିରିଥାନ୍ତି, ଆନ୍ତରିକତାର ସହ ଭକ୍ତି ନୈବେଦ୍ୟ ଅର୍ପଣ କରିଥାନ୍ତି ସେ ସେମାନଙ୍କର ସମସ୍ତ ସୁଖ ଦୁଃଖର ସାଥି ହୋଇ ଉଭା ହୋଇଥାନ୍ତି । ମାୟା ଜାଲରେ ପଡି ଭକ୍ତ ତାଙ୍କୁ ଚିହ୍ନି ପାରି ନଥାଏ , କିନ୍ତୁ ପରବର୍ତ୍ତୀ କୌଣସି ନା କୌଣସି ସମୟରେ ସେ ଜାଣିପାରେ କି ତା'ର ସେହି ଘଡିସନ୍ଧି ମୁହୂର୍ତ୍ତରେ ଭଗବାନ ହିଁ ତାକୁ ସହାୟ ହୋଇଛନ୍ତି । ସମସ୍ତ ଦେବଦେବୀ ମାନଙ୍କର ଛବିକୁ ଆମେ ଆମ ମନରେ ଯେପରି କଳ୍ପନା କରିଛେ ସେ କେବେହେଲେ ସେପରି ରୂପରେ ଆସି ଆମକୁ ସାହାଯ୍ୟ ଦେଇ ନଥାନ୍ତି । କାହାରି ନା କାହାରି ମାଧ୍ୟମରେ ସେ ଆମର ସହାୟତା କରିଥାନ୍ତି । ତେଣୁ ସେହି ମାଧ୍ୟମ ହିଁ ଆମପାଇଁ ଭଗବାନ । ସେହି ପ୍ରକାର ଅନୁଭୂତିକୁ ଆମେ ଦିବ୍ୟ ଅନୁଭୂତି ବୋଲି କହିଥାଉ । ସେହିଭଳି କିଛି ଦିବ୍ୟ ଅନୁଭତି ମୋ ଜୀବନରେ ଘଟି ଯାଇଛି ଯାହା ମଧ୍ୟରୁ ଗୋଟିଏ ଅନୁଭୂତିର ଘଟଣାବଳୀକୁ ଆଜି ପ୍ରଥମଥର ପାଇଁ ପ୍ରକାଶ କରିବାକୁ ଚାହୁଁଛି । ହୁଏତ ଏହା କାହାର ମନକୁ ଛୁଇଁ ପାରେ ବା ନ ପାରେ ହେଲେ ମୋ ଉପରେ ଏହି ଘଟଣାଟି ଏକ ଗଭୀର ଛାପ ଛାଡି ଯାଇଛି ସାରା ଜୀବନକାଳ ପର୍ଯ୍ୟନ୍ତ ।


ଘଟଣାଟି ଦୀର୍ଘ ଅଠର ବର୍ଷ ତଳର କଥା । ଘଟଣାଟି ଯେଉଁଠି ଘଟିଥିଲା ସେ ସ୍ଥାନଟି ଥିଲା ଏକ ଆର୍ମି କ୍ୟାଣ୍ଟୋନମେଣ୍ଟ ପରିସର ଯାହାକି ଆସାମ ରାଜ୍ୟର ତେଜପୁର ସହର ଠାରୁ ପ୍ରାୟ ୫୦ କି.ମି. ପାଖାପାଖିହେବ । ସ୍ଥାନଟିର ନାମ ଭୁଲିଯାଇଛି । ସେହି ସମୟରେ ମୁଁ ୟୁକୋବ୍ୟାଙ୍କର ଉତ୍ତର ପୁର୍ବାଞ୍ଚଳ ରାଜ୍ୟମାନଙ୍କରେ ଥିବା ଶାଖାଗୁଡିକର ନିରୀକ୍ଷଣ ଅଧିକାରୀ ଭାବରେ ଗୌହାଟୀ ଠାରେ ଅବସ୍ଥାପିତ ଥାଏ । ସେଠାରୁ ବିଭିନ୍ନ ଶାଖା ମାନଙ୍କୁ ଯାଇ ନିରୀକ୍ଷଣ କାର୍ଯ୍ୟ ସଂପାଦନ କରୁଥାଏ । ମୋର ଟିମ୍ ମେଟ୍ ଭାବରେ ଆଉ ଜଣେ ଓଡିଆ ଅଫିସର ମୋ ସହିତ ଥାଆନ୍ତି କିନ୍ତୁ ୨୦୦୩ ମସିହା ମାର୍ଚ୍ଚ ମାସ ପୂର୍ବରୁ ଟିମ୍ ଭାବରେ ନରହି ଏକୁଟିଆ ଅଲଗା ଅଲଗା ବ୍ରାଞ୍ଚକୁ ଇନସ୍ପେକ୍ସନ୍ କରିବାକୁ ଆଦେଶ ଆସିଥିଲା । ଯାହା ଫଳରେ ମତେ ଏକୁଟିଆ ବ୍ରାଞ୍ଚ ଇନସ୍ପେକ୍ସନ କରିବାକୁ ପଡିଲା । ମତେ ତେଜପୁର ସହର ପାଖା ପାଖି କେତୋଟି ବ୍ରାଞ୍ଚ ଇନସ୍ପେକ୍ସନ୍ କରିବାପାଇଁ ଦିଆଯାଇଥାଏ । ମୋର ଯାହା ମନେ ପଡୂଛି ଫେବ୍ରୁଆରୀ ମାସ ଆରମ୍ଭ ହୋଇଥାଏ । ସେପଟେ ଶୀତର ପ୍ରକୋପ କମି ନଥାଏ । ମୁଁ ଇନସ୍ପେକ୍ସନ୍ କରିବା ପାଇଁ ତେଜପୁରର ଏକ ଲଜରେ ରହୁଥାଏ । ଆଗରୁ କହିଥିବା ସେହି ଆର୍ମି କ୍ୟାଣ୍ଟୋନମେଣ୍ଟ୍ ପାଖରେ ଥିବା ଆମ ବ୍ୟାଙ୍କର ଏକ ବ୍ରାଞ୍ଚକୁ ଯିବା ପାଇଁ ମୁଁ ସକାଳୁ ନିତ୍ୟକର୍ମ ସାରି ବାହାରି ପଡିଲି । ସମୟ ପ୍ରାୟ ସକାଳ ୮ ଟା ହେବ । ଶୀତରେ ଏତେ ସକାଳୁ ଉଠି ସମସ୍ତ କାମ ସାରି ବାହାରିବାଟା ବହୁତ କଷ୍ଟକର ଥିଲା । ବସଷ୍ଟାଣ୍ଡରେ ପହଞ୍ଚି ଦେଖିଲି ଯେ ସେ ସ୍ଥାନକୁ ଯାଉଥିବା ବସ୍ ଟି କିଛି ସମୟ ପୂର୍ବରୁ ପଳେଇ ଯାଇଛି । ଆଉ କଣ ଗାଡି ଅଛି କି ନାହିଁ ମୁଁ ଜାଣି ନଥାଏ । ବୁଝିବା ପରେ ଜଣା ପଡିଲା ଯେ ଆଉ ବସ୍ ନାହିଁ କିନ୍ତୁ ଅନ୍ୟ ଲାଇନ୍ ବସ୍ ରେ ଯାଇ ବାଟରେ ଏକ ଛକ ପାଖରେ ଓହ୍ଲାଇକରି ଅନ୍ୟ ବସ୍ ଧରି ଯିବାକୁ ପଡିବ । ତାହା ହିଁ କରିବାକୁ ନିଷ୍ପତି ନେଇ ଅନ୍ୟ ଏକ ଲାଇନ୍ର ବସରେ ଚଢି ମୁଁ ବାହାରି ପଡିଲି । ଯେଉଁଠି ଓହ୍ଲାଇବାକୁ ହେବ ସେ ସ୍ଥାନ ମୁଁ ଆଗରୁ ଦେଖି ନଥାଏ । ତେଣୁ କଣ୍ଡକ୍ଟର୍ ଙ୍କୁ ସେହି ଛକରେ ଓହ୍ଲାଇ ଦେବାକୁ କହି ଦେଇଥାଏ । ବସ୍ ଫେଲ୍ ହେବା କାରଣରୁ ମୁଁ ବ୍ରାଞ୍ଚରେ ପହଞ୍ଚିବା ସମୟ ଧୀରେ ଧୀରେ ଡେରି ହୋଇ ଚାଲିଥାଏ । ହେଲେ ମୋର ଆଉ ଉପାୟ ବା କଣ ଅଛି ? ସକାଳୁ କିଛି ଜଳଖିଆ ବି ଖାଇ ନଥାଏ । ପ୍ରାୟ ୧୨ ଟା ପାଖାପାଖି କଣ୍ଡକ୍ଟର ମତେ ଡାକି ସେ ଛକରେ ଓହ୍ଲାଇ ଦେଲେ । ଓହ୍ଲାଇବା ପରେ ଭାବୁଥିଲି କିଛି ଜଳଖିଆ ଖାଇନେବି କିନ୍ତୁ କାଳେ ସେଇ ଲାଇନ୍ ର କୌଣସି ଗାଡି ଆସିଯିବ ସେଥିପାଇଁ ନ ଖାଇ କରି ଅପେକ୍ଷା କରି ରହିଲି । ବୁଝିଲି ଯେ ମୁଁ ଯିବାକୁ ଥିବା ସ୍ଥାନର କିଛି ବାଟ ଯାଏ ବସ୍ ମିଳିବ ଓ ତା ପରେ ଅନ୍ୟ ବ୍ୟବସ୍ଥା କରି ଯିବାକୁ ହେବ । ସେପରି ନ କରି ସେ ସ୍ଥାନକୁ ଯାଉଥିବା ପେଟ୍ରୋଲ୍ ଟ୍ୟାଙ୍କର୍ ରେ ଗଲେ ଠିକ୍ ଯାଗାରେ ପହଞ୍ଚି ହେବ । ତେଣୁ ଟ୍ୟାଙ୍କର୍ ରେ ଯିବାକୁ ସ୍ଥିର କରି ଗୋଟିଏ ଟ୍ୟାଙ୍କରରେ ଉଠିଲି । ବ୍ରାଞ୍ଚରେ ପହଞ୍ଚିଲା ବେଳକୁ ପ୍ରାୟ ସାଢେ ଗୋଟାଏ ସମୟ ହୋଇଥାଏ । ଇନସ୍ପେକ୍ସନ୍ ଆରମ୍ଭ ହେଲା ବୋଲି ରିପୋର୍ଟ ଗୋଟିଏ କଣ୍ଟ୍ରୋଲିଙ୍ଗ ଅଫିସ୍ କୁ ପଠାଇଲା ପରେ ବ୍ରାଞ୍ଚ ମ୍ୟାନେଜର କହିଲେ , " ସାର୍ ଆପଣ ଆଜି କେମିତି ଫେରିବେ ? ସକାଳେ ଆସିଥିବା ଗାଡିଟି ଆଉ କିଛି ସମୟ ପରେ ଛାଡିଦେବ । ତା ପରେ ତେଜପୁରକୁ କୌଣସି ଡାଇରେକ୍ଟ ବସ ନାହିଁ । " 

ମୁଁ ତାଙ୍କୁ କହିଲି, " ଦେଖନ୍ତୁ ମୁଁ ସକାଳୁ କିଛି ଖାଇନାହିଁ । ଆଜି ଆଉ କିଛି କାମ ନକରି ଯଦି ପାଖରେ ହୋଟେଲ ଥିବ ସେଠି ଖାଇ ଦେଇ ଫେରି ଯାଆନ୍ତି । "

ମ୍ୟାନେଜର୍ କହିଲେ, " ଦେଖନ୍ତୁ ସାର୍ ସମୟ ବହୁତ କମ ଅଛି ଆପଣ ଖାଇସାରିବା ବେଳକୁ ହୁଏତ ବସ୍ ଛାଡି ଦେଇ ପାରେ । ତେଣୁ ଆପଣଙ୍କୁ ଆମର ଜଣେ ଷ୍ଟାଫ୍ ବାଇକ୍ ନେଇ ଅାର୍ମି କ୍ୟାମ୍ପସ୍ ଭିତରେ ଥିବା କ୍ୟାଣ୍ଟିନ୍ ରେ ଖୁଆଇ ସେ ପଟେ ବସ୍ ରେ ଚଢେଇ ଦେବ । ଯଦି ବସ୍ ଆଗକୁ ପଳେଇଥିବ ତେବେ ସେ ବସ୍ କୁ ଓଭରଟେକ୍ କରି ଅଟକେଇ ଆପଣଙ୍କୁ ସେହି ବସ୍ ରେ ପଠେଇ କରି ଆସିବ ।"


ତାହା ହିଁ ହେଲା । ମୁଁ ତରବର ଭାବେ ଦିଗୁଣ୍ଡା ଖାଇ ସେ ଷ୍ଟାଫ୍ ଙ୍କ ବାଇକ୍ ରେ ଆସିବା ବେଳେ ଦେଖିଲୁ ଯେ ବସ୍ ପଳେଇ ଯାଉଛି । ସେ ଓଭରଟେକ୍ କରି ବସ୍ ଅଟକେଇଲେ ଓ ମତେ ବସ୍ ରେ ଚଢେଇ ଦେଇ ଫେରିଗଲେ ।

ବସ୍ ଭିତରେ ସାଂଘାତିକ ଭିଡ । ଗୋଟିଏ ମାତ୍ର ଡାଇରେକ୍ଟ ବସ୍ ଚାଲୁଥିବାରୁ ଭିଡ ହେବା ସ୍ୱାଭାବିକ । ଠିଆହେବା ବି କଷ୍ଟକର ହେଉଥାଏ । ଭିତରେ ନିଶ୍ୱାସ ପ୍ରଶ୍ୱାସ ନେବାରେ ବି କଷ୍ଟ ହେଉଥାଏ । ବସ୍ ଟି ଆର୍ମି କ୍ୟାମ୍ପସ୍ ଅତିକ୍ରମ କରି ନଥାଏ । ମୋତେ ବାନ୍ତି ବାନ୍ତି ଲାଗୁଥାଏ । ସେ ବସ୍ର ରେ ଯିବା ମୋ ପକ୍ଷେ ସମ୍ଭବ ନୁହେଁ ବୋଲି ମନେ ମନେ ଭାବୁଥାଏ । କ୍ୟାମ୍ପସ୍ ସରିବା ପୂର୍ବରୁ ଲୋକ ଉଠାଇବା ପାଇଁ ବସ୍ ଟି ରହିଲା । କିଛି ନ ଭାବି ମୁଁ ବସ୍ ରୁ ଓହ୍ଲେଇ ପଡିଲି । ଚାରିଆଡ ଅନ୍ଧାର ଦିଶୁଥାଏ । ସତେ ଅବା ପ୍ରାଣ ବାୟୁଟି ଉଡିଯିବା ପରି ମନେ ହେଉଥାଏ । ପାଖରେ ଗୋଟିଏ ଗଛ ଚାରିପଟରେ ଯାତ୍ରୀଙ୍କ ବସିବା ପାଇଁ ଚାନ୍ଦିନୀ ଗୋଟିଏ ଥାଏ । କାନ୍ଧରେ ପଡିଥିବା ଝୁଲା ହ୍ୟାଣ୍ଡ୍ ବ୍ୟାଗ୍ କୁ ମୁଣ୍ଡ ତଳେ ଦେଇ " ହେ ପ୍ରଭୁ ବାଲୁଙ୍କେଶ୍ୱର ରକ୍ଷାକର" ବୋଲି କହି ସେଇ ଛାଇ ତଳେ ଚାନ୍ଦିନୀ ଉପରେ ଶୋଇଗଲି । ସୁଲୁ ସଲିଆ ପବନ ଦେଉଥାଏ । ବୋଧ ହୁଏ ମୋର ଚେତା ନଥାଏ । ପ୍ରାୟ ୫ ଟା ବେଳକୁ କାହାର ହାତ ସ୍ପର୍ଶରେ ମୋର ଶରୀରରେ ଏକ ବିଦ୍ରୁତ୍ ସ୍ରୋତ ପ୍ରବାହିତ ହେଲାପରି ଅନୁଭବ କଲି। ନୀଦ ଭାଙ୍ଗିଗଲା । ସେ ଭଦ୍ରବ୍ୟକ୍ତିଙ୍କୁ ଛାଡି ଆଉ କେହି ବି ନଥାନ୍ତି ସେଠାରେ । ସେ ବୟସ୍କ ଭଦ୍ର ବ୍ୟକ୍ତିଙ୍କୁ ଛାଡିଦେଲେ ଆଉ କେହି ବି ନଜର ପକେଇ ନାହାଁନ୍ତି ମୋ ଊପରେ । ମୁଁ ଉଠିକରି ବସିଲି । ବହୁତ ଭଲ ଲାଗୁଥାଏ । କିଛି ସମୟ ପୂର୍ବରୁ ମୋର ଯେଉଁ ଅବସ୍ଥା ଥିଲା ଶୋଇକରି ଉଠିଲା ପରେ ଏତେ ଭଲ ଲାଗିବ ବୋଲି ମୁଁ କଳ୍ପନା କରି ପାରୁ ନଥାଏ । 


ଭଦ୍ରବ୍ୟକ୍ତି ଜଣଙ୍କ ମୋ ବେକରେ ପଡିଥିବା ଆଇଡି କାର୍ଡ ଦେଖି ମୁଁ ୟୁକୋବ୍ୟାଙ୍କ୍ ରେ କାର୍ଯ୍ୟରତ ବୋଲି ଜାଣି ସାରିଥିଲେ । ଏହାଛଡା ମୋର ନାମରୁ ସେ ଜାଣି ନେଇଥିଲେ କି ମୁଁ ଆସାମର ବାସିନ୍ଦା ନୁହେଁ ।

ସେ ମତେ ହିନ୍ଦୀରେ ପଚାରିଲେ , " ଆପ୍ ୟୁକୋବ୍ୟାଙ୍କ୍ ମେ କାମ କରେତେ ହେଁ ? କହାଁକେ ରହେନେବାଲା ହୋ ?" 

ଭଦ୍ର ବ୍ୟକ୍ତି ଜଣଙ୍କ ବୟସ୍କ ଥିଲେ । ମୁଣ୍ଡରେ ପକ୍ୱ କେଶ, ମଥାରେ ଚନ୍ଦନର ଟିପା । ବୟସ୍କ ହେଲେ ବି ମୁହଁ ତୋଜୋଦୀପ୍ତ ଥିଲା । ତାଙ୍କୁ ନମସ୍କାର କରିବାକୁ ମୋର ହାତ ଦୁଇଟି ଯୋଡି ହୋଇ ଯାଇଥିଲା । 

ତାଙ୍କ ପ୍ରଶ୍ନର ଉତ୍ତର ଦେବାକୁ ଯାଇ ମୁଁ କହିଥିଲି' " ମୈଁ ଓଡିଶା କା ରହେନେବାଲା ହୁଁ । " ସେଦିନ ଘଟିଥିବା ଘଟଣା ସମ୍ବନ୍ଧରେ ଅବଗତ କରାଇଥିଲି ।

ଭଦ୍ର ବ୍ୟକ୍ତି ଜଣଙ୍କ ଜାଣିପାରିଥିଲେ କି ମୋର ଆତ୍ମ ବିଶ୍ୱାସ କମି ଯାଇଛି । ତେଜପୁର କିପରି ଫେରିବି ସେଥିପାଇଁ ବିବ୍ରତ ଜଣା ପଡୁଛି ।

ସେ ମୋତେ ଭରସା ଦେଇ କହିଲେ ," ଘବରାଇଏ ମତ୍ 

ଆପ୍ କା ଯାନେ କା ବନ୍ଦୋବସ୍ତ ମୈ କରୁଙ୍ଗା । ଠିକ୍ ସେହି ସମୟରେ ଏକ ପେଟ୍ରୋଲ ଟ୍ୟାଙ୍କର୍ ଆସି ପହଞ୍ଚିଥିଲା । ମୋତେ ସଙ୍ଗରେ ଧରି ସେ ସେହି ଟ୍ୟାଙ୍କରରେ ଚଢିଥିଲେ । ପ୍ରାୟ ଘଣ୍ଟାଏ ପରେ ଆମେ ଜାତୀୟ ରାଜପଥକୁ ଛୁଉଁଥିବା ଛକରେ ପହଞ୍ଚି ଯାଇଥିଲୁ । ସେଠାରେ ମୁଁ ଏବଂ ସେ ଭଦ୍ରବ୍ୟକ୍ତି ଓହ୍ଲେଇ ପଡିଥିଲୁ । ଭଦ୍ରବ୍ୟକ୍ତି ଜଣଙ୍କ କହିଥିଲେ , " ତେଜପୁର୍ କେ ଲିୟେ ବହୁତ୍ ସାରେ ବସ୍ ୟହାଁ ସେ ଆପ୍ କୋ ମିଲ୍ ଯାୟେଗା । " 

ତାଙ୍କ ବିଷୟରେ ଜାଣିବା ପାଇଁ କିଛି ପଚାରିବା ପୂର୍ବରୁ ଗୋଟିଏ ବସ୍ ଆସି ଯାଇଥିଲା । ସେ ମୋତେ ବସ୍ ରେ ବସିବାକୁ ଇଶାରା ଦେଇ କହିଥିଲେ ," ଅଭି ଆପ୍ ଚଲେ ଯାଇଏ , କଲ୍ ବ୍ରାଞ୍ଚ ମେ ଫିର୍ ମୁଲାକାତ ହୋଗା ।" 


ପରଦିନ ମୁଁ ଡାଇରେକ୍ଟ ବସ୍ ରେ ଯାଇ ଠିକ୍ ସମୟରେ ପହଞ୍ଚିଥିଲି । ସେ ଭଦ୍ରବ୍ୟକ୍ତି ଆସିବେ ବୋଲି ମନେ ମନେ ଭାବୁଥିଲି । ପ୍ରାୟ ୭ ଦିନ ପର୍ଯ୍ୟନ୍ତ ଇନସ୍ପେକ୍ସନ୍ ଚାଲିବା ଭିତରେ ସେ ବ୍ରାଞ୍ଚକୁ ଆସି ନଥିଲେ । ତାଙ୍କ ବିଷୟରେ ବ୍ରାଞ୍ଚର ଷ୍ଟାଫ୍ ମାନେ ବି କିଛି କହି ପାରିଲେ ନାହିଁ ।

ସତରେ ଭଗବାନଙ୍କୁ ଯଦି ମଣିଷ ଏହି ଚର୍ମ ଚକ୍ଷୁରେ ଚିହ୍ନି ପାରୁଥାନ୍ତା ତେବେ ସିଏ ମଣିଷ ନ ହୋଇ ମହାପୁରଷ ହୋଇଥାନ୍ତା । ଭଗବାନଙ୍କର ଏହି ମାୟା ଜାଲ ର ଉର୍ଦ୍ଧ୍ୱରେ ଆମ୍ଭେ ନୁହେଁ । ତାଙ୍କୁ ଚିହ୍ନିବା ଏତେ ସହଜ ନୁହେଁ । ଭକ୍ତ ଯଦି ନିଜକୁ ତା୍ଙ୍କ ନିକଟରେ ସମର୍ପଣ କରିଦିଏ ତା'ର ସମସ୍ତ ଦାୟିତ୍ୱ ସେ ନିଜ ଉପରେ ନେଇଥାନ୍ତି । କାହାରି ନା କାହାରି ମାଧ୍ୟମରେ ସେ ଭକ୍ତର ସଂକଟ ଦୂର କରିଥାଆନ୍ତି । ସେଦିନ ପ୍ରଭୁ ବାଲୁଙ୍କେଶ୍ୱର ହିଁ ସେ ଭଦ୍ରବ୍ୟକ୍ତିର ରୂପ ଧରି ମୋର ଶରୀରକୁ ସ୍ପର୍ଶ କରିଥିଲେ ଏବଂ ମୁଁ ମୋର ହଜିଲା ଚେତନାକୁ ଫେରି ପାଇଥିଲି । ଏହା ମୋ ପାଇଁ ଏକ ଦିବ୍ୟ ଅନୁଭୂତି କହିଲେ ଅତ୍ୟୁକ୍ତି ହେବନାହିଁ । ଜୀବନର ଶେଷ ପର୍ଯ୍ୟନ୍ତ ଏହାକୁ ଭୁଲିବା ସମ୍ଭବ ନୁହେଁ । ସତରେ ମୋ ପାଇଁ ଏକ ନୂଆ ଜନ୍ମ ପାଇଲା ପରି ଅନୁଭବ ହେଉଥିଲା ।



Rate this content
Log in